Unknown

 

 

 

 

 

 

 

 

 

୧୨୩ତମ ସଂଖ୍ୟା କୋଣାର୍କ ୨୦୦୨

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ଶ୍ରୀ ଉମାଶଙ୍କର ପଣ୍ଡା

ମୁଖ୍ୟ ସମ୍ପାଦକ

 

ଡକ୍ଟର ବିଜୟାନନ୍ଦ ସିଂହ

ସମ୍ପାଦକ

 

ଶ୍ରୀ ଅଶ୍ୱିନୀ କୁମାର ମିଶ୍ର

ପରିଚାଳନା ସମ୍ପାଦକ

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ଭୁବନେଶ୍ୱର - ୭୫୧୦୧୪

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ । ପ୍ରକାଶିତ ଲେଖାଗୁଡ଼ିକର ପୁନର୍ମୁଦ୍ରଣ ଲେଖକ / ଅନୁବାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀକର୍ତ୍ତୃପକ୍ଷଙ୍କ ଅନୁମତି ସାପେକ୍ଷ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ଵମତ ।

 

ବିଷୟ ସୂଚୀ

ସଂପାଦକୀୟ

ପ୍ରବନ୍ଧ

ପଣ୍ଡିତ ନୀଳକଣ୍ଡ - ଏକ ଅବିସ୍ମରଣୀୟ ପ୍ରତିଭା.

:

ପଠାଣି ପଟ୍ଟନାୟକ

କବିବର ରାଧାନାଥଙ୍କ କାବ୍ୟରେ ଲୋକ-ତତ୍ତ୍ଵ

:

ବୈଷ୍ଣବ ଚରଣ ସାମଲ

ରେବତୀ ଓ ପରବର୍ତ୍ତୀ ଶହେବର୍ଷର ଓଡ଼ିଆ କ୍ଷୁଦ୍ରଗଳ୍ପ

:

ଆଦିକନ୍ଦ ସାହୁ

ବିଂଶ ଶତାବ୍ଦୀର ଓଡ଼ିଆ ଗଳ୍ପ : ଉତ୍ତର

ଔପନିବେଶିକ ବିଚାର

:

ଶୁଭେନ୍ଦୁ ମୁଣ୍ଡ

କାହ୍ନୁଚରଣ : ଅନୁଭବ ଓ ଅଭିବ୍ୟକ୍ତି

:

କଇଳାଶ ପଟ୍ଟନାୟକ

ମୁଦ୍ରିତ କବିତାର ବିଷୟବସ୍ତୁ ଓ ସାଧାରଣ ମଣିଷ

:

ସନ୍ତୋଷ କୁମାର ରଥ

 

ବିଦେଶୀ ସାହିତ୍ୟ

ନୋବେଲ୍ ଲରିୟେଟ୍ ଟୋନି ମରିସନ୍ ଓ ସୁଲା

:

ଉମାଶଙ୍କର ପଣ୍ଡା

 

ଅନୁବାଦ ସାହିତ୍ୟ

ଶବ୍ଦ ଓ ବାସ୍ତବତା :

:

ସୃଜନ ପ୍ରକିୟାର କେଇଟି ଦିଗ

ସୀତାକାନ୍ତ ମହାପାତ୍ର :

:

ଅନୁବାଦକ - ପ୍ରଭାତ ମହାପାତ୍ର

 

ପୁସ୍ତକ ସମୀକ୍ଷା

ତରୁଣକାନ୍ତି ମିଶ୍ରଙ୍କ ଗଳ୍ପରେ ଜୀବନ ଓ

ଜୀବିନୋତ୍ତର ଚେତନାର ଭାବସତ୍ତା

 

:

ରମାକାନ୍ତ ରାଉତ

ସାହିତ୍ୟ ସମାଚାର

ଏକାଡେମୀ ସମାଚାର

 

 

 

ସଂପାଦକୀୟ

ବିଚ୍ଛିନ୍ନାଞ୍ଚଳ ଭାଷା ଓ ସାହିତ୍ୟ

 

ଓଡ଼ିଆ ଭାଷା କେତେ ପୁରାତନ ଓ ଶବ୍ଦବହୁଳ, ଭାବ ଓ ଧ୍ୱନିର ଯୁଗ୍ମ ବିନ୍ୟାସରେ ଏହା କେଉଁଭଳି ମାର୍ମିକ ଓ ଆକର୍ଷଣୀୟ ଏଇ କଥାକୁ ପୁଣି ଥରେ ଭାଷାତତ୍ତ୍ୱବିତ୍‌ମାନଙ୍କ ନିକଟରେ ଦୋହରାଇବାର ସମୟ ଆସି ପହଞ୍ଚି ଯାଇଛି । ଆଜିର ବିଚ୍ଛିନ୍ନାଞ୍ଚଳ ଯଥା ମେଦିନୀପୁର, ମଞ୍ଜୁଷା, ଷଢ଼େଇକେଲା, ସିଂହଭୂମ ଇତ୍ୟାଦି ଯେ ଦିନେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଦୁର୍ଗଥିଲା ଓ ଏହା ଆଜି ମଧ୍ୟ ଅତୁଟ ରହିଛି, ଏଇ କଥାକୁ କେହି କେବେ ଅସ୍ୱୀକାର କରିବେ କି ? ଗଙ୍ଗବଂଶର ସମ୍ରାଟ କପିଳେନ୍ଦ୍ର ଦେବ ନିଜ ସାହସିକତା ବଳରେ ବଙ୍ଗ ସୁଲତାନ ନାସିରୁଦ୍ଧିନ ମହମ୍ମଦଙ୍କୁ ପରାସ୍ତ କଲାପରେ କ୍ରମଶଃ ଦକ୍ଷିଣ ଦିଗକୁ ଅଗ୍ରସର ହୋଇ ନେଲାର୍, ଉଦୟଗିରି ଓ କାବେରୀ ନଦୀକୂଳସ୍ଥ କେରଳ ରାଜ୍ୟକୁ ଅକ୍ତିଆର କରିଥିଲେ । ଏହି ସମୟରେ ତାଙ୍କ ଜୈତ୍ରବାନା ସେତୁବଂଧ ରାମେଶ୍ଵରରେ ଉଡ଼ୁଥିବାର ସଙ୍କେତ ଇତିହାସର ପୃଷ୍ଠାରୁ ପଢ଼ିବାକୁ ମିଳେ । ଏହାରି ପ୍ରମାଣ ବର୍ତ୍ତମାନ ଗୁଣ୍ଟୁର, ନେଲୋର ଇତ୍ୟାଦି ଦକ୍ଷିଣ ଭାରତୀୟ ଅଞ୍ଚଳର ‘ଖୋଦିତ ଲିପି’ରୁ ମିଳୁଛି । ତେଣୁ ପ୍ରଶାସନିକ ପଟ୍ଟଭୂମିରେ ଆଜିର ବିଚ୍ଛିନ୍ନାଞ୍ଚଳ ଆମର ବିଛୁଡ଼ି ଯାଇଥିଲେ ସୁଦ୍ଧା ପ୍ରତିଟି ଓଡ଼ିଆଙ୍କ କାୟିକ ଓ ମାନସିକ ସ୍ତରରେ ଓଡ଼ିଆତ୍ଵର ଅବିଚ୍ଛିନ୍ନ ସ୍ପନ୍ଦନକୁ ଆଜି ବି ଅନୁଭବ କରି ହୁଏ ଓ ଏଇ ଅନୁଭବର ସାର୍ଥକତାକୁ ତେଜୀୟାନ୍ କରିଛି ନିକଟରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ବିଶାଖାପାଟଣାରେ ପ୍ରାୟୋଜିତ ସାହିତ୍ୟ ସମ୍ମେଳନ ।

 

ମେଦିନୀପୁର ଅଞ୍ଚଳର ଓଡ଼ିଆ ଉଚ୍ଚାରଣ ଆଜି କେଉଁ ଭଳି ବିପର୍ଯ୍ୟସ୍ତ ଉଦାହରଣଟିଏ ଦେଲେ ଜାଣି ହେବ । “ଭାତ ରାନ୍ତେ ଡେରି ହେଲା । ଅନେକ କାଜ ଘରର ପଡ଼ିଚି । କି କରିମି । ଦାଦା, କାକୁ ଏତେବେଳେ ଗଲେ । ଏଠ୍‍ନୁ ଚାଲିଚାଲି ଯିବେ ।” ଅପର ପକ୍ଷରେ ଆଜିର ନୂଆପଡ଼ା ଜିଲ୍ଲାସ୍ଥିତ ଖଡ଼ିଆଳ ୧୯୧୮ ରୁ ୧୯୩୬ ଯାକେ ମଧ୍ୟପ୍ରଦେଶର ଶାସନାଧୀନ ଥିଲା । ପରେ ପରେ ସମ୍ବଲପୁର ଜିଲ୍ଲାକୁ ଆସିଲା । ପାରିବାରିକ ସାମାଜିକ ସ୍ତରରେ ମଧ୍ୟପ୍ରଦେଶର ମହାସମୁନ୍ଦ ଓ ଓଡ଼ିଶାର ଖଡ଼ି ଆଳ ଭିତରେ ସେଭଳି ସାଂସ୍କୃତିକ ବିଭିନ୍ନତା ପରିଲକ୍ଷିତ ହୁଏନାହିଁ । ଯେମିତି ଗୋଟିଏ ନଈର ଦୁଇଟି ଧାର । କିନ୍ତୁ ପ୍ରଶାସନିକ ସ୍ତରରେ ଏ ବୈସାଦୃଶ୍ୟ ବେଶ୍ ଲକ୍ଷଣୀୟ । ଖଡ଼ିଆଳ ଅଞ୍ଚଳର ଲୋକଗୀତରେ ଆମେ ଶୁଣିବାକୁ ପାଉଁ ସଜନି, ଖାଇଲୁ କଞ୍ଚା ଗୋରସ୍, ଉଡ଼ିଶାକେ ଗଲେ ଆମର ମୁନୁସ୍, ସଜନୀ ଯୁଗିଥାଆ ମାସ ମାସ ।” ସେଠାକାର ଜନସ୍ମୁତିରେ ଉଡ଼ିଶା ଅର୍ଥାତ୍ ଓଡ଼ିଶା ଆଜିବି ଏକ ଦୂରନ୍ତ ଗ୍ରହ ଭଳି । ତେଣୁ ଘରଣୀ ସମୂହ ତାଙ୍କ ମଣିଷମାନଙ୍କ ଫେରନ୍ତା ପଥକୁ ଅପେକ୍ଷା କରିଥାନ୍ତି । ମାସ ମାସ ଧରି ।

 

ପ୍ରାଚୀନ ଧନୁର୍ବେଦଠାରୁ ଆରମ୍ଭ କରି ପୁରାଣ ସାହିତ୍ୟ ଯାଏ ଜ୍ୟୋତିଷ ଶାସ୍ତ୍ରଠୁ ସଂଗୀତ ତଥା ବ୍ୟାକରଣ ଶାସ୍ତ୍ର ଯାଏ ଓଡ଼ିଆ ଭାଷାର ମହନୀୟ ପରମ୍ପରାକୁ ମହାଦୀକ୍ଷା ସ୍ଵରୂପ ଓଡ଼ିଆ ଜାତି ଆଜିଯାକେ ପାଛୋଟି ଆଣିଛି । ବଙ୍ଗୋପର ଜଳୀୟ ସୀମାନ୍ତ ଓ ପୂର୍ବଘାଟର ପାର୍ବତୀୟ ସୀମାରେଖା ମଧ୍ୟରେ ଏହି ମାଟିର ମହକ ପରିବ୍ୟାପ୍ତ । କେଉଁ ଟ୍ରେଲିସ୍ କି ଟ୍ୟୁଲିପ୍ ଫୁଲର ବାସ୍ନା ଆଗରେ ଏଠିକାର କୂଟଜ ଫୁଲଟି ଯେ ଲଜ୍ଜାରେ ଝାଉଁଳି ପଡ଼ିବ, ଯଦି ଏଭଳି ହୀନମନ୍ୟତା ଯଦି କାହାର କେଉଁଠି ଥାଏ, ତାକୁ ଦୂରକୁ ଫୋପାଡ଼ି ଦେବାର ସମୟ ଆଜି ଉପସ୍ଥିତ ।

 

ଏଠି ‘ପୂର୍ଣ୍ଣ ଚନ୍ଦ୍ର ଭାଷାକୋଷ'ର ସଂଗ୍ରାହକ ସ୍ୱର୍ଗତ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଉକ୍ତିଟିଏ ମନକୁ ଆସୁଛି । କେବଳ ପାଶ୍ଚାତ୍ୟ ପଣ୍ଡିତ ମଣ୍ଡଳୀ ନୁହନ୍ତି ସମଗ୍ର ସଭ୍ୟ ଜଗତର ବିଦ୍ୱଜ୍ଜନମଣ୍ଡଳୀ ଅନୁଭବ କରି ଭାଷା ଓ ସାହିତ୍ୟ ଜଗତରେ ଓ ସଭ୍ୟ ସମାଜରେ ଓଡ଼ିଆ ଭାଷାକୁ ଓଡ଼ିଆ ସାହିତ୍ୟକୁ ତଥା ଓଡ଼ିଆ ଜାତିକୁ ତାଙ୍କ ପ୍ରାପ୍ୟ ସସମ୍ମାନ ଆସନ ଦେବାକୁ କୁଣ୍ଠିତ ହେବେ ନାହିଁ । ଏଦିନ ଦିନେ ନିଶ୍ଚୟ ଆସିବ । ସେ ଦିନ ଏ କ୍ଷୀଣବଳ, ନଗଣ୍ୟ ସଂଗ୍ରାହକ ଏ ଜନ୍ମରେ ହେଉ, ଜନ୍ମାନ୍ତରରେ ହେଉ, ଯେଉଁଠାରେ, ଯେଉଁ ଅବସ୍ଥାରେ, ଯେଉଁ ସତ୍ତା ଧାରଣ କରି ବିଦ୍ୟମାନ ଥିବ, ସେ ବା ତାହାର ଆତ୍ମା । ଏହା ଦେଖୁ ପରମ ସୁଖ ଅନୁଭବ କରିବ ।”

 

ଚଳିତ ଫେବୃଆରୀ ୧୭ ଓ ୧୮ ତାରିଖ ଦୁଇଦିନ ଆନ୍ଧ୍ର ପ୍ରଦେଶସ୍ଥିତ ବିଶାଖାପାଟଣାଠାରେ ଉପରୋକ୍ତ ବିଷୟ ସଂପର୍କିତ ଆଲୋଚନା-ଚକ୍ର ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେମୀ ଓଡ଼ିଶା ଲେଖିକା ସଂସଦ ଉତ୍କଳ ସାଂସ୍କୃତିକ ସମାଜ, ବିଶାଖାପାଟଣାଙ୍କ ମିଳିତ ସହଯୋଗ କ୍ରମେ ଭୁଡ଼ା ଚିଲ୍‌ଡ୍ରେନ୍ ଥିଏଟରଠାରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉଦ୍‌ଘାଟନ କରିଥିଲେ ଓଡ଼ିଶାର ମାନ୍ୟବର ବାଚସ୍ପତି ଶ୍ରୀ ଶରତ କୁମାର କର । ଆଶା, ଏଭଳି ସମାବେଶ ଭବିଷ୍ୟତ ପାଇଁ ଆମକୁ ଆମ ଭାଷା ଓ ସାହିତ୍ୟର ସୁରକ୍ଷା ଦିଗରେ ବିଶେଷ ସହାୟକ ହେବ ।

 

ଅଶ୍ୱିନୀ କୁମାର ମିଶ୍ର

 

Unknown

ପଣ୍ଡିତ ନୀଳକଣ୍ଠ - ଏକ ଅବିସ୍ମରଣୀୟ ପ୍ରତିଭା

ପଠାଣି ପଟ୍ଟନାୟକ

 

ତୁଳସୀ ଦୁଇପତ୍ରରୁ ବାସେ

ପରାଧୀନ ଭାରତବର୍ଷରେ ଓଡ଼ିଶା ଭୂଖଣ୍ଡ ଥାଏ ପ୍ରତ୍ୟେକ ବିଭାଗରେ ଅନଗ୍ରସର । ଉଚ୍ଚଶିକ୍ଷା ପାଇଁ ଦେଶରେ ବିଶେଷ ବ୍ୟବସ୍ଥା କରାଯାଇଥାଏ । ଯେଉଁ କେତେଜଣ ଉଚ୍ଚଶିକ୍ଷିତ ବାହାରୁ ଥିଲେ, ସେମାନେ ଇଂରେଜ ଶାସନକଳରେ ଅଂଶୀଦାର ହୋଇ ବୈଷୟିକ ସୁଖ-ସ୍ୱପ୍ନରେ ମସ୍‌ଗୁଲ ହୋଇ ରହିଥିଲେ । ଏହିପରି ଏକ ସନ୍ଧିକ୍ଷଣରେ ଦେଶରେ ପ୍ରଧାନ ଅଭାବ ଥିଲା ଜାତୀୟତାଭାବ । ଦେଶପାଇଁ କେହି ଚିନ୍ତାକରିବା ଜାଣୁନଥିଲେ । ସମୂହଚିନ୍ତାର ଭୟଙ୍କର ଅଭାବ ରହିଥିଲା । ଏହି ସମୟରେ ପୁରୀ ଜିଲ୍ଲାର ଭାର୍ଗବୀ ନଦୀକୂଳରେ ତିନିଜଣ ଶିକ୍ଷିତ ଯୁବକ ଏକଦା ଏକାଠି ହୋଇ ନିଷ୍ପତ୍ତି ଗ୍ରହଣ କରିଥିଲେ- “ଆମେ ପାଠପଢ଼ି ସରକାରୀ ଚାକିରୀ କରିବା ନାହିଁ । ଦେଶପାଇଁ କିଛି କାମ କରିବା । ଜନ୍ମବେଳେ ଦେଶକୁ ଯାହା ଦେଖିଥାଉଁ, ତା’ଠାରୁ ଉନ୍ନତ ଦେଖି ମରିବା ।” ଏହି ତିନି ଜଣ ଯୁବକ ହେଲେ ଭବିଷ୍ୟତର ଉତ୍କଳମଣି ଗୋପବନ୍ଧୁ, ପଣ୍ଡିତ ନୀଳକଣ୍ଠ ଓ ଆଚାର୍ଯ୍ୟ ହରିହର ।

 

ଜାତୀୟ ଜୀବନର ଉନ୍ମେଷ ମୁଖ୍ୟତଃ ଶିକ୍ଷାର ପ୍ରସାର ଉପରେ ନିର୍ଭର କରିଥାଏ । ଦେଶପ୍ରାଣ ଗୋପବନ୍ଧୁ ଏହା ମର୍ମେ ମର୍ମେ ଅନୁଭବ କରିଥିଲେ । ତେଣୁ ସେ କେତେଜଣ ଦେଶପ୍ରେମୀ, ତ୍ୟାଗପୂତ ଓ ଶିକ୍ଷିତ ସହକର୍ମୀଙ୍କ ସହଯୋଗରେ ୧୯୦୯ ଖ୍ରୀଷ୍ଟାବ୍ଦରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଖୁବ୍ ଅଳ୍ପକାଳ ମଧ୍ୟରେ ଏହି ବିଦ୍ୟାଳୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଅନୁଷ୍ଠାନର ତ୍ୟାଗୀ ଶିକ୍ଷକମାନଙ୍କ ମଧ୍ୟରେ ନୀଳକଣ୍ଠ ଥିଲେ ସର୍ବପ୍ରଥମ ଅତ୍ୟନ୍ତ ପ୍ରଭାବଶାଳୀ । ବନବିଦ୍ୟାଳୟର ସୁନାମରେ ଆକୃଷ୍ଟ ହୋଇ ଉତ୍କଳ ଗୌରବ ମଧୁସୂଦନ ପଣ୍ଡିତ ଗୋପବନ୍ଧୁଙ୍କୁ ପ୍ରଶଂସା କରି କହିଥିଲେ – “ଗୋପବନ୍ଧୁ, ନାଳନ୍ଦାଟାଏ ଗଢ଼ିଦେଲୁ-। ଗୋପବନ୍ଧୁ କହିଲେ - ମୁଁ ନୁହେଁ, ନୀଳକଣ୍ଠ । ବ୍ୟାସକବି ଫକୀରମୋହନ ବନବିଦ୍ୟାଳୟକୁ ସ୍ମରଣ କରି ଲେଖିଥିଲେ-

 

ସଦାଶିବ ନାଳକଣ୍ଠ ସତତ ସନ୍ନ୍ୟାସୀ

ଗତ ମଙ୍ଗଳେ ଗୋପବନ୍ଧୁ ବ୍ରଜବାସୀ ।

“ଜ୍ଞାନରାଶି ପବିତ୍ରତା ଉଭୟେତ ଠୁଳ

ଉଦ୍ଧାରିବେ ଭଗୀରଥ ସମାନରେ କୁଳ ।।

ବହୁ ଯୁଗ ଯୁଗାନ୍ତର ସାଧନାର ଫଳେ ।

ଜନ୍ମିଲେ ନିଃସ୍ୱାର୍ଥ ଯୋଗ୍ୟ ପୁତ୍ର ଏ ଉତ୍କଳେ ।”

 

ବିଂଶ ଶତାବ୍ଦୀର ପ୍ରାରମ୍ଭ କାଳରୁ ଓଡ଼ିଆଭାଷୀ ଅଞ୍ଚଳରେ ଜାତୀୟଜୀବନର ପ୍ରାଣ-ପ୍ରତିଷ୍ଠା ପାଇଁ ମି.ଦାସଙ୍କ ନେତୃତ୍ୱରେ ଉତ୍କଳ-ସମ୍ମିଳନୀ ଆନ୍ଦୋଳନ ଚଳାଇ ଆସିଥିଲେ ହେଁ ସତ୍ୟବାଦୀର ବନ ବିଦ୍ୟାଳୟ ଏହି ଅଭିଯାନର ଏକ ପ୍ରଭାବଶାଳୀ ଅନୁଷ୍ଠାନ ଭାବରେ ବିଦିତ ହୋଇଥିଲା । ଏହି ଅନୁଷ୍ଠାନ ସଂପର୍କରେ ସ୍ମୃତିଚାରଣ କରି ପଣ୍ଡିତ ଗୋଦାବରୀଶ ମିଶ୍ର ନୀଳକଣ୍ଠଙ୍କର ଅବଦାନକୁ ମୁକ୍ତକଣ୍ଠରେ ସ୍ୱୀକାର କରିଥିଲେ । ସେ ଲେଖିଥିଲେ ଏହିପରି- “ସେଦିନ ସତ୍ୟବାଦୀ ସ୍କୁଲରେ ମୋର ଯୋଗଦେବା ଉତ୍ସବ ପାଳନ କରାଗଲା । ମୁଁ ପରେ ବୁଝିଲି ଯେ ଅନ୍ୟମାନଙ୍କ ପାଇଁ ସେପରି ଉତ୍ସବ ହୋଇନଥିଲା । ନୀଳକଣ୍ଠବାବୁ ଦୁଇବର୍ଷ ପୂର୍ବରୁ ଯୋଗଦେଇଥିଲେ । ଆମ୍ଭମାନଙ୍କର କଳ୍ପନା ଜଳ୍ପନାରେ ସେ ହେଲେ ପ୍ରଥମ ପ୍ରସୂତ । ଆଉ କେହି କେହି ପରେ ତ୍ୟାଗ କଲେ । କିନ୍ତୁ ପ୍ରଥମ ତ୍ୟାଗ ପଣ୍ଡିତ ନୀଳକଣ୍ଠଙ୍କର । ସେ ସ୍କୁଲରେ ପଢ଼ିଲାବେଳୁ ଜଣାଯାଇଥଲା ଯେ ସେ ଜଣେ ବଡ଼ଲୋକ ହେବେ । ଓକିଲାତି କରିଥିଲେ ହୁଏତ ସେ ହଜାର ହଜାର ଟଙ୍କା ଉପାର୍ଜନ କରିଥାନ୍ତେ । ଜୀବନରେ ସବୁପ୍ରକାର ସୁଖସୌଭାଗ୍ୟକୁ ଜଳାଞ୍ଜଳି ଦେଇ ମାସିକ ତିରିଶଟଙ୍କା ଭତ୍ତାରେ ଆସି କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେବା, ନିଆଁକୁ ଡେଇଁ ପଡ଼ିବା ସଙ୍ଗେ ସମାନ । ନୀଳକଣ୍ଡବାବୁ ପ୍ରଥମେ ସେହି ନିଆଁକୁ ଡେଇଁଥିଲେ । ଆମେ ଅନ୍ୟମାନେ ପରେ ଗଡ୍‍ଡଳିକା ପ୍ରଭାବରେ ଗତି କଲୁ ମାତ୍ର । (‘‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ପ୍ରଥମ ସଂସ୍କରଣ - ୧୯୫୮- ପୃ.୨୧୪)

 

ନୀଳକଣ୍ଠ ଥିଲେ ସତ୍ୟବାଦୀ ବନବିଦ୍ୟାଳୟର ପ୍ରାଣପିଣ୍ଡ । ପଣ୍ଡିତ ଗୋପବନ୍ଧୁଙ୍କ ପ୍ରେରଣାରେ ନୀଳକଣ୍ଠ ପ୍ରଧାନ ଶିକ୍ଷକ ଭାବରେ ସତ୍ୟବାଦୀ ସ୍କୁଲର ସୁନାମ କରିଥିଲେ ସୁଦୂରପ୍ରସାରୀ । ତତ୍କାଳୀନ ଭାରତବର୍ଷର ସ୍ୱନାମଧନ୍ୟ ଶିକ୍ଷାବିତ୍ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଆଶୁତୋଷ ମୁଖାର୍ଜୀ ଏହି ସ୍କୁଲ ପରିଦର୍ଶନ କରି ଲେଖିଥିଲେ- ‘‘The promoters of this school have set a laudable example to the contrary. Their ideals are high, they understand the value of discipline and culture mental, moral, and physical. x x x One cannot but wish that every village in Bengal should possess a genuine place of Institution like the Satyabadi School.’’

 

ଆଶୁତୋଷଙ୍କ ସମୟରେ ବଙ୍ଗଦେଶ କହିଲେ ସମଗ୍ର ଓଡ଼ିଆଭାଷୀ ଅଞ୍ଚଳ, ବଙ୍ଗଳାଭାଷୀ ଅଞ୍ଚଳ, ଆସାମୀଭାଷୀ ଅଞ୍ଚଳ ଏବଂ ବିହାରର ହିନ୍ଦୀଭାଷୀ ଅଞ୍ଚଳକୁ ବୁଝାଉଥିଲା । ତେଣୁ ସମଗ୍ର ଦେଶରେ ଏହିପରି ଶିକ୍ଷାନୁଷ୍ଠାନର ଆବଶ୍ୟକତା ଅଛି ବୋଲି ସାର୍ ଆଶୁତୋଷ ଅନୁଭବ କରିଥିଲେ ।

 

୧୯୧୩ ସାଲରେ ଏପ୍ରିଲ୍ ଛଅ ତାରିଖ ରବିବାର ଦିନ ଜଣେ ବଙ୍ଗୀୟ ବୁଦ୍ଧିଜୀବୀ ସତ୍ୟବାଦୀ ସ୍କୁଲ ପରିଦର୍ଶନ କରି କଲିକତାର “ନବଭାରତ’ ପତ୍ରିକାର ୧୩୨୦ ସାଲ ଜ୍ୟେଷ୍ଠ ସଂଖ୍ୟାରେ ଲେଖିଥିଲେ-‘‘ ଗୋପବନ୍ଧୁ, ନୀଳକଣ୍ଠ ଏବଂ ଅନ୍ୟାନ୍ୟ ଶିକ୍ଷକଗଣ ଯେପରି ଅଗ୍ନିର ସ୍ଫୁଲିଙ୍ଗ । ବ୍ରହ୍ମଚର୍ଯ୍ୟ ଶିକ୍ଷାଦେବା ସେମାନଙ୍କର ଜୀବନର ବ୍ରତ । ସେମାନଙ୍କର ସଂସ୍ପର୍ଶରେ ଆସିଲେ ନିର୍ଜୀବ ଦେହରେ ଅଗ୍ନି ଜଳିଉଠେ ।’’

 

୧୯୧୩ ସାଲରେ ଉତ୍କଳ ସମ୍ମିଳନୀର ନବମ ଅଧିବେଶନ ପୁରୀଠାରେ ଅନୁଷ୍ଠିତ ହେଉଥାଏ । ସତ୍ୟବାଦୀରେ ପ୍ରତିଷ୍ଠିତ ବନବିଦ୍ୟାଳୟ ଦେଶବାସୀଙ୍କର ମନରେ ଏପରି ଉତ୍ସାହ ଓ ଉଦ୍ଦୀପନା ଆଣି ଦେଇଥିଲା ଯେ ଏହି ସଂପର୍କରେ ସମ୍ମିଳନୀ ଏକ ପ୍ରସ୍ତାବ ଗ୍ରହଣ କରିଥିଲେ । ଉକ୍ତ ପ୍ରସ୍ତାବରେ କୁହାଯାଇଥିଲା- “ଏହି ଜିଲ୍ଲାର ସତ୍ୟବାଦୀଠାରେ ଯେଉଁ କତିପୟ ଉଚ୍ଚଶିକ୍ଷିତ ଯୁବକମାନେ ଦେଶର ଶିକ୍ଷୋନ୍ନତି ସାଧନ ନିମନ୍ତେ ନିଃସ୍ୱାର୍ଥଭାବେ ପ୍ରାଣପଣେ ପରିଶ୍ରମ କରି ଉତ୍କଳରେ ଯେଉଁ ନୂତନ ଉଚ୍ଚ ଆଦର୍ଶ ଦେଖାଉ ଅଛନ୍ତି, ସେଥପାଇଁ ଏ ସମ୍ମିଳନୀ ସେମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଦେଉଅଛନ୍ତି ।

 

ଏହି ପ୍ରସ୍ତାବ ସଂପର୍କରେ ସମ୍ମିଳନୀର ସଭାପତି କୁଳବୃଦ୍ଧ ମଧୁସୂଦନ କହିଥିଲେ- “ମୁଁ ନୀଳକଣ୍ଠଙ୍କୁ ଅନେକ ଦିନରୁ ଚିହ୍ନେ, ପୂର୍ବେ ମୋର ତାହାପ୍ରତି ଅନେକପ୍ରକାର ସନ୍ଦେହାତ୍ମକ ଧାରଣା ଥିଲା ଏବଂ ତା ବିଷୟରେ ମୋର ନାନା ପ୍ରକାର ଆଶଙ୍କା ହୋଇଥିଲା । କିନ୍ତୁ ସୁଖର କଥା ସେ ସବୁ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ମୋ ମନରୁ ଘୁଞ୍ଚିଅଛି; ଦୁଇରାତି ତାଙ୍କ ସହିତ ଛଅଟା ଠାରୁ ଆଠଟା ପର୍ଯ୍ୟନ୍ତ କଥୋପକଥନ କରି ମୋର ଭ୍ରାନ୍ତି ଚାଲି ଯାଇଛି । ତାଙ୍କ ସହିତ ମୋର ସେହି କଥୋପକଥନରୁ ମୁଁ ତାଙ୍କ ବିଷୟରେ ବହୁ ଉଚ୍ଚଭାବ ମନରେ ପୋଷିଅଛି । ଏମାନଙ୍କ ଦ୍ୱାରା ବାସ୍ତବିକ ଜାତୀୟ ଉନ୍ନତି ସାଧିତ ହେବ ଏଥିରେ ସନ୍ଦେହ ନାହିଁ । ଏମାନଙ୍କୁ ଦେଖି କୀଟ ପତଙ୍ଗ ଦୀପରେ ପଡ଼ିଲା ପରି ଶତ ଶତ ରାଜା ମହାରାଜା ମଧ୍ୟ ଆଜି ସେମାନଙ୍କର ଧର୍ମ ଗ୍ରହଣ ଓ ସମର୍ଥନ କଲେ । ମୁଁ ସେମାନଙ୍କର କାର୍ଯ୍ୟରେ ସାହାଯ୍ୟ କରିଥାଏ ଏବଂ ବରାବର କରିବି । ସେମାନେ ମନୁଷ୍ୟ ଗଢ଼ିବା ପାଇଁ କୃତସଂକଳ୍ପ । ଜଗନ୍ନାଥ ମୂର୍ତ୍ତି ସମସ୍ତେ ଗଢ଼ି ପାରିବେ, କିନ୍ତୁ ତାହା ଭିତରେ ଯେଉଁ ବ୍ରହ୍ମ ଅଛି, ତାହା କେହି ଗଢ଼ିପାରନ୍ତି ନାହିଁ । + + + ଗୋପବନ୍ଧୁ ନୀଳକଣ୍ଠ ନିଜ ଗୋଡ଼ରେ ଠିଆ ହୋଇଛନ୍ତି । ସେମାନଙ୍କ କାର୍ଯ୍ୟ ଦେଖି ଦେଶ ବାସୀ ଯଥା ଗଭର୍ଣ୍ଣମେଣ୍ଟ ଯଥାସମୟରେ ସେମାନଙ୍କୁ ସାହାଯ୍ୟ କରିବାକୁ ଅଗ୍ରସର ହେବେ, ସନ୍ଦେହ ନାହିଁ । (ଉଦ୍ଧୃତାଶଂଟି ‘ସମାଜ’ -୫ ନଭେମ୍ବର ୧୯୬୮ର ସଂପାଦକୀୟରୁ ଗ୍ରହଣ କରାଯାଇଛି) ।

 

ପ୍ରତିଭାର ଆଦ୍ୟସ୍ଫୁରଣ :

ପୁରୀର ଷୋହଳ ଶାସନ ମଧ୍ୟରେ ରାମଚନ୍ଦ୍ରପୁର ଶାସନ ଅଧିକ ପ୍ରଣିଧାନ ଯୋଗ୍ୟ । କାରଣ ଭାରତବିଖ୍ୟାତ ବାଗ୍ନୀ ଓ ପଣ୍ଡିତ ହରିହର ଦାସ ଏହି ଶାସନରେ ଜନ୍ମଗ୍ରହଣ କରିଥିଲେ । ପୁରୀରେ ପ୍ରଥମ ସଂସ୍କୃତ ବିଦ୍ୟାଳୟର ସେ ଥିଲେ ପ୍ରତିଷ୍ଠାତା, ଯାହାକି ପରେ ମହାବିଦ୍ୟାଳୟରେ ପରିଣତ ହୋଇଛି । ପଣ୍ଡିତ ହରିହରଙ୍କ ପ୍ରେରଣାରେ ନିଜ ଗ୍ରାମରେ ଭର୍ଣ୍ଣାକୁଲାର ସ୍କୁଲର ପ୍ରତିଷ୍ଠା ହୋଇଥିଲା । ଯାହାକି ୧୯୦୯ ସାଲରେ ସତ୍ୟବାଦୀକୁ ଉଠିଯାଇ ବିଖ୍ୟାତ ବନବିଦ୍ୟାଳୟରେ ରୂପାନ୍ତରିତ ହୋଇଥିଲା । ପଣ୍ଡିତ ନୀଳକଣ୍ଠ ଏହି ଗ୍ରାମରେ ୧୮୮୪ ମସିହା ଅଗଷ୍ଟ ପାଞ୍ଚ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଆନନ୍ଦ ଦାସ ଏବଂ ମାତା ହାରାଦେବୀ ବାଲିଆ ଗ୍ରାମର ନୀଳକଣ୍ଠ ମହାଦେବଙ୍କ କୃପାରୁ ପୁତ୍ରରତ୍ନ ଲାଭ କରି ଥିବାରୁ ପିତାମାତା ଏହି ସନ୍ତାନର ନାମକରଣ କରିଥିଲେ ନୀଳକଣ୍ଠ । ବାଲ୍ୟକାଳରୁ ନୀଳକଣ୍ଠ ଥିଲେ ଅତ୍ୟନ୍ତ ମେଧାବୀ । ଗ୍ରାମର ମିଡିଲ୍ ଭର୍ଣ୍ଣାକୁଲାର ସ୍କୁଲରେ ଚାରିବର୍ଷ ଅଧ୍ୟୟନ କରି ୧୮୯୨ ସାଲରେ ଛାତ୍ରବୃତ୍ତି ପରୀକ୍ଷାରେ ସମଗ୍ର ଓଡ଼ିଶା ଡିଭିଜନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପୁରୀଜିଲ୍ଲା ସ୍କୁଲରେ ଅଧ୍ୟୟନ କାଳରେ ବାର୍ଷିକ ଶ୍ରେଣୀ ପରୀକ୍ଷାରେ ସେ ପ୍ରଥମ ସ୍ଥାନ ଅଧିକାର କରି ୧୯୦୫ସାଲରେ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତିତ୍ୱର ସହିତ ସଫଳତା ହାସଲ କରି ମାସିକ ପନ୍ଦରଟଙ୍କା ବୃଦ୍ଧିଲାଭ କରିଥିଲେ । ସେହିପରି ରେଭେନ୍‌ସା କଲେଜରେ ଏଫ୍. ଏ ଶ୍ରେଣୀରେ କୃତିତ୍ୱ ଅର୍ଜନ କରିବା ହେତୁ ସେ ମେୟୋବୃତ୍ତି ଲାଭ କରି ବି.ଏ. ଅଧ୍ୟୟନ କରିଥିଲେ ଏବଂ ୧୯୦୯ ସାଲରେ ସେ ହେଲେ ଗ୍ରାଜୁଏଟ୍ । ଉଚ୍ଚତର ଶିକ୍ଷାପାଇଁ ସେ କଲିକତା ସ୍କଟିସ୍ ଚର୍ଚ୍ଚ କଲେଜରେ ପ୍ରବେଶ କଲେ ଏବଂ ୧୯୧୧ ସାଲରେ ଦର୍ଶନ ଶାସ୍ତ୍ରରେ ଏମ୍ .ଏ ଡିଗ୍ରୀ ଲାଭ କରିଥିଲେ । ଏହି ସମୟରେ ସେ ବି.ଏଲ ପାଠ୍ୟ ମଧ୍ୟ ଆୟତ୍ତ କରିଥିଲେ । ସେ କାଳରେ ମୁଷ୍ଟିମେୟ ଶିକ୍ଷିତ ଓଡ଼ିଆଙ୍କ ମଧ୍ୟରେ ନୀଳକଣ୍ଠ ଥିଲେ ଅଗ୍ରଗଣ୍ୟ । ସେ ଇଚ୍ଛା କରିଥିଲେ ସରକାରୀ ଚାକିରୀ କରି ପ୍ରଚୁର ଅର୍ଥ ରୋଜଗାର କରିପାରିଥାନ୍ତେ । ମାତ୍ର ଅପୂର୍ବ ତ୍ୟାଗ ବ୍ରତରେ ଅନୁପ୍ରେରିତ ହୋଇ ମାତ୍ର ତିରିଶଟଙ୍କା ବେତନରେ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ବନବିଦ୍ୟାଳୟରେ ଯୋଗ ଦେଇଥିଲେ ପ୍ରଧାନଶିକ୍ଷକ ଭାବରେ । ଏପରି ତ୍ୟାଗ ଥିଲା ଅତୁଳନୀୟ । ରେଭେନ୍‌ସା କଲେଜରେ ଅଧ୍ୟୟନ କାଳରେ କେତେଜଣ ବନ୍ଧୁଙ୍କର ସହଯୋଗରେ ସେ ଗଠନ କରିଥିଲେ ‘ୟଂଗ ଉତ୍କଳ ଆସୋସିଏସନ୍” । ଏହି ଅନୁଷ୍ଠାନ ଜରିଆରେ ଯୁବକ ନୀଳକଣ୍ଠ ଦୁଃସ୍ଥ ଓ ରୋଗୀମାନଙ୍କର ସେବା କରିବାପାଇଁ ଆଗେଇ ଆସିଥିଲେ । ଗୋପବନ୍ଧୁଙ୍କ ପ୍ରେରଣାରେ ଏହି ତ୍ୟାଗବ୍ରତ ତାଙ୍କର ଆଜୀବନ ଅକ୍ଷୁଣ୍ଣ ରହିଥିଲା I

 

ନୀଳକଣ୍ଠ ଛାତ୍ରଜୀବନରୁ ଦେଶର ଜାତୀୟ ଆନ୍ଦୋଳନ ଏବଂ ବଙ୍ଗଳାର ବିପ୍ଲବୀମାନଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । ଦେଶରେ ଏକ ନବଜାଗରଣର ସ୍ରୋତ ପ୍ରବାହିତ ହେଉଥିଲା । ଏହି ସ୍ରୋତରେ ସାମିଲ ହୋଇ ସେ ନିଜର ଜୀବନଯୌବନର ଗତି ନିୟନ୍ତ୍ରଣ କରିଥିଲେ । ୧୯୨୦ ସାଲରେ ସୁବିଖ୍ୟାତ ଆଶୁତୋଷ ମୁଖାର୍ଜୀ କଲିକତା ବିଶ୍ୱବିଦ୍ୟାଳୟରେ ନବଗଠିତ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଦାୟିତ୍ୱ ନେବାପାଇଁ ନିମନ୍ତ୍ରଣ କଲେ । ନୀଳକଣ୍ଠ ମାତ୍ର ତିନିମାସ ଅଧ୍ୟାପନା କରିବାପରେ ଅସହଯୋଗ ଆନ୍ଦୋଳନର ଆହ୍ୱାନକ୍ରମେ ଅଧ୍ୟାପକ ଜୀବନରୁ ଅପସରି ଗଲେ । ତେବେ ଜଣେ ଆଦର୍ଶ ଶିକ୍ଷକ ଭାବରେ ସେ ଚିରସ୍ମରଣୀୟ ହୋଇ ରହିଅଛନ୍ତି ।

 

ସଂସ୍କାରକ ନୀଳକଣ୍ଠ :

ରକ୍ଷଣଶୀଳ ବ୍ରାହ୍ମଣ ଶାସନମାନଙ୍କର ମଧ୍ୟସ୍ଥଳରେ ସତ୍ୟବାଦୀ ବନବିଦ୍ୟାଳୟ ଜାତିଗତ କୌଣସି ସଂକୀର୍ଣ୍ଣ ସ୍ପର୍ଶକାତର ଭାବକୁ ପ୍ରଶ୍ରୟ ଦେଉନଥିଲେ । ପ୍ରଧାନଶିକ୍ଷକ ନୀଳକଣ୍ଠଙ୍କ ନେତୃତ୍ୱରେ ଶିକ୍ଷକ ଓ ଛାତ୍ରଗଣ ଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତଙ୍କର ଅକୁଣ୍ଠ ସେବା କରୁଥିଲେ । ବଢ଼ି, ମରୁଡ଼ି, ହଇଜା ଓ ରଥଯାତ୍ରାମାନଙ୍କରେ ଛାତ୍ର ଓ ଶିକ୍ଷକମାନଙ୍କର ସେବାକାର୍ଯ୍ୟ ଥିଲା ଅତ୍ୟନ୍ତ ଉଲ୍ଲେଖନୀୟ । ଏଥିପାଇଁ ରକ୍ଷଣଶୀଳ ସମାଜପତିମାନଙ୍କର କଟୁ ସମାଲୋଚନାକୁ ନୀଳକଣ୍ଠ ଆଦୌ ଭ୍ରୁକ୍ଷେପ କରୁନଥିଲେ । ଏହିକାଳରେ ତାଙ୍କର ‘ମୋ ନିଶ’ ଆନ୍ଦୋଳନ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିଲା । ଜାତି, ବର୍ଣ୍ଣଭେଦ ଉଠାଇବାପାଇଁ ଯେଉଁ ଆନ୍ଦୋଳନ ହୋଇଥିଲା, ତାହାର ନାମ ଥିଲା ‘ନିଶ ଆନ୍ଦୋଳନ’ । ନୀଳକଣ୍ଠ ବ୍ରାହ୍ମଣଶାସନର ପରମ୍ପରାକୁ ଭାଙ୍ଗିଦେଇ ନିଶ ରଖିଲେ ଏବଂ ତାଙ୍କର ପ୍ରଭାବରେ ଅନ୍ୟ ସହକର୍ମୀଗଣ ନିଶ ରଖି ସମାଜ ଦ୍ୱାରା ନାନାଭାବରେ ଉତ୍ପୀଡ଼ିତ ହୋଇଥିଲେ । ‘ମୁକୁର ସାହିତ୍ୟ ପତ୍ରରେ ପ୍ରକାଶିତ ନୀଳକଣ୍ଠଙ୍କ ‘ମୋ ନିଶ’ ପ୍ରବନ୍ଧ ବୁଦ୍ଧିଜୀବୀ ମହଲରେ ଚହଳ ସୃଷ୍ଟି କରିଥିଲା । ପୁତ୍ର ନୀଳକଣ୍ଠ ନିଶ ରଖିଥିବା ଯୋଗୁଁ ତାଙ୍କର ପିତା ବ୍ରାହ୍ମଣଶାସନର ସଙ୍ଖୁଡ଼ି ସଭାରେ ବସିବାର ଅଧିକାର ହରାଇଥିଲେ ।

 

ଆଚାର୍ଯ୍ୟ ହରିହରଙ୍କ ପିତା ମଧ୍ୟ ଏହିପରି ନିର୍ଯ୍ୟାତନା ସହ୍ୟ କରିଥିଲେ । ସେଥିରେ ସନ୍ତୁଷ୍ଟ ନହୋଇ ବ୍ରାହ୍ମଣନେତୃବର୍ଗ ସତ୍ୟବାଦୀ ସ୍କୁଲରେ ଅଗ୍ନିସଂଯୋଗ କରି ଧ୍ୱଂସ କରିଦେଇଥିଲେ-। ଏହି ସଂପର୍କରେ ନୀଳକଣ୍ଠ ତାଙ୍କର ଆତ୍ମଜୀବନୀରେ ଲେଖିଥିଲେ ମୁଁ କେତେକ ଯୁବକଙ୍କୁ ନିଶ-ମତରେ ଅନୁପ୍ରାଣିତ କରି ସେମାନଙ୍କ ମନରେ ପଣ୍ଡିତ ବ୍ରାହ୍ମଣ ନିଶରଖିବା ଶାସ୍ତ୍ରବିରୁଦ୍ଧ ନୁହେଁ, ତେଣୁ ନିଶରଖିବା ସାମାଜିକ ନୀତିର କ୍ଷତିକାରକ ନୁହେଁବୋଲି ଏକ ପ୍ରତିଷ୍ଠିତ ବିଶ୍ୱାସ ଆଣିଦେଇଥିଲି । ମୁଁ ଓ ମୋର ଦଳର ଯୁବକମାନେ ନିଶ ରଖିଲୁ । ରକ୍ଷଣଶୀଳ ବ୍ରାହ୍ମଣସମାଜରେ ଚହଳ ପଡ଼ିଗଲା । ନିଶରଖିବାରୁ ଏବଂ ଅନ୍ୟାନ୍ୟ କୁସଂସ୍କାରକୁ ନମାନି କାର୍ଯ୍ୟ କରିବାରୁ ଆମ୍ଭମାନଙ୍କୁ ସମାଜିକ ଶାସ୍ତି ଦେଇନପାରି ଆମ୍ଭମାନଙ୍କ କର୍ମକେନ୍ଦ୍ରକୁ ଜାଳିପୋଡ଼ି ଭସ୍ମୀଭୂତ କରିଦେଇଥିଲେ ।

 

ମାର୍ଚ୍ଚମାସ ବାଇଶିତାରିଖ ଊଣେଇଶ ଶହ ବାର ମସିହା ଦିନ ସତ୍ୟବାଦୀ ସ୍କୁଲର ସମସ୍ତ ଆସବାବ ଓ ଚାଳଛପର ଛାତକୁ ପ୍ରତିକ୍ରିୟାଶୀଳ ଲୋକେ ଅଗ୍ନିସଂଯୋଗକରି ଧ୍ୱଂସ କରିଦେଲେ । ଗୋପବନ୍ଧୁ ଓ ନୀଳକଣ୍ଠ ଏଥିରେ ଭାଙ୍ଗିପଡ଼ିଲେ ନାହିଁ । ମୁକ୍ତ ଆକାଶତଳେ ବକୁଳ ଉପବନରେ ଅଧ୍ୟୟନ-ଅଧ୍ୟାପନା କାର୍ଯ୍ୟ ଅବ୍ୟାହତ ରହିଲା । ତତ୍କାଳୀନ ପୁରୀଜିଲ୍ଲା ମାଜିଷ୍ଟ୍ରେଟ ପଣ୍ଡିତ ରମାବଲ୍ଲଭ ମିଶ୍ର ସ୍କୁଲ ପରିଦର୍ଶନରେ ଆସି ଲେଖିଥିଲେ- “I was pleased to notice the spirit and self-help among the executive of the school. The classes are now being held under the shade of the trees near the school house and the work of teaching is going on as if nothing has happened. The institution is a refreshing example of self-help and self-sacrifice on the part of the superintendent (Babu Nilakantha Das) and his assistants and fully deserve support and encouragement.’’

 

ଏହି ଉକ୍ତିର ଜ୍ଞାନୀଗୁରୁ ପଣ୍ଡିତ ନୀଳକଣ୍ଠଙ୍କର ସଂଗଠନ ଶକ୍ତି ଓ ଉଜ୍ଜଳ ଆତ୍ମତ୍ୟାଗର ବିଷୟ ଲକ୍ଷ୍ୟ କରାଯାଇପାରେ । ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠାକାଳରେ ଗୋପବନ୍ଧୁ ଓ ନୀଳକଣ୍ଠଙ୍କ ଆଗରେ ଆଦର୍ଶ ହୋଇ ରହିଥିଲା ମହାମତି ଗୋଖଲେଙ୍କ ପ୍ରତିଷ୍ଠିତ ପୁନାର ଫର୍ଗୁସନ କଲେଜ । ସେଠାର ଶିକ୍ଷକମାନଙ୍କ ପରି ସତ୍ୟବାଦୀର ଶିକ୍ଷକଗଣ ମଧ୍ୟ ତ୍ୟାଗମନ୍ତ୍ର ଓ ଦେଶପ୍ରେମରେ ଦୀକ୍ଷିତ ହୋଇଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଓ ଭକ୍ତକବି ମଧୁସୂଦନ ରାଓ ପୁରୀର ଶିକ୍ଷା ସମ୍ମିଳନୀରେ ଭାଷଣ ପ୍ରସଙ୍ଗରେ ସତ୍ୟବାଦୀ ସ୍କୁଲର ବିଷୟ ଉଲ୍ଲେଖ ନକରି ରହିପାରି ନଥିଲେ । ସେ ତାଙ୍କର ଭାଷଣରେ ଏହିପରି କହିଥିଲେ - Some sacrificing and patriotic youngmen have setup a school here (at Satyabadi). I bow down my head before that institution, which I consider to be a noble example of self-sacrifice and buring faith which I hope I will stand as a temple of learning for the advancement and edification of our people.”

 

ନୀଳକଣ୍ଠଙ୍କ ସାମ୍ବାଦିକତା :

ସତ୍ୟବାଦୀ ବନବିଦ୍ୟାଳୟରେ ସାହିତ୍ୟସେବା ପାଇଁ ପଣ୍ଡିତ ଗୋପବନ୍ଧୁ ୧୯୧୫ ସାଲରେ ‘ସତ୍ୟବାଦୀ’ ମାସିକ ସାହିତ୍ୟପତ୍ର ପ୍ରକାଶ କଲେ । ଏହି ପତ୍ରିକାର ଜଣେ ପ୍ରମୁଖ ଲେଖକ ଥିଲେ ପଣ୍ଡିତ ନୀଳକଣ୍ଠ । ପ୍ରାୟ ପ୍ରତ୍ୟେକ ସଂଖ୍ୟାରେ ତାଙ୍କର କବିତା, ପ୍ରବନ୍ଧ ଅଥବା ଆଲୋଚନା ସ୍ଥାନିତ ହେଉଥିଲା । ୧୯୩୮ ସାଲରେ କଂଗ୍ରେସ ଅନୁଷ୍ଠାନ ସହିତ ଅମେଳ ହେବାରୁ ନୀଳକଣ୍ଠ ପ୍ରକାଶ କଲେ ସାପ୍ତାହିକ ’’ଲୋକମତ’’। ସଂପାଦକ ହିସାବରେ ଚିନ୍ତାମଣି ମିଶ୍ରଙ୍କ ନାମ ପ୍ରକାଶିତ ହେଉଥିଲେ ହେଁ ନୀଳକଣ୍ଠ ହିଁ ଥିଲେ ଏହି ପତ୍ରିକାର ଆତ୍ମା ସ୍ୱରୂପ । ୧୯୩୮ ଠାରୁ ୧୯୪୧ ସାଲ ପର୍ଯ୍ୟନ୍ତ ‘ଲୋକମତ’ ହିଁ ନୀଳକଣ୍ଠଙ୍କ ଭାବଧାରାକୁ ଦେଶରେ ପ୍ରଚାର କରିଆସିଥିଲା । ବହୁ ପୂର୍ବରୁ ନୀଳକଣ୍ଠ ମାସିକ “ନବଭାରତ’ (୧୯୩୩) ସାହିତ୍ୟ ପତ୍ରିକାର ସଂପାଦନା କରୁଥିଲେ । ତତ୍କାଳୀନ ଓଡ଼ିଶାରେ ‘ନବଭାରତ’ ଥିଲା ଏକ ମର୍ଯ୍ୟାଦାସମ୍ପନ୍ନ ସାହିତ୍ୟମାସିକ । ଉଚ୍ଚକୋଟୀର ଲେଖା ସହିତ ନୀଳକଣ୍ଠଙ୍କ ଧାରାବାହିକ ଆଲୋଚନା ଥିଲା ପାଠକ ସମାଜର ଅତ୍ୟନ୍ତ ଆକର୍ଷଣୀୟ । ଦ୍ଵିତୀୟ ମହାଯୁଦ୍ଧକାଳରେ ପାରଳା ମନ୍ତ୍ରିମଣ୍ଡଳକୁ ସମର୍ଥନ ଜଣାଇ ନୀଳକଣ୍ଠ ପ୍ରକାଶ କଲେ ‘‘ଦୈନିକ ନବଭାରତ” । ଗୋପବନ୍ଧୁଙ୍କ ମୃତ୍ୟୁପରେ ନୀଳକଣ୍ଠ କିଛିକାଳ ପାଇଁ ଦୈନିକ ସମାଜର ସଂପାଦକ ଦାୟିତ୍ଵ ମଧ୍ୟ ତୁଲାଇଥିଲେ । ଲୋକମତ ପ୍ରତିଷ୍ଠା ଥିଲା ତାଙ୍କର ସାମ୍ବାଦିକତାର ପ୍ରଧାନ ଆଭିମୁଖ୍ୟ । ସେ ଯାହା ଠିକ୍ ଭାବୁଥିଲେ, ନିର୍ଭୀକ ଭାବରେ ପ୍ରକାଶ କରିବାପାଇଁ ଆଦୌ କୁଣ୍ଠିତ ହେଉନଥିଲେ ।

 

ଶିଶୁପ୍ରେମୀ ନୀଳକଣ୍ଠ :

ସତ୍ୟବାଦୀ ବନବିଦ୍ୟାଳୟ ଥିଲା ଏକ ମଣିଷ ତିଆରି କାରଖାନା । ଓଡ଼ିଶାରେ ନବଜାଗରଣର ଅନ୍ୟତମ ମାନ୍ତ୍ରିକ ଭାବରେ ପଣ୍ଡିତ ନୀଳକଣ୍ଠ ଲେଖନୀ ଧାରଣ କରିଥିଲେ । ଏ ଦେଶର ପିଲାମାନେ ପ୍ରାଚୀନ ଭାରତର ଐତିହ୍ୟ ଓ ପରଂପରା ବିଷୟରେ କିପରି ସଚେତନ ହେବେ, ଏଥିପାଇଁ ସେ ଲେଖୁଥିଲେ ପିଲାଙ୍କ ରାମାୟଣ, ପିଲାଙ୍କ ମହାଭାରତ ଏବଂ ପିଲାଙ୍କ ଭାଗବତ । ସତ୍ୟବାଦୀ ପତ୍ରିକାରେ ପିଲାଙ୍କ ଶିକ୍ଷଣୀୟ ହେଲାପରି ଅନେକ ସାଂସ୍କୃତିକ ପ୍ରବନ୍ଧ ସେ ପ୍ରକାଶ କରୁଥିଲେ ।

 

ଦୀର୍ଘକାଳର ପରାଧୀନତା ଯୋଗୁଁ ଆମର ସାମାଜିକ ଜୀବନ ହୋଇଥିଲା ଅତ୍ୟନ୍ତ ବିପର୍ଯ୍ୟସ୍ତ । ଜାତୀୟତାଭାବର ଉନ୍ମେଷ ନହେଲେ ଜାତିର ଜଡ଼ତା ଦୂରହେବ ନାହିଁ । ପିଲାମାନଙ୍କୁ ‘ମହାତ୍ମାଗାନ୍ଧି’ କବିତାରେ ଏପରି କଳଙ୍କିତ ଭାବନାରୁ ମୁକ୍ତ ହେବାପାଇଁ ସେ ଆହ୍ୱାନ ଜଣାଇଥିଲେ-

 

“ଜନମିଥିଲେ ଗାନ୍ଧି

ଏଇ ଭାରତେ

ସୁମରୁଥିବେ ତାଙ୍କୁ

ଜନେ ଏ ଜଗତେ ।

ଗୋରାଙ୍କ ତଳେ ଥିଲା

ଆମ ଏ ଦେଶ

ଗୋରାଙ୍କୁ ଲୋକଙ୍କର

ଡର ବିଶେଷ ।

ତୋପ ବନ୍ଧୁକ ଧରା

ସଇନି ଧରି,

ଗୋରାଏ କଲେ ଏଥି

କି ମହାଜୁରି ।

ନମଣିଲେ ଆମକୁ

କରି ମଣିଷ,

କେହି କିଛି ନକହି

ହେଲେ ନିରାଶ,

ଗାନ୍ଧି କହିଲେ ଡର

ଛାଡ଼ ହେ ଲୋକେ,

ତୋପ ବନ୍ଧୁକ ଆଗେ

ଦେଖାଅ ବୁକେ । ”

 

ଭାରତର ଜାତୀୟ ପତାକା ହେଉଛି ତାହାର ଜାତୀୟ ସଂହତିର ପ୍ରତୀକ । ଏ ଦେଶରେ ବହୁ ଭାଷାଭାଷୀ, ନାନା ଧର୍ମର ଲୋକେ ମିଳିମିଶି ଚଳିଲେ ଦେଶର ଭବିଷ୍ୟତ ଉଜ୍ଜଳ ହେବ । ସତେଯେପରି ଏହି ଭାବନା ଆମର ତ୍ରିରଙ୍ଗ ପତାକା ପ୍ରଚାର କରୁଅଛି । “ଆମ ଜାତୀୟ ପତାକା’’ କବିତାରେ ସେ ଲେଖିଥିଲେ-

 

“ପବନ ଲହରେ ନାଚଇ

ଆମ ତ୍ରିରଙ୍ଗ ବାନା,

ତିନିରଙ୍ଗ ଧରି ନଚାଏ

ଆମ ଘରକରଣା ।

ଲାଲରଙ୍ଗେ ହିନ୍ଦୁ, ଶାଗୁଆ

ରଙ୍ଗେ ମୁସଲମାନ

ଏକାକାର ପୁଣି ଧଳାରେ

ସବୁ ବର୍ଣ୍ଣ ଧରମ ।

ଉଡ଼ରେ ପତାକା ଉଡ଼ତୁ

ଉଚ୍ଚ ପବନେ ଖେଳି

ରହୁ ଏ ଭାରତ ଜଗତେ

ତୋଳି ଉଚ୍ଚ ମଉଳି ।”

 

ଆମ ଦେଶରେ ଅଧିକାଂଶ ଲୋକ ଗାଁ ଗହଳିରେ ବାସ କରନ୍ତି । ସେଠାରେ ଚାଷୀପୁଅ କଷ୍ଟ ସହି ଫସଲ ଅମଳ କରେ ଏବଂ ଦେଶବାସୀଙ୍କୁ ଖାଦ୍ୟ ଯୋଗାଇଥାଏ । ତା’ର ଜୀବନ ସଂଗ୍ରାମ ଅତ୍ୟନ୍ତ ଜଟିଳ । ମହାଜନ ପାଉଣା, ସେବା ବରତନ, ବାକି ମୂଲ ଲଗୁତି, ବେଭାର, ଦାନ-ଦକ୍ଷିଣା, ବାହାଘର, ପିଲାଙ୍କ ପାଠପଢ଼ା- ସବୁ ସେ କରେ ଅମଳ ଫସଲରୁ । ତେଣୁ ତାକୁ ଶୋଚନା ଦେବା ମହାପାପ ।

 

-‘ଚଷାର ପରମ ଭାଗ୍ୟ,

ନିତି ଲାଗି ଥାଏ ସେ

ଉପୁଜାଏ ଧାନ ସେହୁ,

ନିଏ କେତେ କିଏ ସେ ।

ତାହାରି ବଣ୍ଟାରେ ଭୁଞ୍ଜେ

ସୁଖଶାନ୍ତି ଏ ମହୀ,

ତାହାରି କରମ ଫଳେ

ରାଜ୍ୟଲକ୍ଷ୍ମୀ ହସଇ ।”

 

ଗାଁ ଦାଣ୍ଡର ସାପୁଆକେଳା, ଆକାଶର ପୁନିଅଁ ଜନ୍ମ, ଗାଁ ଦାଣ୍ଡର ନେତ ଗାଈ, ଝାଟିମାଟି କାନ୍ଥର ଘର, ଗାଁର ନଈ ପ୍ରଭୃତି ତାଙ୍କର ଶିଶୁ କବିତାର ପ୍ରାଣଧର୍ମ । ପିଲାମାନଙ୍କୁ ପଲ୍ଲୀପ୍ରାଣ ହେବାପାଇଁ ସେ ଏଥିରେ ଉଦ୍ୟମ କରିଛନ୍ତି । ‘ଜହ୍ନମାମୁଁ’ କବିତାରେ କବି ନୀଳକଣ୍ଠ ଶିଶୁମାନଙ୍କର ମନରେ ପ୍ରାକୃତିକ ଐଶ୍ଵର୍ଯ୍ୟର ବର୍ଣ୍ଣିଳ ସୁଷମା ଆଙ୍କି ଦେଇଛନ୍ତି ।

 

“କୁଆଁର ପୁନିଅଁ ଜହ୍ନ       କେଡ଼େ ସୁନ୍ଦର

ମଜା ରୂପାଥାଳି ଜହ୍ନ       ମାମୁଁଟି ମୋର ।

ନାହିଁ ଝଡ଼,      ଘଡ଼ଘଡ଼ି

ନାହିଁ ଆଉ       ନଈବଢ଼ି,

ଫିଟିଅଛି ବାଟଘାଟ      ପାଣି ନିର୍ମଳ

କୁଆଁର ପୁନିଅଁ ଜହ୍ନ       କେଡ଼େ ସୁନ୍ଦର ।”

 

ଶିକ୍ଷାବିତ୍ ଭାବରେ ସେ ସମଗ୍ର ଜୀବନକାଳ ଅତିବାହିତ କରିଯାଇଛନ୍ତି । ଓଡ଼ିଶାର ପ୍ରଥମ କଂଗ୍ରେସ ମନ୍ତ୍ରୀମଣ୍ଡଳ ସମୟରେ ୧୯୩୭ ସାଲରେ ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଷୟରେ ବିଚାର କରିବାପାଇଁ ସରକାର ଯେଉଁ କମିଟି ଗଠନ କରିଥିଲେ, ତାହାର ସଭାପତି ଥିଲେ ନୀଳକଣ୍ଠ । ଏହି କମିଟିର ସୁପାରିଶ କ୍ରମେ ଦ୍ୱିତୀୟ ମହାଯୁଦ୍ଧ ସମୟରେ ପାରଳାରାଜାଙ୍କ ମିଳିତ ମନ୍ତ୍ରିମଣ୍ଡଳ ସମୟରେ ୧୯୪୩ରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ପଣ୍ଡିତ ନୀଳକଣ୍ଠ କିଛି କାଳପାଇଁ ଏହି ବିଶ୍ୱବିଦ୍ୟାଳୟର ଉପ-କୁଳାଧିପତି ଭାବରେ କାର୍ଯ୍ୟ କରିଥିଲେ ।

 

ସତ୍ୟାଗ୍ରହୀ ଓ ବ୍ୟବସ୍ଥାପକ :

ଗୋପବନ୍ଧୁଙ୍କ ଆହ୍ୱାନ କ୍ରମେ ନୀଳକଣ୍ଠ ଦେଶସେବାର ବ୍ରତ ଗ୍ରହଣ କରିଥିଲେ । ଅସହଯୋଗ ଆନ୍ଦୋଳନରେ ଝାସ ଦେବା ଯୋଗୁଁ ସତ୍ୟବାଦୀ ବନବିଦ୍ୟାଳୟର କର୍ମୀଗଣ ଜେଲ ବରଣ କଲେ । ଗାନ୍ଧିଜୀଙ୍କ ଆହ୍ୱାନ କ୍ରମେ ନୀଳକଣ୍ଠ ବହୁବର୍ଷ ଜେଲ ଜୀବନ କଟାଇଥିଲେ । ଗୋପବନ୍ଧୁଙ୍କ ଅକାଳ ମୃତ୍ୟୁ ପରେ ଓଡ଼ିଶାରେ କଂଗ୍ରେସ ସଂଗଠନର ଦାୟିତ୍ୱ ପଡ଼ିଲା ନୀଳକଣ୍ଠଙ୍କ ଉପରେ । କଂଗ୍ରେସ ଦଳ ମଧ୍ୟରେ ସେ ଥିଲେ ପରିବର୍ତ୍ତନବାଦୀ ଗୋଷ୍ଠୀର ସର୍ବମାନ୍ୟ ନେତା । ଏଥିପାଇଁ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସ୍ୱରାଜ୍ୟ ଦଳରେ ଯୋଗଦେଇ ୧୯୨୪ ଠାରୁ ୧୯୩୦ ପର୍ଯ୍ୟନ୍ତ କେନ୍ଦ୍ର ଆସେମ୍ବ୍ଳିର ବରେଣ୍ୟ ସଭ୍ୟ ହିସାବରେ କାର୍ଯ୍ୟ କରିଥିଲେ । ୧୯୩୪ ସାଲରେ ପୁନର୍ବାର କେନ୍ଦ୍ର ଆସେମ୍ବ୍ଳିକୁ ନିର୍ବାଚିତ ହୋଇ ଦ୍ୱିତୀୟ ମହାଯୁଦ୍ଧ ଶେଷକାଳ ପର୍ଯ୍ୟନ୍ତ ସଭ୍ୟପଦରେ ଅଧ୍ୟଷିତ ହୋଇଥିଲେ । ଏହି ସମୟକାଳ ମଧ୍ୟରେ ସେ ବ୍ୟବସ୍ଥାପକ ଦଳର ସଂପାଦକ ଦାୟିତ୍ଵ ମଧ୍ୟ ତୁଲାଇଥିଲେ ଯେତେବେଳେ ଦଳର ନେତା ଥିଲେ ପଣ୍ଡିତ ମୋତିଲାଲ ନେହେରୁ ଏବଂ ବୁଲାଭାଇ ଦେଶାଇ ।

 

୧୯୩୬ ସାଲ ଏପ୍ରିଲ୍ ପହିଲା ଦିନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲା । ଓଡ଼ିଶା ପ୍ରଦେଶର ବ୍ୟବସ୍ଥାସଭା ପାଇଁ ସର୍ବପ୍ରଥମ ନିର୍ବାଚନରେ କଂଗ୍ରେସ ଦଳ ନୀଳକଣ୍ଠଙ୍କ ନେତୃତ୍ୱରେ ବିଜୟୀ ହେଲେ । ଦ୍ଵିତୀୟ ମହାଯୁଦ୍ଧ କାଳରେ କଂଗ୍ରେସ ସହିତ ତାଙ୍କର ମତଭେଦ ହେଲା । ସୁଭାଷ ବୋଷଙ୍କୁ ସମର୍ଥନ କରିବା ଯୋଗୁଁ । ତେବେ ପଣ୍ଡିତ ନେହେରୁଙ୍କ ଅନୁରୋଧ କ୍ରମେ ନୀଳକଣ୍ଠ ପୁନର୍ବାର କଂଗ୍ରେସରେ ଯୋଗ ଦେଇ ୧୯୫୫ ମେ ମାସରୁ ସଭ୍ୟ ହେଲେ । କଂଗ୍ରେସରେ ଯୋଗଦେବା ପୂର୍ବରୁ ୧୯୫୨ ମସିହାରେ ସ୍ୱାଧୀନ ଜନସଂଘ ଦଳର ପ୍ରାର୍ଥୀ ଭାବରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ କଂଗ୍ରେସରେ ଯୋଗ ଦେବାପରେ ୧୯୫୭ ନିର୍ବାଚନ ପରେ ସେ ହେଲେ ଓଡ଼ିଶା ବିଧାନସଭାର ବାଚସ୍ପତି । ଦୀର୍ଘକାଳର ରାଜନୈତିକ ଜୀବନ ମଧ୍ୟରେ ସେ ଯେଉଁ ପଦରେ ଥାଆନ୍ତୁ ନା କାହିଁକି, ନିଜର ବ୍ୟକ୍ତିତ୍ୱ ବଳରେ ସର୍ବଦା ବାରି ହୋଇ ପଡ଼ୁଥିଲେ ।

 

ଭାଷାବିତ୍ ନୀଳକଣ୍ଠ :

ପଣ୍ଡିତଜୀ ୧୯୬୭ ମସିହା ନଭେମ୍ବର ୬ ତାରିଖ ଦିନ ଇହଲୀଳା ସମ୍ବରଣ କଲେ । ତାଙ୍କର ମୃତ୍ୟୁରେ ଅଭିଭୂତ ହୋଇ ପଣ୍ଡିତ ଜବାହାରଲାଲ ନେହେରୁ କହିଥିଲେ- “For half a century, Pandit Nilakantha Das has played a dominant role in Orissa in the field of Politics as well as that of literature’’. ସେ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ମହାରଥୀ ଥିଲେ ଏବଂ କଂଗ୍ରେସ ଦଳର ସଂଚାଳକ ଥିଲେ ବହୁକାଳ ପର୍ଯ୍ୟନ୍ତ । ତାଙ୍କର ଦେଶସେବା ପରି ପାଣ୍ଡିତ୍ୟର ପରିପ୍ରକାଶ ମଧ୍ୟ ଥିଲା ଏକ ଉଜ୍ୱଳ ଅଧ୍ୟାୟ । ସାହିତ୍ୟ କ୍ଷେତ୍ରରେ ତାଙ୍କର କୃତି ତାଙ୍କୁ ବହୁକାଳ ପର୍ଯ୍ୟନ୍ତ ସ୍ମରଣୀୟ କରି ରଖିବ । କବି ମାୟାଧର ମାନସିଂହ “କୋଣାର୍କେ” କାବ୍ୟର ମୁଖବନ୍ଧ ଲେଖି ଯଥାର୍ଥରେ କହିଥିଲେ- ରାଜନୀତିର ନୀଳକଣ୍ଠ ହୁଏତ କାଲି ଧୂଳି ମାଟିରେ ମିଶିଯିବେ । ମାତ୍ର ‘କୋଣା‌ର୍କେ’ର ନୀଳକଣ୍ଠ ଅମର ହୋଇ ରହିବେ । ନୀଳକଣ୍ଠ ଶିକ୍ଷକ ଭାବରେ ଜୀବନ ଆରମ୍ଭ କରିଥିଲେ । ସେ ଥିଲେ ଜଣେ ପ୍ରବୀଣ ସଂସ୍କାରକ ଆମର ସମାଜ ଓ ସାହିତ୍ୟ କ୍ଷେତ୍ରରେ । ଓଡ଼ିଆ ଭାଷାର ସଂସ୍କାର ପାଇଁ ସେ ପ୍ରଥମେ ମୌଳିକ ଚିନ୍ତା କରି ବହୁ ପ୍ରବନ୍ଧ ପ୍ରକାଶ କରିଥିଲେ । ୧୯୧୭ ମସିହାରେ ନୀଳକଣ୍ଠଙ୍କର “ସତ୍ୟବାଦୀ’’ ମାସିକ ପତ୍ରରେ ‘ଓଡ଼ିଆ ବର୍ଣ୍ଣ ବିଚାରର ସଂକ୍ଷିପ୍ତ ସୂଚନା’ ପ୍ରବନ୍ଧ ପ୍ରକାଶିତ ହୋଇଥିଲା । ପଣ୍ଡିତ ଗୋପୀନାଥ ନନ୍ଦଙ୍କ ‘ଓଡ଼ିଆ ଭାଷାତତ୍ତ୍ୱ’ର ଗ୍ରନ୍ଥ ପ୍ରବେଶ ଲେଖି ୧୯୨୭ ସାଲରେ ନୀଳକଣ୍ଠ ଚେତାବନୀ ଶୁଣାଇଥିଲେ- ‘‘ରଚନାରେ ବ୍ୟକ୍ତିତ୍ୱ ଭାଷାବିନ୍ୟାସରେ ଭାଷାର ବିଶେଷତ୍ଵ ଏବଂ ଭାବ ବିକାଶରେ ସେହି ଶିଳ୍ପର ସାର୍ବଜନୀନତା ପ୍ରକାଶିତ ହୁଏ । ଏହି ତିନୋଟି ଘେନି ଶିଳ୍ପ ସର୍ବାଙ୍ଗ ସୁନ୍ଦର ହୁଏ ସତ, ମାତ୍ର କୌଣସିଟିର ଆଧିକ୍ୟ ବା ଯଥେଚ୍ଛାଚାରିତା ଶିଳ୍ପର ସୌନ୍ଦର୍ଯ୍ୟ ନିମନ୍ତେ ସ୍କୃହଣୀୟ ନୁହେଁ । x x x x ଭାଷାର ସ୍ୱାତନ୍ତ୍ର୍ୟ ବଢ଼ାଇବାକୁ ଯାଇ ସାର୍ବଜନୀନତା ପ୍ରତି ଦୃଷ୍ଟି ନଦେଲେ ଭାଷା ଗ୍ରାମ୍ୟ ହୁଏ ଏବଂ ବରାବର ସାର୍ବଜନୀନତା ଦେଖିବାରେ ଆତ୍ମବିସ୍ମତ ହେଲେ ଭାଷା କୃତ୍ରିମ ହୁଏ । ଭାଷାତତ୍ତ୍ୱ ବିଚାରରେ ଏକଥା ପ୍ରତି ସମ୍ୟକ ଦୃଷ୍ଟି ଦେଇ ପଦେ ପଦେ ଅଗ୍ରସର ହେବାକୁ ହେବ । x x x x ଭାଷା ଚର୍ଚ୍ଚା ବିନା ଆଜିଠାରୁ ତିନିଶହ ବର୍ଷ ପରେ ଲୋକେ ବର୍ତ୍ତମାନର ସାହିତ୍ୟ ବୁଝିବେ ନାହିଁ । ସଭ୍ୟତାର ଭୂୟୋବିକାଶ ପକ୍ଷରେ ଏହା ଏକ ଘୋର ଅନ୍ତରାୟ । ପଣ୍ଡିତ ନୀଳକଣ୍ଠଙ୍କ ଭାଷାଚର୍ଚ୍ଚା ସଂପର୍କରେ ଅଧ୍ୟାପକ ଗୋଲକ ବିହାରୀ ଧଳଙ୍କର ମତ ଅତ୍ୟନ୍ତ ସ୍ମରଣୀୟ । ସେ ଲେଖିଥିଲେ- “ଆଜି ମଧ୍ୟ ପଣ୍ଡିତ ନୀଳକଣ୍ଠଙ୍କ ଭାଷାତତ୍ତ୍ୱ ପ୍ରବନ୍ଧ ପଢ଼ିଲେ ତାଙ୍କ ପ୍ରତି ମନରେ ସ୍ୱତଃ ଗଭୀର ଭକ୍ତି ଜାତ ହୁଏ । ପ୍ରକୃତରେ କେତେ ପୂର୍ବରୁ ଏ କ୍ଷେତ୍ରରେ ସେ ପ୍ରବେଶ କରିଥିଲେ ଓ କେତେ ପ୍ରାଞ୍ଜଳ ଭାବରେ ଅନେକ ମୌଳିକତତ୍ତ୍ୱ ସେ ଜାଣିଥିଲେ I X XXX ସଂସ୍କୃତ, ପ୍ରାକୃତ ଓ ଓଡ଼ିଆର ସମ୍ପର୍କ, ଧ୍ୱନି ଓ ଅକ୍ଷର, ହ୍ରସ୍ୱ ଓ ଦୀର୍ଘ ଭାଷା ଓ ଉପଭାଷା ସମ୍ପର୍କରେ ତାଙ୍କର ଚିନ୍ତା ଏତେ ସ୍ପଷ୍ଟ ଓ ଏତେ ଆଧୁନିକ ଯେ ଭାବିଲେ ବିସ୍ମିତ ହେବାକୁ ପଡ଼େ ।

(ସମାଜ -୨୮-୧-୧୯୬୮/ ଭାଷାବିତ୍ ନୀଳକଣ୍ଠ)

 

ସାହିତ୍ୟ ସମାଲୋଚନାର ନୂତନ ଧାର :

ସତ୍ୟବାଦୀ ସାହିତ୍ୟିକ-ଗୋଷ୍ଠୀ ଆଧୁନିକ ଓଡ଼ିଆ ସାହିତ୍ୟରେ ଷ୍ଟାଣ୍ଡାର୍ଡ଼ ଓଡ଼ିଆ ଗଦ୍ୟ ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା ଥିଲେ । ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଓ ସମାଲୋଚନା ସାହିତ୍ୟକୁ ସତ୍ୟବାଦୀ ମାସିକ ପତ୍ରର ଦାନ ଅତୁଳନୀୟ । ପଣ୍ଡିତ ନୀଳକଣ୍ଡ କେବଳ ଜଣେ ଶକ୍ତିଶାଳୀ କବି ନଥିଲେ, ଜଣେ ମୌଳିକ ଓ ପ୍ରଭାବଶାଳୀ ଗଦ୍ୟସ୍ରଷ୍ଟା ଥିଲେ । ତାଙ୍କର ବିଚାର ଆଲୋଚନା ଏବଂ ଗଦ୍ୟଶୈଳୀର ସ୍ୱାତନ୍ତ୍ର୍ୟ ବାରି ହୋଇ ପଡ଼ିଥାଏ । କବି ରାଧାନାଥ ରାୟଙ୍କ ମୃତ୍ୟୁରେ ୧୯୦୮ ସାଲର ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ରାଧାନାଥଙ୍କ ସଂପର୍କରେ ଲେଖା ନୀଳକଣ୍ଠଙ୍କର ପ୍ରଥମ ସମାଲୋଚନା । ତା’ ପରେ ବନବିଦ୍ୟାଳୟର ଶିକ୍ଷକତା କାଳରେ ସେ ଲେଖିଲେ ‘ଲାବଣ୍ୟବତୀ’ ଏବଂ ‘ଫକୀରମୋହନ ଓ ଓଡ଼ିଆ ଉପନ୍ୟାସ’ ଆଲୋଚନା । ୧୯୨୭ ସାଲରେ ଗୋପୀନାଥ ନନ୍ଦଙ୍କ ଓଡ଼ିଆ ଭାଷାତତ୍ତ୍ଵ ପୁସ୍ତକରେ ସୁଦୀର୍ଘ ଗ୍ରନ୍ଥ ପ୍ରବେଶ ତାଙ୍କର ମୌଳିକ ବିଚାରଧାରା ଓ ବିଷୟ ବିନ୍ୟାସର ପରିଚୟ ପ୍ରଦାନ କରିଥାଏ । ‘ଓଡ଼ିଆ ସାହିତ୍ୟର କ୍ରମ ପରିଣାମ' ଓ ‘ଓଡ଼ିଆ ଭାଷା ଓ ସାହିତ୍ୟ’ ଗ୍ରନ୍ଥ ତାଙ୍କର ମୌଳିକ ସମୀକ୍ଷା ରୀତିର ଉତ୍କୃଷ୍ଟ ପ୍ରମାଣ । ମୁକୁର, ସତ୍ୟବାଦୀ ଓ ନବଭାରତ ମାସିକ ସାହିତ୍ୟ ପତ୍ରରେ ନୀଳକଣ୍ଠ ରାଶି ରାଶି ପ୍ରବନ୍ଧ ଓ ସମାଲୋଚନା ଲେଖିଯାଇ ଅଛନ୍ତି । ତାଙ୍କର ‘ଆର୍ଯ୍ୟଜୀବନ’ରେ ପ୍ରାଚୀନ ଆର୍ଯ୍ୟ ସଂସ୍କୃତିର ମୌଳିକ ବିଶ୍ଳେଷଣ ଅତ୍ୟନ୍ତ ଉଲ୍ଲେଖନୀୟ ।

 

ନୀଳକଣ୍ଠ କର୍ମଜୀବନର ପ୍ରାରମ୍ଭରୁ ଥିଲେ ସଂସ୍କାର ପ୍ରାଣ । ଲେଖାରେ ଓ ଆଚରଣରେ ସେ ସଂସ୍କାର ଭାବନାକୁ ଉଜ୍ଜୀବିତ କରି ରଖିଥିଲେ । ଏହି ପ୍ରସଙ୍ଗରେ ତାଙ୍କ ଲିଖିତ ‘ମୋ ନିଶ’, ନିଶ, ‘ତନ୍ତ୍ର ଉପାସନା’, ସମ୍ବନ୍ଧରେ ଦୁଇ ଏକ କଥା, ‘ଅଛୁ ଓ ହେବୁ’, ଏବଂ ‘ପ୍ରତିମା ପୂଜା ଓ ପ୍ରତିଭା ପୂଜା’ ପ୍ରଭୃତି ସଂସ୍କାରମୂଳକ ରଚନାରେ ଶାଣିତ ବ୍ୟଙ୍ଗ ଅତ୍ୟନ୍ତ ଉପଭୋଗ୍ୟ ଏବଂ ପ୍ରଭାବଶାଳୀ । ରକ୍ଷଣଶୀଳ ବ୍ରାହ୍ମଣମାନଙ୍କୁ ସେ ଥଟ୍ଟା କରି ଲେଖିଥିଲେ-

 

“ଓ ଗଲା ବୁଡ଼ି ସବୁ

କଟା ଦାଢ଼ି ନିଶେସିନା

ବ୍ରାହ୍ମଣ ଧର୍ମ ସମ୍ପଦଃ

କୁଳାଚାର କୁଳ କ୍ରିୟା

ଓଁ ଇତି (ଗ୍ରାୟତ୍ରୀ ଛାନ୍ଦସ୍ୟ)

 

“ଆମର ଥିଲା, କାରଣ ଥାଇପାରେ” ପ୍ରବନ୍ଧରେ ନୀଳକଣ୍ଠ ଯୁଗଯୁଗର ଅନ୍ଧଭାବନା ଦୂର କରି ଏକ ସ୍ୱଚ୍ଛ ସମାଜ ଗଠନର ପରିକଳ୍ପନା କରିଅଛନ୍ତି । ‘ଜାତୀୟତାର ଭିତ୍ତିଭୂମି’ ପ୍ରବନ୍ଧରେ ଲେଖକ ଜାତୀୟ ଜୀବନକୁ ପୁଷ୍ଟ କରି ଭାଷା ସାହିତ୍ୟର ଉନ୍ନତି ସକାଶେ ଆହ୍ୱାନ ଜଣାଇଛନ୍ତି ।

 

ନୀଳକଣ୍ଡ ଥିଲେ ଯୌବନର ପୂଜାରୀ । ତାଙ୍କ ଲିଖିତ ‘ଯୌବନର ପ୍ରଭାବ ଓ ପ୍ରତିଷ୍ଠା ପ୍ରବନ୍ଧ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇପାରେ । ସଂସ୍କାରପ୍ରାଣ ନୀଳକଣ୍ଠ ତାଙ୍କର କେତେକ ପ୍ରବନ୍ଧରେ ଶିକ୍ଷା ଓ ଧର୍ମାନୁଷ୍ଠାନର କଠୋର ସମାଲୋଚନା କରିଥିବା ଜଣାଯାଏ । ବୈଷ୍ଣବ ଧର୍ମ ବିଷୟକ ଆଲୋଚନା ଓ ଗୀତାର ଦୀର୍ଘ ମୁଖବନ୍ଧରେ ଭାକ୍ତିକ ମିଥ୍ୟା ବିଷୟରେ ତାଙ୍କର କଟାକ୍ଷ ଅତ୍ୟନ୍ତ ପ୍ରଣିଧାନ ଯୋଗ୍ୟ । ପ୍ରବନ୍ଧ ଓ ସମାଲୋଚନାରେ ନୀଳକଣ୍ଠଙ୍କ ପାଣ୍ଡିତ୍ୟ ଏବଂ ମୌଳିକ ବିଚାର ପାଠକକୁ ମୁଗ୍ଧ କରିଥାଏ ।

 

ଅନୁବାଦକ ନୀଳକଣ୍ଠ :

କାବ୍ୟ ସାଧନାର ଉଷାକାଳରେ ନୀଳକଣ୍ଠ ପ୍ରଥମେ ଇଂରେଜ କବି ଟେନିସନଙ୍କର ‘ପ୍ରିନ୍ସେସ୍’ କାବ୍ୟର ଅନୁବାଦ କରିଥିଲେ ୧୯୧୯ ଖ୍ରୀଷ୍ଟାବ୍ଦରେ । ଏହି ଅନୁବାଦର କିଛି ଅଂଶ ‘ମୁକୁର’ ମାସିକ ପତ୍ରରେ ପ୍ରକାଶିତ ହେଲେହେଁ ପରେ “ସତ୍ୟବାଦୀ’ ମାସିକ ପତ୍ରରେ ଧାରାବାହିକ ଭାବେ ଆତ୍ମପ୍ରକାଶ କରିଥିଲା । ଟେନିସନ ବିଲାତର ନାରୀ ଆନ୍ଦୋଳନକୁ ଉପଲକ୍ଷ୍ୟ କରି ଏହି କାବ୍ୟଟି ରଚନା କରିଥିବା ଜଣାଯାଏ, ସଂସ୍କାରପ୍ରାଣ ନୀଳକଣ୍ଠଙ୍କୁ ତାହା ଅନୁପ୍ରାଣିତ କରିଥିଲା । ତେଣୁ ସଂପୂର୍ଣ୍ଣ ଭାରତୀୟ ରୂପ ପ୍ରଦାନ କରି ଏହି ଇଂରେଜୀ କାବ୍ୟଟି ଓଡ଼ିଶାର ପାଠକମାନଙ୍କୁ ଉପହାର ଦେଇଥିଲେ । ସତ୍ୟବାଦୀ ପଞ୍ଚମଖଣ୍ଡ ତୃତୀୟ ଚତୁର୍ଥ ସଂଖ୍ୟାରେ ‘‘ପ୍ରିନ୍‍ସେସ୍’’ର ଅନୁବାଦ ‘ପ୍ରଣୟିନୀ’ କାବ୍ୟର ପ୍ରଥମ ସର୍ଗ ପ୍ରକାଶିତ ହୋଇଥିଲା । କାବ୍ୟର ନାୟକ ଇଂରେଜ ରାଜକୁମାରଙ୍କୁ କବି ଭାରତୀୟ ରୂପ ଦେବାପାଇଁ ହିମାଳୟ ଉପକଣ୍ଠର କୌଣସି ରାଜ୍ୟର ରାଜକୁମାର ବୋଲି କଳ୍ପନା କରିଥିଲେ । ଏହି କାବ୍ୟର ରାଜକୁମାରଙ୍କର ସ୍ୱପ୍ନହେଲା –

 

“ସବୁଠାରେ ସମହେବେ ନରସଙ୍ଗେ ନାରୀ

ରନ୍ଧନଶାଳାରେ ଦୁହେଁ, ଦୁହେଁ ମନ୍ତ୍ରଣାରେ,

ଜଟିଳ-ସଂସାର-କର୍ମ ଦୁହେଁ, ଦୁହେଁ ତୁଲ

ହେବେ ସେ ଉଦାର ଧର୍ମ ଜ୍ଞାନ ବ୍ୟବସାୟେ

ଗୋଟିକ ବଦଳେ ଦୁଇ ସୂତ୍ର ଲମ୍ବି –ଧାତୁ

ବିଜ୍ଞାନ ସାଙ୍ଗରେ ପୁଣି ଗଭୀର ଦର୍ଶନେ

ପଡ଼ିବେ ଅତଳ ଜଳେ ; କଳିବେ ତା ଗର୍ଭ

ସଂଗୀତର ଚାରୁ ଶିଳ୍ପ, ଚିତ୍ରଣ ଖୋଦନ

ସାହିତ୍ୟର ଆଲୋଚନା, କେତେ ଏହିପରି । ’’

 

ନୀଳକଣ୍ଠଙ୍କର ଦ୍ୱିତୀୟ ଅନୁବାଦ କାବ୍ୟ ହେଉଛି ‘ଦାସନାଏକ’ । ଏହି କାବ୍ୟଟି ଟେନିସନଙ୍କର ‘ଏନକ ଆଡ଼େନ' କାବ୍ୟର ଅନୁବାଦ । ଏହା ପ୍ରକାଶିତ ହୋଇଥିଲା ୧୯୨୩ ସାଲରେ । ବିମଳ ପ୍ରେମାନୁଭୂତି ଓ ଆତ୍ମତ୍ୟାଗର କାହାଣୀ ଏହି କାବ୍ୟର କଥାବସ୍ତୁ । ସୁନ୍ଦର ସରଳ ପଦବିନ୍ୟାସ ମଧ୍ୟରେ ମାନବିକ ଆବେଗ ପ୍ରକାଶିତ ହୋଇଅଛି । ଆଲୋଚ୍ୟ କାବ୍ୟର ଭୂମିକାରେ ନୀଳକଣ୍ଠ ଲେଖିଥିଲେ– ‘‘ସାଧାରଣ ଲୋକେ ବୁଝିବାଭଳି ଭାଷା ତଥା ଭାବରେ କାବ୍ୟ ଏବେ ଲେଖି ହେବ କିନା, ଏକଥା ବହୁ ଦିନରୁ ବିଚାରୁଥିଲି । ସେଥିପାଇଁ ସାଧାରଣ ଘରୋଇ ଭାଷାରେ ଏହାକୁ ଲେଖିଛି । ଘରୋଇ ଭାଷାରେ ଚଳୁଥିବା ଶବ୍ଦର ସଂଖ୍ୟା ଏବେ ମଧ୍ୟ ଅଳ୍ପ । ସେ ଅଳ୍ପତା ବ୍ୟବହାରର ପ୍ରାସଙ୍ଗିକ ମାଧୁର୍ଯ୍ୟରେ କିପରି ଆଚ୍ଛାଦିତ ହୋଇ ପାରିଛି, ତାହା ପାଠକମାନେ ଦେଖିବେ ।’’

 

ନୀଳକଣ୍ଠଙ୍କ ସାବଲୀଳ ଅନୁବାଦର ଏକ ଉଦାହରଣ ଏହିପରି-

 

‘କାନ୍ଦିଲା ସେ ମେଲା

କାନ୍ଦିଲା ଝିଅଟି

କାନ୍ଦି ପକାଇଲା କୋଳେ ପୁଅ

କି ବୁଝନ୍ତି ସେହୁ ବାଳକ ବାଳିକା

ମାଆକୁ ଦେଖି ସେ କଲେ କୋହ ।’’

 

ଐତିହାସିକ କାବ୍ୟ “ଖାରବେଳ’’ ଓ ‘କୋଣାର୍କେ’ :

ମନେହୁଏ କବି ରାଧାନାଥ ଐତିହାସିକ କାବ୍ୟ ରଚନା ନାମରେ ଓଡ଼ିଶାର ଇତିହାସକୁ ଯେଉଁପରି ବିକୃତ ଭାବରେ ଚିତ୍ରଣ କରିଗଲେ, ନୀଳକଣ୍ଠଙ୍କର “ଖାରବେଳ, ଓ “କୋଣାର୍କେ’’ କାବ୍ୟ ତାହାର ତୀବ୍ର ପ୍ରତିବାଦ । ଓଡ଼ିଶାର ଇତିହାସରେ ବିମଳ ତ୍ୟାଗଦୀପ୍ତ ଆଦର୍ଶ ପ୍ରେମାନୁରାଗର କାହାଣୀ ଥାଉଁଥାଉଁ ରାଧାନାଥ ଯେ କାହିଁକି, ଇତିହାସ ନାମରେ କିଛି କଳଙ୍କିତ କଥାବସ୍ତୁକୁ ମାଧ୍ୟମ କରି କାବ୍ୟଚନା କଲେ, ତାହାର କାରଣ ବୁଝି ହୁଏ ନାହିଁ । ସେଥିପାଇଁ ବୋଧହୁଏ ‘କୋଣାର୍କେ’ କାବ୍ୟରେ ନୀଳକଣ୍ଠ ଲେଖିଥିଲେ –

 

‘‘କବି ରାଧାନାଥ ଆସିବେ କି ସେ ଯଯାତି- ପାଶେ ?

ରାଣୀସନେ ସେ କି ହସିବେ ବିବ୍ୟାସୁନ୍ଦର-ହାସେ ?

+ + + + +

କବିଙ୍କ କେଦାର ଗଉରୀ ଆସି ଯବନ ଦେଶୁ

ନାଚିଯିବେ ତିଳେ ସ୍ୱପନେ ତବ ଅଭ୍ୟାସ ବଶୁ

ସୁବର୍ଣ୍ଣ-ଦୁହିତା ବରିବେ ଚୋରଗଙ୍ଗ-ରାଜନ

କେରଳ-ମହଲେ ଉତ୍କଳ-ଭେରୀ ଶୁଭିବ ପୁଣ ।

ଘରଛାଡ଼ି କିମ୍ପା ଯିବେ ସେ ବୀରବାଳା ନନ୍ଦିକା,

ସହକାର ଦ୍ରୁମ-ଗହଳେ ଭେଦି କ୍ଷୀଣ ଚନ୍ଦ୍ରିକା ।

କଉସୁଲାଗଙ୍ଗ ଧଉଳି ଏହି ନୟନେ ନାଚେ,

କବିକି ସୁମରି ବିରାଗେ ମୁଖ ଫେରାଅ ପଛେ ।”

 

ଖାରବେଳ କାବ୍ୟରେ କଳିଙ୍ଗ ସମ୍ରାଟ ଖାରବେଳ ଓ ସୁଦୂର ସିନ୍ଧୁ ରାଜ୍ୟ ଦୁହିତା ଧୂସୀଙ୍କର ପ୍ରେମ ଓ ପରିଣୟର କାହାଣୀ ଉପଜୀବ୍ୟ କଥାବସ୍ତୁ । ପ୍ରାଚୀନ ଉତ୍କଳର ଗୌରବମୟ ଅଭିଯାନର କାହାଣୀ ସହିତ ଆଦର୍ଶ ବିମଳ ପରିଣୟ ଲୀଳା ପ୍ରତିପାଦନ କରିବା ଥିଲା କବିଙ୍କର ମୁଖ୍ୟ ଉଦ୍ଦେଶ୍ୟ । ତେବେ କବିକଳ୍ପନା ସମ୍ପୂର୍ଣ ଭାବରେ ଏହି କାବ୍ୟରେ ସାର୍ଥକତା ଲାଭ କରିପାରି ନାହିଁ ।

 

ଆଧୁନିକ ଓଡ଼ିଆ ସାହିତ୍ୟରେ ‘କୋଣାର୍କେ’ ବୋଧହୁଏ ସର୍ବଶେଷ ସାର୍ଥକ କାବ୍ୟ । କାବ୍ୟିକ ଶିଳ୍ପ-ସୌଷ୍ଠବ ଦୃଷ୍ଟିରୁ ଏହି କାବ୍ୟ ଅତୁଳନୀୟ । ଏହାର ବର୍ଣନାଭଙ୍ଗୀ, ପରିବେଷଣ ପରିପାଟୀ ଅଳଙ୍କାର ବିନ୍ୟାସ ଓ ବିଷୟର ଅବତାରଣା ଅତ୍ୟନ୍ତ ଅନନ୍ୟସାଧାରଣ । କବି ନୀଳକଣ୍ଠଙ୍କର ମହାନ୍ ବ୍ୟକ୍ତିତ୍ୱର ଅନବଦ୍ୟ ନିଦର୍ଶନ ହେଉଛି କୋଣାର୍କେ କାବ୍ୟ ।

 

୧୯୧୭ ମସିହାରେ କବି ନୀଳକଣ୍ଠ ସତ୍ୟବାଦୀ ବିଦ୍ୟାଳୟର ଛାତ୍ରମାନଙ୍କ ଗହଣରେ କୋଣାର୍କ ପରିଦର୍ଶନ କରିଥିଲେ । ଏହି ଘଟଣାର ଦୁଇବର୍ଷରେ କବି ରଚନା କଲେ ‘କୋଣାର୍କେ’ କାବ୍ୟ ୧୯୧୯ ମସିହାରେ । କୋଣାର୍କେ କାବ୍ୟରେ ଜାତୀୟ ଇତିହାସର ଗୌରବାବହ କାହାଣୀ ସହିତ ଆଦର୍ଶ ପ୍ରେମାନୁଭୂତିର କାହାଣୀ ବର୍ଣ୍ଣିତ ହୋଇଅଛି । ଏଥିରେ ସରଳ ସୁଶ୍ରାବ୍ୟ ପଦାବଳୀ ସହିତ ଭାବର ଗାମ୍ଭୀର୍ଯ୍ୟ ରକ୍ଷାପାଇଁ ପାଣ୍ଡିତ୍ୟପୂର୍ଣ୍ଣ ଶୈଳୀର ଆଶ୍ରୟ ଗ୍ରହଣ କରାଯାଇଛି । ଉଦାହରଣ ସ୍ୱରୂପ ନୀଳକଣ୍ଠଙ୍କ ସାବଲୀଳ ଶୈଳୀର ନମୁନା ଏହିପରି-

 

“ଆଜି ଯେ କୁଆଁର ପୁନିଅଁ, କେତେ ସୁଖଶରଧା ।

ମାଆ ଭଉଣୀଙ୍କ ଆଦର, ନବ ବସନ ପିନ୍ଧା ।

ମନେ ପଡୁ ନାହିଁ ବାବୁହେ ଲାଗିଯାଇଛି ନିଦ,

ମାଆଭଉଣୀଏ ଭବନେ ଭଜିଥିବେ ବିଷାଦ ।

ଲୁଗାରେ ହଳଦୀ ଲଗାଇ ଚାହିଁଥିବେ ଜନନୀ,

ପିଠାପଣା ଖାଉନଥିବ ସୁଖେ ଆଜି ଭଗିନୀ ।”

 

ନୀଳକଣ୍ଠଙ୍କ ସମୟ ଥିଲା ଜାତୀୟତା ଆନ୍ଦୋଳନର ଯୁଗ । ଜାତୀୟ ଜୀବନ ଗଠନରେ ପ୍ରାଚୀନ ଗୌରବମୟ ଇତିହାସକୁ ସ୍ମରଣ କରିବା ପାଇଁ ଲେଖକମାନେ ଆହ୍ୱାନ ଜଣାଉଥିଲେ । ଉତ୍କଳମଣି ଗୋପବନ୍ଧୁ କେତେ ଆନ୍ତରିକ ଭାବରେ ଗାଇଥିଲେ –

 

“ପୁଣ୍ୟ ଜନ୍ମମାଟି ପୁଣ୍ୟ ଦେବାଳୟ

ଉଦ୍ଧରିବାପାଇଁ କଲେ ତନୁକ୍ଷୟ ।

ମାନବଜନମ ହୁଅଇ ସଫଳ,

ଏ ମହାଦୀକ୍ଷାକି ବୁଝିବ ଉତ୍କଳ ।’

 

ତେଣୁ ନୀଳକଣ୍ଠଙ୍କ କାବ୍ୟରେ ଜାତୀୟଜୀବନର ଚିତ୍ର ପ୍ରତିଫଳିତ ହେବା ଅତ୍ୟନ୍ତ ସ୍ୱଭାବିକ । ‘କୋଣାର୍କ’ କୁ ଉପଲକ୍ଷ୍ୟ କରି କବି ନୀଳକଣ୍ଠ ଯେପରି ଉତ୍କଳର ଗୌରବମୟ ଇତିହାସ ବର୍ଣ୍ଣନା କରିଛନ୍ତି, ତାହା ଅତୁଳନୀୟ । ଏହି କାବ୍ୟରେ ଉତ୍କଳର ନୌବାଣିଜ୍ୟ ଚନ୍ଦ୍ରଭାଗାର ପୂର୍ବବିଭବ, ଚାରିତ୍ର ନଗରର ପୂର୍ବ ଇତିହାସ । କୋଣାର୍କ ମନ୍ଦିରର କଳାକୁଶଳତା, କଳାପାହାଡ଼ ଆକ୍ରମଣ ଏବଂ ବିଭିନ୍ନ ଯୁଗରେ ଉତ୍କଳ ଇତିହାସର ଗୌରବମୟ ପୃଷ୍ଠା ଉଦ୍‌ଘାଟନ କରାଯାଇଛି ତାଙ୍କରି ଭାଷାରେ-

 

କେଉଁରାଇଜରୁ ଆସୁଛୁ ?

କହ ବତାସି ମୋରେ

ଓଡ଼ିଆ ବୋଇତ ଖବର

କିଛି ଆଣିଛୁ କରେ ?

 

କଳ୍ପନା ନୟନରେ କବି ଅବଲୋକନ କରିଛନ୍ତି ଉତ୍କଳଗୌରବ ମହାରାଜା ଯଯାତିକ ଯାଜପୁର ଅଶ୍ୱମେଧଯଜ୍ଞ, ରାଜଧାନୀ ଚଉଦୁଆର ଓ ବିସ୍ତୃତ କଳିଙ୍ଗ ସାମ୍ରାଜ୍ୟ, ବାରବାଟୀ ଦୁର୍ଗର ବିଭବ ଏବଂ ଅତୀତ ଇତିହାସର ବହୁ ଯୁଗାନ୍ତକାରୀ ଘଟଣା । କଳ୍ପନା ନୟନରେ କବି ଦେଖି ପାରୁଥିଲେ ଯେଉଁଦିନ ଉତ୍କଳର ସାଧବପୁଅ ତାମ୍ରଲିପ୍ତ ବନ୍ଦରରୁ ବୋଇତ ଫେରାଇ ଯାଭା, ସୁମାତ୍ରା, ବୋର୍ଣ୍ଣିଓ, ସେଲିଭିସ୍, ଫିଲିପାଇନ୍ସ, ଚୀନ ପ୍ରଭୃତି ଅଞ୍ଚଳରେ ବାଣିଜ୍ୟ କରି ଦେଶକୁ ଅଜସ୍ର ଧନରତ୍ନ ବୋହି ଆଣୁଥିଲେ । ଏହି ପବିତ୍ର ଦେଶ କେବଳ ସ୍ଵାଧୀନ ନଥିଲା, ତେଜ, ବୀର୍ଯ୍ୟ, ଶୌର୍ଯ୍ୟ, କଳାକୁଶଳତା ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ପ୍ରଦାନ କରୁଥିଲା ।

 

ଏହା ସହିତ ଉତ୍କଳ ରାଜକୁମାର ନରସିଂହଙ୍କ ସହିତ ଶିଶୁପାଳଗଡ଼ ରାଜଜେମା ମାୟାଦେବୀଙ୍କର ଆଦର୍ଶ ପ୍ରଣୟ କାହାଣୀ କାବ୍ୟକୁ ମହିମାମଣ୍ଡିତ କରିଅଛି । ସେହି ପ୍ରଣୟଲୀଳାରେ ଦୈହିକ ସମ୍ଭୋଗ ବିଳାସର କୌଣସି ଆଭାସ ମାତ୍ର ନାହିଁ । ସେଥିପାଇଁ ବିବାହିତା ପତ୍ନୀ ରାଜମହିଷୀ ଜମ୍ମୁଜେମାଙ୍କ ନିକଟରେ ପ୍ରେମିକା ମାୟାଦେବୀ ପ୍ରାଣର ଉଚ୍ଛ୍ୱାସରେ କହିପାରିଛନ୍ତି –

 

‘‘ଆସିବେ ସେ ବୀର ଯାଇଛନ୍ତି କହି

ଆସଛି ସେ ନିତି, ଦେଖଇ ମୁହିଁ

ଅରୁଣତପନେ ଆସନ୍ତି ଅରୁଣେ

ବାରୁଣୀ-ତାମସେ କଳିମା ବହି ।

ରାବଇ କୋକିଳ ଡାକନ୍ତି ସେ ତହିଁ

ସମୀରଣେ ଛୁଇଁ ଯାଆନ୍ତି ମୋତେ,

ଏହି ପଲଙ୍କରେ ବସିଥିଲେ ସେହୁ

ସୁମରି, ମୁଁ ତହିଁ ପଡ଼ଇ କେତେ ।’’

 

ଏହି କାରଣରୁ ‘‘କୋଣାର୍କେ’’ ଏକ ଅଭିନବ ଅନବଦ୍ୟ ପ୍ରେମ-କାବ୍ୟ, ଜାତୀୟ ଜୀବନର ଅପୂର୍ବ ସ୍ମାରକୀ ।

 

ମନୀଷୀ ନୀଳକଣ୍ଠ :

ନୀଳକଣ୍ଠ ଥିଲେ ଆଜୀବନ ଜ୍ଞାନ-ରଙ୍କ । ତାଙ୍କର ରାଜନୈତିକ ବ୍ୟକ୍ତିତ୍ଵ ଏବଂ ଶାସ୍ତ୍ରୀୟ ପାଣ୍ଡିତ୍ୟ ନିକଟରେ ସମସ୍ତେ ନତମସ୍ତକ ହେଉଥିଲେ । ଏଭଳି ପ୍ରଜ୍ଞାବାନ୍ ଯଶୋବନ୍ତ ପୁରୁଷ କ୍ଵଚିତ୍ ଦେଖୁବାକୁ ମିଳନ୍ତି । ସେ ଥିଲେ ଏକାଧାରରେ ଜଣେ ରାଜନୀତିଜ୍ଞ, ଶିକ୍ଷାବିତ୍, ଦାର୍ଶନିକ ଓ ବଳିଷ୍ଠ ସାହିତ୍ୟିକ । ତାଙ୍କ ପରି ବିଧାୟକ, ସଂପାଦକ, ସଂଗଠକ ଓ ବକ୍ତାଙ୍କର ଆସନ ବହୁଦିନ ପର୍ଯ୍ୟନ୍ତ ଅପୂରଣୀୟ ରହିବ । ମି. ଦାସଙ୍କ ପରେ ନୀଳକଣ୍ଠ ଥିଲେ ସର୍ବଶ୍ରେଷ୍ଠ ପବ୍ଲିକମାନ ।

 

ଅବସରପ୍ରାପ୍ତ ଅଧ୍ୟକ୍ଷ,

କେନ୍ଦୁଝର କମ୍ପାଉଣ୍ଡ, କଟକ-୮

***

 

କବିବର ରାଧାନାଥଙ୍କ କାବ୍ୟରେ ଲୋକ-ତତ୍ତ୍ୱ

ବୈଷ୍ଣବ ଚରଣ ସାମଲ

 

ଆଧୁନିକ ଓଡ଼ିଆ କାବ୍ୟ କବିତାର ଆଦିସ୍ରଷ୍ଟା କବିବର ରାଧାନାଥ ରାୟ । ଓଡ଼ିଶାରେ ନବଜାଗରଣର ସେ ଆଦି ବାର୍ତ୍ତାବହ । ନୀରବତା ଭିତରେ ତାଙ୍କର ଜୀବନଚର୍ଯ୍ୟା ଓ କାବ୍ୟ-ସାଧନା । ନୀରବତା ଓ ନିକାଂଚନତା ପ୍ରତି ତାଙ୍କର ଅନ୍ତରର ମୁଗ୍ଧ ଅଭିନନ୍ଦନ । ମହୋତ୍ସବମୟ ଓ କୋଳାହଳପୂର୍ଣ୍ଣ ଜୀବନପ୍ରତି ସେ ସଦା ଉଦାସୀନ । ଜୀବନ ତାଙ୍କ ପ୍ରତି ଜୀବନ୍ତ ମରଣ ସଦୃଶ । ତେଣୁ ଦୁଃଖ ତାଙ୍କ ଜୀବନର ପରମ ଭାଗ୍ୟ । ଦୁଃଖ ଯେତିକି ଯେତିକି ତାଙ୍କ ହୃଦୟରେ ଘନୀଭୂତ ହୋଇଉଠିଛି ସେତିକି ସେତିକି ତାଙ୍କ ହୃଦୟ ସଂପ୍ରସାରିତ ହୋଇଯାଇଛି ପ୍ରକୃତି ଭିତରେ । ସୌନ୍ଦର୍ଯ୍ୟ-ପିପାସା ତାଙ୍କର ହୋଇଛି ବଳବତ୍ତର । କବି-ଶକ୍ତିର ହୋଇଛି ଉନ୍ନୟନ । ଯେତିକି ହୃଦୟ ହୋଇଛି ବିଶୁଦ୍ଧୀକୃତ ସେତିକି କବିତ୍ଵର ହୋଇଛି ପରିପ୍ରକାଶ । କବି-ଜୀବନର ଆଦ୍ୟ ଅର୍ଘ ବଙ୍ଗଳା ଭାଷାରେ ରଚିତ କବିତାବଳୀ ପ୍ରଥମ ଓ ଦ୍ୱିତୀୟ ଭାଗ (୧୮୬୬, ୧୮୬୮) । ସତୁରି ଦଶକର ଆଦ୍ୟ ପାଦରୁ ଓଡ଼ିଆ ଭାଷାରେ କବିତା ରଚନା କରିବାକୁ, ସେ ହେଲେ ଉଦ୍ୟମୀ । ଓଡ଼ିଆ ଭାଷାରେ ପ୍ରଥମ ଶକ୍ତି-ପରୀକ୍ଷା ‘ବିବେକୀ (୧୮୭୩) ପ୍ରବନ୍ଧ । ଏହାପରେ ରଚନା କଲେ କବିତା । ଓଡ଼ିଆ ଭାଷାରେ କବିତା ଲେଖିବାର ଯେଉଁ ଭୟ ତାଙ୍କ ଭିତରେ ଥିଲା ତାହା କ୍ରମେ ଅପସରି ଗଲା । ଅଶୀ ଦଶକରେ ସେ ରଚନା କଲେ ତାଙ୍କର ପ୍ରସିଦ୍ଧ ପଞ୍ଚଗାଥା କାବ୍ୟ- କେଦାରଗୌରୀ, ଚନ୍ଦ୍ରଭାଗା, ନନ୍ଦିକେଶ୍ଵରୀ, ଉଷା ଓ ପାର୍ବତୀ (୧୮୮୨-୧୮୯୦) । ଏହି ପଞ୍ଚକାବ୍ୟ ରାଧାନାଥଙ୍କୁ ଯେପରି ନବଯୁଗର କବିର ମାନ୍ୟତା ଦେଇଛି ସେହିପରି ମଧ୍ୟ ଦେଇଛି ନିନ୍ଦା ! ଏହି ପଞ୍ଚକାବ୍ୟ ପାଇଁ ତାଙ୍କ ବିରୋଧରେ ପ୍ରଧାନ ଅଭିଯୋଗ ଥିଲା ଦୁଇଟି (୧) ବିଦେଶୀ ସାହିତ୍ୟରୁ କଥାବସ୍ତୁ ଆଣି ସ୍ୱୀକାର କରି ନଥିବାରୁ ଚୌର୍ଯ୍ୟବୃତ୍ତି ଅବଲମ୍ବନ (୨) ଓଡ଼ିଶାର ଜାତୀୟ ଚରିତ୍ରର କଳଙ୍କ ପ୍ରଚାର । ନବେ ଦଶନ୍ଧିରେ ମଧ୍ୟ ସେ ରଚନା କରିଛନ୍ତି ଉର୍ବଶୀ, ଯଯାତିକେଶରୀ, ଦଶରଥ ବିୟୋଗ ଓ ସାବିତ୍ରୀ ଚରିତ ପରି କେତୋଟି ଗାଥାକାବ୍ୟ । ‘ଯଯାତିକେଶରୀ’ କାବ୍ୟକୁ ଛାଡ଼ିଦେଲେ ଅନ୍ୟ ତିନୋଟି କାବ୍ୟର ଆଧାର ପୁରାଣ । ଏହି ନବେ ଦଶନ୍ଧିରେ ରଚିତ ‘ଚିଲିକା “ମହାଯାତ୍ରା’ ଓ ‘ଦରବାର’ କାବ୍ୟ-ତ୍ରୟୀ କବି-ପ୍ରତିଭାର ବିଜୟ - ବୈଜୟନ୍ତୀ । ଇତିହାସର ପ୍ରତିଲୋମରେ କବି-ମାନସ ଗତି କରି ଚୟନ କରି ଆଣିଛି ଇତିହାସ ଓ କିମ୍ବଦନ୍ତୀ ମଧ୍ୟରୁ କେତେ ଜାତୀୟ ସ୍ମୃତି ‘ଚିଲିକା’ କାବ୍ୟରେ । ପ୍ରକୃତି ପ୍ରତି ଏଥିରେ ଅଛି ଅନ୍ତରର ନୈବେଦ୍ୟ । ବ୍ୟକ୍ତିଗତ ହୃଦୟର ବିଷାଦବୋଧ ହୋଇଛି ମଧ୍ୟ ଅନୁରଣିତ । ‘ମହାଯାତ୍ରା’ ପୌରାଣିକ ପୃଷ୍ଠଭୂମି ଉପରେ ଜାତୀୟ ଜୀବନର ଅବକ୍ଷୟର ଏକ ମର୍ମଲିପି । ‘ଦରବାର’ ଉତ୍କଳୀୟ ଐତିହ୍ୟ ଓ ଜାତୀୟ ଅବକ୍ଷୟ ପ୍ରତି ଏକ ବ୍ୟଙ୍ଗାତ୍ମକ ଉଚ୍ଚାରଣ, ଧର୍ମ ଓ ସ୍ଵାଭିମାନବୋଧ ପ୍ରତି ଦୃଷ୍ଟି ଆକର୍ଷଣର କଳାତ୍ମକ ଅଭିବ୍ୟକ୍ତି । ଆଲୋଚ୍ୟ ସମୟରେ ରାଧାନାଥ କେତୋଟି କ୍ଷୁଦ୍ର ଓ ଦୀର୍ଘ କବିତା, ମହେନ୍ଦ୍ରଗିରି ପରି ଅସଂପୂର୍ଣ୍ଣ ପ୍ରକୃତି-କାବ୍ୟ, ତୁଳସୀ ସ୍ତବକ ରଚନା କରିଥିଲେ ମଧ୍ୟ ସେସବୁ ତାଙ୍କ ପ୍ରତିଭାର ଭୂୟୋଦର୍ଶନ ନୁହେଁ । କବି-ଜୀବନର ପ୍ରାରମ୍ଭିକ ଅବସ୍ଥାରେ, ‘ବିବେକୀ’ ପ୍ରବନ୍ଧ, ‘ଇପଲୀୟଯୁବା’ ପରି ଗଳ୍ପ ଓ ‘ମେଘଦୂତ’ର ଅନୁବାଦ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ‘ଉର୍ବଶୀ’ ଓ ‘ପାର୍ବତୀ’ କାବ୍ୟର ଉପସଂହାର, ଭ୍ରମଣକାରୀର ପତ୍ର, ବାମଣ୍ଡା, ସାର୍ ରାଜା ବାସୁଦେବ ସୁଢ଼ଳ ଦେବ, ଉତ୍କଳ ସାହିତ୍ୟର ଉନ୍ନତି ଆଦି କେତୋଟି ଗଦ୍ୟ ରଚନା ତାଙ୍କ ପ୍ରତିଭାର ଭିନ୍ନ ଦିଗନ୍ତର ସୂଚନା ଦେଇଥିଲେ ମଧ୍ୟ କାବ୍ୟ-ରଚନାହିଁ ଥିଲା ତାଙ୍କ କବିତ୍ୱର ପ୍ରକୃଷ୍ଟ ନିଦର୍ଶନ । ରାଧାନାଥଙ୍କ କାବ୍ୟ କବିତାକୁ ଅନୁଶୀଳନ କଲେ ଆମେ ସେଥିରୁ ନିମ୍ନୋକ୍ତ ଦୃଷ୍ଟିକୋଣଗୁଡ଼ିକର ପରିଚୟ ପାଉ :-

 

(୧)

ପ୍ରକୃତି ପ୍ରତି ମୁଗ୍ଧ ଦୃଷ୍ଟିକୋଣ ଓ ଜୀବନ ସହିତ ପ୍ରକୃତିର ଆନ୍ତରିକ ସଂପର୍କ ଅନୁଧ୍ୟାନ । ପ୍ରକୃତିର ନୈର୍ବେକ୍ତିକ ତଟସ୍ଥ ରୂପାୟନ ନୁହେଁ; ପ୍ରକୃତିକୁ ହୃଦୟସଂବେଦ୍ୟ କରି ତାହାର ବୟକ୍ତିକ ରସ-ରୂପାୟନ ଓ ସେଥିରେ କବି-ପ୍ରତିଭାର ତଲ୍ଲୀନତା ଓ ଭୂୟୋଦର୍ଶନ ।

(୨)

ଓଡ଼ିଶା ତଥା ଭାରତର ବିଭିନ୍ନ ସ୍ଥାନର ମହିମା ଓ ମହତ୍ତ୍ୱ ବର୍ଣ୍ଣନା । ସେହି ସେହି ସ୍ଥାନର ପ୍ରାକୃତିକ ସୁଷମା, ଲୋକ-ଜୀବନ, ରୀତି, ନୀତି, ପରମ୍ପରା, ଇତିହାସ ଓ କିମ୍ବଦନ୍ତୀ ଅନୁସଂଧାନ ମାଧ୍ୟମରେ ସ୍ଥାନ ବିଶେଷର ବିଲୁପ୍ତ ଐତିହ୍ୟ ଆବିଷ୍କାର ମଧ୍ୟ ଦେଇ ଜନଶ୍ରୁତି ଜାଗରଣ ।

(୩)

ମାନବୀୟ ଭାବ-ସତ୍ୟ ଉପରେ ଗୁରୁତ୍ୱ ଆରୋପ ।

(୪)

ପୌରାଣିକ କଥାବସ୍ତୁ ଓ ଚରିତ୍ର ତଥା ଅନ୍ୟାନ୍ୟ ସାମାଜିକ ପରିସ୍ଥିତିର ଅନୁଶୀଳନ ମାଧମରେ ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ପ୍ରତିଷ୍ଠା ତଥା ଧର୍ମର ମହତ୍ତ୍ୱ ପ୍ରତିପାଦନ ।

(୫)

ଜାତୀୟ ଜୀବନର ଅବକ୍ଷୟ, ସଂକଟ ଓ ତାହାର କାରଣ ଅନୁସଂଧାନ ଓ ଆର୍ଯ୍ୟ ଜାତୀୟଚେତନା ପ୍ରତି ଦୃଷ୍ଟି ଆକର୍ଷଣ ।

(୬)

ପାଶ୍ଚାତ୍ୟ ସଭ୍ୟତା ପ୍ରତି ଆସକ୍ତି ପ୍ରକାଶ କରୁଥିବା ସେକାଳର ନବ ଅଭିଜାତ ବର୍ଗଙ୍କ ପ୍ରତି ବିଦୃପ, ଜାତୀୟ ଐତିହ୍ୟ ବିସ୍ମୃତ ଭ୍ରାନ୍ତ ଅହମିକାଗ୍ରସ୍ତ ତଥାକଥିତ ଶିକ୍ଷିତ ବ୍ୟକ୍ତିଙ୍କୁ ସମାଲୋଚନା ଓ ବିଦେଶୀ ଶାସକର ତୋଷାମୋଦକାରୀ ସାଜିଥିବା ସୁବିଧାବାଦୀ ରାଜା, ଜମିଦାର, ସରକାରୀ ପଦସ୍ଥ କର୍ମଚାରୀ, ପୋଲିସ୍ ପ୍ରମୁଖଙ୍କୁ ବ୍ୟଙ୍ଗୋକ୍ତି ।

(୭)

ରୂପଜ ପ୍ରେମର ପରିଣତି ଯେ କେତେ ଭୟାବହ ସେଥିପ୍ରତି ସଚେତନତା ସୃଷ୍ଟି, ନାରୀତ୍ୱ ଓ ସତୀତ୍ଵର ମହିମା ଗାନ ।

(୮)

ପାପର ଭୟଙ୍କର ରୂପାୟନ ମଧ୍ୟ ଦେଇ ଚରମ ଶାସ୍ତି ପ୍ରଦାନ ।

(୯)

ମୃତ୍ୟୁ ଓ କାଳର ଅପ୍ରତିହତ ପ୍ରଭାବ ଦର୍ଶାଇ ମଣିଷକୁ ସତ୍ୟ ଓ ଧର୍ମ ମାର୍ଗକୁ ଆଣିବାର ଅଭିପ୍ରାୟ ।

 

କବିବର ରାଧାନାଥଙ୍କ କାବ୍ୟ-ପରିକ୍ରମା କଲେ ପାଠକ ଉପରୋକ୍ତ ଦୃଷ୍ଟିକୋଣ ସଂପର୍କରେ ଅବହିତ ହୁଏ ଓ ସିଦ୍ଧାନ୍ତରେ ଉପନୀତ ହୁଏ ଯେ ରାଧାନାଥଙ୍କୁ କେବଳ ରୂପପାୟୀ କବି ଏବଂ ନାରୀପୁରୁଷର ମୋହଗ୍ରସ୍ତ ଦୈହିକ ପ୍ରେମର ରୂପକାର କହିବାରେ ସମୀଚୀନତା ନାହିଁ । ତାଙ୍କର ମୌଳିକତା ନାହିଁ ଓ ସେ କେବଳ ପାଶ୍ଚାତ୍ୟ ସାହିତ୍ୟରୁ ଉପାଦାନ ଆହରଣ କରି ଓଡ଼ିଆ ସାହିତ୍ୟରେ ତାହାକୁ ଆରୋପ କରି ଦେଇଅଛନ୍ତି - ଏପରି ଅଭିଯୋଗ ସହିତ ଏକମତ ହୁଏ ନାହିଁ-। ଏହା ସତ୍ୟ ଯେ ରାଧାନାଥ ପାଶ୍ଚାତ୍ୟ ସାହିତ୍ୟରୁ ଉପାଦାନ ଆଣିଛନ୍ତି, ରୁପଜ ପ୍ରେମର ବର୍ଣ୍ଣନା କରିଅଛନ୍ତି, ଓଡ଼ିଶାର ଇତିହାସରୁ କିଛି ଚରିତ୍ରଙ୍କୁ ଆଣି କାବ୍ୟରେ ରୂପ ଦେଲାବେଳେ ମାନବୀୟ ଦୁର୍ବଳ ପ୍ରବୃତ୍ତିକୁ ଆଙ୍କିଛନ୍ତି ଓ ତାହାଦ୍ୱାରା ଜାତୀୟ ରୂଢ଼ିବାଦିତାର ବିରୁଦ୍ଧାଚରଣ କରିଛନ୍ତି; କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାଙ୍କର ବିବେକବାନ୍ କବି-ସତ୍ତାକୁ ଅନୁଧ୍ୟାନ କଲେ ତାଙ୍କର ଅଭିପ୍ରାୟ ସଂପର୍କରେ ପାଠକ ଅବହିତ ହୋଇଯାଏ । ରାଧାନାଥଙ୍କ କାବ୍ୟିକ ଅଭିପ୍ରାୟ ପାପ, ଅଧର୍ମ, ଅନ୍ୟାୟ, ସ୍ୱେଚ୍ଛାଚାର, ଲାପଂଟ୍ୟ ପ୍ରେମ ଇତ୍ୟାଦିର ପରିଣତିକୁ ଦେଖାଇ ନୈତିକତା, ମାନବିକତା ଓ ଧର୍ମଭାବକୁ ଜାଗ୍ରତ କରିବା । ଏଥିପାଇଁ ଗୋଟାଏ ଜାତିର ବା ବ୍ୟକ୍ତିର କ’ଣ କ୍ଷତି ହେଲା କି ନାହିଁ; ସେ ବିଷୟରେ ଚିନ୍ତା କରିନାହାନ୍ତି । ଯାହା ସତ୍ୟ ଓ ବାସ୍ତବ ତାହାକୁ ସେ ରୂପଦେବାରେ କାର୍ପଣ୍ୟ ପ୍ରକାଶ କରିନାହାନ୍ତି । ସୁନ୍ଦର ଓ ମଙ୍ଗଳର ମଧୁବିବାହ କରାଇଛନ୍ତି । ମାନବପ୍ରକୃତିକୁ ଉଦ୍‌ଘାଟନ କରିଅଛନ୍ତି । ସେ ନିନ୍ଦିତ ହୋଇଛନ୍ତି ଓ ସେଥିପାଇଁ ମଧ୍ୟ ବିଚଳିତ ହୋଇଛନ୍ତି । ନୀରବ ଯନ୍ତ୍ରଣା ପାଇଛନ୍ତି । ମାତ୍ର ସତ୍ୟ ଆବିଷ୍କାର କ୍ଷେତ୍ରରୁ ଅପସରି ଯାଇ ନାହାନ୍ତି । କବି କବିତା ଲେଖେ ତା'ର ଅନ୍ତଃପ୍ରକୃତିର ଆହ୍ୱାନରେ । ଏଥିପାଇଁ ସେ ବାହାରର ଅନୁଶାସନ ମାନେ ନାହିଁ । ଯେଉଁ ଭାବ ତା’ ହୃଦୟକୁ ଅଭିଭୂତ କରି ପ୍ରକାଶ ପାଏ ତାହାକୁ ସେ ବାଙ୍‍ମୟ ରୂପ ଦିଏ । ରାଧାନାଥ ଆପଣାର ଅନ୍ତର ପ୍ରତି ବିଶ୍ୱସ୍ତ । ତେଣୁ ସେ କାବ୍ୟ ଲେଖୁଛନ୍ତି ଅନ୍ତଃପ୍ରେରଣାରୁ-। ଇତିହାସ, ପୁରାଣ, କିମ୍ବଦନ୍ତୀ ଓ ପ୍ରକୃତିକୁ କାବ୍ୟର ଉପାଦାନ ଭାବରେ ଗ୍ରହଣ କରିଥିଲେ ହେଁ ସମକାଳୀନ ସାମାଜିକ, ସାଂସ୍କୃତିକ ଓ ଜାତୀୟ ଦୃଷ୍ଟିକୋଣ ପ୍ରତି ଉଦାସୀନ ହୋଇ ନାହାନ୍ତି । ଅଧିକନ୍ତୁ କାବ୍ୟ ରଚନା କଲାବେଳେ ଲୋକତତ୍ତ୍ୱ ବା ଲୋକ-ସଂସ୍କୃତି ତାଙ୍କ କବି-ସତ୍ତାକୁ ବିଶେଷ ଭାବରେ ଅନୁପ୍ରାଣିତ କରି ଦେଇଛି ଓ ଏହି କାରଣରୁ କାବ୍ୟ ଭିତରେ ଲୋକ-ତତ୍ତ୍ୱ ନେଇ ଯାଇଛି ଅବିଚ୍ଛେଦ୍ୟ ଭୂମିକା ।

 

ଲୋକ-ତତ୍ତ୍ୱ ବା ଲୋକ-ସଂସ୍କୃତି ଏକ ଐତିହ୍ୟଭିତ୍ତିକ ଶବ୍ଦ । ପ୍ରାଚୀନ ପ୍ରବାହର ଭଗ୍ନାଂଶ, ସାଂସ୍କୃତିକ ଐତିହ୍ୟ ଓ ଲୋକ ସାହିତ୍ୟର କଥାଶିଳ୍ପକୁ ନେଇ ଗଢ଼ି ଉଠେ ଲୋକତତ୍ତ୍ୱ । ଏହା ଲୋକାୟତ ମଣିଷର ଅସ୍ତିତ୍ୱର ଅଭିଜ୍ଞାନ । ଐତିହ୍ୟଶ୍ରୟୀ ସଂହତ ସମାଜର, ସମଷ୍ଟିଗତ ପ୍ରୟାସର ଜୀବନବୋଧ, ଜୈବ ସଂସ୍କାର, ଜୀବନଚର୍ଯ୍ୟା ଓ ମାନସ-ଚର୍ଯ୍ୟାର ଏହା ସାମଗ୍ରିକ କୃତି । ଜୈବ ପ୍ରୟୋଜନ ଓ ବାସ୍ତବବୋଧ, ସୌନ୍ଦର୍ଯ୍ୟବୋଧ ଓ ଶିଳ୍ପରୁଚିର ମିଳିତ ରୂପକୁ ଲୋକ ସଂସ୍କୃତି କୁହାଯାଏ ବୋଲି ତୁଷାର ଚଟ୍ଟୋପାଧ୍ୟାୟ ମତବ୍ୟକ୍ତ କରିଅଛନ୍ତି । ଲୋକ-ସଂସ୍କୃତି ଭିତରେ ଥାଏ ସାଧାରଣ ମଣିଷର ଆଶା ଆକାଂକ୍ଷା, ରୀତିନୀତି, ବିଶ୍ଵାସ ଅବିଶ୍ଵାସ, ଧର୍ମଧାରଣା ଇତ୍ୟାଦି ନାନା କଥା । ଏହି ସଂସ୍କୃତି ସହିତ ମଧ୍ୟ ଇତିହାସ, କିମ୍ବଦନ୍ତୀ, ଜନଶ୍ରୁତି, ଜାତିତତ୍ତ୍ୱ, ପରାତତ୍ତ୍ୱ, ନୃତତ୍ତ୍ୱ, ସମାଜବିଜ୍ଞାନ, ଭାଷାତତ୍ତ୍ୱ ଇତ୍ୟାଦି ଘନିଷ୍ଠ ଭାବରେ ସଂପର୍କିତ । ଲୋକକଥା, ଲୋକଗାଥା, ଲୋକାଚାର, ଲୋକବିଶ୍ୱାସ, ଲୋକୋତ୍ସବ, ଲୋକଧର୍ମ, ଲୋକନିରୁକ୍ତି ଇତ୍ୟାଦି ବିଭିନ୍ନ ପ୍ରସଙ୍ଗ ଲୋକ ତ ଅନ୍ତର୍ଭୁକ୍ତ । ଶିଷ୍ଟ ସଂସ୍କୃତିର କବି ଯେତେବେଳେ ଲୋକତତ୍ତ୍ୱକୁ କାବ୍ୟରେ ରୂପ ଦିଅନ୍ତି ସେତେବେଳେ ସେ ପୂର୍ଣ୍ଣଭାବରେ ଲୋକ ସାହିତ୍ୟର କଥ୍ୟରୂପ ବା ଭାଷା ରୂପକୁ ବର୍ଣ୍ଣନା କରେ ନାହିଁ । ଲୋକ ସାହିତ୍ୟର ବା ଲୋକକଥାର ମୋଟିଫ୍ ବା ଅଭିପ୍ରାୟକୁ ଗ୍ରହଣ କରେ ମାତ୍ର ତାହାକୁ ଶିଷ୍ଟତ୍ଵର ପୋଷାକ ପିନ୍ଧାଇ ପରିବେଷଣ କରିଦିଏ । କବି ରାଧାନାଥ ଏହି ମାର୍ଗକୁ ଅବଲମ୍ବନ କରିଅଛନ୍ତି । ଲୋକ ତତ୍ତ୍ୱର ପୌରାଣିକତାମୂଳକ, ମୃତ୍ୟୁ ସଂପର୍କୀୟ, ବିସ୍ମୟକର ବିଷୟଭିତ୍ତିକ, ଭାଗ୍ୟ ବିପର୍ଯ୍ୟୟ ଓ ଭବିତବ୍ୟମୂଳକ, ଶାନ୍ତି ଓ ସହାବସ୍ଥାନ ବିଷୟକ, ପାଶବିକ ନିଷ୍ଠୁରତା ଓ ଯୌନ ସଂକ୍ରାନ୍ତ, ଧର୍ମୋପଦେଶ ଓ ଧର୍ମୀୟ ଇତ୍ୟାଦି ନାନା ଅଭିପ୍ରାୟକୁ କବି ବିଭିନ୍ନ କାବ୍ୟରେ ରୂପ ଦେଇ କାବ୍ୟିକ ଚମତ୍କାରିତା ସୃଷ୍ଟି କରିଅଛନ୍ତି ।

 

‘କେଦାରଗୌରୀ’ କାବ୍ୟର ଉତ୍ସ ଗ୍ରୀକ୍ ସାହିତ୍ୟର ପାଇରାମସ୍ ଓ ଥିସବୀ କାହାଣୀ । ଏହି କାହାଣୀକୁ କବି ଏକାମ୍ର କ୍ଷେତ୍ର ସହିତ ସଂପୃକ୍ତ କରାଇ ଦେଇଛନ୍ତି । କେଦାର ଓ ଗୌରୀର ଯୌବନ ସୁଲଭ ପ୍ରେମ ଓ ସେହି ପ୍ରେମରେ ଉଭୟ ପରିବାରର ବାଧାକୁ ଦର୍ଶାଇ ପରିଣତିରେ ସେମାନଙ୍କର ମୃତ୍ୟୁକୁ ଯେପରି ବର୍ଣ୍ଣନା କରିଅଛନ୍ତି ତାହା ଲୋକସଂସ୍କୃତିରେ ଦୈବ ଓ କର୍ମଫଳର ଅପ୍ରତିହତ ପ୍ରଭାବକୁ ବ୍ୟଞ୍ଜିତ କରିଦେଇଅଛି । ମଣିଷ ଯାହା ପାଇବାକୁ ଚାହେଁ ତାହା ପାଏ ନାହିଁ । ତେଣୁ ସେହି ନ ପାଇବାହିଁ ସୃଷ୍ଟି କରେ ଦୁଃଖ । ନାୟକ ଓ ନାୟିକାଙ୍କର ମୃତ୍ୟୁ ପରେ ରାଜା ସେମାନଙ୍କ ପ୍ରେମକୁ ଅଭିନନ୍ଦନ ? ଜଣାଇ ସେମାନଙ୍କ ମୂର୍ତ୍ତିଗଠନ କରାଇ ଦେବଦେବୀରେ ପରିଣତ କରିଦେଲେ ଓ ଲୋକେ ଏ ତାହାକୁ ଗ୍ରହଣ କରିନେଲେ । ଏହି ଲୋକ-ବିଶ୍ଵାସ ଏବେ ମଧ୍ୟ ଏକାମ୍ର କ୍ଷେତ୍ରରେ ? ପ୍ରଚଳିତ । ଗ୍ରୀକ୍ କାହାଣୀର ଏହା କାବ୍ୟ ରୂପ ବୋଲି ଯେତେ କୁହାଗଲେ ମଧ୍ୟ ଲୋକ ବିଶ୍ଵାସରେ ତାହା କୌଣସି ଆଞ୍ଚ ସୃଷ୍ଟି କରିପାରିନାହିଁ । ରାଧାନାଥଙ୍କ ବିଭିନ୍ନ କାବ୍ୟରେ । ଏହି ଭାଗ୍ୟ, ଭବିତବ୍ୟ, କର୍ମଫଳ, ନିୟତି ଓ ଦୈବ ସଂପର୍କିତ ଲୋକ-ବିଶ୍ଵାସ ପ୍ରାଧାନ୍ୟ ଲାଭ କରିଯାଇଛି । ଦୈବ ଦଉଡ଼ି ମଣିଷ ଗାଈ/ଯେଣିକି ଅଡ଼ାଇ ତେଣିକି ଯାଇ’, “ଜଗନ୍ନାଥଙ୍କର ବଡ଼େଇ କାହାକୁ ଦିଅନ୍ତି ଖିର କ୍ଷୀରିସା କାହାକୁ ଦିଅନ୍ତି ଗଡ଼ାଇ’ - ଲୋକୋକ୍ତି କବିଙ୍କ ହୃଦୟରେ ବିଶେଷ ପ୍ରଭାବ ପକାଇଛି । ନିଜେ ବିଷାଦକାରୀ ହୋଇଥିବାରୁ ଭଗ୍ୟବାଦ ତାଙ୍କୁ ବହୁ ପରିମାଣରେ ପ୍ରଭାବିତ କରିଛି । ତେଣୁ ‘ନନ୍ଦିକେଶ୍ଵରୀ’ କାବ୍ୟରେ ଶ୍ରୀଚଣ୍ଡିକା ସୁବର୍ଣ୍ଣକେଶରୀଙ୍କୁ ଜୈତ୍ର ମଣି ପ୍ରଦାନ କରିଥିଲେ ମଧ୍ୟ ତାଙ୍କୁ ଚେତେଇ ଦେଇଛନ୍ତି-

 

ଶକ୍ତି ନାହିଁ ବସ୍ତ୍ର, କାହାରି ଜଗତେ ।

ନିୟତିକୁ ନେବ ନିଜ ଇଚ୍ଛା ପଥେ ।

 

ଜୈତ୍ରମଣି ଥିବା ପର୍ଯ୍ୟନ୍ତ ରାଜା ଅଜେୟ ରହିବେ । ସେହି ମଣି ଯଦି ଅପହୃତ ହୋଇଯାଏ ତେବେ ତାଙ୍କର ପରାଜୟ ନିଶ୍ଚିତ । ଏହି ଚେତାବନୀ ସତ୍ତ୍ୱେ କନ୍ୟା ନନ୍ଦିକା ଦ୍ଵାରା ଜୈତ୍ରମଣି ହୋଇଛି ଅପହୃତ । ନିୟତି ତାର କାର୍ଯ୍ୟ କରିଛି । ନନ୍ଦିକା ନିମିତ୍ତ ମାତ୍ର । ସେ ରାଜବାଳା ହେଲା ବୋଲି ଯେ ନାରୀତ୍ଵର ଭିନ୍ନ ଉପାଦାନରେ ଗଢ଼ା; ଏହା ନୁହେଁ । ନାରୀତ୍ୱର ଦୁର୍ବାର ଆକର୍ଷଣରେ ସେ ପିତା ଓ ଜାତିର ଶତ୍ରୁ ଜାଣି ମଧ୍ୟ ଚୂଡ଼ଗଂଗଙ୍କୁ ପତି ରୂପେ ଅନ୍ତର ଭିତରେ ବରଣ କରି ତାଙ୍କୁ ଜୈତ୍ରମଣି ଦେଇଛି । ଚୂଡ଼ଙ୍ଗଗ ତାକୁ ପତ୍ନୀ ରୂପେ ଗ୍ରହଣ କରିନାହାନ୍ତି ଓ ସେ ଆତ୍ମହତ୍ୟା କରିଛି ସତ୍ୟ; ମାତ୍ର ସେହିଁ ନିୟତି ରୂପେ କାର୍ଯ୍ୟ କରିଛି । ତେଣୁ କବି କହନ୍ତି-

 

ଦେବକୂଟ ସିନା ଦେବତାଙ୍କୁ ଜଣା

ମନୁଷ୍ୟ ତ ତହିଁ ସବୁବେଳେ ବଣା ।

 

ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ବେଳକୁ ବିଜ୍ଞାନର ନୂତନ ନୂତନ ଉଦ୍ଭାବନ ହେଲାଣି । ଡାରଉଇନ୍‌ଙ୍କର ବିବର୍ତ୍ତନବାଦ (୧୮୫୯) ଈଶ୍ଵର-ବିଶ୍ଵାସରେ ଆଘାତ ସୃଷ୍ଟି କଲାଣି । କାର୍ଲ ମାର୍କସ୍‍ଙ୍କର ଐତିହାସିକ ଦ୍ୱନ୍ଦାତ୍ମକ ବସ୍ତୁବାଦ ପ୍ରଭାବ ବିସ୍ତାର କଲାଣି । ଧର୍ମକୁ ଅଫିମର ନିଶା କୁହାଗଲାଣି । ନିତ୍‍ସେ ଈଶ୍ୱରଙ୍କ ମୃତ୍ୟୁ ଘୋଷଣା କଲେଣି (୧୮୮୩) । ବାସ୍ତବବାଦ ଚିନ୍ତାଜଗତରେ ସୃଷ୍ଟି କଲାଣି ଆଲୋଡ଼ନ । ଯୁକ୍ତିବାଦ କାୟା ବିସ୍ତାର କଲାଣି । ମୂର୍ତ୍ତିପୂଜା ଓ ଦେବବାଦ ବିରୋଧରେ ସଂସ୍କାର-ଆନ୍ଦୋଳନ ହେଲାଣି । ଅଥଚ ଲୋକ-ସମାଜ ଥିଲା ଏସବୁ ଶିଷ୍ଟ ସମାଜର ଚିନ୍ତା ସଂପର୍କରେ ଅନବହିତ । ସେମାନେ ବିଶ୍ୱାସ କରନ୍ତି ଭାଗ୍ୟ, ନିୟତି ଓ ଦେବତା ଉପରେ । ରାଧାନାଥ ଏ ବିଷୟରେ । ଅବହିତ । ତାଙ୍କର ମାନସ ପଟରେ ପୁରାଣ ଓ କିମ୍ବଦନ୍ତୀ ଉଙ୍କି ଉଠିଛି । ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ଚୋରଗଙ୍ଗଙ୍କୁ ସେ ଗଂଗାଙ୍କ ପୁତ୍ର ଭାବରେ ସୂଚେଇ ଦେଇ ତାହାଙ୍କୁ ପୁରାଣରେ ବର୍ଣ୍ଣିତ ଗଙ୍ଗାପୁତ୍ର ଦେବବ୍ରତ ଭୀଷ୍ମଙ୍କ ସହିତ ତୁଳନା କରି ଭୀଷ୍ମ ଯେପରି ପରିଣତିରେ ଗଙ୍ଗାଙ୍କ କରୁଣା ଅଭାବରୁ ମୃତ୍ୟୁବରଣ କଲେ ସେହିପରି ଚୋଡ଼ଗଂଗ ବିପର୍ଯ୍ୟସ୍ତ ହୋଇଯାଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ କରି ଅଛନ୍ତି । ଚୋରଗଙ୍ଗ ଭାବିଛନ୍ତି “ଦେବତା ଭିଆଣେ ଶୁଭାଶୁଭ ଘଟେ/ କେ ଜାଣେ କି ଅଛି ମୋହ ଭାଗ୍ୟ ପଟେ ?” ଏହା ସେହି ଲୋକବିଶ୍ୱାସର କାବ୍ୟିକ ରୂପମାତ୍ର । ମାଦଳା ପାଞ୍ଜିରେ ବର୍ଣ୍ଣିତ କିମ୍ବଦନ୍ତୀ ଅନୁସାରେ କବି ଚୋରଙ୍ଗଗଙ୍କୁ ତନ୍ତ୍ରବଳରେ ବଳୀୟାନ କରାଇ ନାହାନ୍ତି । ତାଙ୍କୁ ଗଂଗାପୁତ୍ର ରୂପେ ଚିତ୍ରଣ କରି ତାଙ୍କର ବୀରତ୍ଵ, ଉଦାରତା, ପ୍ରେମିକତ୍ୱ, ସ୍ୱାଭିମାନ ସହିତ ଉତ୍କଳ ପାଇଁ ସେ ଦୈବ ଅଭିପ୍ରେତ ବୋଲି ବର୍ଣ୍ଣନା କରିଅଛନ୍ତି । ‘ଉଷା’ କାବ୍ୟରେ ମଧ୍ୟ କବି ଦୈବ-ବିଧାନ ଉପରେ ଗୁରୁତ୍ୱ ଦେଇ କହନ୍ତି-

 

ବନ୍ଦୀ ହୋଇ ଦୈବ-ବିଧାନକୁ କିଏ କରିବ ଆନ

ମହାବଳୀଠାରୁ ବଳିଆର ପୁଣି ଦୈବ-ବିଧାନ ।

 

ଜୟନ୍ତ ଉଷା ସହିତ ପ୍ରତିଯୋଗିତାରେ ଦୌଡ଼ୁଥିଲା ବେଳେ ସେ ମନେ ମନେ ଇଷ୍ଟ ଦେବ କାର୍ତ୍ତିକେୟଙ୍କୁ ଅନ୍ତରର ଦୁଃଖ ନିବେଦନ କରିଛି-

 

ବିହି କି ଲିହିଛି ଏ କଷଣ ମୋହ ଲଲାଟ ପଟେ

ଦେବ ଶକ୍ତିଧର, ସାହା ହୁଅ ଏହି ଘୋର ସଂକଟେ ।

 

ଏହା ମଧ୍ୟ ସେହି ଦୈବ କୃପା ଜନିତ ଲୋକବିଶ୍ୱାସର ନିଦର୍ଶନ । ବିପଦ ଓ ସଂକଟ ସମୟରେ ମଣିଷ ଭଗବାନଙ୍କୁ ଡାକେ । ଲୋକେ ଜାଣନ୍ତି ଦୈବ ବଳଠାରୁ ଅନ୍ୟ କିଛି ଶ୍ରେଷ୍ଠ ବଳ ନାହିଁ । “ଦେବତା ହୋଇଲେ ମରଇ”– ଲୋକୋକ୍ତିରେ ଲୋକଙ୍କ ଦୃଢ଼ ବିଶ୍ୱାସ । ଉଷା ଓ ଜୟନ୍ତଙ୍କର ବିବାହ ବେଦୀରେ ଆକସ୍ମିକ ମୃତ୍ୟୁ ଘଟଣାକୁ କବି ନିମ୍ନୋକ୍ତ ଭାବରେ କାବ୍ୟକ ରୂପ ପ୍ରଦାନ କରିଅଛନ୍ତି ।

 

ଦେବ ହେଲେ ସୁଦ୍ଧା ମୃତ୍ୟୁ-ନିବାରଣେ ନାହିଁ ଶକତି

ଜୀବନ ଯାହାକୁ ବୋଲନ୍ତି ସେ ସିନା ମୃତ୍ୟୁକୁ ଗତି ।

 

ଲୋକେ ସେମାନଙ୍କର ସ୍ୱାଭାବସିଦ୍ଧ ଅନୁଭୂତିରୁ ଏକଥା ଜାଣନ୍ତି । ‘ପାର୍ବତୀ’ କାବ୍ୟରେ ମଧ୍ୟ କବି ଭାଗ୍ୟ, ଦୈବ, କର୍ମଫଳ ଓ ଭବିତବ୍ୟ ବିଷୟରେ ଉଲ୍ଲେଖ କରିଅଛନ୍ତି । ଏହି କାବ୍ୟରେ କବି ବାରମ୍ବାର କହନ୍ତି-

 

କେହି ରହିନାହିଁ       ରହିବେ ନାହିଁଟି

ଭବରଙ୍ଗ ଭୂମିତଳେ

ସର୍ବେ ନିଜ ନିଜ       ଅଭିନୟ ସାରି

ବାହୁଡ଼ିବେ କାଳବଳେ ।

ଇଛନ୍ତି ଦାମ୍ୱିକେ       ହସ୍ତେ ରଖିବାକୁ

ସମସ୍ତଙ୍କ ଭାଗ୍ୟଡ଼ୋରି

ନିଜ ଭାଗ୍ୟ ଡୋରି        କାଳ ହସ୍ତେ ଏହା

ପକାନ୍ତି ହେଳେ ପାଶୋରି ।

ଭବିତବ୍ୟ ଯାହା       ଅବଶ୍ୟ ଘଟିବ

କିଏ ତା’ କରିବ ଆନ ?

କିଏ ଅବା ଏହି       ଜ୍ୟୋତିଶ୍ଚକ୍ର ଗତି

ରୋଧବାକୁ ବଳବାନ ।

ଧିକ ସେ ସଂସାର       ପ୍ରବଳର ଯହିଁ

ସବୁ କଥାରେ ସୁଯୋଗ

ଦୁର୍ବଳର ଯହିଁ             ଲଲାଟ ଲିଖନ

ନୀରବେ ଲାଞ୍ଛନା ଭୋଗ ।

 

ଉପରୋକ୍ତ ପଦ୍ୟାଂଶଗୁଡ଼ିକ ଲୋକତତ୍ତ୍ୱର ନିଦର୍ଶନ । ଲୋକେ ବିଶ୍ଵାସ କରନ୍ତି ଯେ ଆଜି ଯେ ରାଜେନ୍ଦ୍ର କାଲି ସେ ଫକିର । ଚିରଦିନ ଲାଗି କେହି ତମ୍ବାମୁଣ୍ଡ ବାନ୍ଧି ରହନ୍ତି ନାହିଁ । ଆଜି ଯାହାର ପୁଷମାସ କାଲି ତାହାର ସର୍ବନାଶ । ଦାମ୍ଭିକ ବ୍ୟକ୍ତି ସମସ୍ତଙ୍କୁ କବଳିତ କରି ରଖିବାକୁ ଚାହେଁ । ଅଥଚ ନିଜେ ସେ କାଳର ଅଦୃଶ୍ୟ ହସ୍ତରେ ବନ୍ଧା ହୋଇ ରହିଥାଏ । ଯାହା ଭବିତବ୍ୟ ତାହାକୁ କେହି ଅନ୍ୟଥା କରିପାରେ ନାହିଁ । ତାହା ନିଶ୍ଚୟ ଘଟେ । ‘‘ଯାହାକୁ ରଖନ୍ତି ଅନନ୍ତ/ କି କରି ପାରେ ବଳବନ୍ତ” ଉକ୍ତିରେ ଲୋକେ ବିଶ୍ଵାସ କରନ୍ତି । ଗଙ୍ଗେଶ୍ଵର କ୍ଷମତା ଦୃପ୍ତହୋଇ ନାରକୀୟ କାଣ୍ଡ ଘଟାଇଛନ୍ତି । ପାଶବ ଲାଳସାକୁ ଚରିତାର୍ଥ କରିଛନ୍ତି କନ୍ୟାକୁ ଉପଭୋଗ କରି ଓ ତାକୁ ନିର୍ମମ ଭାବରେ ହତ୍ୟା କରିବାର ଆଦେଶ ଦେଇ । ରତ୍ନପୁର ରାଜାଙ୍କୁ ହତ୍ୟା କରିଛନ୍ତି ଓ ତାଙ୍କର କନ୍ୟାକୁ ନେଇ ଆସିଛନ୍ତି ଉପଭୋଗ କରିବା ପାଇଁ । ଅଥଚ ରାଣୀ ତାଙ୍କୁ ହତ୍ୟା କରିଛନ୍ତି-। ସେ ଯେପରି ନିୟତି ରୂପେ ଅବତୀର୍ଣ୍ଣ ହୋଇ ପାପୀକୁ ବିନାଶ କରି ଅଛନ୍ତି । ଧରିତ୍ରୀ ପାପୀକୁ ସହିପାରେ ନାହିଁ । ପାପୀର ବିନାଶ ପାଇଁ ସେ ନାରାୟଣଙ୍କୁ ନିବେଦନ କରନ୍ତି । ଏହି ପୌରାଣିକ ଭାବ-ସ୍ପନ୍ଦନ ଲୋକ-ହୃଦୟରେ ପ୍ରଭାବ ପକାଇଅଛି । ପାପ ପ୍ରତି ଘୃଣା ଓ ପାପର ବିନାଶ ତେଣୁ ଲୋକ ତତ୍ତ୍ୱରେ ପରିଣତ ହୋଇଯାଇଛି । ବ୍ୟକ୍ତିଗତ ବର୍ଣ୍ଣନାତ୍ମକ କାହାଣୀ ଓ ଲୋକ ସଂସ୍କୃତିର ଜାତିତତ୍ତ୍ୱ ଏକତ୍ର ମିଶି ଉକ୍ତ କାବ୍ୟରେ ଲୋକତତ୍ତ୍ୱର ପବିତ୍ର ଅବବୋଧ ସୃଷ୍ଟି କରିଛି । ସ୍ଥାନୀୟ ଜନଗଣ ଯେଉଁ କାହାଣୀକୁ ଆତ୍ମୀୟ ରୂପେ ଗ୍ରହଣ କରିନିଏ ତାହାକୁ ନିଜର ସଂପତ୍ତିରେ ପରିଣତ କରେ ଓ ସେଥିରେ ତା’ର ବିଶ୍ଵାସ, ସ୍ଵପ୍ନ ଓ ଆବଶ୍ୟକତାକୁ ପ୍ରତିବିମ୍ବିତ କରିବା ସହିତ ଅନ୍ଧବିଶ୍ୱାସ ଓ ଅନ୍ୟପ୍ରତି ତାର ନିନ୍ଦାକୁ ମଧ୍ୟ ପ୍ରକାଶ କରିହୁଏ । ବର୍ଣ୍ଣନାକାରର ଆତ୍ମପରିଚୟ ସେହି କାହାଣୀ ଭିତରେ ବା ବର୍ଣ୍ଣ୍ୟ ବିଷୟରେ ଏପରି ଭାବରେ ପ୍ରକାଶ ପାଏ ଯାହା ଲୋକତତ୍ତ୍ୱର ନିକଟବର୍ତ୍ତୀ ହୋଇଯାଏ । ଅଭିଜ୍ଞତାର ବ୍ୟକ୍ତିଗତ କାହାଣୀ ଏପରି ଭାବରେ ବର୍ଣ୍ଣିତ ହୋଇଥାଏ, ଯାହା ଲୋକସଂସ୍କୃତି ପରମ୍ପରାର ଶକ୍ତିଶାଳୀ ପୂର୍ଣ୍ଣତାକୁ ସୂଚାଇ ଦିଏ । ‘ଚିଲିକା’ କାବ୍ୟରେ କବି ରାଧାନାଥ ଏହି ଦୃଷ୍ଟିରୁ ପ୍ରକୃତିର ବର୍ଣ୍ଣ୍ୟ ବିଷୟ ଦେଇ ଆପଣାର ଦୁଃଖମୟ ଜୀବନ ଓ ଭାଗ୍ୟ ସଂପର୍କରେ ଉଲ୍ଲେଖ କରିଅଛନ୍ତି-

 

ଛାର ଭାଗ୍ୟ ମୋର ପିହିତ ପାଷାଣେ

ମୋ ଜୀବନ ଗଢ଼ା ଅନ୍ୟ ଉପାଦାନେ,

ଚିର ହାହାମୟ ଏ ଛାର ଜୀବନ

ଜୀବନ ନୁହଇ, ଜୀବନ୍ତ ମରଣ ।

 

ଏହି ଉପଲବ୍ଧି ହିଁ ଲୋକ ସଂସ୍କୃତିର ଉପଲବ୍ଧି । ସମଗ୍ର ‘ଚିଲିକା’ କାବ୍ୟରେ ଲୋକ ସଂସ୍କୃତିର ବିଭିନ୍ନ ଦିଗ ରୂପାୟିତ । ତା’ ଭିତରେ ଭାଗ୍ୟ ଓ ନିୟତି ନେଇଛି ଗୁରତ୍ୱପୂର୍ଣ୍ଣ ଭୂମିକା । ଏହି କାବ୍ୟରେ କବି ମଣିଷର ଅନନ୍ତ ଆଶାକୁ ସୂଚାଇ ଦେଇ ଅସମ୍ଭବ ବସ୍ତୁର କାମନା କରିବା ପ୍ରସଙ୍ଗକୁ ଆକାଶ କୁସୁମ ସହିତ ଯେପରି ବ୍ୟଞ୍ଜିତ କରିଅଛନ୍ତି, ମରୀଚିକା ପଛରେ ଧାଇଁ ଧାଇଁ ମୃଗ ମୃତ୍ୟୁବରଣ କରିବା ପ୍ରସଙ୍ଗକୁ ଯେପରି ସୂଚାଇ ଦେଇଅଛନ୍ତି ତାହା ବ୍ୟକ୍ତିଗତ ଅଭିଜ୍ଞତାରୁ ସାର୍ବଜନୀନ ଅଭିଜ୍ଞତାକୁ ଗତି କରି ଲୋକ ଅନୁଭୂତିର ‘ଆକାଶ କଇଁଆ ଚିଲିକା ମାଛି’ ଉକ୍ତିକୁ ବ୍ୟଞ୍ଜିତ କରି ଦେଇଥିବା ଲକ୍ଷ୍ୟ କରାଯାଏ । ଏଥିରେ ମଧ୍ୟ ମତ୍ସରୀ ଓ ଦାମ୍ଭିକ ବ୍ୟକ୍ତିର ଅହଂକାର ନିୟତିର ଭ୍ରୁକୁଟିରେ କିପରି ଗୋଟିଏ ମୁହୂର୍ତ୍ତରେ ଲୋପ ପାଇଯାଏ ଓ ସେହି ବ୍ୟକ୍ତି ସଲିଳ ସମାଧି ଲାଭ କରେ ତାହାର ଯେପରି ବର୍ଣ୍ଣନା ରହିଛି ତାହା ମଧ୍ୟ ଲୋକବିଶ୍ୱାସକୁ ଉଜ୍ଜୀବିତ କରିଦିଏ । ଜୀବନ ପାଣିଫୋଟକା ପରି ଓ ସୁଖ, ଅଳୀକ । ସତ୍ୟ ହେଉଛି ମୃତୁ । ‘ତାଲିକ କିଳିତ ଗୃହେ’ ତାହା ଅବାରିତ ଭାବରେ ପ୍ରବେଶ କରେ । ଲୋକ ସଂସ୍କୃତିର ଏହି ବିଶ୍ୱାସ ‘ମହାଯାତ୍ରା’ରେ ଗୃହୀତ । ‘ଯଯାତି କେଶରୀ’ କାବ୍ୟରେ ମଧ୍ୟ ଭାଗ୍ୟ, ନିୟତି ଓ ଦୈବ କୃପାର ବର୍ଣ୍ଣନା ରହିଅଛି । ଉତ୍କଳର ରାଜକନ୍ୟା ଲଳିତାକୁ ଦେଖି ଯଯାତିଙ୍କର ଯେପରି ମାନସିକ ଭାବାନ୍ତର ଦେଖା ଦେଇଛି ଓ ସେହି ପ୍ରସଙ୍ଗରେ କବି ଯେପରି ଲଳିତାକୁ ପାଇବା ଆକାଶ କୁସୁମ ଓ ବାମନର ଚନ୍ଦ୍ର ଧରିବା ସହିତ ତୁଳନା କରିଅଛନ୍ତି ତାହା ଲୋକ ତତ୍ତ୍ୱର ପରିଚାୟକ ମାତ୍ର । ଭାଗ୍ୟ ଓ ଦେବୀ କୃପା ଯଯାତିଙ୍କୁ ପରିଣତିରେ ଉତ୍କଳର ରାଜା କରାଇଛି ଓ ଲଳିତା ସହିତ ଯଯାତିଙ୍କର ବିବାହ କରାଇଛି । ‘‘ଉର୍ବଶୀ’’ କାବ୍ୟରେ ଭାଗ୍ୟର ଯେପରି ପ୍ରଭାବ ରହିଛି ସେହିପରି ଅଛି ସୁଖରେ ଅଳୀକତା ସଂପର୍କରେ ବର୍ଣ୍ଣନା । “ଦରବାର’’ କାବ୍ୟରେ ଲୋକ ସଂସ୍କୃତିର ନାନା ପ୍ରସଙ୍ଗର ବର୍ଣ୍ଣନା ଥିଲେ ମଧ୍ୟ ସେଥିରେ କାଳ ଓ ଭାଗ୍ୟର ରହିଛି ଅପ୍ରତିହତ ପ୍ରଭାବ । କବି ଏହି କାବ୍ୟରେ କହନ୍ତି-

 

ବଡ଼ କ୍ରୁର କାଳ ବଡ଼ ଅବିଶ୍ଵାସୀ

ହାବୋଡ଼ି ଯିବ ସେ ଆଚମ୍ବିତେ ଆସି,

ଦୂରବର୍ତ୍ତୀ ଜାଣି କାଳକୁ ଯେ ହସ୍ତେ

ହସି ସେ ତା’ ପଛେ ଆସି ଲୁଚି ବସେ ।

 

ମଣିଷକୁ ଭୋଗିବାକୁ ହୁଏ ‘ଜୁର ଭାଗ୍ୟ ଫଳ’ । ଭାଗ୍ୟ ନିକଟରେ ତା’ର ସକଳ ପାର୍ଥିବ ଶକ୍ତି ବ୍ୟର୍ଥ ହୋଇଯାଏ । ମର୍ତ୍ତ୍ୟରେ ଥିବା ପର୍ଯ୍ୟନ୍ତ ମଣିଷ ଇଚ୍ଛା କରେ ବିଳାସ ବ୍ୟସନ ଭିତରେ ଜୀବନ କଟାଇବାକୁ । ଯେତେବେଳେ ସେ ମର୍ତ୍ତ୍ୟ-ଜୀବନ ଶେଷ କରି ବିଦାୟ ନିଏ ସେତେବେଳେ ସେ ଖାଲି ହାତରେ ଚାଲିଯାଏ । ଘର ଦ୍ୱାର ଧନ ସଂପତ୍ତି ସୁନା ରୂପା ସବୁ ପଡ଼ି ରହେ । କିଛି ସାଙ୍ଗରେ ଯାଏ ନାହିଁ । ଲଙ୍ଗଳା ହୋଇ ଜନ୍ମ ହୋଇଥାଏ । ପୁଣି ଲଙ୍ଗଳା ହୋଇ ଚାଲିଯାଏ । ଲୋକୋକ୍ତିଟି ଧ୍ୱନିତ ହୁଏ ‘ଆସିଅଛୁ ଲଙ୍ଗଳା ତୁ ଯିବୁରେ ଲଙ୍ଗଳା’ ଗଲାବେଳେ ଛଅଖଣ୍ଡି କାଠ ମାତ୍ର ଲୋଡ଼ା ହୁଏ । ସାତ ଚାଖଣ୍ଡର କୀଟ ମଣିଷ । ମାଟିର ଘର ତା’ର ମିଶିଯାଏ ମାଟିରେ । ଲୋକ-ସଂସ୍କୃତିର ଏହି ଚିନ୍ତା କବିଙ୍କୁ ଯେ କେତେ ପରିମାଣରେ ପ୍ରଭାବିତ କରିଛି ତାହା ‘ଦରବାର’ କାବ୍ୟରୁ ସ୍ପଷ୍ଟ ହୋଇଯାଏ । କବି ଉପଲବ୍ଧି କରିଅଛନ୍ତି ଯେ ମଣିଷ ଯେତିକି କର୍ମଫଳ ଓ ମୃତ୍ୟୁ ସଚେତନ ହୁଏ ସେତିକି ସେ ପାପ ଓ ଅନ୍ୟାୟ କାର୍ଯ୍ୟରୁ ନିବୃତ ହୁଏ । ଏହି କାରଣରୁ କବି ମଧ୍ୟ ହୋଇଛନ୍ତି ଭାଗ୍ୟବାଦୀ ଓ ମୃତ୍ୟୁ ସଚେତନ । ଲୋକେ ଯମଙ୍କୁ ଧର୍ମଦେବତା କହନ୍ତି । ତାଙ୍କର ତରାଜୁ ଦୁନିଆ ବାହାର । ତାଙ୍କ ନିକଟରେ ଜେତା ଓ ଜତ, କଳା ଓ ଗୋରା, ଧନୀ ଓ ନିର୍ଦ୍ଧନ, ଜାତି ଓ ଅଜାତି, ବଡ଼ ଓ ସାନ ସବୁ ସମାନ । ରାଜା ଉପରେ ପ୍ରଜାକୁ, ସବାର ଉପରେ ସଇସକୁ, ଜଜ୍ ଉପରେ ଆସାମୀକୁ, ସିଂହ ଉପରେ ଶଶାକୁ, ବଳୀ ଉପରେ ନିର୍ବଳକୁ, ଭୂସ୍ୱାମୀ ଉପରେ ରଇତକୁ, ବ୍ରାହ୍ମଣ ଉପରେ ଚଣ୍ଡାଳକୁ, ମହାଜନ ଉପରେ ଖାତକକୁ ସେ ବସାଇ ଦିଅନ୍ତି । ଲୋକ ଏଥିରେ ବିଶ୍ୱାସ କରନ୍ତି । ଏହି ଲୋକ ସଂସ୍କୃତିରୁ ଗତି କରିଛି ଶିଷ୍ଟ ସଂସ୍କୃତିକୁ । ରାଧାନାଥ ଉପଲବ୍ଧି କରିଛନ୍ତି ଏ କଥାକୁ ଓ ତାହାକୁ ସେ ସ୍ରମ୍ଭାନ୍ତ ଆବରଣ ଭିତରେ କାବ୍ୟରେ ରୂପ ଦେଇଅଛନ୍ତି ।

 

ଯମ ଓ ଚିତ୍ରଗୁପ୍ତ ପୁରାଣର ଚରିତ୍ର । ଅଥଚ ଲୋକସଂସ୍କୃତିରେ ସେମାନଙ୍କର ପ୍ରଭାବ ଗଭୀର । ଚିତ୍ରଗୁପ୍ତଙ୍କ ପାଞ୍ଜି ଓ ଯମଙ୍କ ବିଚିତ୍ର ଦଣ୍ଡ ଅବସ୍ଥା କେତେ ଭାବରେ ଲୋକଙ୍କ ଭିତରେ ପ୍ରଚଳିତ । ‘ସାବିତ୍ରୀ ଚରିତ’ କାବ୍ୟରେ କବି ଯମଙ୍କ ପ୍ରସଙ୍ଗର ଅବତାରଣା କରିଅଛନ୍ତି । ପୁରାଣର ଏହି ପ୍ରସଙ୍ଗ ଲୋକ-ସଂସ୍କୃତିରେ କାୟା ବିସ୍ତାର କରିଯାଇଛି । ବ୍ରତ କଥାରେ ମଧ୍ୟ ଏହାର ରହିଛି ଗଭୀର ପ୍ରଭାବ । ସାବିତ୍ରୀ ସତୀତ୍ୱର ମହିମା ପ୍ରତିପାଦନ କରି ଯମଙ୍କଠାରୁ ସ୍ୱାମୀର ପ୍ରାଣ ଫେରିପାଇଛି । ତା’ର ପିତା ପୁତ୍ର ସନ୍ତାନ ଓ ଶ୍ଵଶୁର ଚକ୍ଷୁ ଏବଂ ରାଜ୍ୟ ଲାଭ କରିଅଛନ୍ତି । ଏହି କାବ୍ୟରେ କବି ଉଲ୍ଲେଖ କରିଅଛନ୍ତି- ‘ଭବିତବ୍ୟତାର ପଥେ କିଏ ଦେବ ବାଧା ?’ ଏହା କବିଙ୍କର କେବଳ ନୁହେଁ, ଲୋକ-ସଂସ୍କୃତିର ବିଶ୍ଵାସ । ନିୟତି ଲିପି ଅଲଙ୍ଘନୀୟ । ସାବିତ୍ରୀ କିନ୍ତୁ ଧର୍ମ ଓ ସତୀତ୍ୱ ବଳରେ ‘ନିୟତି ଲିପି’କୁ ଖଣ୍ଡନ କରିପାରିଛି । ତେଣୁ ସେ ହୋଇଯାଇଛି ହିନ୍ଦୁ ସଂସ୍କୃତିରେ ଆଦର୍ଶ ନାରୀ ଓ ଉପାସ୍ୟା । ସାବିତ୍ରୀ କାହାଣୀ ଏକ ମିଥ୍ରେ ପରିଣତ ହୋଇଯାଇଛି । ସେହି ମିଥ୍‍କୁ କବି ଦେଇଛନ୍ତି କାବ୍ୟ-ରୂପ ।

 

ଲୋକ-ସଂସ୍କୃତିର ଦୈବ, ଭାଗ୍ୟ, ବିଧି-ବିଧାନ, ମୃତ୍ୟୁ, ଚିତ୍ରଗୁପ୍ତ ପାଞ୍ଜି ପ୍ରସଙ୍ଗକୁ କବି ଯେପରି କାବ୍ୟକ ମର୍ଯ୍ୟାଦା ଦେଇଅଛନ୍ତି ସେହିପରି ମଧ୍ୟ ଧର୍ମ ଭାବନା ଓ ଧର୍ମର ମହତ୍ତ୍ୱକୁ ବାରମ୍ବାର କାବ୍ୟ ଭିତରେ ସୂଚାଇ ଦେଇଅଛନ୍ତି । ଜଗନ୍ନାଥ ଦାସଙ୍କ ଭାଗବତର ପଦ ‘ଧନ ଅର୍ଜନେ ଧର୍ମ କରି/ଧର୍ମେ ପ୍ରାପତ ନରହରି’ ଲୋକ ସମାଜରେ ଗଭୀର ପ୍ରଭାବ ପକାଇଅଛି । ଧର୍ମ-ଡଙ୍ଗାରେ ବସି ସଂସାର ସାଗରକୁ ପାରି ହେବା ପାଇଁ ଲୋକେ କହନ୍ତି । ଧର୍ମରେ ଆତଯାତ ହେଲେ ମଣିଷ ମୁକ୍ତି ପାଏ । ଧର୍ମ ହିଁ ଶୂନ୍ୟ ବ୍ରହ୍ମ । ସକଳ ଘଟରେ ସେ ପୂରି ରହିଛନ୍ତି । ଭୀମଭୋଇ କହନ୍ତି- ‘ଧର୍ମନାବରେ ବସ ସବୁ / ଭୟରୁ ଉଦ୍ଧାରିବେ ପ୍ରଭୁ ।’ ଲୋକେ ସରଳ ଧର୍ମ ବିଶ୍ୱାସୀ । ପାପ ପୁଣ୍ୟ, ସ୍ଵର୍ଗ ନରକର ବିଚାର ସେମାନଙ୍କର ଥାଏ । ପାପ କଲେ ଯମଦଣ୍ଡ ଭୋଗିବାକୁ ହୁଏ । ତେଣୁ ଲୋକେ ପାପ କରିବାକୁ ଭୟ କରନ୍ତି । ରାଧାନାଥ ଲୋକସଂସ୍କୃତିର ଏହି ଧର୍ମ ପ୍ରସଙ୍ଗକୁ ଗଭୀର ଭାବରେ ଉପଲବ୍ଧ କରିଅଛନ୍ତି । ‘ନନ୍ଦିକେଶ୍ଵରୀ’ କାବ୍ୟରେ ତେଣୁ କହନ୍ତି – ‘ଧର୍ମ ଅସ୍ତ୍ରେ ଯେହୁ କରନ୍ତି ବିଜୟ / ଯୁଦ୍ଧ କ୍ଷେତ୍ର ତାଙ୍କ ମନୁଷ୍ୟ-ହୃଦୟ ।’ କାଳ କାଳ ଧରି ଲୋକସମାଜରେ ପ୍ରଚଳିତ ହୋଇଛି ବିଶ୍ୱାସଟିଏ– ‘ଧର୍ମର ଜୟ, ପାପର କ୍ଷୟ ।’ ବାହୁ-ବଳ ଶତ୍ରୁ-ଭୀତି ଉପୁଜାଏ । ଧର୍ମବଳ ଶତ୍ରୁ-ପ୍ରୀତି ଜାତ କରେ । ତେଣୁ କବି ଧର୍ମକୁ ପ୍ରମୁଖ କରି ଉକ୍ତ କାବ୍ୟରେ ଯୁଦ୍ଧ ବିରୋଧୀ ଚିନ୍ତାଧାରାଟିଏ ସୃଷ୍ଟି କରି ଶାନ୍ତି ଓ ସହାବସ୍ଥାନ ଉପରେ ଗୁରୁତ୍ୱ ଆରୋପ କରିଅଛନ୍ତି । ‘ଦରବାର’ କାବ୍ୟରେ ମଧ୍ୟ ଧର୍ମର ମହିମାକୁ ଦର୍ଶାଇ ଦେଇଛନ୍ତି ।

 

ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି

ତରିବାକୁ ଏହି ସଂସାର ବାରିଧି,

ଧର୍ମ ଏକା ସିନା ମହତ ପଣିଆ

ଆଉ ବଡ଼ ପଣ ଅଢ଼େଇ ଦିନିଆ ।

 

ଧର୍ମ ମଣିଷ ଭିତରେ ସୃଷ୍ଟି କରେ ମହତ ପଣିଆ । ସେହି ଦିବ୍ୟଗୁଣକୁ କେହି ଛଡ଼ାଇ ନେଇପାରେ ନାହିଁ । ମଲାବେଳେ ଧର୍ମ ହିଁ କେବଳ ଯାଏ ମଣିଷ ସହିତ । ସ୍ତ୍ରୀ, ପୁତ୍ର, କନ୍ୟା, ବନ୍ଧୁ-ବାନ୍ଧବ କେହି ସାଙ୍ଗରେ ଯାଆନ୍ତି ନାହିଁ । ଲୋକ-ସଂସ୍କୃତିର ଧର୍ମ ପ୍ରତି ଏହି ଅଖଣ୍ଡ ବିଶ୍ୱାସକୁ କବି ବିଭିନ୍ନ କାବ୍ୟରେ ରୂପ ଦେଇ ଅଛନ୍ତି । ଧର୍ମ-ବିଶ୍ଵାସ ଲୋକଙ୍କ ଭିତରେ ଏତେ ଗଭୀର ଯେ ସେମାନେ କାଠ ପାଷାଣକୁ ମଧ୍ୟ ଦେବତା ଜ୍ଞାନ କରି ପୂଜା କରନ୍ତି । ଦେବତାଙ୍କୁ ମାନବାୟିତ କରିଦେଇ ଆପଣା ଭିତରେ ସେମାନଙ୍କୁ ଗ୍ରହଣ କରିନିଅନ୍ତି । ମଣିଷର କିଛି ବୈଶିଷ୍ଟ୍ୟ ଦେଖିଲେ ତାହାଙ୍କୁ ଦେବତାରେ ପରିଣତ କରିଦିଅନ୍ତି- ଯେମିତି କେଦାର ଗୌରୀ ଲୋକବିଶ୍ୱାସରେ ଦେବଦେବୀ ହୋଇ ଯାଇଛନ୍ତି । ଏହା ପାଲଟି ଯାଇଛି ଗୋଟିଏ ମିଥ୍ । ‘ଚନ୍ଦ୍ରଭାଗା’ରେ ସୂର୍ଯ୍ୟଙ୍କୁ କାମୁକ ଓ ଲଂପଟ ରୂପେ ଚିତ୍ରଣ କରାଯାଇଛି । ସେ ଋଷି କନ୍ୟା ଚନ୍ଦ୍ରଭାଗାକୁ ରମଣ କରିବା ପାଇଁ ଗୋଡ଼ାଇବାରୁ ଚନ୍ଦ୍ରଭାଗା ଆତ୍ମହତ୍ୟା କରିଦେଇଛି । ଋଷି ସୁମନ୍ୟୁଙ୍କ ଅଭିଶାପରେ ଭାଙ୍ଗିଯାଇଛି ସୂର୍ଯ୍ୟଙ୍କ ମନ୍ଦିର । ଅଭିଶାପ ପ୍ରସଙ୍ଗ ଲୋକ-ସଂସ୍କୃତିର ନିଦର୍ଶନ । ଏହି କାବ୍ୟରେ ତାହା ସୂଚିତ । କବି ଉକ୍ତ କାବ୍ୟରେ ଶ୍ରୀ ଜଗନ୍ନାଥଙ୍କ ପୁଷ୍ୟାଭିଷେକ ବା ରାମାଭିଷେକ ପ୍ରସଙ୍ଗକୁ ଆରମ୍ଭରେ ବର୍ଣ୍ଣନା କରି ଲୋକ ସମାଜରେ ଜଗନ୍ନାଥଙ୍କ ପ୍ରଭାବକୁ ଦର୍ଶାଇ ଦେଇଅଛନ୍ତି । ଜଗନ୍ନାଥ ପରମ ବିଷ୍ଣୁ । ସକଳ ଦେବତା ତାଙ୍କର ଅଧୀନ । ତାଙ୍କୁ ଶ୍ରୀରାମଙ୍କ ସହିତ ଅଭିନ୍ନ କରାଯାଇ ତାଙ୍କର ରାଜ ଅଭିଷେକ ବ୍ୟବସ୍ଥା କରାଯାଇଛି । ଓଡ଼ିଶୀ ସଂସ୍କୃତିରେ ଜଗନ୍ନାଥ ହିଁ ରାଜାଧିରାଜା । ତାଙ୍କୁ ଦର୍ଶନ କରିବା ପାଇଁ ଆସିଛନ୍ତି ହରଚଣ୍ଡୀ, ଭଗବତୀ, ଭୁବନେଶ୍ଵରୀ, ମୈନାକେଶ୍ଵରୀ, ଚର୍ଚ୍ଚିକା, ଚଣ୍ଡିକା, କଟକଚଣ୍ଡୀ, ମଙ୍ଗଳା, ଶାରଳା, କାଳିଜାଈ, ନବଗ୍ରହ, ସୂର୍ଯ୍ୟ, କାମଦେବ ଓ ରତି ଆଦି ଦେବଦେବୀଗଣ । ସେମାନେ ସମସ୍ତେ ଜଗନ୍ନାଥଙ୍କ ସିଂହଦରଜା ପାଖରେ ଅପେକ୍ଷମାଣ । ଜଗନ୍ନାଥଙ୍କୁ ଦର୍ଶନ କରି ଭେଟି ଦେଇ ବିଦାୟ ନେବେ । ଓଡ଼ିଶାରେ ରାଜ-ପରଂପରାରେ ଏହି ଭେଟି ଦେବା ପ୍ରଥାଟି ପ୍ରଚଳିତ ଥିଲା । ଲୋକେ ଏ ବିଷୟରେ ଅବହିତ ଥିଲେ । ଲୋକେ ମଧ୍ୟ ରାଜା ଜମିଦାରଙ୍କୁ ଭେଟି ଦେଉଥିଲେ । କବି ଲୋକ ପରମ୍ପରାରେ ଏ କଥାକୁ ଉପଲବ୍ଧି କରିଥିଲେ ଓ ଜଗନ୍ନାଥଙ୍କୁ ଦର୍ଶନ କରି ଭେଟି ଦେବା ପାଇଁ ଦେବଦେବୀଙ୍କୁ ଆଣି ଛିଡ଼ା କରାଇ ଦେଲେ । ସେ ସ୍ଵର୍ଗର ଦେବତାଙ୍କୁ ଆଣିଲେ ନାହିଁ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଯେଉଁ ଦେବଦେବୀମାନେ ଉପାସିତ ସେହିମାନଙ୍କୁ ମାନବାୟିତ କରି ଓ ଆଂଚଳିକ ବେଶ ପୋଷାକରେ ସଜ୍ଜିତ କରି ଛିଡ଼ା କରାଇ ଦେଲେ । ସେଥିରେ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ସହିତ ବିଭିନ୍ନ ଧର୍ମ ମଧ୍ୟରେ ସମନ୍ୱୟ କରିବା ପାଇଁ ଲୋକ-ଧର୍ମ ଓ ଲୋକ-ଦେବତାଙ୍କୁ ରୂପ ଦେଲେ । ଲୋକ-ବିଶ୍ଵାସ ଧର୍ମକୁ ନେଇ ଯେପରି ଗଢ଼ି ଉଠିଛି ତାହାକୁ ସୂଚାଇଦେଲେ ।

 

ଲୋକ-ସଂସ୍କୃତିରେ ଦେବତା ସ୍ୱପ୍ନରେ ବା ପ୍ରତ୍ୟକ୍ଷ ଭାବରେ ଆତ୍ମପ୍ରକାଶ କରନ୍ତି ଓ ଲୋକେ ସେଥିରେ ବିଶ୍ୱାସ କରି ସେହି ଅନୁସାରେ କାର୍ଯ୍ୟ କରନ୍ତି । ଓଡ଼ିଶାରେ ପ୍ରଚଳିତ ଓଷାବ୍ରତ କଥା ଓ ପ୍ରାଚୀନ ଓଡ଼ିଆ ସାହିତ୍ୟଠାରୁ ଆରମ୍ଭ କରି ରାଧାନାଥଙ୍କ ଯୁଗ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖୁବାକୁ ମିଳିଥାଏ । ‘ନନ୍ଦିକେଶ୍ଵରୀ’ କାବ୍ୟରେ ଗଡ଼ଚଣ୍ଡୀ ରାଜା ସୁବର୍ଣ୍ଣ କେଶରୀଙ୍କୁ ସ୍ୱପ୍ନରେ ତାଙ୍କର ଭବିତବ୍ୟ କଥା କହିବା ବା ଜୈତ୍ରମଣି ପ୍ରଦାନ କରିବା ପ୍ରସଙ୍ଗ ବର୍ଣ୍ଣିତ । ‘ଉଷା’ କାବ୍ୟରେ ଜୟନ୍ତକୁ କାର୍ତ୍ତିକେୟଙ୍କର ବରଦାନ ଓ ସ୍ଵର୍ଣ୍ଣ କମଳ ପ୍ରଦାନ, ତାଙ୍କ କୃପାରୁ ଦୌଡ଼ ପ୍ରତିଯୋଗିତାରେ ଜୟନ୍ତର ବିଜୟ, ଉଷା ଓ ଜୟନ୍ତର ବିବାହ ଅବକାଶରେ ମୃତ୍ୟୁ, ରାଜା ଓ ରାଣୀଙ୍କର କ୍ରନ୍ଦନ, ଶୂନ୍ୟବାଣୀ, ଉଷା ଓ ଜୟନ୍ତଙ୍କର ପୂର୍ବଜନ୍ମ ଓ ସେମାନଙ୍କ ପ୍ରତି ଅଭିଶାପ ବର୍ଣ୍ଣିତ । ଲୋକ-ସଂସ୍କୃତିରେ ଅଛି ଯେ କୌଣସି ଦେବତାଙ୍କ ପ୍ରତି ଅବଜ୍ଞା କଲେ ସେ କ୍ରୋଧ ପ୍ରକାଶ କରନ୍ତି ଓ ଅଭିଶାପ ଦିଅନ୍ତି । ଓଷା ଓ ବ୍ରତ କଥାମାନଙ୍କରୁ ଏହାର ଅନେକ ଦୃଷ୍ଟାନ୍ତ ଦେଖୁବାକୁ ମିଳେ । ରାଧାନାଥ ଲୋକ-ତତ୍ତ୍ୱର ଏହି କଥାକୁ ନେଇ ସ୍ଵର୍ଗର ଅପ୍‍ସରା ତିଳୋତ୍ତମା ଓ ଗନ୍ଧର୍ବ ଚିତ୍ରରଥ ଦେବୀଙ୍କୁ ଅବଜ୍ଞା କରିବାରୁ ତାଙ୍କ ଅଭିଶାପରେ ମର୍ତ୍ତ୍ୟରେ ଜନ୍ମ ହୋଇଥିବା ପ୍ରସଙ୍ଗକୁ ନୂତନ କାବ୍ୟକ ରୂପ ପ୍ରଦାନ କରିଅଛନ୍ତି । ପାର୍ବତୀ କାବ୍ୟରେ ନୀଳାଚଳ କ୍ଷେତ୍ରରେ ଦୋଳ ମହୋତ୍ସବ ପାଳନ ଓ ଫଗୁଖେଳ ବର୍ଣ୍ଣନା ସହିତ ଲୋକ-ବିଶ୍ଵାସ ଅନୁସାରେ ପ୍ରେତର ଆତ୍ମଦୁଃଖ ବର୍ଣ୍ଣନା, ନୀଳାଚଳରେ ପ୍ରତ୍ୟୁଷ ସମୟରେ ପ୍ରେତ ଯୋନିର ଭ୍ରମଣ ନିଷେଧ, ମାଦଳା ପାଞ୍ଜିର ବର୍ଣ୍ଣନା ଅନୁସାରେ ଯିଏ ଯେଉଁ ଗଛ ଲଗାଏ ସିଏ ସେହି ଗଛର ଫଳ ଖାଇବା ନ୍ୟାୟରେ ରାଜା ଗଙ୍ଗେଶ୍ଵରଙ୍କର କନ୍ୟାକୁ ଉପଭୋଗ ଓ ତାହାର ମୃତ୍ୟୁ ବିଧାନ, ପ୍ରେତରୂପିଣୀ କନ୍ୟାଠାରୁ ସମସ୍ତ କଥା ଅବଗତ ହୋଇ ରାଣୀଙ୍କର ତୀବ୍ର ମାନସିକ ପ୍ରତିକ୍ରିୟା ଓ ସ୍ୱାମୀକୁ ବିନାଶ କରିବା ପାଇଁ ସଂକଳ୍ପ, ଫୁଲ ଦୋଳିରେ ବସାଇ ରାଜାଙ୍କୁ ଝୁଲାଇଲା ବେଳେ କଟାର ସାହାଯ୍ୟରେ ତାଙ୍କୁ ହତ୍ୟା, ନୀଳଚକ୍ରରୁ ଜ୍ୟୋତି ଆସି କଟାରରେ ପ୍ରବେଶ ଓ ପ୍ରତ୍ୟାଗମନ ଇତ୍ୟାଦି ଘଟଣାକୁ ଯେପରି କବି ରୂପ ଦେଇଅଛନ୍ତି ତାହା ଲୋକତତ୍ତ୍ୱର ନିଦର୍ଶନ ପରି ମନେହୁଏ ।

 

ସ୍ୱପ୍ନ-ଦର୍ଶନରେ ବିଶ୍ଵାସ, ଭୂତପ୍ରେତରେ ଆସ୍ଥା, ଦେବଦେବୀଙ୍କ ଅଭିଶାପ, ଦେବତାଙ୍କ ବରଲାଭ ଦ୍ଵାରା ଅସାଧ୍ୟ ସାଧନ, ଦେବତାଙ୍କୁ ମାନବାୟିତ ରୂପ ପ୍ରଦାନ, ପାପୀ ଓ ନରାଧମଙ୍କ ପ୍ରତି ଶାସ୍ତି, ଧର୍ମ ଓ ନୈତିକତାର ମହିମା, ପୂଜା ପାର୍ବଣ, ବ୍ରତନିଷ୍ଠା ଇତ୍ୟାଦି ନାନା କଥା ଲୋକ-ସଂସ୍କୃତିର ଉପାଦାନ । ଏସବୁକୁ କବି ବିଭିନ୍ନ କାବ୍ୟରେ ମର୍ଯ୍ୟାଦା ଦେଇଅଛନ୍ତି । ପୌରାଣିକତାମୂଳକ ମୋଟିଫ ବା ଅଭିପ୍ରାୟକୁ ଚମତ୍କାର ଭାବରେ ଉପସ୍ଥାପନ କରିଅଛନ୍ତି । ଓଡ଼ିଶାର ଲୋକସଂସ୍କୃତିରେ ପୁରାଣର ପ୍ରଭାବ ଅପ୍ରତିହତ । କାବ୍ୟର ଗତି-ପ୍ରବାହ ଭିତରେ କବି ଲୋକଙ୍କ ପୁରାଣ-ମାନସିକତାକୁ ସାମିଲ କରିଦେଇଛନ୍ତି– କେଉଁଠି ସିଧା ସଳଖ ପୁରାଣ-କଥା ଭାବରେ, ଅନ୍ୟ କେଉଁଠି ବ୍ୟଂଜନା ରୂପରେ ଓ ଅନ୍ୟ କେଉଁଠି ମିଥ୍ ଭାବରେ । ସ୍ଥାନୀୟ କିମ୍ବଦନ୍ତୀ ସହିତ ମଧ୍ୟ ପୁରାଣକୁ ମିଶାଇ ଦେଇଛନ୍ତି । ‘ଚନ୍ଦ୍ରଭାଗା’ କାବ୍ୟରେ ପରଶୁରାମଙ୍କ ଶିଷ୍ୟ ସୁମନ୍ୟୁ ଋଷିଙ୍କ ଅଭିଶାପରେ ସୂର୍ଯ୍ୟଙ୍କ ଆବାସ କ୍ଷେତ୍ର କୋଣାର୍କ ମନ୍ଦିର ଭାଙ୍ଗିଯିବା ଘଟଣାକୁ ଏପରି ଭାବରେ ରୂପ ଦେଇଅଛନ୍ତି ଯାହା ପୁରାଣର କଂକାଳ ଦେହରେ ନୂତନ ମେଦମାଂସ ପରି ମନେହୁଏ । ପୁନଶ୍ଚ ଏଥିରେ କାମଦେବ ଓ ସୂର୍ଯ୍ୟଙ୍କର ପରସ୍ପର ପ୍ରତି ଆକ୍ଷେପମୂଳକ କଥାବାର୍ତ୍ତା, ହରିକୋପାନଳରେ ମଦନ-ଭସ୍ମ ଓ ରତି-ବିଳାପ ହେତୁ ନବଜନ୍ମ, ଦମୟନ୍ତୀ ସ୍ଵୟଂବର, ଭୋଜରାଜ ସୁତା କୁନ୍ତୀଙ୍କ ସହିତ ସୂର୍ଯ୍ୟଙ୍କର ରମଣ ଓ ବୀର୍ଯ୍ୟଶାଳୀ ପୁତ୍ର କର୍ଣ୍ଣଙ୍କର ଜନ୍ମ, ‘ଉଷା’ କାବ୍ୟରେ ମହେନ୍ଦ୍ର ପର୍ବତରେ ପରଶୁରାମଙ୍କ ଆଶ୍ରମ, ‘ପାର୍ବତୀ’ କାବ୍ୟରେ ଦଧୀଚି ମୁନିଙ୍କ ମାହାତ୍ମ୍ୟ ଓ ତାଙ୍କ ନାମାନୁସାରେ ଦୟାନଦୀର ନାମକରଣ, ବନ ଗହନରେ ନିର୍ବାସିତା ସୀତାଙ୍କ ସ୍ମୃତି, କାଳିନ୍ଦୀ କୂଳରେ ଶ୍ୟାମ ବିରହିଣୀ ବୃଷଭାନୁ । ସୁତା ଶ୍ରୀରାଧାଙ୍କ ଚିତ୍ର, ସମୁଦ୍ର-ମନ୍ଥନରୁ ଜାତ ଲକ୍ଷ୍ମୀଙ୍କ ବ୍ୟଞ୍ଜନା, ନନ୍ଦିକେଶ୍ଵରୀ’ କାବ୍ୟରେ ଦେବବ୍ରତ ଭୀଷ୍ମଦେବଙ୍କର ବୈଷ୍ଣବ ଧର୍ମ ସ୍ଥାପନ, ଜନନୀ ଗଙ୍ଗାଙ୍କ କରୁଣା ଅଭାବରେ ଭୀଷ୍ମଙ୍କ ମୃତ୍ୟୁ, ‘ଚିଲିକା’ କାବ୍ୟରେ ହ୍ରଦ ମଧ୍ୟରେ ଉପରକୁ ମୁଣ୍ଡଟେକି ଉଠିଥିବା ଚଢ଼େଇଗୁହରେ ଧଳା ଦେଖାଯାଉଥିବା ଚଢ଼େଇଗୁହା ପର୍ବତକୁ ଇନ୍ଦ୍ରଙ୍କ ହସ୍ତୀ ଐରାବତ ସହିତ ତୁଳନା, ଇନ୍ଦ୍ରଙ୍କ ଭୟରେ ଚିଲିକା ଗର୍ଭରେ ଲୁଚିରହିଥିବା ଶୈଳ, ହରଜଟା-ଭ୍ରଷ୍ଟା ତ୍ରିପଥଗା, ଖର-ଦୃଷଣ-ତ୍ରିଶିରା ଆଧ୍ୟୁଷିତ ଅଟବୀ ଦଣ୍ଡକା, ମୈଥିଳୀ ପାଳିତ କେକୀ ବଂଶଧର, ମୟ ବିରଚିତ ପୁଷ୍ପକ ବିମାନରେ ବୈରୋଚନିଙ୍କ ଗମନ, ‘ମହାଯାତ୍ରା’ରେ ଯୁଧିଷ୍ଠିର ପତ୍ନୀ ଓ ଭାଇମାନଙ୍କ ସହିତ ସ୍ୱର୍ଗାରୋହଣ ପଥରେ ଯାତ୍ରା, ଯଦୁବଂଶ ଅବତଂସ-ଶ୍ରୀକୃଷ୍ଣଙ୍କର ଦେହାନ୍ତ, ପରୀକ୍ଷିତଙ୍କର ସିଂହାସନାରୋହଣ, ଯୁଯୁସୁଙ୍କର ପ୍ରତିନିଧି ଭାବରେ ଯୋଗଦାନ, କଳ୍ପବଟର ମହିମା, ନୈମିଷ୍ୟାରଣ୍ୟର ମାହାତ୍ମ୍ୟ, ଗୟାସୁରର ମେଦ ଉପରେ ଗୟାପୁରୀ ପ୍ରତିଷ୍ଠା, ରାଜଗିରିଠାରେ ଜରାସନ୍ଧକୁ ଭୀମଙ୍କର ଶ୍ରୀକୃଷ୍ଣଙ୍କ କୌଶଳରେ ହତ୍ୟା, ଭଗୀରଥଙ୍କ ତପସ୍ୟା ଦ୍ୱାରା ଗଂଗାଙ୍କର ମର୍ତ୍ତକୁ ଆଗମନ, ଅଗ୍ନିଙ୍କ ଉପଦେଶକ୍ରମେ ଅର୍ଜୁନଙ୍କର ସମୁଦ୍ରକୁ ଗାଣ୍ଡୀବ ଧନୁ କ୍ଷେପଣ, ପ୍ରଭାସ କ୍ଷେତ୍ରରେ ଯଦୁବଂଶର କ୍ଷୟ, ଶ୍ରୀରାମଙ୍କ ବାଣରେ ବିରାଧ ଅସୁରର ମୁକ୍ତି, ଅଗସ୍ତିଙ୍କର ଗଣ୍ଡୁଷମାତ୍ରକେ ସମୁଦ୍ରଶୋଷଣ, ଦ୍ରୌପଦୀଙ୍କ ସ୍ଵୟଂବର, ବଶିଷ୍ଠ, ଭୃଗୁ ଓ ପରାଶର ଆଦି ଋଷିଙ୍କ ମହିମା, ‘ଯଯାତି କେଶରୀ’ କାବ୍ୟରେ ବାଣାସୁର କନ୍ୟା ଉଷା ସହିତ କୃଷ୍ଣ-ନନ୍ଦନ ଅନିରୁଦ୍ଧଙ୍କ ପ୍ରଣୟ, ବିରାଟ ନଗରରେ ମଧ୍ୟମ ପାଣ୍ଡବ ଅର୍ଜ୍ଜୁନଙ୍କର ବୃହନ୍ନଳା ରୂପେ ଅବସ୍ଥାନ, ଶ୍ରୀଖଣ୍ଡିନୀର ଗଙ୍ଗାରେ ଝାସ ଓ ପୁରୁଷ ରୂପେ ଜନ୍ମଗ୍ରହଣ କରି ଭୀଷ୍ମଙ୍କୁ ବଧ କରିବାର ସଂକଳ୍ପ, ପାଞ୍ଚଳରେ ଯାଜ୍ଞସେନୀଙ୍କ ସ୍ଵୟଂବର ସଭାରେ ଧନଞ୍ଜୟଙ୍କର ଉପସ୍ଥିତି ଓ ଲାଖବିନ୍ଧି ଦ୍ରୌପଦୀଙ୍କୁ ଆନୟନ, ନଳ ଓ ଦମୟନ୍ତୀ, ସୀତା ଓ ରାମଙ୍କ ପବିତ୍ର ଦାମ୍ପତ୍ୟ ପ୍ରେମର ଜୟଗାନ, “ତୁଳସୀ ସ୍ତବକ’ରେ ପ୍ରସ୍ରବଣ ଶୈଳରେ ଶ୍ରୀରାମ ଲକ୍ଷ୍ମଣଙ୍କର ବର୍ଷକାଳ ଯାପନ, କ୍ଷୀର ସାଗରରେ ଅନନ୍ତଶାୟୀ ବିଷ୍ଣୁ, ‘ଉର୍ବଶୀ’ କାବ୍ୟରେ ଉର୍ବଶୀ ଓ ପୁରୁରବାଙ୍କ ପ୍ରେମ, ‘ଦରବାର’ କାବ୍ୟରେ ଯମ ଓ ଚିତ୍ରଗୁପ୍ତଙ୍କ ପ୍ରସଙ୍ଗ, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ସପତ୍ନୀ କଳହ, ଦଶରଥ ବିୟୋଗ”ରେ ଦଶରଥ, କୌଶଲ୍ୟା, କୈକେୟୀ, ରାମ, ଲକ୍ଷ୍ମଣ ଓ ସୀତାଙ୍କ ପ୍ରସଙ୍ଗ, ‘ସାବିତ୍ରୀ ଚରିତ୍ର’ କାବ୍ୟରେ ଯମ ସାବିତ୍ରୀ ଓ ସତ୍ୟବାନ ପ୍ରସଙ୍ଗ, ‘ମହେନ୍ଦ୍ରଗିରି’ କାବ୍ୟର ପରଶୁରାମଙ୍କ ଆଶ୍ରମ ଇତ୍ୟାଦି ବିଭିନ୍ନ ପ୍ରସଙ୍ଗ ଏପରି ଭାବରେ ବର୍ଣ୍ଣିତ ଯାହା କାବ୍ୟରେ ଚମତ୍କାରିତା ସୃଷ୍ଟି କରେ, ପୌରାଣିକତାମୂଳକ ଅଭିପ୍ରାୟ ସହିତ ପାଠକକୁ ଅବହିତ କରାଇ ଦିଏ ଓ ସର୍ବୋପରି ଏସବୁ ପୌରାଣିକ ଘଟଣା ଓ ଚରିତ୍ର ଲୋକସଂସ୍କୃତିରେ କିପରି କାୟା ବିସ୍ତାର କରିଅଛି ତାହାକୁ ବ୍ୟଞ୍ଜିତ କରିଦିଏ ।

 

ପୌରାଣିକ ଅଭିପ୍ରାୟ ସହିତ କିମ୍ବଦନ୍ତୀ ମୂଳକ ଅଭିପ୍ରାୟ ମଧ୍ୟ ରାଧାନାଥଙ୍କ କାବ୍ୟରେ ଗୁରୁତ୍ୱଲାଭ କରିଅଛି । ତାଙ୍କର କାବ୍ୟ-ମାନସ ଓଡ଼ିଶାର ବିଭିନ୍ନ ସ୍ଥାନର କିମ୍ବଦନ୍ତୀ ଓ ଜନଶ୍ରୁତିକୁ ବିଶେଷ ଗୁରୁତ୍ୱ ଦେଇଥିବା ଲକ୍ଷ୍ୟ କରାଯାଏ । ଲୋକେ କିମ୍ବଦନ୍ତୀ ତିଆରି କରନ୍ତି, ଜନଶ୍ରୁତି ଗଠନ କରନ୍ତି ପୁରାଣ ଓ ଇତିହାସ ନେଇ ସେମାନେ ସେମାନଙ୍କ କଳ୍ପନାକୁ ସଂପ୍ରସାରିତକରି ତିଆରି କରିଦିଅନ୍ତି କିମ୍ବଦନ୍ତୀ ପୁରାଣ ପ୍ରତି ସେମାନଙ୍କର ବିଶେଷ ପ୍ରବଣତା ଥିବାରୁ ବିଶେଷ ବିଶେଷ ଅଞ୍ଚଳ ସହିତ ପୁରାଣ କଥାକୁ ଯୋଡ଼ିଦେଇ ତାହାକୁ ନୂଆ ରୂପରେ ସୃଷ୍ଟି କରିଦିଅନ୍ତି । ଏହା ଲୋକସମାଜର ଆଞ୍ଚଳିକ ପ୍ରୀତିର ପରିଚୟ ଦେଇଥାଏ । ରାଧାନାଥଙ୍କ କାବ୍ୟରେ ତେଣୁ କିମ୍ବଦନ୍ତୀର ଅଛି ବହୁଳ ବ୍ୟବହାର । ସେହି କିମ୍ବଦନ୍ତୀ ଓ ପୁରାକଥା ନେଇଯାଇଛି କାବ୍ୟରୂପ । ‘କେଦାରଗୌରୀ’ କାବ୍ୟ ଜନଶ୍ରୁତି ଆଧାରିତ । ଏଥିରେ ଐତିହାସିକ ସତ୍ୟତା ନାହିଁ । ‘ଚନ୍ଦ୍ରଭାଗା ଓ “ମହାଯାତ୍ରା’ରେ ସୁକାନ୍ତି ଋଷିଙ୍କ ତପୀ ପ୍ରଭାବରୁ ଗଂଗା ଓଡ଼ିଶାରେ ମହାନଦୀ ରୂପରେ ପ୍ରବାହିତ ହୋଇଥିବା ଘଟଣା ପୌରାଣିକତାମୂଳକ କିମ୍ବଦନ୍ତୀ । ନୀଳାଚଳ କ୍ଷେତ୍ରରେ ଏକ ପ୍ରବାଦ ପ୍ରଚଳିତ ଅଛି ଯେ ଦେବତାମାନେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ସ୍ୱର୍ଗଦ୍ୱାରଠାରେ ସମବେତ ହୋଇ ସ୍ୱ ସ୍ୱ ସ୍ଥାନକୁ ଯାଆନ୍ତି । ‘ପାର୍ବତୀ’ କାବ୍ୟରେ ଅନୁରୂପ ଗୋଟିଏ ପ୍ରବାଦ ବର୍ଣ୍ଣିତ । ପ୍ରତ୍ୟୁଷ ସମୟରେ ଇନ୍ଦ୍ରାଦି ଦେବତା ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବାରୁ ସେହି ସମୟରେ ପ୍ରେତଯୋନିମାନେ ରହନ୍ତି ନାହିଁ । ‘ନନ୍ଦିକେଶ୍ୱରୀ’ କାବ୍ୟରେ କବି ତୁଳସୀ କ୍ଷେତ୍ରର ବର୍ଣ୍ଣନା ପ୍ରସଙ୍ଗରେ ଏକ କିମ୍ବଦନ୍ତୀକୁ ରୂପ ଦେଇଅଛନ୍ତି । ବଳରାମ ଲଳିତଗିରିବାସୀ କନ୍ଦରାସୁରକୁ ସଂହାର କରି ତା’ର କନ୍ୟା ତୁଳସୀକୁ ବିବାହ କରିଥିବା ସ୍ଥାନୀୟ କିମ୍ବଦନ୍ତୀଟିକୁ କାବ୍ୟରେ ମାନ୍ୟତା ଦେଇଛନ୍ତି କବି । ଢେଙ୍କା ନାମକ ଶବର ରାଜାଙ୍କ ନାମାନୁସାରେ ଢେଙ୍କାନାଳର ନାମକରଣ, ଚୋରଗଙ୍ଗଙ୍କୁ ଗଙ୍ଗାଙ୍କ ପୁତ୍ର ରୂପେ ଗ୍ରହଣ, ଯଜ୍ଞରୁ ବିରଜାଦେବୀଙ୍କର ଉତ୍ପତ୍ତି, ଚୋରଗଙ୍ଗଙ୍କ ନାମାନୁସାରେ ଚୋରଗଙ୍ଗଦହର ସୃଷ୍ଟି । ମହାନଦୀପଠାରେ ନନ୍ଦିକାର ସମାଧି ନିର୍ମାଣର ବିଶ୍ଵାସ ଆଦି ନାନା ଜନଶ୍ରୁତି ଓ କିମ୍ବଦନ୍ତୀକୁ କବି ଉକ୍ତ କାବ୍ୟରେ ବର୍ଣ୍ଣନା କରି ଲୋକତତ୍ତ୍ୱକୁହିଁ ସୂଚାଇ ଦେଇଅଛନ୍ତି । ‘ଉଷା’ କାବ୍ୟରେ ମାଣିକ ଖମ୍ବ ଓ ପ୍ରଥମ ପଦା (ପୋଢ଼ୁଆଁ ପଦା)ର ସୃଷ୍ଟି, ଉଷାମେଢ଼, ଶିବଙ୍କ ଲଙ୍ଗଳ ଦ୍ୱାରା କର୍ଷିତ ହେବାରୁ ଲାଙ୍ଗଳେଶ୍ୱର ମହାଦେବଙ୍କ ଉତ୍ପତ୍ତି, ଗୋହିରାଟିକରୀ ସ୍ଥାନରେ ମୁକୁନ୍ଦଦେବଙ୍କୁ ହତ୍ୟା, ଶୋଣିତପୁରରେ କାହାରି ଗର୍ବ ନ ରହିବାର ପାରମ୍ପରିକ ବିଶ୍ଵାସ, ରାମଚନ୍ଦ୍ରଙ୍କ ଶରରେ କ୍ଷୀରଚୋରା ଗୋପୀନାଥଙ୍କ ବିଗ୍ରହ ନିର୍ମାଣ, ମୟୁର ଅଣ୍ଡାରୁ ଇଂଜବଂଶର ଉତ୍ପତ୍ତି ଓ ମୟୁରଭଂଜରେ ଭଂଜ ରାଜତ୍ୱ, ମୟୁର ବଧ ନିଷେଧ ଆଦି ଜନଶ୍ରୁତି ଓ କିମ୍ବଦନ୍ତୀ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । ଓଡ଼ିଶାର ଲୋକସଂସ୍କୃତି ଓ ଲୋକସାହିତ୍ୟରେ ଶିବଙ୍କୁ କୃଷକ ଭାବରେ ଚିତ୍ରଣ କରାଯାଇଥିବା ପ୍ରସଙ୍ଗଟିକୁ ଲାଙ୍ଗଳେଶ୍ୱର ମହାଦେବଙ୍କ ଉତ୍ପତ୍ତି ସହିତ ସଂପୃକ୍ତ କରାଇ ଦିଆଯାଇଥିବା ଲକ୍ଷ୍ୟ କରାଯାଏ । ‘ପାର୍ବତୀ’ କାବ୍ୟରେ ଦୟାନଦୀ କୂଳରେ ଦଧୀଚିଙ୍କ ଆଶ୍ରମ ଥିବା ଓ ତାଙ୍କ ନାମାନୁସାରେ ଦୟାନଦୀ (ଦଧିଭଦ୍ରା)ର ନାମକରଣ, ମାଦଳାପାଞ୍ଜିର କାହାଣୀ ଅନୁସାରେ କୌଶଲ୍ୟାଗଙ୍ଗର ଉତ୍ପତ୍ତି, ‘ଚିଲିକା’ କାବ୍ୟରେ ଭଗୃମୁନିଙ୍କ ନାମାନୁସାରେ । ଭାର୍ଗବୀ ନଦୀର ନାମକରଣ, ସତ୍ୟବାଦୀ ନିବାସୀ ଲକ୍ଷ୍ମୀ ନାମ୍ନୀ ଜନୈକା ଦ୍ୱିଜ କନ୍ୟାକୁ ଶ୍ରୀରାଧାଙ୍କ ସହିତ ତର୍କଣା ଓ ଲକ୍ଷ୍ମୀପ୍ରତି ଗୋପୀନାଥଙ୍କର ପ୍ରେମ, ଶ୍ରୀରାଧାଙ୍କ ସୁବର୍ଣ୍ଣ ପ୍ରତିମା ନିର୍ମାଣ ଓ ମୂର୍ତ୍ତିର ପୂର୍ଣ୍ଣତା ଦିନ ଲକ୍ଷ୍ମୀର ଦେହାନ୍ତ, ଶ୍ରୀରାମଚନ୍ଦ୍ରଙ୍କ ଜ୍ୟେଷ୍ଠପୁତ୍ର କୁଶଙ୍କ ବଂଶୋଭୂତ ରୂପେ ମୟୁରଭଂଜ ରାଜବଂଶର ପରିଚୟ ଓ ସେହି ହେତୁ ଉକ୍ତ ରାଜବଂଶକୁ କୌଶେୟ ରୂପେ ଗ୍ରହଣ, ‘ମହାଯାତ୍ରା’ରେ ଅଗସ୍ତ ଋଷିଙ୍କ କଳସରୁ ମଳୟ ପର୍ବତର ଉଦ୍ଭବ, ଅଗସ୍ତୀ ନକ୍ଷତ୍ରର ଉଦୟରେ କଳୁଷିତ ଜଳର ନିର୍ମଳତା, ତାଳଚେର ଅନ୍ତର୍ଗତ ସିଙ୍ଗଡ଼ା ନଦୀରେ ଅକସ୍ମାତ୍ ଅନଳର ଆବିର୍ଭାବ ଓ ତାହା ହିଙ୍ଗୁଳା ଦେବୀରେ ପରିଣତ, ଯଯାତିକେଶରୀ’ କାବ୍ୟରେ ହୀରାକୁ ପରୀକ୍ଷା କରିବା ପାଇଁ ତାହାକୁ ଜଳରେ ବୁଡ଼ାଇବା ଓ ହାତୁଡ଼ିରେ ପ୍ରହାର କରିବାର ଜନବିଶ୍ଵାସ, ‘ମହେନ୍ଦ୍ରଗିରି’ କାବ୍ୟରେ ଅର୍ଜୁନଙ୍କ ଦ୍ଵାରା ପ୍ରତିଷ୍ଠିତ ଗୋକର୍ଣ୍ଣେଶ୍ଵର ଇତ୍ୟାଦି ନାନା ଜନଶ୍ରୁତି ଓ କିମ୍ବଦନ୍ତୀକୁ କବି କାବ୍ୟରେ ରୂପ ଦେଇ ଚମତ୍କାରିତା ସୃଷ୍ଟି କରିବା ସଂଗେ ସଂଗେ ଲୋକତତ୍ତ୍ୱ ସଂପର୍କରେ ଚେତେଇ ଦେଇଥିବା ମନେହୁଏ-

ରାଧାନାଥଙ୍କ ବିଭିନ୍ନ କାବ୍ୟରେ ବର୍ଣ୍ଣିତ ହୋଇଛି ନାନା ସ୍ଥାନ, ନଦନଦୀ, ଦେବଦେବୀ । ଏହି ବର୍ଣ୍ଣନାବେଳେ କବି-ମାନସ ଭ୍ରମଣ କରିଛି ସେହି ସେହି ସ୍ଥାନର ଭୌଗୋଳିକ ପରିବେଶରେ ଓ ଖୋଜିଛି ସ୍ଥାନୀୟ ଜନଶ୍ରୁତି ଓ କିମ୍ବଦନ୍ତୀ । କିମ୍ବଦନ୍ତୀକୁ ରୂପ ଦେଉ ଦେଉ ନୂଆ କିମ୍ବଦନ୍ତୀ ମଧ୍ୟ ସୃଷ୍ଟି କରି ଦେଇଛନ୍ତି । କାବ୍ୟର ବିଷୟ-ବିନ୍ୟାସ ମଧ୍ୟରେ ଆପଣାର ବକ୍ତବ୍ୟ ଓ ଜୀବନ-ଦୃଷ୍ଟିକୁ ବଳବତ୍ତର ଓ ଲୋକବେଦ୍ୟ କରିବା ପାଇଁ ନାନା ପ୍ରବାଦ, ପ୍ରବଚନ, ଲୋକକଥା ଓ ଲୋକୋକ୍ତିକୁ ଆଧାର କରି ଦେଇଅଛନ୍ତି ।

 

ଇତିହାସ ଓ ପୁରାଣରୁ କଥାବସ୍ତୁ ଚୟନ କରିଥିଲେ ହେଁ ସେସବୁ ଜନଶ୍ରୁତି ଓ କିମ୍ବଦନ୍ତୀ ସ୍ପର୍ଶରେ ନୂତନ ସ୍ପନ୍ଦନ ସୃଷ୍ଟି କରିଛି । ଉପକୂଳବର୍ତ୍ତୀ ଜନପଦର କୃଷକ, କୈବର୍ତ୍ତ, ଗୋପାଳ ଆଦି ଲୋକମାନଙ୍କ ସହିତ ଆରଣ୍ୟକ ଅଞ୍ଚଳର କନ୍ଧ, ଗଣ୍ଡ, ଶବର, ଜୁଆଙ୍ଗ, ଭୂୟାଁ, ସାନ୍ତାଳ ଆଦି ଆଦିବାସୀ ସଂପ୍ରଦାୟର ଜୀବନ-ଚର୍ଯ୍ୟାକୁ କାବ୍ୟରେ ରୂପ ଦେଇ କବି ଲୋକ ସଂସ୍କୃତିର ସାମଗ୍ରିକ ଦୃଷ୍ଟିକୋଣକୁ ଉପସ୍ଥାପନ କରି ଅଛନ୍ତି ଓ ତାହାକୁ ଶିଷ୍ଟ ସଂସ୍କୃତି ସହିତ ସାମିଲ କରାଇ ଦେଇଅଛନ୍ତି-। ଲୋକସମାଜରେ ପ୍ରଚଳିତ ନାନା ପ୍ରବାଦ, ପ୍ରବଚନ, ଢଗଢମାଳି ଓ ଲୋକୋକ୍ତି ମଧ୍ୟ କାବ୍ୟମାନଙ୍କରେ ଠିକଣା ସ୍ଥାନରେ ବ୍ୟବହୃତ ହୋଇ ସୃଷ୍ଟି କରିଛି ରମଣାୟତା । ‘କରମଦଶା/ଯେ ଫଳ ଖାଇଲେ ସେ ଫଳ କଷା’ ‘କାହା କରମରେ ଖିରି ଖିରିସା କାହା କରମରେ ଲଡ଼ୁ, କାହା କରମରେ ଖାରିଆ ଖଡ଼ା ଚୋବାଇ ଚୋବାଇ ମରୁ, ଇତ୍ୟାଦି ଲୋକୋକ୍ତିଗୁଡ଼ିକ କେଦାରଗୌରୀ, ନନ୍ଦିକେଶ୍ଵରୀ, ପାର୍ବତୀ ପରି କାବ୍ୟରେ ହୋଇଯାଇଛି ମୁଖ୍ୟ ପ୍ରାଣସ୍ପନ୍ଦନ । ଜଗନ୍ନାଥ ଦାସଙ୍କ ଭାଗବତର ଉକ୍ତି- “ଅର୍ଜିଲା କର୍ମଫଳ ଫଳେ/ ପ୍ରାଣୀ ଭ୍ରମନ୍ତି ମହୀତଳେ’ ପ୍ରଭାବ ପକାଇଛି ‘ପାର୍ବତୀ', ‘ଉଷା’ ଓ ନନ୍ଦିକେଶରୀ’ କାବ୍ୟରେ । ‘ଚନ୍ଦ୍ରଭାଗା’ କାବ୍ୟରେ ମଧ୍ୟ ସୂର୍ଯ୍ୟ ତାଙ୍କର ଅର୍ଜିଲା କର୍ମ ଭୋଗ କରିଛନ୍ତି । ‘ଆଜି ମଲେ କାଲିକି ମାଟି’, ‘ଆଜି ମଲେ କାଲିକି ଦି ଦିନ’, ମହାଯାତ୍ରା ଓ ଦରବାର କାବ୍ୟରେ ଧ୍ୱନିତ । ‘ଅଢ଼େଇ ଦିନକୁ ବଢ଼େଇ କଥା /ଝୁରି ମରିବାକୁ କଲା ବିଧାତା’ ଉକ୍ତିଟି ଦରବାର କାବ୍ୟର ପ୍ରଥମାର୍ଦ୍ଧର ମନ୍ତ୍ରଧ୍ୱନି । ଲୋକେ କହନ୍ତି- ମୋ କର୍ମରେ ଏଇଆ ଥିଲା ! ଦଇବ ମୋତେ ଏତେ ସରି କରିଦେଲା । ଏହି ଲୋକଦର୍ଶନ ରାଧାନାଥଙ୍କର ପ୍ରାୟ ସମସ୍ତ କାବ୍ୟରେ ପ୍ରତିଫଳିତ । ଲୋକେ ପୁଣି କହନ୍ତି- ଅଲାଜୁକ ସବୁ କରିପାରେ । ସେ ନୀତି ଓ ଧର୍ମର ମୁଣ୍ଡକୁ ମୋଡ଼ି ଖାଇଦିଏ । ଅତି ଗର୍ବ ଯିଏ କରେ, ଧରାକୁ ଶରା ମନେ କରେ, ଅନ୍ୟର ମନ୍ଦ ପାଞ୍ଚ ସେ ଆପଣାର ବିନାଶ କରେ । ଯେ ପାଞ୍ଚୁ ଥାଇ ପରମନ୍ଦ/ ତା’ ମନ୍ଦ ପାଞ୍ଚଇ ଗୋବିନ୍ଦ । ଚନ୍ଦ୍ରଭାଗା ଓ ପାର୍ବତୀ କାବ୍ୟରୁ ଏହି ଲୋକ-ଦୃଷ୍ଟିକୁ ଉପଲବ୍ଧି କରିହୁଏ । ‘ନନ୍ଦିକେଶ୍ଵରୀ’ କାବ୍ୟର ‘ଦେବକୂଟ ସିନା ଦେବତାଙ୍କୁ ଜଣା/ ମନୁଷ୍ୟତ ତହିଁ ସବୁବେଳେ ବଣା’ ବା ‘ଉର୍ବଶୀ’ କାବ୍ୟର ‘ମଣିଲି ମୋ ଭ୍ରମ ଏବେ/ ଦୈବ ସଂଗେ ନାଥ ଲୁଚକାଳି ଖେଳି କିଏ ଜାଣିଥିଲା କେବେ’ ଉକ୍ତି ଲୋକ ସଂସ୍କୃତିର ‘ଦେବ ମାୟା ନରେ ଆଗୋଚର କଥାକୁ । ବ୍ୟଞ୍ଜିତ କରିଦିଏ । ‘ସଲିଳ ନ ସିଞ୍ଚି ଖାଲି ଦଣ୍ଡବତ’ ଦରବାର କାବ୍ୟରେ ଯେପରି ବ୍ୟବହୃତ ତାହା ‘ଖାଲି ମାଖୁନା ଫେରଫାର’ ଲୋକୋକ୍ତିକୁ ମନେ ପକାଇ ଦିଏ । ‘ମହିଷୀ ଶିଙ୍ଗ ଫଟା ଯୁଝିଲା ବେଳକୁ ଗୋଟା’ ଉକ୍ତିଟି “ମହାଯାତ୍ରା’ରେ ‘ସଂହତ ମହିଷ ଶୃଙ୍ଗ ଶତ୍ରୁଭେଦେ ଯଥା’ ରୂପେ ପ୍ରୟୋଗ ହୋଇଥିବା ଦେଖାଯାଏ ।

 

‘ନନ୍ଦିକେଶ୍ଵରୀ’ କାବ୍ୟରେ କବି ନନ୍ଦିକା ଚରିତ୍ର ମାଧ୍ୟମରେ ବର୍ଣ୍ଣନା କରିଅଛନ୍ତି ଯେ ଯେଉଁ ବ୍ୟକ୍ତି ପରମନ ଚିହ୍ନି ନାହିଁ ସେ ପ୍ରଭୁପଣକୁ ଭାଜନ ନୁହେଁ । ଯେଉଁ ଶାସ୍ତ୍ର କହେ କନ୍ୟା ଉପରେ ପିତାର ସଂପୂର୍ଣ୍ଣ ଅଧିକାର ସେହି ଶାସ୍ତ୍ରକୁ ଜୁହାର । ଏହି ଉକ୍ତି ଲୋକସଂସ୍କୃତିର ନିଦର୍ଶନ । ପରମନ ଜାଣି ନଥିବା ଗଙ୍ଗେଶ୍ଵର ରାଜପଣକୁ ଅଯୋଗ୍ୟ, ସୁବର୍ଣ୍ଣକେଶରୀ ମଧ୍ୟ ପ୍ରଭୁପଣକୁ ଅଯୋଗ୍ୟ- ‘ପାର୍ବତୀ’ ଓ ‘ନନ୍ଦିକେଶ୍ଵରୀ’ କାବ୍ୟରେ ଏହା ସୂଚିତ । କନ୍ୟା ଉପରେ ପିତାର ସଂପୂର୍ଣ୍ଣ ଅଧିକାର ସାବ୍ୟସ୍ତ କରି ଗଙ୍ଗେଶ୍ୱର ତାକୁ ଉପଭୋଗ କରି ମୃତ୍ୟୁମୁଖକୁ ଠେଲିଦେଇଛନ୍ତି ଓ ପରିଣତିରେ ନିଜେ ମୃତ୍ୟୁବରଣ କରିଛନ୍ତି । ଗୌରୀ ପିତାଙ୍କ ଅଧିକାରକୁ ବିରୋଧ କରି ନପାରି ଗୃହତ୍ୟାଗ କରି ଚାଲିଯାଇଛି । ନନ୍ଦିକା ପିତାଙ୍କ ଅଧିକାରକୁ ସ୍ୱୀକାର ନ କରି ପ୍ରିୟତମ ଚୂଡ଼ଗଙ୍ଗଙ୍କ ନିକଟକୁ ଚାଲିଯାଇଛି । ଅବଶ୍ୟ ଗୌରୀ ଓ ନନ୍ଦିକା ମୃତ୍ୟୁବରଣ କରିଛନ୍ତି । ଶିଷ୍ଟ ସଂସ୍କୃତି କନ୍ୟାକୁ ପିତାଙ୍କ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲାବେଳେ ଲୋକସଂସ୍କୃତି କନ୍ୟାକୁ ଦେଇଛି ସ୍ୱାଧୀନତା । ରାଧାନାଥ ଲୋକ ସଂସ୍କୃତିକୁ ଉପଜୀବ୍ୟ କରି ନାରୀ ଚରିତ୍ରକୁ ଚିତ୍ରଣ କରି ସେଥିରେ ଶିଷ୍ଟ ସଂସ୍କୃତିକୁ ମିଶାଇ ଦେଇଛନ୍ତି । ପୁଣି ଲୋକସଂସ୍କୃତିରେ ଲୋକଙ୍କ ଅନୁଭୂତି ଗୁରୁତ୍ୱପୂର୍ଣ । ଲୋକେ କହନ୍ତି- ଅନୁଭୂତି ଥିଲେ କହ/ ପାଠ ପଢ଼ିଥିଲେ ଗୀତ ଗାଉଥାଏ ବାଉରୀ କଣ୍ଡରା ପୁଅ ।” ଏହି ଉକ୍ତିର କାବ୍ୟିକ ରୂପାୟନ ‘ଚିଲିକା’ ଓ ‘ଦରବାର’ କାବ୍ୟରେ ପରିଦୃଷ୍ଟ । ଚିଲିକାର ସୌନ୍ଦର୍ଯ୍ୟ ବର୍ଣ୍ଣନା କଲାବେଳେ କବି କହନ୍ତି- “ବଚନ ବିଷୟ ନୁହଇ ଏ ଛବି । ହୃଦ ସେ କେବଳ ପାରେ ଅନୁଭବୀ ।’’ ଲୋକ ସଂସ୍କୃତିରେ ଥିବା ଅନୁଭବ ଓ ଅଭିଜ୍ଞତାର ଏହା ମନୋଜ୍ଞ ରୂପାୟନ ।

 

‘ଚିଲିକା’ କାବ୍ୟରେ କବି ଉତ୍କଳକୁ ଆକ୍ରମଣ କରି ବିଜୟ ଗର୍ବରେ ଚିଲିକା ଦେଇ ଫେରି ଯାଉଥିବା ରକ୍ତବାହୁ କିପରି ସଲିଳ ସମାଧି ଲାଭ କରିଛି ଓ ତାହାର ଗର୍ବ ଅହଂକାର ଆତ୍ମବଡ଼ିମା ଲୋପ ପାଇଯାଇଛି ତାହାକୁ ବର୍ଣ୍ଣନା କରିଅଛନ୍ତି । ଯିଏ ଚଉଦବ୍ରହ୍ମାଣ୍ଡକୁ ଅଧିକାର କରିବାକୁ ଇଚ୍ଛା କରୁଥିଲା ଓ ମଣିଷକୁ ମାଛି ପରି ମନେ କରୁଥିଲା ସିଏ ମାଛକୁ ଅଡ଼େଇବା ପାଇଁ ହାତ ଉଠେଇ ପାରି ନାହିଁ । “ଅତିଗର୍ବେ ହତ ଲଙ୍କା’’ ଏହି ଲୋକୋକ୍ତି ଯେପରି ପ୍ରଭାବ ପକାଇଛି ଏ ପ୍ରସଙ୍ଗରେ । ‘ଛ’ ଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ା’ ଏହା ଲୋକ ମନ ଓ ହୃଦୟକୁ ଯୁଗ ଯୁଗ ଧରି ପ୍ରଭାବିତ କରିରଖିଛି । ମହାଯାତ୍ରା, ଦରବାର ଓ ଚିଲିକା ଏହି ଉକ୍ତିର ପ୍ରତିଧ୍ୱନି । ଲୋକେ ଉତ୍ତମ ରୂପେ ଜାଣନ୍ତି ମିଥ୍ୟା କହିବା ମହାପାପ । ଯେତେ ଚତୁର ଲୋକ ମିଥ୍ୟା କହିଲେ ମଧ୍ୟ କହିଲାବେଳେ ଜିଭ ଖନି ବାଜିଯାଏ । ଚିରା ଲୁଗାକୁ ଯେତେ ତାଳି ପକାଇଲେ ତାହା ଫୁଟି ଦିଶିଯାଏ । ମିଥ୍ୟା ଠିକ୍ ଏଇପରି । ଲୋକସଂସ୍କୃତିରେ ଏହି ତାଳିପକା କାର୍ଯ୍ୟଟି ବେଶ୍ ପରିଚିତ । କବି ଏହାକୁ କାବ୍ୟରେ ପ୍ରୟୋଗ କରି ଲୋକସଂସ୍କୃତି ପ୍ରତି ଆଦରକୁ ଦେଖାଇ ଦେଇଅଛନ୍ତି । ମିଥ୍ୟବାଦୀ ପୁଣି ନିଜକୁ ସତ୍ୟବାଦୀ ପ୍ରମାଣ କରିବା ପାଇଁ କଥା କଥାକେ ନିୟମ କରିବାକୁ ଆଗେଇଯାଏ । ସେ ଗାଈ ଲାଙ୍ଗୁଡ଼ରେ ହାତ ଦେଇ, ପୁଅ ମୁଣ୍ଡରେ ହାତ ଦେଇ, ଠାକୁରଙ୍କୁ ଛୁଇଁ ନିୟମ କରେ । କବି ଏ ସଂପର୍କରେ ସଚେତନ ଥିବାରୁ ମହାଯାତ୍ରାରେ ଏକଥାକୁ ସୂଚାଇ ଦେଇଛନ୍ତି । ଅଳସୁଆ କିପରି ପରଛିଦ୍ର ଖୋଜେ, ଈର୍ଷା ବ୍ୟକ୍ତି କିପରି ପରନିନ୍ଦାକୁ ଅମୃତ ମନେ କରେ, ଅନ୍ୟକୁ ସହିପାରେ ନାହିଁ, କ୍ରୋଧୀ ବ୍ୟକ୍ତି କିପରି କ୍ରୋଧରେ ଅନବରତ ଜଳୁଥାଏ, କୂଅ ଭିତରେ ବେଙ୍ଗ ନିଜକୁ ରାଜା ମନେକଲା ପରି ଅହଂକାରୀ ବ୍ୟକ୍ତି କିପରି ମଦମତ୍ତ ହୋଇ ନିଜକୁ ବଡ଼ ମନେ କରେ, ପୋଲିସ କିପରି ବିନା ମେଘରେ କୁଳିଶ ସୃଷ୍ଟି କରେ, ଭଲ କଥା କାନକୁ କିପରି ଅଲଣା ଲାଗେ, ଭୋଜନ କଲାବେଳେ ପ୍ରତିବେଶୀ ପତ୍ରରେ ଦେବାପାଇଁ କହି ବ୍ୟକ୍ତି କିପରି ନିଜର ଲାଳସା ପୂର୍ଣ୍ଣ କରେ, ସାତଚାଖଣ୍ଡର କୀଟ ହୋଇ ମଣିଷ କିପରି ଆପଣାର ବଡ଼େଇ କରେ, ପଙ୍କରେ ଘାଣ୍ଟି ହେଉଥିବା ଘୁଷୁରି ପରି ଅସତ୍ ମଣିଷ କିପରି ଘାଣ୍ଟିହୁଏ ଇତ୍ୟାଦି ନାନା କଥାକୁ କବି ଯେପରି ବର୍ଣ୍ଣନା କରିଅଛନ୍ତି ତାହା ମଣିଷ ଚରିତ୍ରକୁ ବ୍ୟଞ୍ଜିତ କରେ । ଲୋକ ଅନୁଭୂତିର ଏସବୁ ଗୋଟିଏ ଗୋଟିଏ ମର୍ମଚିତ ।

 

ରାଧାନାଥ ତାଙ୍କ କାବ୍ୟର ବିଷୟବସ୍ତୁକୁ ଭିନ୍ନ ଭିନ୍ନ ଗ୍ରନ୍ଥରୁ ସଂଗ୍ରହ କରି ସେଥରେ ଲୋକତତ୍ତ୍ୱକୁ ମିଶାଇଦେଇ ତାହାକୁ ଗୋଟିଏ ଗୋଟିଏ ମଧୁଚକ୍ରରେ ପରିଣତ କରିଦେଇଅଛନ୍ତି । କେଉଁଥିରୁ କ’ଣ ସେ ଆହରଣ କଲେ ତାହା ବଡ଼ କଥା ନୁହେଁ, ବଡ଼କଥା ତାହାର ବର୍ଣ୍ଣନା-ଚାତୁରୀ ଓ ଲୋକ-ସଂସ୍କୃତି ସହିତ ସମନ୍ୱୟ । ଆହୃତ ଉପାଦାନଗୁଡ଼ିକୁ ଯେପରି ଭାବରେ କବି ବିଭିନ୍ନ ସ୍ଥାନ ସହିତ ସମନ୍ୱିତ କରିଦେଇ ସେହି ସେହି ସ୍ଥାନର ଜନଶ୍ରୁତି ଓ କିମ୍ବଦନ୍ତୀକୁ ଆବିଷ୍କାର କରି ତାହାର କାବ୍ୟ-ରୂପ ଦେଇଛନ୍ତି ତାହା ତାଙ୍କର ଲୋକତତ୍ତ୍ୱ ସଂପର୍କରେ ଗଭୀର ଅନୁଷ୍ଠାନର ପରିଚୟ ଦିଏ । ଦେବଦେବୀଙ୍କର ମାନବାୟିତ ରୂପ, ବେଶପୋଷାକ, କାର୍ଯ୍ୟକଳାପ ଓ ସ୍ଥାନ ବିଶେଷର ବୈଶିଷ୍ଟ୍ୟ ସହିତ ସଂପୃକ୍ତି, ଦେବଦେବୀଙ୍କର ଅଲୌକିକ ଶକ୍ତି ବିଷୟରେ ଲୋକଙ୍କ ବିଶ୍ୱାସ, ଅବଜ୍ଞାକାରୀଙ୍କ ପ୍ରତି ଦେବଦେବୀଙ୍କର ଅଭିଶାପ ଓ ଅଭିଶାପରୁ ମୁକ୍ତି ପାଇବାର ମାର୍ଗ ପ୍ରଦର୍ଶନ (ଉଷା), ସ୍ୱପ୍ନରେ ଦେବଦେବୀଙ୍କର ଅନୁଗତଙ୍କ ପ୍ରତି କରୁଣା ଓ ସେମାନଙ୍କୁ ଭବିତବ୍ୟ ବିଷୟରେ ସଂକେତ ପ୍ରଦାନ, ବିରଜା ଓ ତାଙ୍କର ସିଂହ ସ୍ୱପ୍ନରେ ଅଷ୍ଟମଲ୍ଲଙ୍କୁ ଭୟ ପ୍ରଦର୍ଶନ ଓ ଲୋକଙ୍କର ଶୁଭ ଅଶୁଭ ସଂପର୍କିତ ଶକୁନ-ବିଶ୍ଵାସ (ଯଯାତି କେଶରୀ), ଯୁଦ୍ଧରେ ବିଜୟୀ ହେବା ପାଇଁ ଆରାଧ୍ୟ ଦେବୀଙ୍କର ରାଜାଙ୍କୁ ଜୈତ୍ରମଣି ପ୍ରଦାନ ଓ ଭବିଷ୍ୟତ ସଂପର୍କରେ ଚେତାବନୀ (ନନ୍ଦିକେଶ୍ଵରୀ), ଇତ୍ୟାଦି ପ୍ରସଙ୍ଗଗୁଡ଼ିକ ଲୋକ ସଂସ୍କୃତିର କାବ୍ୟିକ ଆଲେଖ୍ୟ ମାତ୍ର । ଏପରି ଉପାଦାନକୁ କାବ୍ୟରେ ରୂପ ଦେଇ କବି ଲୋକତତ୍ତ୍ୱପ୍ରତି ଶ୍ରଦ୍ଧା ନିବେଦନ କରିଥିବା ଉପଲବ୍ଧି ହୁଏ । ତାଙ୍କର ଶାସ୍ତ୍ର-ମାନସିକତା ତାଙ୍କୁ ପରିକ୍ରମା କରାଇଛି ବିଭିନ୍ନ ଶାସ୍ତ୍ର ଓ ଗ୍ରନ୍ଥ । ପ୍ରଜ୍ଞା-ମାନସିକତା ମଣିଷ ଚରିତ୍ରର ସବଳ ଓ ଦୁର୍ବଳ, ନୈତିକ ଓ ଅନୈତିକ, ଧାର୍ମିକ ଓ ଅଧାର୍ମିକ ଦିଗକୁ ଅନୁଧ୍ୟାନ କରିବା ପାଇଁ ଦେଇଛି ପ୍ରେରଣା ।

 

ସଂସ୍କୃତି-ମାନସିକତା ତାଙ୍କୁ ସଚେତନ କରାଇଛି ଲୋକତତ୍ତ୍ୱ ସଂପର୍କରେ । ଐତିହ୍ୟମାନସିକତା ତାଙ୍କୁ ଇତିହାସ କିମ୍ବଦନ୍ତୀ ଓ ଜନଶ୍ରୁତି ଭିତରୁ ମାନବୀୟ ଭାବ-ସ୍ପନ୍ଦନକୁ ଆବିଷ୍କାର ପାଇଁ ଉଦ୍‍ବୋଧିତ କରିଛି । ପ୍ରକୃତି-ମାନସିକତା ତାଙ୍କୁ ପ୍ରଦାନ କରିଛି ସୁନ୍ଦର ଓ ମଙ୍ଗଳର ମଧୁବିବାହ ପାଇଁ ସମ୍ବେଦନଶୀଳ ଦୃଷ୍ଟିକୋଣ । ପର୍ଯ୍ୟଟନ ମାନସିକତା ତାଙ୍କ ଭିତରେ ସୃଷ୍ଟି କରିଛି ତୁଳନାତ୍ମକ ଦୃଷ୍ଟିକୋଣ ଓ ସ୍ଥାନ ବିଶେଷ ଏବଂ ଘଟଣା-ବିଶେଷର କିମ୍ବଦନ୍ତୀ ଉଦ୍‌ଘାଟନ ତଥା ନୂତନ କିମ୍ବଦନ୍ତୀ ନିର୍ମାଣ ଦ୍ୱାରା ଲୋକଚରିତ୍ର ଓ ଲୋକସଂସ୍କୃତିର ସାର୍ବଜନୀନ ବୈଶିଷ୍ଟ୍ୟକୁ ଅଭିଜାତ ସମାଜ ନିକଟରେ ଧରି ରଖିବାର ବୈଶିଷ୍ଟ୍ୟ ସାମର୍ଥ୍ୟ । ପାଶ୍ଚାତ୍ୟ ସାହିତ୍ୟରୁ ଯେଉଁ କଥାବସ୍ତୁ ଚୟନ କରିଛନ୍ତି ତାହା ତାଙ୍କ କାବ୍ୟର କଂକାଳ ମାତ୍ର । କାବ୍ୟରେ ତାହା ଆତ୍ମା ହୋଇପାରି ନାହିଁ । ଆତ୍ମା ହୋଇଛି ଓଡ଼ିଶା ଓ ଭାରତର ସଂସ୍କୃତି; ବିଶେଷତଃ ଓଡ଼ିଶାର ଲୋକ-ସଂସ୍କୃତି । ଧର୍ମ ଓ ନୈତିକତା, ଦୈବ ଓ ନିୟତି, ସୁନ୍ଦର ଓ ମଙ୍ଗଳ ସେହି ଆତ୍ମାକୁ ଦେଇଛି ଗତି । ଲୋକ ସମାଜରେ ପାପ, ଅଧର୍ମ, କଳଙ୍କ ପ୍ରତି ଯେଉଁ ଧାରଣା ଥାଏ ତାହା ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି। ପରିଣତ ବୟସରେ ସାମାନ୍ୟ ଚାରିତ୍ରିକ ସ୍ଖଳନକୁ ଗୁରୁତ୍ୱ ସହିତ ବିଚାର କରି ଗଭୀର ଅନୁତପ୍ତ ହୋଇ ଅଛନ୍ତି । ପାପରୁ ମୁକ୍ତି ପାଇଁ ପାପର ସ୍ୱୀକାରକୁ ପ୍ରଧାନ୍ୟ ଦେଇ ଅଛନ୍ତି । ଲୋକ ସମାଜରେ ଦେଖାଯାଏ ଯେ କୌଣସି ବ୍ୟକ୍ତି ମଲାବେଳେ ତୀବ୍ର ଯନ୍ତ୍ରଣା ପାଇଲେ ସେ ସମସ୍ତଙ୍କ ଆଗରେ ତାର ପାପକୁ ସ୍ୱୀକାର କରେ । ଲୋକସଂସ୍କୃତିର ଏହି କଥାକୁ କବି ଗ୍ରହଣ କରିନେଇଅଛନ୍ତି । କାବ୍ୟ ଭିତରେ ପୁରାଣ କଥାକୁ ପାଠକ ହୃଦୟରେ ଅତୀତ ସହିତ ବର୍ତ୍ତମାନକୁ ପୋଡ଼ି ଦେବା ପାଇଁ ଆନ୍ତରିକତା ଦେଖାଇଅଛନ୍ତି । ମଣିଷ ମନର ମୌଳ ଉପାଦାନ ସଂବେଦନ, ଅନୁଭୂତି, ଚିନ୍ତା ଓ ବୋଧି ବା ଅନ୍ତର୍ଦୃଷ୍ଟି ପ୍ରତି ରାଧାନାଥ ଗଭୀର ଭାବରେ ସଚେତନ । ତେଣୁ ସେ ବାସ୍ତବବୋଧ ସହିତ ମାନବ ସଭାର ଉପଲବ୍ଧି ଉପରେ ଗୁରୁତ୍ୱ ଦେଇ ଉଚ୍ଚ ପର୍ଯ୍ୟାୟର ମାନସିକତା ଉପରେ ପ୍ରାଧାନ୍ୟ ଦେଇଅଛନ୍ତି ଓ ମଣିଷର ନୈତିକସତ୍ତାର ଜାଗରଣ ପାଇଁ ଦେଇଛନ୍ତି ପ୍ରରଣା । ସିଦ୍ଧାନ୍ତରେ କୁହାଯାଇପାରେ ଯେ ଲୋକସମାଜର ସମଷ୍ଟିଗତ ଅବଚେତନର ରହସ୍ୟ ଉଦ୍‌ଘାଟନ ପ୍ରତି ରାଧାନାଥ ଥିଲେ ବିଶେଷ ଭାବରେ ଆଗ୍ରହୀ । ତେଣୁ ଲୋକତତ୍ତ୍ୱକୁ ସେ କାବ୍ୟର ଆଧାର କରି ନେଇ ଯେଉଁ କାବ୍ୟିକ ଉନ୍ନୟନ ବା ଶୁଦ୍ଧିକରଣ କରିଅଛନ୍ତି ତାହା ଅଭିଜାତମାସିକତା ସହିତ ଲୋକ-ମାନସିକତାକୁ ସମନ୍ୱିତ କରି ଦେଇଛି ଓ ସୃଷ୍ଟି କରିଛି ଏକ ରମ୍ୟ କାବ୍ୟଧାରା । କବିର ନୟନରେ ପ୍ରକୃତିର ରୂପରେ ଯେତେ ବୈଚିତ୍ର୍ୟ ଅଛି ତାହା ଧରାପଡ଼ିଯାଏ । ସେସବୁ କବିର ଭାବଜଗତରେ ଥାଏ । କବି ପ୍ରକୃତିର ସେସବୁର ପ୍ରକାଶ ଦେଖିବାକୁ ପାଏ । ଏହା ସହିତ ସେହି ଭାବରାଜି ସଂପର୍କରେ କବି ହୁଏ ସଚେତନ । ବାହାରର ବୈଚିତ୍ର୍ୟ ତା’ର ଅନ୍ତର୍ଜଗତରେ ବୈଚିତ୍ର୍ୟର ସଂଧାନ ଦିଏ । କବିର ଚୈତନ୍ୟ ମଧ୍ୟ ଦେଇ ସମାଜ-ମନର ଭାବାବଳୀ ଯେତେବେଳେ ଯାତାୟତ କରେ ସେତେବେଳେ ସେ ଆଉ ସମାଜରୁ ବିଚ୍ଛିନ୍ନ ହୁଏ ନାହିଁ । କବି ରାଧାନାଥ ପ୍ରକୃତି ପ୍ରତି ଅନ୍ତରର ନୈବେଦ୍ୟ ପ୍ରକାଶ କରିଥିଲେ ହେଁ ସମାଜ ଓ ଜୀବନସତ୍ତାରୁ ଦୂରେଇଯାଇ ନାହାନ୍ତି । ବରଂ ପ୍ରକୃତି, ସମାଜ ଓ ଜୀବନ ମଧ୍ୟରେ ଐକ୍ୟ ସ୍ଥାପନ କରିଅଛନ୍ତି । ଲୋଲୁପଭୋଗୀର ଦୃଷ୍ଟି ନେଇ ସେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦେଖୁନାହାନ୍ତି ; ଦେଖୁଛନ୍ତି ସମାହିତ ସାଧକର ଦୃଷ୍ଟି ନେଇ । ତେଣୁ କବି ଆପଣାର ଅନ୍ତରକୁ ପ୍ରସାରିତ କରିଦେଇ ସକଳ ଭାବନାକୁ ଆତ୍ମସାତ୍ କରି ଏକ ବୃହତ୍ ବ୍ୟକ୍ତିତ୍ୱର ଅଧିକାରୀ ହୋଇଯାଇଛନ୍ତି । ଲୋକ ସଂସ୍କୃତି ଏହି ବ୍ୟକ୍ତିତ୍ୱରେ ହରିହର ପରି ମିଶି ଏକ ଅପୂର୍ବ ମାନବୀୟ ରସାଲୋକ ସୃଷ୍ଟି କରିଦେଇଛି । ରାଧାନାଥଙ୍କ କାବ୍ୟ-ମାନସରେ ଲୋକତତ୍ତ୍ୱ ଯେ କେତେ ନିବିଡ଼ ତାହା ତାଙ୍କର କାବ୍ୟରାଜି ପ୍ରମାଣ ଦିଏ ।

 

 

ପ୍ରଫେସର

ଉପାଧ୍ୟୁତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,

ଶାନ୍ତିନିକେତନ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପଶ୍ଚିମ ବଂଗ

 

***

 

Unknown

ରେବତୀ ଓ ପରବର୍ତ୍ତୀ ଶହେବର୍ଷର ଓଡ଼ିଆ କ୍ଷୁଦ୍ରଗଳ୍ପ

ଆଦିକନ୍ଦ ସାହୁ

 

ଗତ ଶହେବର୍ଷର ଓଡ଼ିଆ ଗଳ୍ପକୁ ଆମେ ଆଜି ନିଜେ ହିଁ ଆମର ସନ୍ତୋଷ ମୁତାବକ ବିଶ୍ଳେଷଣ କରି ଦେଖିବା । ଓଡ଼ିଆ ଗଳ୍ପର ଶହେବର୍ଷର ପୂର୍ତ୍ତିକୁ ଉତ୍ସବ କରି ପାଳିବାତ ଆନନ୍ଦର ବିଷୟ ; ତା’ ଠାରୁ ଆହୁରି ଜରୁରୀ ତା’ର ଉତ୍ତରଣ କ୍ରମକୁ ନାନାମତେ ଲକ୍ଷ୍ୟ କରିବା ।

 

ମଣିଷର ଜୀବନବୃତ୍ତକୁ କେତେ ଅଧିକ ସ୍ୱଚ୍ଛଦୃଷ୍ଟିରେ ନେଇ, କେତେ ଅଧିକ ସ୍ପଷ୍ଟ ଭାବେ ଗତ ଶହେ ବର୍ଷର ଓଡ଼ିଆ ଗାଳ୍ପିକ ଦେଖିଛି, ମଣିଷର ଜୀବନ ବଞ୍ଚିବାକୁ କେତେ ଅଧିକ ନିଷ୍ପାପ ଓ ସ୍ଵର୍ଗୀୟ ମନେ କରିଛି ତା’କୁ ନିଷ୍ପକ୍ଷ ଭାବେ କଳନା କରିବାର ସମୟ ଉପଗତ ହୋଇଛି । ଏଇଥିପାଇଁ ଯେ ଫକୀରମୋହନ ସେନାପତିଙ୍କ ‘ରେବତୀ’ ଗଳ୍ପକୁ ଓଡ଼ିଆ ଗଳ୍ପ ବିକାଶ ଧାରାରେ ପ୍ରଥମ ଗଳ୍ପର ମାନ୍ୟତା ଦେଇ ଆଜି ଓଡ଼ିଆ ଗଳ୍ପର ଶହେବର୍ଷ ପୂର୍ତ୍ତି ଉପଲକ୍ଷେ ଶହେବର୍ଷର ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଆକଳନ କରିବାର ଏକ ଜରୁରୀ ଓ ଅର୍ଥପୂର୍ଣ୍ଣ ଅବସର ସୃଷ୍ଟି କରାଯାଇଛି ।

 

ଗତ ଶହେବର୍ଷ ଓଡ଼ିଆ ଗଳ୍ପର ସଫଳତା ବିଷୟରେ ମନଭରି ସନ୍ତୋଷ ପ୍ରକାଶ କରିବା ଅପେକ୍ଷା ମୁଁ ଭାବୁଛି, ଏହି ଗୋଟିଏ ଶତାବ୍ଦୀର ଓଡ଼ିଆ ଗଳ୍ପର ଯାବତୀୟ ଅପୂର୍ଣ୍ଣତା ଓ ବୈକଲ୍ୟକୁ ଅସଫଳତା ଜନିତ ଅସନ୍ତୋଷ ଦେଇ ତର୍ଜମା କଲେ ଫଳ ଅଧିକ ଅର୍ଥପୂର୍ଣ୍ଣ ଓ ଉଦ୍ଦେଶ୍ୟ ନିର୍ଦ୍ଦିଷ୍ଟ ହେବ ।

 

ପ୍ରଥମତଃ ଆମେ ଦେଖିପାରିବା ଉଚିତ ଯେ ଓଡ଼ିଆ ଗାଳ୍ପିକ ଗତ ଏହି ଶହେବର୍ଷ ଭିତରେ କ୍ରମଶଃ ମଣିଷ ଜୀବନର ନୀଚପ୍ରବୃତ୍ତି ଓ ତା’ର ସକଳ ଜାନ୍ତବ ଇତରତା ସବୁକୁ ଏହି ପ୍ରାକୃତିକ ଜଗତରେ ଅନିବାର୍ଯ୍ୟ ବାସ୍ତବତା ବୋଲି କେବଳ ଜ୍ଞାନ ନକରି ଏକ ପରିଶୀଳିତ ଉର୍ଦ୍ଧ୍ୱତର ଜୀବନ ପ୍ରତି ଉନ୍ମୁଖତା ପ୍ରଦର୍ଶନ କରିଛି । ମଣିଷର ସେହି ଉର୍ଦ୍ଧ୍ୱତର ଜୀବନକୁ ଅନ୍ତତଃ ଏହି ପ୍ରସଙ୍ଗରେ ଏକ ସଫଳ ସୁନ୍ଦରତର ଜୀବନ ବୋଲି ଗ୍ରହଣ କରିନିଆଯାଉ ।

 

ତା’ର ସକଳ ତେଜଦୀପ୍ତ ଜୀବନ ପ୍ରବୃତ୍ତି ସତ୍ତ୍ୱେ ମଣିଷ ଚରମ ଭାବରେ ଗୋଟେ ଜନ୍ତୁ କେବଳ ନୁହେଁ । ତା’ଠାରୁ ନିଶ୍ଚିତ ଭାବରେ ଅଧିକ କଛି । ମଣିଷ ଜୀବନବୃତ୍ତର ଏହି ସୂକ୍ଷ୍ମ ସମ୍ଭାବନାଟିକୁ ସତରେ ଆମେ କିପରି ଓ କେତେ ହାର୍ଦ୍ଦିକତା ଭିତରେ, ପୁଣି କେତେ ଅଧିକ ବିଶ୍ୱାସମୟ କରି ଆଙ୍କି ପାରିଛୁ ତାହାହିଁ ଆମର ଗଳ୍ପର ଭାବ ବା ବିଷୟପିଣ୍ଡର ଉତ୍ତରଣକୁ ଚିହ୍ନିତ କରିପାରିବ ।

 

ମୁଁ ଭାବୁଛି, ଆମେ ମାତ୍ରାଧିକଭାବେ ଆମ ଗଳ୍ପର ଉନ୍ମେଷକାଳଠାରୁ ଏଯାବତ୍ ମଣିଷର ସେହି ଜାନ୍ତବ ଜଡ଼ ଜୀବନକୁ ପ୍ରକୃତିବାଦୀ ବାସ୍ତବତା ନାଁରେ କେବଳ ଲେଖି ଚାଲିଛୁଁ ; ଯଦିଓ ତାହା ସମୟକୁ ସମୟ ରଚନା ରୀତି ଦୃଷ୍ଟିରୁ ବଦଳିଛି ଓ ପ୍ରକାରେ ପ୍ରକାରେ ମନେ ହୋଇଛି । ଓଡ଼ିଆ ଗଳ୍ପର ସଫଳତାକୁ ନେଇ ମୁଁ ବିଶେଷ ଆନନ୍ଦିତ ହେବି ଯଦି କେହି ସମର୍ଥ ସୁଧୀଜନ ମୋର ଏତାଦୃଷ ମତ ଓ ମନ୍ତବ୍ୟକୁ ସଦୃଷ୍ଟାନ୍ତ ପ୍ରତିଯୁକ୍ତି ଦେଇ ଖଣ୍ଡନ କରିଛି । ଅବଶ୍ୟ ମଣିଷର ସଫଳ ସୁନ୍ଦରତର ଜୀବନର ଛବି ଯେ ଆମ ଗଳ୍ପଧାରାରେ ଏକାନ୍ତ ଦୁର୍ବଳ - ଏପରି ମୁଁ ଆଦୌ କହି ପାରିବି ନାହିଁ ।

 

ଓଡ଼ିଆ ଗଳ୍ପ ଅତି ଆପତ୍ତିଜନକ ଭାବେ ଇତିମଧ୍ୟରେ ଦୁର୍ବୋଧ୍ୟ ହୋଇପଡ଼ିଛି । ପ୍ରତୀକ ଓ ମେଟାଫର ଜରିଆରେ ଅନ୍ତଶ୍ଚେତନର ଚିତ୍ରଣ ନାଁରେ, ଶୈଳୀଗତ ଅନ୍ତର୍ମୁଖୀନତା ନାଁରେ, ମେଜିକ ରିଏଲିଟ୍‌ର ନିବିଡ଼ ଗଳ୍ପାୟନ ନାଁରେ । ସବୁକାଳରେ ଗଳ୍ପପଢ଼ିବା ଏକ ଆସ୍ୱାଦନ ନିଶ୍ଚୟ; ଯାହାଦ୍ୱାରା ପାଠକ ତା’ର ପରିଚିତ ଅନୁଭୂତିକୁ ଆଉଥରେ ଉଖାରି ଦେବା, ଆଉଥରେ ସିକ୍ତ କରିଦେବାର ସୁଯୋଗ ପାଏ, ନିଜ ଆତ୍ମା ଓ ଅନ୍ତରକୁ ଉଲ୍ଲସିତ କରିବାର ପ୍ରୋତ୍ସାହନ ପାଏ ଓ ଯଦି ଅତି ଉତ୍ତମ ଗଳ୍ପ ହୋଇଥାଏ ତା’ ହେଲେ ପାଠକ ପ୍ରବୋଧିତ ହେବା ପାଇଁ ବିରଳ ଓ ପରିବୋଧନୀୟ ଅମୃତ ଲଗ୍ନ ସବୁକୁ ସାମ୍ନା କରେ ।

 

ଗଳ୍ପ ପାଠ ସର୍ବାଦୌ ଏକ କ୍ଲିଷ୍ଟ ଜ୍ୟାମିତିକ ଅନୁଶୀଳନ ନୁହେଁ । ଗାଳ୍ପିକ ତେଣୁ ଗଳ୍ପ ବନ୍ଧରେ ସର୍ବନିମ୍ନ କାହାଣୀଧର୍ମିତା ପ୍ରତି ବିମୁଖ ନହେଉ । କେତେକ ଗାଳ୍ପିକ ଏଇ କେତେ ବର୍ଷ ଭିତରେ ଗଳ୍ପର ଗଳ୍ପ ପ୍ରଧାନତା ପ୍ରତି ଟିକିଏ ବି ଧ୍ୟାନ ଦେଇ ନାହାନ୍ତି । ଗଳ୍ପରେ ଗାଳ୍ପିକ ବହୁ ଭିନ୍ନ ଅନୁଭବ, ପରସ୍ପର ବିରୋଧୀ ତଥା ଜୀବନ ଅସଂଲଗ୍ନ ବିମ୍ବଗୁଡ଼ିକର ପ୍ରୟୋଗ କରିବା କାରଣରୁ ଜୀବନ ସଂଲଗ୍ନତା ତଥା ଐକ୍ୟତାନିକ ସମଗ୍ରତା ବ୍ୟାହତ ହେଉଛି । ସାଧାରଣୀକରଣ ପ୍ରକ୍ରିୟା ଓ ତଦ୍‍ଜନିତ ଗାଳ୍ପିକ ଓ ପାଠକ ମଧ୍ୟରେ ଥିବା ପାରସ୍ପରିକ ବିନିମୟ ଏହାଦ୍ୱାରା ମଧ୍ୟ ବିପନ୍ନ ହୋଇପଡ଼ୁଛି ।

 

ଗଳ୍ପାୟନରେ ଆଜି ଐକ୍ୟତାନିକ ସମଗ୍ରତା ବା ବିନ୍ୟାସ ଓ ସଂରଚନାମୂଳକ କେନ୍ଦ୍ରାଭିମୁଖୀନତା ଯେତେ ଅଧିକ ମାତ୍ରାରେ ବ୍ୟାହତ ହେଉପଛେ ଅବାସ୍ତବ ଓ ଛାୟାଛନ୍ନ ରୋମାଣ୍ଟିକ ବଳୟ ସବୁ ଏହି କାରଣ ଯୋଗୁଁ ଭାଙ୍ଗିପଡ଼ିଛି । ଚିତ୍ର ଚରିତ୍ର ବିନ୍ୟାସ, କିଛି ଅନର୍ଗଳ ନିର୍ଜ୍ଜନ ଭାବନା ଜନିତ ରୋମାଣ୍ଟିକ ଭାବସବୁ କ୍ରମଶଃ ଏହି ପାଞ୍ଚସାତ ଦଶନ୍ଧି ଭିତରେ ଅତି ଉଲ୍ଲେଖଯୋଗ୍ୟ ଭାବେ ଉଣା ହୋଇଯାଇଛି ।

 

ଗଳ୍ପକାର ଖାସ୍ ଅଧିକ ରୋମାଣ୍ଟିକ ହେବା, ପୁରୁଣା ପ୍ରବାଦ ବାକ୍ୟ ସବୁ ଦୋହରାଇବା କୌଣସି ଦୃଷ୍ଟିରୁ ଲାଭଜନକ ନୁହେଁ । ଓଡ଼ିଆ ଗଳ୍ପଧାରାରେ ରୋମାଣ୍ଟିକ ଅନର୍ଗଳତା କ୍ରମଶଃ ସଂକୁଚିତ ହୋଇଯାଇଛି । ଏହାଦ୍ୱାରା ଓଡ଼ିଆ ଗଳ୍ପର କ୍ଷତି ହୋଇଛି କମ୍, ଲାଭ ହୋଇଛି ବେଶୀ । ଏହି ଗତ କେତେ ଦଶନ୍ଧିରେ ପୁଣି ଓଡ଼ିଆ ଗାଳ୍ପିକ ନୀତି ବୟାନ କରିବାର ନୁହେଁ, ଗପ କହିବା ଭିତରେ ଶିକ୍ଷା ଦେବା ନାଁରେ ପାଠକର ସରଳ ମନ ଉପରେ ଅତ୍ୟାଚାର କରିବାରେ ନୁହେଁ, ଦର୍ଶନ ପ୍ରଚାର କରିବାରେ ନୁହେଁ, ସ୍ଲୋଗାନ ଦେବାରେ ନୁହେଁ ବରଂ ଗଭୀର ପର୍ଯ୍ୟବେକ୍ଷଣରେ ଅଧିକ ନିମଜ୍ଜିତ ହୋଇଉଠୁଛି । ଏଥିପାଇଁ ଗଳ୍ପଗୁଡ଼ିକର କ୍ଷୁଦ୍ରତମ କଳେବର ସତ୍ତ୍ୱେ ଆଧୁନିକ ଓଡ଼ିଆ କ୍ଷୁଦ୍ର ଗଳ୍ପ ଗୁଡ଼ିକର ବର୍ଣ୍ଣନାଧର୍ମ ଅଧିକ ଭଲ ଲାଗୁଛି । ବର୍ଣ୍ଣନା ଏଠାରେ ଆଦୌ ବିବରଣୀ ନୁହେଁ କିମ୍ବା ପଲ୍ଲବିତ ବାକ୍‍ବାହୁଲ୍ୟ ମଧ୍ୟ ନୁହେଁ । ବର୍ଣ୍ଣନା ଜୀବନ ଧର୍ମତା ଭିତରେ ଆଜି ଶୈଳୀଗତ ଚମତ୍କାରିତାର ବିଷୟ ହୋଇଛି ।

 

ଫକୀରମୋହନଙ୍କ କହାଣୀମୟ ଗଳ୍ପ ଆଉ ଅନ୍ୟପକ୍ଷରେ ଆଜି ଓଡ଼ିଆ ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କ ବର୍ଣ୍ଣନାଧର୍ମୀ ଗଳ୍ପ ମଧ୍ୟରେ ଶୈଳୀଗତ ଓ ଉଦ୍ଦେଶ୍ୟଗତ ପାର୍ଥକ୍ୟ ରହିଛି ।

 

ଏବେ ଏହି ସମୟ ଖଣ୍ଡରେ ରଚିତ ଓଡ଼ିଆ ଗଳ୍ପ ସବୁକୁ ତେଣୁ ଜଣେ ବର୍ଣ୍ଣନାଧର୍ମୀ ଗଳ୍ପ ବୋଲି ନ କହି ଶତକଡ଼ା ଶହେ ପ୍ରତୀକଧର୍ମୀ ଗଳ୍ପ ବୋଲି କହିପାରିବନି । ରେବତୀ ଉତ୍ତର ଗତ ଶହେବର୍ଷର ଓଡ଼ିଆ ଗଳ୍ପଧାରାରେ ଆମେ ଆଉ ଦୁଇଟି ବିଷୟର ସେତେ ବେଶୀ ପରିବର୍ତ୍ତନ ଲକ୍ଷ୍ୟ କରୁନା; ଯଦିଓ କେତେକାଂଶରେ ପରିବେଶ ପରିସ୍ଥିତି କେବଳ ବଦଳିଛି ।

 

ସେ ଦୁଇଟି ବିଷୟ ଭିତରୁ ଗୋଟିଏ ହେଲା- ଓଡ଼ିଆ ଗାଳ୍ପିକର ପଲ୍ଲୀ ଚେତନା ଆଉ ଗୋଟିଏ ହେଲା- ପ୍ରେମାନୁଭବ । ଦ୍ରୁତ ନଗରୀକରଣ ସତ୍ତ୍ୱେ ଏବର ଓଡ଼ିଆ ଗାଳ୍ପିକ ଅଧିକ ପଲ୍ଲୀମୁଖୀ । ଗାଁର ପଦ୍ମପୋଖରୀ, ତା’ର ତୋଟାବଣ, ମାର୍ଗଶୀରର ଶୀତସଂଞ୍ଜ, ଘାସପଡ଼ିଆ, ଅସରନ୍ତି ଧାନବିଲ, ଦୂର ଗାଁର ବାଜାଗୀତ ପ୍ରତି ସତେ ଯେପରି ସେ ଅଧିକ ନଷ୍ଟାଲଜିକ୍ । ତିନିପୁରୁଷ ହେଲା ସହରରେ ରହିଯିବା ଜଣେ ଆଜି ଅସମ୍ଭବ ଭାବେ ପଲ୍ଲୀପ୍ରେମୀ । ତା’ପରେ ପ୍ରେମ ବର୍ଣ୍ଣନାରେ ଗତ ଶହେ ବର୍ଷ ଯେପରି ଭାରି ରୈଖିକ ବା ଷ୍ଟାଟିକ୍ । ଗୋଟେ ଗାଁ ଝିଅର ନରମ ଚାହାଣି, ତା’ର ନୀଳକଇଁ ପରି ଦୁଇ ଆଖି, ତା’ ହାତ ଲେଖା ଅପରିପକ୍ଵ ହସ୍ତାକ୍ଷରର ଦିଖଣ୍ଡ ଚିଠି, ସହରରେ ପାଠପଢ଼ୁଥିବା ତା’ ପ୍ରେମିକ ଧର୍ମଭାଇ ପାଖକୁ ନିଜେ ତିଆରି କରି ପଠାଇଥିବା ଆରିଷା ପିଠା, ନାଲି ଉଖୁଡ଼ାର ଚିତ୍ର ତଥାପି ଆମର ପରୀକ୍ଷାଧର୍ମୀ ଗଳ୍ପ ରଚନା କାଳରେ ଆମ ଗଳ୍ପ, ଆମ ଚିନ୍ତନରୁ ଆମେ ସଂପୂର୍ଣ୍ଣ ବାଦ୍ ଦେଇପାରିନୁ ।

 

ଶିକ୍ଷାର, ସଂସ୍କାର ଆଦି ଆଉ କେତୋଟି ପ୍ରସ୍ଥ ଥିବା ସତ୍ତ୍ୱେ ‘ରେବତୀ’ ଗଳ୍ପଟିତ ନିଚ୍ଛକ ଭାବେ ଏକ ପ୍ରେମଗଳ୍ପ । ଦି’ ଜଣ ପୁଅଝିଅଙ୍କ ନିରବ ପ୍ରେମର କାହାଣୀ । ନାନା ପରୀକ୍ଷାଧର୍ମୀ ଅଟୋପ ସତ୍ତ୍ୱେ ଗତ ଶହେବର୍ଷରେ ଆମ ଓଡ଼ିଆ ଗାଳ୍ପିକମାନେ ମାତ୍ରାଧିକ ଭାବେ ପ୍ରେମଗଳ୍ପହିଁ ଲେଖିଛନ୍ତି । ଅବଶ୍ୟ ସେସବୁକୁ ଅସଫଳ ତରଳ ପ୍ରେମକାହାଣୀ ବୋଲି କୁହାଯାଇ ପାରିବନାହିଁ ।

 

ଓଡ଼ିଆ ଗଳ୍ପ ସାହିତ୍ୟ ସଂପର୍କରେ ଏ ପ୍ରକାର ଅଭିମତର ଅର୍ଥ ନୁହେଁ ଯେ ଓଡ଼ିଆ ଗଳ୍ପ ଅବିକଶିତ ହୋଇ ରହିଛି । ସମୟ ଓ ମଣିଷର ଜୀବନ ଢାଞ୍ଚା ଯେପରି ବଦଳିଛି ସେହି ଭାବରେ ଗଳ୍ପ ବଦଳି ନାହିଁ । ଯଦିଓ ସାଂପ୍ରତିକ ଜୀବନର ଛବି ଆମ ଗଳ୍ପରେ ବହୁଳ ଭାବେ ଅଙ୍କିତ ହୋଇଛି-

 

ଯୌନ ପ୍ରେମର ଉଷ୍ମ ସଂବେଗ ବହୁଳ ମାତ୍ରାରେ ଆମ ଗଳ୍ପର ବିଷୟବସ୍ତୁକୁ ରୁନ୍ଧି ପକାଇଛି । ଯୌନ ବାସ୍ତବତା ହିଁ ଆଜି ଆମ ଗଳ୍ପର ସବୁଠାରୁ ବଡ଼ ବାସ୍ତବତା ହୋଇଛି । ଷାଠିଏ ସତୁରି ଉତ୍ତର କେତେକ ଓଡ଼ିଆ ଗାଳ୍ପିକ ଅଧିକ କଞ୍ଚା ଓ ଆଇଁଷିଆ ଯୌନର ଚିତ୍ର ଆଙ୍କିଛନ୍ତି । ସତେ ଯେପରି ଆମ ଗାଳ୍ପିକଙ୍କ ଆଗରେ ଅନ୍ୟ କୌଣସି ବାସ୍ତବତା ଆଉ ନାହିଁ । ମଣିଷର ପୀଡ଼ା ଆଉ ତା’ର ଯେତେ ଦୁର୍ଭାଗ୍ୟ ସବୁକୁ ଅନ୍ୟଠି ଅନ୍ୟଦେଶର ଗାଳ୍ପିକମାନେ ଅଧିକ ପ୍ରଭାବପୂର୍ଣ୍ଣ କରି ଯେପରି ଲେଖୁଛନ୍ତି ବା ଲେଖୁଛନ୍ତି ସେ ପ୍ରକାର ସିଦ୍ଧି ଆମ ଗାଳ୍ପିକଙ୍କର କାହିଁ ? ଗତ ଶହେବର୍ଷରେ ଓଡ଼ିଆ ଗଳ୍ପ ସୃଷ୍ଟିରେ ଆମେ ଯେମିତି ଦେଖିଛୁ ଏହି ଶ୍ରେଣୀ ଏହି ବର୍ଗର ଦୁଇଟି ସଫଳ ଗଳ୍ପ – ଯଥା: ‘ମାଗୁଣୀର ଶଗଡ଼’ ଆଉ ‘ଗୋପୀ ସାହୁର ଦୋକାନ’ । ବଳଶାଳୀ ଜୀବନ ପ୍ରବୃତ୍ତିର ଚେଖଭୀୟ ରୂପାୟନ ଆଉ ସେ ପ୍ରକାର ଆଦର୍ଶର କିଛି ଅଧିକ ବିସ୍ତାର ଆମ ଗଳ୍ପଧାରାରେ ବିରଳ ପ୍ରାୟ । ଗଭୀର ପ୍ରାଣ ପ୍ରାଚୁର୍ଯ୍ୟ ଲେଖୁଥିବା ଗାଳ୍ପିକଟିଏ ବୋଧେ ଆପେକ୍ଷିକ ଭାବେ ଜୀବନର ସୂକ୍ଷ୍ମ ସମ୍ବେଦନଶୀଳତା ଓ ତା’ର ଚିତ୍ତ ପ୍ରଶାନ୍ତି ଜନିତ ମହତ୍ତ୍ୱକୁ ବେଶୀ ଉପଲବ୍ଧ କରିଥାଏ । ଭୟାବହ ଯୁଦ୍ଧ, ଦୁର୍ଭିକ୍ଷ, ମଣିଷର ଆସୁରିକ କ୍ରୋଧ, ସଇତାନି ସହିତ ମିଶାଇ ୟୁରୋପୀୟ ଲେଖକମାନେ ସବୁଠାରୁ ଚିତ୍ତ ଉଲ୍ଲାସକ ଯୌନ ପ୍ରେମର ଚିତ୍ର ଯେପରି ଆସୁଛନ୍ତି ଓ ଯୌନପ୍ରେମର ପ୍ରାଣପୂର୍ଣ ତୃପ୍ତିର ମନସ୍ତାତ୍ତିକ ଚିତ୍ର ଯେପରି ନେଉଛନ୍ତି ସେ ସିଦ୍ଧି ସେ ସଫଳତା ସେପରି ବିଷୟ ବୈଚିତ୍ରୀ ଆମ ଗଳ୍ପରେ କାହିଁ ?

 

ବୋଧହୁଏ ଆମ ଗାଳ୍ପିକମାନେ ଜୀବନ ବିଷୟରେ ବଡ଼ ଲାଜକୁଳା ଆଉ ଡରୁଆ । ଧର୍ମ ଓ ସମାଜର ଭୟ ଆମ ଗାଳ୍ପିକଙ୍କ ସତ୍ୟ ପ୍ରକାଶର ସ୍ପର୍ଦ୍ଧିତ ପ୍ରସ୍ତାବନାକୁ ତ୍ରସ୍ତ ଓ ସଙ୍କୁଚିତ କରିଦେଇଛି । ଶାନ୍ତନୁ ଆଚାର୍ଯ୍ୟଙ୍କ ପରି ଯେଉଁ ଓଡ଼ିଆ ଗାଳ୍ପିକମାନେ ସେ ପାଇଁ ଜୀବନର ସେହି ଦୃପ୍ତ ସତ୍ୟ ପ୍ରକାଶନ ପାଇଁ ଅଧିକ ପ୍ରବଣତା ପୋଷଣ କରିଛନ୍ତି ସେମାନେ ତାହାକୁ ନିଚ୍ଛକ ପ୍ରାଣପୂର୍ଣ୍ଣ ଓ କଳାତ୍ମକ ଅଭିବ୍ୟକ୍ତି ଦେଇପାରିନାହାନ୍ତି ।

 

ଏଠାରେ ଏ ପ୍ରସଙ୍ଗରେ ଏହାକୁ କେହି ନିରର୍ଥକ ତୁଳନା ବୋଲି ନଭାବୁ ଯେତେବେଳେ ଦସ୍ତୋଭସ୍କିକୁ ସ୍ମରଣ କରିବା । ପାପ ପଙ୍କ ଭିତରକୁ ଓହ୍ଲାଇଯାଇ ଜୀବନର ସର୍ବୋତ୍ତମ ପୁଷ୍ପ କୋମଳ ସୌନ୍ଦର୍ଯ୍ୟର ଚିତ୍ର ଦେଇପାରିଥିଲେ ।

 

ପାପ ଓ ପରାଜୟ ଭିତରେ ନିବିଡ଼ ଓ ହିରଣ୍ୟଦୀପ୍ତ ଜୀବନତୃଷ୍ଣାକୁ ଜାଣିହୁଏ । ଆମେ ଲରେନ୍‍ସଙ୍କୁ ଯେପରି ବୁଝିପାରୁ ଓସ୍କାର ୱାଇଲଡଙ୍କୁ ଆଲେକ୍‍ଜାଣ୍ଡାର ସୋଲ୍‍ଝେନିତ୍‍ସିନ୍ ସେମିତି ଗୋଟେ ସ୍ଵଚ୍ଛ ଜୀବନ ଦୃଷ୍ଟି, ଗୋଟେ ବିଶ୍ୱାସକୁ ଆମେ ଆମ ଓଡ଼ିଆ ଗାଳ୍ପିକଙ୍କ ନିକଟରେ ସେହିଭାବରେ ବୋଧେ ଦେଖନ୍ତି ନାହିଁ । ଜଣେ ପତ୍ନୀପ୍ରାଣ ପତି ଯେମିତି ପରକୀୟା ପ୍ରୀତିର ସ୍ଵାଦ ବାରିପାରେନି ଆମ ଗାଳ୍ପିକମାନେ ସେମିତି ପୂରାମାତ୍ରାରେ ଗୋଟିଏ ଲେଖକୀୟ ସ୍ପର୍ଦ୍ଧାକୁ ପ୍ରାଣରେ ଅନୁଭବ କରି ପାରୁନାହାନ୍ତି । ସେମାନେ ପୁଅମୁଣ୍ଡ ଓ ତେଲଘଡ଼ି ଉଭୟକୁ ଦେଖୁଛନ୍ତି । ବଶମ୍ବଦ ରାଜ କର୍ମଚାରୀ, ଅନୁଗତ ପତ୍ନୀପ୍ରାଣ ପତି ହୋଇଛନ୍ତି, ନୀତିବେତ୍ତା ଶିକ୍ଷକ ହୋଇଛନ୍ତି, ସାଧୁ ସୁପୁରୁଷ ବୋଲାଇଛନ୍ତି । ଅମାନିଆ ଆଦୌ ଦୁଷ୍ଟ ହେବାକୁ ଚାହିଁ ନାହାନ୍ତି । ଜୀବନ ବଞ୍ଚିବାର ଭିତର ଖଞ୍ଜାର ଦୃଶ୍ୟକୁ ସେମାନେ ଦେଖି ନାହାନ୍ତି । ଲାଜରେ, ସଙ୍କୋଚରେ ଆଖି ବୁଜି ଦେଇଛନ୍ତି-। ଆଉ ସଜନମାନଙ୍କ ସଂଘରେ ଯାଇ ମୃତ୍ୟୁହୀନ ଜୀବନର ବ୍ୟାଖ୍ୟା କରିଛନ୍ତି ।

 

ଖାଲି ଜାନ୍ତବ ଜୀବନର ରକ୍ତାକ୍ତ ମୁଦ୍ରା ଆଉ ତା’ର ଶେଷହୀନ ଅର୍ଗଳି ସବୁ ଊର୍ଦ୍ଧ୍ୱରେ ଯେଉଁ ଗାଳ୍ପିକମାନେ ଉଚ୍ଚତର ଜୀବନ ସ୍ପନ୍ଦନକୁ, ଗୋଟିଏ ବୌଦ୍ଧିକ ଜୀବନର ଅନ୍ତରଙ୍ଗ ଆମନ୍ତ୍ରଣକୁ ଦେଖିପାରିଲେ ନାହିଁ, ଲେଖିପାରିଲେ ନାହିଁ ତାହା ଆମ ଗାଳ୍ପିକଙ୍କର ଯେପରି ଏକ ଅକ୍ଷମଣୀୟ ଅପାରଦର୍ଶିତା; ସେହିପରି ଜୀବନ ବିରୋଧୀ ଯେକୌଣସି ପ୍ରକାରର ଶୁଚିତା ଆମର କାମ୍ୟ ନୁହେଁ । ତାହା ଆମ ଗାଳ୍ପିକଙ୍କୁ ବନ୍ଧନଯୁକ୍ତ କରିଦେଇଛି । ଜୀବନର ସତ୍ୟ ଅନ୍ୱେଷଣରେ ସେମାନେ ଆଉ ଆଗକୁ ଯାଇ ପାରିନାହାନ୍ତି ଯଦିଓ ବହୁବାଟ ଯିବାକୁ ଅଛି ।

 

ଯଦି ଗଳ୍ପର ଲକ୍ଷ୍ୟ ସବୁମତେ ମଣିଷର ଜୀବନକୁ ଲେଖିବା ତାହେଲେ ଆଜି କ୍ଷୁଦ୍ରଗଳ୍ପର ଧ୍ୟେୟ ନୁହେଁ ଗଳ୍ପ ତିଆରି କରିବା । ଗୋଟେ ଗଛ ତିଆରି କରିବା ସବୁଠାରୁ ବଡ଼ କୃତିମତା । ମଣିଷର ଜୀବନ ବଞ୍ଚିବା ପୁଣି ଏତେ ଅନାଟକୀୟ ଯେ ତା’କୁ ଗଳ୍ପାୟିତ କରିବାରେ କିଛି ବିଶେଷ ଅର୍ଥ ହୁଏନା ।

 

ସବୁଠି ସବୁବେଳେ ଜୀବନ ଯେମିତି ଗପ ସେମିତି ନୁହେଁ । ହୁଏତ ଗଳ୍ପ ଗୋଟେ ବଞ୍ଚୁଥିବା ଜୀବନର ସମ୍ଭାବନାର ରୂପକ ଚିତ୍ର ହୋଇପାରେ । ଯାହା ସମସ୍ତଙ୍କ ଜୀବନରେ ଊଣା ଅଧିକେ ଘଟୁଛି ତା’ର ଏକ ରୂପକାତ୍ମକ ଆଭାସ ହୋଇପାରେ । ଜଣେ ଚତୁର ସମର୍ଥ ଗାଳ୍ପିକ ତା’ ଗଳ୍ପ ଜରିଆରେ ଆଜି ଖାଲି ଜୀବନର ଚିତ୍ର ଆଙ୍କୁନି ତା’ ସହିତ ସେ ଜୀବନକୁ ଯେପରି ବୁଝିଛି, ଜୀବନ ତା’କୁ ଯେପରି ଭଲ ଲାଗୁଛି କିମ୍ବା ନଲାଗିଛି ତା’କୁବି ଲେଖୁଛି । ଓଡ଼ିଆ ଗଳ୍ପର ଗଳ୍ପକାରିତା ତେଣୁ ଜୀବନର ବଞ୍ଚିବାର ସୁନିଷ୍ଠ ଅନୁଭବ, ଜଣେ ଗାଳ୍ପିକର ଜୀବନପ୍ରୀତି, ଜୀବନପ୍ରତି ତା’ର ବିଶ୍ୱାସନୀୟତା, ତା’ର ପରିବେଶ ପରିସ୍ଥିତି ଏପରିକି ତା’ର ବୁଦ୍ଧିବୃତ୍ତି ଓ ପଢ଼ାପଢ଼ି ଆଦି ଏକ ନିବିଡ଼ ପାରସ୍ପର୍ଯ୍ୟାତ୍ମକ ମିଶ୍ରଣର ବିଷୟ ହୋଇଛି । ବିଷୟ ବିନ୍ୟାସ ଜନିତ ଗଳ୍ପଟିଏ କେବଳ ନୁହେଁ । ଏହି କାରଣରୁ ଷାଠିଏ ପରବର୍ତ୍ତୀ ଓଡ଼ିଆ ଗଳ୍ପରେ କ୍ରମଶଃ ଗାଳ୍ପିକ ନିଜେ ଗଳ୍ପ କହିବାକୁ ଆରମ୍ଭ କରିଛି; ନାୟକ ଭାବରେ ଅବା ମଧ୍ୟସ୍ଥି ଭାବେ । ପରିଣତିରେ ଓଡ଼ିଆ ଗଳ୍ପର ଚରନାଶୈଳୀ ଭିତରକୁ ରମ୍ୟ ରଚନା ବହୁଭାବରେ ପଶି ଆସିଛି । ଜୀବନ ବିଷୟକ ନିଜର ଅବବୋଧ ନିଜର ଅଭିଜ୍ଞତା ସବୁକୁ ଯଥେଚ୍ଛା ପ୍ରକାଶ କରିବାର ଗୋଟେ ଅନ୍ତରୀଣ ପ୍ରବଣତା ଆଜି ଗଳ୍ପକୁ କେତେକାଂଶରେ ରମ୍ୟରଚନା କରି ଦେଇଛି ।

 

ନୂଆ ପିଢ଼ିର ଗାଳ୍ପିକ ବାସ୍ତବତାର ଇସ୍ତାହାର ସତ୍ତ୍ୱେ ଏକ ଛାୟାଚ୍ଛନ୍ନ ପରିମଣ୍ଡଳରେ ଜୀବନ ଯେତିକି ଉଦ୍ଭାସିତ ଜୀବନର ସେମିତି ଚିତ୍ରଣ ସେ କରୁଛି । ମଣିଷ ମନର ଛାଇ ଆଲୁଅର ଗୋଟେ ଇତସ୍ତତଃ ଦୋଳନକୁ ସେ ଆଜି ଲେଖୁଛି । ସମସ୍ତ ସମୟକୁ ନୁହେଁ, ପରି ବୋଧନୀୟ ବିରଳ ଲଗ୍ନମାନଙ୍କୁ, ଆପଣା ପ୍ରାଣର ଗୋଟେ ଶୋକଜର୍ଜ୍ଜରିତ କରୁଣାର୍ଦ୍ର ମୁହୂର୍ତ୍ତକୁ ନୂଆପିଢ଼ିର ସମର୍ଥମାନେ ଚିତ୍ରଣ କରୁଛନ୍ତି ।

 

ଆଜି ଭଲ ଗପଟିଏ ଭିତରେ ହୁଏତ ଗଳ୍ପମୁଖୀ ଅସଂଖ୍ୟ ବିମ୍ବ ରହୁଛି । ସେ ବିମ୍ବ ଭିତରେ କେତେ ଯେ ଛବିଳ ଲେଣ୍ଡସ୍କ୍ୟାପ୍, କେତେଯେ ନିର୍ଧୁମ ଖରାକାଳ, ଜୀବନର ଚେନାଏ ଅସହାୟତା, ପଦ୍ମପୋଖରୀର ପାଣି, କେତେଯେ ସ୍ଵପ୍ନ, କେତେ ଅବଶୋଷ ଗୋଟେ ନିବିଡ଼ ଭାବ ସଂଚରଣଶୀଳତା ପାଠକର ପରିଚିତ ଅନୁଭୂତିକୁ ଆର୍ଦ୍ର କରିଦେଉଛି । ଗୋଟିଏ ଗଳ୍ପ ତିଆରି କରିବାର ଅସଲ ଉଦ୍ଦେଶ୍ୟ ହେଉଛି ଗଳ୍ପ ଜରିଆରେ ଏମିତି ଗୋଟିଏ ଧର୍ମକଥା, ଗୋଟିଏ ନୀତି କଥା ବା ଘଟିଯାଇଥିବା ଗୋଟିଏ ଘଟଣାର ବିବରଣୀ ମାତ୍ର ଶୁଣାଇବା ନୁହେଁ, ଭାବରେ ଭାବରେ ତା’କୁ ମୋହିନେବା ।

 

ଗତ ଶହେବର୍ଷର ଓଡ଼ିଆ ଗଳ୍ପ ତା’ର କିଛି ବିଫଳତାକୁ ଧରି ଉତ୍ତରଣ ପଥରେ ଗତି କରିଚାଲିଛି । ଏହି ସମୟରେ ଲେଖାଯାଇଥିବା ଗଳ୍ପର ଏକ ଉଲ୍ଲେଖଯୋଗ୍ୟ ଲକ୍ଷଣ ହେଉଛି ଗାଳ୍ପିକ ଗଳ୍ପଟିକୁ ସବୁମତେ ଏକାନ୍ତ ଜୀବନମୟ କରି ପକାଉଛି । ପଙ୍କ କାଦୁଅରେ ଘୁଷୁରି ଛୁଆପରି ଲୋଟିପଡ଼ିଥିବା ଗୋଟେ ନିରନ୍ନ କାଙ୍ଗାଳ ପିଲା ତା’ ବାଟରେ ଜୀବନ ଭୋଗ କରୁଛି, ସେ ଏ ବ୍ରହ୍ମାଣ୍ଡର ପାଣି ପବନ, ଜହ୍ନରାତି, ପକ୍ଷୀର ଗୀତ, ମଳୟ ପବନ ସବୁକୁ ଭୋଗକରୁଛି । ଜୀବନ ବଞ୍ଚିବା ଠାରୁ ଆଉ ଅଧିକ ଜୀବନମୟ ବିଷୟ କ’ଣ ଅଛି ? ସେ ପାଇଁ ଆଜିର ଗାଳ୍ପିକ ଛିଡ଼ା କରାଇଥିବା ପାତ୍ର ପାତ୍ରୀମାନଙ୍କୁ ବେଶ୍ ପ୍ରଣୋଦିତ କରି ପାରିଛି ତା’ର ସାଥି ସହୋଦରମାନଙ୍କୁ ଭଲ ପାଇବା ପାଇଁ ।

 

ଆଜି ଗାଳ୍ପିକଟିଏ ଜଣେ ମଣିଷକୁ ଆଉ ଜଣେ ମଣିଷର ପୀଡ଼ା ଦେବାକୁ ସବୁଠାରୁ ଦୁର୍ଭାଗ୍ୟର ବିଷୟ ବୋଲି ମନେକରୁଛି । ଛପର ନଥିବା, ଝରକା ନଥିବା, ଘରେ ଦୁଃଖ ପୀଡ଼ିତ ମଣିଷଟି ତଥାପି ଯେମିତି ଭାବୁଛି ମଣିଷର ପ୍ରତାରଣା ସତ୍ତ୍ୱେ ମଣିଷକୁ ବିଶ୍ଵାସ କରିବା ଭିନ୍ନ ଆଉ ବିକଳ୍ପ କ’ଣ ଅଛି । ମଣିଷଠାରୁ ମଣିଷ ଘୃଣାରେ ଘୁଞ୍ଚି ଆସିଲେ ନା ତା’ ଜୀବନ, ନା ଏସୁନ୍ଦର ଜଗତ କାହାକୁ ଜୀବନମୟ ଲାଗେନି । ଜୀବନ କହ୍ନେଇର ବଂଶୀପରି ତା’କୁ ଉଚ୍ଚାଟିତ କରୁ । ଜୀବନ ଭଲ ଲାଗିଲେ ଗାଳ୍ପିକ ଗୋଟେ ସୁନ୍ଦରରେ ଜୀବନ ଜିଇଁବାକୁ ନିରତ ସ୍ଵପ୍ନ ଦେଖୁଥିବା ମଣିଷମାନଙ୍କୁ ଲେଖିବା ପରିଣତିରେ ସମୁଦାୟ ଗଳ୍ପଟିକୁ ଗୋଟେ ଚମତ୍କାର ବାଣିଜ୍ୟ ତନ୍ମୟତାରେ ଭସାଇଦେବୁ ।

 

ରାମଚନ୍ଦ୍ର ବେହେରା ଉତ୍ତର ଅଧିକାଂଶ ଗଳ୍ପ ସଂକଳନର ନାମଗୁଡ଼ିକୁ ସେ ଦୃଷ୍ଟିରୁ ଲକ୍ଷ୍ୟ କରାଯାଇପାରେ । ସବୁ ଗଳ୍ପ ଗ୍ରନ୍ଥର ନାମକରଣ ସୂଚିତ କରୁଛି ଯେ, ମଣିଷ ତଥାପି ଶ୍ରଦ୍ଧାରେ, ଏକଲା ମଣିଷର ଉଦାସୀନତା ଭିତରେ ବଞ୍ଚିବା ପାଇଁ ବ୍ୟାକୁଳ । ଏଠାରେ ଏହି ସମୟର ଜଣେ ସଫଳ ଗାଳ୍ପିକଙ୍କ ନିଜ କଥାରୁ କିଛି ଉଦ୍ଧାର କରାଯାଇଛି । ସେ ଲେଖିଛନ୍ତି – “ଲେଖକକୁ ବିଶ୍ୱାସ କରିବାକୁ ପଡ଼େ ମଣିଷର ସ୍ଥିତାବସ୍ଥା ଓ ତା’ର ସମ୍ପର୍କ । ନିଜ ସହ ହେଉ, ସମାଜ ସହ ହେଉ ବା ପ୍ରକୃତି ସହ ହେଉ – ସବୁଗୁଡ଼ିକ ସଂଘର୍ଷର ସଂପର୍କ । ତେଣୁ ଏହି ସଂଘର୍ଷଶୀଳ ସଂପର୍କ ଭିତରେ ତା’ର ମୁକ୍ତି ପିପାସା ବା ପୂର୍ଣ୍ଣତା ପାଇଁ ଯେଉଁ ଲେଖକ ଏଇଠି ଏକ ଦାର୍ଶନିକର ଭୂମିକା ନେବ ହିଁ ନେବ । ସେ ମଣିଷର ଏକ ବିଡ଼ମ୍ବିତ ଅବସ୍ଥା ତା’ର ଯନ୍ତ୍ରଣାଭରା ସ୍ଥିତି ଭିତରେ ଆଗକୁ ବଢ଼ିବା ଲାଗି ତା’ ମନ ଭିତରେ ଏକ ଅଭିପ୍‌ସା ଭରିଦେବ । ଯେପରି ସେ ଧୂଳିଧୂସରିତ କର୍ଦ୍ଦମାକ୍ତ ପୃଥିବୀ ଉପରେ ଠିଆ ହୋଇଯିବ ଅଥଚ ଚାହିଁଥୁବ ଆକାଶକୁ, ତାରକାକୁ, ଚନ୍ଦ୍ରକୁ, ସୂର୍ଯ୍ୟକୁ ।

 

ଏ ସମସ୍ତ କଥାକୁ ସଂକ୍ଷେପରେ କହିଲେ ଏପରି ହେବ ଯେ, ଆଜି ଗାଳ୍ପିକର ପ୍ରସ୍ତାବନା ତା’ ଗହ୍ୱର କାହାଣୀ ନିର୍ମାଣ କରୁଛି । ତା’ର ସେ ପ୍ରସ୍ତାବନା ଆହୁରି ଜୀବନ ପାଇଁ । ସେ ବଞ୍ଚୁଥିବା ଜୀବନ ପାଇଁ ହିଁ ତା’ର ସର୍ବୋତ୍ତମ ପ୍ରାର୍ଥନା । ସେହି ଜୀବନ ବଞ୍ଚିବାକୁ, ଜୀବନକୁ ନିବିଡ଼ ଭାବେ ଆହୁରି ଅନୁଭବ କରିବା ପାଇଁ ସେ ପ୍ରାଣକୁ ଶୋକ ଜର୍ଜ୍ଜରିତ କରିବାକୁ ସେ ଦୁଃଖ ଓ ଶେଷହୀନ ବିଷାଦକୁ ବି ପ୍ରାର୍ଥନା କରୁଛି । ଏବର ଗଳ୍ପରେ ମଣିଷର ଜୀବନବୃତ୍ତରେ ବିଷାଦ ଓ ତଦ୍‍ଜନିତ ଏକାକୀତ୍ଵ ଅଧିକରୁ ଅଧିକ ଅଂଶ ହୋଇଛି । ନୂଆପିଢ଼ିର ଗାଳ୍ପିକମାନେ ଭାବୁଛନ୍ତି ଯେ, ଜଣେ ବିଷାଦଗ୍ରସ୍ତ ହେଲେ ଯାଇ ନିଜକୁ ସେ ନିବିଡ଼ ଭାବେ ଚିହ୍ନିପାରେ । ବିଷାଦ ଜୀବନର ଅଭ୍ୟନ୍ତରକୁ ପ୍ରକଟନ କରେ । ଆମେତ ସଭିଏଁ ଯେଝା ବାଟରେ ଯିଏ ବିଷାଦ ଭୋଗିବା ପାଇଁ ଜୀବନ ବଞ୍ଚୁଛେ-। ମରଣ ଆଗରେ ରହିଛି ବୋଲିତ ଟିକିଏ ଜୀବନ ବି ମିଠାଲାଗେ । ବ୍ୟଥା ବେଦନା, ସନ୍ତାପ ଓ ତାଡ଼ନାର ପ୍ରତିଟି ଲଗ୍ନ ବି ଅମୃତମୟ । ପ୍ରାପ୍ତି ଯେପରି ଜୀବନର ଏକ ଅଂଶ, ଏକ ଅନୁଭବ ସେହିପରି ବଞ୍ଚନା । ନଈ ମଝିରେ ଅଦିନିଆ ମେଘ ବର୍ଷିଲେ, ଝଡ଼ ଆସିଲେ, ଡଙ୍ଗା ଟଳମଳ ହେଲେ, ଡଙ୍ଗା ବୁଡ଼ିଯିବା ଆଶଙ୍କାରେ ଶିହରି ଉଠିଲେ ଯାଇ ନାଆରେ ବସିଥିବା ମଣିଷଟି ନିଜର ପ୍ରିୟ ଜୀବନଟିକୁ ଭାବି ବାରିପାରେ । ଜୀବନ ମରଣ ମେଘ ପବନ ନାଆ ନାଉରୀ ସବୁ କେମିତି ଭାହି ନିବିଡ଼ ଲାଗେ । ତା’ର ଜୀବନ ବଞ୍ଚିବାକୁ ପ୍ରାର୍ଥନା କରିବା ଭିନ୍ନ ତା’ ଅତୀତ ଜୀବନର କିଛି ସନ୍ତାପ କିଛି ବୈରତା ବା ଘୃଣା ତା’ ମନକୁ ସେତେବେଳେ ଆଉ ଆସେ ନାହିଁ । ଭାବିବାକୁ ଆଉ ବେଳନାହିଁ । ନାଆ ବୁଡ଼ିଯବ, ନହେଲେ ମେଘପବନ ଛାଡ଼ିଯିବ ନିମିଷକେ ଝଡ଼ଟା ନଈ ମଝିରୁ ଦୂରକୁ ଠେଲି ହୋଇଯିବ । ବାଟୋଇ ଓଠରେ ହସ ଖେଳିଯିବ । ସେ ଆଶ୍ୱସ୍ତ ହେବ । ଏମିତି ଆଦୌ ବିସ୍ତୃତି ନଥିବା ମୁହୂର୍ତ୍ତଗୁଡ଼ିକୁ ଧରି ରଖିବା ପାଇଁ । ମୁହୂର୍ତ୍ତର ଚିତ୍ତ ଉଦ୍‍ବେଳନକୁ ଚିତ୍ରଣ କରିବା ପାଇଁ ଗାଳ୍ପିକ ଆଜି ସଚେଷ୍ଟ । ଏତେ ତୀକ୍ଷ୍‍ଣତା, ମୁହୂର୍ତ୍ତକୁ ଅଙ୍କନ କରିବାର ଏତେ ପାରଦର୍ଶିତା କେବଳ ଘଟଣା ବିନ୍ୟାସଧର୍ମୀ, ସମସ୍ୟା ଆଧାରିତ ପୁରୁଣା ଗଳ୍ପ ମାନଙ୍କରେ ପରିଲକ୍ଷିତ ହେଉ ନଥିଲା । ଆମ ନୂଆ ଗାଳ୍ପିକଙ୍କର ଏହା ଏକ ନିଶ୍ଚିତ ପାରିବା ପଣିଆ ।

 

ଦୃଶ୍ୟମାନ ପୃଥିବୀର ନା କୌଣସି ଲେଣ୍ଡସ୍କାପ୍‍କୁ, ନା ଈଶ୍ୱରୀୟ ଲାଗୁଥିବା କୌଣସି ଚୈତ୍ର ଉଦ୍ୟାନକୁ । ସାନୁମାନ ପର୍ବତ ଶ୍ରେଣୀକୁ ନାଁ ନିରବ ଗର୍ଜ୍ଜୁଥିବା କୌଣସି ସମୁଦ୍ରକୁ ଗାଳ୍ପିକ ଲେଖେ; ବରଂ ଲେଖେ ଏହି ଜୀବନର ସଂଦିଗ୍ଧ ଲାଗୁଥିବା ଗଭୀର ଗୋପନ ରହସ୍ୟମାନଙ୍କୁ । ନଦୀ, ଗିରି ବଣ ପାହାଡ଼ର କିଛି ରୂପକାତ୍ମକ ଆଭାସ ହୁଏତ ସେଥିରେ ଥାଇପାରେ । ଅନ୍ତଶ୍ଚେତନର ଚିତ୍ରଣ ଆଜି ତେଣୁ ଅନେକ ଆଧୁନିକ ଗଳ୍ପର ନିରୁତା ବିଷୟପିଣ୍ଡ ହୋଇଛି ।

 

ଗୋପନ ଓ ରହସ୍ୟମୟ ଆବୁ ସବୁକୁ ଖୋଲି ନେବାରେ ଗାଳ୍ପିକର ଆଗ୍ରହ ଆଜି ବେଶୀ-। ସତ କହିଲେ ସାଂପ୍ରତିକ ଓଡ଼ିଆ ଗଳ୍ପର ବିଧିବଦ୍ଧ ଧାରା ବୋଲି କିଛି ନାହିଁ । ଗଳ୍ପ ରଚନା କ୍ଷେତ୍ରରେ ସେମିତି କିଛି ଆନ୍ଦୋଳନ ହୋଇଛି ବୋଲି ମଧ୍ୟ କୁହାଯାଇ ପାରିବନି । ଓଡ଼ିଆ ଗଳ୍ପର ସାଂପ୍ରତିକ ଧାରା କହିଲେ ଆମେ ବସ୍ତୁତଃ ଗାଳ୍ପିକ ବିଶେଷଙ୍କ ଉଭୟ ଆତ୍ମିକ ଓ ଆଙ୍ଗିକ ଶୈଳୀ ବୋଲି କହିବୁ । ନିଜ ନିଜ ବାଗରେ ନିଜକୁ ଜାଣିବା ଓ ସେହି ସୂତ୍ରରେ ଜୀବନର ଅନ୍ତଃସ୍ଥଳକୁ ଭେଦିବାର ପ୍ରୟାସ ଆଜି କେତେକ ଗଳ୍ପକୁ ବହୁପ୍ରସସ୍ଥଯୁକ୍ତ ଓ ଯୌଗିକ କରିପକାଇଛି । ସମତଳ ବାସ୍ତବତାକୁ ଆଜି ଗଳ୍ପର ଏକ ବିଷୟ ସଂଲଗ୍ନ ଆବରଣ ବୋଲି କୁହାଯାଇପାରେ ।

 

ପଚାଶ ଉତ୍ତର ଓଡ଼ିଆ ଗଳ୍ପରେ ଭାରତୀୟତା ବା ସାଂସ୍କୃତିକ ଓ ଧାର୍ମିକ ରକ୍ଷଣଶୀଳତା ତଥାପି ଗାଳ୍ପିକର ରୁଚି ଓ ଅଭିଜ୍ଞତା ଜନିତ ଅଗ୍ରଗାମୀକତା ସତ୍ତ୍ୱେ ବାରି ହୋଇ ପଡ଼ୁଛି । ଇତିହାସର ସଙ୍କେତ, ଐତିହାସିକ କ୍ରମଭିତ୍ତିକ ବିଷୟବିନ୍ୟାସ, ଜଟିଳ ଅର୍ଥନୀତିକ ବ୍ୟବସ୍ଥା ଆଦି ସତ କହିଲେ ସାହିତ୍ୟର କିଛି ଅଧିକ ଲାବଣ୍ୟ ଯୋଗକରିପାରେ ନାହିଁ । ସେଠାରୁ ପୁଣି ଗଳ୍ପର ପ୍ରଭାବ ଓ ପରିଣତିକୁ ତୀକ୍ଷ୍ମ ଓ ମାର୍ମିକ କରିପାରେ ନାହିଁ । ଚିତ୍ରଣର କେନ୍‍ଭାସରେ କେବଳ ସହାୟକ ଇଙ୍ଗିତ ହୋଇ ରହିଯାଏ ।

 

ଏଠାରେ ଏ ପ୍ରସଙ୍ଗରେ ଓଡ଼ିଆ ଭାଷାର ପ୍ରଥମ ଗଳ୍ପ ରେବତୀକୁ ନିଆଯାଉ । ନାରୀଶିକ୍ଷା ପରି ରେବତୀର ନାନା ପ୍ରକାର ଐତିହାସିକ ଇଙ୍ଗିତ ଅଛି । ମାତ୍ର ତାହା ଗଳ୍ପଟିର ଥିମ୍ ନୁହେଁ କି ପରିଚୟ ବି ନୁହେଁ । ଗଛଟି ଚିତ୍ରଣଗତ ପ୍ରକ୍ରିୟା ଭିତରେ ପରିଣତିରେ ଶୁଦ୍ଧ ଏକ ପ୍ରେମଗଳ୍ପ ହଁ ହୋଇଯାଇଛି । ରେବତୀ ଓ ବାସୁ ମାଷ୍ଟରଙ୍କ ସମ୍ପର୍କ ହିଁ ଗଳ୍ପଟିର ମୂଳ ସମ୍ବେଗ ହୋଇଛି; ଯଦିଓ ରେବତୀର ବୁଢ଼ୀମାଆ ତା’ର ପ୍ରିୟତମା ନାତୁଣୀର ବାହାଘର ପାଇଁ ସ୍ୱପ୍ନ ଦେଖିବା ଗଳ୍ପଟିର ଅନ୍ୟ ଏକ ସମ୍ବେଗାତ୍ମକ ପ୍ରସ୍ଥ । ବୁଢ଼ୀମାଆର ସ୍ଵପ୍ନ ରେବତୀକୁ ନେଇ ଓ ରେବତୀ ସହିତ ବାସୁ ମାଷ୍ଟରର ସଂପର୍କ ତା’ର ଏକ ଅଂଶ ଏହି ଭାବରେ ଗଳ୍ପଟି ଛନ୍ଦାଛନ୍ଦି ହୋଇଛି । ପୁଣି ରେବତୀ ବାସୁଭାଇକୁ ଓ ବାସୁଦେବ ରେବତୀକୁ ଭଲ ପାଇବା ପ୍ରକୃତରେ ଏକ ଯନ୍ତ୍ରଣାଦାୟକ ନୀରବ ପ୍ରେମର ପ୍ରକାର; ଯାହାର ଅନେକ ଆଭାସ ଗଳ୍ପଟିରେ ରହିଛି ଓ ପୁଣି ଯାହା ଗଳ୍ପର ସଂରଚନାକୁ ପ୍ରଭାବିତ କରିଛି ।

 

ନୀରବ ପ୍ରେମ ହିଁ ସବୁଠି ସବୁକାଳରେ ଯନ୍ତ୍ରଣା ଦାୟକ । ରେବତୀ ଓ ବାସୁମାଷ୍ଟ୍ରଙ୍କ ଭିତରେ ଏତିକି ଶ୍ରଦ୍ଧା ଏତିକି ନିବିଡ଼ତା ସତ୍ତ୍ୱେ ରେବତୀର ଗାଳ୍ପିକ ସେମାନଙ୍କ ପ୍ରେମର ସାମାନ୍ୟତମ ପ୍ରକାଶ ପ୍ରତି ବିମୁଖ ଥିଲେ ଯେପରି ଫକୀରମୋହନ ମାତ୍ରାଧିକ ନୀତିବାଦୀ ଥିବା ଯୋଗୁଁ ବୋଧେ ଏ ବିମୁଖତା । ଏଇଥିପାଇଁ କେବଳ ଫକୀରମୋହନଙ୍କ ରେବତୀର ପରିଣତି ପାଠକଙ୍କୁ ଅଧିକାଂଶରେ ସନ୍ତୁଷ୍ଟ କରି ପାରିଲା ନାହିଁ । ତା’ର ନବୀକରଣ ନୁହେଁ, ତା’ର ପ୍ରତିବାଦ ସ୍ୱରୂପ ଗତ ଏଇ କେତେ ବର୍ଷ ଭିତରେ ଆହୁରି ଅଧାଡର୍ଜନରୁ ଅଧିକ ‘‘ରେବତୀ ଗଳ୍ପ ଲେଖା ଯାଇଛି’’ । ଯେଉଁଥିରେ ଏକ ଅବିଶ୍ୱାସନୀୟ ଆଦର୍ଶବାଦୀ ଓ ନିରୁତ୍ତାପ ପ୍ରେମର ଖସଡ଼ାକୁ ଭାଙ୍ଗି ଦିଆଯାଇଛି ଓ ପ୍ରଣୟ ପିପାସୁ ରେବତୀ ଓ ବାସୁମାଷ୍ଟ୍ରଙ୍କ ମଧ୍ୟରେ ଆବଶ୍ୟକୀୟ ମିଳନ କରିଦିଆଯାଇଛି । ରେବତୀ ବି ଏକ ନିହାତି ସଙ୍କୁଚିତ ଧର୍ମଭୀରୁ ସମାଜର ଲଳନା ଭାବେ ତା ସୀମିତ ଭାଗ୍ୟକୁ ଆଉ ଆବୋରି ବସିନାହିଁ । ରେବତୀ ପରି ସେଦିନ ଗୋଟେ ଗ୍ରାମ୍ୟ ବାଳିକାର ସ୍ଵପ୍ନ ଓ ଅଭିପ୍‍ସାକୁ ପୁଣି ଏକ ବିସ୍ତୀର୍ଣ୍ଣ ସାମାଜିକ ତଥା ସାଂସ୍କୃତିକ ମଣ୍ଡଳକୁ ଉତ୍ତୀର୍ଣ୍ଣ କରି ନିଆଯାଇଛି ।

 

ରେବତୀ ପରବର୍ତ୍ତୀ ରେବତୀମାନଙ୍କରେ ଏସବୁର ପ୍ରତିବଦ୍ଧ ଅଭିବ୍ୟକ୍ତ ଘଟିଛି ମୂଳ ଗଳ୍ପ ରେବତୀରେ ଫକୀରମୋହନ ଦୁଇ ପ୍ରେମ ପ୍ରତ୍ୟାଶୀ ପ୍ରେମୀ ଯୁଗଳକୁ ସଂପୂର୍ଣ୍ଣ ଏକ ବଞ୍ଚନା । ଭିତରକୁ ଫିଙ୍ଗି ଦେଇଥିବା କାରଣରୁ । କେବଳ କାବ୍ୟିକ ନ୍ୟାୟ ନୁହେଁ ଜୀବନର ଗଭୀର ପ୍ରାଣ ପିପାସାକୁ ବି ଫକୀରମୋହନଙ୍କ ରେବତୀରେ ପ୍ରତ୍ୟାଖ୍ୟାନ କରାଯାଇଛି ।

 

ଯଦି ରେବତୀର ପ୍ରେମ ନୁହେଁ ବରଂ ରେବତୀ ବୁଢ଼ୀ ମାଆର ସ୍ଵପ୍ନ ଉଜୁଡ଼ି ଯିବାର ପ୍ରସଙ୍ଗକୁ ଫକୀରମୋହନ ରେବତୀ ଗଛର ମୂଳ କାହାଣୀ କରି ଥାଆନ୍ତି ତାହେଲେ ଫକୀର ମୋହନ ରେବତୀ ଗଳ୍ପର ପରିଣତିକୁ ସଂପୂର୍ଣ୍ଣ ବିୟୋଗାତ୍ମକ କରିବା ଯଥାର୍ଥ ହୋଇଛି । ସେପରି ହୋଇ ନଥିଲେ ରେବତୀ ଗଳ୍ପର ପରିସମାପ୍ତି ଏତେ କାବ୍ୟିକ ଓ ସେହି କାରଣରୁ ଏତେ ପ୍ରଭାବଦୀପ୍ତ ହୋଇନଥାନ୍ତା ।

 

ଯଦି ଫକୀରମୋହନ ରେବତୀ ଜରୀଆରେ ନାରୀଶିକ୍ଷା ପରି ଏକ ସାମାଜିକ ସମସ୍ୟାକୁ ବ୍ୟଙ୍ଗାତ୍ମକ ଭାବେ ଚିତ୍ରଣ କରିଥାଆନ୍ତି ତାହେଲେ ଗଳ୍ପଟିକୁ ଆମେ ଆଉ ଏପିକ ପର୍ଯ୍ୟୟର ବୋଲି କହି ପାରିବାନି; ତାହା ଅସ୍ଥିର ସାଟାୟାରଟିଏ କେବଳ ହୋଇଯିବ । ରେବତୀ ଗଳ୍ପର ପ୍ରଭାବ ଓ ପରିଣତି ତା’ର ଏପିକ ଗୁଣ ଓ ସଫଳତାକୁ ସୂଚିତ କରେ ।

 

ରେବତୀ ଗଳ୍ପର ମୋଟିଭ ହେଉଛି ଗୋଟେ ନିବିଡ଼ ନାରୀପୁରୁଷର ଏକାତ୍ମକତାକୁ ଦେଖାଇବା । ତାହା ସମସ୍ୟା ଆଧାରିତ ହୋଇପାରେ; ମାତ୍ର ସମସ୍ୟାଟି ଗଳ୍ପର ପ୍ରତିପାଦ୍ୟ ନୁହେଁ । ତାହା ଗଳ୍ପର ଆଧାର ଭୂମି କିମ୍ବା ଏକ ନିବିଡ଼ ପ୍ରେମ ପ୍ରକ୍ରିୟାର ଅନିବାର୍ଯ୍ୟ ଚତୁଃପାର୍ଶ୍ୱ । ସେ ଦୃଷ୍ଟିରୁ ରେବତୀକୁ ନାରୀଶିକ୍ଷା ସଂପର୍କିତ ଏକ ସାଟାୟାର କହି ହେବନି । ଯଦି ତାକୁ ଚିରନ୍ତନ ନରନାରୀ ସଂପର୍କର ଚିତ୍ରଣ ସମ୍ବଳିତ ଏପିକ କୃତି କୁହାଯିବ ତାହେଲେ ରେବତୀ ପ୍ରେମଗଳ୍ପ ଭିନ୍ନ ଅନ୍ୟକିଛି ହୋଇ ପାରିବ ନାହିଁ ।

 

ରେବତୀରେ ପ୍ରକୃତ କୌଣସି ସାଂସ୍କୃତିକ ବା ଧାର୍ମିକ ଆନ୍ଦୋଳନ ସୂଚିତ ହୋଇନି । ଗୋଟେ ସାମାଜିକ ଗଳ୍ପ ପାଇଁ ଯେତିକି ସୂଚନା ଆବଶ୍ୟକ ରେବତୀ ଗଳ୍ପରେ ତାହା ସମତଳ ହୋଇ ରହିଛି କେବଳ । ରେବତୀକୁ ଗୋଟେ ସମସ୍ୟାଧର୍ମୀ ଗଳ୍ପ ବୋଲି କହିବା ଅର୍ଥ ରେବତୀ ଗଳ୍ପର କାଳଗତ ଉତ୍କର୍ଷକୁ ନ୍ୟୁନ ମନେ କରିବା । ଯେ କୌଣସି ଗଳ୍ପର ସମସ୍ୟା ବା ଘଟଣାପ୍ରଧାନତା ତା’ର ସାଟାୟାର ଧର୍ମତାକୁ ପ୍ରମାଣିତ କରେ । ସମସ୍ୟା ବସ୍ତୁତଃ ଚଳମାନ । ଅନ୍ୟ ପକ୍ଷରେ ଚିରନ୍ତନତା ହେଉଛି ଏପିକ ଧର୍ମ । ରେବତୀରେ ଏକାନ୍ତ ଶୋକ ଜର୍ଜ୍ଜରିତ ଚିରନ୍ତନ ଜୀବନ ଛବି ହିଁ ଅଙ୍କିତ; ଗଛଟିକୁ ଯାହା ନିଜ ଜୀବନଧର୍ମୀ କରିଛି ।

 

ରେବତୀ ଗଳ୍ପଟି ଆମକୁ ଏତେବର୍ଷ ଧରି ଭଲ ଲାଗିବାର କାରଣ ହେଉଛି ଅବିକଳ ଆମ ଭିତରର ଶୋକ, ନୈରାଶ୍ୟ, ଅପ୍ରାପ୍ତି, ସ୍ନେହଶୀଳତାକୁ ଆମେ ରେବତୀ ଗଳ୍ପ ପୃଷ୍ଠରେ ପଢ଼ି ପାରୁଛୁଁ-। ତାହାଦ୍ଵାରା ପାଠକର ପରିଚିତ ଅନୁଭୂତି ଆର୍ଦ୍ର ହୋଇ ଯାଇଛି । ଯେଉଁ ଗଳ୍ପର ବିଷୟ ମୋତେ ଗଭୀର ପ୍ରାଣ ପିପାସା ଉପରେ ଆଧାରିତ ହୋଇଥିବ ସେହି ଗଳ୍ପ ପାଠକର ମନକୁ ସେତେ ଛୁଇଁ ପାରିବ ।

 

ରେବତୀ ଉତ୍ତର ଶହେ ବର୍ଷର ଓଡ଼ିଆ ଗଳ୍ପର ସାମଗ୍ରିକ ଦାର୍ଶନିକ ଭିତ୍ତି ଯାହା ରେବତୀ ଗଳ୍ପରେ ହିଁ ତା’ର ଉନ୍ମେଷ ହୋଇଛି । ଗୋଟେ ସ୍ୱୈରବାଦୀ ମୁର୍ଶାତୁରଣ ନାଁରେ ଓଡ଼ିଆ ଗଳ୍ପ ଜୀବନ ବଞ୍ଚିବାର ପ୍ରାଣମୟ ଗତିଧାରାଠାରୁ କୌଣସି ଭାବରେ ଦୂରକୁ ଘୁଞ୍ଚି ଯାଇନି । ଚଳମାନ ସମସ୍ୟା ସବୁକୁ ନୁହେଁ; ଅନନ୍ତ କାଳର ଜୀବନମୟତାକୁ ହିଁ ଗତ ଶହେ ବର୍ଷର ଓଡ଼ିଆ ଗଳ୍ପ ଯଥାସମ୍ଭବ ଅଭିଲିପିତ କରିଛି ।

 

ମନ ସ୍ଵଚ୍ଛ ଥିଲେ, ଜୀବନର ସ୍ଵପ୍ନ ଓ ଅନୁରାଗ ଥିଲେ ଶାଗ ପଖାଳରେ ବି ଜଣେ ବେଶ୍ ରାଜକୀୟ ଓ ଈଶ୍ଵରୀୟ ସୁଖ ପାଇପାରିବ । ଜୀବନ ଆହୁରି ଜୀବନମୟ ହୋଇ ଉଠୁ ବୋଲି ତ ଶହେ ବର୍ଷର ଓଡ଼ିଆ ଗାଳ୍ପିକ ପ୍ରାର୍ଥନା କରିଛି । ଧନ, ଜାତି, ପ୍ରତିପତ୍ତି, ଜୀବନର ସେପରି କୌଣସି ସାମନ୍ତୀୟ ଢାଞ୍ଚା ଜୀବନକୁ ଭରିଦିଏ ନାହିଁ । ସୁଖରେ ହେଉ ବା ଦୁଃଖରେ ହେଉ ଜୀବନ ପାଇବାରେ ହିଁ ମାଣ ପୂରିଯାଏ, ସେର ପୂରିଯାଏ ।

 

ଜୀବନ ପାଇବାର ମୁହୂର୍ତ୍ତ ସବୁକୁ ଜଣେ ଗାଳ୍ପିକ ବିଭିନ୍ନ ବାଦ ଓ ଆଦର୍ଶର ଗତାନୁଗତିକ ସଂଘମାନଙ୍କ ପରି ବନ୍ଦ କୋଠରିରେ ଆବଦ୍ଧ କରି ନରଖୁ । ପ୍ରବାଦ କାବ୍ୟ, ପୁରୁଣା ମେଟାଫରର ଅର୍ଗଳି ଭିତରେ ଏକାନ୍ତ ଜୀବନମୟ ଅମୃତଲଗ୍ନ ସବୁକୁ ନିର୍ବାକ୍ କରି ଦିଆ ନଯାଉ । ଧର୍ମୀୟ ଧାରଣା ସବୁ ଆମ ଜୀବନର ଉଦ୍‍ବେଳିତ ପ୍ରାଣ ମୂର୍ତ୍ତିକୁ । ଅଥର୍ବ କରି ନଦେଉ । ଏଇ ଗତ ଦଶକମାନଙ୍କରେ ବୋଧେ ଉଭୟ ଗାଳ୍ପିକ ଓ ପାଠକ ଏହା ହିଁ କାମନା କରୁଛନ୍ତି । ଆମ ଓଡ଼ିଆ କଥା ସାହିତ୍ୟର ଜନକ ସ୍ମରଣୀୟ । ଫକୀରମୋହନ ତାଙ୍କ ‘ରେବତୀ’ ଗଳ୍ପରେ ଯାହା ସ୍ଥାପନା କରିଗଲେ ଗତ ଶହେବର୍ଷର ଓଡ଼ିଆ ଗାଳ୍ପିକ ସେହି ଏକାନ୍ତ ଜୀବନମୟ ପ୍ରେମକୁ ଆହୁରି ଗୌରବମୟ ପ୍ରତିଷ୍ଠା ଆଣି ଦେଇଛନ୍ତି । କାଠର ମଞ୍ଚ ଯେପରି ସେହିପରି ଜୀବନର ପ୍ରେମ; ଯାହାକୁ ନେଇ ଆମର ସାଧୁତା ଓ ସଫଳତା, କାରୁଣ୍ୟ ଓ ଯାବତୀୟ ପୁଲକାନୁଭୂତି । ସତ କହିଲେ ଆମର ଶୂନ୍ୟଗର୍ଭ ଭକ୍ତିକତା ନୁହେଁ, କ୍ରାନ୍ତିକର ମନ୍ତ୍ରପାଠ ନୁହେଁ, କୌଣସି ଶୁଚିତା ନୁହେଁ କି ସ୍ଳୋଗାନ ନୁହେଁ, ଅସଲ ପ୍ରେମ ହିଁ ଆମ ସମ୍ବେଗ, ଶ୍ରଦ୍ଧା ଓ ସାଧୁତାର ପ୍ରକୃତ ମାପକାଠି ।

 

ରେବତୀ ଗଳ୍ପରେ ପ୍ରତିକୀତ ନାରୀଶିକ୍ଷା କିମ୍ବା ସାମାଜିକ ପ୍ରଗତିର ପରିପନ୍ଥୀ ପୁରୁଣା ବିଶ୍ୱାସ ପରି କୁସଂସ୍କାର ଆଦି ବିଷୟ ଆମ ସାମାଜିକ ବିବର୍ତ୍ତନର ଏକାନ୍ତ ଅସ୍ଥିର ଓ ପୁରୁଣା ଲକ୍ଷଣ; ଯାହାକୁ ଲେଖିବାକୁ ଅଧିକାଂଶ ଆଧୁନିକ ଲେଖକ ବିରୋଧ କରୁଛନ୍ତି କିମ୍ବା ପସନ୍ଦ କରୁନାହାନ୍ତି ।

 

ସେହି ଆଦର୍ଶବାଦୀ ଗଳ୍ପ ସବୁ ଜୀବନର ବିଶୁଦ୍ଧ ବିମ୍ବ ନଥିଲା । ପ୍ରାଥମିକ ସ୍ତରର ଗଳ୍ପ ସବୁ ଥିଲା । ଅଧିକାଂଶରେ କାଳ୍ପନିକ ଚିତ୍ରାଂଶ । ସେ କାଳର ଗଳ୍ପ ସବୁ ଥିଲା ଏକ ଏକ ସର୍ଜିତ ଓ ନୀତିମାନ ରୂପକଥା ଯେପରି । ନା ସେଥିରେ ଥିଲା ପ୍ରାଣ ପ୍ରାଚୁର୍ଯ୍ୟ ନା ଜୀବନ ପ୍ରତି ନିଃସର୍ତ୍ତ ସତ୍ୟଶୀଳତା । ଜୀବନମୟତା ଦୃଷ୍ଟିରୁ ଯେଉଁ ଦୁଇ ତିନୋଟି ଗଳ୍ପ ମାତ୍ର ଫକୀରମୋହନଙ୍କ ଶିଳ୍ପୀତ୍ୱକୁ ସଦା ଅମର କରି ରଖିଛି ସେଗୁଡ଼ିକ ହେଲା ‘ରେବତୀ, ରାଣ୍ଡିପୁଅ ଅନନ୍ତା’ ଓ ପେଟେଣ୍ଡ ମେଡ଼ିସିନ’ ।

 

ରେବତୀ ଗଳ୍ପରେ ରେବତୀ ପ୍ରତି ବାସୁଦେବର ଓ ବାସୁ ଭାଇ ପ୍ରତି ରେବତୀର ପୁଣି ରେବତୀ ପ୍ରତି ବୁଢ଼ୀ ମାଆର ହୃଦୟ ଭର୍ତ୍ତି ପ୍ରେମ ସମୁଦାୟ ଗଳ୍ପଟିକୁ ସେହି ଭାବରେ ଧରି ରଖିଛି । ଗଳ୍ପର ଏହି ଅଂଶ ମାତ୍ର ଏହି ମାନବୀୟ ପ୍ରେମ ପାଠକକୁ ପ୍ରବୋଧିତ କରେ । ରେବତୀ ଗଳ୍ପରେ ବିଜ୍ଞପିତ କୌଣସି ତଥ୍ୟ ପାଠକକୁ ସନ୍ତୁଷ୍ଟ କରେନା । ତଥ୍ୟ ସବୁ ରେବତୀରେ ଏକାନ୍ତ ଗୌଣ । ତାହା ଅନୁଭବର ଧାରକ ହୋଇଛି ମାତ୍ର । ସେ କାଳର ନାରୀ ଶିକ୍ଷା ପ୍ରତି ଏକାନ୍ତ ପ୍ରତିକୂଳ ମତ ପୋଷଣ କରୁଥିବା ରେବତୀର ବୁଢ଼ୀମାଆ ପରି ଜଣେ ରକ୍ଷଣଶୀଳା ବୃଦ୍ଧାର ମତ ମନ୍ତବ୍ୟ ଜନିତ ତଥ୍ୟ ପରିବେଷଣ କରିବା ରେବତୀ ଗଳ୍ପର ଉଦ୍ଦେଶ୍ୟ ନୁହେଁ ।

 

ମଣିଷର ଜୀବନ ନାଟିକା ସହିତ ଗାଳ୍ପିକ ସମୟର ସାମାଜିକ ଓ ସଂସ୍କୃତି ଚିନ୍ତନକୁ ସଂଯୋଜିତ କରି ଲେଖିଥାଏ । ରେବତୀର ଅତି ନିରୀହ ପ୍ରେମ ପ୍ରସଙ୍ଗଟିକୁ ଫକୀର ମୋହନ ଏପରି ଅବତାରଣା କରିଛନ୍ତି ଯେ ଗଳ୍ପଟି ଗୋଟେ ଅସଫଳ ସ୍ଵର କରୁଣ କାହାଣୀ ହୋଇ ଯାଇଛି । ରେବତୀ ଓ ତା’ ଏକାନ୍ତ ଆପଣାର ବାସୁଭାଇ ଜୀବନ ଅନ୍ତସ୍ଥଳର ସେତକ କାରୁଣ୍ୟ ହିଁ ସମୁଦାୟ ଗଳ୍ପଟିକୁ ଅତି ଅଭୂତ ଭାବରେ ଜୀବନମୟ କରିପକାଇଛି । ରେବତୀ ଗଳ୍ପର ଏହି ଅସଫଳ ପ୍ରେମଜନିତ କାରୁଣ୍ୟ ହିଁ ପାଠକର ସମ୍ବେଦନଶୀଳ ରସ ଚେତନାକୁ ଆବିଷ୍ଟ କରେ । ରେବତୀ ଗଳ୍ପର ନାରୀଶିକ୍ଷା ଗତ ସଂସ୍କାର ପ୍ରୟାସଟି ସବୁ ମତେ ଗୋଟେ ସୂଚନା କେବଳ । ସଂସ୍କାର ପ୍ରୟାସୀ ଫକୀରମୋହନ ତାଙ୍କ ବ୍ୟଙ୍ଗାତ୍ମକ ଦୃଷ୍ଟି ଭଙ୍ଗିଟିକୁ ନିଖୁଣଭାବେ ଗଳ୍ପଟିର ମୂଳ କାରୁଣ୍ୟ ସହିତ ଅଧିକ ଅର୍ଥପୂର୍ଣ୍ଣ କରି ମିଶାଇ ଦେଇପାରିଛନ୍ତି । ଗଳ୍ପଟିର ପ୍ରେମ ଓ ସେହି ପ୍ରେମର ଦାରୁଣ ଅସଫଳତା ଜନିତ କାରୁଣ୍ୟକୁ ରେବତୀ ଗଳ୍ପର ବିଷୟ ପିଣ୍ଡ ବୋଲି କୁହାଯିବ ନାଁ ଶେଷୋକ୍ତ ସଂସ୍କାର ନିର୍ଦ୍ଦିଷ୍ଟ ସୂଚନାଟିକୁ । ଏହି କଥାଟିକୁ ଅବଶ୍ୟ ଯଥାଯଥ ଭାବେ ଚିହ୍ନଟ କରିବାକୁ ପଡ଼ିବ ।

 

ଗତ ଶହେ ବର୍ଷର ଓଡ଼ିଆ ଗଳ୍ପ ଧାରାରେ ନିରବଚ୍ଛିନ୍ନ ଭାବେପରସ୍ପର ବିରୋଧୀ ଅଥଚ ଅତି ନିବିଡ଼ ଭାବେ ପାରସ୍ପର୍ଯ୍ୟାତ୍ମକ ଗୋଟିଏ ଶୈଳ୍ପିକ ପ୍ରକ୍ରିୟା ଚାଲୁ ରହିଛି । ସେହି ପ୍ରକ୍ରିୟାଟି ମୋଟାମୋଟି ଭାବେ ପରିଗ୍ରହଣର ପୁଣି ପ୍ରତ୍ୟାଖ୍ୟାନର । ରେବତୀ ଉତ୍ତର ଓଡ଼ିଆ ଗଳ୍ପକାରିତାରେ ରେବତୀର ଗାଳ୍ପିକ ଫକୀରମୋହନଙ୍କ ଗଳ୍ପାଦର୍ଶକୁ ଯେତିକି ଗ୍ରହଣ କରାଯାଇଛି ସେତିକି ପ୍ରତ୍ୟାଖ୍ୟାନ କରାଯାଇଛି । ଏହାଦ୍ୱାରା ଗଳ୍ପର ନୂଆ ଢାଞ୍ଚା ସୃଷ୍ଟି ହୋଇଛି ଓ ପୁରୁଣା ନୀତି ବୋଧ, ପାପ ପୁଣ୍ୟ ବିଚାର, ଈଶ୍ଵରବୋଧ ଉଲ୍ଲେଖ ଯୋଗ୍ୟଭାବେ ବଦଳି ଯାଇଛି ।

 

ପ୍ରତ୍ୟାଖ୍ୟାନ ପ୍ରକ୍ରିୟା ଭିତରେ ଆମେ ଫକୀରମୋହନଙ୍କ ରେବତୀ ଗଳ୍ପକୁ ଆବଶ୍ୟକମତେ ସଂଶୋଧନ କରିଛୁ । ଯା’ର ପରିଣତିରେ ଗତ ଅର୍ଦ୍ଧଶତାବ୍ଦୀ ବର୍ଷ ଭିତରେ ଆମେ ଅନେକ ରେବତୀ ଗଳ୍ପ ଦେଖିବାକୁ ପାଇଛୁ । ସେ ସବୁ ଗଳ୍ପ ମୂଳ ଗଳ୍ପ ଠାରୁ ଆଦୌ ଅଲଗା ନୁହେଁ-। ଏହାଦ୍ଵାରା ମୂଳ ରେବତୀ ଗଳ୍ପର ନିଷ୍ଠୁର ନୀତିମାନତା ଓ ଏକ ଅତି ଆଦର୍ଶାୟିତ ପରିଣତି ସଂପର୍କରେ ପରବର୍ତ୍ତୀ ‘ରେବତୀ’ ଗଳ୍ପର ଗାଳ୍ପିକମାନେ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

 

ଏତେ ନିବିଡ଼ତା, ପ୍ରାଣର ଏତେ ଉଚ୍ଛ୍ୱାସ ସତ୍ତ୍ୱେ ଫକୀରମୋହନ ରେବତୀ ଓ ବାସୁଭାଇ ଭିତରେ ସାମାନ୍ୟ ମିଳନ ପର୍ବର ସୃଷ୍ଟି କରିଦେଇନାହାନ୍ତି । ରେବତୀ ଗଳ୍ପର ଏକାନ୍ତ ବିୟୋଗାନ୍ତକ ଯବନିକା ପୂର୍ବରୁ ରେବତୀ ଓ ତା’ର ପ୍ରିୟ ବାସୁଭାଇ ଭିତରେ ନିରୋଳା ମୁହୂର୍ତ୍ତରେ ଦିଟା ଚୁମ୍ବନ ଓ ଗୋଟେ ଏକାନ୍ତ ପ୍ରାଣପୂର୍ଣ୍ଣ ଆଲିଙ୍ଗନର ସଶ୍ରଦ୍ଧ ଅନୁଷ୍ଠାନ କରାଇ ଦେଲେ ନାହିଁ କାହିଁକି ? ହୁଏତ ନୀତିବନ୍ତ ଫକୀରମୋହନ ତାହା ଚାହିଁଲେ ନାହିଁ କିମ୍ବା ଏକ ପ୍ରଚଣ୍ଡ ଟ୍ରାଜିକ ପରିଣତି ଆଙ୍କିବା ପାଇଁ ଫକୀରମୋହନ ଇଚ୍ଛାକୃତ ଭାବେ ଏପରି କରିଛନ୍ତି ।

 

ଯୌନ ଯେ ଜୀବନବୃତ୍ତର ଏକ ବଡ଼ ଅଂଶ ଓ ଯାହା ପୁଣି ଆଦୌ ଅସ୍ୱର୍ଗୀୟ ନୁହେଁ ଏକଥାକୁ ଫକୀରମୋହନ ସତେ ଯେପରି ଆଦୌ ସମର୍ଥନ କରି ନାହାନ୍ତି । ନୀତି ନାମରେ ସେନାପତିଙ୍କ ଏ ଶୁଚିତା ଅନେକଙ୍କୁ ସନ୍ତୁଷ୍ଟ କରିପାରିନି । ଏହି ଅସନ୍ତୋଷକୁ ବ୍ୟକ୍ତ କରିଛନ୍ତି ଏହି ସମୟର ଜଣେ ସମର୍ଥ ଜୀବନବାଦୀ ଶିଳ୍ପୀ ଗାଳ୍ପିକ ଜଗଦୀଶ ମହାନ୍ତି ।

 

ପ୍ରାଣର ଗଭୀରତା ଦେହ ଖୋଜେ । ଦେହର ଧର୍ମ ହେଉଛି ତାହା । ସମ୍ପର୍କ ଗାଢ଼ ହେଲେ ସବୁ ବନ୍ଧନ ତୁଟିଯାଏ । ଇନ୍ଦ୍ରିୟାନୁଭୂତି ସତରେ କ’ଣ ଏତେ ଅପବିତ୍ର ଯେ ଫକୀରମୋହନ ସେହି ଆବେଗର ଜୀବନମୟ ଆଚରଣକୁ ରୁଦ୍ଧ କରିଦେଲେ ।

 

ଫକୀରମୋହନ ନିଜେ ଲେଖିଛନ୍ତି, ରେବତୀ ଥିଲା ଗୃହପ୍ରାଙ୍ଗଣ ସଞ୍ଚାରିଣୀ, ଲୀଳାମୟୀ ପ୍ରତିମା । ବାପମାଆ ମରିଗଲା ପରେ ଦିବାରାତ୍ର ରେବତୀର ବଡ଼ବଡ଼ ଆଖି ଦୁଇଟା ସାନ ସାନ ନୀଳକଇଁ ପରି ପାଣିରେ ଢଳଢଳ ହେଉଥାଏ । ବାସୁ ପାଖରେ ଥିବାଯାଏ ତାହାକୁ ଚାହିଁ ରହିଥାଏ-। ସେତେବେଳେ ତାହାର ଆଉ କିଛି ଜ୍ଞାନ ନଥାଏ । ଆଖିରେ ବାସୁଦେବ, ଚିନ୍ତା ବାସୁଦେବ, ସମସ୍ତ ହୃଦୟଟା ବାସୁଦେବମୟ ।

 

ଏପରି ବାସୁଦେବ ପ୍ରାଣ ଲୀଳାମୟୀ ପ୍ରତିମା ରେବତୀ ନିଜର ଅମାପ ଦୁଃଖରେ ହୁଏତ ଟିକିଏ ସ୍ନେହ ଓ ସାନ୍ତ୍ୱନା ପାଇଁ ନିମିଷକେ ପଛେ ହେଉ ବାସୁଦେବ ଛାତିରେ ଢଳି ପଡ଼ିଥାନ୍ତା କିମ୍ବା ବାସୁଦେବ ରେବତୀକୁ ସ୍ନେହ ଓ ଆଶୀର୍ବାଦ ଦେବା ମୁଦ୍ରାରେ ଆଲିଙ୍ଗନ କରିଥାନ୍ତା, ଦୁଃଖ ପୀଡ଼ିତା ରେବତୀର କପାଳରେ ଅବା ସସ୍ନେହ ଚୁମ୍ବନଟିଏ ଆଙ୍କି ଦେଇଥାନ୍ତା । ଫକୀରମୋହନ କିନ୍ତୁ ତାହା ଆଦୌ କରାଇ ଦେଇ ନାହାନ୍ତି ।

 

ରେବତୀର ବୁଢ଼ୀ ମାଆ ତା’ର ପ୍ରିୟ ନାତୁଣୀର ବାହାଘର ପାଇଁ ଏକମାତ୍ର ସ୍ୱପ୍ନ ଦେଖିଛି-। ବୁଢ଼ୀମାର ଅନ୍ୟ କୌଣସି ସ୍ୱପ୍ନ ନଥିଲା କି ନିଜର କୌଣସି ସୁଖଭୋଗ ଅଭିଳାଷ ନଥିଲା । ବୁଢ଼ୀ ମାଆର ସ୍ୱପ୍ନ ସତରେ କେତେ ବାସ୍ତବ ଓ ମାନବୀୟ । ରେବତୀ ଗଳ୍ପର କେନ୍ଦ୍ର ଭାବ ହେଉଛି ମାନବୀୟ ପ୍ରେମ । ବିସୂଚିକା ରୋଗ ଜନିତ ଦୁଃସ୍ଥିତି ରେବତୀର ପରିବାରକୁ ଉଜାଡ଼ି ଦେଇଛି । ରେବତୀର ସୁଖ ସୌଭାଗ୍ୟକୁ ଭୂ-ଲୁଣ୍ଠିତ କରିଛି ।

 

ଏପରି ଏକ ଏକାନ୍ତ ପାରିବାରିକ ଦୁର୍ଭାଗ୍ୟକୁ ନେଇ ଫକୀରମୋହନଙ୍କ ରେବତୀ ଗଳ୍ପ ଗତିଶୀଳ ହୋଇଛି । ରେବତୀର ପାଠପଢ଼ିବା ଯୋଗୁଁ ଏପରି ଅଭାବିତ ବିପତ୍ତିମାନ ଘଟିଛି ବୋଲି ବୁଢ଼ୀମାଆର ବିଶ୍ୱାସକୁ ଗାଳ୍ପିକ ଫକୀରମୋହନ ଏପରି ପରିବେଷଣ କରିଛନ୍ତି ଯେ, ତାହା ବୁଢ଼ୀମାଆର ଅନ୍ଧ ବିଶ୍ୱାସ ପ୍ରତି ଏକ ତୀର୍ଯ୍ୟକ ଦୃଷ୍ଟିପାତ ହୋଇଛି । ପରିଣତିରେ ଏହି ଦିଗଟି ରେବତୀ ଗଳ୍ପର ମୂଳ ଗାମ୍ଭୀର୍ଯ୍ୟ ସତ୍ତ୍ୱେ ଅଧିକ ଆକର୍ଷଣୀୟ ହୋଇପଡ଼ିଛି । ନହେଲେ ବୁଢ଼ୀର ଏହି ରକ୍ଷଣଶୀଳା ଅନ୍ଧବିଶ୍ୱାସ ପ୍ରସଙ୍ଗଟି ରେବତୀ ଗଳ୍ପର ମୂଳଭାବକୁ ଆଦୌ ନିଷ୍ପ୍ରଭ କରିଦେଇ ନଥାନ୍ତା-

 

ରେବତୀ ଗଳ୍ପଟି ହୁଏତ ଗାଳ୍ପିକଙ୍କ ନାରୀଶିକ୍ଷା ସଂପର୍କିତ ମନୋଭାବକୁ ବ୍ୟକ୍ତ କରିଛି, ସେଦିନର ରକ୍ଷଣଶୀଳ ସମାଜ ଓ ସମୟର ବାସ୍ତବତାକୁ ସୂଚିତ କରିଛି । ମାତ୍ର ରେବତୀ ଗଳ୍ପଟି ମୂଳତଃ ଏକ କରୁଣ ବିୟୋଗାତ୍ମକ କାହାଣୀ । ଫକୀରମୋହନଙ୍କ ରାଣ୍ଡିପୁଅ ଅନନ୍ତା ଗଳ୍ପଟି ଆପାତତଃ ହାସ୍ୟରସାତ୍ମକ ହୋଇଥିଲେ ହେଁ ଗଳ୍ପଟି ଆତ୍ମଉତ୍ସର୍ଗର ଏକ ବେଦନାଭରା ବଳିଷ୍ଠ କାହାଣୀ । ସେହିପରି ରେବତୀ ଗଳ୍ପ । ସେଥିରେ ଲେଖକଙ୍କୁ ସଂସ୍କାର ପ୍ରୟାସ ଏକ ବିଶିଷ୍ଟ ଅଂଶ ହୋଇପଡ଼ିଛି । ମାତ୍ର ରେବତୀ ଗଳ୍ପର ମୂଳ ଥିମ୍ ହେଉଛି ଦୁଃଖ ଓ ବଞ୍ଛନାର ବେଦନାଭରା କାହାଣୀ, ଯାହାର ଅନିବାର୍ଯ୍ୟ ପରିଣତି ହେଉଛି ପ୍ରେମର ଅସଫଳତା । ଏହି କାରୁଣ୍ୟ ପାଇଁ ବସ୍ତୁତଃ ଗଳ୍ପଟି ପାଠକଙ୍କ ଚେତନାରେ ବଞ୍ଚିପାରିଛି । ଟ୍ରାଜେଡ଼ି ହେଉଛି ପ୍ରଭାବିତ କରିବାରେ ଅତି ଗୁରୁତ୍ୱପୂର୍ଣ୍ଣ । ଫକୀରମୋହନଙ୍କ ଉଲ୍ଲିଖିତ ଏ ଦୁଇଟି ଗଳ୍ପ ରାଣ୍ଡିପୁଅ ଅନନ୍ତା ଓ ରେବତୀ ତା’ର ଟ୍ରାଜିକ ଉପାଦାନ ପାଇଁ ପ୍ରକୃତରେ ଏତେ ସ୍ଵାଦ୍ୟ । ଯେକୌଣସି ପ୍ରକାରର ଟ୍ରାଜେଡ଼ି ଅଧିକ କାବ୍ୟିକ ପ୍ରଭାବ ସୃଷ୍ଟି କରେ; ଯାହା ରେବତୀ ଗଳ୍ପରେ ପରିଦୃଷ୍ଟ । ଏହି ଟ୍ରାଜେଡ଼ିଧର୍ମୀ କାବ୍ୟିକତା ରେବତୀ ଗଳ୍ପର ଅନ୍ୟ ଏକ ବିଶିଷ୍ଟ ଦିଗ; ଯେଉଁଥିପାଇଁ ରେବତୀ ଗଳ୍ପର ଆବେଦନ ଏତେ ତୀବ୍ର ଓ ମାର୍ମିକ ହୋଇଛି । ଫକୀରମୋହନଙ୍କ ରେବତୀ ସୃଷ୍ଟିର ଅନେକ ଦିନ ପରେ ସେହି ମୂଳଗଳ୍ପ ସହିତ ଅତି ସଚେତନ ଭାବେ ସାମଞ୍ଜସ୍ୟ ରଖି ଆଉ ଦୁଇଟି ରେବତୀ ଗଳ୍ପ ଲେଖିଛନ୍ତି ଆଉ ଦୁଇଜଣ ସମର୍ଥ ଗାଳ୍ପିକ ଜଗଦୀଶ ମହାନ୍ତି ଓ ହୃଷୀକେଶ ପଣ୍ଡା । ସବୁମତେ ଗଳ୍ପ ଦୁଇଟିର ଶିଳ୍ପାୟନ ଚମତ୍କାର ହୋଇଛି । ଗଳ୍ପ ଦୁଇଟିର ପ୍ରତିଟି ପ୍ରସଙ୍ଗ ସମୟ ଉପଯୋଗୀ । ଗଳ୍ପ ଦୁଇଟିର ଆବଶ୍ୟକୀୟ ସମୟର ଛାପ ଅତ୍ୟନ୍ତ ସ୍ପଷ୍ଟ । ସମ୍ବେଦନଶୀଳ ତଥ୍ୟ ଓ ସୂଚନା ବି ପ୍ରଚୁର ରହିଛି । ମାତ୍ର ଜଗଦୀଶ ଓ ହୃଷୀକେଶଙ୍କ ଗଳ୍ପଦୁଇଟି ଫକୀରମୋହନଙ୍କ ରେବତୀ ଗଳ୍ପ ପରି ହୋଇ ପାରିନି-। ମୂଳ ରେବତୀ ଗଳ୍ପର ଶକ୍ତି ସୌନ୍ଦର୍ଯ୍ୟ, ପ୍ରଭାବ ଓ ଆବେଦନ ଏ ଦୁଇଟି ଗଳ୍ପରେ ନାହିଁ ।

 

ପରିବର୍ତ୍ତିତ ସମୟର ସମସ୍ୟା ସୂଚିତ ଏହି ଗଳ୍ପ ଦୁଇଟିର ଅଭାବ ତା’ର ଟ୍ରାଜିକ ଗୁଣ; ଦୁଖଃ ଓ ନୈରାଶ୍ୟ ଭିତରେ ବଞ୍ଚିରହିବାର ଅଦମ୍ୟ ପ୍ରବୃତ୍ତି ଫକୀରମୋହନଙ୍କ ରେବତୀ ଗଳ୍ପକୁ ଏପରି ଜୀବନମୟ କରିପକାଇଛି ସତରେ ତାହା ଏକାନ୍ତ ଅତୁଳନୀୟ । ବିଶ୍ଵ ସାହିତ୍ୟରେ ଚେଖଭଙ୍କ ଶୈଳ୍ପିକ ପାରଦର୍ଶିତା ଏହିପରି; ମଣିଷର ଜୀବନ ପ୍ରବୃତ୍ତିକୁ ପବିତ୍ର ଓ ରମଣୀୟ କରି ଦେବାର ପାରଦର୍ଶିତା ଯାହା ଯୁଦ୍ଧ ହେଉ ବା ଦୁର୍ଭିକ୍ଷ ହେଉ ତା’ର ସୂଚନା ବା ବିବରଣୀ ପ୍ରଦାନରେ ଆଦୌ ନଥାଏ । ଏହି ଦୃଷ୍ଟିରୁ ଫକୀରମୋହନଙ୍କ ‘ରେବତୀ’ ଗଳ୍ପର ମଣିଷର ଜୀବନ ଚିତ୍ରଣ, ନୃତାତ୍ତ୍ୱିକ ସମ୍ବେଗର ପ୍ରକଟନ ଜନିତ ଏପିକ ଧର୍ମକୁ ସ୍ୱୀକାର କରାଯାଇପାରେ । ନାରୀଶିକ୍ଷା ପରି ସମସ୍ୟା ଆରୋପଣ ତଥା ଗାଳ୍ପିକଙ୍କ ସାମାଜିକ ବିପ୍ଳବରେ ଅଂଶଗ୍ରହଣ ପ୍ରସଙ୍ଗ ସବୁ ଚଳମାନ, ଅସ୍ଥିର ଓ ସାଟାୟାର ଧର୍ମୀ । ଶାଶ୍ୱତ ମାନବାତ୍ମାର ଚିତ୍ରଣ ଓ ତା’ର ଗମ୍ଭୀର ଶିଳ୍ପାୟନ ସାଟାୟାର ଧର୍ମୀ ଗଳ୍ପରେ ପ୍ରାୟ ନଥାଏ ।

 

ଫକୀରମୋହନଙ୍କ ରେବତୀ ଗଳ୍ପକୁ ସକଳ ତର୍କ ଉର୍ଦ୍ଧ୍ୱରେ ଉଷ୍ଣ ମାନବୀୟ ପ୍ରେମ ଓ ପ୍ରବୃତ୍ତିର ଆଲେଖ୍ୟ ବୋଲି କୁହାଯାଇପାରେ । ରେବତୀ ଗଛରେ ସମାଜ ବିବର୍ତ୍ତନର ନାନା ସଙ୍କେତ ଓ ସୂଚନା ଥାଇପାରେ; ମାତ୍ର ତାହା ଉତ୍ତମ କଳା ରୂପର ସାମଗ୍ରୀ ନୁହେଁ । ଜଗଦୀଶ ମହାନ୍ତିଙ୍କ ରେବତୀ ଏ ସମୟକୁ ଏକ ବାସ୍ତବ କାହାଣୀ । ଆମ ଗାଁ ମାନଙ୍କରେ ଝିଅ ସବୁ ଏମିତି ବଞ୍ଚୁଛନ୍ତି । ପ୍ରେମ ସେମାନଙ୍କ ପାଇଁ ଗୋଟେ ଉତ୍ତେଜନା ଗୋଟେ ପ୍ରବୃତ୍ତି । ଗାଁ ଝିଅମାନେ ସହରୀ ଜୀବନ ପ୍ରତି ପ୍ରବଳଭାବେ ଉନ୍ମୁଖ ହୋଇ ପଡ଼ନ୍ତି ଓ ସହରର ସାମନ୍ତୀୟ ଜୀବନ ଢାଞ୍ଚା ଭିତରେ ରହି ବିଚରା ଦାରିଦ୍ର୍ୟ ପୀଡ଼ିତ ପ୍ରେମିକକୁ ଭୁଲି ଯାଆନ୍ତି । ବାସୁ ମାଷ୍ଟରର ନିଜରବି ପାରିବାରିକ ସ୍ଥିତିକୁ ଗାଳ୍ପିକ ଶ୍ରୀ ମହାନ୍ତି ଯେପରି ଆଙ୍କିଛନ୍ତି ତାହା ଗୋଟେ ଜୀବନ୍ତ ଚିତ୍ର ହୋଇଯାଇଛି ଯେପରି-। ଗର ସିକ୍ୟୁଏନ୍‌ସ ଚମତ୍କାର ହୋଇଛି । କେବଳ ବାସୁମାଷ୍ଟରଙ୍କ ପରି ପ୍ରେମିକମାନେ ଏମିତି ଭାଗ୍ୟନେଇ ବଞ୍ଚନ୍ତି, ଏମିତି ଅନାକର୍ଷଣୀୟ ସ୍ତ୍ରୀ ପାଆନ୍ତି ଓ ରେବତୀ ପରି ପ୍ରେମିକାମାନେ ବିଚରା ପ୍ରେମିକମାନଙ୍କୁ ନଚିହ୍ନିଲା ପରି ବ୍ୟବହାର କରନ୍ତି । ପ୍ରେମଯଦି ଅଧିକଭାବେ ହୃଦୟର ବୃତ୍ତି ହୋଇଥାନ୍ତା ହୁଏତ ଭୁଲିଯିବା ଏତେ ସହଜ ହୁଅନ୍ତା ନାହିଁ ।

 

ଗାଳ୍ପିକ ଜଗଦୀଶ ମହାନ୍ତି ରେବତୀର ପ୍ରେମକୁ ଅଧିକ ଯୌନ ସମ୍ଭୋଗମୂଳକ ଓ ବୟସଗତ କରିପକାଇଛନ୍ତି । ପରିବର୍ତ୍ତିତ ମୂଲ୍ୟବୋଧକୁ ଜଣେ ଲେଖକ ତା’ ଲେଖାରୁ ବାଦ ଦେଇପାରେନା । ଗାଁ ଝିଅ ରେବତୀ ଏହା ଭିତରେ ବହୁତ ବଦଳି ଯାଇଛି; ବହୁତ ବଦଳି ଯାଇଛି ଏବକାର ସମୟ । ସେହି ପରିବର୍ତ୍ତନର ବହୁବିଧ ସ୍ୱାକ୍ଷର ଜଗଦୀଶଙ୍କ ରେବତୀ ଗଳ୍ପରେ ପରିଦୃଷ୍ଟ-

 

ହୃଷୀକେଶ ପଣ୍ଡାଙ୍କ ରେବତୀ ଅପେକ୍ଷାକୃତ ଭାବନିଷ୍ଠ । ଯୌନତା ଏଠାରେ ଫିଟି ପଡ଼ିନି-। ନିରୋଳାରେ ଯୌନ ଭୋଗ କରିବା ପାଇଁ ହୃଷୀକେଶଙ୍କ ରେବତୀ ସହରକୁ ପଳାଇ ଯାଇନି । ଗବେଷଣା କରିବା ପାଇଁ କିନ୍ତୁ ବିଦେଶ ଯାଇଛି । ହୃଷୀକେଶଙ୍କ ରେବତୀ ଫକୀରମୋହନଙ୍କ ରେବତୀର ପ୍ରକୃତ ବିପରୀତ । ହୃଷୀକେଶଙ୍କ ରେବତୀ ବହୁତ ପାଠ ପଢ଼ିଛି ଆଜି ଅଧିକାଂଶ ଝିଅମାନେ ଯେପରି ପଢ଼ୁଛନ୍ତି । ରେବତୀ ପାଠପଢ଼ି ଆମେରିକାରୁ ଫେରିଛି । ଗାଁର ପରିବର୍ତ୍ତନକୁ ଦେଖୁଛି । ମୂଳ ରେବତୀ ଗଳ୍ପର ଏହା ଏକ ପେରେଡ଼ି ନୁହେଁ । ମାତ୍ର ଗଳ୍ପସାରା ଅଧିକ କିଛି ବିପରୀତ ପ୍ରତିଜ୍ଞା ରହିଛି । ହୃଷୀକେଶଙ୍କ ରେବତୀ ଫକୀରମୋହନଙ୍କ ରେବତୀ ପରି ନିଜ ମନ୍ଦ ଭାଗ୍ୟର କ୍ରୀଡ଼ନକ ଏକ ଭୀରୁ କିଶୋରୀ ନୁହେଁ ।

 

ହୃଷୀକେଶଙ୍କ ରେବତୀ ଶେଷରେ ପୁଣି ଆମେରିକାଚାଲି ଯାଇଛି । ଶେଷୋକ୍ତ ଗଳ୍ପ ଦୁଇଟିରେ ରେବତୀର ମୃତ୍ୟୁ ହୋଇନି । ଫକୀରମୋହନ ଓ ହୃଷିକେଶ ଯେତେବେଳେ ରେବତୀକୁ ମାତ୍ର ପ୍ରେମିକା କରି ଚିତ୍ରଣ କରିଛନ୍ତି ଜଗଦୀଶ ସେତେବେଳେ ରେବତୀକୁ ପତ୍ନୀ କରି ଦେଇଛନ୍ତି । ଅବଶ୍ୟ ପୁରୁଣା ପ୍ରେମିକ ବାସୁ ମାଷ୍ଟରଙ୍କର ନୁହେଁ ଜଣେ ସହରୀ କଣ୍ଟ୍ରାକ୍ଟରର । ଜଗଦୀଶ ଓ ହୃଷୀକେଶଙ୍କ ଗଳ୍ପ ଦୁଇଟି ସମୟର ଆଲେଖ୍ୟ ହୋଇପାରିଛି ମାତ୍ର ସେଥିରେ ଅପରିବର୍ତ୍ତନୀୟ ମଣିଷର ଜୀବନ ଧର୍ମ ପ୍ରତୀକିତ ହୋଇ ପାରିନି । ତେବେ ହୃଷୀକେଶଙ୍କ ରେବତୀ ଗଳ୍ପର ସ୍ଵର ଅଧିକ ନଷ୍ଟାଲଜିକ । ପ୍ରେମିକା ଏଠି ପିଲାଦିନ ଖେଳ ସାଥୀ । ପ୍ରେମିକା ପରିଚୟ ଟିକିଏ ବଦଳିଛି-। ପ୍ରେମିକ ପ୍ରେମିକା ଉଭୟ ଏଠି ହୃଦୟରେ ବେଶୀ ଅନୁଭବ କରୁଛନ୍ତି । ମନରେ ବେଶୀ ଭାଳିହେଉଛନ୍ତି ।

 

ଫକୀରମୋହନଙ୍କ ରେବତୀ ଗଳ୍ପ ଏକ ରୂପାୟନ ପ୍ରକ୍ରିୟା ଭିତରେ ଯେଉଁ ଶୀର୍ଷକୁ ଯାଇ ପାରିଛି ଜଗଦୀଶ ହୃଷୀକେଶଙ୍କ ଗଳ୍ପ ଶିଳ୍ପାୟନ ଓ ତଦଜନିତ ପ୍ରଭାବରେ ତୁଙ୍ଗିମା ଲାଭ କରି ପାରିନି ।

 

ଫକୀରମୋହନ ତାଙ୍କ ରେବତୀ ଗଳ୍ପରେ କାରୁଣ୍ୟର ଯେଉଁ ରୂପାୟନ କରିଛନ୍ତି ସେ ରୂପ ଓ ସେ ଛବିର ଦୀପ୍ତି ଜଗଦୀଶ ଓ ହୃଷୀକେଶଙ୍କ ଗଛରେ ଏକାନ୍ତ ଦୁର୍ବଳ । ଗୋଟେ ଶୋକ ଜର୍ଜ୍ଜରିତ ପ୍ରାଣର ଉତ୍ତାପ ସଉଖୀନ ମଣିଷର ନଥାଏ । କ୍ଷୁଦ୍ରତମ ଗୀତିକବିତା ଠାରୁ ମହାକାବ୍ୟ ଯାଏ ସବୁଠି ଯେଉଁଠାରେ ଯେମିତି ଟ୍ରାଜିକ ପ୍ରବାହ ଥାଏ ସେହି ଅଂଶ ସ୍ଵତଃ ବେଶୀ ପ୍ରଭାବ ବିସ୍ତାର କରେ । ପ୍ରେମର ଦୁଃସ୍ଥିତି ସବୁଠାରୁ ପୁଣି ଦୁର୍ଭାଗ୍ୟଜନକ ମନେହୁଏ ।

 

ଫକୀରମୋହନଙ୍କ ରେବତୀ ଗଳ୍ପର ଗତି, ବସ୍ତାର ଓ ପରିଣତି ସବୁ ଅତ୍ୟନ୍ତ ସ୍ପଷ୍ଟ । ବେଶୀ କିଛି ନାଟକୀୟତା ନାହିଁ ଗଳ୍ପଟିରେ । ମାତ୍ର ରେବତୀ ଗଳ୍ପରେ ମୃତ୍ୟୁଚିତ୍ର ଏତେ ବ୍ୟାପକ ଓ ଭୀଷଣ ଯେ ଗଳ୍ପଟି ଗୋଟେ ହରର ଟ୍ରାଜେଡ଼ି ପରି ମନେହୁଏ । ଏହି ଦୃଷ୍ଟିରୁ ଫକୀରମୋହନଙ୍କ ସଦୃଶ ଗଳ୍ପଟିଏ ହେଉଛି ରାଣ୍ଡିପୁଅ ଅନନ୍ତା ।

 

ରେବତୀ ଓ ବାସୁମାଷ୍ଟର ପରି ଦୁଇଟି ପ୍ରେମିକ ପ୍ରେମିକା କିଛିଦିନ ଅନୁରାଗମୟ ଜୀବନ ବିତାଇଲା ପରେ ଅପରିଣତ ବୟସରେ ଦାରୁଣ ମୃତ୍ୟୁର ଶିକାର ହେବା ସବୁଠାରୁ ବଡ଼ ଟ୍ରାଜେଡ଼ି । ଦୁଇଜଣଙ୍କ ମଧ୍ୟରେ ନିରୀହ ଓ ଉଚ୍ଛଳ ପ୍ରେମ ଥିବା କାରଣରୁ ମରଣ ସତରେ ଏତେ ଗମ୍ଭୀର ଓ ଦାରୁଣ ମନେ ହୋଇଛି । ରେବତୀ ଗଳ୍ପର ସୂକ୍ଷ୍ମ କାବ୍ୟିକ ପ୍ରଭାବଟି ପ୍ରେମସଂଜାତ, ଗଳ୍ପଟିର ନାମକରଣ ରେବତୀ ନାଁରେ ହୋଇଛି । ଯେଉଁ ରେବତୀ ତା’ ବାସୁଭାଇକୁ ହୁଏତ ଦିନେ ସ୍ଵାମୀ କରିପାରିବ ବୋଲି ଆଭାସ ତା’ ବାପା ଓ ବୁଢ଼ୀମା’ଙ୍କ କଥୋପକଥନରୁ ଜାଣିବାକୁ ପାଇଛି । ସେଦିନଠାରୁ ରେବତୀର ଲଜ୍ୟାଶୀଳ ବ୍ୟବହାର ଆରମ୍ଭ ହୋଇଛି । ଗୋଟେ କୁମାରୀ ପ୍ରାଣର ଏହା କମ୍ ବଡ଼ ପୁଲକ ନୁହେଁ ? ଗୋଟେ ନିବିଡ଼ ନିଃସ୍ୱାର୍ଥପର ପ୍ରେମକୁ ଉତ୍ତାରି ଆଣିଛନ୍ତି ଫକୀରମୋହନ ଅତ୍ୟନ୍ତ ଉଜ୍ଜଳ ଓ ଅର୍ଥପୂର୍ଣ୍ଣ କରି ।

 

କୁହାଯାଉଛି ରେବତୀ ଗଳ୍ପର ବୃହତ୍ତମ ଅଧ୍ୟାୟଟି ହେଉଛି ଐତିହାସିକ ବାସ୍ତବତା; ତାହାହିଁ ଗଳ୍ପଟିର ଭାବପ୍ରସ୍ଥ ନିର୍ମାଣ କରିଛି । ପ୍ରକୃତରେ ରେବତୀ ଗଳ୍ପର ମୂଳ ହେଉଛି ସାରା ପରିବାରର ସ୍ୱପ୍ନ ଅତି ନିଷ୍ଠୁର ବିଡ଼ମ୍ବନା ଭିତରେ ଉଜୁଡ଼ିଯିବା । ଦାରୁଣ ମୁତ୍ୟୁରେ ସବୁ କିଛି ଶେଷ ହୋଇଯାଇଛି । ବାପା ମାଆ ମରିଗଲେ; ଅଥଚ ଏକମାତ୍ର କନ୍ୟା ରେବତୀର ବଧୂବେଶ ଦେଖିପାରିଲେ ନାହିଁ । ବୁଢ଼ୀ ମାଆପାଇଁ ରେବତୀର ବାହାଘର ଅପହଞ୍ଚ ହୋଇ ରହିଗଲା । ଏକ ହରର ଟ୍ରାଜେଡ଼ିର ବିୟୋଗାନ୍ତକ ଦୃଶ୍ୟପଟ ପରି ବାସୁ ଆଉ ରେବତୀ ଦାରୁଣ ମୃତ୍ୟୁର କବଳିତ ହେଲେ । ମଣିଷର ସ୍ୱପ୍ନ କେମିତି ଦାରୁଣ ଦୁଃସ୍ଥିତି ଭିତରେ ଉଜୁଡ଼ି ଯାଏ ତା’ର ଏକ ଅତିବାସ୍ତବ ଆଲେଖ୍ୟ ହେଉଛି ଫକୀର ମୋହନଙ୍କ ରେବତୀ ଗଳ୍ପ । ଏହି ମୃତ୍ୟୁ ଆଉ ପରିଶେଷରେ ଶ୍ଲଥଚର୍ମା ନାୟିକା ବୁଢ଼ୀମାର ଅସହାୟତା ହିଁ ରେବତୀ ଗଳ୍ପର ସର୍ବୋତ୍ତମ କଳାତ୍ମକ ଉପଲବ୍ଧି ।

 

ରେବତୀର ପାଠପଢ଼ା ପ୍ରସଙ୍ଗଟି ଆପାତତଃ ଏକ ସାମାଜିକ ଜାଗରଣର ସୂଚନା ହୋଇପାରେ । ବାଲ୍ୟ ବିବାହର ଆଭାସ ଗଳ୍ପଟିରେ ଥାଇପାରେ । ଐତିହାସିକ ଚାପର ଅଳଙ୍କରଣ ଗଳ୍ପଟିକୁ ଗତିଶୀଳ କରିପାରିଥାଏ, ମାତ୍ର ଯାହା ଜୀବନ ବୃତ୍ତରୁ ରୂପାନ୍ତରିତ ହୋଇ ଆସିନି ତାହା ସର୍ବଦା କ୍ଲାସିକ ପର୍ଯ୍ୟାୟର ସାହିତ୍ୟ ପାଇଁ ଅତ୍ୟନ୍ତ ଗୌଣ ଓ ଚଳମାନ । ରେବତୀ କ୍ଲାସିକ ପର୍ଯ୍ୟାୟର ସାହିତ୍ୟ । ଜୀବନମୟତା ହେଉଛି ଗଳ୍ପଟିର ଗୁଣ ଓ ଲକ୍ଷଣ । ସେଥିପାଇଁ ରେବତୀ ଗଳ୍ପର ଏତେ ପ୍ରଭାବ ଓ ଆବେଦନ । ଗୋଟିଏ ବିଷୟ ପ୍ରଥମରୁ ସ୍ପଷ୍ଟ ହୋଇଯିବା ଉଚିତ ଯେ ରେବତୀର ପାଠ ପଢ଼ିବା ପରି କୌଣସି ଘୋଷଣାନାମା ବା ଆରୋପଣ ଆଦୌ ଜୀବନମୟ ନୁହେଁ । ଗଭୀର ପ୍ରାଣ ପିପାସା ସହିତ ଶେଷରୁ ଆଦୌ ସମ୍ବନ୍ଧିତ ନୁହେଁ । ବାସୁଦେବପ୍ରତି ରେବତୀର ଭାବକୁ ଫକୀରମୋହନ ବିଭିନ୍ନ କାରଣରୁ ପରିଶୀଳିତ ଓ ଅନ୍ତର୍ମୁଖୀ କରିଛନ୍ତି । ମାତ୍ର ବାସୁଦେବ ପ୍ରତି ରେବତୀର ଭଲପାଇବା, ଶ୍ରଦ୍ଧା ଓ ଭରଷା ଅତ୍ୟନ୍ତ ଗଭୀର ଓ ନିବିଡ଼ । ରେବତୀର ବାପମାଆ ମରିଗଲା ପରେ ବାସୁଦେବ ରେବତୀର ତତ୍ତ୍ୱାବଧାରକ କେବଳ ହୋଇଛି ବୋଲି କହିବା ଅତ୍ୟନ୍ତ ଭ୍ରମାତ୍ମକ । ବାସୁଦେବ ଏହାଦ୍ୱାରା ଗୋଟିଏ ସାମାଜିକ ଦାୟିତ୍ୱ କେବଳ ନିର୍ବାହ କରିନି । ସେ ପରିବାର ପ୍ରତି ତା’ର ଅଶେଷ ଦରଦ ଥିଲା । ସତ କହିଲେ ରେବତୀ ପାଇଁ । ବାସୁଦେବ ସହିତ ରେବତୀକୁ ଯୁଗ୍ମ ବେଶରେ ସର୍ବାନ୍ତକରଣରେ ଦେଖିବାକୁ ଚାହୁଁଥିବା ବୁଢ଼ୀ ମାଆ ପ୍ରତି ବାସୁଦେବ ମନରେ କିଛି ଅଧିକ ସହାନୁଭୂତିଶୀଳତା ରହିବ ନିଶ୍ଚୟ ।

 

ରେବତୀ ଗଳ୍ପର ଗଳ୍ପକାରିତା ଯେପରିଭାବରେ ବିନ୍ୟସ୍ତ ହୋଇଛି ସେଥିରେ ଫକୀରମୋହନ ବାସୁଦେବ ଓ ରେବତୀର ସଂପର୍କକୁ ଆଉ ଟିକିଏ ରୂପାୟିତ କରି ପାରିଥାନ୍ତେ । ତଦ୍ଦ୍ୱାରା ଗଛଟିର ଟ୍ରାଜିକ୍ ଗାମ୍ଭୀର୍ଯ୍ୟ ଆଦୌ ନଷ୍ଟ ହୋଇଯାଇନଥାନ୍ତା । ମାତ୍ର ଫକୀରମୋହନ ବୋଧେ ଗୋଟେ ହୃଦୟ ବିଦାରକ ଅନନ୍ୟ କରୁଣ୍ୟର ଚିତ୍ର ଆଙ୍କିବା ପାଇଁ ଅଙ୍ଗୀକାରବଦ୍ଧ ହୋଇଥିଲେ; ଯେଉଁଥିପାଇଁ ସେ ଟିକିଏ ଟଳିଲେ ନାହିଁ କି ତରଳିଲେ ନାହିଁ । ଏହି ପ୍ରସଙ୍ଗରେ ଫକୀରମୋହନଙ୍କ ପରବର୍ତ୍ତୀ ଜଣେ ଓଡ଼ିଆ କଥାଶିଳ୍ପୀଙ୍କ ଦୃଷ୍ଟାନ୍ତ ଦିଆଯାଇପାରେ । ସେ ହେଲେ କାହ୍ନୁଚରଣ । ତାଙ୍କ ଶାସ୍ତି ଉପନ୍ୟାସରେ ସାମାଜିକ ସାଂସ୍କୃତିକ ତଥା କେତେକାଂଶରେ ଧର୍ମିକ ଆଭାସମାନ ରହିଛି । ଆଦର୍ଶଗତ ସ୍ଲୋଗାନ ବି ରହିଛି । ମାତ୍ର ଶାସ୍ତିର ସର୍ବଶ୍ରେଷ୍ଠ କଳାତ୍ମକ ଉପଲବ୍ଧ ତା’ର କାରୁଣ୍ୟ ଓ ବେଦନାରେ ହିଁ ନିହିତ । ତୀବ୍ର କାରୁଣ୍ୟ ସୃଷ୍ଟି ଶାସ୍ତି ଉପନ୍ୟାସକୁ ସର୍ବକାଳ ପାଇଁ ଜୀବନମୟ କରି ପାରିଛି । କାରୁଣ୍ୟ ସୃଷ୍ଟିର ସଙ୍କଳ୍ପକୁ ବିସର୍ଜି ଦେଇଥିଲେ ଶାସ୍ତିର ପ୍ରଭାବ ନ୍ୟୁନ ହୋଇଯାଇଥାନ୍ତା ନିଶ୍ଚୟ । କଳାର ସୃଷ୍ଟି ସେହି କଳାପାଇଁ । ଫକୀରମୋହନଙ୍କ ରେବତୀ ଏକ ସୃଷ୍ଟି । ତା’ର ଏସ୍‍ଥେଟିକ ମହତ୍ତ୍ୱ ଶିଳ୍ପାୟନ ଭିତ୍ତିକ; କଦାପି ପ୍ରଚାରଧର୍ମୀ ଆଭାସ ଭିତ୍ତିକ ନୁହେଁ । ଫକୀରମୋହନ ଛମାଣ ଆଠଗୁଣ୍ଠ, ରାଣ୍ଡିପୁଅ ଅନନ୍ତା, ରେବତୀରେ କଳାର ସର୍ତ୍ତକୁ ଅନ୍ୟ କୌଣସି ଭାବରେ ନ୍ୟୁନ କରି ଦେଇ ନାହାନ୍ତି । ଟିକିଏ ପ୍ରେମ ବି ତା’ର ପ୍ରଗାଢ଼ତାକୁ ସୂଚିତ କରି ପାରୁଛି । ଏହାକୁ ଉତ୍ତମ କଳା ଓ କଳାକାରଙ୍କ ସଫଳତା ବୋଲି ବୁଝିବାକୁ ପଡ଼ିବ ।

 

ଉଲ୍ଲିଖିତ କାରଣ ଯୋଗୁଁ ରେବତୀ ଗଳ୍ପକୁ ଏକ ପ୍ରେମଗଳ୍ପ ବୋଲି କୁହାଯାଇପରେ । ସେଥିରେ ଅନ୍ୟ ସବୁ ବିଷୟ କେବଳ ଏକ ଆଭାସ; ଯାହାର ଭୂମିକା ଗଳ୍ପାୟନରେ କେବଳ ଆଭାସ ହୋଇ ରହିଛି ମାତ୍ର । ଆଭାସଗୁଡ଼ିକ ଗଳ୍ପର କଳାତ୍ମକ ଉପଲବଧି ନୁହେଁ । କଳାତ୍ମକ ଉପଲବ୍‌ଧିରେ ଆଂଶିକ ସହାୟତା କରିଛି କେବଳ ।

 

ରେବତୀ ଓ ବାସୁଦେବ ସଂପର୍କକୁ, ପରସ୍ପର ପ୍ରତି ପରସ୍ପରର ଅନୁଭବକୁ ଶୁଦ୍ଧ ପ୍ରେମ ବୋଲି କହିବାରେ ବାଧ୍ୟ କେଉଁଠି ? ଚରମ ଦୁଃଖରେ ଲୁହରେ ଭିଜାଭିଜି ହେଲେ, ଅଧୁକ ଉତ୍ସର୍ଗ ଓ ସହାନୁଭୂତିରେ ପ୍ରେମତ ବଢ଼େ । ପ୍ରେମ ବଢ଼ିଲେ ତ୍ୟାଗ ବଢ଼େ । ପ୍ରେମ ବଢ଼ିବା ତ’ ପ୍ରେମର ଗୌରବ । ବାସୁଦେବ ରେବତୀ ପରିବାରର ଚରମ ଆର୍ଥିକ ଅସ୍ୱଚ୍ଛଳତାରେ ଅର୍ଥଦାନ କରିଛି ଅବଶ୍ୟ କିଛି ଅଭିପ୍ରାୟ ରଖିନୁହେଁ । ପ୍ରେମ ନଥିଲେ ସ୍ଵାର୍ଥ ସର୍ବସ୍ୱ ମଣିଷ କଦାପି ସେପରି କରିବ ନାହିଁ । ପୁଣି ବାସୁଦେବ ପ୍ରତି ଶ୍ରଦ୍ଧା ଓ ସମ୍ମାନବୋଧ କାରଣରୁ ରେବତୀ କି ବୁଢ଼ୀମାଆ ହଜ୍‍ରେ ଦୁଃସ୍ଥିତି ସତ୍ତ୍ୱେ ବାସୁଦେବର ଅର୍ଥ ଗ୍ରହଣ କରି ନାହାନ୍ତି । ଟିକେ ସୁଉକେ ଦେଲେ ତାହା ଠଣାରେ ପଢ଼ିଥାଏ । ଶ୍ରଦ୍ଧା, ସମ୍ମାନ ବୋଧ ଓ ସୌଜନ୍ୟତା ଉତ୍ତମ ପ୍ରେମର ମୂଳ ଗୁଣ । ସବୁ କିଛି ଉର୍ଦ୍ଧ୍ୱରେ ପ୍ରେମ ଏକ ସୂକ୍ଷ୍ମ ଓ ସମ୍ବେଦନଶୀଳ ଅନୁଭବ । ପ୍ରଥମ ଗଳ୍ପ ରେବତୀ ଓ ରେବତୀ ଉତ୍ତର ଶହେ ବର୍ଷର ଓଡ଼ିଆ ଗଳ୍ପ ସର୍ବୋତ୍ତମ ଭାବେ ପ୍ରେମ ଓ ଜୀବନମୟ ହୋଇଛି- ଏହାହିଁ ସବୁଦୃଷ୍ଟିରୁ ଉଲ୍ଲେଖଯୋଗ୍ୟ ।

 

ପ୍ରାଧ୍ୟାପକ,

ଉପାଧ୍ୟୁତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,

ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜ୍ୟୋତିବିହାର, ସଂବଲପୁର

***

 

“ବିଂଶ ଶତାବ୍ଦୀର ଓଡ଼ିଆ ଗଳ୍ପ : ଉତ୍ତର ଔପନିବେଶିକ ବିଚାର”

ଶୁଭେନ୍ଦୁ ମୁଣ୍ଡ

 

ମାନବ ସଭ୍ୟତାର ଇତିହାସରେ ବିଂଶଶତାବ୍ଦୀ ଏକ ଅତ୍ୟନ୍ତ ଜଟିଳ ତଥା ମହତ୍ତ୍ୱପୂର୍ଣ୍ଣ ସମୟକାଳ । ଭାରତବର୍ଷ/ ଓଡ଼ିଶାପାଇଁ ଏହି ସମୟଟି ତତୋଧିକ ଜଟିଳ ଏବଂ ମହତ୍ତ୍ୱପୂର୍ଣ୍ଣ କାରଣ ପାଶ୍ଚାତ୍ୟକରଣ, ଆଧୁନିକକରଣ ସହ ଦୀର୍ଘ ଔପନିବେଶିକ ଶାସନ ଜଡ଼ିତ ବହୁବିଧ ଇଦାନୀଂ ଅନନୁଭୂତ ଘଟଣାବଳୀ, ପ୍ରଭାବ, ସଂଘାତ ତଥା ସମୀକରଣର ଇତିହାସ ତହିଁରେ ଜଡ଼ିତ । ବସ୍ତୁତଃ, ଊନବିଂଶ ଶତାବ୍ଦୀର ଆଦ୍ୟକାଳଠାରୁ ରାଜନୈତିକ ସ୍ୱାଧୀନତା (ଅଥବା ଅଣ-ଉପନିବେଶ କରଣ) ପର୍ଯ୍ୟନ୍ତ ଏହିସବୁ ପ୍ରଭାବ ଏବଂ ସଂଘାତ ଲାଗିରହିଥିଲା । ଓଡ଼ିଶା କ୍ଷେତ୍ରରେ ମଧ୍ୟ ଏହା ଉଣା ଅଧେକେ ପ୍ରଯୁଜ୍ୟ । ପୁଣି, ଓଡ଼ିଶା କହିଲେ ଯାହା ଆମେ ବୁଝିଥାଉ, ତାହାର ଭୌଗୋଳିକ ବା ରାଜନୈତିକ ରୂପରେଖ ଦୃଶ୍ୟମାନ ଜଗତରେ ଖୋଜିପାଇବା ଅସମ୍ଭବ । ଉତ୍ତର ଔପନିବେଶିକବାଦର ତତ୍ତ୍ୱନୁସାରେ ଜାତି ବା ଉପଜାତି (ଯାହା ପ୍ରକୃତରେ nation ନାମକ ଇଂରେଜୀ ଶବ୍ଦର ଓଡ଼ିଆ ପ୍ରତିରୂପ କି ନୁହେଁ ବିଚାର୍ଯ୍ୟ) ଏକ ଭୌଗୋଳିକ, ରାଜନୈତିକ, ଧର୍ମଭିତ୍ତିକ, ଭାଷାଭିତ୍ତିକ ଅଥବା ସାମାଜ ତାତ୍ତ୍ଵିକ ସଂଗଠନ ନୁହେଁ - ଏହା ମୂଳତଃ ଏକ ଧାରଣା, ଏକ ମହାର୍ଘ କଳ୍ପନା । ଶଂସିତ ସମୟକାଳ ଭିତରେ ଆମ ଦେଶକୁ ଏହି ଜାତୀୟତାବାଦ ଊନବିଂଶ ଶତାବ୍ଦୀରେ ୟୁରୋପରୁ ଆହୃତ ହୋଇଛି । ଭାରତୀୟ ଜାତୀୟତାବାଦ ସହିତ ଓଡ଼ିଆ ଉପ-ଜାତୀୟତାବାଦ (sub nationalism) ର କଳ୍ପନା ଏବଂ ଅଭିବୃଦ୍ଧି ମଧ୍ୟ ତେଣୁ ଏହି ଅବଧି କାଳରେ ରୂପଗ୍ରହଣ କରିଛି ।

 

ଔପନିବେଶିକ କାଳ ଭିତରେ ଆମ ଅନୁଭୂତିର ପରିସର ଭିତରକୁ ଇଂରେଜୀ ଭାଷା/ସାହିତ୍ୟ, ପାଶ୍ଚାତ୍ୟ ଚିନ୍ତାଧାରା, ଦର୍ଶନ, ବିଜ୍ଞାନ, କାରିଗରୀ କୌଶଳ ଏବଂ ନବନବ ଉଦ୍ଭାବନ ଗୁଡ଼ାଏ (ଯଥା, ରେଳ, ଟେଲିଗ୍ରାଫ) ଆସିଛି । ସମାଜ ଦୁଇଟି ଆପାତ ଭିନ୍ନ ଏବଂ ପରସ୍ପର ବିରୋଧୀ ମୂଳତତ୍ତ୍ୱ ଏବଂ ଜୀବନାନୁଭୂତିର ସଂଘାତ ମଧ୍ୟରେ ଦୋମିଶା (hybrid) ହେବାକୁ ଆରମ୍ଭ କରିଛି । ଏହି ପାଶ୍ଚାତ୍ୟ ଅନୁକରଣ-ପ୍ରବଣତା ସମସ୍ତ ଔପନିବେଶିକ ଦେଶରେ ଘଟିଛି ଏବଂ ଏଥିରୁ ଆମ ଦେଶ ନିଆରା ହେବା କଥା ନୁହେଁ । କିନ୍ତୁ ଆମ ଦେଶ କ୍ଷେତ୍ରରେ ଗୋଟିଏ କଥା ନିଆରା । ବହୁ ଉପନିବେଶ ଏଭଳି ବି ଅଛନ୍ତି ଯେଉଁଠି ସେଠିକା ଜନଜାତି ବା ଅଧିବାସୀମାନଙ୍କୁ ପ୍ରାୟ ସମୂଳେ ଧ୍ୱଂସ କରିବା ସଂପୂର୍ଣ୍ଣ ସଂସ୍କୃତିହରା କରାଇ ଶକ୍ତିଶାଳୀ ସାମ୍ରାଜ୍ୟବାଦୀ ସଂସ୍କୃତିର ରୋପଣ ଏବଂ ପ୍ରସାର କରାଯାଇଛି । ଆଉ କେତେକ ସ୍ଥଳରେ ମୂଳ ଅଧିବାସୀମାନଙ୍କ ଭାଷା, ଧର୍ମ ପ୍ରଭୃତି ମୌଳିକ ବିଭାବ ପରିବର୍ତ୍ତେ ସାମ୍ରାଜ୍ୟବାଦୀ ଶକ୍ତିର ଭାଷା, ଧର୍ମ ପ୍ରଭୃତି କ୍ରମେ ଶିଖାଇ ଦିଆଯାଇଛି । ଭାରତବର୍ଷ କଥା ଅଲଗା, କାରଣ ଆମର ବିଭିନ୍ନତା ସତ୍ତ୍ୱେ ଏକ ସାର୍ବଜନୀନ, ସୁପ୍ରତିଷ୍ଠିତ, ଚିରପ୍ରବାହମାନ ସଂସ୍କୃତି, ଧର୍ମଧାରଣା ଏବଂ ମୂଲ୍ୟବୋଧର ସଶକ୍ତ ଭିତ୍ତିଭୂମି ରହିଛି । ପାଶ୍ଚାତ୍ୟ ପ୍ରଭାବ ଏବଂ ଆଧୁନିକବାଦର ପ୍ରଭାବ ତ ପଡ଼ିବାର ଥିଲା ନିଶ୍ଚୟ, କିନ୍ତୁ ଏହି ପ୍ରଭାବଗୁଡ଼ିକ ଆମର ମୂଳସତ୍ତାକୁ ଦୋହଲାଇ ଦେଇ ନାହିଁ, ଦେଇପାରି ନାହିଁ । ଭାରତୀୟତ୍ୱ’ ବା “ଓଡ଼ିଆତ୍ୱ’କୁ ବିଲୋପ କରିବାରେ ସକ୍ଷମ ହୋଇପାରି ନାହିଁ । ଅଥଚ ଦୋମିଶା ହେବା ଅନୁକରଣ କରିବା ଭଳି ସ୍ଥୂଳ ଏବଂ ସୂକ୍ଷ୍ମ ଉଭୟ କଥାଗୁଡ଼ିକ ଭବିତବ୍ୟ ଭାବରେ ଘଟିଛି । ଆମେ ପଶ୍ଚିମାୟିତ ହୋଇଛୁ, ‘ଆଧୁନିକ’ ଗୋଟାପଣେ ହୋଇପାରିନାହୁଁ । ବିଜ୍ଞାନଭିତ୍ତିକ ଯାନ୍ତ୍ରିକ ସଭ୍ୟତା ସାଙ୍ଗକୁ ଆଧୁନିକତାର ଅନ୍ୟ ଏକ ବିଶିଷ୍ଟ ବିଭାଗ ହେଲା ଯେ ଏହା ଏକ ନିର୍ଦ୍ଦିଷ୍ଟ ମାନସିକ ସ୍ଥିତିକୁ ବୁଝାଏ । ଆଧୁନିକବାଦର ଆଗମନ ସହିତ ଯେଣୁ ପାଶ୍ଚାତ୍ୟକିରଣ ଏବଂ ଔପନିବେଶିକବାଦର ମଧ୍ୟ ଆମ ଦେଶ ସହିତ ସଂପୃକ୍ତି ପ୍ରାୟ ଏକା ସମୟରେ ଏବଂ ଏକା ପରିସ୍ଥିତିରେ ଆସିଛି, ତେଣୁ ଆମ କ୍ଷେତ୍ରରେ ଏହା ଗୋଳିଆମିଶା ହୋଇଯାଇଛି । ଔପନିବେଶିକ ମନୋସ୍ଥିତି ଏକ ବିଚିତ୍ର ସାମାଜିକ ଏବଂ ରାଜନୈତିକ ଅବସ୍ଥା ସୃଷ୍ଟି କରାଇଥାଏ । ଏହି ଅବସ୍ଥାର ଜାଗତିକ ପରିଦୃଶ୍ୟମାନ ରୂପ ମଧ୍ୟ ସେଭଳି ବିଚିତ୍ର ଏବଂ ଜଟିଳ ଗୋଟିଏ ପକ୍ଷରେ ଥାଏ ଅନୁକରଣ ପ୍ରବଣତା । ପ୍ରଭାବଶାଳୀ ସମ୍ରାଜ୍ୟବାଦ ସୃଷ୍ଟି କରେ ମହାନ୍ ଗାଥା ଏବଂ କଳ୍ପିତ ସତ୍ୟଗୁଡ଼ିଏ । ଏହାକୁ ଔପନିବେଶିକ ତତ୍ତ୍ୱରେ ମାଷ୍ଟର ନେରେଟିଭ୍ (Master Narrative) କୁହାଯାଉଛି । ଉଦାହରଣ ସ୍ୱରୂପ, ନିମ୍ନୋକ୍ତ ବିଷୟଟି ଦେଖାଯାଉ । ସାର୍‍ବେଜିଙ୍ଗଟନ୍ ମେକଲେ, ଯେ ଭାରତୀୟ ଉପନିବେଶରେ ଇଂରେଜୀ ଶିକ୍ଷାର ପ୍ରଚଳନ ପାଇଁ ତାଙ୍କ ଉତ୍ସାହପୂର୍ଣ୍ଣ ସୁପାରିଶ ପ୍ରଦାନ କରିଥିଲେ, ସେ ନିଜ ଦ୍ୱାରା ପ୍ରଦତ୍ତ ‘ମିନିଟ୍‍ସ' (Minutes)ରେ ୧୮୩୩ ମସିହାରେ ଉଲ୍ଲେଖ କରିଥିଲେ- The sceptre may pass away from us, unforeseen accidents may derange our most profound schemes of policy. Victory may be inconstant to our arms. But there are triumphs which are followed by no reverse. There is an empire exempt from all natural causes of decay. Those triumphs are the pacific triumphs of reason over barbarism; that empire in the imperishable empire of our arts, our literature and our laws.

 

ମେକଲେ କହିଥିଲେ ଜାଗତିକ ରାଜଦଣ୍ଡ ସେମାନଙ୍କ ହାତରୁ ଚାଲିଯାଇ ଏହି ପାର୍ଥିବ ସାମ୍ରାଜ୍ୟ ମୃତ୍ୟୁବରଣ କରିପାରେ, କିନ୍ତୁ ସେମାନେ ଇଂରାଜୀ ଶିକ୍ଷା ମାଧ୍ୟମରେ ଏଭଳି ଏକ ମୃତ୍ୟୁହୀନ ସାମ୍ରାଜ୍ୟ ଗଢ଼ିଯିବେ ସମସ୍ତଙ୍କ ଅଲକ୍ଷ୍ୟରେ ଯେ ଭାରତୀୟମାନେ ବିଲାତି କଳା, ସାହିତ୍ୟ, ବିଧିଶାସ୍ତ୍ର ପ୍ରଭୃତିର ଶ୍ରେଷ୍ଠତ୍ୱ ସ୍ୱୀକାର କରି ଚାଲିଥିବେ । କେବଳ ସେତିକି ନୁହେଁ, ଏହି ପ୍ରଣାଳୀ ଦ୍ଵାରା ସେ ଜାଣିଥିଲେ ଗଢ଼ି ହୋଇଯିବେ ଭାରତୀୟମାନେ ଏକ ଦୋମିଶା ସଂସ୍କୃତିରେ- ଯାହାକୁ ବିଖ୍ୟାତ ଆଲ୍‍ଜେରୀୟ ଚିନ୍ତାନାୟକ ଫ୍ରାନ୍‌ଜ୍ ଫେନନ୍ କୁହନ୍ତି ‘ବ୍ଳେକ୍ ସ୍କ୍ରିନ୍/ ଦ୍ଵାଇଟ୍ ମାସ୍କ୍’ - ଧଳା ମୁଖା, ତଳେ କଳା ଚମଡ଼ା ।

 

୧୯୭୮ରେ ପ୍ରକାଶିତ ଏଡ୍ଓ୍ୱାଡ଼୍ ସେଡ୍‍ଙ୍କ ଯୁଗାରମ୍ଭକାରୀ ପୁସ୍ତକ ଓରିଏଣ୍ଟାଲିଜମ୍ (Orientalism) ହିଁ ଉତ୍ତର ଔପନିବେଶିକ ବିଚାର ଧାରାର ଆଦ୍ୟୁତ୍ସ ବୋଲି ମନେ କରାଯାଏ-। ୧୯୯୩ରେ ପ୍ରକାଶିତ ସେହି ଲେଖକଙ୍କ କଲ୍‍ଚର ଏଣ୍ଡ ଇମ୍ପିରିଆଲିଜିମ୍ (Culture and Imperialism) ଏବଂ ଏଇ ଦୁଇ ଦଶକରେ ଏହି ଦୁଇ ପଥ ପ୍ରଦର୍ଶନକାରୀ ପୁସ୍ତକର ପ୍ରତିକ୍ରିୟା/ ଆଲୋଚନା ସମୀକ୍ଷା/ ପ୍ରତ୍ୟାଲୋଚନା/ ପ୍ରତ୍ୟାକ୍ରମଣ ଏଇ ଦୁଇ ଦଶକ ପ୍ରାୟ ଚାଲି ଆମମାନଙ୍କୁ ଉପନିବେଶଗ୍ରସ୍ତ ଦେଶମାନଙ୍କର ସାହିତ୍ୟ ରାଜନୀତି, ସାମାଜତତ୍ତ୍ୱ ଏବଂ ସର୍ବୋପରି ସଂସ୍କୃତି ସମ୍ବନ୍ଧରେ ନୂତନ ଦୃଷ୍ଟି ଦେଇ ଅଧ୍ୟୟନ କରିବାର କ୍ଷେତ୍ର ସୃଷ୍ଟି କରିଛି ।

 

ଉପର୍ଯ୍ୟୁକ୍ତ ଦୀର୍ଘ ନାନ୍ଦୀମୁଖର ଅବତାରଣା ମୁଁ ଏହି ଆଲୋଚନାରେ ଅଗ୍ରସ୍ଥିତ କରିବାର କାରଣ ହେଲା, ଏହି ସମୟକାଳ (ଯାହା ଭିତରେ ଆମ ଚର୍ଚ୍ଚିତ ବିଂଶ ଶତାବ୍ଦୀ ଅନ୍ତର୍ଭୁକ୍ତ)ର ସାହିତ୍ୟ, ବିଶେଷତଃ କଥାସାହିତ୍ୟର ‘ପୁନଃ-ଅଧ୍ୟୟନ’ ନିମନ୍ତେ ଏକ ସମୁଚିତ, ଉପଯୋଗୀ ତଥା ଭାରତମନସ୍କ ବିକଳ୍ପ ଅନୁଶୀଳନର ପଥ ଉନ୍ମକ୍ତ କରିବା । ଏଡ଼ୱାଡ଼ ସେଡ୍ ଏବଂ ପରବର୍ତ୍ତୀ ଉତ୍ତର ଔପନିବେଶବାଦୀ ତତ୍ତ୍ୱବିତ୍‍ଗଣ ଦେଖାଇ ଦେଇଛନ୍ତି । ସାମ୍ରାଜ୍ୟବାଦୀ ଶକ୍ତି କିଭଳି ‘ମାଷ୍ଟର ନେରେଟିଭ୍ ସୃଷ୍ଟି କରି ଔପନିବେଶ ସଭ୍ୟତାର ସମସ୍ତ ମୂଳତତ୍ତ୍ୱକୁ ନିକୃଷ୍ଟ ଏବଂ ବହିରାଗତ ଶ୍ଵେତାଙ୍ଗ ସଭ୍ୟତାର ସବୁକିଛି ଶ୍ରେଷ୍ଠତର, ତେଣୁ ଅନୁକରଣୀୟ /ଶିକ୍ଷଣୀୟ ବୋଲି ଏକ ମାନସିକ ଚାପ ସୃଷ୍ଟି କରିଥାଏ । ଅଣ-ଉପନିବେଶ କରଣ (decolonisation) ଏବଂ ରାଜନୈତିକ କ୍ଷମତା ହସ୍ତାନ୍ତରୀକରଣ ଏକା କଥା ନୁହେଁ । ସ୍ୱାଧୀନତାପ୍ରାପ୍ତି ଏବଂ ରାଜନୈତିକ କ୍ଷମତା ହସ୍ତାନ୍ତର ସମୟ ଦୃଷ୍ଟିରୁ ଏବଂ ରାଜନୀତିର ପୃଷ୍ଠ ଭୂମିରେ ପରସ୍ପର ସମକୈନ୍ଦ୍ରିକ ହୋଇପାରିଥାନ୍ତି, କିନ୍ତୁ ଅଣ-ଉପନିବେଶକରଣ ପରେ ମଧ୍ୟ ଔପନିବେଶିକତା ଅପ୍ରତିହତ ରହିଥାଏ । ତେଣୁ ଆମର ବଦ୍ଧମୂଳ ଧାରଣା ଯେ ପଶ୍ଚିମ ଦେଶାଗତ (ଅନ୍ୟର୍ଥ ସମ୍ରାଜ୍ୟବାଦ ଦ୍ୱାରା ପ୍ରସାରିତ) ସମସ୍ତ ବସ୍ତୁ, ବିଚାର, ଆଚାର, ତତ୍ତ୍ଵ ଏବଂ ବ୍ୟକ୍ତି ଉତ୍କୃଷ୍ଟ, ଅନୁକରଣୀୟ ଏବଂ ଆଦର୍ଶସ୍ଥାନୀୟ ।

 

ସାହିତ୍ୟ କ୍ଷେତ୍ରରେ ବିଂଶ ଶତାବ୍ଦୀରେ ଉପଯୋଗ କରାଯାଇଥିବା ସମସ୍ତ ପାଶ୍ଚାତ୍ୟ ତତ୍ତ୍ୱ, ସୁତରୀ ଆଉ ବିଶ୍ୱାସଯୋଗ୍ୟ ନୁହେଁ । ପୂର୍ବରୁ କୁହାଯାଇଛି, ଆମ ଦେଶର ସୁପ୍ରତିଷ୍ଠିତ ଧର୍ମୀୟ ବିଶ୍ଵାସ, ସାହିତ୍ୟିକ ପରମ୍ପରା ତଥା ସଂସ୍କୃତି ଆରମ୍ଭରୁ ଏ ପର୍ଯ୍ୟନ୍ତ ପାଶ୍ଚାତ୍ୟକରଣ ଆଧୁନିକୀକରଣର ବିରୋଧ କରିଆସିଛି । ପାଶ୍ଚତ୍ୟକରଣ ବହୁ ପରିମାଣରେ ସମାଜରେ ଗୃହୀତ ହୋଇଛି, କିନ୍ତୁ । ଆଧୁନିକୀକରଣ ସର୍ବଦା ଏକ ନିରବଚ୍ଛିନ୍ନ, ନୀରବ ପ୍ରତିରୋଧର ସମ୍ମୁଖୀନ ହୋଇ ଆମ ସାହିତ୍ୟରେ ସଂଘାତ ସୃଷ୍ଟି କରିଛି ।

 

ପ୍ରଥମ ଓଡ଼ିଆ ଗଳ୍ପ ‘ରେବତୀ’ ଦେଖାଯାଉ । ରେବତୀ, ବାସୁଦେବ ଏବଂ ଜେଜିମା ଚରିତ୍ର; ଇଂରାଜୀ ଶିକ୍ଷା ଏବଂ କଲେରା ରୋଗ–ଏ ସମସ୍ତ ମିଶି ଯେଉଁ ସଂଘଟନଟି ସୃଷ୍ଟି ହୋଇଛି ତାହା ଉପରୋକ୍ତ ଦୁଇ ପରସ୍ପର ବିରୋଧୀ ତତ୍ତ୍ୱର ସଂଘାତ ଧର୍ମୀ ରୂପମାତ୍ର । ଏହି ଗଳ୍ପର ସମୟକାଳ ସହିତ ଓଡ଼ିଶାରେ ଇଂରାଜୀ ଶିକ୍ଷା ତଥା ନାରୀଶିକ୍ଷା ରୂପକ ଦୁଇଟି ପାଶ୍ଚାତ୍ୟ ଧାରଣା ସହ ଜେଜିମା’ର ଦେଶୀ ଚିନ୍ତାଧାରାର ସଂଘର୍ଷ ଘଟିଛି । ପରବର୍ତ୍ତୀ କାଳରେ ସାହିତ୍ୟରେ ଯେଉଁ ସଂଶ୍ଳେଷଣ ଘଟିଛି, ତାହା ବିଂଶ ଶତାବ୍ଦୀ ଆଦ୍ୟଭାଗରେ ସାମାଜିକ-ରାଜନୈତିକ କ୍ଷେତ୍ରରେ ପ୍ରାଚୀ-ପାଶ୍ଚାତ୍ୟ, ଶାସିତ-ଶାସକ, ନୂଆ-ପୁରୁଣାର ସମନ୍ୱୟର ପ୍ରତିଫଳନ ମାତ୍ର । ଏହି ସମୟରେ ଅନେକ ଅନୁବାଦ, ପ୍ରକାଶ ପାଇଛି, ବିଶେଷତଃ କଥା ସାହିତ୍ୟରେ ।

 

ସେଭଳି, ଓଡ଼ିଶାରେ ଯାନ୍ତ୍ରିକ ଉଦ୍ଭାବନ ବିଶେଷ ଭାବରେ ସାର୍ବଜନୀନ ହେବା ସମୟବେଳକୁ ଅନନ୍ତ ପ୍ରସାଦ ପଣ୍ଡାଙ୍କ ‘ଶଗଡ଼’ ଏବଂ ପରେ ପରେ ସେହି ସଂଘାତର ପରିମାର୍ଜିତ ରୂପ ଦେଖିବାକୁ ମିଳେ ଗୋଦାବରୀଶ ମହାପାତ୍ରଙ୍କ ‘ମାଗୁଣିର ଶଗଡ଼’ ଗଳ୍ପରେ । ୧୯୩୦ ଦଶକରେ ସାରା ବିଶ୍ୱରେ ପରିପ୍ଲାବିତ ବାମପନ୍ଥୀ ପ୍ରଗତିବାଦୀ ସାହିତ୍ୟ ଓଡ଼ିଶାରେ ନବଯୁଗ ସାହିତ୍ୟ ସଂସଦ ମାଧ୍ୟମରେ ଏବଂ ଭଗବତୀ ଚରଣ ପାଣିଗ୍ରାହୀ ପ୍ରମୁଖଙ୍କ ଗଳ୍ପରେ ଏହି ନୂତନ ଚିନ୍ତାଧାରାର ସାହିତ୍ୟାୟିତ ରୂପ ପେଶ୍ କରିଛି । ପାଣିଗ୍ରାହୀଙ୍କ ‘ମଣିଷ’ ଗଳ୍ପର ଘିନୁଆ ଏବଂ ଗୋବିନ୍ଦ ସରଦାର-ଏଭଳି ଦୁଇଟି ଚରିତ୍ର ଯାହା ମାଧ୍ୟମରେ ଗାଳ୍ପିକ ସାମାଜିକ ସଂରଚନାର ମୂଳତତ୍ତ୍ୱ ଉପରେ ପ୍ରଶ୍ନବାଚୀ ଆଙ୍କିଛନ୍ତି । ପାଣିଗ୍ରାହୀଙ୍କ ‘ଶିକାର’, ‘ଜଙ୍ଗଲ’, ‘ଜୀବନର ସମାଧି’, ରାମ ପ୍ରସାଦ ସିଂହଙ୍କର ‘ଶେଷ ରାତି’, ଗୋଦାବରୀଶ ମହାପାତ୍ରଙ୍କର ‘କ୍ଷୁଧାତୁର’ ପ୍ରଭୃତି ଗଳ୍ପରେ ଶ୍ରେଣୀ ଚେତନାର ସ୍ୱର ଫୁଟିଉଠିଛି । ଓଡ଼ିଆ କଥା ସାହିତ୍ୟରେ ପାରମ୍ପରିକ କଥାବସ୍ତୁ ଏବଂ କଥ୍ୟରେ ପ୍ରଗତିବାଦୀ ଚେତନା ପରିବର୍ତ୍ତନ ଆଣିଛି ।

 

ଓଡ଼ିଶାରେ ଇଂରେଜୀମିଶା ସର୍ବଜନୀନ ହେବାପାଇଁ ବହୁକାଳ ଅପେକ୍ଷା କରିବାକୁ ପଡ଼ିଥିଲା । ସାମ୍ରାଜ୍ୟବାଦର କୁଚକ୍ରୀ ଲାଭବାଦୀ ଅର୍ଥନୀତିଫଳରେ ଓଡ଼ିଶାକୁ (ବା ସତ କହିଲେ ଖଣ୍ଡ ବିଖଣ୍ଡିତ ‘ଓଡ଼ିଶା’ମାନଙ୍କୁ) ଆଧୁନିକାୟନର ସୁଯୋଗ ବହୁ ବିଳମ୍ବରେ ମିଳିଥିଲା । ଯେଉଁ ନବ୍ୟ ଶିକ୍ଷିତ ମଧ୍ୟମ ବର୍ଗ ସମାଜରେ ବିପ୍ଳବ ଓ ପରିବର୍ତ୍ତନର ଉଦୟରାଗ ରଚିଥାନ୍ତି ସେମାନେ ଆଖି ଖୋଲିଲା ବେଳକୁ ଅନେକ ପରସ୍ପର ସଂପୃକ୍ତ/ଅସଂପୃକ୍ତ ଧାରଣା ଓ ପ୍ରଭାବମାନେ ତାଙ୍କ ସମ୍ମୁଖରେ ନିଜର ବିଶାଳକାୟାଗୁଡ଼ିକୁ ନେଇ ଠିଆ ହୋଇ ସାରିଲେଣି । ପାଶ୍ଚାତ୍ୟକରଣ ଓ ଆଧୁନିକାୟନ ସହିତ ନିଜସ୍ୱ ସଂସ୍କୃତି ଓ ପରଂପରାର ସଂଘର୍ଷ, ଜାତୀୟତାବାଦର ଉନ୍ମେଷ, ଓଡ଼ିଆ ଉପ-ଜାତୀୟତାବାଦର ଉଦ୍‍ବେଳନ, ବାମପନ୍ଥୀ ପ୍ରଗତିବାଦ; ନାରୀଶିକ୍ଷା, ମୁକ୍ତ ଚିନ୍ତା, ସାମାଜିକ ବୈଷମ୍ୟ, ଅସ୍ପୃଶ୍ୟତା, ଜାତିଆଣଭାବ, ଗାନ୍ଧିବାଦ, ସଂନ୍ତ୍ରାସବାଦ, ପ୍ରଜାମଣ୍ଡଳ ଆନ୍ଦୋଳନ ପ୍ରଭୃତି ବହୁ ଆନ୍ଦୋଳନ/ମାନସିକତା ମୋଟାମୋଟି ପ୍ରାୟ ଚାଳିଶି ବର୍ଷ ଭିତରେ ଚିନ୍ତାଶୀଳ ତଥା ସମ୍ବେଦନଶୀଳ କଥାକାରର ମନକୁ ବହୁଦିଗରୁ ଆକର୍ଷିତ କରିଛି । ଏହି ସମୟର ଗଳ୍ପମାନଙ୍କରେ ତେଣୁ ସ୍ଵାଭାବିକ ଭାବେ ବିଭିନ୍ନ ଚିନ୍ତାଧାରା, ଆନ୍ଦୋଳନ, ତତ୍ତ୍ଵ ପ୍ରଭୃତିର ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରଭାବ ସ୍ପଷ୍ଟ ଲକ୍ଷ୍ୟଣୀୟ ।

 

ସ୍ଵାଧୀନତା/ଅଣ-ଉପନିବେଶକରଣ ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ମଧ୍ୟ ଏହି ବିକ୍ଷିପ୍ତତା ସ୍ପଷ୍ଟ ଲକ୍ଷ୍ୟଣୀୟ । ଔପନିବେଶିକ ଦାସତ୍ୱରୁ ବାହ୍ୟକ ମୁକ୍ତି ମିଳିଯିବା ସହଜ-କିନ୍ତୁ ଔପନିବେଶିକ ମନ ଓ ଚେତନା ମଧ୍ୟରୁ ପାଶ୍ଚାତ୍ୟ/ ଶ୍ଳେତାଙ୍ଗ ସାମ୍ରାଜ୍ୟବାଦୀ ପ୍ରଭାବର ଚେର ଉପାଡ଼ି ଫିଙ୍ଗିଦେବା ସହଜ ନୁହେଁ । ଆମ ସାହିତ୍ୟର ବିଭିନ୍ନ ବିଭାଗରେ, ବିଶେଷତଃ ସମୀକ୍ଷା ଏବଂ ସମାଲୋଚନା କ୍ଷେତ୍ରରେ ଅନୁପ୍ରବେଶ କରିଥିବା ବିଭିନ୍ନ ପାଶ୍ଚାତ୍ୟ ଧାରଣା, ଅବଧାରଣା, ତତ୍ତ୍ଵରାଜି ଉଭୟ ସ୍ରଷ୍ଟା ଏବଂ ସମାଲୋଚକଙ୍କୁ ଚେତନ ଓ ଅବଚେତନ ସ୍ତରରେ ପ୍ରଭାବିତ କରି ରଖି ଆସିଛି । ଉତ୍ତର ଔପନିବେଶବାଦୀ ସାହିତ୍ୟ ବିଚାର କିନ୍ତୁ ଆମର ମୋହ ଭଙ୍ଗ କରିବାରେ ସକ୍ଷମ ହୋଇପାରିଛି । ଏଠାରେ ସ୍ମରଣ କରାଯାଇପାରେ ଯେ ଏହି ଧାରାର ପ୍ରାୟ ସମସ୍ତ ତତ୍ତ୍ୱବିତ୍ ଏସୀୟ, ମୁଖ୍ୟତଃ ଭାରତୀୟ ବା ଭାରତୀୟ ବଂଶୋଦ୍ଭବ । ଭାରତୀୟ ଇଂରେଜୀ ସାହିତ୍ୟ ସମେତ ଅନ୍ୟ ଭାଷା ସାହିତ୍ୟ (ଯାହା ସାଧାରଣତଃ ଆଞ୍ଚଳିକ ଭାଷା ସାହିତ୍ୟ ନାମରେ ପରିଚିତ, ଯଥା ଓଡ଼ିଆ, ବଂଗଳା, ତେଲୁଗୁମାନଙ୍କରେ ମଧ୍ୟ ଏହି ଉତ୍ତର ଔପନିବେଶିକ ସାହିତ୍ୟ ସମାଲୋଚନା ପ୍ରଯୁଜ୍ୟ । ଆଶ୍ୱାସନାର ବିଷୟ ଯେ, ଏଥିରେ ଏହି ଭାଷା ସାହିତ୍ୟମାନଙ୍କ ସମେତ ବିଭିନ୍ନ ଲୋକସାହିତ୍ୟର ସମ୍ମାନନୀୟସ୍ଥାନକୁ ସ୍ୱୀକାର କରାଯାଏ ।

 

ମହାଶ୍ୱେତା ଦେବୀଙ୍କ ବଙ୍ଗଳା ଗଳ୍ପ ‘ସ୍ତନ୍ୟଦାୟିନୀ’ର ଇଂରେଜୀ ଅନୁବାଦ ସହ ସମୀକ୍ଷା ପ୍ରଦାନ କରି ବିଖ୍ୟାତ ତତ୍ତ୍ୱବିତ୍ ଗାୟତ୍ରୀ ଚକ୍ରବର୍ତ୍ତୀ ସ୍ନିଭାକ୍ ବିଶ୍ୱ ସାହିତ୍ୟ/ସଂସ୍କୃତି ଅଧ୍ୟୟନରେ ଏକ ନୂତନ ଦିଗ୍‍ଦର୍ଶନ ପ୍ରଦାନ କରିଛନ୍ତି । ସମାଜରେ ନାରୀ ଏବଂ ଦଳିତ ସମାଜର ସ୍ଥାନ ସଂପର୍କରେ ଏହା ଦ୍ୱାରା ଏକ ନୂତନ ଅବବୋଧ ସୃଷ୍ଟି ହୋଇଛି । ଯଦି ମହାଶ୍ୱେତାଙ୍କ ବଙ୍ଗଳା ଗଳ୍ପର ଉତ୍ତର ଔପନିବେଶିକ ବିଚାର ସମ୍ଭବ ଏବଂ ସଫଳୀଭୂତ ହୋଇଥାଏ । ଓଡ଼ିଆ ଗଳ୍ପ କ୍ଷେତ୍ରରେ ହେବ ନାହିଁ କାହିଁକି ? ଗାୟତ୍ରୀଙ୍କ ଭଳି ହୋମି ଭାଭା, ପାର୍ଥ ଚାଟାର୍ଜୀ, ଆଶିଷ ନନ୍ଦୀ, ରଞ୍ଜିତ୍ ଗୁହା, ଦୀପେଶ୍ ଚକ୍ରବର୍ତ୍ତୀ ପ୍ରମୁଖ ପ୍ରବକ୍ତାଙ୍କ ଅନୁଶୀଳନ ଏବଂ ବ୍ୟାଖ୍ୟାନ ଫଳରେ ଆଜି ଭାରତୀୟ ଉତ୍ତର ଔପନିବେଶିକ ସାହିତ୍ୟ ଓ ସମାଜତତ୍ତ୍ୱ ବିଚାରରେ ଅଭୂତପୂର୍ବ ନବ ଦୃଷ୍ଟି ଆସିଯାଇଛି । ଏହି ନୂତନ, ପ୍ରଭାବଶାଳୀ ଚେତନାର ସମାଲୋଚନା ଶୈଳୀ ଏବଂ ବ୍ୟାଖ୍ୟା ସାହାଯ୍ୟରେ ଆମର କଥା ସାହିତ୍ୟର ଆମେ ନବମୂଲ୍ୟାୟନ କରିପାରିବା; ଆମ ସାହିତ୍ୟରେ ସମସାମୟିକ ଯନ୍ତ୍ରଣାର ସମ୍ମୁଖୀନ ହେବା ପାଇଁ କଥାକାର କି ଉପାୟ ଅବଲମ୍ବନ କରିଛି, ତା’ ସଠିକ୍ ଭାବେ ବୁଝିପାରିବା ।

 

ଏହି ପ୍ରସଙ୍ଗରେ ଅନ୍ୟ ଏକ ଉଦ୍‍ବେଗଜନକ ତଥ୍ୟ ମୁଁ ସ୍ମରଣ କରାଇ ଦେବା ଉଚିତ ମନେ କରୁଛି । ଗଳ୍ପ ସାହିତ୍ୟର ପ୍ରଥମ ୬୦ ବର୍ଷ ମଧ୍ୟରେ ଆମର କେହି ଉଲ୍ଲେଖଯୋଗ୍ୟ ନାରୀ ବା ଦଳିତ କଥାକାର ମୁଖ୍ୟସ୍ରୋତ ମଧ୍ୟକୁ ଆସିପାରିନାହାନ୍ତି । ବନଲତା ଦେବୀ, ଶାନ୍ତି ମୁଖାର୍ଜୀ, ସରଳା ଦେବୀ, ସୁପ୍ରଭା ଦେବୀ ପ୍ରମୁଖ ଗୌଣ ଲେଖିକା ବ୍ୟତୀତ କୁନ୍ତଳା କୁମାରୀ ସାବତଙ୍କ କିଛି କଥାସାହିତ୍ୟ ଆମର ଆଦ୍ୟ ନାରୀ କଥାସାହିତ୍ୟର ମୋଟ ପୁଞ୍ଜି । ଦଳିତ ସାହିତ୍ୟିକ ନାହାନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ଆମ ସମାଜରେ ନାରୀମାନଙ୍କ ସଂଖ୍ୟା ସମଗ୍ର ଜନଗଣନାର ଶତକଡ଼ା ପଚାଶ ଭାଗ, ତେବେ ଆମ ସମାଜର ଅଧା କାହାଣୀ ଅକୁହା ରହିଗଲା ନାହିଁ କି ? ଦଳିତ ସଂପ୍ରଦାୟ ସେଭଳି ଏକ ସାହିତ୍ୟ-ଅବହେଳିତ ଗୋଷ୍ଠୀ । ଏମାନଙ୍କ ନୀରବତା ଆମ ସାହିତ୍ୟଚେତନାକୁ ମୂକ କରିଦେଇ ନାହିଁତ ? ନାରୀଜାତି ଏବଂ ଦଳିତମାନଙ୍କୁ ସେଥିପାଇଁ ଦ୍ୱିଗୁଣ-ଉପନିଶାୟିତ (doubly colonised) ବୋଲି ଅଭିହିତ କରାଯାଇଛି । କ୍ଷମତାବୃତ୍ତର କେନ୍ଦ୍ରଠାରୁ ଦୂରରେ, ପରିଧିପାଖରେ ରହିଆସିଥିବା ମଣିଷମାନଙ୍କ ଜୀବନର ଅନୁଚାରିତ କାହାଣୀ ପ୍ରତି ଉତ୍ତର ଔପନିବେଶିକବାଦୀ ସାହିତ୍ୟ ବିଚାର ଆମକୁ ଆକୃଷ୍ଟ କରିଛି ।

 

ସେଭଳି ଆମର ସମୃଦ୍ଧ ଗାଥା ପରମ୍ପରା, କାବ୍ୟତତ୍ତ୍ଵ, ସାହିତ୍ୟ ବିଚାର, ଲୋକ ସାହିତ୍ୟ ବିଚାର, ଲୋକସାହିତ୍ୟ ପ୍ରଭୃତି ସ୍ୱଦେଶୀ ସମ୍ପଦମାନେ ଉପନିବେଶ କାଳର ପ୍ରଚଣ୍ଡ ସାଂସ୍କୃତିକ ଆକ୍ରମଣରେ ଆମର ସମ୍ମାନବୋଧ ହରାଇ ପଡ଼ିଛନ୍ତି । ଆମେମାନେ କଥାକଥାକେ ଧାର୍‍କରା ପୋଷାକ ଆଣି ଆମ ସାହିତ୍ୟକୁ ପିନ୍ଧାଇବାକୁ ଉଦ୍ୟମ କରିଛୁ । ଯେଉଁ ସାମ୍ରାଜ୍ୟବାଦୀ ସତ୍ୟଗୁଡ଼ିକୁ ଆମ ମୁଣ୍ଡରେ ଜବର୍ଦସ୍ତ ପୂରାଇ ଦିଆଯାଇଛି, ସେଗୁଡ଼ିକୁ ଆମେ କାଢ଼ି ଫିଙ୍ଗିବାରେ ଅସମର୍ଥ ହେଉଛୁ । ଆମ ସମାଜରେ ପରିଗୃହୀତ ପାଶ୍ଚାତ୍ୟାୟନ ସତ୍ତ୍ୱେ ଗୋଷ୍ଠୀ ଏବଂ ପାରିବାରିକ ଜୀବନ ଆମର ସମୟସିଦ୍ଧ ମୂଲ୍ୟବୋଧମାନଙ୍କ ସୁଦୃଢ଼ ଭିତ୍ତି ଉପରେ ଏବେ ବି ଅବିଚଳ ଭାବେ ରହିଛି । ଆଧୁନିକତାର ଯୁଗଯନ୍ତ୍ରଣା, ‘ଏଲିଏନେସନ୍’, ‘ଚେତନା ପ୍ରବାହ’, ‘ମୃତ୍ୟୁଚେତନା’, ସ୍ଥିତିବାଦ, ‘ଉଦ୍ଭଟତା’ ଇତ୍ୟାଦି ଇତ୍ୟାଦି ବହୁ ଅନୁଦିତ ତୋଷରଫକୃତ ପାଦବିନ୍ୟାସର ତତ୍ତ୍ଵ-ଖୋପମାନଙ୍କ ଭିତରେ ଆମ ସାହିତ୍ୟ ରଚନାକୁ ଭର୍ତ୍ତିକରି ମାପ ବିଚାର କରିଛୁ । ଆମ ସମାଜର କେଉଁ ଚିତ୍ର ବା ଅନ୍ତଃସ୍ରୋତଗୁଡ଼ିକୁ ଆମ କଥାସାହିତ୍ୟ (ବା ସାହିତ୍ୟ) କେମିତି ମୂର୍ତ୍ତିମନ୍ତ କରିଛି ତା’ ଆମ ନିଜ ଆଖିରେ ଦେଖିବାକୁ ଆମେ ଉଦ୍ୟମ କରିନାହୁଁ ।

 

 

ସାହିତ୍ୟରେ ଦେଶ ବିଦେଶର ପ୍ରଭାବ ଆଧୁନିକ କାଳରେ ଅବଶ୍ୟମ୍ଭାବୀ । ନୂତନ ଭାବଧାରା ଗ୍ରହଣ ନ କଲେ ଆମେ ଶ୍ୱାସରୁଦ୍ଧ ହୋଇଯିବା । ତେଣୁ ପାଶ୍ଚାତ୍ୟ ବା ବୈଦେଶିକ ପ୍ରଭାବଗୁଡ଼ିକ ମନ୍ଦ ବୋଲି ଏଠାରେ କୁହାଯାଉ ନାହିଁ । କଥା ହେଲା, ସାହିତ୍ୟ ରଚନାର ଏକ ପୃଷ୍ଠଭୂମି ଥାଏ । ସାହିତ୍ୟିକ ଏକ ସାମାଜିକ/ଐତିହାସିକ ପରିସ୍ଥିତି/ ଅବସ୍ଥା ଭିତରୁ ଜନ୍ମ ନିଏ; ସୃଷ୍ଟି କରେ । ସେ ପୁଣି ଏକ ପରମ୍ପରାର ଅସଚେତନ ପ୍ରତିନିଧି ରୂପେ କାର୍ଯ୍ୟ କରିଥାଏ । ସାମାଜିକ ପରିବର୍ତ୍ତନ ସହ ପରମ୍ପରାର ଚିରନ୍ତନତାର ସମନ୍ୱୟ ହିଁ ସତ୍ୟତାର ଲକ୍ଷଣ । ଆମ କଥାସାହିତ୍ୟରେ ଯେଉଁ ସମାଜର ଭୂୟୋଦର୍ଶନ ଲିପିବଦ୍ଧ, ଯେଉଁ ଇତିହାସ ହୋଇଛି ‘ପୁନର୍କଥିତ’, ତା’ର ‘ପୁନଃ- ଅଧ୍ୟୟନ’ ଆବଶ୍ୟକ । ଉତ୍ତର-ଔପନିବେଶିକ ସାହିତ୍ୟ ସଲମାନ୍ ରଶ୍‍ଦୀଙ୍କ ‘ମିଡ୍‍ନାଇଟସ୍ ଚିଲ୍‍ଡ୍ରେନ୍’ ଉପନ୍ୟାସ (୧୯୮୦)ର ମୁଖ୍ୟ ଚରିତ୍ର ସଲିମ୍ ଭଳି ‘‘ଇତିହାସର ହାତକଡ଼ି ବଂଧା”. “Hand cuffed to history’’ ଏହି ଇତିହାସ ପରାଧୀନତାର ଇତିହାସ, ଗୋଲାମିର ଇତିହାସ, ଔପନିବେଶିକ ମାନସିକତାର ଇତିହାସ ।

 

ଆମକୁ ସାମ୍ରାଜ୍ୟବାଦୀ ତତ୍ତ୍ୱ ପରିଷି ଦେଇଥିବା ‘ଇତିହାସ’ର ଅର୍ଥ ବଦଳି ଯିବ ଯେତେବେଳେ ଆମେ ଆମର ଗଳ୍ପ ଉପନ୍ୟାସର କଥାୟନ ଭିତରୁ ଇତିହାସର ସ୍ୱରୂପ ଖୋଜି ପାଇବା । ପାଠ୍ୟ (text) ଭିତରୁ ଅସଲ ଅକୁହା କଥାର ଭାଷା (sub text) ବୁଝି ପାରିବା । ଯେତେବେଳେ ପାଠ୍ୟକୁ ଇତିହାସଭିତ୍ତିକ ପରସ୍ପର ସଂପର୍କଯୁକ୍ତ (context) କହିପାରିବା । ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ, ଶାନ୍ତନୁ ଆଚାର୍ଯ୍ୟ ପ୍ରମୁଖଙ୍କ ଗଳ୍ପର ପୁନଃ-ପଠନ ଏହି ଦୃଷ୍ଟିକୋଣରୁ ବିଚାର କଲେ ଆମେ ସେଇ କଥା ଭିତରୁ ଲଥା ନାମକ ସତ୍ୟଟି ଖୋଜି ପାଇବା । ଆମେ ଦେଖିପାରିବା ଆମ ଗାଳ୍ପିକମାନେ କେମିତି ଅଲକ୍ଷ୍ୟରେ ଔପନିବେଶିକ ମାନସିକ ଚାପ ପ୍ରତି ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମନ ଦେଇ ପଢ଼ିଲେ ଦେଖିପାରିବା କେମିତି ଚନ୍ଦ୍ରଶେଖର ରଥଙ୍କ ଗପଟି ପୁରାଣର । କଥନଶୈଳୀ ସ୍ମରଣ କରାଇ ଦେଉଛି । କେମିତି ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପ ଲାଗୁଛି ଆଈମା କାହାଣୀ ଶୁଣିବା ଭଳି । ମୌଳିକ ଗଢ଼ଣ ଓ କଥନ ଶୈଳୀ, କଥକର ସ୍ଵର ଓ ଛନ୍ଦ ଏବଂ ସର୍ବୋପରି ଗଳ୍ପରେ ପ୍ରତିପାଦିତ ହେଉଥିବା ସତ୍ୟ ଆମମାନଙ୍କର ସେଇ ସ୍ଵଦେଶୀ, ପରମ୍ପରାସିଦ୍ଧ କଥାବାଚନ ପରମ୍ପରା ଏବେ ବି ରହିଛି ଆମ ଗଳ୍ପରେ । ଗଛର ଆତ୍ମାଭିତରୁ ଉକୁଟି ଉଠି ଆସୁଥିବା ଏଇ ମାଟି, ପାଣି, ପବନର ନିର୍ଯାସ ପ୍ରତିରୋଧ କରୁଛି ବାହ୍ୟିକ ତତ୍ତ୍ୱଗୁଡ଼ିକର ପ୍ରଭାବକୁ । ସେଇ ସଂଘାତଭିତରୁ ନିଷ୍କର୍ଷ ହୋଇ ବାହାରି ଆସୁଛି ଏକ ନୂଆ ସ୍ୱର । ସେହି କଥା ପରିଧିଭିତରେ ଯାହା ଗ୍ରହଣୀୟ, ଗୃହୀତ ହୋଇ ଯାଉଛି । ଯାହା ଆମ ମୂଳତତ୍ତ୍ୱକୁ ଭାଙ୍ଗି ରୁଜି ଦେବାପାଇଁ ଉଦ୍ୟମ, ତା’କୁ ସେ ପରିହାର କରୁଛି ।

 

ବସ୍ତୁତଃ ଆମ ଗଳ୍ପ ସାହିତ୍ୟର ଶହେବର୍ଷର ଅନୁଭୂତି ହୁଏତ ଏୟା । ଖାଲି ଆମ ଗଳ୍ପଗୁଡ଼ିକୁ ଠିକ୍ ଭାବରେ ପଢ଼ିବାରେ ସକ୍ଷମ ହୋଇନାହିଁ । ଓଡ଼ିଆ କଥା ସାହିତ୍ୟ ପ୍ରାୟ ଅର୍ଦ୍ଧଶତାଧିକ ପ୍ରଚଣ୍ଡ ପ୍ରତିଭାଧର ସ୍ରଷ୍ଟାଙ୍କ ରଚନାରେ ସମୃଦ୍ଧ । ଯେକୌଣସି ଦେଶର ବା ଭାଷାର ସାହିତ୍ୟ ସହ ଆମ କଥାସାହିତ୍ୟ ସହଜରେ ତୁଳନୀୟ- ଏବଂ ଏକଥା ସଂକୀର୍ଣ୍ଣ, ନିକଟ ଦୃଷ୍ଟି ସଂପନ୍ନ ଆସ୍ଫାଳନ ବୋଲି ମନେ ନକରାଯାଉ ।

 

ସ୍ଵଚ୍ଛ, ସ୍ୱଦେଶୀ ମନ ଦେଇ, ସାମ୍ରାଜ୍ୟବାଦୀ ମାନସିକ ଚାପକୁ ଏଡ଼େଇ ଦେଇ ଯଦି ଆମେ ଆମ କଥା ସାହିତ୍ୟର ‘ପୁନଃ-ଅଧ୍ୟୟନ’ କରିବା, ହୁଏତ ଗଳ୍ପଗୁଡ଼ିକ ସହିତ ଆମ ଜୀବନର ନୂଆ ଅର୍ଥ ଆମେମାନେ ଖୋଜି ପାଇବା ।

 

 

‘ପ୍ରଭାମୟୀ’

ଭି-ଆଇ-ଏମ୍‍ ୩୭, ଶୈଳଶ୍ରୀ ବିହାର,

ଚନ୍ଦ୍ରଶେଖରପୁର, ଭୁବନେଶ୍ୱର – ୭୫୧୦୨୧

 

***

 

Unknown

କାହ୍ନୁଚରଣ : ଅନୁଭବ ଓ ଅଭିବ୍ୟକ୍ତି

କଇଳାଶ ପଟ୍ଟନାୟକ

 

କାହ୍ନୁଚରଣଙ୍କ (୧୯୦୬-୧୯୯୪) କଥାଯାତ୍ରା ସୁଦୀର୍ଘ

 

ଷାଠିଏ ବର୍ଷରୁ ଊର୍ଦ୍ଧ୍ଵକାଳ ଧରି ସେ ଯାତ୍ରା ମୁଗ୍ଧ କରି ରଖୁଥିଲା ଓଡ଼ିଆ ପାଠକଙ୍କୁ । ସେଇ ମୁଗ୍ଧତାର କାରଣ ନିରୂପିତ ହୋଇଛି ନାନାଭାବେ । ଏହି ପ୍ରତିଭାଦୀପ୍ତ ଯେଉଁ ସୁଦୀର୍ଘକାଳ କଥା ସାହିତ୍ୟର ରୂପକାର ସାଜିଥିଲେ ସେଇ କାଳରେ ଆସିଥିଲେ ବହୁଲେଖକ । ସ୍ମରଣୀୟ ହୋଇ ରହିଛନ୍ତି ଅଙ୍ଗୁଳିମେୟ କେଇଜଣ ମାତ୍ର । କାହ୍ନୁଚରଣଙ୍କ ଅଜସ୍ରସ୍ରାବୀ ଲେଖନୀ ସହିତ ତାଳଦେଇ କେଇଜଣବା ଆଉ ଛିଡ଼ାହୋଇ ରହିପାରିଥାନ୍ତେ ? ଏକ ଅନନ୍ୟ ସାରସ୍ୱତ ସ୍ପର୍ଦ୍ଧାରେ ନିଜପଥ ପ୍ରସ୍ତୁତ କରି ଆଗେଇଥିଲେ କାହ୍ନୁଚରଣ ।

 

କାହ୍ନୁଚରଣ କେବଳ ଜୀବନଧର୍ମୀ ବିପୁଳ ଉପନ୍ୟାସ ରଚନାକରି ସ୍ମରଣୀୟ ହୋଇନାହାଁନ୍ତି, ଉପନ୍ୟାସ-ପାଠକର ସୃଷ୍ଟିରେ ତାଙ୍କର ଭୂମିକା ତାଙ୍କୁ ଏକ ଅଭିନବ ସ୍ଥାନ ଦେଇଛି-। ଫକୀରମୋହନଙ୍କ ପରେ ଉପନ୍ୟାସ ରଚନା କରି ଉପନ୍ୟାସର ପାଠକ ସୃଷ୍ଟିକରିବାରେ କାହ୍ନୁଚରଣଙ୍କ ନାମହଁ ସ୍କର୍ତ୍ତବ୍ୟ । ଓଡ଼ିଶା ପରି ଏକ ଶିକ୍ଷା ଅନଗ୍ରସର ରାଜ୍ୟରେ ନିଜର ଆକର୍ଷକ କାହାଣୀ, ପ୍ରଭାବଶାଳୀ ଚରିତ୍ର ଓ ସରଳ ଭାଷାର ଯାଦୁସ୍ପର୍ଶରେ ଉପନ୍ୟାସର ପାଠକ ସୃଷ୍ଟିକରିବାରେ ସେ ଅତୁଳନୀୟ ।

 

ବ୍ୟକ୍ତି କାହ୍ନୁଚରଣ ମଧ୍ୟରୁ ଏ ସ୍ରଷ୍ଟା କାହ୍ନୁଚରଣର ଜନ୍ମ କିନ୍ତୁ କୌଣସି ସୁପରିକଳ୍ପିତ ଯୋଜନାରୁ ନୁହେଁ ; ଆକସ୍ମିକ । ସେଇ ଆକସ୍ମିକତାର ପୃଷ୍ଠଭୂମିରେ ଥିଲା କାହ୍ନୁଚରଣଙ୍କ ପିତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା । ପିତା ସୂର୍ଯ୍ୟମଣି ଥିଲେ ସ୍ୱାଧୀନଚେତା । ସୋନପୁର ଇଷ୍ଟେଟର ପୂର୍ତ୍ତ ବିଭାଗର ପରିଦର୍ଶକ ଥିବାବେଳେ କର୍ତ୍ତୃପକ୍ଷଙ୍କ ସହ ମତାନ୍ତର ହେତୁ ଚାକିରୀରୁ ସେ ଦେଇଥିଲେ ଦ୍ୱିତୀୟବାର ଇସ୍ତଫା । ସପରିବାର ଫେରିଥିଲେ ପୈତୃକ ଗାଁ ନାଗବାଲିକୁ । ସେ ୧୯୧୮ ମସିହାର କଥା । ଏଥର ପାଠପଢ଼ା ଶେଷହେଲା ବୋଲି ଭାବିଥିଲେ ବାରବର୍ଷର ବାଳକ କାହ୍ନୁଚରଣ । ହେଲେ ତାଙ୍କର ଯେ ଲେଖିବାର ଥିଲା ଏତେଏତେ ଉପନ୍ୟାସ । ସେ ପଢ଼ା ଛାଡ଼ିଥାନ୍ତେ ବା କେମିତି ? ନାଗବାଲିରେ ପହଞ୍ଚି, ‘ଯିଏ ଅନ୍ୟପିଲାଙ୍କ ସଙ୍ଗରେ ମିଶି ଗଛଚଢ଼ା, ମାଙ୍କଡ଼ ହୁରୁଡ଼ା, ପଙ୍କୁଆ ପୋଖରୀ ଚକଟି ମାଛଧରା, ନଈ ପୋଖରୀ ପହଁରା ଇତ୍ୟାଦି କର୍ମରେ ବିତାଉଥିଲା, ସେ ପୁଣି ଔପନ୍ୟାସିକ ହେଲା କିପରି ? ପିତାଥିଲେ ଶିକ୍ଷାମନସ୍କ । ସେ ବାରବର୍ଷର ପିଲାଟିକୁ ଏମିତି ମାଛଧରା, ମାଙ୍କଡ଼ ହୁରୁଡ଼ା ପାଇଁତ ନାଗବାଲି ଆଣି ନଥିଲେ ? ସେଇଥିଲାଗି, ନିଜପିଲାଙ୍କ ଭିତରେ ଶିକ୍ଷାର ଇନ୍ଧନ ଯୋଗାଇବାକୁ ଉଦ୍ୟମ କରିଥିଲେ ସେ । ଆଦେଶ, ନିର୍ଦ୍ଦେଶ, ଅନୁରୋଧ, ଉପରୋଧ ନୁହେଁ ପିଲାଙ୍କ ଅବବୋଧକୁ ପ୍ରସାରିତ କରିବା ଛଳରେ ସେ ଚାହିଁଥିଲେ ସେମାନଙ୍କୁ ଶିକ୍ଷାପ୍ରାଣ କରିବାକୁ । ପିଲାଏ କଟକରେ ଆର୍ଥିକ ଅନଟନରେ ପଢ଼ିଲେ । ଖର୍ଚ୍ଚ ବଢ଼ିବାରୁ ଘରକୁ ଫେରିଆସିଲେ । ବାପା ବେକାର । ବଡ଼ଭାଇର ସାମାନ୍ୟ ଅନୁଦାନ ମାତ୍ର ଭରସା । ବାପା କିନ୍ତୁ ସଂକଳ୍ପବଦ୍ଧ । ଆଉ ସେଇଥିଲାଗି ପିଲାଙ୍କୁ ଅନୁପ୍ରେରିତ କରିବାକୁ ହାତ ଆଗରେ ଥିଲା ଅନେକ ଉଦାହରଣ-। ‘ସଂଜ ବୁଡ଼ିନଥାଏ । ଆମ ଗ୍ରାମର ଗୋପାଳମାନେ କଟକରୁ ବାହୁଡ଼ି ଆସୁଥାଆନ୍ତି । କ୍ଷୀରଭାଣ୍ଡ ଖାଲି । ବନ୍ଧ ଉପରେ ସେମାନେ ଗଉଡ଼ସାହିକି ଚାଲିଗଲେ । ବାପା କହିଲେ, ଦେଖିଲ ପିଲାଏ । ତୁମେ ଦୁହେଁ କଅଣ ସେମାନଙ୍କ ଠାରୁ ହୀନ ।.... ତା’ ପରଠାରୁ ନିତି କଟକ ଯା-ଆସ । ପ୍ରାୟ ପନ୍ଦର ମାଇଲ, ଅଭ୍ୟାସ ହେଇଗଲା । ଆଉ ସେଇଯେ ପୁଣିଥରେ କଟକ ଯା-ଆସ ଆରମ୍ଭ ହୋଇଗଲା, ସେଥିରେ କଟକର ପି.ଏମ୍ ଏକାଡେମୀରୁ ମ୍ୟାଟ୍ରିକ ପଢ଼ା ସାରିଥିଲେ କାହ୍ନଚରଣ’ ।

 

ସୋନପୁର ହେଉ ବା କଟକ, ଶିକ୍ଷା ପ୍ରତ୍ୟକ୍ଷ ରୂପେ କାହ୍ନଚରଣଙ୍କୁ ଶିକ୍ଷିତ କରୁଥିଲା, ପରୋକ୍ଷ ରୂପେ ନାଗବାଲିର ସେ ମଫସଲିଆ ତରୁଣ ଭିତରେ ସୃଷ୍ଟିକରୁଥିଲା ବିଚାରବୋଧ ଓ ସ୍ୱାଭିମାନ । ସେଇଗୁଣରୁ ସ୍କୁଲଛାତ୍ରଭାବେ ପାଠପଢ଼ୁଥିବା କାହ୍ନୁଚରଣଙ୍କ ଭିତରେ ଗଳ୍ପ-ଉପନ୍ୟାସ ରଚନାର ଆକସ୍ମିକ ସଂକଳ୍ପ ଆସିଥିଲା । ତାଙ୍କରି ଭାଷାରେ, “୧୯୧୫ ସାଲର କଥା କହୁଛି । xx x ସେତେବେଳେ ମୋତେ ନଅବର୍ଷ ଚାଲୁଥିଲା । ଓଡ଼ିଆରେ ଗଳ୍ପବହି ପଢ଼ିବାକୁ ଆଗ୍ରହୀ ହୋଇଥିଲି । ବହି ମିଳିଲା ନାହିଁ । ବହିନଥିଲା । ସେହି ହତାଶା ଓ ସେହି ଗ୍ଳାନି ମୋତେ ୧୯୨୨ରେ ଗଳ୍ପ ଲେଖାଇଥିଲା । ତା’ପରେ ଉପନ୍ୟାସ । ଏବେଯାଏ ଚାଲିଛି’’ । ପୁନଶ୍ଚ, ‘‘ପ୍ୟାରୀମୋହନ ଏକାଡ଼େମୀର ଛାତ୍ରଥିବା ବେଳେ ବସାରେ ଗୋଟିଏ ମନ୍ତବ୍ୟ ମୁଁ ଶୁଣିବାକୁ ପାଉଥାଏ । ତାହା ହେଲା ଓଡ଼ିଆ ଭାଷାରେ ଉପନ୍ୟାସର ଘୋର ଅଭାବ । ପ୍ରତିବେଶୀ ସାହିତ୍ୟିକଙ୍କର ଏପରି ମନ୍ତବ୍ୟ ମୋତେ ବଡ଼ କଷ୍ଟ ଦେଇଥିଲା ଓ ସେଇ କଷ୍ଟକର ଅଭିଜ୍ଞତା ଭିତରେହିଁ ମୋର ଉପନ୍ୟାସ ରଚନାର ସଂକଳ୍ପ ଆପେଆପେ ଜନ୍ମଲାଭ କଲା” ।

 

ଓଡ଼ିଆରେ ଗଳ୍ପବହି ନପାଇ ଯେଉଁ କିଶୋର ଭିତରେ ଗ୍ଳାନିବୋଧ ସୃଷ୍ଟି ହୋଇଥିଲା, ଓଡ଼ିଆ ଭାଷାରେ ଉପନ୍ୟାସର ଘୋର ଅଭାବ ଜନିତ ମନ୍ତବ୍ୟ ତା’ ଭିତରେ ସେ ଅଭାବରୁ ଓଡ଼ିଆ ସାହିତ୍ୟକୁ ମୁକ୍ତ କରିବାର ସଂକଳ୍ପ ଜାଗ୍ରତ କରାଇଥିଲା । ଫକୀରମୋହନ, ଚିନ୍ତାମଣିଙ୍କ ଉପନ୍ୟାସ ସହିତ ସେ ପରିଚିତଥିଲେ । ନୂଆକରି ନିଜକୁ ସେଇ କଥାଯାତ୍ରାରେ ସେ ସାମିଲ କରିଦେଲେ ।

ଯେଉଁ ତରୁଣଟି ଭିତରେ ଔପନ୍ୟାସିକ ହେବାର ସଂକଳ୍ପ ଅକସ୍ମାତ୍ ଆସିଯାଇଥିଲା, ସେଇ ସଂକଳ୍ପକୁ ସେ ଜିଆଇଁ ରଖିଥିଲା ଆଉ ନିଜ ଅଲକ୍ଷ୍ୟରେ ସେଇ ସଂକଳ୍ପର ଅନୁପନ୍ଥୀ ବହୁ ଅଭିଜ୍ଞତାକୁ ସେ ଅର୍ଜନ କରିଚାଲିଥିଲା । କଥାକାର ହେବାର ଆଗ୍ରହ ଅନେକଙ୍କର ଆସେ, ସ୍ଵପ୍ନ ଦେଖନ୍ତି ଅନେକେ । ସେଇ ଆଗ୍ରହକୁ ବଞ୍ଚାଇ ରଖିବା, ପ୍ରତିକୂଳତା ସତ୍ତ୍ୱେ ସେ ସ୍ୱପ୍ନକୁ ସାକାର କରିବାର ସାମର୍ଥ୍ୟ କେତେଜଣଙ୍କର ବା ଥାଏ ?

 

କାହ୍ନୁଚରଣଙ୍କ ଭିତରେ ଥିଲା ସେଇ ସାମର୍ଥ୍ୟ ଓ ସେ କରିଥିଲେ ତା’ର ଯଥାଯଥ ଉପଯୋଗ । ସେଇ ଉପଯୋଗ ପାଇଁ ନିଜ ଅନୁଭୂତି ଓ ଅଭିଜ୍ଞତାକୁ ଉପାଦାନ କରିଛନ୍ତି ସେ । ସରକାରୀ କର୍ମଚାରୀର ବୃତ୍ତିଗତ ନିରତା ଓ ଏକମୁଖୀନତା ଭିତରେ ସୃଜନଶୀଳ ପ୍ରବୃତ୍ତିର ସ୍ପର୍ଶରେ କାହ୍ନୁଚରଣ ଆହରଣ କରିଛନ୍ତି ନାନା କଥା-ଉପାଦାନ । ସେଇ ଉପାଦାନମାନଙ୍କ ମଧ୍ୟରେ ପଲ୍ଲୀଜୀବନ ନେଇଚି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ।

 

ପଲ୍ଲୀଚିତ୍ରର ଗଭୀର ପ୍ରତିଫଳନ, କାହ୍ନୁଚରଣଙ୍କ ଉପନ୍ୟାସମାନଙ୍କର ଅପରତମ ବୈଶିଷ୍ଟ୍ୟ । ସେ ଚିତ୍ର, ପରଂପରାର ପୁଣି ପୁରୋଦୃଷ୍ଟିର । ସେ ପଲ୍ଲୀରେ ଅହଂକୃତ ଧନୀ କବିଥାଏ, ଥାଏ ସରଳ ରଇତ । ମୂଲ୍ୟବୋଧ ଆଉ ସଂସ୍କାରର ଦ୍ଵନ୍ଦରେ ଛାଇ ଯାଇଥାଏ ଉପନ୍ୟାସର ପୃଷ୍ଠାମାନ । ସାମାଜିକ ବ୍ୟବସ୍ଥା ଓ ସେ ବ୍ୟବସ୍ଥାର ବ୍ୟବଚ୍ଛେଦରେ କାହ୍ନୁଚରଣ ସାଜନ୍ତି ସୂକ୍ଷ୍ମଦର୍ଶୀ । ଧର୍ମ, ଜାତି, ବିଧିବିଧାନର ସେ କରିବସନ୍ତି ନୂଆ ବ୍ୟାଖ୍ୟା । ପଲ୍ଲୀର ମାଟି ପାଣିରେ, ପାପ ପୁଣ୍ୟରେ, ଶଂକା ଓ ସ୍ଵପ୍ନରେ କେତେ କାହାଣୀ ନିର୍ମାଣି ଥାନ୍ତି ସେ । କେତେ ଧୂଳିଆ ମଳିଆ ଚରିତ୍ରଙ୍କୁ ତିଆରି ଥାନ୍ତି ସେ । କେତେ ସହଜରେ ସେମାନଙ୍କ ମୁହଁରେ ଭାଷା ଦେଇଥାନ୍ତି ସେ । ସେ ସବୁର ସାକ୍ଷୀତ ଦୁନିଆର ଦାଉ, ହାଅନ୍ନ, ଉଦଣ୍ଡୀ, ଅଦେଖାହାତ, ତୁଣ୍ଡବାଇଦ କି ଶାସ୍ତି ! ! ଏ ସକଳ ଚିତ୍ର, ଚରିତ୍ର ଓ ଚିନ୍ତନର ଅନ୍ତରାଳରେ ରହିଛି ତାଙ୍କର ବାଲ୍ୟ-କୈଶୋରର ଅନୁଭବ । ସ୍କୁଲଖର୍ଚ୍ଚ କମେଇବାକୁ ହଷ୍ଟେଲରେ ନରହି ଅଧିକତର ସମୟ ଗାଁରେ ରହୁଥାନ୍ତି କାହ୍ନୁଚରଣ ଓ ଗୋପୀନାଥ ଦୁଇଭାଇ । ସେ ସମୟର ଅନୁଭବ ଓ ପର୍ଯ୍ୟବେକ୍ଷଣର ଭୂମିକା କାହ୍ନୁଚରଣଙ୍କ ଭାଷାରେ, ଗାଁର ବସ୍ତି, ଗହୀର, ତୋଟାମାଳବୁଲି, ଗ୍ରାମର ବିଭିନ୍ନ ଲୋକଙ୍କ ସଙ୍ଗେମିଶି, ବହୁ ବାଞ୍ଛିତ, ଅବାଞ୍ଚିତ ଲୋକଙ୍କ ଅତୀତ ଓ ଚଳନ୍ତିଜୀବନ ବିଷୟରେ ଚର୍ଚ୍ଚାକରି ସମୟ କଟିଲା । ଯେଉଁ ମୂଲ୍ୟବାନ ସମୟ ବୃଥାରେ କଟିଲାବୋଲି ସେତେବେଳେ ମନେହେଉଥିଲା, ପର-ଜୀବନରେ ମୁଁ ଅନୁଭବକଲି, ସେହି ସମୟ ଏବଂ ସେହିପରି ବହୁ ତଥାକଥିତ ବେକାର-ଜୀବନର-ଅଳସ ସମୟର ଅନୁଭୂତିର ମୂଲ୍ୟ ଅନ୍ତତଃ ଲେଖକ-ଗୋଷ୍ଠୀର ଭାବପ୍ରବଣ ଆବେଗଭରା ମୁହୂର୍ତ୍ତରେ ଅତୁଳନୀୟ I x x x ମୋର ବିଭିନ୍ନ ଗଳ୍ପ ଉପନ୍ୟାସରେ ତାହାହିଁ ହୋଇଛି ।

 

ବୟସ ବଢ଼ିବା ସହିତ ବଢ଼ିଚି କାହ୍ନୁଚରଣଙ୍କ ଅଭିଜ୍ଞତା ଓ ଅନୁଶୀଳନ ଶକ୍ତି । ଉପନ୍ୟାସ ପାଇଁ ନୂଆକଥାଉପାଦାନ ଭାବେ କେତେ ଧରଣର ଭାବବସ୍ତୁକୁ ସେ ଗ୍ରହଣ କରିଛନ୍ତି । ବୃତ୍ତିଗତ କାରଣରୁ ଯେଉଁ ସ୍ଥାନକୁ ସେ ଯାଇଛନ୍ତି, ନିଜ ଉପନ୍ୟାସ ପାଇଁ ସେଠୁ ଅନୁକୂଳ କାହାଣୀ ବାଛିନେଇଛନ୍ତି । ଢେଙ୍କାନାଳରେ ଥିବାବେଳେ ‘ବାଲିରାଜା’ ଉପନ୍ୟାସର ପରିଣତିର ରୂପାୟନ କରୁ କରୁ ସମାନ୍ତରାଳଭାବେ ‘ସ୍ଵପ୍ନ ନା ସତ୍ୟ ? ଉପନ୍ୟାସ ପାଇଁ ଉପାଦାନ ସଂଗ୍ରହ କରୁଥିଲେ । ଢେଙ୍କାନାଳ ବ୍ୟତୀତ ଆଉବା କେଉଁ ସ୍ଥାନ ଗଡ଼ଜାତୀ ଅତ୍ୟାଚାର ଓ ପ୍ରଜାଆନ୍ଦୋଳନ ଭିତ୍ତିକ ଉପାଦାନ ପାଇଁ ଅଧିକ ଉପଯୁକ୍ତ କ୍ଷେତ୍ର ହୋଇଥାନ୍ତା ? ବାଲିରାଜାର ପରବର୍ତ୍ତୀ ଏକ ସଂସ୍କରଣର ‘ଏକୋଇଶବର୍ଷପରେ’ ଶୀର୍ଷକୀୟ ମୁଖବନ୍ଧରେ ଏ ସୂତ୍ର ଜଣାଇଛନ୍ତି କାହ୍ମଚରଣ । ଗୋଟିଏ ଉପନ୍ୟାସ ନ ସରୁଣୁ ଅନ୍ୟଏକ ଉପନ୍ୟାସ ପାଇଁ ତଥ୍ୟ ସଂଗ୍ରହ ବାସ୍ତବିକ କୌତୁହଳପ୍ରଦ ମନେହେବ । ମାତ୍ର ଏହାଥିଲା କାହ୍ନୁଚରଣଙ୍କ ଅଭ୍ୟାସ । ତେଣୁ ବାଲିଜାପରି ଓଡ଼ିଆର ସ୍ୱାଭିମାନ ଚିତ୍ରର ପରିଣତି ଉତ୍କୀର୍ଣ୍ଣ କରିବା ଅବସରରେ ସେଇ ଓଡ଼ିଆ ସାଧାରଣଙ୍କ ପ୍ରତି ଗଡ଼ଜାତୀ ପ୍ରଶାସକଙ୍କ ଅତୀତ-ଅତ୍ୟାଚାର ତାଙ୍କୁ ଅବଶ୍ୟ ଭାବିତ କରିଥିବା ଓ ସେଇ ଭାବନାର କଳାରୂପ ଭାବେ ଆସିବ ‘ସ୍ଵପ୍ନ ନା ସତ୍ୟ ।

 

ଉପନ୍ୟାସ ରଚନାରେ ବୃଦ୍ଧି ଓ ଅନୁଭୂତି ସମାନଭାବେ କାହ୍ନୁଚରଣଙ୍କ ସହାୟକ ସାଜିଛନ୍ତି-। ୧୯୩୩ ମସିହାରେ ‘ହାଅନ୍ନ’ର ପରିକଳ୍ପନା ତାଙ୍କୁ ଗ୍ରାସ କରିଥିଲା । ସେତେବେଳେ ସେ କଟକର ସୁପରିଂଟେଣ୍ଡି ଇଞ୍ଜିନିୟରଙ୍କ ଅଫିସରେ କିରାଣି । ଦିନେ ପୁରୁଣା ଫାଇଲପତ୍ର ଭିତରୁ ସେ ପାଇଥିଲେ ହାତଲେଖା ଇଂରାଜୀ ପତ୍ରଟିଏ । ୧୮୬୭ ସାଲରେ ସେ ଚିଠିଟି ବାଲେଶ୍ଵର ଜିଲ୍ଲାର ତତ୍‍କାଳୀନ କଲେକ୍ଟର ବନ୍ଧବାଡ଼ ଇଲାକାର ସୁପରିଂଣ୍ଟଣ୍ଡେଣ୍ଟଙ୍କ ପାଖକୁ ଅର୍ଥାତ୍ ଓଡ଼ିଶା ଡିଭିଜନର କମିଶନରଙ୍କ ପାଖକୁ ଦୁର୍ଭିକ୍ଷର କରାଳଚିତ୍ର ପ୍ରଦାନ କରି ଲେଖାଯାଇଥିଲା । ଦୁର୍ଭିକ୍ଷ ନିୟନ୍ତ୍ରଣ ପାଇଁ ସେଥିରେ ମଧ୍ୟ ଥିଲା ଅନେକ ପରାମର୍ଶ । କିରାଣି କାହ୍ନଚରଣଙ୍କ ଭିତରର ସ୍ରଷ୍ଟାପ୍ରାଣ ଆକୁଳିତ ହୋଇଉଠିଲା । ଅଧିକ ତଥ୍ୟ ସଂଗ୍ରହ ପାଇଁ ସେ କମିଶନରଙ୍କ ଅଫିସକୁ ଯାଇ ପୁରୁଣା ରେକର୍ଡ଼ ଘାଣ୍ଟି ଫେମିନ କମିଶନରଙ୍କ ତିନିଖଣ୍ଡିଆ ରିପୋର୍ଟ ପଢ଼ି ୬୭ ବର୍ଷତଳର ଦୁର୍ଭିକ୍ଷର ଅବସ୍ଥାକୁ ଓ ତା’ର କରାଳତାକୁ ଟିପିବାକୁ ଆରମ୍ଭ କରିଥିଲେ । ୟେତ ଥିଲା ପଞ୍ଜର, ୟାକୁ ନେଇତ ଆଉ ଉପନ୍ୟାସ କରିହେବ ନାହିଁ । ଏଇ ଆକୃତିରେ ରୂପଦେବାକୁ ଲୋଡ଼ା ଉପଯୁକ୍ତ ମନନ । ସେଇ ମନନସଜଳ କରି ପୁଣିଥରେ ଉପସ୍ଥାପିତ କରିଥିଲା ୧୯୧୫-୧୬ରେ ନିଜ ବାଲ୍ୟକାଳରେ ଅନୁଭବ କରିଥିବା ଦୁର୍ଭିକ୍ଷର ଭୟାନକତା । ପଞ୍ଜରରେ ରୂପଦାନ ଆଉ ଜଟିଳ ହୋଇ ରହିଲା ନାହିଁ-। ବ୍ୟକ୍ତି ଅନୁଭୁତିର ଲେପରେ ସାକାର ହେଉଉଠିଲା ନଅଙ୍କର ଦିନସବୁ । ୬୭ ବର୍ଷ ତଳର ଦୁର୍ଭୋଗ ଅନୁଭୂତିରେ ଜୀବନ୍ତ ହୋଇଉଠିଲା ହା ଅନ୍ନର ପୃଷ୍ଠାସବୁ । ସୋନପୁରରେ କାଙ୍ଗାଳମାନଙ୍କ ‘ମୁଠିଏ ଦିଅ’ର ଡାକ ପ୍ରତିଫଳିତ କଲା ସ୍ରଷ୍ଟା ଭିତରେ ଶତଷଠି-ଅଠଷଠି ବର୍ଷ ତଳର ‘ହା ଅନ୍ନ’ର ଚିତ୍କାରରେ । ସୋନପୁରର ସେ ଅନୁଭୂତି, ‘ହାଡ଼ମାଳ ଦରଲଙ୍ଗଳା ଦେହ, କୋରଡ଼ ଆଖି, ଫୁର୍‍ଫୁର୍ ବାଳ, ଟଳମଳ ଚାଲି, ଆଉ ମୁଠିଏ ଦିଅ ବୋଲି କ୍ଷୀଣ କରୁଣ କୋଳାହଳ । ବାଟଘାଟରେ ମୁହଁଚିହ୍ନା ଅଜଣା କାଙ୍ଗାଳମାନଙ୍କର ମଲାଦେହ’’ ସଂପ୍ରସାରିତ ହୋଇ ‘ହାଅନ୍ନ’କୁ କଲା ରୁଦ୍ର ସୁନ୍ଦର । ଫେମିନ ରିପୋର୍ଟ ଓ ସୋନପୁର ଅନୁଭୂତିଗତ ବାସ୍ତବତା କଳାରେ ହୋଇଚି ଦୂରନ୍ତ ପ୍ରଭାବଶାଳୀ । ବ୍ୟକ୍ତି ମଣିଷର ସଂଗୃହୀତ ତଥ୍ୟ ଓ ଅନୁଭୂତି ସ୍ରଷ୍ଟାର ପ୍ରତିଭା ସମନ୍ୱୟରେ ସୃଷ୍ଟିକୁ କରିଚି ଅବିସ୍ମରଣୀୟ ।

 

ବଜ୍ରବାହୁର ରଢ଼ଙ୍ଗ ଜମିଦାର ଅଭିନବ ରଣସିଂହଙ୍କ ପୁଅ ସୁବ୍ରତ ଓ ସୁରତଙ୍କ ସୃଷ୍ଟି ଅନ୍ତରାଳରେ ସେହିପରି ରହିଚି ବଣେଇଗଡ଼ ରାଜାଙ୍କ ଦି’ ଭାଇଙ୍କ ସ୍ମୃତି । କାହ୍ନୁଚରଣ ସେତେବେଳେ ସୁନ୍ଦରଗଡ଼ର ଏ.ଡି.ଏମ୍ ଭାବେ କାର୍ଯ୍ୟରତ । ବୃତ୍ତିଗତ କାରଣରୁ ବଣାଇଗଡ଼ ଯାଇ ନିଜ ଉପନ୍ୟାସ ପାଇଁ ଉପାଦାନ ପାଇଛନ୍ତି ସେ ।’’ କ୍ଷମତା ଓ ପ୍ରତିପତ୍ତିର ଅବର୍ତ୍ତମାନରେ ଅନୁଭବ କରିଛନ୍ତି ରାଜକୀୟ ଚରିତ୍ରମାନଙ୍କୁ । ଭେଟିଚନ୍ତି ‘ଫୁଲଯାନୀ’ମାନଙ୍କୁ, ସୁବ୍ରତ ଓ ସୁରତମାନଙ୍କୁ । ବଣେଇର କୁଲିପୋଶ ଜଳଯୋଜନ ଭିତରେ ହୁଏତ ସେ ଖୋଜିପାଇଛନ୍ତି ଲକ୍ଷଲକ୍ଷ ମଣିଷର ଶ୍ରମର ସଫଳତାକୁ । ‘ବଜ୍ରବାହୁ’ରେ ଶ୍ରମର ଜୟଗାନ ତେଣୁ ହୋଇଛି ବହୁଭାବେ । ସୁବ୍ରତ ପରି ଜମିଦାରପୁତ୍ର ଡେପୁଟି ଚାକିରି ବଦଳରେ କିରାଣି ଚାକିରି ପାଇ ଅସୁଖୀ । ସେ ଚାକିରିର ମୋହ ପରିତ୍ୟାଗ କରି ସାନଭାଇ ପରି ଆଦର୍ଶବାନ୍ ହୋଇ ଅରଣ୍ୟର ଜଳସେଚନ ଯୋଜନାରେ ମୂଲିଆଙ୍କ ସହ ଏକ ହୋଇ କାମ କରିଛି । ବ୍ୟକ୍ତି ଏ.ଡି.ଏମ୍ କାହ୍ନୁଚରଣଙ୍କୁ ଅନୁଭୂତି ସ୍ରଷ୍ଟା କାହ୍ନଚରଣର ଆଦର୍ଶ ଦୃଷ୍ଟିରେ ହୋଇଛି ଗଭୀର ପ୍ରଭାବଶାଳୀ । ସୁବ୍ରତର ମୁହଁରେ ସେ ଆଦର୍ଶ : ‘ମୋର ଦୁଇ ବାହୁ ବଜ୍ରହେଉ, ସେହି ଦୁଇ ବାହୁର ଶକ୍ତି ଦେଶର ଅଶୀକୋଟି ବାହୁରେ ସଞ୍ଚରୁ ଧର୍ମାନନ୍ଦ । ତାଆରି ଶକ୍ତିରେ ପର୍ବତ ଟଳୁ, ନଦୀ ଅଟକୁ, ସମୁଦ୍ର ପଛେଇ ଯାଉ, ଦେଶର ଦାରିଦ୍ର୍ୟ ହେଉ ଲୁପ୍ତ । ସ୍ଵର୍ଗର ସୁଖ, ଆନନ୍ଦ ଟାଣିହେଇ ଆସୁ ।

 

ଅନିମା, ଅମିୟ ମଣ୍ଡଳ, କମାଳାଦେବୀ, ଗାୟତ୍ରୀ କି ସାଧନ ସନ୍ନ୍ୟାସୀ ପରି ‘ତମସାତୀରେ’ର ଚରିତ୍ରମାନଙ୍କୁ କାହ୍ନୁଚରଣ ଅନୁଭବ କରିଛନ୍ତି ଦଣ୍ଡକାରଣ୍ୟ ପ୍ରୋଜେକ୍ଟର Land Organisation ରେ କାମ କରିବା ଅବସ୍ଥାରେ । ଗୋଟିଏ ସ୍ଥାନର ଲୋକେ ବାସ୍ତୁହରା ହୋଇ ଯେତେବେଳେ ଅନ୍ୟସ୍ଥାନରେ ବାସ କରନ୍ତି ସେମାନଙ୍କ ସହିତ ଆସିଥାଏ ସେମାନଙ୍କ ଭାଷା, ସାଂସ୍କୃତିକ ଚଳଣି, ଖାଦ୍ୟରୁଚି, ଆଦିସହ ଜାତୀୟ ସ୍ଵାଭିମାନ । ଆଗତ ଏଇ ମଣିଷମାନଙ୍କ ସହିତ ସ୍ଥାନୀୟ ଅଧିବାସୀଙ୍କ ସହାବସ୍ଥାନ ଓ ତତ୍‌ଜନିତ ସମସ୍ୟା ‘ତମସାତୀରେ’ର କଥାବସ୍ତୁ ସାଜିଛି । ତା’ ସହିତ ବସ୍ତରରାଜ୍ୟର ରାଜା ଦି’ଭାଇଙ୍କ ମନୋମାଳିନ୍ୟ ଏ ଓଡ଼ିଶାରାଜ୍ୟକୁ ଯେ ମଧ୍ୟପ୍ରଦେଶରେ ସାମିଲ କରିଥିଲା, ତା’ ମଧ୍ୟ ଉପାଦାନ ହୋଇଛି ଉପନ୍ୟାସର ।’’ ଓଡ଼ିଆ ଜାତିର ମହତ୍ତ୍ୱ, ଓଡ଼ିଆ ସଂସ୍କୃତିର ସ୍ଵାତନ୍ତ୍ର୍ୟକୁ ପୁନଃପ୍ରକାଶ କରିବାଲାଗି କାହ୍ନୁଚରଣ ପାଇଛନ୍ତି ଏଥିରେ ଅପରିସୀମ ସୁଯୋଗ । କାହାଣୀର ଛଦେଛନ୍ଦେ ସ୍ରଷ୍ଟାର ଆଦର୍ଶ ଗୁଂଜିତ ହେଇପାରିଛି । କେତେ ସରକାରୀ କର୍ମଚାରୀ ଦଣ୍ଡକାରଣ୍ୟ ପ୍ରୋଜେକ୍ଟର କେତେକେତେ ବିଭାଗରେ କାମ, କରୁଛନ୍ତି । ଅନିମା ପରି ଚରିତ୍ର, ତା’ର ହସକାନ୍ଦର ପୃଥିବୀକୁ ସହର୍ମିତାରେ କିଏବା ବୁଝିଛନ୍ତି ? କିଏବା ତାକୁ ଶିଳ୍ପାୟିତ କରୁଛନ୍ତି ? ? କାହ୍ନୁଚରଣଙ୍କ ପରି ସ୍ରଷ୍ଟା-ମଣିଷମାନେ ସିନା ଖାଲି ପାଇଥାନ୍ତି ଏଇ ସମମର୍ମିତା ।

 

କାହ୍ନୁଚରଣଙ୍କ ଉପନ୍ୟାସମାନଙ୍କରେ ଯାହା ବି ଶେଷ ତାତ୍ପର୍ଯ୍ୟପୂର୍ଣ୍ଣ, ତାହାହେଉଛି ନାରୀଚରିତ୍ର ଚିତ୍ରଣରେ ଆନ୍ତରିକତା । ନାରୀ ଚରିତ୍ର ଚିତ୍ରଣରେ କାହ୍ନୁଚରଣଙ୍କ ଶିଳ୍ପୀ ବ୍ୟକ୍ତିତ୍ଵର ଉତ୍କର୍ଷ ଅବିସମ୍ବାଦିତ । ନାରୀ ଚରିତ୍ରମାନଙ୍କର ଦୁଃଖଦୁର୍ଦ୍ଦଶା ପ୍ରତି ଆନ୍ତରିକ ସହାନୁଭୂତି ଓ ସେମାନଙ୍କ ସ୍ୱାଭିମାନ ରକ୍ଷାଲାଗି ଅନାବିଳ ଆଗ୍ରହ କାହ୍ନୁଚରଣଙ୍କ ଉପନ୍ୟାସମାନଙ୍କରେ ସୃଷ୍ଟ । ଏଇ ବିଶେଷ ଲକ୍ଷଣପାଇଁ ସେ ବାରିହୋଇ ପଡ଼ନ୍ତି । ଏ ମନୋବୃତ୍ତି ତାଙ୍କର ଏତେ ପ୍ରଖର ଯେ ତାଙ୍କର ପ୍ରାୟ ସମସ୍ତ ଉପନ୍ୟାସର ଏହା ଏକ ମୌଳ କଥାସାର ଭାବେ କାର୍ଯ୍ୟ କରିଛି । ସ୍ୱାମୀହରା ତୁଳସୀର ସାମାଜିକ ଓ ବ୍ୟକ୍ତିକ ସଂକଟ ତଥା ଆତ୍ମନିଷ୍ଠା ‘ତୁଣ୍ଡବାଇଦ’ର ମୌଳସ୍ୱର ସାଜିଛି । କାହାରି କୁତ୍ସାରଟନାରେ, କଳଙ୍କିତ କରିବାର ଅପଚେଷ୍ଟାରେ ଏ ନାରୀ ଭାଙ୍ଗିପଡ଼େ ନାହିଁ । ସାମାଜିକ କଲ୍ୟାଣ ଓ ପାରମ୍ପରିକ ନିୟମର ଦ୍ଵାହିଦେଇ ନାରୀକୁ ଯେଉଁ ଶାରୀରିକ ଓ ବୌଦ୍ଧିକ ନିର୍ଯାତନାର ଶିକାର ହେବାକୁ ପଡ଼େ ଏଇ ପୁରୁଷପ୍ରଧାନ ସମାଜରେ, ତା’ର ବିପୁଳାୟତନ ଚିତ୍ର କାହ୍ନୁଚରଣ ଦେଇଛନ୍ତି ତାଙ୍କର ବିବିଧ ଉପନ୍ୟାସରେ । ଦୁର୍ଘଟଣାବଶତଃ ସ୍ତ୍ରୀ ପେଚି ଛୋଟୀ ହୋଇଯିବାରୁ ‘ଏପାରି ସେପାରିରେ‘ ସ୍ୱାମୀ ତା’ର ଆଉତାକୁ ଘରକୁ ଫେରାଇ ନଆଣିବା ଏଭଳି ଏକଚିତ୍ର । ନାରୀର ନାନାବିଧ ରୂପଗଢ଼ିବାରେ କାହ୍ନୁଚରଣ ସିଦ୍ଧହସ୍ତ ବିଶ୍ଵକର୍ମା । ସେଇଥିଲାଗି ରମାପରି ଗୃହଲକ୍ଷ୍ମୀ ସହିତ ଶୋଭାବତୀ ପରି ବିଟପୀ ଏକତ୍ର ଚିତ୍ରିତ ‘ଢେଉ ଢେଉକାରେ । ଟିଭା ପରି ସ୍ଵାମୀ ସ୍ନେହହରା ବିତାଡ଼ିତା ଦରିଦ୍ର ସ୍ତ୍ରୀଟି ନିଶାସକ୍ତ, ରୋଗାକ୍ରାନ୍ତ ସ୍ୱାମୀ ଝରିଆର ସେବାଯତ୍ନରେ ତତ୍ପର ହେଉଚି ‘କ୍ଷଣକ୍ଷଣକେ ଆନ’ ପରି ଉପନ୍ୟାସରେ । ‘ସତ୍ୟବତୀ’ର ଅତ୍ରିକା, ମରାଳିକା, ନିଷାଦିମାତା, ପାଣ୍ଡୁରା ପରି ନାରୀ ଚରିତ୍ରମାନେ କେତେ ଜୀବନ୍ତ ! ନାରୀ ଚରିତ୍ରର ଚିତ୍ରଣରେ କାହ୍ମୁଚରଣ ସବୁବେଳେ ମଳିନତା ସହ ଉଜ୍ଵଳତାକୁ ଦେଖାଇ ଉଜ୍ଜଳତାର ବନ୍ଦନା କରିଛନ୍ତି । ନାରୀଜାତିର ଏଇ ଉଜ୍ଜ୍ଵଳ ଭାବରୂପ ପିଲାଟିବେଳରୁ ମା’ଙ୍କ ମାଧ୍ୟମରେ କାହ୍ନୁଚରଣଙ୍କ ଅବଚେତନରେ ରହିଯାଇ ପରବର୍ତ୍ତୀ ସମୟରେ ଉତ୍ତରୋତ୍ତର ସମୃଦ୍ଧ ହୋଇ ସଞ୍ଚରିତ ହୋଇଛି ଉପନ୍ୟାସ ମାନଙ୍କରେ । କାହ୍ନୁଚରଣଙ୍କ ସ୍ଵୀକାରୋକ୍ତି : ନାରୀ ହେଉଛି ସେବା, କରୁଣା ଓ ତ୍ୟାଗର ପ୍ରତୀକ । ଆଜୀବନ ସେ କେବଳ ଏହି ଆଦର୍ଶରେ ହିଁ ଜୀବନ ଜିଇଁଥାଏ । ସେ ଯେତେ ଦୁର୍ବଳ ଓ ଅସହାୟ ହେଉନା କାହିଁକି । ତେଣୁ ମୋ ମନ ଭିତରେ ନାରୀ ପ୍ରତି ଏକ ସ୍ୱତନ୍ତ୍ର ସମ୍ମାନବୋଧ ରହିଛି । ପିଲାଦିନେ ମୋ ବୋଉଥିଲା ମୋ ଆଦର୍ଶ । ତା’ର ନିଃସ୍ୱାର୍ଥପର ଜୀବନ ମୋତେ ବହୁବାର ମୁଗ୍ଧ କରିଛି । ବିଚଳିତ କରିଛି । ବାପା ଦୂରରେ ଥାଇ ଟଙ୍କା ପଠେଇ ଦେଉଥିଲେ ସିନା ବୋଉହଁ ଆମକୁ ପ୍ରକୃତରେ ପାଳୁଥିଲା । ଆମକୁ ମଣିଷ କରି ଗଢ଼ିତୋଳିବା ପାଇଁ ପ୍ରାଣାନ୍ତକ ଉଦ୍ୟମ କରୁଥିଲା । କୈଶୋର ଓ ଶୈଶବର ବହୁ ସ୍ମୃତି ଏମିତି ରହିଛି ଯାହା ମୋ’ ବୋଉର ସାନିଧ୍ୟ ସହ ସଂପର୍କିତ । ପରବର୍ତ୍ତୀ ସମୟରେ ମଧ୍ୟ ମୋତେ ଭାରତୀୟ ନାରୀଚରିତ୍ରର ବିଭିନ୍ନ ଦିଗ ମୁଗ୍ଧକରିଛି ।’’ ସେଇଥିଲାଗି ତାଙ୍କୁ ନାରୀ ଚରିତ୍ରମାନ ଉଜ୍ଜ୍ଵଳ ଓ ମଙ୍ଗଳମୟ । ସାମାଜିକ ଅନୁଦାର ଦୃଷ୍ଟିର ମୁକାବିଲା ପାଇଁ କାହ୍ନୁଚରଣ ନିଜ ଉପନ୍ୟାସମାନଙ୍କରେ ନାରୀକୁ ସବୁବେଳେ ଦେଇଆସିଛନ୍ତି ଭରସା ଓ ସାହସ । ଅଭିନେତ୍ରୀ’ର ପ୍ରୀତିଦେବୀ କି ‘ଝଂଝା’ର କ୍ଷଣପ୍ରଭା ଏଇ ମନୋଭାବର ସାକାର-ରୂପ; ଯେଉଁମାନେ ସାମାଜିକ ବୈଷମ୍ୟ ଦୃଷ୍ଟି ବିରୁଦ୍ଧରେ ଟାଣହେଇ ଛିଡ଼ାହେବାର ଆତ୍ମବିଶ୍ୱାସ ରଖନ୍ତି କିନ୍ତୁ ସେଇ ଭରସା, ସେଇ ସାହସରେ ଇଚ୍ଛାଥିଲେବି ଅଭିମନ୍ତ୍ରିତ ହେବାର ଅନୁକୂଳ ମନୋଭୂମି ସମସ୍ତଙ୍କରତ ନଥାଏ ! ସେଇଥିଲାଗିତ ବିଧବାମାନଙ୍କ ସଂପର୍କିତ ନିୟମକାନୁନ ବିରୁଦ୍ଧରେ ‘ଶାସ୍ତି’ରେ ଧୋବୀମନରେ ବିରୋଧ ଉଠିଛି, ‘ବିଦ୍ରୋହ କରିବାକୁ ଧୋବୀର ମନ ଝଗଡ଼ି ଉଠିଲା । ପୁରୁଣା ସଂସ୍କାରକୁ ଗୋଡ଼ରେ ଦଳି ଆଗକୁ ଚାଲିବାକୁ ତା’ର ଇଚ୍ଛାହେଲା । କିନ୍ତୁ ଏହି ଜଟିଳ ହିନ୍ଦୁ ସମାଜରେ ଜଟିଳ ସାମାଜିକ ନିୟମ ଓ ପ୍ରଥାର ବନ୍ଧନୀ ଭିତରେ ସବୁ ବିଦ୍ରୋହ ଛପିଯିବ । ଉତ୍ତେଜନାର ନିଆଁ ଆପେଆପେ ଲିଭିଯିବ । ପୁରୁଣା ରକ୍ଷଣଶୀଳତା ପୁଣି ତା’ର କାୟାମେଲାଇ ବସିବ ।” ଏଇ ଦ୍ୱନ୍ଦ୍ୱଭିତରେ ଧୋବୀପରି କେତେ ନାରୀ ସନ୍ତାପିତ ହେଉଛନ୍ତି ! !

 

ସ୍ରଷ୍ଟାର ଜୀବନ ନାନାଭାବେ ତା’ର ସାହିତ୍ୟରେ ପ୍ରତିଫଳିତ ହୁଏ । ଜୀବନରୁ ଯେଉଁ ଅନୁଭବ ସ୍ରଷ୍ଟାପାଏ, ତାହା ତା’ର ସାହିତ୍ୟାଦର୍ଶକୁ ବହୁଭାବେ ଗଠିତ କରେ । ଜୀବନ ଓ ସାହିତ୍ୟର ଏ ନିବିଡ଼ ସଂପୃକ୍ତିରୁ ନାନା ସାହିତ୍ୟତତ୍ତ୍ଵ ନିଜର ଉପାଦାନ ଖୋଜି ପାଇଛନ୍ତି । Biographical approach ମାଧ୍ୟମରେ ସ୍ରଷ୍ଟା ମଣିଷର ଜୀବନ ସହ ତା’ର । ସାହିତ୍ୟକୃତିର ସଂପର୍କର ଅନୁଶୀଳନ କରାଯାଉଥିବାବେଳେ, ସ୍ରଷ୍ଟା ମଣିଷର ଜୀବନ ଓ ସୃଜନଗତ ପାର୍ଥକ୍ୟ ଅନେକଙ୍କ ସମାଲୋଚନାକୁ ସକ୍ରିୟ କରିଥାଏ । ଏସବୁ ମାଧ୍ୟମରେ ଗୋଟିଏ ସତ୍ୟ ଉକୁଟି ଉଠେ-ସାହିତ୍ୟର ନିବିଡ଼ ଅଧ୍ୟୟନରୁ ଲେଖକର ବ୍ୟକ୍ତିଜୀବନର ଆବିଷ୍କାରର ନାନାସୂତ୍ର ମିଳିଥାଏ । ସେଇ ସୂତ୍ରକୁ ଅଧିକତର ବଳିଷ୍ଠ ଓ ପୁଷ୍ଟ କରାଯାଇପାରେ ଆନୁଷଙ୍ଗିକ ଲେଖା, ସାକ୍ଷାତ୍‌କାର, ଅପରାପର ସମକାଳୀନ ବ୍ୟକ୍ତିମାନଙ୍କ ସ୍ମୃତିଚାରଣ ଆଦି ଆଦିରୁ । କାହ୍ନୁଚରଣଙ୍କ ଜୀବନ ପ୍ରସଙ୍ଗର ପର୍ଯ୍ୟାଲୋଚନାରେ ତାଙ୍କର ଅନୁଭବ କିପରି ତାଙ୍କ ଅଭିବ୍ୟକ୍ତିକୁ ସରସ ସଜୀବ କରିଛି, ତାହା ସ୍ପଷ୍ଟହୁଏ ।

 

ସହାୟକ ଗ୍ରନ୍ଥସୂଚୀ

୧.

ପ୍ରଥମ ରଚନା ଅପ୍ରକାଶିତ ଉତ୍ସବେବ୍ୟସନେ’ର ରଚନାକାଳ- ୧୯୨୩-୨୪, ‘ତଥାସ୍ତୁ’ର ରଚନାକାଳ - ୧୯୨୪-୨୭, ପ୍ରକାଶକାଳ-୧୯୩୬; ଶେଷ ଉପନ୍ୟାସ ‘ଯକ୍ଷ’ର ରଚନା ଓ ପ୍ରକାଶକାଳ- ୧୯୮୫ ।

୨.

କାହ୍ନୁଚରଣ ଉପନ୍ୟାସ ସାହିତ୍ୟ, ଉପନ୍ୟାସ ସାହିତ୍ୟ ପରିଚୟ, କଟକ, ୧୯୬୯,

୩.

କାହ୍ମଚରଣ- ଇଚ୍ଛାନୁସାରେ ଗୋପୀନାଥ ବିଶେଷାଙ୍କ, ନବପତ୍ର, ରାଉରକେଲା, ପ୍ରକାଶକାଳ ଅମୁଦ୍ରିତ, ପୃ-୩୬

୪.

ପୃ.୨୭

୫.

ଅନୁଭୂତିହଁ ମୋ ସାହିତ୍ୟର ଉତ୍ସପ୍ରେରଣା, କାହ୍ନୁଚରଣଙ୍କ ସହ ବିଜୟାନନ୍ଦ ସିଂହଙ୍କ ସାକ୍ଷାତ୍‌କାର, ରବିବାର ସଂବାଦ, ଅଗଷ୍ଟ-୬-୧୨, ଭୁବନେଶ୍ୱର, ୧୯୮୯,

୬.

ଇଚ୍ଛାନୁସାରେ, ପୃ-୩୫

୭ .

‘ମୁଁ ନିୟମ କରିଥିଲି, ଯେଉଁଦିନ ଗୋଟିଏ ଉପନ୍ୟାସ ସରିବ, ସେହିଦିନ ଆଉଗୋଟିଏ ନିଶ୍ଚୟ ଆରମ୍ଭ ହେବ । କ’ଣ ଆରମ୍ଭ କରିବି ମୁଁ ଆଗରୁ ସ୍ଥିର କରିସାରିଥାଏ । ସିନୋପସିସ ଲେଖି ସାରିଥାଏ, ଚ୍ୟାପ୍‍ଟରର ଇଙ୍ଗିତବି । ଲେଖୁଲେଖୁ ଅବଶ୍ୟ ବହୁପରିବର୍ତ୍ତନ ହୁଏ । ଏ ନିୟମ ବହୁବର୍ଷଯାଏ ମୁଁ ପାଳନ କରିଥିଲି ।’ - ଇଚ୍ଛାନୁସାରେ, ପୃ-୩୮

୮.

କାହ୍ନଚରଣ- କାହ୍ନୁଚରଣଙ୍କ ଆତ୍ମଚେତନାର ଏକ ଝଲକ, କାହ୍ନୁଚରଣ ପରିକ୍ରମା, କଟକ, ୧୯୮୩, ପୃ-୧୧

୯.

ଉପରୋକ୍ତ, ପୃ-୧୦

୧୦.

କମଳଲୋଚନ ମହାନ୍ତି ଓ ବନବିହାରୀ ପଣ୍ଡା କର୍ତ୍ତୃକ ଗୃହୀତ ସାକ୍ଷାତ୍‌କାର, କାହ୍ନୁଚରଣ ପରିକ୍ରମା, କଟକ, ୧୯୮୩, ପୃ-୧୯

୧୧.

ଉପରୋକ୍ତ, ପୃ-୨୦

୧୨.

ଅନୁଭୂତିହଁ ମୋ ସାହିତ୍ୟର ଉତ୍ସପ୍ରେରଣା, କାହ୍ନୁଚରଣଙ୍କ ସହ ଡ. ବିଜୟାନନ୍ଦ ସିଂହଙ୍କ ସାକ୍ଷାତ୍‌କାର, ରବିବାର ସଂବାଦ, ଅଗଷ୍ଟ ୬-୧୨, ୧୯୮୯, ଭୁବନେଶ୍ୱର, ପୃ-୩୦

 

 

ପ୍ରଧ୍ୟାପକ,

ଉପାଧ୍ୟୁତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ଶାନ୍ତିନିକେତନ,

ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପଶ୍ଚିମ ବଙ୍ଗ

 

***

 

ମୁଦ୍ରିତ କବିତାର ବିଷୟବସ୍ତୁ ଓ ସାଧାରଣ ମଣିଷ

ସନ୍ତୋଷ କୁମାର ରଥ

 

ମୁଦ୍ରିତ କବିତା, ଆଖିର ଅପେକ୍ଷା ରଖେ । ସଂକେତମାନଙ୍କୁ ପୁଣିଥରେ ଅର୍ଥପୂର୍ଣ୍ଣ କରି ଯେଉଁ ଆଖି, ଅର୍ଥର ଜଗତକୁ ଫେରିଯିବା ପାଇଁ ସକ୍ଷମ । କବିତା ସଂକେତରେ ହିଁ ତି ଆରି ହୁଏ । ମୂକ ସଂକେତ ସବୁ ପାଠ୍ୟ ଭିତରେ ଶୋଇଥାନ୍ତି, ପାଠକଟିଏ ଆସିବାଯାଏ । ସମର୍ଥ ପାଠକ ବିନା ଏ କବିତା ସବୁ ଧାଡ଼ିଧାଡ଼ି ଛାପା ଅକ୍ଷର । ପାଠକ ହିଁ କବିତାକୁ ଅମରତ୍ୱ ପ୍ରଦାନ କରିପାରେ । ଅନାଗତ କାଳ ଓ ଦୂରାଗମ୍ୟ ସ୍ଥାନର ପାଠକ ପାଇଁ ହିଁ କବିତା ମୁଦ୍ରିତ ହୋଇ ପଡ଼ିରହିବାର ଦୁର୍ଭାଗ୍ୟ ଭୋଗେ । କବି ହୃଦୟକୁ ତ କବିତା ଜନ୍ମତଃ ପୁଲକିତ କରେ । ବେଳେବେଳେ ଶବ୍ଦସଂକେତ ଖୋଜିଖୋଜି କାନ୍ଦକାନ୍ଦ ହୋଇଯାଏ କବି, କବିତା ସଂକେତରେ ଧରାଦେଉ ନଥାଏ, ସଂକେତର ବିଫଳତାରେ ଯାହାବି ଧରାଦିଏ ସେଥିପାଇଁ ତ ତାକୁ ସାଇତି ରଖେ କବି ।

 

ଲିଖିତ ବା ମୁଦ୍ରିତ ହେବା, ପାଠକ ବା ଶ୍ରୋତା ପାଇଁ ଅପେକ୍ଷା କରିବା, କବିତାର ଅନିବାର୍ଯ୍ୟ ଭାଗ୍ୟ, କବିତା ହେବାପାଇଁ । କବି ହୃଦୟରେ ଜନ୍ମ ଯଦି କବିତାଟିଏ ରହିଯାଏ, ଆମେ ତାକୁ କବିତା କହିବା କେମିତି, ଯେତେ ସୁନ୍ଦର ହେଉ, ଯେତେ ସୁସଞ୍ଚ ହେଉ, ବାକ୍ ଓ ଅର୍ଥର କାରୁକାର୍ଯ୍ୟ ? ଜଗତକୁ ମୁଗ୍ଧ ବିହ୍ୱଳ ଭାବରେ ଦେଖି ମନେମନେ ଅର୍ଥ ଅର୍ଥାନ୍ତର କରୁଥିବା ଲୋକଟିକୁ, ଆମେ କବି କହିପାରିବାକି ? ଲିଖିତ ବା ମୁଦ୍ରିତ ହେବା କବିତାର ଭାଗ୍ୟ, କବିତା ହେବାପାଇଁ । ହଁ, କିଛି କବିତା ଲିଖିତ ବା ମୁଦ୍ରିତ ହେଉ ନଥିଲା । ଶ୍ରୁତିରୁ ଶ୍ରୁତିକୁ ଡେଇଁ ଡେଇଁ କବିତା ବଂଚୁଥିଲା, ଯେତେବେଳେ ଲିଖନ ବ୍ୟବସ୍ଥା ହିଁ ନଥିଲା । ଶ୍ରୋତା ଓ ବକ୍ତାର ପରମ୍ପରାରେ କବିତା ଉଭୟଙ୍କ ସାମର୍ଥ୍ୟ ଅନୁରୂପେ ନିୟନ୍ତ୍ରିତ ବି ହେଉଥିଲା, ବଦଳି ବି ଯାଉଥିଲା । ଛାଡ଼ନ୍ତୁ, ଆଜିପାଇଁ ତାହା ଆମ ଆଲୋଚନାର ପରିଧି ବାହାରେ । ଆସନ୍ତୁ, ମୁଦ୍ରିତ କବିତା ସଂପର୍କରେ ଆଉ ଦୁଇଟି କଥା ଆଲୋଚନା କରି ମୂଳ ବିଷୟକୁ ଆସିବା ।

 

ପ୍ରଥମତଃ କବିତା ଥରେ ଲିଖିତ ବା ମୁଦ୍ରିତ ହୋଇଗଲେ, କବିତାର ସମସ୍ତ ସମ୍ଭାବନା ହୋଇଯାଏ ସ୍ଥିର । କବିତାର ଅସୀମ ସଂଭାବନା ନିର୍ଦ୍ଦିଷ୍ଟ କେତୋଟି ଶବ୍ଦ ବିନ୍ୟାସରେ ବନ୍ଧା ପଡ଼ିଯାଏ । ଶବ୍ଦ ବିନ୍ୟାସ ଯେତେ ଅନନ୍ୟ ହେଉ, ଶବ୍ଦର ସାମର୍ଥ୍ୟ ଯେତେ ଅର୍ଥ ଅର୍ଥାନ୍ତର ପାଇଁ ଉନ୍ମକ୍ତ ରହୁ, ଭାବର ଆକାଶ ଯେତେ ବିଶାଳ ହେଉ, ଅନନ୍ତ ନୁହେଁ ସସୀମ । ଏଣୁ ମୁଦ୍ରିତ ହେବା କବିତା ସମ୍ଭାବନାର ସ୍ଥିରତ୍ୱ । ଅନନ୍ତ କାଳର ସହୃଦୟ ପାଠକ ପାଇଁ ଅପେକ୍ଷା କରିକରି, କାଳ ଓ ସ୍ଥାନର ନୂଆ ପରିଢଳରେ ନୂଆ ଅର୍ଥସବୁ ପାଇପାଇ, ମୁଦ୍ରିତ କବିତାଟିଏ, ସ୍ଥିର ପାଠ୍ୟଟିଏ ହୋଇ କାଳ କାଳାନ୍ତରକୁ ରହିଥାଏ । ଦ୍ୱିତୀୟତଃ ଆଧୁନିକ ମୁଦ୍ରାଯନ୍ତ୍ରର ପ୍ରଚଳନ ପୂର୍ବରୁ ସହୃଦୟ ପାଠକ ହାତରେ କବିତାଟି ରୂପାନ୍ତରିତ ହେଉଥିଲା । କବିକୁ ବିଦାରି ପାଠକ ପାଠ୍ୟରେ ନିଜକୁ ପ୍ରତିଷ୍ଠା ପାଇଁ ଚେଷ୍ଟିତ ଥିଲା । ପାଠକ ହିଁ ପ୍ରତିଲିପି ସୃଷ୍ଟି କରୁଥିଲା ଓ ତା’ର ପ୍ରିୟ ପୁସ୍ତକକୁ ଶ୍ରମ ଓ ଶ୍ରଦ୍ଧା ଦେଇ ଅମରତ୍ୱ ପ୍ରଦାନ କରୁଥିଲା । ପୁଣି ଅଳ୍ପ କେତେଜଣ ହିଁ ପାଠକ ଓ ଅନ୍ୟ ସମସ୍ତେ ଶ୍ରୋତାଥିବା ସମାଜରେ, କବିତାର ‘‘ଉପମାତା’’ ହୋଇ, ପାଠକହିଁ ସୁ-କବିତାକୁ ପ୍ରଚାରିତ କରୁଥିଲା । ପାଠକୀୟ ଉପେକ୍ଷାରେ ସ୍ଵତଃ ମୃତ୍ୟୁ ଘଟୁଥିଲା ଅ-କବିତାର । ଅଥଚ ମୁଦ୍ରିତ କବିତା ପ୍ରଥମତଃ ଏକ ଉତ୍ପାଦନ । ସ୍ଥାନ ଓ ସମୟର ପରିସୀମାକୁ ଉପେକ୍ଷା କରି ଉତ୍ପାଦକ-କବିର ପାଠକ ସମାଜ ପ୍ରତି ଏକ ଉପହାର । ସେଥିପାଇଁ ସିନା ପାଠକ ନାହାନ୍ତି ବୋଲି ଆଜି କେହି କେହି ପ୍ରିୟମାଣ । ଛାଡ଼ନ୍ତୁ, ଏ କଥାକୁ ବି ଏଇଠି ରଖିବା, ଏବେ ମୂଳ ବିଷୟକୁ ଆସିବା ।

 

କବିତା ଓ ସାଧାରଣ ମଣିଷର ଏକତମ ମିଳନ ବିନ୍ଦୁ ଭାଷା । ସାଧାରଣ ମଣିଷ ଯେଉଁ ଜଗତ ଓ ଜୀବନ ବଂଚେ, ତାକୁ ଭାଷା ମାଧ୍ୟମରେ ହିଁ ଅନୁଭବ କରେ । (ମୁଁ ଏଠି ଆପଣଙ୍କୁ ବାକ୍ୟପଦୀୟର ଲେଖକ କବି ଭର୍ତ୍ତୃହରିଙ୍କ ନ ସୋଽସ୍ତି ପ୍ରତ୍ୟୟୋ ଲୋକେ ଯଃ ଶଢାନୁଗମ ଦ୍ରୁତେ ମନେ ପକାଇବା ପାଇଁ ଅନୁରୋଧ କରୁଛି ।) ଭାଷା ହିଁ ସାଧାରଣ ମଣିଷକୁ ଜଗତ ସହ ଯୋଡ଼େ, ଜଗତକୁ ବୁଝିବାପାଇଁ ଶକ୍ତି ଦିଏ । ସାଧାରଣ ମଣିଷ ଆପଣାର ପ୍ରାତ୍ୟହିକ ଜୀବନରେ ଭାଷାକୁ ନିରନ୍ତର ବ୍ୟବହାର କରି ଘଷରା ଓ ଅର୍ଥଶୂନ୍ୟତା ଆଡ଼କୁ ଓଟାରି ନେଲାବେଳେ, କବିତା ହିଁ ତାକୁ ନୂଆ ଅର୍ଥ ଦେଇ, ପରିଶୋଧିତ କରିଚାଲିଥାଏ । ଏଣୁ ସିନା କବିତାର ଇତିହାସ ହିଁ ଭାଷାର ଇତିହାସ । ଭାଷାର ପ୍ରତିଟି ଶବ୍ଦ, ଏକ- ମୁମୂର୍ଷ କବିତା । କବିର ରଚନା ତାକୁ ନୂତନ ଅର୍ଥର ଜୀବନଦାନ କରି ଚାଲିଥାଏ । ପରିଚିତ ଶବ୍ଦମାନଙ୍କର ଏଇ ରୂପାନ୍ତରକୁ ସାଧାରଣ ମଣିଷ ବୁଝିପାରେନା । ପ୍ରଥମ ସ୍ତରରେ ଭାଷାର ସ୍ରଷ୍ଟା ଓ ଉପଭୋକ୍ତା ଭାବରେ ମଣିଷର ଏଇ ଦାବି ଯଦିଓ ଅବାନ୍ତର ନୁହେଁ । ପ୍ରାତ୍ୟହିକ ଜୀବନରେ କଥ୍ୟକୁ ଶ୍ରୋତା ପାଇଁ ପ୍ରସ୍ତୁତ କଲାବେଳେ ବକ୍ତା ସତର୍କ ଥାଏ, ସମ୍ମୁଖ ଶ୍ରୋତାର ସାମର୍ଥ୍ୟ ସଂପର୍କରେ । ଅଥଚ ମୁଦ୍ରିତ କବିତା କ୍ଷେତ୍ରରେ କଳ୍ପିତ ପାଠକର ନିୟନ୍ତ୍ରଣ ଆଦୌ ନଥାଏ । ଯେଉଁଠି ନିୟନ୍ତ୍ରିତ ହୁଏ କବିତା, ସେଠି ସମାନୁପାତିକ ଭାବରେ କ୍ଷୟ ପାଏ ତା’ର କବିତାପଣ ।

 

କବିତା, ଶବ୍ଦ ସଂକେତର ଏକ ଦ୍ୱିତୀୟ ସ୍ତର, ଯାହାର ମୂଳରେ ଥାଏ ଗୋଟିଏ ଭାଷାର ସମଗ୍ର ବାଙ୍ମୟ ପରଂପରା । ଯଦିଓ କବିତାର ଏକ ନିଜସ୍ୱ ପରଂପରା ବି ରହିଛି, ପ୍ରତିଟି ଭାଷା, ଆପଣାର ଏଇ ବାଙ୍ମୟ ପରଂପରା ତିଆରି କରିଥାଏ । କବିଟିଏ କବିତା ଲେଖିଲେ ଏ ପରଂପରାରୁ ଶବ୍ଦ, ଅର୍ଥ ଏମିତିକି ଭାବର ଜଗତ ବି ସଂଗ୍ରହ କରେ । କବିତାକୁ ବୁଝିବା ପାଇଁ ଏ ପରଂପରା ଯେମିତି ସହାୟକ ହୁଏ, ଏ ପରଂପରାକୁ ବୁଝିବାପାଇଁ କବିତାଟି ବି ସେମିତି ଆୟୁଧ ହୁଏ । ନିରୀହ ପାଠକଟି ଭାଷାର ପ୍ରଥମ ସ୍ତରରେ ଉପଭୋକ୍ତା ହେତୁ କବିତାର ଏଇ କୂଟକୁ ବୁଝିନପାରି ବ୍ୟସ୍ତ ହୋଇପଡ଼େ । ଆଜି ଓଡ଼ିଆ କବିତା ପାଠକର ଦୁଃଖ ଏଇଠି । ଆଜିର ଓଡ଼ିଆ କବିତା, ଓଡ଼ିଆ ବାଙ୍ମୟ ପରଂପରାର କ୍ରମପରିଣତି ନହୋଇ ହୋଇଛି ଅପରାପର ଭାଷିକ ପରଂପରାରୁ ହଠାତ୍ ଆହରଣ । ହୋଇପାରେ ଏ ସମସ୍ତ ସାର୍ବଜନୀନ କବିତାର ହିଁ ପରଂପରା । ଅଥଚ ସାଧାରଣ ପାଠକ ଏ ଲମ୍ଫ ପାଇଁ ପ୍ରସ୍ତୁତ ହୋଇପାରୁନି ।

 

ଏ ସମସ୍ତ କଥାକୁ ପୃଷ୍ଠଭୂମିରେ ରଖି , ଆସନ୍ତୁ ଏବେ, ଓଡ଼ିଆ କବିତା ସଂପର୍କରେ କେତୋଟି କଥା ଆଲୋଚନା କରିବା । ପ୍ରାଚୀନ ଓଡ଼ିଆ କାବ୍ୟର ପ୍ରଲମ୍ବିତ ପରଂପରାରେ ସାଧାରଣ ମଣିଷର ଅନୁପସ୍ଥିତି ଏକାନ୍ତ ଆଶ୍ଚର୍ଯ୍ୟକର । ପ୍ରାଚୀନ ଓଡ଼ିଆ କାବ୍ୟରେ ଯେଉଁଠି ବି ମଣିଷ ରହିଛି, ରହିଛି ଜଣେ ଚରିତ୍ର ଭାବରେ, ଗୋଷ୍ଠୀଏ ମଣିଷର ଜଣେ ପ୍ରତିନିଧି ଭାବରେ । ଅନେକତଃ ମଣିଷ ହଁ ନାହିଁ, ଅଲୌକିକ ଦେବତା ଓ ଦିବ୍ୟ ରାଜକୁମାରମାନେ ପ୍ରାଚୀନ ଓଡ଼ିଆ କାବ୍ୟର ନାୟକ । ବେଳେବେଳେ ଜଣେ ଏକୁଟିଆ ଦୁଃଖଗ୍ରସ୍ତ ମଣିଷର କଣ୍ଠସ୍ୱର ସେଠାରେ ଶୁଭେ-। ବ୍ୟକ୍ତିକ ହତାଶାରେ ସେ ଭାଙ୍ଗିପଡ଼ିଥାଏ, ହାତପାତି ଭାଗବାନଙ୍କୁ ମାଗୁଥାଏ, କାବ୍ୟସିଦ୍ଧି ପାଇଁ ଆଶୀର୍ବାଦ କିମ୍ବା ଇହଲୋକର ଦୁଃଖ ବିନିମୟରେ ପାରଲୌକିକ ସୁଖ । ଏ ମଣିଷଟି କେବେକେବେ ମନେହୁଏ ନିଜେ ହିଁ କବି । ତଟସ୍ଥଭାବରେ କାବ୍ୟଟି ଲେଖୁଁ ଲେଖୁଁ ଭୁଲକ୍ରମେ ଲେଖିପକେଇଛି ନିଜକଥା । କବିତାରେ ସାଧାରଣ ମଣିଷ ରହିବା ବୋଧହୁଏ ଅନୁଚିତ । କବିତା ଯେହେତୁ ଦିବ୍ୟ, କବିତାରେ ଜୀବନ ଓ ଜଗତ ଯେହେତୁ ଅସାଧାରଣ । ପ୍ରାଚୀନ ଓଡ଼ିଆ କବିତାରେ ବିଶେଷତଃ ସନ୍ଥ ସାହିତ୍ୟରେ ସାଧାରଣ ମଣିଷର ଅଶ୍ରୁ ଓ ଆକୃତି ବେଳେବେଳେ ଯଦିଓ ପ୍ରକାଶିତ । ଅପର୍ଯ୍ୟାପ୍ତ ଓଡ଼ିଆ କାବ୍ୟର ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରାର ଭିଡ଼ରେ ଯଦିଓ ହଜିଯାଇଛି ଏ କବିତା ସବୁ ।

 

ଓଡ଼ିଆ କବିତାରେ ସାଧାରଣ ମଣିଷର ଅକୁଣ୍ଠ ପ୍ରବେଶ ଓ ସ୍ଵଚ୍ଛ ଆତ୍ମପ୍ରକାଶ ଏକ ଅର୍ବାଚୀନ ଘଟଣା । ବୋଧହୁଏ ଭୀମଭୋଇଙ୍କ ଗୀତି କବିତା ଏ ଦିଗରେ ଏକ ସାହସିକ ପ୍ରୟାସ । ହଁ, ଭୀମଭୋଇଙ୍କ କବିତାକୁ ଲିଖିତ କବିତା କହିବା କି ନା ଏକଥା ଆପଣମାନେ ବିଚାରିବେ । ଭୀମଭୋଇଙ୍କ କବିତାରେ ସାଧାରଣ ମଣିଷ, ବେଳେବେଳେ କବି ନିଜେହିଁ, ସାଧାରଣ ମଣିଷ ହୋଇ ଆତ୍ମପ୍ରକାଶ କରନ୍ତି । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଭୀମଭୋଇ ବୋଧହୁଏ ଜଣେ ମାତ୍ର କବି ଯିଏ ଆପଣାର ଜୀବନକୁ ହଁ କବିତାର ବିଷୟବସ୍ତୁରୂପେ ବାଛି ନେଇଛନ୍ତି । (ଆଜକୁ ପ୍ରାୟ ଦେଢ଼ଶହ ବର୍ଷ ତଳେ ଖଲିଆପାଲି ଗାଁରେ ଘଟିଥିବା ଏହି ବୈପ୍ଳବିକ ଘଟଣାଟି ମନେପକାଇଲେ, ଆଜିବି ଉଲ୍ଲସିତ ଲାଗୁଛି ।) ଏବେ ଓଡ଼ିଆ କବିତାରେ ପ୍ରେମ, ପ୍ରତାରଣା, ବିଭୁଭକ୍ତି ଓ ଦେଶାନୁରାଗ, ସମୁଦ୍ରର ଆକର୍ଷଣ ଓ ସାହୁକାରର ଶୋଷଣ- ସବୁକିଛି ଯାହା କବିତାରେ ରୂପାୟିତ ହେଉଛି, ଜଣେ ସାଧାରଣ ମଣିଷର ଦୃଷ୍ଟିରେ ଜଣେ ସାଧାରଣ ମଣିଷର ଅନୁଭବ । ଜଗତ ଓ ଜୀବନ ପ୍ରତି କବିଟିଏ ତା’ର ଏକାନ୍ତ ସ୍ଵକୀୟ ଦୃଷ୍ଟିଭଙ୍ଗୀ ପ୍ରକାଶ ପାଇଁ ଆଜି ସୁଯୋଗ ପାଉଛି । ପ୍ରାଚୀନ କାବ୍ୟର ଆଳଙ୍କାରିକ ନିର୍ଦ୍ଦେଶ ଏଠି ନାହିଁ । ପ୍ରକୃତି ପ୍ରୀତି,ଦେଶାତ୍ମବୋଧ ଜୀବନାନୁରାଗ, ନିଃସଙ୍ଗତା, ମୃତ୍ୟୁଚେତନା, ଅବସାଦ, ବିଷାଦସମାଲୋଚକୀୟ ସୁବିଧାପାଇଁ ଆମେ ଯାହାବି କହୁଁ, ଓଡ଼ିଆ କବିତାର ସମକାଳ ମନ୍ମୟ ହୋଇଉଠିଛି ପୂର୍ଣ୍ଣତଃ । ଚରିତ୍ରମାନଙ୍କ ସଂପର୍କରେ ଲେଖିବାର କାଳ ଶେଷ ହୋଇଛି, କବି ଏବେ ନିଜ କଥାହିଁ ଲେଖୁଛି । କୁଆଡ଼େ ଗଲା ଅଳସୀ ରାଜକୁମାରୀର ବିରହ ଦୁଃଖର କାହାଣୀ, କୁଆଡ଼େ ଗଲା ଦିବ୍ୟ ନାୟକର ଜୀବନ ଚରିତାମୃତକୁ ରୀତିବଦ୍ଧ ଶୈଳୀରେ ଲେଖିରଖିବାର ପ୍ରୟାସ । ଓଡ଼ିଆ ବାଙ୍ମୟ ପରଂପରାରେ ମହାକାବ୍ୟର ମୃତ୍ୟୁ ଘଟିଛି । ଜନ୍ମୋତ୍ସବ ଘଟିଛି ନୂତନ କବିତା ରୀତିର ।

 

ଅପୂର୍ବ ଏକ ସ୍ୱୈରବାଦୀ ଜୀବନବୋଧ ଓ ଗୀତିଧର୍ମିତାର ଉଲ୍ଲାସରେ ଆଧୁନିକ ଓଡ଼ିଆ କବିତାମୁଖର ହୋଇଥିଲା କିଛି କାଳପାଇଁ । ସବୁଜ କବିଙ୍କର କବିତା, ମାନସିଂହଙ୍କ ‘ଧୂପ’, ସଚ୍ଚି ରାଉତରାୟଙ୍କ ‘ପଲ୍ଲିଶ୍ରୀ’ ପରେପରେ ହିଁ ଓଡ଼ିଆ କବିତା ଗ୍ରହଣ କରିଛି ନବରୂପ । ଚରିତ୍ରସବୁ ଅପସାରିତ ହୋଇଛନ୍ତି କବିତାରୁ, କବି ନିଜକୁ ଆଣି ଉପସ୍ଥାପିତ କରିଛି ସେଇଠି । କ’ଣପାଇଁ ଜଣେ କବିର ଜୀବନ ପ୍ରାସଙ୍ଗିକ ହେବ ପାଠକପାଇଁ ? ଏଣୁ କବିତାରେ ଆସିଛି ରୋମାଣ୍ଟିକ ଆଦର୍ଶ, ତ୍ୟାଗପୂତ ପ୍ରେମ, ସାମାଜିକ ପ୍ରତିବଦ୍ଧତା, ବିଶ୍ୱଜନୀନତା । ଏସବୁ ଭିତରେ ଅନେକ ଚରିତ୍ର ଭାବରେ କବିର ନଟସତ୍ତା, କବି ବ୍ୟକ୍ତିତ୍ୱକୁ ମହତ୍ତର କରିଛି ଯଦିଓ, ନିଛକ ସାଧାରଣ ମଣିଷଟି ରହିଛି ଅନୁପସ୍ଥିତ ।

 

ସମକାଳୀନ ଓଡ଼ିଆ କବିତାର ପୃଷ୍ଠଭୂମିରେ ବି ରହିଛି ଏମିତି ଏକ ଦ୍ଵିଧା । ଜାଗତିକ ଜୀବନ ନିକଟରେ ପରାସ୍ତ ହୋଇଛି କବିର ଆଦର୍ଶ । ଦିନେ ହୁଏତ କବି ମନେକରୁଥିଲା ତା’ର ଚାରିପାଖର ବିଶ୍ଵ, ଅଗଣିତ ତାରା, ମାଟି ଓ ମମତାର ପୃଥିବୀ, ଏସବୁ ନୂଆ ଏକ ଅର୍ଥଦେବ କବିତା । ଘଟଣାର ବୀଭତ୍ସତାରେ, ସମୟର ଅନୁଦାର ଆକ୍ରମଣରେ ଉଜୁଡ଼ିଯାଇଛି ଏଇ ସ୍ୱପ୍ନ । ସମୟଥିଲା, ଧର୍ମ ଈଶ୍ଵର ଓ ପାରଲୌକିକ ସୁଖ ମୁଗ୍ଧ କରୁଥିଲା କବି ଓ କବିତାକୁ I ଧର୍ମର ଏଇ ମାଦକତା ବି ଉଭେଇଗଲା ଜୀବନରୁ । କ’ଣ ପାଇଁ ତେବେ କବିତା, କାହାକୁ ନେଇ । ଗତ ପଚାଶ ବର୍ଷର ମୁଦ୍ରିତ ଓଡ଼ିଆ କବିତାକୁ ଆଚ୍ଛନ୍ନ କରିରଖିଛି ଏଇ ଦ୍ୱିଧା ।

 

ପ୍ରତିଟି କବି ନିକଟକୁ ଏହା ଆସିଛି ନୂଆ ଏକ ରୂପ ନେଇ ଓ ନୂଆ ପରିଢଳରେ । ସମାଧାନ ମିଳିନି ଯଦିଓ ମିଳିଛି ଜୀବନକୁ ବିଦ୍ରୁପ କରି ବଂଚିବାର ସତ୍ସାହସ କିମ୍ବା ଜୀବନପ୍ରତି ଅହେତୁକ ଅନାବିଳ ପ୍ରେମ । ଆଦର୍ଶମୁଖର କବିତାର କାଳ ଶେଷ ହୋଇଛି । ସାମାଜିକ ନ୍ୟାୟ ଶୃଙ୍ଗଳା ଓ ସମତା ସ୍ଥାପିବାର ଗୁରୁ ଦାୟିତ୍ୱ କୋମଳ କବିତା ବା ଏବେ ନେବ କାହିଁକି ? କବିତା ଏଣୁ ଭିକାରୀ ପିଲାର ମୃତ୍ୟୁରେ ଶୋକପାଳନ କରୁଛି । ଘାସଫୁଲ ଫୁଟିଲେ ହେଉଛି ଉତ୍ସବ ପ୍ରବଣ-। ଜାଗତିକ ହତାଶ ଓ ବ୍ୟକ୍ତିକ ବିଫଳତାର ପରିସୀମା ବାହାରେ ବି ଜୀବନର ଏକ ଅର୍ଥ ଅଛି, ଯାହା ଚିର ଭାସ୍କର, ଚିର ଦୀପ୍ତ, ଏହାହିଁ ସମକାଳୀନ ଓଡ଼ିଆ କବିତାର ନୂତନ ଆବିଷ୍କାର, ନୂତନ ବିଷୟବସ୍ତୁ ।

 

କବିତାର ବିଷୟବସ୍ତୁକୁ ସାଧାରଣ ମଣିଷର ସାଧାରଣ ଜୀବନ ଆସିଲା ଅଥଚ ‘‘ପାଠକ ସାଧାରଣ ’’ କେମିତି ଦୂରେଇ ଗଲେ କବିତାରୁ, ଏବେ ସେ କଥା ଦେଖିବା । ଆମ ବାଙ୍ମୟ ପରଂପରା ଥିଲା ଶ୍ରୋତାକୈନ୍ଦ୍ରିକ । ପ୍ରଥମଥର ପାଇଁ ରୀତି କାବ୍ୟର ଶେଷପରେ ଉନବିଂଶ ଶତାବ୍ଦୀରେ କବିତାର ସାମ୍ରାଜ୍ୟ ହୋଇପଡ଼ିଲା ସାର୍ବଜନୀନ ପାଠକର ପ୍ରବେଶ ପାଇଁ ଉନ୍ମୁକ୍ତ । ନୂଆ ପାଠକଟିଏ ଜନ୍ମ ନେଲା, ଯିଏ ଦର୍ଶନ, ପଠନ ଓ ମନନ ମାଧ୍ୟମରେ ପାଠ୍ୟକୁ ଉପଭୋଗିବା ଆରମ୍ଭକଲା । ଈଷତ୍ ବଧିର ଏଇ ମୂକ ପାଠକଟି ପାଇଁ କବିତା ଆଉ ଗାନଯୋଗ୍ୟ ହେଲା ନାହିଁ, ସଂଗୀତ ବି ଉଣା ହେଲା । ତା’ ବଦଳରେ ପ୍ରତିସ୍ଥାପିତ ହେଲା କମା, ପୂର୍ଣ୍ଣଛେଦ, ସମ୍ବୋଧନ ଓ ବିସ୍ମୟ ଚିହ୍ନପରି ସଂକେତସବୁ, ପୃଷ୍ଠାର ଖାଲିସ୍ଥାନ, ଅନୁଚ୍ଛେଦ, ଭଙ୍ଗାଭଙ୍ଗା ଧାଡ଼ିରେ ମୁଦ୍ରିତ କବିତାର ନୟନ ପ୍ରୀତିକର ଉପସ୍ଥାପନ । ଅଠର ଶହ ଷାଠିଏରୁ ଉଣେଇଶ ଷହ ଷାଠିଏ ଯାଏଁ ପ୍ରାୟ ଶହେବର୍ଷର ଅହମିକାରେ ପୁଷ୍ଟ ଏଇ ପାଠକ ପୁରୁଷଟି ଅନୁଭବ କରୁଥିଲା କବିତାର ଉପଭୋଗ ଏବେ ତାର ନ୍ୟାର୍ଯ୍ୟ ଦାବି । ଦୀର୍ଘ ଦୁଇଟି ଦଶକ ଧରି ପ୍ରଚଳିତ ଏଇ ଦାବିର ଅବସାନ ଘଟିଲା ଉଣେଇଶ ଶହ ଅଶୀ ବେଳକୁ । ଉଣେଇଶ ଶହ ଅଶୀ ବେଳେହିଁ ସ୍ପଷ୍ଟ ହୋଇଗଲା କବିତା ତା’ର ଆପଣା ପାଠକ ପାଇଁ ହିଁ ଉଦ୍ଦିଷ୍ଟ । କବିତାର ଉପଭୋଗ ସାର୍ବଜନୀନ ନୁହେଁ, ପାଠକ ମୁହଁ ଫେରାଇ ନେଲା କବିତାରୁ । କବି ପାଠକ ଆସନପାଇଁ ଆମନ୍ତ୍ରଣ କଲା ସହକବିମାନଙ୍କୁ । କବିତାର ମଜଲିସରେ କବିମାନଙ୍କର ହିଁ ପ୍ରବେଶ ଜାରି ରହିଲା । ଶହେବର୍ଷର ପ୍ରତ୍ୟାଶା ଯେତେବେଳେ ଉଜୁଡ଼ି ଗଲା ପାଠକ ଦୂରେଇ ଗଲା କବିତା ନିକଟରୁ, କବିତା ହେଲା କବିମାନଙ୍କର ଅସପତ୍ନ୍ୟ ସାମ୍ରାଜ୍ୟ ।

 

ସହକବିପାଇଁ ରଚିତ କବିତା କେବଳ କାରୁକର୍ମରେ ପରିଣତ ହେବା ସ୍ଵାଭାବିକ । ସେଠି ସ୍ୱାଭାବିକ ଶବ୍ଦର ଆଡ଼ମ୍ବର, ଅକରଣ ଚାତୁରୀ, ବାକ୍‍ଭଙ୍ଗୀ ପ୍ରତି ଅପୂର୍ବ ପ୍ରବଣତା ପୁଣି ପ୍ରତିସ୍ପର୍ଦ୍ଧା ପ୍ରଦର୍ଶନର ଇଚ୍ଛା । ଫଳରେ ଉଣେଇଶ ଶହ ଅଶୀ ପରେ ରଚିତ ଓଡ଼ିଆ କବିତା ଆକ୍ରାନ୍ତ ହେଲା ଏକ ନୂତନ ରୁଚିବୋଧରେ, ଯେଉଁଠି ମନନ ଓ ପଠନ ବିଡ଼ମ୍ବିତ, କବିତା କେବଳ ଓଜସ୍ୱିନୀ ଆବୃତ୍ତି, କବିତା ପାଠୋତ୍ସବ ହିଁ କବିତାର ଲାଳନଭୂମି । ଏପ୍ରକାର ଏକ ରୂଚିବୋଧ କବିମାନଙ୍କୁ ଆଶୁ କବିତ୍ଵ ଓ କ୍ଷଣିକ ଉଲ୍ଲାସ ପାଇଁ ପ୍ରେରଣିତ କଲା । ଆଧୁନିକ ଓଡ଼ିଆ କବି ଓ କବିତାର ଜଗତ, ମନେହେଲା ଯେମିତି ରୀତିଯୁଗୀୟ ଦରବାରୀ ସାହିତ୍ୟର ଭିନ୍ନରୁପ ।

 

କବିତାର ଦରବାରରୁ ପାଠକର ପଳାୟନ ପରେ ଉଭୟ କବିତା ଲେଖିବା ଓ ବୁଝିବା ହେଲା କବିର ହିଁ କର୍ମ । ଓଡ଼ିଆ କବିତାରେ ଏହି ଦୁଃଖଦସ୍ଥିତି ରୀତିସାହିତ୍ୟ ପରେ ଘଟିଲା ଦ୍ୱିତୀୟଥରପାଇଁ । ପ୍ରଥମତଃ ଏହା ଅକବିତାକୁ ଅର୍ଥବହ କରିବାପାଇଁ କବିସୁଲଭ ଚେଷ୍ଟାର ସୁଯୋଗ ଆଣିଦେଲା । ଦ୍ଵିତୀୟତଃ ସହ କବିପ୍ରତି ଉଦାର ଦୃଷ୍ଟିଭଙ୍ଗୀ ଓ ପରସ୍ପର ଭ୍ରାନ୍ତ ସମ୍ମୁଖ ପ୍ରଶଂସାରେ ପୁଷ୍ଟିହେଲା ଅକବିତା । ସଫଳ କବିତା ହେଲା କାରୁକର୍ମ । ଅର୍ଥ ଓ ଐକ୍ୟଶୂନ୍ୟ ଶବ୍ଦର କୋଲାଜ୍ ।

 

ଆମେ ଜାଣୁ ଏହାର ପ୍ରତିପକ୍ଷରେ ୧୯୯୦ ପରେ ଗତଦଶକର ଓଡ଼ିଆ କବିତାରେ, ନୂଆ ଏକ ଶୈଳୀର ବିକାଶ ଘଟିସାରିଛି । କବିତା ସହଜତର ହେବାର ଚେଷ୍ଟାରେ ସାଧାରଣ ଜୀବନ ଓ ଜଗତରୁ ନୂଆ ନୂଆ ଅର୍ଥର ଜଗତ ଖୋଜିବାରେ ଲାଗିଛି । ପ୍ରାତ୍ୟହିକ ଜୀବନକୁ କବିମାନେ କବିତା କରନ୍ତି, ଜଣେ କବିର ଦୃଷ୍ଟିରେ ଦେଖି, ଜଗତକୁ ବୁଝନ୍ତି, ତାକୁ ଲେଖନ୍ତି ନଲେଖନ୍ତି ଭିନେକଥା । କବିଙ୍କୁ ବି ପାଠକଟିଏ ଦେଖୁଥାଏ କବିଙ୍କ ଅଜାଣତରେ । କବିଙ୍କ କାବ୍ୟପୁରୁଷ ଓ କବିପୁରୁଷକୁ ସେ ତୁଳନା କରୁଥାଏ ସବୁବେଳେ । ଉଭୟଙ୍କ ମଧ୍ୟରେ ବିସଙ୍ଗତି ପାଇଲେ କବିତାର ହିଁ କ୍ଷତିହୁଏ । ‘ମୁଁ’ କୁ ଏକ ନଟସତ୍ତା ଭାବରେ ଗ୍ରହଣ କରିଥିବା ଆଜିର କବିପାଇଁ ଏହାହିଁ ସଂକଟ ।

 

ଆଉ ଗୋଟିଏ କଥା କହି ଏ ପ୍ରବନ୍ଧକୁ ଶେଷ କରିବା । କବିତାର ବିଷୟବସ୍ତୁ ସାଧାରଣ ମଣିଷପାଇଁ ଲିଖିତ ହୋଇ ସାଧାରଣ ହୋଇ ନଯାଉ । ସାଧାରଣ ମଣିଷହିଁ କବିତାର ବିଷୟବସ୍ତୁ ହୋଇ ଅସାଧାରଣ ହେଉ । ଆଜି ମଣିଷ ଭାଷାକୁ ପ୍ରତିନିୟତ ପ୍ରଦୂଷିତ କରିଚାଲିଥିବା ବେଳେ କବିତା ହିଁ ରକ୍ଷାକରୁ ଭାଷାକୁ । କବି ରକ୍ଷାକରୁ କବିତାର କବିତାପଣକୁ । କବିତାପଣହିଁ ରକ୍ଷାକରୁ କବିକୁ, ଆମର ବାଙ୍ମୟ ପରଂପରାକୁ । ଏଇ ସହସ୍ରାବ୍ଦର ପ୍ରାରମ୍ଭରେ, କବିମାନଙ୍କୁ ମୋର ଜଣେ ପାଠକ ଭାବରେ ଏତିକି ଅନୁରୋଧ ।

 

ବରିଷ୍ଠ ଅଧ୍ୟାପକ,

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ପାଟଣାଗଡ଼ ମହାବିଦ୍ୟାଳୟ, ପାଟଣାଗଡ଼, ବଲାଙ୍ଗୀର

 

***

 

ନୋବେଲ୍ ଲରିୟେଟ

ଟୋନି ମରିସନ୍ ଓ ସୁଲା

ଉମାଶଙ୍କର ପଣ୍ଡା

 

୧୯୭୪ ମସିହାରେ ସୁଲା ଉପନ୍ୟାସ ପାଇଁ ୧୯୯୩ ବର୍ଷର ନୋବେଲ ପୁରସ୍କାରରେ ସମ୍ମାନିତା ଟୋନି ମରିସନ୍ ଆମେରିକା ଅଧିବାସିନୀ ଜଣେ କୃଷ୍ଣାଙ୍ଗିନୀ କଥୟିତ୍ରୀ । କୃଷ୍ଣକାୟମାନଙ୍କର ଜଗତ ହିଁ ତାଙ୍କର କଥା ଜଗତର ପୃଷ୍ଠଭୂମି । ବ୍ୟଞ୍ଜନାତ୍ମକ ଭାଷା ଓ ସ୍ୱନ୍ଦନଶୀଳ ଶୈଳୀ ତାଙ୍କ ରଚନାର ଏ କାନ୍ତ ବୈଶିଷ୍ଟ । ସୁଲା କଳାମଣିଷମାନଙ୍କର ଜୀବନ ଯନ୍ତ୍ରଣାର ଯୌଥସଂଗୀତ ।

 

ଟୋନି ମରିସନ୍ କହନ୍ତି – ମୋର ଶ୍ୱେତାଙ୍ଗମାନଙ୍କ ପ୍ରତି ଥିବା ଘୃଣା ଯଥାର୍ଥ ଏବଂ ମୋ ପ୍ରତି ଶ୍ଵେତାଙ୍ଗ ଲୋକମାନଙ୍କର ଘୃଣା ଯଥାର୍ଥ । ତାଙ୍କ ମତରେ କୃଷ୍ଣାଙ୍ଗମାନଙ୍କର ପ୍ରତିରୋଧ, ଉତ୍କର୍ଷତା ଓ ସଂହତି ସେମାନଙ୍କ ଅତୀତର ଐତିହ୍ୟରୁ ହିଁ ଉଭବ ହୋଇଛି । ଏ କଥା କହିବାବେଳେ ସେ ଫେରି ଯାଆନ୍ତି ନିଜର ଶୈଶବକୁ । ଟୋନି ମରିସନ୍ ଉତ୍ତର “ଓହିଓ’ର ଲୋରେନ୍‍ଠାରେ ଏକ କୃଷ୍ଣାଙ୍ଗ ମଜଦୁର ପରିବାରରେ ଜନ୍ମଗ୍ରହଣ କରିଥିଲେ ୧୯୩୧ ମସିହାରେ । ମରିସନ୍ ଥିଲେ ତାଙ୍କ ପିତାମାତାଙ୍କର ଚାରିଟି ସନ୍ତାନଙ୍କ ମଧ୍ୟରୁ ଦ୍ୱିତୀୟ । ତାଙ୍କର ପିତା ଥିଲେ ଜଣେ ଘୋର ନୈରାଶ୍ୟବାଦୀ ମଣିଷ । ଯିଏ ବିଶ୍ୱାସ କରୁଥଲେ, ‘‘ଏ ଦେଶରେ କଳା ଲୋକଙ୍କ ପାଇଁ କୌଣସି ଆଶାଭରସା ନାହିଁ ।’’ କିନ୍ତୁ ତାଙ୍କ ପତ୍ନୀ, ମରିସନ୍‍ଙ୍କ ମାତାଙ୍କ ବିଶ୍ୱାସ ଥିଲା ପ୍ରଭୁ ଯୀଶୁଙ୍କ ଉପରେ ଅଖଣ୍ଡ ବିଶ୍ୱାସ ଓ ପ୍ରବଳ ଇଚ୍ଛା ଶକ୍ତି ବଳରେ ଯେକୌଣସି କାର୍ଯ୍ୟ ସଂପନ୍ନ କରାଯାଇପାରେ । ପିତାମାତାଙ୍କ ମଧ୍ୟରେ ଥିବା ଏହି ବିରୋଧାତ୍ମକ ମନୋବୃତ୍ତିର ପ୍ରତିଫଳନ ଘଟିଥିଲା ମରିସନ୍‍ଙ୍କ ଚରିତ୍ରରେ । ମରିସନ୍ ସ୍ୱୀକାର କରିଛନ୍ତି – ମୁଁ ମୂଳତଃ ବର୍ଷ ସଚେତନ ଏକ ପରିବାରରେ ବଢ଼ି ଆସିଥିଲି, ଯେଉଁଠାରେ ଗୋଟିଏ ଅବୋଧ ଓ ନିଷ୍କପଟ ଶିଶୁର ସରଳ ମନରେ ଶ୍ଵେତାଙ୍ଗମାନଙ୍କ ପ୍ରତି ମାତ୍ରାଧିକ ଘୃଣାହିଁ ପ୍ରକଟିତ ହେଉଥିଲା ।

 

ଟୋନି ମରିସନ୍‍ଙ୍କ ପିତା ଥିଲେ ଜଣେ କୁଶଳୀ ଜାହାଜ ମରାମତିଖାନାର କର୍ମଚାରୀ ଏବଂ ସିଏ ଦୀର୍ଘ ସତରବର୍ଷ ଧରି ଏକ ସମୟରେ ତିନୋଟି ଚାକିରି କରୁଥିଲେ । ତାଙ୍କର ମାତା ଥିଲେ ଜଣେ ବୁଦ୍ଧିମତୀ ଉତ୍ସାହୀ ମହିଳା ଯିଏ; ଥରେ ଆମେରିକାର ରାଷ୍ଟ୍ରପତି ରୁଜ୍‍ଭେଲ୍ଟଙ୍କ ନିକଟକୁ ଉତ୍ତମମାନର ଖାଦ୍ୟ ପାଇଁ ପତ୍ର ଲେଖି ତାହା ପାଇବାରେ ସମର୍ଥ ହୋଇଥିଲେ ।

 

ମରିସନ୍ ପଢ଼ୁଥିବା ସ୍କୁଲର ପ୍ରଥମ ଶ୍ରେଣୀରେ ସେ ଥିଲେ ଏକମାତ୍ର କୃଷ୍ଣକାୟ ଶିଶୁ ଏବଂ ସିଏହିଁ କେବଳ ପଢ଼ି ପାରୁଥିଲେ । କୈଶୋରାବସ୍ଥାରେ ହିଁ ସେ ଋଷିଆର ପ୍ରସିଦ୍ଧ ଔପନ୍ୟାସିକଙ୍କ ଲେଖା ମ୍ୟାଡାମ୍ ବୋଭାରୀ, ଜନ୍‌ ଅଷ୍ଟିନଙ୍କ ରଚନା ସମୂହ ପଢ଼ିସାରିଥିଲେ । ପରବର୍ତ୍ତୀ ସମୟର ଉପନ୍ୟାସ ରଚନା ସମୟର ଏହିସବୁ ରଚନାର ପ୍ରଭାବିତ ହୋଇଥିବାର ସେ ସ୍ୱୀକାର କରିଛନ୍ତି ।

 

ସମ୍ମାନର ସହ ସ୍କୁଲ ଶିକ୍ଷା ସମାପ୍ତିପରେ ସେ ହାୱାର୍ଡ଼ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିଥିଲେ ଏବଂ ଏହିଠାରେ ହିଁ ପିତୃଦତ୍ତ ନାମ ପରିବର୍ତ୍ତନ କରି ଟୋନି ରଖିଥିଲେ । ହାୱାର୍ଡ଼ରେ ଅଧ୍ୟୟନ କାଳରେ ମରିସନ୍ ଲିରୟେ ଜୋନ୍‍ସ ଏବଂ ଆଣ୍ଡ୍ରିୟ ୟଙ୍ଗ୍‍ଙ୍କ ସଂସ୍ପର୍ଶରେ ଆସିଥିଲେ । କର୍ଣ୍ଣେଲ ବିଶ୍ଵବିଦ୍ୟାଳୟରେ ଏମ୍. ଏ. ପଢ଼ୁଥିବା ସମୟରେ ସେ ଉଇଲିୟମ୍ ଫକନର ଓ ଭର୍ଜିନିୟା ଉଲ୍‍ଫଙ୍କ ଲେଖାରେ ଆତ୍ମହତ୍ୟାର ଚିତ୍ର ସଂପର୍କରେ ଏକ ସନ୍ଦର୍ଭ ପ୍ରସ୍ତୁତ କରିଥିଲେ । ୧୯୫୭ ମସିହାରେ ସେ ହାୱାର୍ଡ଼କୁ ଫେରି ଆସିଥିଲେ ଅଧ୍ୟାପିକା ଭାବରେ ଏବଂ ସେଠାରେ ଅଧ୍ୟାପନା କାଳରେ ହାବାର୍ଡ଼ ମରିସନ୍ ନାମକ ଜଣେ ଜାମାଇକା ନିବାସୀ ସ୍ଥପତିଙ୍କୁ ବିବାହ କରିଥିଲେ । କିନ୍ତୁ ତାଙ୍କର ଦ୍ୱିତୀୟ ସନ୍ତାନର ଜନ୍ମ ପୂର୍ବରୁ ଏହି ବିବାହର ପରିସମାପ୍ତି ଘଟିଥିଲା । ଏହାପରେ ସେ ରେନ୍ଡମ୍ ହାଉସ ପତ୍ରିକାର ସଂପାଦିକା ଭାବରେ କିଛିକାଳ କାର୍ଯ୍ୟ କରିଥିଲେ । ସେ ଟୋନି କେଡ ବାମବାରା ଓ ଗେଲ ଜୋସଙ୍କ ଲେଖା ଏବଂ ଆଙ୍ଗୋଲା ଡେଭିସ୍ ଓ ମହମ୍ମଦ ଅଲୀଙ୍କ ଆତ୍ମଜୀବନୀ ପ୍ରକାଶ କରିଥିଲେ ।

 

ନିଜ ବୈବାହିକ ଜୀବନର ଅସଫଳତା ପରେ ଟୋନି ମରିସନ୍ ଅଧିକ ନିଷ୍ଠାର ସହ ଲେଖାଲେଖୁ ଆରମ୍ଭ କଲେ ଏବଂ ୧୯୭୦ ମସିହାରେ “ଦି ବ୍ଲଏଷ୍ଟ ଆଇ’ ନାମକ ଉପନ୍ୟାସ ପ୍ରକାଶ ଲାଭକଲା । ୧୯୭୩ ମସିହାରେ ଆତ୍ମପ୍ରକାଶ କରିଥିବା ‘‘ସୁଲା’’ ତାଙ୍କୁ ଆଣିଦେଇଥିଲା ଖ୍ୟାତି, ଜାତୀୟ ଓ ଆନ୍ତର୍ଜାତୀୟ ସ୍ୱୀକୃତି ଏବଂ ଏହି ଉପନ୍ୟାସ ହିଁ ତାଙ୍କୁ ନୋବେଲ ପୁରସ୍କାର ପ୍ରାପ୍ତିର ଗୌରବରେ ଗୌରବାନ୍ୱିତ କରିଥିଲା । ‘ଦି ବ୍ଳୁଏଷ୍ଟ ଆଇ’ ପ୍ରକାଶନ ପରେ ଆମେରିକାରେ ଅଶ୍ୱେତାଙ୍ଗ ସ୍ପର ସହ ଆଉ ଏକ ନୂତନ ଓ ସଶକ୍ତ ସ୍ୱର ସାମିଲ ହୋଇଯିବାର ଚିତ୍ର ସ୍ପଷ୍ଟ ହୋଇଯାଇଥିଲା । ଶ୍ୱେତାଙ୍ଗ ସଂସ୍କୃତିର ଅନ୍ଧ ଅନୁସରଣ ଓ ଆତ୍ମସ୍ଥ କରିବା ପ୍ରୟାସରେ ଅସଫଳ କୃଷ୍ଣକାୟମାନଙ୍କ ଜୀବନଚର୍ଯ୍ୟାହିଁ ‘ଦି ବ୍ଲଏଷ୍ଟ ଆଇ’ । ଯେଉଁ ଶ୍ଵେତକାୟମାନେ କୃଷ୍ଣକାୟମାନଙ୍କୁ ହୀନ ଓ ଘୃଣ୍ୟ ଦୃଷ୍ଟିରେ ଦେଖନ୍ତି, ସେମାନଙ୍କ ସଂସ୍କୃତିରେ ଥିବା ମୂଲ୍ୟବୋଧକୁ ଅଙ୍ଗୀଭୂତ କରିନେବା ପ୍ରୟାସର ଭୟାବହତା ଏହି ଉପନ୍ୟାସର କାହାଣୀ । ଏହାର ସକଳ ଚିତ୍ର ଓ ଚରିତ୍ର ଅତି ଦୟନୀୟ ଭାବରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବର ଲୋରେନ୍ ଓହଓର ପୃଷ୍ଠଭୂମିରେ ଚିତ୍ରିତ । ଏଗାର ବର୍ଷ ବୟସର ପିକୋଲା ଦୁଇଟି ନୀଳ ନୟନ ପାଇଁ ଆଗ୍ରହୀ ହୋଇପଡ଼େ କାରଣ ସେତକ ପାଇଗଲେ ସେ ପ୍ରେମରେ ଜୟଲାଭ କରିବ ଏବଂ ଯନ୍ତ୍ରଣା ଜର୍ଜରିତ ତା’ର ପାରିବାରିକ ଜୀବନର ଦୁର୍ବିପାକ ଦୂରୀଭୂତ ହେବ । କିନ୍ତୁ ପିକୋଲାର ଦୁର୍ଭାଗ୍ୟ ଏହି ଯେ ଶ୍ୱେତକାୟ ସମାଜର ମିଥ୍ୟ ଶୂନ୍ୟଗର୍ଭ ଓ ପଙ୍କିଳ ମୂଲ୍ୟବୋଧ ମୋହଗ୍ରସ୍ତ ବିପଥଗାମୀ କୃଷ୍ଣକାୟମାନଙ୍କଠାରୁ ସେ ପାଇଛି ନାରକୀୟ ବ୍ୟବହାର; ଏମିତିକି ତା’ର ଜନ୍ମଦାତା ପିତାଙ୍କ ଦ୍ଵାରା ସେ ହୋଇଛି ଧର୍ଷିତା ।

 

କ୍ଳଡ଼ିୟା ମ୍ୟାକତିର ନାମକ ଏକ ଛୋଟ ଝିଅର ମୁହଁରେ ବର୍ଣ୍ଣିତ ଏ ଉପନ୍ୟାସର ଅଧିକାଂଶ ପୃଷ୍ଠାରେ ଉତ୍କଣ୍ଡା, ସତେଜତା ଓ ହାସ୍ୟରସର ଘଟିଛି ଅପୂର୍ବ ସମନ୍ୱୟ । ପିକୋଲାକୁ ଭଲ ପାଇବା ପରିବର୍ତ୍ତେ ତା’ର ଅସୁନ୍ଦର ରୂପ ଓ ଉତ୍କଟ ଦରିଦ୍ର୍ୟ ପାଇଁ ତାକୁ ଘୃଣା କରୁଥିବା ଯୋଗୁଁ କୃଷ୍ଣକାୟ ସମାଜକୁ ଅତ୍ୟନ୍ତ କଟୁ ସ୍ଵରରେ ଭର୍ତ୍ସନା କରିଛନ୍ତି ।

 

ମରିସନ୍‍ଙ୍କ ଦ୍ୱିତୀୟ ଉପନ୍ୟାସ ସୁଲା ଦୁଇଟି କୃଷ୍ଣାଙ୍ଗିନୀ ରମଣୀର ବ୍ୟକ୍ତିଗତ ଓ ପାରିବାରିକ ଜୀବନର ମନୋଜ୍ଞ ଓ ମର୍ମସ୍ପର୍ଶୀ ରେଖାଚିତ୍ର, ଯିଏ ସମଭାବରେ ଏକଇ ପରିବେଶରେ ଏକ ଛୋଟ ଓହିଓ ସହରରେ ନିଜର ଶୈଶବ, କୈଶୋର ଓ ପ୍ରାକ୍ ଯୌବନ ଅତିବାହିତ କରିଛନ୍ତି, ଯଦିଓ ସେମାନଙ୍କ ଜୀବନଧାରା ସମ୍ପୂର୍ଣ୍ଣ ଭାବରେ ଥିଲା ଦୁଇଟି ବିପରୀତମୁଖୀ ସ୍ରୋତସ୍ଵିନୀ ସଦୃଶ । କେତେ ସଂଘର୍ଷ ଓ ବୁଝାମଣାର ବାଲୁକା ଶଯ୍ୟାରେ ସେ ସ୍ରୋତସ୍ଵନୀର ଗତିଥିଲା ବିଚିତ୍ର ଓ ଉପଳବ୍ୟଥିତ । କେତେ ଆବେଗ, କେତେ ଅନୁଭୂତି, କେତେ ସ୍ନେହ, କେତେ ପ୍ରେମ, କେତେ ଇର୍ଷା, କେତେ ଘୃଣା, କେତେ ଲାଂଛନା, କେତେ ଅପବାଦ, କେତେ ଅପମାନ, କେତେ ରାଗ ଅନୁରାଗ ଭିତରେ ଜୀବନ ସାଗର ମନ୍ଥନରୁ ସମ୍ଭୁତ ସକଳ ଗରଳ ଓ ଅମୃତକୁ ପାନକରି ଏ ଯାବତ୍ ନିଜ ନିଜର କୁସଂସ୍କାର ଏବଂ ଅନ୍ଧବିଶ୍ୱାସରେ ବଂଚି ରହିଥିବା କୃଷ୍ଣକାୟ ସଂପ୍ରଦାୟର ପ୍ରତୀକାତ୍ମକ ଚରିତ୍ର ଏହି ଉପନ୍ୟାସର ଉଭୟ ନିଗ୍ରୋ ନାୟିକା ନୀଲ୍ ରାଇଟ୍ ଓ ସୁଲା ପିସ୍ ।

 

ନିଜ ପ୍ରକୃତିର ପାଶବିକ ଓ ଅମାର୍ଜିତ ପ୍ରବୃତ୍ତି ସକଳ ପରିତ୍ୟାଗ କରି ଏକ ସଭ୍ୟ ଜୀବନଶୈଳୀ ବରଣ କରି ନେଇଥିବା ନିଗ୍ରୋ ମହିଳା ହେଲେନ୍‌ର କନ୍ୟା ନୀଲ୍ । ହେଲେନ୍‍ର ମାତା କ୍ରିଓଲ ଏକ ଦେହ ବ୍ୟବସାୟିନୀ ଗଣିକା । ସୁତରାଂ ସେହି ଘୃଣ୍ୟ ପରିବେଶ, ଅଭିଶପ୍ତ ଯୌନଜୀବନର ଛାୟାରୁ ହେଲେନ୍‌କୁ ଦୂରେଇ ନେଇ ଆସିଥିଲେ ତା’ର ଜେଜେମା, ଯେମିତି କ୍ରିଓଲର ଆରଣ୍ୟକ ନୀଳରକ୍ତର ପ୍ରଭାବ ନପଡ଼େ ତା’ ଉପରେ । ହେଲେନ୍‍ର ବିବାହ ସଂପନ୍ନ ହୋଇଛି ଉଇଲି ରାଇଟ ନାମକ ଏକ ସାମୟିକ ନୌ-କର୍ମଚାରୀ ସହିତ । ଉଇଲି ହେଲେନ୍‌କୁ ନେଇ ଆସିଛି ନିଜ ଘର ମେଡ଼ାଲିୟାନକୁ । ବିବାହର ନବର୍ଷ ପରେ ଜନ୍ମଗ୍ରହଣ କରିଛି ନୀଳ୍-ନୀଲ୍ ରାଇଟ୍ । ନୀଲ୍ ଉତ୍ତରାଧିକାର ସୂତ୍ରରେ ପାଇଛି ହେଲେନ୍‍ର ଅପୂର୍ବ ମନୋଲୋଭା ସୌନ୍ଦର୍ଯ୍ୟ, ତା’ର ବିନୀତ ଓ ବଶମ୍ବଦ ଚରିତ୍ର ଅଥଚ ମାତାର କଠୋର ଅନୁଶାସନର ଫଳସ୍ୱରୂପ ଏକ ହୀନପ୍ରଭ ବ୍ୟକ୍ତିତ୍ୱ । ହେଲେନ୍ ରାଇଟ୍ କିନ୍ତୁ ଥିଲା ଏକ ପ୍ରଭାବଶାଳୀ ମହିଳା, ଅନ୍ତତଃ ମେଡ଼ାଲିୟାନ ସହରରେ, ଯିଏ ତା’ର କଜ୍ଜଳ କଳା କୁଂଚିତ କେଶ, କଳା ଆଖିର ଅନୁସନ୍ଧିସୁ ଜିଜ୍ଞାସା ବଳରେ ସମସ୍ତ ସାମାଜିକ ସଂଘର୍ଷରେ ନିଜର ଉପସ୍ଥିତି ଓ ବୈଧ ଇଚ୍ଛାର ଅଧିକାର ସାବ୍ୟସ୍ତ କରି ଜୟଲାଭ କରୁଥିଲା । ମେଡ଼ାଲିୟାନରେ କୌଣସି କ୍ୟାଥଲିକ ଚର୍ଚ୍ଚ ନଥିବାରୁ ହେଲେନ୍ ଏକ ରକ୍ଷଣଶୀଳ କୃଷ୍ଣକାୟମାନଙ୍କ ଚର୍ଚ୍ଚରେ ଯୋଗଦାନ କରିଥିଲା ଏବଂ ପ୍ରତିଷ୍ଠିତ ନିଗ୍ରେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହରେ ପ୍ରୀତ୍ୟୁପହାର ସଦୃଶ ଫୁଲତୋଡ଼ା ଦେବାର ପରମ୍ପରା ଆରମ୍ଭ କରିଥିଲା । କେବଳ ମାତ୍ର ଗୋଟିଏ ଯୁଦ୍ଧରେ ସେ ପରାଜିତ ହୋଇଥିଲା ଏବଂ ତାହା ଥିଲା ତା’ ନାଆଁର ଉଚ୍ଚାରଣ । କୃଷ୍ଣକାୟ ଅଧିବାସୀଗଣ ତାକୁ କେବଳ ହେଲେନ୍ ନକହି ହେଲେନ୍ ରାଇଟ୍ ବୋଲି ହିଁ ସମ୍ବୋଧନ କରୁଥିଲେ । ତା’ର ସମଗ୍ର ଜୀବନକାଳ ଥିଲା ଅତିମାତ୍ରାରେ ସନ୍ତୋଷଜନକ । ସିଏ ତା’ର ପରିବାରକୁ ଖୁବ୍ ଭଲ ପାଉଥିଲା ଏବଂ ସ୍ୱାମୀ ଓ କନ୍ୟାକୁ ଇଚ୍ଛାନୁସାରେ ପରିଚାଳିତ କରି ସନ୍ତୋଷ ଓ ଆନନ୍ଦ ଲାଭ କରୁଥିଲା । ବେଳେବେଳେ ଶୋଇବା ପୂର୍ବରୁ ଶ୍ଵସ୍ତିରେ ନିଃଶ୍ୱାସ ନେଉଥିଲା ଯେ ସନ୍‍ଡାଉନ୍ ହାଉସରୁ ସେ ପ୍ରକୃତରେ ବହୁ ବହୁ ଦୂରକୁ ଚାଲି ଆସି ପାରିଛି । ତେଣୁ ହେଲେନ୍ ଯେତେବେଳେ ହେନେରୀ ମାର୍ଟିନଠାରୁ ତା’ର ଜେଜେମା’ର ଅସୁସ୍ଥତାର ସଂବାଦ ଏବଂ କାଳବିଳମ୍ବ ନକରି ଆସିବାର ପରାମର୍ଶ ସଂପର୍କିତ ପତ୍ର ପାଇଲା ସେତେବେଳେ ତା’ ମନରେ ଏକ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ସେ ଯିବା ପାଇ ଆଦୌ ଚାହୁଁନଥିଲା, ତେବେ ତା’ର ତ୍ରାଣକର୍ତ୍ତୀ ମହିଳାକୁ ଅଦର୍ଶନର ନୀରବ ବାହାନକୁ ବି ଉପେକ୍ଷା କରି ପାରି ନଥିଲା ।

 

ସେଦିନ ଥିଲା ନଭେମ୍ବର - ନଭେମ୍ବର ୧୯୨୦ ।

 

ନାବିକ ସ୍ୱାମୀ ପାଇଁ ତା’ ଯାତ୍ରାର ସୂଚନା ଛାଡ଼ିଦେଇ ଝିଅ ନୀଲ୍ ସହିତ ବାହାରି ଯାଇଥିଲା ହେଲେନ୍ ରାଇଟ୍ । କିନ୍ତୁ ଦୁର୍ଭାଗ୍ୟ, ସେମାନେ ପହଞ୍ଚିବା ବେଳକୁ ସବୁ ଶେଷ ହୋଇ ସାରିଥିଲା । ହେଲେନ୍ ଦରଜାରେ କରାଘାତ କଲା ମାତ୍ରକେ ଏକ କଲରବିହୀନ ଶାର୍ଟ ପିନ୍ଧା ଲୋକ ଦରଜା ଖୋଲିଲା ଏବଂ ହେଲେନ୍ ଚିହ୍ନି ପାରିଲା ସିଏ ହିଁ ହେନେରୀ ମାର୍ଟିନ । ବୃଦ୍ଧାଟି ତା’ର ନାତୁଣିକୁ ଦେଖିବା କିମ୍ବା ଆଶୀର୍ବାଦ ଦେବା ପୂର୍ବରୁ ହିଁ ଇହଲୀଳା ସାଙ୍ଗ କରିଥିଲା । ମାର୍ଟିନ ବ୍ୟତୀତ ଘରେ ଆଉ କେହି ଥିବାର ମନେ ହେଲା ନାହିଁ, ତେବେ ଘର ଭିତରର ମଧୁର ସୁଗନ୍ଧରୁ ହେଲେନ୍ ଜାଣିନେଲା ଯେ ସେଠି ଆଉ କେହି ଜଣେ ରହିଛି । ହେଲେନ୍ ରୋଷେଇ ଘର ଦେଇ ଶୋଇବା ଘରକୁ ଯାଇ ପହଞ୍ଚିଲା ଯେଉଁଠି କଟିଥିଲା ତା’ ଜୀବନର ସୁଦୀର୍ଘ ଷୋହଳଟି ବସନ୍ତ । ସୁଗନ୍ଧୀର ଆମୋଦିତ ସୁରଭି ଓ ଉତ୍କଳ ମହମବତିର ଅପରୂପତାରେ ଅଭିଭୂତ ନୀଲ୍ ମାଆର ଅନୁସରଣ କଲା । ଯେତେବେଳେ ନୀଳିର ଟୋପିର ରିବନ ସାମାନ୍ୟ ହୁଗୁଳା କରିବା ପାଇଁ ହେଲେନ ନଇଁ ପଡ଼ିଲା ଠିକ୍ ସେତିକିବେଳେ ହଳଦୀ ରଂଗର ପୋଷାକ ପରିହିତା ଜଣେ ମହିଳା ପଛପଟ ବାରଣ୍ଡା ଦେଇ ବଗିଚାରୁ ଶୋଇବା ଘରେ ପ୍ରବେଶ କଲା । ସେମାନେ ପରସ୍ପରକୁ ଚାହିଁଲେ, ତେବେ କାହାରି ଆଖିରେ ପରସ୍ପରକୁ ଚିହ୍ନିବାର କୌଣସି ଚିହ୍ନ ନଥିଲା ।

 

ହେଲେନ୍ କହିଲା - ନୀଲ୍ ! ଇଏ ତୋ’ର ଜେଜେମା !

 

ନୀଲ୍ ତା’ର ମାଆର ମୁହଁକୁ ଚାହିଁଲା । ନା, ସେ ମୋର ଜେଜେମା, ଇଏ ତୋର.... ମୋର ମାଆ ।

 

ଘରର କୋଣ ଅନୁକୋଣରେ ଧୂପର ଗନ୍ଧ, ମହମବତିର ପୀତ ଅଥଚ ମ୍ଳାନ ଆଲୋକ, ପୀତବର୍ଣ୍ଣର ପୋଷାକ ଏକ ଶୋକାର୍ତ୍ତ ପରିବେଶ ସୃଷ୍ଟି କରିଥିଲା । ମହିଳାଟି ହସିଲା ଏବ ଦର୍ପଣକୁ ଚାହିଁ କହିଲା – ଇଏ କ’ଣ ତୁମର ଏକମାତ୍ର ସନ୍ତାନ ? ହିଁ - ଉତ୍ତର ଦେଲା ହେଲେନ୍ ।

 

ସୁନ୍ଦର, ଅନେକଟା ଠିକ୍ ତୁମ ପରି ।

 

ହଁ, ବର୍ତ୍ତମାନ ତାକୁ କେବଳ ଦଶବର୍ଷ ବୟସ ।

 

ଦଶ ବର୍ଷ ! ବୟସ ତୁଳନାରେ ଛୋଟ । ନୁହେଁ ?

 

ହେଲେନ୍ ସଂକୁଚିତ ହୋଇପଡ଼ି ଝିଅର ପ୍ରଶ୍ନିଳ ଆଖିକୁ ଚାହିଁଲା । ପୀତ ପୋଷାକ ପରିହିତା ମହିଳା ଜଣକ ନଇଁପଡ଼ି ନୀଲ୍‍କୁ ଡାକିଲା... ଆ ମା’ ଆ ପାଖକୁ ଆ । ହେଲେନ୍ ବାଧ୍ୟ ହୋଇ କହିଲା - ଆମକୁ ପ୍ରଥମେ ଧୂଆ ଧୋଇ ହେବାକୁହେବ । ତିନି ଦିନର ଟ୍ରେନ୍ ଯାତ୍ରାରେ ଏହାର ସୁଯୋଗ ହିଁ ମିଳିନି । ତା’ ପରେ ଝିଅକୁ ଚାହିଁ କହିଲା ସିଏ ତୋର ନାଆଁ ଜାଣିବାକୁ ଚାହାଁନ୍ତି ନୀଲି ।

 

ମାଆର ଗାଢ଼ ଗେରୁଆ ପୋଷାକରେ ମୁହଁ ଗୁଞ୍ଜି ନୀଲ୍ ତା’ର ନାଁ କହିଲା ଏବଂ ପଚାରିଲା ଆପଣଙ୍କର ?

 

ମୋର, ରାଚେଲ । ମୋତେ ଏଥର ଯିବାକୁ ହେବ । ସେ ଦର୍ପଣ ସାମ୍ନାରେ ଆସି ଠିଆ ହେଲା ଏବଂ ଅବିନ୍ୟସ୍ତ କେଶଗୁଚ୍ଛକୁ ବେକ ପଛପଟେ ବେଣୀବାନ୍ଧି କାନ ପାଖରେ ଝୁଲେଇଦେଲା-। କହିଲା- ତୁମେ ଜାଣ ଏଠି ମୋର ସାରାଦିନ କଟିଛି । ଗତକାଲି ସେ ଚାଲିଗଲେ-। ଆଗାମୀ କାଲି ତାଙ୍କର ଅନ୍ତ୍ୟେଷ୍ଟି । ହେନେରୀ ସବୁ ଦେଖାଶୁଣା କରୁଛି । ସେ ଦିଆସିଲି କାଠିଟିଏ ଜାଳି ଲିଭେଇ ଦେଲା ଏବଂ ପୋଡ଼ା କାଠିରେ ତା’ର ଭ୍ରୁଲତା କଳା କରିବାକୁ ଲାଗିଲା । ହେଲେନ୍ ଓ ନୀଲ୍ କେବଳ ତାକୁ ଚାହିଁ ରହିଲେ । ରାଚେଲ କହିବାକୁ ଲାଗିଲା - ଏ ଘରକୁ ନେଇ କ’ଣ କରିବାକୁ ହେବ ମୁଁ ଜାଣେନା ! ତୁମେ ସେ ବିଷୟରେ ଚିନ୍ତା କରିବ । ନୂତନ ଭାବରେ ରଙ୍ଗ କରିଥିବା ତା’ର ଭ୍ରୁଭଙ୍ଗୀରେ ଥିଲା ପ୍ରଶ୍ନବାଚୀ ।

 

ଶୀତଳ କଣ୍ଡରେ ହେଲେନ୍ ଉତ୍ତର ଦେଲା, ‘‘ମୁଁ ସେ ବିଷୟରେ ଭାବିବି କାହିଁକି ? ଓଃ, ନା, ମୋର କହିବା ଅର୍ଥ... ।

 

ହଠାତ୍ ସେ ନୀଲ୍‍କୁ ଟାଣି ନେଇ ତା’ର ଶ୍ଳଥ ଓ କୋମଳ ବାହୁର ସମସ୍ତ ଶକ୍ତି ଦେଇ ନିବିଡ଼ ଭାବରେ ଆଲିଙ୍ଗନ କଲା ।

 

ରୋଷେଇ ଘରେ ଆପାଦମସ୍ତକ ସାବୁନରେ ଧୁଆଧୋଇ କଲାବେଳେ ନୀଲ୍ କହିଲା, ଆଃ, କେତେ ମଧୁର ତା ଦେହର ବାସ୍ନା, କେତେ କୋମଳ ତା’ର ତ୍ୱକ ! ହେଲେନ୍ ଲୁଗା ଧୋଉଧୋଉ କହିଲା- ବହୁ ବ୍ୟବହୃତ ପଦାର୍ଥ ସବୁବେଳେ କୋମଳ ଅର୍ଥ, ମୁଁ ଜାଣେନା କହିଲା ହେଲେନ, “ମୁଁ କ୍ରିୟାଲ ସହିତ କଥାବାର୍ତ୍ତା କରେନା । ତା’ର ଓଦା ନିତମ୍ବକୁ ଚାହିଁ କହିଲା ତୁ ବି ଆଉ କରିବୁ ନାହିଁ ।’’

 

ହେଲେନ୍ ଓ ନୀଲ୍ ଯେତେବେଳେ ମେଡ଼ାଲିୟାନକୁ ଫେରି ଆସିଲେ ନିର୍ଜନ ଘର ଭିତରେ ତା’ର ଛାଡ଼ି ଯାଇଥିବା ସୂଚନାଟି ଯଥା ସ୍ଥାନରେ ଥିଲା । ହେ ଭଗବାନ୍ ! ଏଠିକି ଫେରିବାରେ ମୁଁ ଏହା ପୂର୍ବରୁ କେବେ ଏତେ ଆନନ୍ଦ ଅନୁଭବ କରିନଥିଲି, କେବେ ଭାବିନଥିଲି ଯେ ଆମେ ନିରାପଦରେ ଫେରି ଆସିଲୁ ! ନୀଲ୍ ନାଲି ଭେଲ୍‌ଭେଟର ସୋଫା ଉପରେ ବସି ମା’ର କଥା ଶୁଣୁଥିଲେ ବି ସେହି ହଳଦିଆ ପୋଷାକ ପରିହିତ ମହିଳା ଯିଏ ପୋଡ଼ା ଡିଆସିଲି କାଠି ଘଷି ଭ୍ରୁଲତାକୁ ରଂଗ କରୁଥିଲା ତା’ର ଶ୍ଳଥ ଓ କୋମଳ ବାହୁର ନିବିଡ଼ ଆଲିଙ୍ଗନ ଓ ଦେହର ମଧୁର ବାସ୍ନାକୁ ସ୍ମରଣ କରିବାକୁ ଲାଗିଲା ।

 

ରାତ୍ରିର ବିଳମ୍ବିତ ପ୍ରହରରେ ଜମାଟବନ୍ଧା ଧୂଳି ପରିଷ୍କାର କରି, ନିଆଁ ଲଗେଇ, ଥଣ୍ଡା ରାତ୍ରି ଭୋଜନ ପରେ ନୀଲ୍ ଶେଯରେ ଗଡ଼ିପଡ଼ି ତା’ର ଯାତ୍ରା ସଂପର୍କରେ ଭାବିବାକୁ ଲାଗିଲା । ଠିକ୍ ଭାବରେ ବସି ଶିଖିବା ପୂର୍ବରୁ, ତା’ର ମୋଜା ଭିତରକୁ ବୋହି ଯାଉଥିବା ପରିସ୍ରାର ଧାର, ମୃତ ମହିଳା ମୁହଁର ବିରକ୍ତି ଏବଂ ଅନ୍ତ୍ୟେଷ୍ଟିର ବାଦ୍ୟଧ୍ୱନି ପରିଷ୍କାର ଭାବରେ ମନେପଡ଼ିଲା । ଯାତ୍ରା ଯଦିଓ ଥିଲା ଆନନ୍ଦଦାୟକ ତଥାପି ଥିଲା ଭୟ ଉଦ୍ରେକକାରୀ ।

 

ଟ୍ରେନ୍ ଯାତ୍ରାକାଳରେ ନିଗ୍ରୋ ସୈନିକମାନଙ୍କର କ୍ଷୁଧାର୍ତ୍ତ ଦୃଷ୍ଟି, ଦରଜା ଉପର ହାର ଅଜଣା ରାସ୍ତା ଓ ଅପରିଚିତ ଲୋକେ ତା’ ମନରେ ଭୟ ସଂଚାର କରିଥିଲେ । କିନ୍ତୁ ଏ ଯାତ୍ରାହିଁ ତା' ଜୀବନର ଥିଲା ଅସଲ ଯାତ୍ରା ଏବଂ ଏଇନେ ସେ ସଂପୂର୍ଣ୍ଣ ଅନ୍ୟମଣିଷ । ସେ ଶେଯରୁ ଉଠି ପଡ଼ି ଦର୍ପଣରେ ମୁହଁ ଦେଖିବା ପାଇଁ ଆଲୁଅ ଲଗେଇଲା । ଦର୍ପଣରେ ପ୍ରତିବିମ୍ବିତ ହେଉଥିଲା ତା’ର ମୁହଁ, ସରଳ ଧୂସର ଦୁଇଟି ଆଖି ଏବଂ ତା’ର ମା’ ଘୃଣା କରି ଆସିଥିବା ନାକ । ସେ ଅନେକ ଅନେକ ସମୟ ଧରି ଚାହିଁଲା ଏବଂ ହଠାତ୍ ତା’ର ସର୍ବ ଶରୀରରେ ଏକ ଅଦ୍ଭୂତପୂର୍ବ ଶିହରଣ ସଂଚରିତ ହୋଇଗଲା ।

 

“ଇଏ ମୁଁ !” ସ୍ଵର୍ଗତୋକ୍ତି କଲା ନୀଲ୍ ‘ମୁଁ !”

 

ପ୍ରକୃତରେ କ’ଣ ତା’ର ଅର୍ଥ ସେ ଜାଣେନା କିନ୍ତୁ ଅନ୍ୟପକ୍ଷରେ ସେ ଅନୁଭବ କରେ, ଇଏ ମୁଁ, ସେମାନଙ୍କର କନ୍ୟା ମୁଁ ନୁହେଁ, ମୁଁ ସ୍ଵୟଂ । ପ୍ରତିଥର ମୁଁ ଶବ୍ଦ ଉଚ୍ଚାରଣ ତା’ ଭିତରେ ସୃଷ୍ଟି କରୁଥିଲା ଏକ ଅପୂର୍ବ କଂପନ, ତା’ ଭିତରେ କେନ୍ଦ୍ରୀଭୂତ ହୋଇପଡ଼ୁଥିଲା ଶକ୍ତି ସଦୃଶ, ଆନନ୍ଦ ସଦୃଶ, ଭୟ ସଦୃଶ ଅନନ୍ୟ କିଛି ଚେତନା । ତା’ର ସେହି ନୂତନ ଆବିଷ୍କାରକୁ ନେଇ ଶେଯକୁ ଫେରିଆସି ଝରକା ଦେଇ ବାହାରେ ସୁପାରି ଗଛର ଅନ୍ଧକାର ପତ୍ରକୁ ଚାହିଁ ରହିଲା ନୀଲ୍ ।

 

‘ମୁଁ ସେ ବିରକ୍ତି ପ୍ରକାଶକଲା ଏବଂ ତା’ପରେ ତଲ୍ଲୀନ ହୋଇଗଲା ନିଜ ଭିତରେ । ମୁଁ ହେବାକୁ ଚାହେଁ ଆଶ୍ଚର୍ଯ୍ୟ ଭାବରେ ସୁନ୍ଦର । ହେ ଯୀଶୁ ! ମୋତେ ସୁନ୍ଦର କରି ତୋଳ । ଯାତ୍ରାର ଅନେକାନେକ ବିଚିତ୍ର ଅନୁଭବ ତା’ ଭିତରେ ଜମାଟ ବାନ୍ଧିବାକୁ ଲାଗିଲା ଏବଂ ସେ ଶୋଇ ପଡ଼ିଲା । ସିଏହିଁ ଥିଲା ତା’ପାଇଁ ମେଡ଼ାଲିୟନ ପରିତ୍ୟାଗ କରିବାର ପ୍ରଥମ ଓ ଶେଷ ଅବସର ।

 

କିଛିଦିନ ପରେ ସେ କଳ୍ପନା କଲା ଦୂର ବହୁଦୂର କୌଣସି ଏକ ସ୍ଥାନକୁ ସେ ଏକାକୀ ଯାତ୍ରା କରିବ । ଆହା ! ସେ ଚିନ୍ତା କେତେ ମଧୁର ନଥିଲା ସତେ । ମେଡ଼ାଲିୟନ ପରିତ୍ୟାଗ କରିବାହିଁ ଥିଲା ତା’ର ଲକ୍ଷ୍ୟ କିନ୍ତୁ ସେ ଥିଲା ସୁଲା ସହିତ ସାକ୍ଷାତ କରିବାର ପୂର୍ବ ଇଚ୍ଛା ! ସୁଲାକୁ ସେ ପାଞ୍ଚବର୍ଷ ଧରି ଗାରଫିଲ୍ଡ ପ୍ରାଇମେରୀ ସ୍କୁଲରେ ଜାଣିଥିଲେ ବି ତା’ ସହିତ ପରିଚୟ ନଥିଲା କି ସେମାନେ ଏକାଠ ଖେଳୁ ନଥିଲେ କାରଣ ତାର ମା’ ତାକୁ ସୁଲା ସହ ମିଳାମିଶା ପାଇଁ ବାରଣ କରିଥିଲା । ତେବେ ଯାତ୍ରା ଅଥବା ତା’ର ନୂତନ ଆବିଷ୍କୃତ “ମୁଁ’’ତ୍ୱ ତା’ ମାଆର ବାରଣ ସତ୍ତ୍ୱେ ତାକୁ ଝିଅଟି ସହ ବନ୍ଧୁତ୍ୱ ସ୍ଥାପନର ଆତ୍ମବଳ ପ୍ରଦାନ କରିଥିଲା ।

 

ସୁଲା ପ୍ରଥମଥର ପାଇଁ ଯେଉଁଦିନ ରାଇଟ୍ ପରିବାରକୁ ଆସିଲା ହେଲେନ୍ ବେଶ୍ କୋମଳ ବ୍ୟବହାର କଲା, ତେବେ ନୀଲ୍ ପ୍ରତି ତା’ର ଦୃଷ୍ଟିରେ କୌଣସି ଶିଥିଳତା ନଥିଲା । ରାଇଟ୍ ପରିବାରର ପରିଚ୍ଛନ୍ନ ପରିବେଶରେ ସୁଲା ବେଶ୍ ଆରାମ ଅନୁଭବ କଲା ନୀଲ୍‍ର ସାହଚର୍ଯ୍ୟରେ । ତା’ର ନାଲି ଭେଲ୍‌ଭେଟର ସୋଫାରେ ସେ ପନ୍ଦର କୋଡ଼ିଏ ମିନିଟ୍ ଧରି ବସି ଗପ କଲା । ଅପରପକ୍ଷରେ ସୁଲାର ଘର କିନ୍ତୁ ଥିଲା ଭିନ୍ନ । ସେମାନଙ୍କ ଘରେ କେହି ସୁଲାକୁ ଆକଟ କରୁନଥିଲେ କି ନିର୍ଦ୍ଦେଶ ଦେଉନଥିଲେ, ଅନେକ ପ୍ରକାରର ଲୋକଙ୍କ ଅବାଧ ଯାତାୟାତ ଥିଲା ସେ ଗୃହକୁ ଏବଂ ସୁଲାର ଜେଜେମା ଇଭା ଏକ ଚାରିଚକିଆ ଗାଡ଼ିରେ ଘର ସାରା ବୁଲୁଥିଲା ମୁକୁଟହୀନ ଏକ ସାମ୍ରାଜ୍ଞୀ ପରି । ବନ୍ଧୁ ଭଡ଼ାଟିଆ ଓ ନିୟମିତ ଆସୁଥିବା ଲୋକଙ୍କୁ ସେ ନିର୍ଦ୍ଦେଶ ଦେଉଥିଲା ଅବାଧରେ ।

 

ସହରର ନଜଣ ବ୍ୟକ୍ତିଙ୍କ ଅପେକ୍ଷା କମ୍ ଲୋକ ସ୍ମରଣ ରଖିଥଲେ ଯେ ଇଭାର କେବେ ଦିଓଟି ଗୋଡ଼ ଥିଲା ଏବଂ ସେହି ନଅ ଜଣଙ୍କ ମଧ୍ୟରେ ତା’ର ବଡ଼ ଝିଅ ହାନାର ନାଆଁ ନଥିଲା । ଇଭା ନିଜେ ଚର୍ଚ୍ଚା ନକଲେ କେହି ତା’ର ଅକ୍ଷମତା ବିଷୟରେ କଥାବାର୍ତ୍ତା କରୁନଥିଲେ । ଅନେକେ ତାକୁ ଅସ୍ୱୀକାର କରିବାର ଛଳନା କରୁଥିଲେ ।

 

ତା’ର କଟା ଗୋଡ଼ ସଂପର୍କରେ ସହରରେ ଅନେକ ଗୁଜବ ଶୁଣା ଯାଉଥିଲା । କେହି କେହି କହୁଥିଲେ ତା’ର ଗୋଡ଼ ଟ୍ରେନ୍ ତଳେ କଟିଛି ତ ଅନ୍ୟ କେହି କହୁଥିଲେ ଦଶହଜାର ପାଉଣ୍ଡ ବଦଳରେ ସେ ତା’ର ଗୋଡ଼ଟିକୁ ହସପିଟାଲରେ ବିକ୍ରି କରିଦେଇଛି । ତା’ର କଟାଗୋଡ଼ର ଭାଗ୍ୟ ଯାହା ହୋଇଥାଉନା କାହିଁକି ଅନ୍ୟ ଗୋଡ଼ଟି ଥିଲା ଅତି ଚମତ୍କାର । ସେହି ଗୋଡ଼ଟିରେ ସବୁ ଋତୁରେ ସବୁ ସମୟରେ ସେ ବଳାଗଣ୍ଠି ପର୍ଯ୍ୟନ୍ତ ମୋଜା ଓ କଳାଲେସ ଲାଗିଥିବା ଜୋତା ପିନ୍ଧୁଥିଲା ।

 

ଇଭା ଭରା ଯୌବନରେ ବୟ ବୟ ନାମକ ଏକ ପୁରୁଷକୁ ବିବାହ କରିଥିଲା ଏବଂ ସେମାନଙ୍କର ତିନୋଟି ସନ୍ତାନ ଥିଲେ, ହାନା ପାର୍ଲ ଓ ପ୍ଳମ । ହାନା ଥିଲା ସବୁଠାରୁ ବଡ଼ । ପାଞ୍ଚବର୍ଷର ଦୁଃଖଦ ବୈବାହିକ ଜୀବନ ଅତିବାହିତ କଲାପରେ ବୟବୟ ଗୃହତ୍ୟାଗ କରି ଚାଲିଯାଇଥିଲା । ସେମାନେ ଏକାଠି ଥିବା ସମୟରେ ବି ସେ ଘରେ ବେଶୀ ସମୟ ନରହି ଅନ୍ୟ ସ୍ତ୍ରୀମାନଙ୍କ ସହ ଲିପ୍ତ ରହୁଥିଲା । ଯାହା ତାକୁ ଭଲ ଲାଗୁଥିଲା ସେ ସବୁହିଁ ତା’ର ଇଚ୍ଛାନୁସାରେ କରୁଥିଲା । ଯେଉଁ ତିନୋଟି ବିଷୟରେ ସେ ଆସକ୍ତ ଥିଲା ତା’ ଭିତରେ ପ୍ରଥମଥିଲା ସ୍ତ୍ରୀମାନଙ୍କ ଯୌନସମ୍ଭୋଗ, ଦ୍ୱିତୀୟ ଥିଲା ମଦ୍ୟପାନ ଓ ତୃତୀୟ ଇଭାକୁ ଅଶ୍ଳୀଳ କଟୁ ଭାଷାରେ ଗାଳିଗୁଲଜ କରିବା ।

 

ସେ ବର୍ଷ ନଭେମ୍ବରରେ ବୟବୟ ଯେତେବେଳେ ତାକୁ ଛାଡ଼ିଦେଇ ଚାଲିଗଲା ସେତେବେଳେ ସେ ଥିଲା କପର୍ଦକ ଶୂନ୍ୟ । ତାକୁ ପିଲାମାନଙ୍କର ପ୍ରୟୋଜନ ଥିଲା ଏବଂ ତା’ର ଜୀବନଧାରଣ ପାଇଁ ପ୍ରୟୋଜନ ଥିଲା ଅର୍ଥ । ଉପତ୍ୟକାରେ ସେତେବେଳେ ଖୁବ୍ କମ କୃଷ୍ଣକାୟ ଲୋକ ବସବାସ କରୁଥିଲେ ଏବଂ ସେମାନଙ୍କର ଅବସ୍ଥା ସେତେ ସ୍ୱଚ୍ଛଳ ନ ଥିଲା । ସେଠି ରହିଥିବା ଶ୍ଵେତକାୟ ଲୋକେ ବି ଚାକରାଣୀ ରଖିବା ଭଳି ଧନୀ ଅଥବା ସଂପନ୍ନ ନଥିଲେ । ସେମାନେ ଥିଲେ ଛୋଟ ବ୍ୟବସାୟୀ ଅବା କୃଷକ । ତାକୁ ଅନ୍ୟର ଗୃହକାମ କରିବା ପାଇଁ ଗଲାବେଳକୁ ସକାଳୁ ସଞ୍ଜ ଯାଏ ପିଲାଙ୍କୁ ଛାଡ଼ି ବାହାରେ ରହିବାକୁ ପଡ଼ୁଥିଲା । ଏକଦା ସେ ନିଜ ସଂପର୍କୀୟ କିଛି ଲୋକଙ୍କ ପାଖକୁ ଭର୍ଜିନିୟାଁ ଫେରିଯିବା ପାଇଁ ବି ମନସ୍ଥ କରିଥିଲା କିନ୍ତୁ ତିନିତିନିଟା ଶିଶୁଙ୍କୁ ଘୋଷାରି ନେଇ ଅନ୍ୟ କାହାର ଦ୍ୱାରସ୍ଥ ହେବା ଇଭା ପାଇଁ ମୃତ୍ୟୁର ପ୍ରଥମ ପାହାଚ ପରି ମନେହେଲା ।

 

ଦିନେ ପ୍ଳମ ଶୋଇ ପଡ଼ିବା ପରେ ରାତ୍ରିର ଅଖଣ୍ଡ ନୀରବତା ତାକୁ ପରିସ୍ଥିତି ସଂପର୍କରେ ଗଭୀର ଭାବରେ ଚିନ୍ତା କରିବାର ଅବସର ପ୍ରଦାନ କଲା । ଦୁଇଦିନ ପରେ ସେ ମିସେସ୍ ସୁଗମ୍ ନିକଟରେ ପିଲାଙ୍କୁ ଜିମା ଦେଇ ଦିନକପରେ ଫେରି ଆସିବାକୁ କହି ଚାଲିଗଲା । ‘ଇଭା ସେଇ ଯେ ଗଲା ଫେରିଲା ଦୀର୍ଘ ଅଠର ମାସ ପରେ ଆଶାବାଡ଼ିରେ ଭରା ଦେଇ ହାତରେ ଗୋଟାଏ କଳାବହି ଓ ଗୋଟିଏ ଗୋଡ଼ ନେଇ । ପ୍ରଥମେ ସେ ନିଜର ସନ୍ତାନମାନଙ୍କୁ ପୁନରୁଦ୍ଧାର କରି ମିସେସ୍ ସୁଗମ୍‍ଙ୍କୁ ଦଶ ଡଲାର ଉପହାର ଦେଇ । ଆଶ୍ଚର୍ଯ୍ୟ କରିଦେଲା ଏବଂ କାରପେଣ୍ଟର ରୋଡ଼ରେ ବୟବୟ ନିଜ ଦ୍ୱିତୀୟ ପତ୍ନୀକୁ ନେଇ ରହୁଥିବା ଏକକୋଠରି ବିଶିଷ୍ଟ କ୍ୟାବିନର ଷାଠିଏ ଫୁଟ ଦୂରରେ ନିଜର ବହୁ କୋଠରି ବିଶିଷ୍ଟ ବହୁତଳ ଗୃହର ନିର୍ମାଣ ଆରମ୍ଭ କରିଦେଲା ପ୍ଳମକୁ ଯେତେବେଳେ ତିନିବର୍ଷ ବୟସ ସେତେବେଳେ ବୟବୟ ସହରକୁ ଫେରି ଆସିଥିଲା ଏବଂ ଦିନେ ସେ ତା’ ଘରକୁ ସୌଜନ୍ୟମୂଳ ସାକ୍ଷାତ ପାଇଁ ଆସି ଉପସ୍ଥିତ ହେଲା । ସେ ଯଦିଓ ଲେମୋନେଡ଼ ପ୍ରସ୍ତୁତ କରି ତାହାକୁ ଆପ୍ୟାୟନ କଲା, ତଥାପି ତା ସହିତ ସେ କିଭଳି କଥାବାର୍ତ୍ତା କରିବ, କ’ଣ କଥାବାର୍ତ୍ତା କରିବ ତା’ର କୌଣସି ଧାରଣା ହିଁ ନଥିଲା । ସେ କାନ୍ଦିବ, ତା’ର ଗଳାକାଟିବ କିମ୍ବା ତାକୁ ପୁନରାୟ ପ୍ରେମ କରିବାକୁ କହିବ, କଳ୍ପନା କରି ପାରିଲା ନାହିଁ । ଇଭା ବୟବୟକୁ ଘୃଣା କରୁଥିଲା । ଥରେ କଥା ପ୍ରସଙ୍ଗରେ ହାନା ଯେତେବେଳେ ମାଆକୁ ଅଭିଯୋଗ କରି କହିଲା ଯେ ସେ କଳା ଲୋକଙ୍କୁ ଘୃଣା କରେ, ଇଭା ଉତ୍ତର ଦେଇଥିଲା ସେ କେବଳ ପୃଥିବୀରେ ଜଣକୁ ଘୃଣା କରେ ଏବଂ ସେ ହେଉଛି ବୟବୟ, ତା’ର ପିତା ।

 

ଇଭାର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ତା’ର ସନ୍ତାନମାନେ ବଢ଼ି ଉଠିଥିଲେ । ଚଉଦବର୍ଷ ବୟସରେ ପଲ୍ ବିବାହ କରି ମିଚିଗନ୍‍ର ଫ୍ଳିଣ୍ଟକୁ ଚାଲିଯାଇଥିଲା । ବଡ଼ଝିଅ ହାନା ବିବାହ କରିଥିଲା ହସମୁଖ ଏକ ଦିଲଦାର୍ ପୁରୁଷକୁ – ଯାହାର ନାଆଁ ଥିଲା ରେକସ୍ ଏବଂ ଯିଏ ସେମାନଙ୍କ ଝିଅ-ସୁଲାର ତିନିବର୍ଷ ବୟସ ବେଳକୁ ମୃତ୍ୟୁବରଣ କରିଥିଲା, ଫଳରେ ହାନା ତା’ର ମା ଇଭାକୁ ଓ ତାର ବିଶାଳ ଗୃହକୁ ଦେଖାଶୁଣା କରିବା ପାଇଁ ଚାଲି ଆସିଥିଲା । ଏହି ବୟସରେ ବି ଗୋଟିଏ ଗୋଡ଼ ଥିବା ସତ୍ତ୍ୱେ ଇଭାର ବହୁ ଅନୁରାଗୀ ପୁରୁଷ ବନ୍ଧୁଥିଲେ ଏବଂ ଯଦିଓ ସେ ସେମାନଙ୍କ ସହ ଦେହ-ସମ୍ଭୋଗରେ ଅଂଶଗ୍ରହଣ କରୁନଥିଲା, ତଥାପି ଲଘୁ ପରିହାସରେ ତାକୁ ଆନନ୍ଦ ଦେଉଥିଲେ ସେମାନେ ।

 

ଅପର ପକ୍ଷରେ ପୁରୁଷମାନଙ୍କ ଦୃଷ୍ଟି ଆକର୍ଷଣ ବିନା ବଂଚିବାକୁ ରାଜି ନଥିଲା ହାନା ଏବଂ ସ୍ୱାମୀର ମୃତ୍ୟୁପରେ ବାନ୍ଧବୀ ପ୍ରତିବେଶୀ ସ୍ତ୍ରୀମାନଙ୍କର ସ୍ଵାମୀମାନଙ୍କ ସହ ନିୟମିତ ଯୌନସମ୍ଭୋଗରେ ରତ ରହୁଥିଲା । ହାନୀର ସଂଗଦାନ ଥିଲା ସହଜ ଓ ଆକର୍ଷଣୀୟ ଭାବରେ ମଧୁର । ତା’ର ବେଶପୋଷାକ ଶାରୀରିକ ରୂପଚର୍ଯ୍ୟା ଓ କେଶବିନ୍ୟାସ ଉତ୍କଣ୍ଠିତ ଏବଂ ଉତ୍‌ଫୁଲ୍ଲିତ ପୁରୁଷର ଦେହବିଳାସ ନିକଟରେ ଥିଲା ଅତି ନ୍ୟୁନ ଓ ନଗଣ୍ୟ । ତା’ର ଦରହସିତ ଆଖି, ସାଦର ସମ୍ଭାଷଣ କାମାର୍ତ୍ତ ପୁରୁଷମାନଙ୍କ ପାଖରେ ଥିଲା ମାତ୍ରାତିରିକ୍ତ ସୁଖକର । ତା’ର ଇସିକାର, ଅବନମିତ କଣ୍ଠର ପ୍ରେମାଳାପ, ସହଜ ସରଳ ଭାଷାର ସାବଲୀଳ ଉଚ୍ଚାରଣ ପ୍ରେମିକ ପୁରୁଷମାନଙ୍କୁ ମୁଗ୍ଧ କରୁଥିଲା । ଦେହସଂଭୋଗ ପରେ ପୁରୁଷମାନଙ୍କୁ ସେ ଏମିତି ଏକ ପରମ ସୁଖାନୁଭୂତି ଭିତରକୁ ଟାଣି ନେଉଥିଲା ଯେ ସେମାନେ ମନେ କରୁଥିଲେ ଏକ ଯୋଗ୍ୟା ଓ ସମର୍ପିତା ନାରୀ-ଶତ୍ରୁ ସହ ସେମାନଙ୍କ ଦ୍ୱନ୍ଦ ଯୁଦ୍ଧ ଚାଲିଥିଲା ଅଦ୍ୟାବଧି । ହାନା ତା’ର ପ୍ରେମିକପୁରୁଷମାନଙ୍କ ଉପରେ କୌଣସି ଅଧିକାର ଜାହିର କରୁନଥିଲା । ତା’ର କୌଣସି ଦାବି ନଥିଲା । ସକଳ ପୁରୁଷକୁ ଅନୁଭବ କରିବାକୁ ଦେଉଥିଲା ଯେ ସେମାନଙ୍କ ପୌରୁଷ ସ୍ଵୟଂସମ୍ପୂର୍ଣ୍ଣ ଏବଂ ସଙ୍ଗଦାନ ଅପୂର୍ବ । ହାନା ତା’ର ପ୍ରତିଟି କ୍ରିୟାକଳାପରେ ପୁରୁଷକୁ ଆକର୍ଷଣ କଲାଭଳି କାମୋତ୍ତେଜକ ଅଂଗଭଂଗୀ, ପ୍ରଦର୍ଶନ କରୁଥିଲା ଏବଂ ଜାଣିଶୁଣି ତା’ର ସ୍ତନ, ନିତମ୍ବ ଜାନୁ ଓ ଅଧାଦେଶ ପ୍ରଦର୍ଶନ କରି ପୁରୁଷମାନଙ୍କୁ ସମ୍ମୋହିତ କରି ସେମାନଙ୍କ ମନରେ ଦେହଭୋଗର କାମନା ଜାଗ୍ରତ, କରୁଥିଲା ।

 

କିନ୍ତୁ ସେ ଜନାକୀର୍ଣ୍ଣ ଗୃହରେ ସ୍ଵତଃସ୍ଫୂର୍ତ୍ତ ଓ ନିରବଚ୍ଛିନ୍ନ ପ୍ରେମ ଓ ରତିକ୍ରୀଡ଼ା ପାଇଁ କୌଣସି ନିରୋଳା ସ୍ଥାନ ନଥିଲା । ଯେଉଁଠି ଯେତେବେଳେ ସୁବିଧା ସୁଯୋଗ ମିଳୁଥିଲା, ସିଏ ଗୋଦାମଘର ହେଉ କି ପରିତ୍ୟକ୍ତ ବାରଣ୍ଡା ହେଉ ନିର୍ବିଚାର ଓ ନିର୍ବିକାର ଭାବରେ ଦେହସୟୋଗରେ ମଗ୍ନ ରହୁଥିଲା । କୌଣସି ନିଛାଟିଆ ସ୍ଥାନ ଉପଲବ୍ଧ ନହେଲେ ସିଏ ତା’ର ଶୟନକକ୍ଷ ବ୍ୟବହାର କରୁଥିଲା, ତେବେ ଏହାର ବିନିଯୋଗ ଥିଲା ଏକାନ୍ତ ବ୍ୟତିକ୍ରମ, ତା’ର କାରଣ ସୁଲା ତା ସହିତ ଶୁଏ ବୋଲି ନୁହେଁ, ବରଂ ତା’ର ପ୍ରେମିକ ପୁରୁଷଗଣ ଦେହସଂଭୋଗର କ୍ଲାନ୍ତି ଅପନୋଦନ ପାଇଁ ପ୍ରାୟତଃ ଶୋଇ ଯିବାର ଉପକ୍ରମ କରନ୍ତି ବୋଲି ହାନା ଯେଉଁ ପୁରୁଷକୁ ସଂଗଦାନ କରେ ତାକୁ ଅତି ତୁଚ୍ଛ ମନେକରେ, ସୁତରାଂ ପ୍ରକୃତ ପକ୍ଷରେ ପୁରୁଷମାନଙ୍କୁ ନେଇ ତା’ର କୌଣସି ବାଛି-ବିଚାର ନଥାଏ । କେବଳ ବିଶ୍ୱସ୍ତ ଓ ସମର୍ପିତ ପୁରୁଷମାନଙ୍କୁ ସିଏ ରାତ୍ରିଯାପନର ସୁଯୋଗ ଦିଏ ତା’ ସହିତ । କାଳେ ସୁଲା ଆଖିରେ ଧରା ପଡ଼ିଯିବ ଏହି ଭୟରେ ସେ ଦିନବେଳର ପ୍ରେମନ୍ମାନଙ୍କୁ ପ୍ରଶୟ ଦିଏନା । କେବଳ ଥରେ ମାତ୍ର ସ୍କୁଲ ଫେରନ୍ତା ସୁଲା, ତା’ର ମାଆ ଅନ୍ୟ ଏକ ପୁରୁଷର ବାହୁବନ୍ଧନରେ ଖଟରେ ଶୋଇଥିବାର ଦେଖିଛି । ଭଣ୍ଡାର ଘରେ ପଶିବା ବେଳକୁ ସେମାନଙ୍କୁ ଯେଉଁ ଅବସ୍ଥାରେ ପାଇଛି ସେ ଦୃଶ୍ୟ ସୁଲାକୁ କେବଳ ପୁରୁଷ ସଙ୍ଗମର ଏକ ସୁଖମୟ ସ୍ୱପ୍ନ ଭିତରକୁ ଠେଲି ଦେଇଛି । ତା ଭିତରେ ଜାଗ୍ରତ ହୋଇଛି ଏକ ଯୌନ ଚେତନା ।

 

ହାନା କୁତ୍ସିତ ସ୍ତ୍ରୀଲୋକ ଅର୍ଥାତ୍ ଦେହକୁ ନେଇ ବ୍ୟବସାୟ କରୁଥିବା ବେଶ୍ୟାମାନଙ୍କୁ ଆଦୌ ସହ୍ୟ କରି ପାରୁନଥିଲା, ଯେଉଁମାନେ ବ୍ୟବସାୟ ପାଇଁ କଳାଲୋକଙ୍କୁ କୌଣସି ପ୍ରକାରେ ଧରିବା ପାଇଁ ବହୁକଷ୍ଟ ସ୍ୱୀକାର କରୁଥିଲେ ଏବଂ ହାନାର ଔଦାର୍ଯ୍ୟକୁ ପ୍ରତିରୋଧ କରୁଥିଲେ । ହାନା ବହୁ ପୁରୁଷାସକ୍ତ ଥିଲେବି ବେଶ୍ୟମାନଙ୍କଠାରୁ ଥିଲା ସଂପୂର୍ଣ୍ଣ ଭିନ୍ନ କାରଣ ତା’ ସଂପର୍କରେ କୌଣସି ଆସକ୍ତି ନଥିଲା ଏବଂ ଅପରକୁ ଈର୍ଷା କରିବାରେ ସେ ଥିଲା ପୂରାପୂରି ଅପାରଗ । ଅନ୍ୟ ନାରୀମାନଙ୍କ ସହ ହାନାର କ୍ଵଚିତ ବନ୍ଧୁତ୍ୱ ଥିଲା ଏବଂ ଯାହାବା ଥିଲା ତାହା ଥିଲା ଅତୀବ କ୍ଷଣସ୍ଥାୟୀ । ନବବିବାହିତ ଦମ୍ପତି ଯେଉଁମାନେ ଆଶ୍ରୟ ନେଉଥିଲେ ଇଭାର ଗୃହରେ ସେମାନେ ପ୍ରତିକୂଳ ପରିସ୍ଥିତି ସଂପର୍କରେ ଜାଣି ଯାଉଥିଲେ । କେଉଁ କେଉଁଠିତ ଏକତ୍ର ରାତ୍ରିଯାପନ ପୂର୍ବରୁ ବୈବାହିକ ସଂପର୍କ ହିଁ ତୁଟି ଯାଉଥିଲା । ନବାଗତ ବର ସହ ତା’ର ବିବାହିତା ପତ୍ନୀ ନୁହେଁ, ହାନାହିଁ ମଧୁଚନ୍ଦ୍ରିକା ଯାପନ କରୁଥିଲା । ସ୍ୱାମୀର ମୃତ୍ୟୁପରେ ହାନା ଯାହା ଚାହୁଁଥିଲା ତାହା ଥିଲା କିଛିଟା ନୂତନ ସ୍ପର୍ଶ ପର ପୁରୁଷର ।

 

ଇଭାର ପୁତ୍ର ପ୍ଳମ ଯୁଦ୍ଧକୁ ଯାଇ ତିନିବର୍ଷ ପରେ ଖ୍ରୀସମାସର ଦୁଇତିନି ଦିନ ପରେ ଫେରି ଆସିଲା ମା’ ପାଖକୁ । ସେ କି ବିଚିତ୍ର ଚେହେରା । ରୁକ୍ଷ ତୈଳହୀନ ଅନାବନା କେଶ, ମଳିନ ପୋଷାକ, ମୋଜାବିହୀନ ପାଦ । ତା’ପାଖରେ ଥିଲା ଗୋଟାଏ କଳାମୁଣି, ଗୋଟାଏ କାଗଜ ତିଆରି ବସ୍ତା ଏବଂ ମଧୁର, ମଧୁର କିଛି ହସ । ସମସ୍ତେ ତାକୁ ହାର୍ଦ୍ଦିକ ସ୍ୱାଗତ କଲେ ।

 

୧୯୨୧ର କିଛିବର୍ଷ ପୂର୍ବରୁ ଇଭା ରୋଷେଇ ଘର ପାଖ ଗୋଟିଏ ଛୋଟ କୋଠରି ଦେଇଥିଲା ଟାର ବେବିକୁ । ଟାର ବେବିଥିଲା ସୁନ୍ଦର, ସାଧାର ଓ ନୀରବ । ପ୍ରକୃତିର ଯୁବକ ଯିଏ ଖୁବ୍ ଅନୁଚ୍ଚ କଣ୍ଠରେ କଥାବାର୍ତ୍ତା କରୁଥିଲା । ଲୋକେ କହୁଥିଲେ ସେ ଅଧା ଗୋରା, କିନ୍ତୁ ଇଭାର ମତରେ ସେ ପୂରା ଶ୍ୱେତକାୟ । ପ୍ରଥମେ ସେ ଯେତେବେଳେ ମେଡ଼ାଲିୟନକୁ ଆସିଲା ଲୋକେ ତାକୁ ଡାକୁଥିଲେ ଜନି କିନ୍ତୁ ଇଭା ତାର ଦୁଧୂଆ ତ୍ୱକ ଓ ଗହମ ରଂଗର କେଶ ଦେଖି ପରିହାସ କରି ଡାକୁଥିଲା ଟାରବେବି । ସେ ଥିଲା ପାହାଡ଼ି ପିଲା ଯିଏ ଅନ୍ୟମାନଙ୍କୁ ଅବଜ୍ଞା କରି ମଦ୍ୟପାନରେ ବୁଡ଼ି ରହି ଏକାକୀ ରହୁଥିଲା । ପ୍ରଥମେ କୁକୁଡ଼ା ବଜାରରେ ସେ କାମ କରୁଥିଲା । ଦିନସାରା କୁକୁଡ଼ାମାନଙ୍କର ବେକ ମୋଡ଼ି, ସନ୍ଧ୍ୟାରେ ଘରକୁ ଫେରିଆସି ନିଦ ହେବାଯାଏ ମଦ୍ୟପାନ କରୁଥିଲା । ସେ ଚାକିରି ଚାଲିଯିବାପରେ ସକାଳୁ ଉଠି ବାହାରକୁ ଚାଲି ଯାଉଥିଲା ଏବଂ ଯାହା କାମ ପାଇଲା କରି ସନ୍ଧ୍ୟାରେ ମଦପିଇବା ପାଇଁ ଚାଲି ଆସୁଥିଲା କାରଣ ସେଥିଲା ମାତ୍ରାତିରିକ୍ତ ବେପରୁଆ, ଖାଉଥିଲା ଖୁବ୍ କମ୍ ଏବଂ ତା’ର ଅନ୍ୟ ଆବଶ୍ୟକତା କିଛି ନଥିଲା । ଟାରବେବି ଶସ୍ତା ମଦ ପିଉଥିଲା ।

 

ହାନା ତା’ପାଇଁ ବେଳେବେଳେ ବ୍ୟସ୍ତ ହେଉଥିଲା, ତେବେ ସେ ବ୍ୟସ୍ତତା ଥିଲା ଅତି ସାମାନ୍ୟ କାରଣ ଅଳ୍ପ ସମୟ ଭିତରେ ଏକଥା ସ୍ପଷ୍ଟ ହୋଇ ଯାଇଥିଲା ଯେ ଟାରବେବି ମୃତ୍ୟୁ ପାଇଁ କେବଳ ଏକ ବେସରକାରୀ ଆବଶ୍ୟକ କରୁଥିଲା, ଏକାକୀତ୍ୱ ନୁହେଁ । ଚର୍ଚ୍ଚର ପ୍ରାର୍ଥନା ସଭାରେ ସେ ଗୀତ ଗାଇବା ସମୟରେ କାନ୍ଦୁଥିଲେ ଓ ନିଜନିଜର ମୃତ୍ୟୁ ସମ୍ବନ୍ଧରେ ଚିନ୍ତା କରୁଥିଲେ ।

 

ଟାରବେବି ରହୁଥିବା କୋଠରିର ପାଖ କୋଠରିଟିରେ ପ୍ଳମର ରହିବା ବନ୍ଦୋବସ୍ତ କଲା ଇଭା । ପ୍ଳମର ଆଚାର ଆଚରଣବି ଥିଲା ଟାରବେବି ସଦୃଶ । ୧୯୨୧ର ଏକ ଗଭୀର ରାତ୍ରିରେ ଇଭା ତା’ର ଆଶାବାଡ଼ିରେ ଭରାଦେଇ ପ୍ଳମର ଶୟନ କକ୍ଷରେ ଆସି ପହଞ୍ଚଲା ଏବଂ ଶେଯରେ ବସି ସେ ତାକୁ ବାହୁରେ ତୋଳି ନେଲା । ପ୍ରଚୁର ମଦ୍ୟପାନ ଜନିତ ନିଶାରେ ସେ ଆଖି ଖୋଲି ଚାହିଁବା ପାଇଁ ଚେଷ୍ଟା କଲା ସାମାନ୍ୟ । ଇଭା ତା’ର ଉଦ୍‌ଗତ ଅଶ୍ରୁକୁ ଚାପିନେଇ ପୁନରାୟ ତାକୁ ଶେଯରେ ଶୁଆଇ ଦେଇ ଅନେକ ଅନେକ ସମୟ ଧରି ଚାହିଁ ରହିଲା ଓ ଶେଷରେ ଚାଲିଗଲା ପ୍ଳମ ଉଷୁମ ଆଲୋକର ବୃତ୍ତରେ ଶୋଇରହି ନିଶାଘୋରରେ ମା’ ମା’ ଉଚ୍ଚାରଣ କରୁଥିଲା ଅନୁଜ ଓ ଅସ୍ପଷ୍ଟ କଣ୍ଠରେ । ତା’ର ମନେହେଲା ଅପରାହ୍ନର ଆଲୋକକୁ ଯେମିତି ତା’ର ସର୍ବାଙ୍ଗରେ ସେ ଅନୁଭବ କରୁଛି ଏବଂ ସେହି ଭିଜା ଆଲୋକର ଏକ ଗଭୀର ଆକର୍ଷଣୀୟ ବାସ୍ନା ତା’ର ଗୋଡ଼ ଓ ପେଟ ଉପରେ ପହଁରି ଯାଉଛି । ପ୍ଳମ ବହୁ କଷ୍ଟରେ ଆଖି ଖୋଲି ଚାହିଁଲା ଏବଂ ଦେଖିଲା ସେ ଯାହା କଳ୍ପନା କରିଥିଲା ଠିକ୍ ସେହିପରି ବିଶାଳପକ୍ଷ ଏକ ଇଗଲ ତା’ ଉପରେ ଭିଜା ଆଲୁଅ ତକ ଅଜାଡ଼ି ଦେଉଛି । ଏହା ତା’ପକ୍ଷରେ ଥିଲା, ଏକପ୍ରକାର ଧର୍ମସଂସ୍କାର, ଏକ ପ୍ରକାର ଆଶୀର୍ବାଦ । ତା’ର ଅର୍ଥ ତା’ର ସବୁକିଛି ଶୁଭ ହେବାପାଇ ଯାଉଛି । ସେ ଆଖିବୁଜି ନିଦ୍ରାର ଏକ ଆଲୋକିତ ଗର୍ତ୍ତରେ ପୁଣି ହଜିଗଲା ।

 

ଇଭା ଗୋଟାଏ କାଠିରେ କାଗଜ ଗୁଡ଼େଇ ନିଆଁ ଲଗେଇଲା ଏବଂ ଶେଯ ଉପରକୁ ଫିଙ୍ଗି ଦେଲା ଯେଉଁଠି କିରୋସିନି ଜୁଡ଼ୁବୁଡ଼ୁ ପ୍ଳମ ଉଲ୍ଲସିତ ଆନନ୍ଦରେ ଶୋଇଥିଲା । ହୁତ୍‍ହୁତ୍ ଅଗ୍ନିଶିଖା ଯେତେବେଳେ ପ୍ଳମକୁ ଗ୍ରାସ କରିନେଲା ପୂରାପୂରି ଇଭା ଦରଜା ବନ୍ଦକରି ଧୀରପଦକ୍ଷେପରେ ନିଜ କୋଠରିକୁ ଆରମ୍ଭକଲା ତା’ର ଦୁଃଖଦ ଯାତ୍ରା । ଠିକ୍ ତୃତୀୟ ମହଲାରେ ପହଞ୍ଚିବା ବେଳକୁ ହାନା ଓ ପିଲାଙ୍କର କଣ୍ଠସ୍ୱର ସେ ଶୁଣିବାକୁ ପାଇଲା । ତା’ର ମନେହେଲା କେହି ଜଣେ ସିଡ଼ିରେ ତା’ ପଛେ ପଛେ ଦୌଡ଼ି ଆସୁଛି । ଦେଖିଲା ଦରଜା ଖୋଲି ହାନା ଅଣନିଶ୍ୱାସୀ ହୋଇ କହୁଛି ପ୍ଳମ-ପ୍ଳମ ଜଳିଯାଉଛି ମା’ । ଆମେ ତା’ର ଦରଜାବି ଖୋଲି ପାରୁନୁ ।

 

ଇଭା ହାନାର ବିସ୍ଫାରିତ ଓ ଆତଙ୍କିତ ଆଖିକୁ ଚାହିଁଲା । ଉଭୟେ କିଛି କହି ପାରିଲେ ନାହିଁ କାରଣ ପରସ୍ପରର ଚାହାଣି ହିଁ ଅନ୍ୟଜଣକ ପାଇଁ ଥିଲା ଯଥେଷ୍ଟ । ତା’ପରେ ହାନା ପାଣି ପାଇଁ କୋଳାହଳରତ ମଣିଷମାନଙ୍କ ଆଡ଼କୁ ଦୌଡ଼ିଲା ।

 

ଆଇସ୍କ୍ରୀମ୍ ପାଇଁ ପାଗଥିଲା ଅତିମାତ୍ରାରେ ଥଣ୍ଡା । ନୀଲ୍ ଓ ସୁଲା ଉପତ୍ୟକାର ଶୀତଳ ପବନ ଓ ଅନେକ ପ୍ରଶଂସିତ ଦୃଷ୍ଟିର ଉତ୍ତପ୍ତ ଆକୁଳତା ଭିତରେ ଆଗେଇ ଚାଲିଥିଲେ । ବୟସ୍କ ଲୋକେ ସେମାନଙ୍କର ଶକ୍ତ ଅଥଚ ମସୃଣ ପାଦର ଲୋଭନୀୟ ଚଞ୍ଚଳ ପଦକ୍ଷେପ ନିରୀକ୍ଷଣ କରି ଦୀର୍ଘ କୋଡ଼ିଏ ବର୍ଷ ଧରି ଅନଭ୍ୟସ୍ତ ପୁରାତନ ନୃତ୍ୟର ପଦକ୍ଷେପକୁ ସ୍ମରଣ କରୁଥିଲେ । ସେମାନଙ୍କ ବୟସର ଦୟାରେ ଚପି ରହିଥିବା କାମନା ଜାଗ୍ରତ ହୋଇ ପଡ଼ୁଥିଲା ଏବଂ ତରୁଣ ବୟସର ଅଶ୍ଳଥ ତ୍ୱକର ସ୍ୱାଦ ଅନୁଭବ କଲାପରି ସେମାନେ ସେମାନଙ୍କର ଓଠ ଚାଟୁ ଥିଲେ । ‘ଘୁଷୁରି ମାଂସ’ ଆବାଳବୃଦ୍ଧ ସମସ୍ତଙ୍କ ମୁହଁରେ ସେହି ଗୋଟିଏ ଶବ୍ଦ । ସେମାନଙ୍କ ମଧ୍ୟରୁ ତରୁଣଟିଏ ପାଟି କରି ଉଠିଲା ଏବଂ ଏହା ନିଶ୍ଚିତ ଯେ ତରୁଣ ଜଣକ ଥିଲା ଏକୋଇଶ ବର୍ଷ ବୟସ୍କ ଆଜାକ୍ସ । ନୀଲ ଓ ସୁଲା ତାଙ୍କ ପ୍ରତି ପୁରୁଷମାନଙ୍କର ଏତାଦୃଶ ଆଚରଣରେ ଆନନ୍ଦିତ ହେଉଥିଲେ ଏବଂ ସେମାନଙ୍କ ମନର ଉଲ୍ଲାସକୁ ଦୃଷ୍ଟିର ଅନ୍ତରାଳ କରିବା ପାଇଁ ଆଖି ପୋତି ଚାଲୁଥିଲେ । ଉଭୟ କିଶୋରୀ ଯେପରି ପ୍ରଥମ ସ୍ୱପ୍ନରେ ଭେଟିଥିଲେ ପରସ୍ପରକୁ । ଏଡନା ଫିନ୍‍ଚର ମିଲୋ ହାଉସ ଖୋଲିବାର ବହୁ ପୂର୍ବରୁ, ଗାରଫିଲ୍ମ ପ୍ରାଇମେରୀ ସ୍କୁଲର ଚକୋଲେଟ ହଲ ପାରିହୋଇ ସେମାନେ ଖେଳପଡ଼ିଆକୁ ଚାଲିଯାଉଥିଲେ ଏବଂ ଶୂନ୍ୟ ଦୋଳିର ଦଉଡ଼ି ଭିତର ଦେଇ ପରସ୍ପରର ମୁହାଁମୁହିଁ ଠିଆ ହୋଇ ରହୁଥିଲେ । ମଧ୍ୟାହ୍ନର ସ୍ୱପ୍ନ ଭିତରେ ସେମାନେ ପରସ୍ପର ସହ ପରିଚିତ ହୋଇ ସାରିଥିଲେ । ସେମାନଙ୍କର ଏକାକୀତ୍ୱ ସେମାନଙ୍କୁ ନିଶାଗ୍ରସ୍ତ କରି ଏମିତି ଏକ ବହୁବର୍ଣ୍ଣି ଦୃଷ୍ଟି ପ୍ରଦାନ କରିଥିଲା, ଯାହା ସେମାନଙ୍କୁ ସଦାସର୍ବଦା ଏକ ସ୍ଵପ୍ନବିଳାସୀର ଆନନ୍ଦ ଭିତରେ ମସଗୁଲ୍ କରି ରଖିଥିଲା । ନୀଲ୍ ବସି ବସି କଳ୍ପନା କରୁଥିଲା ସେ ଫୁଲଶଯ୍ୟାରେ ଶୋଇ ଶୋଇ କେଉଁ ଏକ ରାଜକୁମାରର ପ୍ରତୀକ୍ଷା କରୁଛି, ସେହିଭଳି ସୁଲା ତା’ର ଅବ୍ୟବସ୍ଥିତ ଗୃହସ୍ଥଳୀରେ ମନେମନେ ଭାବୁଥିଲା କେହି ଜଣେ ଧୂସର ଓ ଧଳା ରଂଗର ଘୋଡ଼ାରେ ଚଢ଼ି ହାତରେ ଗୋଲାପଗୁଚ୍ଛ ନେଇ ଦୃତ ଗତିରେ ତା’ ଆଡ଼କୁ ଆସୁଛି । ତେଣୁ ପ୍ରଥମେ ସେମାନେ ସେହି ଚକୋଲେଟ୍ ହଲ ଏବଂ ପରେ ଦୋଳିର ଦଉଡ଼ି ଭିତର ଦେଇ ବନ୍ଧୁତ୍ଵର ସହଜ ଆରାମପ୍ରଦ ପରିବେଶରେ ଭେଟୁଥିଲେ । କାରଣ ସେମାନେ ଉଭୟେ ଆବିଷ୍କାର କରିସାରିଥିଲେ, ନା ସେମାନେ ଶ୍ଵେତକାୟ, ନା ପୁରୁଷ ଏବଂ ସେମାନଙ୍କ ପାଇଁ ସ୍ୱାଧୀନତା ନିଷିଦ୍ଧ ଫଳସ୍ୱରୂପ । ପରସ୍ପର ସହ ସେମାନଙ୍କର ପରିଚୟ ଓ ବନ୍ଧୁତ୍ୱ ଥିଲା ସୌଭାଗ୍ୟ ସ୍ୱରୂପ କାରଣ ଏହାହିଁ ସେମାନଙ୍କୁ ବଢ଼ି ଉଠିବାରେ ସାହାଯ୍ୟ କରିଥିଲା ।

 

ନୀଲ୍ ରାଇଟ୍ ଓ ସଲାପିସ୍ ଉଭୟଙ୍କ ବୟସ ୧୯୨୨ରେ ଥିଲା ବାରବର୍ଷ ଏବଂ ସେତେବେଳେ ସେମାନଙ୍କ ବନ୍ଧୁତ୍ୱ ଥିଲା ଅତ୍ୟନ୍ତ ଗଭୀର । ସୁଲା ଅପେକ୍ଷା ନୀଲ ଥିଲା ସ୍ଥିର ଚିତ୍ତର ଓ ବଳବାନ୍ । ସ୍କୁଲ ଯିବା ରାସ୍ତାରେ ଚାରିଜଣ ଶ୍ଵେତାଙ୍ଗ ଯୁବକ ବେଳେବେଳେ ସ୍କୁଲ ଫେରନ୍ତା ଝିଅମାନଙ୍କୁ ହଇରାଣ ହରକତ କରି ଆନନ୍ଦ ଉପଭୋଗ କରୁଥିଲେ । ଯୁବକମାନେ ଥିଲେ ନବାଗତ କିଛି ଆଇରିସ ପରିବାରର ସନ୍ତାନ । ଦିନେ ସେମାନେ ନୀଲକୁ ବି ଏଭଳି ହଇରାଣ କରିଥିଲେ ଫଳରେ ନୀଲ୍ ତା’ର ସ୍କୁଲ ଯିବା ରାସ୍ତାର ଦିଗ ପରିବର୍ତ୍ତନ କରି ଦେଇଥିଲା । ନୀଲ୍ ଓ ସୁଲା ଅନେକ ଦିନ ଧରି ସେମାନଙ୍କୁ ଆଡ଼େଇ ଗଲେ କିନ୍ତୁ ହଠାତ୍ ନଭେମ୍ବରର ଏକ ଶୀତ ଦିନରେ ସୁଲା କହିଲା, ଚାଲ ଆଜି ସିଧା ରାସ୍ତାରେ ଘରକୁ ଫେରିବା । ନୀଲ୍ ରାଜି ହେଲା । ସେମାନେ କାର୍ପେଣ୍ଟର ରୋଡ଼ରେ ପହଞ୍ଚିବା ବେଳକୁ ଯୁବକଗଣ ଏକ ଅବ୍ୟବହୃତ କୁଅର ଚାନ୍ଦିନୀରେ ବସିଥିଲେ ଏବଂ ସେମାନଙ୍କ ଶିକାରକୁ ଲକ୍ଷ୍ୟ କଲା ମାତ୍ରକେ ହାତ ଧରାଧରି ହୋଇ ସେମାନଙ୍କ ରାସ୍ତା ଅବରୋଧ କରିନେଲେ । ସୁଲା ନିଜ ପକେଟରେ ହାତ ପୁରେଇ ଇଭାର ଛୁରୀଟି ବାହାରକଲା । ଯୁବକଗଣ ପରସ୍ପର ମୁହଁକୁ ଚାହିଁଲେ ଏବଂ ନିରପରାଧର ଛଳନା କରିବାକୁ ଲାଗିଲେ ।

 

ସେ ବର୍ଷର ବୈଶାଖ, ସେମାନଙ୍କର ବାରବର୍ଷ ବୟସର ବୈଶାଖ, ସୁନ୍ଦର ଓ ନିର୍ଭୀକ ହୋଇଗଲା । ଅନ୍ୟପକ୍ଷରେ ଶ୍ଵେତକାୟ ଯୁବକମାନଙ୍କର ବୈଶାଖ ହୋଇଗଲା ଭୟାର୍ତ୍ତ । ସୁଲା ପିସ୍ ଓ ନୀଲ୍ ରାଇଟ୍ ଦୁଷ୍ଟ ପ୍ରଜାପତି ପରି ଉଡ଼ି ବୁଲିବାକୁ ଲାଗିଲେ ନଦୀକୂଳ, ଅରଣ୍ୟ କାନ୍ତାର ଚାରିଆଡ଼େ । ପ୍ରଶସ୍ତ ନଦୀତଟର ସବୁଜ ଦୂର୍ବାର ଶେଯରେ, ବୃକ୍ଷର ଘନଶୀତଳ ଛାୟାରେ ଶୋଇଶୋଇ ସେମାନେ ସ୍ୱପ୍ନ ଦେଖୁଥଲେ, ନଈରେ ପହଁରୁଥିଲେ, ଖରାରେ ଦୌଡ଼ୁଥିଲେ ବେପରୁଆ । ଝାଳ ସରସର ଓଦା ଦେହରେ ପୋଷାକକୁ ଚାପି ଧରୁଥିଲା ପବନ ଆଉ ତା’ ସହିତ ସେମାନଙ୍କ ଶରୀରରେ ଭରି ଯାଇଥିଲା ଏକ ଆରଣ୍ୟକ ଶିହରଣ । ଘାସ ଉପରେ ମୁହଁମାଡ଼ି ଶୋଇଲା ବେଳକୁ ଉଭୟେ ସେମାନଙ୍କ କ୍ରମବର୍ଦ୍ଧିଷ୍ଣୁ ସ୍ତନର ଏକ ମଧୁର ଅସ୍ୱାଚ୍ଛନ୍ଦ୍ୟ ଅନୁଭବ କରୁଥିଲେ । ସେମାନଙ୍କ ବେପରୁଆ ଖେଳ ଭିତରେ ଦିନେ ସେମାନେ କାହାର ପାଦଶବ୍ଦ ଶୁଣିବାକୁ ପାଇଲେ ଏବଂ ଦେଖିଲେ ନଦୀର ତଳତଟରୁ ପିଲାଟିଏ ଆସୁଛି । ସେମାନଙ୍କୁ ଦେଖିବା ମାତ୍ରକେ ପିଲାଟି କୌତୁହଳୀ ହୋଇ ଠିଆ ହୋଇ ପଡ଼ିଲା । ସୁଲା ତାକୁ ଆଦରରେ ଡାକି କହିଲା- ଗଛ ଚଢ଼ିବୁ ? ମୁଁ ତୋତେ ସାହାଯ୍ୟ କରିବି । ପିଲାଟି ଗଛକୁ ଚାହିଁଲା ଏବଂ ଧୀରେ ଧୀରେ ତା’ ପାଖକୁ ଆସିଲା । ସୁଲା ପିଲାଟିକୁ ଗଛର ପ୍ରଥମ ଡାଳରେ ବସେଇ ଦେଇ କହିଲା - ଚଢ଼, ଚଢ଼ିଯା, ଯେତେ ଉପରକୁ ପାରୁଛୁ ଚଢ଼ିଯା । ତା ପଛେ ପଛେ ସୁଲା ଗଛ ଉପରକୁ ଚଢ଼ି ସାହାଯ୍ୟ କରିବାକୁ ଲାଗିଲା । ଯେତେ ଦୂର ସମ୍ଭବ ଉଠି ସାରିବା ପରେ ସେମାନେ ପୁଣି ତଳକୁ ଓହ୍ନେଇଲେ ।

 

ଏଥର ପିଲାଟିର ହାତଦୁଇଟି ଧରି ସୁଲା ତାକୁ ଶୂନ୍ୟରେ ବୁଲେଇବାକୁ ଲାଗିଲା । ପିଲାଟି ସୁଲା ହାତରୁ ଖସି ପାଣିରେ ପଡ଼ିବା ଯାଏ ବେଦମ ହସୁଥିଲା । ପାଣିରେ ପଡ଼ିବା ମାତ୍ରକେ ପିଲାଟି ବୁଡ଼ିଗଲା କଳା ଝିମଝିମ ଗଭୀର ଜଳର ଭଉଁରିରେ । ସୁଲା ଓ ନୀଲ ଆଶା କରିଥିଲେ ଯେ ପିଲାଟି ହସି ହସି ପୁଣି ବାହାରି ଆସିବ କିନ୍ତୁ ସେମାନଙ୍କର ଆଶା ଆଶାରେ ହିଁ ରହିଗଲା । ଦୁହେଁ ପାଣିକି ଚାହିଁ ରହିଲେ ନିର୍ବାକ ନିଃସ୍ଵନ୍ଦ ।

 

ନୀଲ୍ ପ୍ରଥମେ ସ୍ତବ୍ଧତା ଭାଙ୍ଗି କହିଲା - କେହି ଜଣେ ଆମକୁ ଲକ୍ଷ୍ୟ କରୁଛି ! ନଈ ଆର ପାରିରେ କିଛି ସମୟ ପରେ ଏକ ଛାୟାମୂର୍ତ୍ତିର ଦୃଷ୍ଟିଗୋଚର ହେଲା । ନଈ ସେ ପାରିର ଏକକ ଗୃହଟି ଥିଲା ସାଡ୍ରାକର – ଜାତୀୟ ଆତ୍ମହତ୍ୟା ଦିବସର ସ୍ରଷ୍ଟା ସାଡ୍ରାକ ।

 

ସୁଲା ନୀଲ୍‍କୁ ଚାହିଁଲା ଏବଂ ଭୟରେ ତା’ର ନାକପୁଡ଼ା ବିସ୍ଫାରିତ ହୋଇଗଲା । ସତରେ ସିଏ ଦେଖିଛି ?

 

ଜଳ ବର୍ତ୍ତମାନ କେତେ ଶାନ୍ତ ! ସୁଲା କିଛି ସମୟ ପାଇଁ ପାପୁଲିରେ ମୁହଁ ଢାଙ୍କି ନେଲା ଏବଂ ସମ୍ମୋହିତ ପରି ମୁହଁ ବୁଲେଇ ଛୋଟ ପୋଲ ପାରିହୋଇ ସାଡ୍ରାକର ଘର ଆଡ଼କୁ ଦୌଡ଼ିବାକୁ ଲାଗିଲା । ତା’ ଘରକୁ ଯିବାପାଇଁ କୌଣସି ରାସ୍ତା ନଥିଲା କିମ୍ବା ଅନ୍ୟ କେହି କେବେ ସେ ରାସ୍ତାରେ ଆସି ନଥିଲେ । ସୁଲାର ଦୌଡ଼ିବାର ଗତିଥିଲା ଦ୍ରୁତ ଓ ନିଶ୍ଚିତ କିନ୍ତୁ ସେ ଯେତେବେଳେ ବାରଣ୍ଡାକୁ ଉଠିବା ପାଇଁ ତିନୋଟି ଛୋଟ ପାହାଚ ପାଖାପାଖି ପହଞ୍ଚିଲା ତାକୁ ଭୟ ସଂପୂର୍ଣ୍ଣ ଗ୍ରାସ କରି ସାରିଥିଲା । ନଦୀରେ ନୂତନ କିଛି ହରେଇ ଥିବାର ଘଟଣାହିଁ ତାକୁ ଦରଜାରେ ମୃଦୁ ଆଘାତ କରିବାରେ ସାହାଯ୍ୟ କରିଥିଲା ।

 

ଘର ଭିତରୁ କେହି ଉତ୍ତର ଦେଲେ ନାହିଁ । ସୁଲା ଲେଉଟି ଆସିବା ପାଇଁ ଚାହିଁଲା କିନ୍ତୁ ପୁଣି ଥରେ ଘଟିଯାଇଥିବା ଦୁର୍ଘଟଣା ଏବଂ ନଦୀଜଳର ଶାନ୍ତ ସମାହିତ ରୂପ ତା’ର ମାନସପଟ୍ଟରେ ଭାସି ଉଠିଲା । ତା’ର ମନେହେଲା ଭିତରେ ଦରଜା । ସେପଟେ ତା’ ଉପରେ ଲମ୍ଫ ଦେବା ପାଇଁ ସେ ମାଂସଲୋଭୀ ପ୍ରସ୍ତୁତ ହୋଇ ରହିଛି । ଏହା ସତ୍ତ୍ଵେ ସେ ଫେରି ଯାଇ ପାରିଲା ନାହିଁ । ଆଙ୍ଗୁଠି ଟିପରେ ଯେତେ ଧୀରେ ସମ୍ଭବ ଦରଜା ଠେଲିଲା ଏବଂ କେବଳ ଶୁଣିବାକୁ ପାଇଲା କବ୍‍ଜାର କ୍ରନ୍ଦନ ଧ୍ୱନି । ନିର୍ଜନ ଘରେ ସେ ଏଇନେ ଏକାକୀ । ଘର ଭିତରର ପରିଚ୍ଛନ୍ନତା ଓ ବିନସ୍ତ୍ୟ ସାଜସଜ୍ଜା ତାକୁ ଚକିତ କଲା ଯେତିକି ତାହାଠାରୁ ବେଶୀ ଆଶ୍ଚର୍ଯ୍ୟ କଲା ତା’ର ପ୍ରଶାନ୍ତି । ସବୁକିଛି ଥିଲା ସାଧାରଣ କ୍ଷୁଦ୍ରାକୃତି ଓ ଅଭୟ । ମନେହେଲା ଏହା ଯେପରି ସାଡ୍ରାକର ଘର ନୁହେଁ । ଯିଏ ଅଶ୍ଳୀଳ ଭାବରେ ନିଜର ନିମ୍ନାଙ୍ଗ ପ୍ରଦର୍ଶନ କରି ଉଲଗ୍ନ ଅବସ୍ଥାରେ ନାରୀ ଓ ଯୁବତୀମାନଙ୍କ ଆଗରେ ନିଃସଙ୍କୋଚରେ ଚାଲିପାରେ, ଏକମାତ୍ର କୃଷ୍ଣାଙ୍ଗ ଯିଏ ଶ୍ଵେତାଙ୍ଗମାନଙ୍କୁ ଅଭିଶାପ ଦେଇ ନିଷ୍ପୃତି ପାଇପାରେ । ଯିଏ ବୋତଲରେ ମୁହଁ ଲଗେଇ ସାର୍ବଜନୀନ ମଦ୍ୟପାନ କରି ଚିତ୍କାର କରେ; ଇୟେ କ’ଣ ତା’ର କୁଟୀର - ସୁନ୍ଦର, ମଧୁମୟ ଓ ସୁସଜ୍ଜିତ । ସୁଲା ଅନେକ ଅନେକ ସମୟ ଧରି ଛୋଟ କୋଠରିଟିରେ ଠିଆ ହୋଇ ରହିଲା ଏବଂ ତା’ର ଆଶ୍ଚର୍ଯ୍ୟ କୌତୁହଳ ଭିତରେ ପାଶୋରି ଯାଇଥିଲା ତା’ର ଆଗମନର ଉଦ୍ଦେଶ୍ୟ । ହଠାତ୍ ଦରଜାରେ ଶବ୍ଦ ଶୁଣି ସେ ଚମକି ପଡ଼ି ଚାହିଁଲା ଏବଂ ଦେଖିଲା ସାଡ୍ରୀକ ଚୌକାଠରେ ହାତ ରଖି ଠିଆହୋଇଛି । ଭୟଠାରୁ ଆକୁଳତାହିଁ ତା’ର ଦୃଷ୍ଟ ଅବନତ କରିଦେଲା । ଯେତେବେଳେ ସେ ପ୍ରଭୁତ ସାହସ ସଂଚୟ କରି ଚାହିଁଲା, ଦେଖିଲା ଅର୍ଦ୍ଧ-ବୃତ୍ତାକାରରେ ହାତ ଭରା ଦେଇ ଚୌକାଠରେ ଠିଆ ହୋଇଛି । ମନକଲେ ସେହି ହାତରେ ଲୋକଟି ତାକୁ ନିର୍ମମ ଭାବରେ ହତ୍ୟା କରିପାରେ । ସୁଲା ତାକୁ ଅତିକ୍ରମକରି ଦରଜା ବାହାରକୁ ଚାଲି ଆସିଲା ଏବଂ ଅନୁଭବ କଲା ସାଡ୍ରାକର ଦୃଷ୍ଟି ତାକୁ ଅନୁସରଣ କରୁଛି । ବାରଣ୍ଡାର ଶେଷ ପ୍ରାନ୍ତରେ ତା’ ପାଖରୁ କ୍ରମଶଃ ଦୂରେ ଯାଉଥିବା ସମସ୍ତ ସାହସକୁ ସଂଚୟ କରି ସେ ପୁଣିଥରେ ପଚାରିବା ପାଇଁ ଚାହିଁଲା... ସିଏ କ’ଣ... ? ସିଏ ହସୁଥିଲା... ଏକ ଅଦ୍ଭୂତ ହସ... । ଗଭୀର କାମନାରେ ଆପ୍ଳୁତ । କେବଳ ଯାହା ସମୟର ଅପେକ୍ଷା ।

 

ସୁଲା ପାହାଚ ଅତିକ୍ରମ କରି ପ୍ରଖର ସୂର୍ଯ୍ୟ ଓ ସବୁଜିମା ଭିତର ଦେଇ ନୀଲ୍ ଓ ନଦୀର ଅନ୍ଧକାର ସ୍ଥାନକୁ ଚାଲିଆସି ଅଶ୍ରୁରେ ଭାଙ୍ଗି ପଡ଼ିଲା ।

 

ନୀଲ୍ ତାକୁ ସାନ୍ତ୍ୱନା ଦେଇ କହିଲା - ନା, ନା, ଏହା ତୋର ଦୋଷ ନୁହେଁ । ଆ, ଚାଲିଆ, ଆମେ ଚାଲିଯିବା । ସେ କିଏ କ’ଣ ଦେଖିଛି ? ପାଶୋରି ଦେ । ଆଚ୍ଛା ତୋର ବେଲ୍ଟ କାହିଁ ?

 

ସୁଲା ବେଲ୍ଟ ଖୋଜିବା ଅବସରରେ ମୁଣ୍ଡ ଟୁଙ୍ଗାରିଲା ଏବଂ ଶେଷରେ ଠିଆ ହୋଇପଡ଼ି ବାଟ କଢ଼େଇବା ପାଇଁ ନୀଲ୍‍କୁ ସୁଯୋଗ ଦେଲା ।

 

ପିଲାଟିର ଶୋକ ପାଳନ ଅବସରରେ ନୀଲ୍ ଓ ସୁଲାକୁ ପରସ୍ପରକୁ ମୋଟେ ଦେଖୁ ନଥିଲେ କି ସ୍ପର୍ଶ କରୁନଥିଲେ । ସେମାନଙ୍କ ମଧ୍ୟରେ ଯେମିତି ରହିଥିଲା ଏକ ଦୂରତ୍ୱ, ଏକ ବ୍ୟବଧାନ, ଏକ ବିଶାଳ ଶୂନ୍ୟତା । ସୁଲାର ପାଦଯୋଡ଼ିକ ପଥର ପରି ନିର୍ଜୀବ ଓ କଠିଣ ହୋଇ ପଡ଼ିଥିଲା ଏବଂ ସେ ଆଶଙ୍କା କରୁଥିଲା ପାଦ୍ରୀର ଅଙ୍ଗୁଳି ଯେକୌଣସି ମୁହୂର୍ତ୍ତରେ ତା’ ଆଡ଼କୁ ଲମ୍ବି ଆସିବ । ଯଦିଓ ସେ ଜାଣେ ଯେ ସେ କିଛି କରିନାହିଁ ତଥାପି ସେ ନିଜକୁ ଅପରାଧୀ ମନେକରୁଥିଲା ଏବଂ ନୀରବରେ କାନ୍ଦୁଥିଲା ।

 

ସମସ୍ତେ ପ୍ରାର୍ଥନାର ଭଙ୍ଗୀରେ ବସି ରହିଥିଲେ ଏବଂ ସେମାନେ କରୁଣାର ପ୍ରତିମୂର୍ତ୍ତି ଯୀଶୁଙ୍କ ଭିତରେ ସେହି ନିରପରାଧୀର ନିରୀହ ଓ କରୁଣ ଆଖିଯୋଡ଼ିକ ଦେଖୁଥିଲେ ।

 

ଜୀବନ ଓ ମୃତ୍ୟୁ ବନ୍ଦୀ ହୋଇଗଲା କଫିନ୍ ଭିତରେ । କବର ଦିଆହେଲା ଛୋଟ ଶିଶୁଟିର । କବରଖାନାର ବିଶାଳ ପ୍ରାନ୍ତରରେ ଫୁଟିଥିବା ଅନାବନା ଫୁଲରୁ ଦଳଦଳ ରଙ୍ଗୀନ ପ୍ରଜାପତି ଉଡ଼ି ବୁଲୁଥିଲେ କବର ଉପରେ ।

 

ନୀଲ ଓ ସୁଲା କବରର କିଛି ଦୂରରେ ଠିଆହୋଇଥିଲେ । ଶେଷ ହୋଇଯାଇଥିଲା । ସେମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଦୂରତ୍ୱ ଓ ଶୂନ୍ୟତା । ସେମାନେ ହାତ ଧରାଧରି ହେଲେ, ଜାଣିଲେ କେବଳ କଫିନ୍ ହିଁ ମାଟିତଳେ ପୋତାହୁଏ, ପ୍ରଫୁଲ୍ଲିତ ହସର ପାପୁଲିରେ ଅଙ୍ଗୁଳିର ଚାପ ସବୁଦିନ ପାଇଁ ମାଟି ଉପରେ ହିଁ ରହିଯାଏ ।

 

ଦିନେ ଆଉ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଲା । ହାନା ତା’ର ମାଆକୁ ପ୍ରଶ୍ନ କଲା । ମା’ ତମେ କେବେ ଆମ୍ଭମାନଙ୍କୁ ଭଲପାଇଛ ? ଇଭା ନୀରବରେ ତା’ର କଥା ଶୁଣିଲା ଓ ଝିଅକୁ ଦେଖିଲା, ପ୍ରଶ୍ନ କଲା,- ମାନେ ?

 

ଇଭାର ଇଏ ଥିଲା ସର୍ବଶେଷ ପ୍ରଶ୍ନ । ହାନା ଏଥର ତା’ର ମାଆର ଆଖିକୁ ଚାହିଁଲା । କହିଲା, ତେବେ ତୁମେ ପ୍ଳମକୁ ହତ୍ୟାକଲ କାହିଁକି ? ହାନା ମାଆର ଉତ୍ତରକୁ ଅପେକ୍ଷା କଲା ।

 

ଇଭା ଉତ୍ତର ଦେଲା ପୁଅ ଜନ୍ମକରି ତାକୁ ପାଳିପୋଷି ମଣିଷ କରିବା ଖୁବ୍ କଠିଣ ବ୍ୟାପାର । ମୁଁ ଥରେ ତାକୁ ଗର୍ଭରେ ଧାରଣ କରିଛି । ମୋର ହୃଦୟରେ ତା’ ପାଇଁ ସ୍ଥାନ ଥିଲେବି ଆଉଥରେ ପୁନର୍ଜନ୍ମ ଦେବାପାଇଁ ଗର୍ଭରେ ସ୍ଥାନ ନଥିଲା । ରାତ୍ରିରେ ଅବଶ୍ୟ ମୁଁ ମୋ କୋଠରୀରେ ଶୁଏ ଏବଂ ସେ ତା’ କୋଠରିରେ । କିନ୍ତୁ ଆଖି ବନ୍ଦ କଲାମାତ୍ରକେ ମୁଁ ଦେଖେ ଛ’ ଫୁଟ ଉଚ୍ଚର ମଣିଷଟି ମୋ କୋଠରିକୁ ଚୁପିଚୁପି ପଶି ଆସି ହସୁଛି, ଅନୁଭବ କରେ ଧୀରେ ଦରଜା ଖୋଲି ମୋ ଶେଯକୁ ଆସି ଦୁଇଗୋଡ଼ ପ୍ରସାରିତ ମୋର ଗର୍ଭାଶୟରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଛି । ସେ ଏକ ଶକ୍ତ ସମର୍ଥ ପୁରୁଷ ଶିଶୁ ନୁହେଁ । ବହୁବାର ମୁଁ ଚାହିଁଛି ସିଏ ମଣିଷ ଭଳି ବଂଚି ରହୁ । ଅଧୋଗତି ତଥା ନୈତିକ ପତନରୁ ନିବୃତ୍ତ କରିବା ପାଇଁ ବହୁ ଚେଷ୍ଟା କରିଛି । ଶେଷରେ ସ୍ଥିର କରିଛି, କିଛି ନହେଲେ ପ୍ଳମର ମଣିଷ ଭାବରେ ମୃତ୍ୟୁବରଣ କରିବା ଉଚିତ ।

 

ଇଭା ହାନାକୁ ପରିଷ୍କାର ଭାବରେ ଦେଖିପାରିଲା ନାହିଁ, ନିଜ ଆଖିର ଉଦ୍‍ଗତ ଅଶ୍ରୁ ପାଇଁ-। କୌଣସି ପ୍ରକାରେ ଚାହିଁ କ୍ଷମାଯାଚନା ଅଥବା କୈଫିୟତ ଦେବା ସଦୃଶ କହିଲା, ‘‘କିନ୍ତୁ ମୁଁ ତାକୁ ପ୍ରଥମେ ଖୁବ୍ ନିବିଡ଼ ଭାବରେ ଚାପି ଧରିଥିଲି । ସୁଇଟ ପ୍ଳମ୍ ! । ମୋର ଶିଶୁପୁତ୍ର ।

 

ବହୁ ସମୟପରେ ହାନା ବୁଲିପଡ଼ି କୋଠରିରୁ ଚାଲିଗଲା । ଇଭା ତାକୁ ବାରମ୍ବାର ଡାକିବାକୁ ଲାଗିଲା ପଛରୁ ।

 

ହାନା ରୋଷେଇ ଘରକୁ ଫେରିଆସି ରୋଷେଇ କରିବାକୁ ଲାଗିଲା ଏବଂ ଝରକା ଦେଇ ବାହାରକୁ ଚାହିଁଲା । ହଠାତ୍ ହାନାର ଆଖିରେ ତନ୍ଦ୍ରା ଘୋଟି ଆସିଲା ଏବଂ ସେ ଶୋଇବା ପାଇଁ ଚାଲିଗଲା ଏବଂ ଅସହ୍ୟ ଗରମ ଭିତରେ ସୁଲା ତାକୁ ନଉଠେଇବା ପର୍ଯ୍ୟନ୍ତ ଶୋଇ ରହିଲା । ଶୋଇଶୋଇ ସ୍ୱପ୍ନ ଦେଖିଲା ବାହାଘର ଚାଲିଛି ଏବଂ ସେଠି ବଧୂବେଶରେ ଲାଲଗାଉନ୍ ପିନ୍ଧି ବସିଛି ।

 

କିନ୍ତୁ ଦ୍ୱିତୀୟ ଅସାଧାରଣ ଘଟଣା ଘଟିବା ପୂର୍ବରୁ ଖୁବ୍ ଜୋରରେ ପବନ ବୋହି ସବୁକିଛି ଅସ୍ତବ୍ୟସ୍ତ କରିଦେଲା । ଘରର ଛପର ଉଡ଼ିଗଲା, ଗଛର ଶାଖାପ୍ରଶାଖା ଭାଙ୍ଗିଗଲା । ଲୋକେ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ବିଜୁଳିର ପ୍ରଥମ ଚମକ ଦେଖିବା ଅପେକ୍ଷାରେ ଅନିଦ୍ରା ହୋଇ ରହିଲେ-। କେହି କେହି ବର୍ଷା ପାଣି ଧରି ରଖିବା ପାଇଁ ଖାଲି ଡ୍ରମମାନ ବାହାର କରି ଆଣିଲେ ।

 

ଗୁରୁବାର ଦିନ ଯେତେବେଳେ ହାନା ଇଭାପାଇଁ ଭଜା ବିଲାତି ଓ କୋମଳ ସିଝା ଅଣ୍ଡା ନେଇ ଉପରକୁ ଆସିଲା ସେ ତା’ର ସ୍ଵପ୍ନ କଥା କହିଲା । ଇଭା ସେ କଥାରେ କୌଣସି ଗୁରୁତ୍ୱ ଦେଲା ନାହିଁ । ତା’ପରଦିନ ଇଭା ଯେତେବେଳେ ଝରକା ଦେଇ ଚାହିଁଲା, ଦେଖିଲା ହାନା, ନଇଁପଡ଼ି ଅଗଣାରେ ନିଆଁ ଜଳୁଛି । ଡ୍ରେସିଂ ଟେବୁଲ ଉପରେ ସେ ତା’ର ପାନିଆଁ ଅଳ୍ପ ସମୟପରେ ସେ ଯେତେବେଳେ ସାମାନ୍ୟ ଖୋଲାପବନ ପାଇଁ ଝରକା ନିକଟକୁ ଗଲା । ଦୃଷ୍ଟିରେ ପଡ଼ିଲା ହାନା ନିଆଁରେ ଜଳୁଛି । ସମୟ ନଷ୍ଟ ନକରି ସେ ଝରକାର କାଚଭାଙ୍ଗି ଜଳୁଥିବା ମୂର୍ତ୍ତି ଆଡ଼କୁ ଲକ୍ଷ୍ୟକରି ସେ ଡେଇଁ ପଡ଼ିଲା କିନ୍ତୁ ଲକ୍ଷ୍ୟ ସ୍ଥଳରେ ନ ପଡ଼ି ସାମାନ୍ୟ ଦୂରରେ ପଡ଼ିଲା ଏବଂ ଘୁଷୁରି ଘୁଷୁରି ହାନା ପାଖକୁ ଗଲାବେଳକୁ ସେ ନିଜେ ଚେତା ହରାଇ ସାରିଥିଲା ।

 

ମିଷ୍ଟର ଓ ମିସେସ୍ ସୁଗ୍ ସାମ୍ନାର ଅଗଣାରେ ଫଳସଂରକ୍ଷଣ ଯନ୍ତ୍ରପାତି ନେଇ ବସିଥିଲେ, ଦେଖିଲେ ହାନା ତାଙ୍କ ଆଡ଼କୁ ଦୌଡ଼ି ଆସୁଛି । କାଳବିଳମ୍ବ ନକରି ସେମାନେ ପାଣିଭର୍ତ୍ତି ଟବ୍‍ଟି ନିଆଁରେ ଜଳୁଥିବା ହାନା ଉପରେ ଅଜାଡ଼ି ଦେଲେ । ପୋଡ଼ା ମାଂସର ଗନ୍ଧରେ ସାରା ପରିବେଶ ଭରିଗଲା ।

 

ମା’ ଓ ଝିଅ ଉଭୟଙ୍କୁ ଷ୍ଟେଚରରେ ନେଇ ଏନ୍ତୁଲେନ୍ସରେ ଭର୍ତ୍ତି କରାହେଲା । ଇଭାର ଚେତନା ଥିଲେବି ମୁହଁର କ୍ଷତର ରକ୍ତ ଝରି ଆସି ଆଖି ଭରି ଯାଇଥିବାରୁ କିଛି ଦେଖିପାରୁ ନଥିଲେ ହେଁ ଅନୁଭବ କରି ପାରୁଥିଲା ପୋଡ଼ା ମାଂସର ଗନ୍ଧ ।

 

ହସ୍‌ପିଟାଲ ଯିବା ରାସ୍ତାରେ ମୃତ୍ୟୁବରଣ କଲା ହାନା । ଇଭା କୃଷ୍ଣକାୟମାନଙ୍କ ପାଇଁ ଉଦ୍ଦିଷ୍ଟ ୱାର୍ଡ଼ରେ ଶୋଇ ଶୋଇ ହାନାର ସ୍ୱପ୍ନ ସମ୍ବନ୍ଧରେ ହିଁ ଭାବୁଥିଲା । ତା’ର ମନେପଡ଼ିଲା ସବୁବେଳେ ସ୍ୱପ୍ନରେ ବିବାହାର ଅର୍ଥ ମୃତ୍ୟୁ ଓ ନାଲି ଗାଉନର ଅର୍ଥ ନିଆଁ । ଇଭାର ମନେପଡ଼ିଲା ସୁଲାକୁ ସେ ଜଳି ଯାଉଥିବା ହାନାକୁ ଚାହିଁରହି ଥିବାର ଦେଖିଛି । ନିଜ ମାଆର ଅବସ୍ଥା ଦେଖି ଅନ୍ୟ ଯେକୌଣସି ଲୋକଭଳି ସୁଲା ବୋଧହୁଏ ନିର୍ବାକ ହୋଇପଡ଼ିଥିଲା ।

 

ବୃଦ୍ଧଲୋକେ ପିଲାମାନଙ୍କ ସହ ନାଚୁଥିଲେ, ଯୁବକମାନେ ନାଚୁଥିଲେ ସେମାନଙ୍କର ଭଉଣୀମାନଙ୍କ ସହ । ନନ୍‍ମାନଙ୍କ ଆଖିରେ ଭରି ରହିଥିଲା ଆନନ୍ଦର ଜୁଆର । କେହି ଜଣେ ପ୍ରଚୁର ମଦ୍ୟ ଆଣି ଦେଇଥିଲା ଅତିଥିମାନଙ୍କ ପାଇଁ । ଏପରିକି ହେଲେନ୍ ରାଇଟ ବି ମଦ୍ୟପାତ୍ରରେ ବୁଡ଼ି ରହିଥିଲା, କାରଣ ସିଏ ଥିଲା ତା’ର ଏକମାତ୍ର ସନ୍ତାନର ବିବାହୋତ୍ସବ । ଏହି ବିବାହର ଏକ ସ୍ଵତନ୍ତ୍ର ଆକର୍ଷଣ ଥିଲା; କାରଣ ବରପାତ୍ରଟି ଥିଲା ସୁନ୍ଦର ଏବଂ ସର୍ବଜନ ପ୍ରଶଂସିତ, ଯାହାର ପ୍ରଚଣ୍ଡ ଖ୍ୟାତିଥିଲା ଯୁବତୀମାନଙ୍କ ମଧ୍ୟରେ ଏବଂ ସେମାନେ ତାକୁ ଈର୍ଷା କରୁଥିଲେ । ପୁରୁଷମାନଙ୍କର ସେ ଥିଲା ଶ୍ରଦ୍ଧାର ପାତ୍ର । ତା’ର ନାଆଁ ଥିଲା କୁଣ୍ଡେ ଗ୍ରୀନି ଏବଂ ଯାହାର ସଂଗୀତ ଶୁଣିବା ପାଇଁ ପ୍ରାର୍ଥନା ସଭାକୁ ନିୟମିତ ଆଠ ଦଶଜଣ ଯୁବତୀ ଆସୁଥିଲେ, ଯାହାଙ୍କ ଭିତରୁ ସେ ନୀଲ୍ ରାଇଟକୁ ହିଁ ପସନ୍ଦ କରିଥିଲା । ବିବାହ କରିବା ଅବଶ୍ୟ ତା’ର ଲକ୍ଷ୍ୟ ନଥିଲା, ଯଦିଓ ମେଡ଼ାଲିୟନର ଏକ ଅଭିଜାତ ହୋଟେଲ ୱେଟର ଚାକିରି ତା’ର ପିତାମାତା ଓ ଅନ୍ୟ ସାତଟି ସନ୍ତାନଙ୍କ ପାଇଁ ଥିଲା ଆଶୀର୍ବାଦ, ଅନ୍ୟ ଏକ ସ୍ତ୍ରୀର ଭରଣପୋଷଣ ପାଇଁ ପ୍ରଚୁର ନଥିଲା ।

 

ସହରରେ ଯେଉଁଦିନ ନଦୀ ପର୍ଯ୍ୟନ୍ତ ସଂଯୋଗକାରୀ ରାସ୍ତା ଓ ପୋଲ ନିର୍ମାଣ କଥା ପ୍ରଚାରିତ ହେଲା ସେହି ଦିନହିଁ ସେ ବିବାହର ପ୍ରଥମ ବାଢ଼ିଥିଲା, କାରଣ ଆଶା କରିଥିଲା ଯେ ନିଜକୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରି ପ୍ରଚୁର ଅର୍ଥ ଉପାର୍ଜନ କରିପାରିବ । ସେ ଚାହୁଁଥିଲା କେହି ଜଣେ ତାକୁ ଅତି ଆପଣାର କରୁ, ତା’ର ଜୈବିକ କ୍ଷୁଧାକୁ ତୃପ୍ତ କରୁ, ତା’ର ପୁରୁଷତ୍ୱକୁ ସ୍ୱୀକାର କରୁ ଏବଂ ତା’ର ସମଗ୍ର ସ୍ୱପ୍ନ, ପରିକଳ୍ପନା ଓ ଆକାଂକ୍ଷାକୁ ସଫଳ କରୁ ।

 

ବିବାହ ସଂପର୍କରେ ସେ ଯେତେ ଚିନ୍ତା କରୁଥିଲା ତାହା ତା’ ନିକଟରେ ସେତିକି ଆକର୍ଷଣୀୟ ହୋଇ ଉଠୁଥିଲା । ସେ ଯାହା ହେଉ ନା କାହିଁକି ସିଏ ଏମିତି ଏକ ସ୍ତ୍ରୀ ଚାହୁଁଥିଲା ଯିଏ ହୋଇଥିବ ପରିଶ୍ରମୀ ଓ ମଧୁର, ସମର୍ପିତ ଓ ବିଶ୍ୱାସୀ ଏବଂ ତା’ର ପ୍ରତିଦାନରେ ସେ ତାକୁ ଦେବ ଆଶ୍ରୟ, ପ୍ରେମ କରିବ, ତା’ ସହିତ ଏକତ୍ର ବଢ଼ିବ ବୟସରେ । ସେ ହେବ ଏକ ଗୃହର ସର୍ବମୟ କର୍ତ୍ତା । ତା’ର ସ୍ୱପ୍ନଭଂଗର ଭୟ ବେଳେବେଳେ ତାକୁ ହତାଶ କରୁଥିଲା । ଏହି ହତାଶା ଓ ଯନ୍ତ୍ରଣାକୁ ନୀଲ୍ ଅନୁଭବ କଲା ତା ମନରୁ ପୂରାପୂରି ଅପସରି ଗଲା ବିବାହ ପ୍ରତି ଅମନୋଯୋଗିତା । ନୀଲ୍ ପ୍ରକୃତରେ ତାକୁ ସାହାଯ୍ୟ କରିବାକୁ ଚାହୁଁଥିଲା, ଚାହୁଁଥିଲା ତାକୁ ସାନ୍ତ୍ର୍ୱନା ଦେଇ ତା’ର ଦୁଃଖ ଲାଘବ କରିବା ପାଇଁ । ଆଜାକ୍ସ କିନ୍ତୁ କହୁଥିଲା - ସେମାନେ, ଚାହାନ୍ତି କେବଳ ଏକ ପୌରୁଷଦୀପ୍ତ ପୁରୁଷ, ନିଜସ୍ୱ ଦୈନ୍ୟ ଯାହା ପାଇଁ ନିଜକୁ ବଳିଦେଇ ମୃତ୍ୟୁପାଇଁ ପ୍ରସ୍ତୁତ ରହନ୍ତି । ସମଗ୍ର ଜୀବନକାଳ ଧରି ।

 

ନୀଲ୍ ସମ୍ବନ୍ଧରେ ଆଜାକ୍ସ ଧାରଣା ଥିଲା ଏକାନ୍ତ ସତ୍ୟ । ସୁଲା ସହିତ ସାମୟିକ ନେତାଗିରୀ କରିବା ବ୍ୟତୀତ ତା’ର ସ୍ୱଭାବ ଆଦୌ ଆକ୍ରମକ ନଥିଲା । ତା’ର ଅନ୍ତର୍ନିହିତ ଅଗ୍ନିକଣାକୁ ତା’ର ମାତା କଠୋର ସଂଯମ ଓ ଶୃଙ୍ଖଳ ମଧ୍ୟରେ ନିର୍ବାପିତ କରିଦେଇଥିଲେ । କେବଳ ସୁଲା ସହିତ ବ୍ୟବହାରରେ ନୀଲ୍‍ ଥିଲା ମୁକ୍ତ ଓ ଅବାଧ, ସାମାନ୍ୟ ସ୍ଵେଚ୍ଛାଚାରର ରାଜତ୍ଵ ଥିଲା ସେଠାରେ । ସୁଲା ସହିତ ତା’ର ବନ୍ଧୁତ୍ଵ ଏତେ ନିବିଡ଼ ଥିଲା ଯେ ସେମାନେ ନିଜେ ଜଣକର ଚିନ୍ତାରୁ ଅନ୍ୟ ଜଣକର ପାର୍ଥକ୍ୟ ବୁଝିବାରେ କଷ୍ଟ ଅନୁଭବ କରୁଥିଲେ ।

 

ଯେତେବେଳେ ଜୁଡ଼େ ତା’ପଛରେ ଘୂରାଘୂରି ଆରମ୍ଭ କଲା - ନୀଲ୍ ନିଜକୁ ଅତି ଅନୁଗୃହୀତ ମନେକଲା, କାରଣ ଏକାଧିକ ଯୁବତୀ ତାକୁ ଭଲ ପାଉଥିଲେ । ସୁଲା ଏ ଘଟଣାରେ ଆନନ୍ଦିତ ହେଉଥିଲା କାରଣ ସେ ଚାହୁଁଥିଲା ନୀଲ୍ ସବୁବେଳେ ଜିତାପଟ ହାସଲ କରୁ । ସେ ଦୁହେଁ ଯୁବକମାନଙ୍କୁ ନେଇ ଅନ୍ୟ ଯୁବତୀମାନେ ପରସ୍ପର ସହ କଳି ପ୍ରତିଦ୍ୱନ୍ଦିତା କଲାପରି ଆଦୌ କରୁନଥିଲେ ସୁଲା ଏହି ବିବାହରେ କମ୍ ଉତ୍ସାହିତ ନଥିଲା ।

 

ନୀଲ୍ ପାରମ୍ପରିକ ରୀତିରେ ବିବାହ କରି, ବସବାସ କରି ନିଜ ପରିବାର ସହ ରହିଗଲା ମେଡ଼ାଲିୟାନରେ । ସୁଲାର ଚରିତ୍ର କିନ୍ତୁଥିଲା ସଂପୂର୍ଣ୍ଣ ଭିନ୍ନ । ନୀଲ୍ ଜୀବନରେ ଯାହାକିଛି ଅଙ୍ଗୀକାର କରିଥିଲା, ସେ ସବୁକୁ ଅସ୍ୱୀକାର କରିଥିଲା ସୁଲା । ଯେତେବେଳେ ମାଆ ହାନା ବାନ୍ଧବୀମାନଙ୍କୁ କହୁଥିବାର ଶୁଣିଲା ଯେ ସେ ସୁଲାକୁ ଭଲପାଆନ୍ତି କିନ୍ତୁ ପସନ୍ଦ କରନ୍ତି ନାହିଁ ସେତେବେଳେ ତା’ ଜୀବନର ଶୃଙ୍ଖଳାର ଧାର ଶିଥିଳ ହୋଇଗଲା । ସୁଲା ଚାଲିଗଲା ସହରକୁ ।

 

ଦିନେ କିନ୍ତୁ ଗାୟକ ପକ୍ଷୀର ମହାମାରୀ ସଙ୍ଗରେ ନେଇ ମେଡ଼ାଲିୟନକୁ ଫେରି ଆସିଲା ସୁଲା । କେହି ଜାଣି ନଥିଲେ କାହିଁକି ଓ କେଉଁଠୁ ଆସିଥିଲେ ଏ ଗାୟକ ପକ୍ଷୀର କାଫିଲା, ସେମାନେ କେବଳ ଜାଣିଥିଲେ ଯେ ସେମାନଙ୍କ ମୁକ୍ତାବତ୍ ଡେଣାରେ ପାଦ ନଦେଇ ଅନ୍ୟତ୍ର ଯିବା ଅସମ୍ଭବ ସେମାନଙ୍କ ପକ୍ଷରେ ।

 

ଯଦିଓ ମେଡ଼ାଲିୟାନର ଅଧିକାଂଶ ଲୋକ, ଆକାଶ, ମେଘ ଓ ଝାଙ୍କେ ପାରାବତରେ ଦୁଇଘଣ୍ଟା ବ୍ୟାପୀ ଅନ୍ଧକାର ହୋଇଯିବା ଘଟଣାକୁ ଓ ସମୟକୁ ସ୍ମରଣ ରଖିଥିଲେ ଏବଂ ଯଦିଓ ସେମାନେ ଅତ୍ୟଧିକ ତାପ, ଅତ୍ୟଧିକ ଥଣ୍ଡା, ଅତ୍ୟଳ୍ପ ବର୍ଷା, ବଢ଼ି ପ୍ରଭୃତି ପ୍ରକୃତିର ଆତିଶଯ୍ୟ ସହ ଅଭ୍ୟସ୍ତ ଥିଲେ, ତଥାପି ଅପେକ୍ଷାକୃତ ନଗଣ୍ୟ ଘଟଣାମାନ ସେମାନଙ୍କ ଜୀବନର ମୁଖ୍ୟସ୍ଥାନ ଅଧିକାର କରିଥିଲା ।

 

ସେମାନଙ୍କ ଭୟ ସତ୍ତ୍ୱେ ସେମାନେ ଏହି ଅସାଧାରଣ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ, ଯାହାକୁ ସେମାନେ କହୁଥିଲେ ଦୁଃସମୟ । ସେମାନେ ଅନୁଭବ କରୁଥିଲେ ଏଭଳି ଦୁର୍ଭାଗ୍ୟରୁ ଦୂରେଇ ରହିବା ଏବଂ ତହଁରୁ ନିଜକୁ ରକ୍ଷା କରିବା ପାଇଁ ବସ୍ତୁତଃ ସାବଧାନ ରହିବା ଉଚିତ । କାରଣ ସେମାନଙ୍କର ବିଶ୍ୱାସ ନଥିଲା ଯେ ଡାକ୍ତର ସେମାନଙ୍କୁ ଆରୋଗ୍ୟ କରି ପାରିବ, ସେମାନେ ବିଶ୍ୱାସ କରୁନଥିଲେ ଯେ ମୃତ୍ୟୁ ଆକସ୍ମିକ – ଜୀବନ ହେଲେ ହୋଇପାରେ କିନ୍ତୁ ମୃତ୍ୟୁ ସୁବିବେଚିତ, ପ୍ରକୃତି ସଦାସର୍ବଦା ପ୍ରତିକୂଳ । ମହାମାରୀ ଓ ଦୁର୍ଭିକ୍ଷ ବସନ୍ତକାଳ ଭଳି ହିଁ ପ୍ରାକୃତିକ ।

 

ସୁଲା ମୃତ ଗାୟକପକ୍ଷୀମାନଙ୍କ ଉପରେ ପାଦଥୋଇ ସିନସିନାଟି ସେତୁ ପାରି ହୋଇ ଉପତ୍ୟକାକୁ ଆରୋହଣ କରିବା ପାଇଁ ଆରମ୍ଭ କଲା । କେହି କେବେ ଦେଖିନଥିବା ଅଭିନେତ୍ରୀର ରଙ୍ଗବେରଙ୍ଗ ପୋଷାକ ଥିଲା ତା’ର ଦେହରେ । କାରପେଣ୍ଟ ରୋଡ଼ ଦେଇ ଚାଲିଗଲା ବେଳେ ଅନେକ କୌତୁହଳୀ ଦୃଷ୍ଟି ଆସି ପଡ଼ି ଥିଲା ତା’ ଉପରେ । ବୃଦ୍ଧମାନେ ବାରଣ୍ଡାରେ ବସି ରହି ଏବଂ ଅନ୍ୟମାନେ ଝରକା ଅନ୍ତରାଳରେ ଠିଆ ହୋଇ ତାକୁ ଉଙ୍କି ମାରୁଥିଲେ ।

 

ସୁଲା ଘରେ ପହଞ୍ଚିବା ବେଳକୁ ଚାରିଟି ମୃତପକ୍ଷୀ ରାସ୍ତା ଉପରେ ପଡ଼ିଥିଲେ । ତାକୁ ଆଙ୍ଗୁଠି ଟିପରେ ଘାସପଡ଼ିଆକୁ ଠେଲି ଦେଇ ସେ ଘର ଭିତରକୁ ପଶିଲା । ଜେଜେମା ଇଭାର ବିଗତ ଦିନର ଅପକର୍ମ ପାଇଁ ତା ପ୍ରତି ତା’ ଭିତରେ ଭରି ରହିଥିଲା ପ୍ରଚଣ୍ଡ ଘୃଣା, ଅବଜ୍ଞା ଓ ଉପେକ୍ଷା । ଦୀର୍ଘ ଦିନପରେ ଫେରିଆସିଛି ନୀଲ୍‍ର ବାଲ୍ୟସଂଗିନୀ ସୁଲା । ସେ ଯେପରି ଫେରିପାଇଛି ପରଳମୁକ୍ତ ଏକ ଆଖି । ତା’ର ପୁରାତନ ବାନ୍ଧବୀ ସୁଲା ଯିଏ ତାକୁ ହସେଇଛି । ପୁରାତନ ଜିନିଷକୁ ନୂତନ ଦୃଷ୍ଟିଭଙ୍ଗୀରେ ଦେଖିବା ପାଇଁ ଶିଖାଇଛି, ଯାହାର ଉପସ୍ଥିତିରେ ସେ ନିଜକୁ ମନେକରିଛି ଚତୁର ଓ ଭଦ୍ର । ସୁଲା ତା’ ସହିତ କେବେ ପ୍ରତିଦ୍ୱନ୍ଦିତା କରିନାହିଁ ବରଂ ଅନ୍ୟମାନଙ୍କୁ ଉପଯୁକ୍ତ ଭାବରେ ବ୍ୟାଖ୍ୟା କରିବାକୁ ସାହାଯ୍ୟ କରିଛି । ଏପରିକି ଜୁଡ଼େ ପ୍ରତି ତା’ ହୃଦୟରେ ବୁଣାହୋଇ ରହିଥିବା ଧୂସର ବୁଢ଼ିଆଣୀ ଜାଲକୁ ଆହୁରି ଉଜ୍ଜ୍ଵଳ ଓ ସହଜ ଅନୁରାଗରେ ଆପ୍ଳୁତ କରିଛି ।

 

ସୁଲା ଦିନେ ଅପରାହ୍ଣରେ ନୀଲ୍ ପାଖକୁ ଆସିଲା ଏବଂ ବିଗତ ଦିନମାନଙ୍କ ପରି ପରଦା ଆଡ଼େଇ ଘର ଭିତରକୁ ପଶି, ଚୌକି ଉପରୁ ଇସ୍ତ୍ରୀକରା ଲୁଗାତକ ଆଡ଼େଇ ବସିପଡ଼ିଲା । ନୀଲ୍ର ଚକ୍ଷୁରେ ଭରିଗଲା ବହୁଦିନପରେ ବାଲ୍ୟସଂଗିନୀକୁ ପାଇବାର ଆନନ୍ଦାଶ୍ରୁ । ସେ ସୁଲା ରହିଥିବା ସହର କଥା ପଚାରିଲା ।

 

ସୁଲା କହିଲା ବଡ଼ ସହର ।...ମାନେ ବଡ଼ ମେଡ଼ାଲିୟନ୍ ନା, ନା, ମୁଁ ଜୀବନକଥା କହୁଛି, ନାଇଟକ୍ଳବ, ପାର୍ଟି ?

 

ମୁଁ କଲେଜରେ ଥିଲି ନୀଲୀ - କ୍ୟାମ୍ପସରେ ନାଇଟକ୍ଳବ ନଥାଏ । କ୍ୟାମ୍ପସ୍; ସେ ପୁଣି କ’ଣ !... ଦୀର୍ଘ ଦଶବର୍ଷ ଧରି ଚିଠି ନାହିଁ, ପତ୍ରନାହିଁ ? ତୁ ବି ତ ଲେଖିନୁ ।

 

କେଉଁଠିକି ଲେଖନ୍ତି ? ମୁଁ କେବଳ ଜାଣେ ଯେ ତୁ ନାଶ୍‍ଭିଲେରେ ଅଛୁ । ଥରେ ଦି’ଥର ମୁଁ ତୋ’ର ଜେଜେମା’କୁ ପଚାରିଥିଲି ।

 

କ’ଣ କହିଲା ସେ ?

 

ମୁଁ ତା’ କଥାର କୌଣସି ଅର୍ଥ ଖୋଜି ପାଇଲି ନାହିଁ । ହସ୍‌ପିଟାଲରୁ ଫେରିବା ପରେ ସେ କେମିତି ଦୁର୍ବୋଧ୍ୟ ମନେହେଉଛି । ଆଚ୍ଛା ସେ ଏଇନେ କେମିତି ଅଛି ?

 

ମୁଁ ତାକୁ ବୃଦ୍ଧାଶ୍ରମରେ ଭର୍ତ୍ତି କରିଦେଇଛି ।

 

ତୁ ଭଲ କରିନୁ ସୁଲା । ଯାହାହେଲେ ବି ତୋର ଜେଜେମା ! ତୁ ତାକୁ ଜାଣିନୁ ନୀଲ୍ । ସେ ପ୍ଳମକୁ ନିଆଁରେ ପୋଡ଼ି ମାରିଥିବା କଥା ତୁ ଜାଣିଛୁ ?

 

ବହୁଦିନତଳେ କେବଳ ଶୁଣିଛି ।

 

ସୁଲାର ଆଗମନପରେ ନୀଲ୍‍ର ହସଖୁସିର ଦିନଗୁଡ଼ିକ କିନ୍ତୁ ବେଶୀ ଦିନ ସ୍ଥାୟୀ ହୋଇ ପାରିଲା ନାହିଁ । ସୁଲା ତା’ର ସ୍ୱାମୀକୁ ତା’ ଆଡ଼କୁ ଆକର୍ଷିତ କରି ତା’ ଜୀବନରେ ଭରିଦେଲା ବିଷଜ୍ୱାଳା ।

 

ଇଭାକୁ ବୃଦ୍ଧାଶ୍ରମରେ ଭର୍ତ୍ତିକରିବା ଏବଂ ତା’ର ପ୍ରିୟବାନ୍ଧବୀ ନୀଲ୍‍ର ସ୍ୱାମୀଙ୍କୁ ଅନ୍ୟ ପୁରୁଷଙ୍କ ପରି ପ୍ରତାରିତ କରିଥିବା ସଂବାଦରେ ଉପତ୍ୟକାରେ ପ୍ରଚାରିତ ହେଲା ଯେ ସୁଲା ଏକ କୁତ୍ସିତ ବାରାଙ୍ଗନା । ସେ ଶ୍ୱେତାଙ୍ଗମାନଙ୍କ ସହ ରାତ୍ରିଯାପନ କରୁଛି । ଏହାଠାରୁ ବଡ଼ ହୀନ ଓ କୁତ୍ସିତ କାର୍ଯ୍ୟ ଜଣେ କୃଷ୍ଣାଙ୍ଗିନୀ ପକ୍ଷରେ ଆଉ କିଛି ନାହିଁ । ସୁଲା କିନ୍ତୁ କୌଣସି ପ୍ରକାର କୁତ୍ସା କିମ୍ବା ଗୁଜବରେ କାନ ଦେଇନଥିଲା କି ପ୍ରତିବାଦ କରୁନଥିଲା । ତେଣୁ ଉପତ୍ୟକାର ଲୋକେ ସହରର ଅନ୍ୟ ଦେହଜୀବୀମାନଙ୍କ ଅପେକ୍ଷା ତାକୁ ନିବିଡ଼ ଭାବରେ ନିରୀକ୍ଷଣ କରୁଥିଲେ ଏବଂ ସେମାନେ ବିଶ୍ୱାସ କରୁଥିଲେ ଯେ ସୁଲା ସେମାନଙ୍କ ଈଶ୍ୱରକୁ ଉପହାସ କରୁଛି । ସ୍ତ୍ରୀଲୋକଙ୍କ ମନରେ ବି ସୁଲା କ୍ରୋଧର ସଂଚାର କରୁଥିଲା କାରଣ ତାଙ୍କ ସ୍ୱାମୀମାନଙ୍କୁ ପ୍ରଲୁବ୍ଧ କରି ଦେହ ସଂଭୋଗର କାମନାକୁ ଚରିତାର୍ଥ କରୁଥିଲା ଏବଂ ସଂଭୋଗପରେ ଉଚ୍ଚିଷ୍ଟ ପରି ସେମାନଙ୍କୁ ପରିତ୍ୟାଗ କରୁଥିଲା ବିନା କୌଣସି କାଣରେ ଇତର ଭଳି ଉପେକ୍ଷା କରୁଥିଲା । ତେଣୁ ସ୍ତ୍ରୀଲୋକେ ନିଜନିଜ ବିଚାରକୁ ତର୍କ ସଂଗତ କରିବା ପାଇଁ ନିଜର ପୁରୁଷମାନଙ୍କୁ ସୁଲାର ଗର୍ବ ଓ ଅହଙ୍କାରକୁ ଚୂର୍ଣ୍ଣ କରିବାପାଇଁ ଅତ୍ୟନ୍ତ ଉତ୍ସାହିତ କରୁଥିଲେ ।

 

ସ୍ତୁପିକୃତ ପ୍ରମାଣ ମଧ୍ୟରୁ ସବୁଠାରୁ ବଡ଼ ପ୍ରମାଣ ହେଲାଯେ ସୁଲା ବୟସ ତୁଳନାରେ ଆଦୌ ବୟସ୍କା ଦେଖାଯାଉ ନଥିଲା । ସେ ତିରିଶ ପାଖାପାଖି ହେଲେବି ଅନ୍ୟମାନଙ୍କ ପରି ଗୋଟାଏ ହେଲେ ଦାନ୍ତ ହରେଇ ନଥିଲା କି ତା’ କଟୀରେ ସାମାନ୍ୟତମ ଚର୍ବିର ପରିଧି ସୃଷ୍ଟି ହୋଇନଥିଲା ।

 

ନୀଲ୍ ଏକମାତ୍ର ମହିଳା ଯିଏ ତା’ ପାଖରୁ କିଛି ଚାହିଁ ନଥିଲା ଏବଂ ତା’ର ସବୁ କଥା ମାନି ନେଇଥିଲା । ସିଏ ତା’ର ସ୍ୱାମୀର ବିଦାୟପରେ ସବୁକିଛି ଚାହେଁ । ନୀଲ୍‍ହିଁ ହେଉଛି ପ୍ରଥମ ନାରୀ ଯିଏ ସୁଲା ନିକଟରେ ଥିଲା ସତ୍ୟ, ଯିଏ ତା’ର ନାଆଁ ଜାଣିଥିଲା, ଯିଏ ଦେଖିଥୁଲା ତା’ ଜୀବନର ଶେଷ ସୀମା ପର୍ଯ୍ୟନ୍ତ ପ୍ରସାରିତ ଇତରତା ଏବଂ ଅନ୍ୟ ସ୍ତ୍ରୀଲୋକଙ୍କ ଭଳି ନୀଲ୍ ତାକୁ ବ୍ୟବହାର କରି ଥିବାରୁ ସେ ଆଶ୍ଚର୍ଯ୍ୟ ହେଲା ଏବଂ ଗଭୀର ଭାବେ ଦୁଃଖିତ ହେଲା । ନୀଲହିଁ ସେହି ନାରୀ ଯାହା ପାଇଁ ସେ ମେଡାଲିୟନ ପରିତ୍ୟାଗ କରି ଚାଲି ଯାଇଥିଲା ଏବଂ ତାହାରି ପାଇଁ ହିଁ ତାକୁ ସାମ୍ନା କରିବାକୁ ପଡ଼ିଥିଲା ନେସ୍ ଭାଇଲ୍, ଡେଟୟୋଟ, ନ୍ୟୁ ଓରଲିନସ, ନ୍ୟୁୟର୍କ, ଫିଲାଡେଲଫିଆ, ମ୍ୟାକନ୍ ଏବଂ ସାନଡିୟାଗୋ ଭଳି ସ୍ଥାନମାନଙ୍କର ବିରକ୍ତିକର ପରିବେଶ । ସେ ସବୁ ସହର ମାନଙ୍କରେ ଜିଇଁ ରହିଥିଲେ, ଏକାଭଳି ଲାଗୁଥିବା ମଣିଷମାନେ, ଯେଉଁମାନେ ଏକାଭଳି କଥାବାର୍ତ୍ତା କରୁଥିଲେ । ଏକାଭଳି ଆଚରଣ କରୁଥିଲେ ଏବଂ ଏକାଭଳି ଗଳଦ୍ ଘର୍ମ ମଧ୍ୟ ହେଉଥିଲେ । ଯେଉଁମାନେ ସେ ସ୍ଥାନମାନଙ୍କର କୌଣସି ନା କୌଣସି ପୁରୁଷ ପାଖକୁ ତାକୁ ନେଇ ଯାଉଥିଲେ ସେମାନେ ସମସ୍ତେ ଏକୀଭୂତ ହୋଇ ଯାଇଥିଲେ ଏକ ବିଶାଳ ବ୍ୟକ୍ତିତ୍ଵ ଭିତରେ ଯାହା ଭିତରେ ଥିଲା ଭଲ ପାଇବାର ସେହି ଗୋଟିଏ ଭାଷା, ପ୍ରେମରେ ସେହି ସମଧର୍ମୀ ମାଦକତା, ସେହି ସମଧର୍ମୀ ଶୀତଳତା । ସେ ଯେତେବେଳେ ସେମାନଙ୍କ ସାନିଧ୍ୟ ସହ ଯୋଡ଼ି ଦେଉଥିଲା ନିଜର ବ୍ୟକ୍ତିଗତ ଚିନ୍ତା ସେମାନେ ଏକ ନିବିଡ଼ ଆବେଶରେ ବୁଜି ଦେଉଥିଲେ ସେମାନଙ୍କର ଆଖି । ସେମାନେ ତାକୁ କିଛିହିଁ ଶିଖେଇ ନଥିଲେ କେବଳ କିଛି ପ୍ରେମର କୌଶଳ ବ୍ୟତୀତ । କେବଳ ବ୍ୟସ୍ତତା, ଚିନ୍ତା ଓ ଜଞ୍ଜାଳ ବ୍ୟତୀତ କୌଣସି କଥାରେ ଅଂଶୀଦାର ହୋଇନଥିଲେ ଏବଂ କେବଳ ଅର୍ଥ ବ୍ୟତୀତ ଆଉ କିଛି ଦେଇନଥିଲେ । ସେ ସବୁବେଳେ ଜଣେ ବିଶ୍ୱସ୍ତ ବନ୍ଧୁର ସନ୍ଧାନ କରୁଥିଲା ଏବଂ ଏହା ତାକୁ ବୁଝିବାକୁ ବେଶ୍ କିଛି ସମୟ ଲାଗି ଯାଇଥିଲା ଯେ ଜଣେ ସ୍ତ୍ରୀଲୋକ ପାଇଁ କେବେହେଲେ ଜଣେ ପ୍ରେମିକ ଜଣେ ବିଶ୍ଵସ୍ତବନ୍ଧୁ ହୋଇପାରେନା । କେହିହେଲେ ତାର କଳ୍ପିତ ସ୍ଵରୂପରେ ନିଜକୁ ରୂପାନ୍ତରିତ କରି ପାରୁନଥିଲେ, ଯାହା ପାଖରେ ସେ ପହଞ୍ଚିବାକୁ ଚାହୁଁଥିଲା, ଛୁଇଁବାକୁ ଚାହୁଁଥିଲା ଖୋଲା ହାତରେ । ତା’ପାଖରେ ଥିଲା କେବଳ ତା’ର ନିଜସ୍ଵ ସ୍ଵଭାବ ଓ ଖିୟାଲ୍ ଏବଂ ଏହାହିଁ ଥିଲା ତା’ର ସବୁକିଛି । ତା’ର ମୁକୁଳା ହାତକୁ ବଢ଼େଇବାର, ତାକୁ ଆବିଷ୍କାର କରିବାର ଏବଂ ସେ ଯେମିତି ନିଜକୁ ଆବିଷ୍କାର କରୁଥିଲା, ଅନ୍ୟମାନେ ନିଜନିଜକୁ ସେଭଳି ଆବିଷ୍କାର କରିବା ପାଇଁ ସେମାନଙ୍କୁ ଛାଡ଼ିଦେବାର ନିଷ୍ପତ୍ତି ସେ ନେଇଥିଲା । ଗୋଟିଏ ଦୃଷ୍ଟିରୁ ଦେଖିଲେ ତା’ର ଅସାଧାରଣ ଭାବ ଛଳନାହୀନ ନିରୀହତା । ତା’ ସମୀକରଣର ଅନ୍ୟ ଅର୍ଦ୍ଧେକ ନାରୀତ୍ୱ ପ୍ରାପ୍ତି ପାଇଁ, ତା’ର ଆକାଂକ୍ଷା ଥିଲା ତା’ର ଅର୍ଥହୀନ କଳ୍ପନାର ପରିଣତି । ତାକୁ ମାଟିପାତ୍ର ଗଢ଼ିବାର, ରଙ୍ଗ କରିବାର କଳା ଜଣାଥିଲେ, ନୃତ୍ୟ ବା ସଂଗୀତରେ ତା’ର ଶିକ୍ଷାଥିଲେ, ତା’ର ଉତ୍ସୁକତା ଏବଂ ରୂପକ ବ୍ୟବହାର କରିପାରିବାର ଅସାଧାରଣ ପ୍ରତିଭାକୁ କୌଣସି କାର୍ଯ୍ୟରେ ନିୟୋଜିତ କରିବାର ସୁଯୋଗ ଥିଲେ, ସେ ତା’ର ପ୍ରମୁଖ ଚିନ୍ତା ଓ ବ୍ୟସ୍ତତାକୁ ସେହି କାମ ପାଇଁ ତା’ର ଖିୟାଲକୁ ବଦଳେଇ ଦେଇଥାନ୍ତା, ଯାହା ତାକୁ ଯୋଗାଇ ଦେଇଥାନ୍ତା ସେ ଚାହୁଁଥିବା ପଦାର୍ଥ । କିନ୍ତୁ କଳାର ପଦ୍ଧତି, ଧାରା ବା ଆଦର୍ଶ ବିନା କୌଣସି ଶିଳ୍ପ ଭଳି ସେ ବିପଜ୍ଜନକ ହୋଇ ଉଠିଲା ।

 

ସେ ତା’ ଜୀବନରେ ଥରେ ମାତ୍ର ମିଛ କହିଥୁଲା- ନୀଲ୍‍କୁ । ଇଭାକୁ ବୃଦ୍ଧାଶ୍ରମରେ ଛାଡ଼ିବା କାରଣ ସଂପର୍କରେ ଏବଂ ଏଇଥିପାଇଁ କେବଳ କେବଳ ସେ ମିଛ କହି ପାରିଥିଲା ଯେ ସେ ତା’ର ଭଲମନ୍ଦ ପ୍ରତି ସଚେତନ ଥିଲା । ସେ ଯେତେବେଳେ ଘରକୁ ଫେରି ଆସିଲା, ଅନ୍ୟମାନଙ୍କ ସହ ବାର୍ତ୍ତାଳାପ କରିବା ତା’ ପକ୍ଷରେ ଆଉ ସମ୍ଭବ ହେଲା ନାହିଁ କାରଣ ସେ ମିଛ କହି ପାରୁନଥିଲା । ତା’ର ପୂର୍ବପରିଚିତମାନଙ୍କର ପିତ୍ତଳ ଗହଣା ସବୁକୁ ସମୟ ପାଉଁଶବୋଳି କିପରି ମଳିନ କରିଦେଇଥିଲା ଏବଂ ସେମାନଙ୍କର ଯେଉଁ ଆଖି ସବୁ ଜହ୍ନକୁ ଦେଖିବା ସମୟରେ ପ୍ରସାରିତ ହୋଇ ଯାଉଥିଲେ ସେସବୁ କିପରି ବିକଟ ଦାଆ ପରି ବାକି ଯାଉଥିଲା, ତାକୁ ଯେତେବେଳେ ସେ ଦେଖୁଥିଲା ସେତେବେଳେ, ସେମାନଙ୍କୁ କହି ପାରୁନଥିଲା ଯେ, “ହେ ଝିଅ ! ତୁ ଖୁବ୍ ସୁନ୍ଦର ଦିଶୁଛୁ ।’ ସେମାନଙ୍କ ଜୀବନ ଯେତେ ଅଧିକ ସଂକୁଚିତ ଥିଲା ପୃଷ୍ଠଦେଶ ଥିଲା ତତୋଧିକ ପ୍ରସାରିତ ।

 

ଅନ୍ୟ ପୁରୁଷମାନଙ୍କର ଫିକା ସ୍ୱପ୍ନ ଓ ଗଭୀର ପଶ୍ଚାତାପକୁ ନେଇ ହୃଦୟଖୋଲା ହସ ହସିହସି, ସ୍ଵାମୀମାନଙ୍କ ସହ ବଞ୍ଚୁଥିବା ନାରୀମାନେ ନିଜନିଜକୁ ଅବରୁଦ୍ଧ କରି ଦେଇଥିଲେ ଗପ କଫିନମାନଙ୍କରେ । ପୁରୁଷମାନଙ୍କ ବିନା ବଞ୍ଚୁଥିବା ସ୍ତ୍ରୀଲୋକମାନେ ଥିଲେ ତୀକ୍ଷ୍ଣମୂନ ଛୁଞ୍ଚି ଭଳି ଯାହା ସଦାସର୍ବଦା ଏକ ଶୂନ୍ୟ ଆଖି ପ୍ରଦର୍ଶିତ କରିଥାଏ । ସ୍ୱାମୀମାନଙ୍କ ସହ ରହୁଥିବା ସ୍ତ୍ରୀଲୋକେ ଓଭାନ୍ ଓ ଷ୍ଟିମ୍ କେଟଲି ସାହାଯ୍ୟରେ ସେମାନଙ୍କୁ ନିଃଶ୍ୱାସରୁ ଶୋଷି ନେଉଥିଲେ ମଧୁରତା । ପିଲାମାନେ ଥିଲେ ଦୂରନ୍ତ ଅଥଚ ଖୋଲା ଘାଆ ଭଳି ଯାହାର ଯନ୍ତ୍ରଣା କିଛି କମ ଅନ୍ତରଙ୍ଗ ନଥିଲା କାରଣ ତାହା ଥିଲା ତାଙ୍କ ମାଂସଠାରୁ ଅଲଗା । ସେମାନେ ତାଙ୍କର ସଂସାରକୁ ଓ ପିଲାମାନଙ୍କୁ ଦେଖୁଥିଲେ ଏବଂ ସୁଲା ଜାଣିଥିଲା ଏକ ସ୍ପଷ୍ଟ ଆଖି ରହିଛି ଯାହା ବେକର ବର୍ତ୍ତୁଳତାଠାରୁ ଦୂରେଇ ରଖିଛି ଛୁରୀକୁ ।

 

ସେ ସେତେବେଳେ ଥିଲା ସମାଜଚ୍ୟୁତ ଏବଂ ଜାଣିଥିଲା ଯେ ସେମାନେ ତାକୁ ଘୃଣା କରୁଥିଲେ ଏବଂ ବିଶ୍ୱାସ କରୁଥିଲା ଯେ ସେମାନେ ସେ ଘୃଣାକୁ ବିରକ୍ତିରେ ରୂପାନ୍ତରିତ କରିଥିଲେ କାରଣ ସେ ନିତ୍ୟ ନୂତନ ପୁରୁଷମାନଙ୍କ ସହ ରାତ୍ରିଯାପନ କରୁଥିଲା । ନିଜର ଇଚ୍ଛାନୁସାରେ ଏକାଧିକବାର ସେ ପୁରୁଷମାନଙ୍କ ସହ ଲିପ୍ତ ରହୁଥିଲା ଯୌନସଂଗମରେ ଏବଂ ଏହାହିଁ ଥିଲା ତା’ ପାଇଁ ଏକ ସୁଅବସର ଯେଉଁଠି ସେ ଯାହା ଚାହୁଁଥିଲା ତାହା ପାଇପାରୁଥିଲା, ପାଇ ପାରୁଥିଲା ଦୈନ୍ୟ ଏବଂ ଗଭୀର ଦୁଃଖକୁ ଅନୁଭବ କରିବାର ସାମର୍ଥ୍ୟ । ସେ ସବୁବେଳେ ସଚେତନ ନଥିଲା ଯେ ଦୁଃଖହିଁ ଥିଲା ସେହି ପଦାର୍ଥ ଯାହାକୁ ସେ ଖୋଜୁଥିଲା । ପ୍ରଥମେ ପ୍ରଥମେ, ପ୍ରେମ ଓ ପ୍ରଣୟ ଏକ ବିଶେଷ ଧରଣର ଆନନ୍ଦରୁ ଉଦ୍ଭବ ବୋଲି ତା’ର ମନେ ହୋଇଥିଲା । ସେ ଚିନ୍ତା କରୁଥିଲା ଯେ ଯୌନକ୍ରିୟାର କଳାତ୍ମକ ସ୍କୃତି ଏବଂ ଆନନ୍ଦକୁ ଭଲପାଏ । ଯୌନକ୍ରିୟାର ପ୍ରାକ୍ ଭାଗରେ ଉଦ୍ଭଟ ସ୍ୱର ଶୁଣିଲେ ସେ ଖୁବ୍ ହସୁଥିଲା ଏବଂ ତା’ର ସେହି ପ୍ରେମିକମାନଙ୍କୁ ପ୍ରତ୍ୟାଖ୍ୟାନ କରିଥିଲା ଯେଉଁମାନେ ସେକ୍ସକୁ ସୁସ୍ଥ ଓ ସୌନ୍ଦର୍ଯ୍ୟମୟ ବୋଲି ବିବେଚନା କରୁଥିଲେ । ଯୌନ-ନାନ୍ଦନିକତା ତାକୁ ବିରକ୍ତ କରୁଥିଲା । ଯଦିଓ ସେ ରତିକ୍ରିୟାକୁ ଏକ ଅସୁନ୍ଦର କାର୍ଯ୍ୟ । ବୋଲି ଭାବୁନଥିଲା ତଥାପି ତାକୁ ଏକ ଦୃଷ୍ଟକର୍ମ ବୋଲି ଭାବିବାକୁ ଭଲ ପାଉଥିଲା । କିନ୍ତୁ ଯେତେବେଳେ ତା’ର ଅନୁଭୂତି ବହୁଗୁଣିତ ହେବାରେ ଲାଗିଲା ସେ ଅନୁଭବ କଲା । ଯେ ଏହା ଯେ କେବଳ ଏକ ଦୁଷ୍ଟାମିର କାମ ନୁହେଁ, ସେୟା ନୁହେଁ ରତିକ୍ରୀୟାରେ ଏକ ସକ୍ରିୟ ଅଂଶୀଦାର ହେବା ପାଇଁ ମନ ଭିତରେ ଦୁଷ୍ଟାମିର ଭାବ ସୃଷ୍ଟି କରିବା ଆଦୌ ଆବଶ୍ୟକ ନୁହେଁ । ସମ୍ଭୋଗକାଳରେ ସେ ତୀକ୍ଷ୍ମ ପ୍ରାନ୍ତଭାଗକୁ ଆବିଷ୍କାର କରିଥିଲା ଏବଂ ଏଭଳି ଆବିଷ୍କାରର ଆବଶ୍ୟକତା ସେ ଅନୁଭବ କରିଥିଲା-। ରତିକ୍ରିୟା ସମୟରେ ସେ ଯେତେବେଳେ ନିଜ ଶରୀର ସହ ସହଯୋଗ କରିବା ବନ୍ଦ କରି, ନିଜକୁ ଯୌନକ୍ରିଡ଼ାରେ ଅଧିକ ସାବ୍ୟସ୍ତ କରିବା ଆରମ୍ଭ କରୁଥିଲା, ଶକ୍ତିର କଣିକା ସବୁ ଜମାଟ ବାନ୍ଧିବାରେ ଲାଗୁଥିଲେ ଯେମିତି ଅଜସ୍ର ଷ୍ଟିଲର ଟୁକୁରା ପେନ୍ଥା ହୋଇ ଟାଣି ହୋଇଯାଉଛି ଏକ ପ୍ରଶସ୍ତ ଚୁମ୍ବକୀୟ କେନ୍ଦ୍ର ଆଡ଼କୁ ଯାହା କୌଣସି ଶକ୍ତି ଆଉ ଭାଙ୍ଗି ପାରିବ ନାହିଁ ଏବଂ ସେଇଠିହିଁ ଚରମ ବିରୋଧାଭାସ ଓ ମହତ୍ତ୍ୱହାନି ଘଟି ଏକ ବିଷମ ପରିସ୍ଥିତିର ଉଦ୍ଭବ ହେଉଥିଲା ଯେତେବେଳେ ନିଜର ସ୍ଥାୟୀ ଓ ଅସୀମ ଶକ୍ତି ଅନୁଭବ କରୁଥିବା ଅବସ୍ଥାରେ, ସମର୍ପଣ ମୁଦ୍ରାରେ ଅନ୍ୟ କାହାର ଶରୀର ତଳେ ସେ ପଡ଼ି ରହୁଥିଲା । କିନ୍ତୁ ଷ୍ଟିଲର ପେନ୍ଥାଟି ଭାଙ୍ଗି ପଡ଼ି ବିକ୍ଷିପ୍ତ ହୋଇ ଯାଉଥିଲା ଏବଂ ତାକୁ ପୁଣିଥରେ ଏକାଠି ଧରି ରଖିବା ଭୟରେ ସେ ପ୍ରାନ୍ତ ଦେଶରୁ ଖସି ଯାଉଥିଲା ତଳକୁ ଚିତ୍କାର କରିକରି ନିସ୍ତବ୍ଧତା ଭିତରେ । ପ୍ରତିଟି କଥାର-ପରିସମାପ୍ତି ସଂପର୍କରେ ଏକ ଯନ୍ତ୍ରଣାଦାୟକ ସଚେତନତା ଭିତରେ ଚିତ୍କାର କରି କରି ଯେମିତି ଥାଏ ଦୁଃଖିନୀ ଆଖିଟିଏ ଆନନ୍ଦର ତୋଫାନୀ ଲାଳସା ମଧ୍ୟରେ । ସେଇଠି ନୀରବତାର ସେଇ କେନ୍ଦ୍ର ମଧ୍ୟରେ ଚିରନ୍ତନତା ନଥିଲା କିନ୍ତୁ ସମୟ ଓ ଏକାକୀତ୍ଵର ମୃତ୍ୟୁ ଏତେ ଗଭୀର ଥିଲା ଯେ ତା’ ଆଗରେ ଶବ୍ଦର ଅର୍ଥ କିଛି ନଥିଲା, କାରଣ ନିଃସଙ୍ଗତା ଅନ୍ୟମାନଙ୍କର ଅନୁପସ୍ଥିତିକୁ ଆହରଣ କରି ନେଇଥିଲା ଏବଂ ଯେଉଁ ନିର୍ଜନତା ସେ ସେହି ବିସ୍ତୃତ ଭୂମିଖଣ୍ଡ ଭିତରେ ପାଇଥିଲା ତାହା ଅନ୍ୟମଣିଷମାନଙ୍କର ସମ୍ଭାବନାକୁ ସ୍ୱୀକାର କରି ନଥିଲା । ସେତେବେଳେ ସେ ପ୍ରଚୁର କାନ୍ଦିଥିଲା । ପିଲାମାନଙ୍କର ଫିଙ୍ଗି ଦିଆଯାଇଥିବା ଜୋତା ସବୁ, ସମୁଦ୍ର ପାଣିରେ ବୁଡ଼ିଯାଇଥିବା ଓ କ୍ଷୟ ହୋଇ ଚାଲିଥିବା ଜଳଭୂମି ଘାସର ଖଣ୍ଡିତ ଅଂଶ ସବୁ, ସେ ଜାଣିନଥିବା ମୃତ ସ୍ତ୍ରୀଲୋକମାନଙ୍କର ବିହାର ଭୂମିମାନଙ୍କରେ ଉଠା ଯାଇଥିବା ଫଟୋସବୁ; ବନ୍ଧକ ଗ୍ରହଣକାରୀର ଦୋକାନ ଝରକା ନିକଟରେ ଥିବା ବିବାହ ମୁଦ୍ରିକା, ଚାଉଳ ଭିତରେ ଘର କରିଥିବା କର୍ଣ୍ଣିସ, କୁକୁଡ଼ାମାନଙ୍କର ପରିଚ୍ଛନ୍ନ ଶରୀର ଭଳି ଛୋଟ ଛୋଟ ଜିନିଷ ପାଇଁ ସେ ଲୁହଝରାଇଥିଲା ।

 

ଯେତେବେଳେ ତା’ର ପ୍ରେମିକ ପୁରୁଷ ନିଜକୁ ତା’ଠାରୁ ଦୂରେଇ ନେବାକୁ ବସିଲା, ସେ ତା’ର ନାଆଁ ମନେ ପକେଇବାକୁ ଚେଷ୍ଟା କରୁ କରୁ ଆଶ୍ଚର୍ଯ୍ୟ ହୋଇ ତାକୁ ମୁହଁଟେକି ଚାହିଁଲା ଏବଂ ଯେଉଁ ଅଶ୍ରୁପୂର୍ଣ୍ଣ କୃତଜ୍ଞତାର ଅବସ୍ଥାକୁ ସେ ଲୋକଟି ତାକୁ ଆଣିଛି ବୋଲି ବିଶ୍ୱାସ କରୁଥିଲା ତାକୁ ସମ୍ବେଦନଶୀଳ ଭାବରେ ବୁଝି, ସ୍ମିତହାସ୍ୟ ଦେଇ, ସେ ଲୋକଟି ତାକୁ ଚାହିଁ ମୁହଁ ତଳକୁ କଲା । ତାକୁ ରତିକ୍ରିୟା ଅନ୍ତେ, ସେ ନିଜକୁ ଯେଉଁଠି ସାକ୍ଷାତ କରୁଥିଲା, ସ୍ଵାଗତ କରୁଥିଲା ଏବଂ ଅତୁଳନୀୟ ସଂହତି ଭିତରେ ନିଜ ସହଯୋଗ ଦେଉଥିଲା ସେଭଳି ଏକ ବ୍ୟକ୍ତିଗତ ଗୋପନୀୟତା ଭିତରେ ତାକୁ ଛାଡ଼ିଦେଇ ସେ ଲୋକଟି ସାମାନ୍ୟ ବିରକ୍ତ ହେବା ଏବଂ ତାକୁ ଛାଡ଼ିଯିବାକୁ ସେ ଅଧୈର୍ଯ୍ୟ ସହକାରେ ଅପେକ୍ଷା କରିଥିଲା ।

 

ଅଣତିରିଶ ବର୍ଷ ବୟସରେ ସେ ଜାଣି ଯାଇଥିଲା ଯେ ତା’ ପାଇଁ ଅନ୍ୟ କୌଣସି ରାସ୍ତାନାହିଁ କିନ୍ତୁ ସେ ବାରଣ୍ଡା ଉପରେ ଆଜାକ୍ସର ପାଦଶବ୍ଦ ଓ ନୀଳକାଚଲଗା ଝରକା ଦେଇ ତାକୁ ଚାହିଁ ରହୁଥିବା କୃଷ୍ଣକାୟ ଆଜାକ୍ସର ସୁନ୍ଦର ମୁଖଶ୍ରୀ ଉପରେ ସେ ନିର୍ଭରଶୀଳ ହୋଇ ଉଠୁନଥିଲା-। ସେ ସ୍ମରଣ କରୁଥିଲା ସତରବର୍ଷ ତଳେ ନୀଲ୍ ସହିତ ସ୍କୁଲରୁ ଫେରିବା କାଳରେ ଆଜାକ୍ସ କେମିତି ତାକୁ ଘୁଷୁରି ମାଂସ ବୋଲି ସମ୍ବୋଧନ କରିଥିଲା । ସେତେବେଳେ ଆଜାକ୍ସର ବୟସ ଥିଲା ଏକୋଇଶ ବର୍ଷ ଆଉ ତା’ର ବୟସ ବାର । ସେ ଦୁହିଁଙ୍କ ମଧ୍ୟରେ ଥିଲା ପର୍ଯ୍ୟାପ୍ତ ସମୟର ବ୍ୟବଧାନ । ବର୍ତ୍ତମାନ ତାକୁ ଅଣତିରିଶ ଆଉ ଆଜାକ୍ସକୁ ଅଠତିରିଶ ଏବଂ ସର୍ବୋପରି ହଳଦୀ ଲେମ୍ବୁ ରଂଗର ତା’ର ବର୍ଦ୍ଧିତ ନିତମ୍ବ ପାଇଁ ଆଉ ବେଶୀ ଅଛି ବୋଲି ଜଣା ପଡ଼ୁନଥିଲା ।

 

ଓଜନଦାର କବାଟକୁ ଖୋଲିବା ମାତ୍ରକେ ସେ ଦେଖିଲା ପରଦା ସେପଟେ ହାତରେ ଦୁଇ ବୋତଲ କ୍ଷୀର ନେଇ ମାର୍ବଲ ମୂର୍ତ୍ତିଟିଏ ପରି ଠିଆ ହୋଇଛି ଆଜାକ୍ସ । ଓଠରେ ସ୍ମିତ ହସ । କହିଲା ମୁଁ ତୋତେ ଚାରିଆଡ଼େ ଖୋଜୁଛି ।

 

‘କାହିଁକି ?? ସେ ପ୍ରଶ୍ନକଲା ।

 

ତୋତେ କ୍ଷୀର ଦେବାକୁ ।’

 

‘ମୁ କ୍ଷୀର ଖାଇବାକୁ ଭଲପାଏନା ।’

 

କିନ୍ତୁ ତୁ ବୋତଲକୁ ଭଲ ପାଉ ନୁହେଁ ? ସେ ଗୋଟାଏ ବୋତଲ ଟେକି ଧଇଲା । ପଚାରିଲା, ଏଇଟା ସୁନ୍ଦର ହୋଇନି କି ? ଏବଂ ପ୍ରକୃତରେ ବୋତଲଟି, ସୁନ୍ଦର ଥିଲା । ଆଜାକ୍ସର ଅଙ୍ଗୁଳି ଭିତରେ ଝୁଲି ରହିଥିବା ଏକ ନିର୍ମଳ ନୀଳ ଆକାଶର ଫ୍ରେମରେ ବନ୍ଧେଇ ହୋଇ ଏହା ଏକ ସ୍ଵଚ୍ଛ ସ୍ଥାୟୀ ଓ ମୂଲ୍ୟବାନ୍ ମନେ ହେଉଥିଲା । ତା’ର ସ୍ପଷ୍ଟ ଧାରଣା ହେଲା ଯେ ସେଗୁଡ଼ିକ ପାଇବା ପାଇଁ ଆଜାକ୍ସ କିଛି ବିପଜ୍ଜନକ କାମ କରିଛି ।

 

କେତୋଟି ସେକେଣ୍ଡ ଚିନ୍ତାଗ୍ରସ୍ତ ଭାବରେ ସୁଲା ପରଦା ଦେହରେ ନଖ ସଂଚାଳନ କରି ହସି ହସି ପରଦା ଘୂଞ୍ଚେଇ ଦେଲା । ଆଜାକ୍ସ ଭିତରେ ପଶି ସିଧା ରୋଷେଇ ଘର ଆଡ଼େ ମୁହାଁଇଲା । ଯେତେବେଳେ ସେ ଦରଜା ନିକଟରେ ପହଞ୍ଚିଲା ସେ ତା’ର ଟୋପିଟି ଖୋଲି ଦେଇ ଥଣ୍ଡା କ୍ଷୀରତକ ପାଟି ଭିତରେ ଢାଳି ଦେଲା ।

 

ସୁଲା ଅଧିକ ଆଗ୍ରହରେ ତାକୁ ବରଂ ତ ଗଳାରେ ସୃଷ୍ଟି ହେଉଥିବା ଛନ୍ଦକୁ ଲକ୍ଷ୍ୟ, କଲା । ଆଜାକ୍ସ ମନଭରି ପିଇସାରିବା ପରେ ଅବଶିଷ୍ଟ ଦୁଧତକ ନର୍ଦ୍ଦମାରେ ଢାଳିଦେଇ ଖାଲି ବୋତଲଟିକୁ ପରିଷ୍କାର କରି ତାକୁ ଉପହାର ଦେଲା । ସୁଲା ଗୋଟାଏ ହାତରେ ବୋତଲ ଓ ଅନ୍ୟ ହାତରେ ଆଜାକ୍ସର ମଣିବନ୍ଧ ଧଇଲା ଏବଂ ତାକୁ ଭଣ୍ଡାରଘର ଭିତରକୁ ଟାଣି ନେଇଗଲା । ସେଠିକି ଯିବାର କୌଣସି ଆବଶ୍ୟକତା ନଥିଲା; କାରଣ ଘରେ ସେମାନଙ୍କ ବ୍ୟତୀତ ଆଉ କେହି ନଥିଲେ । ତେବେ ଏଭଳି ଯୌନୋଦ୍ଦୀପକ ଅଙ୍ଗଭଙ୍ଗୀ ତା’ର ସ୍ୱାଭାବିକ ଅଭ୍ୟାସରେ ପରିଣତ ହୋଇଯାଇଥିଲା । ଅଟାବସ୍ତା, ଧାଡ଼ିଧାଡି ଟିଣପାତ୍ରରେ ରକ୍ଷିତ ବିଭିନ୍ନ ରୋଷେଇ ସରଞ୍ଜାମ ଏବଂ ସୁତୁଲିରେ ଗୁନ୍ଥା ଛୋଟ ଛୋଟ ଲଙ୍କାମରିଚ ନଥିବା ଶୁନ୍ୟ ଭଣ୍ଡାର ଘରେ ଡାହାଣ ହାତରେ ସେହି ଓଦା କ୍ଷୀର ବୋତଲଟିକୁ ଧରି କାନ୍ଥକୁ ଆଉଜି ଦୁଇ ଗୋଡ ମେଲେଇ ଠିଆ ହେଲା ଏବଂ ଆଜାକ୍ସର ପାତଳ ପିଚାକୁ ନିଜ ଆଡ଼କୁ ଟାଣି ନେଇ ତାକୁ ଜାନୁ ସଂଭାଳି ପାରିବା ଭଳି ସମସ୍ତ ଦୈହିକ ସୁଖ ସଂଗ୍ରହରେ ଲାଗିଗଲା ।

 

ଏହାପରେ କିଛି ନା କିଛି ଉପହାର ନେଇ ଆଜାକ୍ସ ତା’ ପାଖକୁ ନିୟମିତ ଆସୁଥିଲା । ସ୍ତ୍ରୀଲୋକଙ୍କ ପାଇଁ ଆଜାକ୍ସ ଥିଲା ମାତ୍ରାତିରିକ୍ତ ଭାବରେ ଏକ ଉତ୍ତମ ପୁରୁଷ । ତା’ର ପତ୍ନୀ ଅବଶ୍ୟ ଏହା ଜାଣିଥିଲା ଏବଂ ଅନେକ ସମୟରେ ତାହା କଳହ କରିବା ପାଇଁ ସେମାନଙ୍କୁ ଉତ୍ତେଜିତ କରୁଥିଲା । ଆଜାକ୍ସ ସୁଲା ସଂପର୍କରେ - ସବୁ କାହାଣୀ ଶୁଣିଥିଲା ଏବଂ ସେ ସବୁ ତା’ ମନରେ କୌତୁହଳ ସୃଷ୍ଟି କରିଥିଲା । ସୁଲାବି ଆଜାକ୍ସ ସଂପର୍କରେ କମ୍ କୌତୁହଳୀ ନଥିଲା । ବହୁବର୍ଷ ତଳେ ସେ ତା’ ପ୍ରତି ଯେଉଁ ଅପଶବ୍ଦ ପ୍ରୟୋଗ କରିଥିଲା ଏବଂ ଯେଉଁ ଅନୁଭବ ସେତେବେଳେ ତାକୁ ଉଦ୍ଦୀପିତ କରିଥିଲା ତା’ ବ୍ୟତୀତ ସେ ତା’ ସମନ୍ଧରେ ଆଉ କିଛି ଜାଣି ନଥିଲା । ତା’ ସହିତ କଥାବାର୍ତ୍ତାରେ ସେ ପ୍ରକୃତ ଆନନ୍ଦ ଅନୁଭବ କରୁଥିଲା । ଆଜାକ୍ସ ସହ ଯୌନସଂପର୍କ ସ୍ଥାପିତ ହେବାପରେ ସୁଲା ଅଧିକାର ସଂପର୍କରେ ଆବିଷ୍କାର କରିବା ପାଇଁ ଆରମ୍ଭ କଲା ।

 

ଜୁଡ଼େ ନୀଲ୍କୁ ପରିତ୍ୟାଗ କରି ଚାଲିଯିବା ପରେ ଘରର ସକଳ ଦାୟିତ୍ୱ ଆସି ପଡ଼ିଥିଲା ତା’ ଉପରେ । ନିଜ ନାବିକ ପିତାର ପେନ୍‌ସନ୍‌ହିଁ ଥିଲା ତା’ର ଜୀବନ ଧାରଣର ଏକମାତ୍ର ଭରସା ଓ ସାନ୍ତ୍ୱନା । ଅନେକ ଦିନ ଧରି ସୁଲା ସହିତ ତା’ର କଥାବାର୍ତ୍ତା ନଥିଲା । ଦିନେ କିନ୍ତୁ ସେ ସୁଲାର ଅସୁସ୍ଥତାର ଖବର ପାଇ ତା’ ଘରକୁ ଆସିଲା । ଯନ୍ତ୍ରଣା ଉପଶମ ପାଇଁ ପାଖ ଦୋକାନରୁ ଔଷଧ ଆଣି ତା’ ଖଟ ପାଖରେ ଟେବୁଲ୍ ଉପରେ ଥୋଇଲା । ସୁଲା ଯେତେବେଳେ ଔଷଧ ଚାମଚରେ ଢାଳିଲା, ନୀଲ୍ କହିଲା - ତୁ ଖୁବ୍ ସୁନ୍ଦର ଦେଖାଯାଉଛୁ ସୁଲା ।

 

ନା, ତୁ ମିଛ କହୁଛି ନୀଲ୍ । ମୁଁ ଖରାପ ଦିଶୁଛି । ସେ ଔଷଧତକ ଢୋକି ନେଲା । ନା, ମୁଁ ତୋତେ ବହୁଦିନ ହେଲା ଦେଖିନି । କିନ୍ତୁ ତୁ ଦିଶୁଛୁ... ତୋତେ କିଛି କରିବା ପାଇଁ ପଡ଼ିବ ନାହିଁ ନୀଲ୍, ମୁଁ ଭଲ ହୋଇଯିବି । ତୋର ରୋଗ କ’ଣ ? ସେମାନେ କିଛି କହିଛନ୍ତି ? ସୁଲା ତା’ ଓଠ ଉପରେ ଜିଭ ବୁଲେଇ ନେଲା, କହିଲା, ତୁ କ’ଣ ସେ ବିଷୟରେ କଥାବାର୍ତ୍ତା କରିବାକୁ ଚାହୁଁ ।

 

ନୀଲ୍ ସାମାନ୍ୟ ହସିଲା । କଥାର ତୀକ୍ଷ୍ମତା ଭିତରେ ସେ ଯାହାସବୁ ଘଟିଛି ଭୁଲି ସାରିଥିଲା । ନା, ନା ମୁଁ ଚାହେଁନା କିନ୍ତୁ ତୁ ନିଶ୍ଚିତ ଯେ ତୋତେ ଏଠି ଏକେଲା ରହିବାକୁ ପଡ଼ିବ ।

 

- କିନ୍ତୁ ଏହି ଏକାକିତ୍ୱ ମୋର ଏକାନ୍ତ ଭାବରେ ନିଜର ।

 

ତା’ପରେ ଜୁଡ଼େ ସଂପର୍କରେ କିଛିଟା ତର୍କ ହେଲା ଉଭୟଙ୍କ ମଧ୍ୟରେ । ପୁରୁଷ ଦେହ ଓ ପ୍ରେମ ସଂପର୍କରେ ସୁଲାର ଦୃଷ୍ଟିକୋଣ ଶୁଣିବାପରେ ନୀଲ୍ ଫେରିଆସିଲା । ସେ ଚାଲିଯିବାପରେ ଆହୁରି ଔଷଧ ପାଇଁ ହାତ ବଢ଼େଇଲା ଏବଂ ତା’ର ପୁରାତନ ବାନ୍ଧବୀ ଓ ସୁନ୍ଦର ନିଷ୍ପାପ ଶୈଶବ ସଂପର୍କରେ ଭାବିବାକୁ ଲାଗିଲା । ସତରେ ସେକାଳ ଆଉ ଏକାଳ ମଧ୍ୟରେ କେତେ ପ୍ରଭେଦ । ଏକା ସବୁ ଶବ୍ଦ, ସବୁ ହସ, ସବୁ ଅଶୁ, ସବୁ ବେଦନା, ସବୁ ଦୁଃଖ, ସବୁ କିଛି । ସୁଲାର କାନ୍ଦିବା ପାଇଁ ଇଚ୍ଛା ହେଲା କିନ୍ତୁ କାନ୍ଦି ପାରିଲା ନାହିଁ ।

 

ଆଉ ବିବାହ କରି ଏକାକୀ ଜୀବନ ବିତଉଥିବା ନୀଲ୍, ସୁଲାର ମୃତ୍ୟୁପରେ ଉପଲବ୍ଧି କଲା ଜୁଡ଼େକୁ ହରେଇ ଯେଉଁ ଦୁଃଖ ସେ ପାଇନାହିଁ, ସୁଲାକୁ ହରେଇ ସେ ସେହି ଦୁଃଖ ପାଇଛି କାରଣ ସୁଲାହିଁ ତା’ ଭିତରେ ଦିନେ ଘଟେଇଥିଲା ନାରୀତ୍ୱର ଜାଗରଣ ।

 

ସୁଲା ଉପନ୍ୟାସରେ ଆମେ ଦେଖୁ ନିଃସର୍ତ୍ତ ସ୍ୱାଧୀନତାର ସନ୍ଧାନରେ ସୁଲାର ସଂଘର୍ଷ ଓ ବିଫଳ ପ୍ରୟାସ ଯାହା ଭିତରେ ନିହିତ ନାରୀସୁଲଭ ମତ ପ୍ରତି ଟୋନି ମରିସନଙ୍କ ପ୍ରଚଣ୍ଡ ସମାଲୋଚନା ଓ ବ୍ୟଙ୍ଗ । ମୁଁ ଜାଣେ, ଦେଶର ପ୍ରତିଟି କୃଷ୍ଣକାୟ କ’ଣ କହୁଛନ୍ତି ନା ମରୁଛନ୍ତି ମୋରି ଭଳି । ତେବେ ପ୍ରାର୍ଥକ୍ୟଟା ହେଉଛି ଏତିକି ସେମାନେ ମରୁଛନ୍ତି ଏକ ଏକ କାଠଗଡ଼ା ଭଳି ଆଉ ମୁଁ ମରୁଛି ସେଇସବୁ ରେଡ୍‍ଡଡ୍ ଗଛଙ୍କ ଭଳି । ଏଇ ଥିଲା ମୃତ୍ୟୁ ଶଯ୍ୟରେ ଶାୟିତା ସୁଲାର ମର୍ମବାଣୀ, ଭାଷା । ଯଦିଓ ସୁଲା ଉପନ୍ୟାସର ନାୟିକାର ମର୍ମବାଣୀ ମରିସନ୍‍ଙ୍କ ଜୀବନବାଣୀ ନୁହେଁ ତଥାପି ବିଶ୍ୱସାହିତ୍ୟରେ ଏହି ଉକ୍ତି ନିଶ୍ଚିତ ଭାବରେ ମରିସନଙ୍କ ସୃଷ୍ଟିର ଏକ ପ୍ରଭାବଶାଳୀ ପ୍ରତିଛବି । “ମୋ ଉପନ୍ୟାସ କି ଉଦ୍ଦେଶ୍ୟ ଚରିତାର୍ଥ କରିବ, ସେ ବିଷୟରେ ମୁଁ ଦୀର୍ଘକାଳ ଧରି ଅତି ଏକାଗ୍ର ଚିତ୍ତରେ ଚିନ୍ତାକରେ’ କହନ୍ତି ମରିସନ । ‘ଲକ୍ଲେଆରଙ୍କୁ ତହିଁରେ ବର୍ଣ୍ଣିତ ଚରିତ୍ରମାନଙ୍କ ଭୂମିକା ହେବା ଦରକାର ସ୍ପଷ୍ଟ ଓ ପ୍ରାଞ୍ଜଳ । ଉପନ୍ୟାସମାନଙ୍କରେ ଅତୀତର କେଉଁ ଉପାଦାନମାନ ଗ୍ରହଣୀୟ ଓ କେଉଁଗୁଡ଼ିକ ପରିତଜ୍ୟ ତାହା ପରିଶୀଳିତ ଓ ପରିଚିହ୍ନିତ ହେବା ଏକାନ୍ତ ଆବଶ୍ୟକ । ସର୍ବୋପରି ଉପନ୍ୟାସମାନ ମାନସିକ ପୁଷ୍ଟିସାଧନ କରିବା ବିଧେୟ । ଡେନାର୍ଡଙ୍କ ମତରେ ‘ମରିସନ ତାଙ୍କର ସମସ୍ତ ଗ୍ରନ୍ଥରେ ଅତୀତକୁ ସ୍ମରଣ କରିବାର ଏକ ବିଶେଷ ବ୍ୟାଖ୍ୟାମୂଳକ ରଂଗଟିଏ ପ୍ରୟୋଗ ଦିଗରେ ସତତ ମନଯୋଗୀ ଯାହା ସମକାଳୀନ ଜଗତରେ ତିଷ୍ଠି ରହିବାରେ ଏକ ପ୍ରୟୋଜନୀୟ ସାଧନ ସ୍ୱରୂପ ହୋଇପାରିବ ।

 

୧୯୮୭ର ପୁଲିତ୍‍ଜାର ପୁରସ୍କାର ପ୍ରାପ୍ତ ଉପନ୍ୟାସ ‘ବିଲ୍‍ଭେଡ୍‌’ ଉପରେ ମତାମତ ଦେଇ ଡେନାର୍ଡ କହନ୍ତି ଏହା ଜଣେ କେଣ୍ଟାକୀବାସିନୀ ପଳାତକ କ୍ରୀତଦାସୀର କାହାଣୀ ଯିଏ ନିଜର ସନ୍ତାନସନ୍ତତିମାନଙ୍କୁ କ୍ରୀତଦାସତ୍ୱରୁ ମୁକ୍ତିଦେବା ପାଇଁ ସେମାନଙ୍କୁ ମାରିଦେବାକୁ ଚାହିଁଛି । ଡେନାର୍ଡ କହନ୍ତି ଏ କାହାଣୀରେ ମରିସନ୍ ଜଣେ ନାରୀର ମାତୃସ୍ନେହ ଜନିତ ଦାୟଦାୟିତ୍ୱ ଉପରେ କ୍ରୀତଦାସତ୍ୱର ପ୍ରଭାବ ପ୍ରଖ୍ୟେପଣ କରିନାହାନ୍ତି, ସେହି ନାରୀଚରିତ ମାଧ୍ୟମରେ ସେ କ୍ରୀତଦାସୀର ଅଭିଜ୍ଞତା ସମଗ୍ର ମାନବ ସମାଜ ନିକଟରେ କିଭଳି ଅର୍ଥବହ ଓ ତାତ୍ପର୍ଯ୍ୟପୂର୍ଣ୍ଣ ତାହାହିଁ ସେ ପ୍ରତିପାଦନ କରିଛନ୍ତି ।

 

କୃଷ୍ଣକାୟ ଦୁନିଆର ଜଣେ ଲେଖିକାଙ୍କୁ କଲମ୍ବିଆର ପୁଲିତ୍ଜାର ବୋର୍ଡ ଏଭଳି ଭାବରେ ସମ୍ମାନିତ କରି ସତ୍ୟତାର ଓ ସାହସର ପରିଚୟ ହିଁ ଦେଇଥିଲେ । କାରଣ ବିଷୟବସ୍ତୁ ଦିଗରୁ ବି ମରିସନଙ୍କ ଏହି ଉପନ୍ୟାସଟି ଶ୍ୱେତାଙ୍ଗମାନଙ୍କ ପକ୍ଷରେ, ଖୁବ୍ ସ୍ୱାଦୁ ଓ ସୁପାଠ୍ୟ ହୁଏତ ହୋଇ ନପାରି ଥିଲେବି କିଛି ଦାହ୍ୟପଦାର୍ଥ ଯେ ଏହି କାହାଣୀର ଉପାଦାନ ଉପକରଣ ହୋଇ ଉଠିଥିଲା, ଏଥିରେ ସନ୍ଦେହ ନାହିଁ । ଗୃହଯୁଦ୍ଧକାଳୀନ ଓହିଓର ଏକ କ୍ରୀତଦାସର ମର୍ମନ୍ତୁଦ ଜୀବନସ୍କୃତିହିଁ ବିଲଭେଡ଼୍ ଉପନ୍ୟାସର ଉପଜୀବ୍ୟ । ବହୁ କ୍ଲେଦଗାନି ଓ ପୀଡ଼ନର ପୁଙ୍ଖାନୁପୁଙ୍ଖ ବିବରଣ ମଧଦେଇ ଇତିହାସକୁ ଚଳଚ୍ଚିତ୍ରିତ କରିତୋଳିଛନ୍ତି ଲେଖିକା । ତୋଳି ଧରିଛନ୍ତି ନାରୀ ଜୀବନର ମର୍ମସ୍ପର୍ଶୀ ଉପସଂହାର । ଗୋଟାଏ ପରିଚ୍ଛେଦର ଏକ ସ୍ଥାନରେ ବୋଧହୁଏ ସମସ୍ତଙ୍କ ଚକ୍ଷୁ ସ୍ଥିର ହୋଇଯିବ ଯେଉଁଠି ଏକ ନିଗ୍ରୋଜନନୀ ତା’ର ଯାବଜ୍ଜୀବନ ଦୁଃସ୍ୱପ୍ନଜନକ ବନ୍ଦିଦଶାରୁ ପଳାୟନ କରିବାକୁ ଯାଇ ଧରାପଡ଼ିବା ପରେ ଶିଶୁ କନ୍ୟାଟିର ଗଳାରେ ହାତର କରତ ବସେଇ ଦେଇଛି ତାକୁ ମୁକ୍ତି ଦେବାପାଇଁ । ଗ୍ରନ୍ଥ ସମାଲୋଚନା ସୂତ୍ରେ ନ୍ୟୁୟର୍କ ଟାଇମ୍‍ସର ଜଣେ ସମାଲୋଚକ ଲେଖିଥଲେ, ଏହି ଅନୁଚ୍ଛେଦ ଗୋଟିଏ ପରିବାରର ନିରାପତ୍ତା ଓ ସ୍ୱାଧୀନତାର ସ୍ୱପ୍ନକୁ ଚୂରମାର କରିଦେବ; ଏହି ଦୃଶ୍ୟଟି ସମଗ୍ର ସଂପ୍ରଦାୟକୁ ବଂଶପରମ୍ପରାର ପଶ୍ଚାତ୍‍ଧାବନ କରି ବୁଲିବ, ବହିଟି ଶେଷ କରିବା ବହୁ ପରେବି ପାଠକମାନଙ୍କ ମନଭିତରେ ଶିହରଣ ତୋଳିବ ।

 

ଏହିଠାରେ ହିଁ ଟୋନି ମରିସନଙ୍କ ସାର୍ଥକତା । ସେ ପାଠକର ନିଦ୍ରା ଅପହରଣ କରିବା ଜାଣନ୍ତି । ତାଙ୍କର ଚିତ୍ରିତବ୍ୟ ଦାସ-ଇତିହାସର ଘଟଣାବଳୀକୁ ଜୀବନ୍ତ ଓ ଯଥାତଥ୍ୟ କରେ ତୋଳି ଧରି ଜାଣନ୍ତି ସଭ୍ୟ ମଣିଷର ଆଖି ସାମ୍ନାରେ । ପଶ୍ଚିମର କୃଷ୍ଣଶ୍ୱେତ ଦୁନିଆରେ ପୁସ୍ତକଟି ଯେ ଚାଞ୍ଚଲ୍ୟ ସୃଷ୍ଟି କରିବା ଅନୁମାନ କରାଯାଏ । ତେବେ ଇତି ମଧ୍ୟରେ ବିଲ୍‍ଭେଡର ବହୁଳ ପ୍ରଚାରରେ ଲେଖିକା ନିଜେହିଁ ବିସ୍ମିତ ହୋଇଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି, “ପୁସ୍ତକଟି ଖୁବ୍ କମ୍ ଲୋକ ପଢ଼ିବେ ଏହାହିଁ ମୋର ଧାରଣା ଥିଲା । କାରଣ ପ୍ରାୟ ନାମଗୋତ୍ରହୀନ ମଣିଷର ରକ୍ତ, ସ୍ଵେଦ ଓ ଅଶ୍ରୁରେ ଏକାକାର ଏହି କାହାଣୀ କଳାଗୋରା କୌଣସି ମଣିଷହିଁ ସ୍ମରଣ କରିବାକୁ ଚାହିଁବେ ନାହିଁ । ଏମିତି ଏକ ଅଧ୍ୟାୟ ଏହି ପୁସ୍ତକରେ ବର୍ଣ୍ଣିତ ହୋଇଛି ଯାହା ଜାତୀୟ ସ୍ମୃତିଭ୍ରଂଶର ବିଷୟ । ଦାସପ୍ରଥାର ପରିଣାମରେ ମୃତ ଛଅ କୋଟି ମଣିଷର ସ୍ମୃତିରେ ବହିଟି ଉତ୍ସର୍ଗ କରିଛନ୍ତି ଲେଖିକା । ଏହି ଅବିଶ୍ଵାସ୍ୟ ସଂଖ୍ୟାଟି ସେ କେଉଁଠୁ ପାଇଛନ୍ତି ଜାଣିବାକୁ ଚାହିଁବାରୁ ମରିସନ ଦ୍ୱିଧାହୀନ ଭାବରେ ଉତ୍ତର ଦେଇଛନ୍ତି, ଐତିହାସିକମାନଙ୍କ ପାଖରୁ । ସେମାନଙ୍କ ଅନେକଙ୍କ ମତରେ ମୃତ୍ୟୁ ସଂଖ୍ୟା କୋଡ଼ିଏ କୋଟି । ବିଭିନ୍ନ ବିବରଣରୁ ଜ୍ଞାତ ତଥ୍ୟର ହିସାବରୁ ଏହି କ୍ଷୁଦ୍ରତମ ସଂଖ୍ୟାଟିହିଁ ସେ ଗ୍ରହଣୀୟ ମନେ କରିଛନ୍ତି । ପ୍ରଜନ୍ମ - ପ୍ରଜନ୍ମବ୍ୟାପୀ ଏହି ଅଜ୍ଞାତପରିଚୟ ଜନମନୁଷ୍ୟ, ଯେଉଁମାନଙ୍କ ଦେହରେ ଏକଇ ମଣିଷତ୍ୱର ଲେବଲ ‘ସ୍ଲେଭ’ ଶବ୍ଦଟି ଖୋଦିତ ଜୀବନ ନାମକ ଘଟଣାଟିକୁ ସେମାନେ କେମିତି ଭାବରେ ନେଇଥିଲେ ସେମାନେ କେମିତି ଭାବରେ କେତେ ଟିକିଏ ବଂଚିଥିଲେ ଏବଂ ନିଜର ଅଭିଜ୍ଞତାକୁ ପରବର୍ତ୍ତୀ ମଣିଷ ନିକଟରେ କହି ଯିବାର ଝୁଁକି ନେଇଥିଲେ – ଏହି ବିଷୟଟି ଅଭିଭୂତ ସଦୃଶ ଖୋଜି ବୁଲିଛନ୍ତି ମରିସନ୍ । ଏହି ଜୀବନ ନେଇ ଗବେଷଣା କରିବାକୁ ଯାଇ ପ୍ରଚୁର ତଥ୍ୟ ତାଙ୍କ ହାତକୁ ଆସିଛି ଯାହାକୁ ସେ ବ୍ୟକ୍ତିଗତ ଅଭିଜ୍ଞତାରେ ସାମିଲ କରିନେଇପାରିଛନ୍ତି । କ୍ରୀତଦାସମାନଙ୍କର ଦୈନନ୍ଦିନ ଜୀବନ ନେଇ ନାନା ପ୍ରାମାଣ୍ୟ ଚିତ୍ରହିଁ ବିଛାଡ଼ି ହୋଇ ରହିଛି ବହୁ ମଣିଷର ସ୍ମୃତିକଥା ମଧ୍ୟରେ । ବିଶେଷ ଭାବରେ ବାର ପରିବାରର ଡାୟେରି ଏକ ଉଲ୍ଲେଖଯୋଗ୍ୟ ତଥ୍ୟ ବହୁଳ ରଚନା । ଆଇନାନୁସାରେ ନହେଲେବି କୋକେନର ଚୋରାଚାଲାଣ ସଦୃଶ ହଁ ମଣିଷ କିଣାବିକାର ବାଣିଜ୍ୟ ଚାଲୁଥିଲା ବେଶ୍ । ମୁଣ୍ଡପିଛା ଦର ଥିଲା ହଜାରେ ଡଲାର, ସେ ଯୁଗରେ ଖୁବ୍ କମ୍ ଅର୍ଥ ନୁହେଁ । ପ୍ରଶସ୍ତ କଙ୍ଗୋ ନଦୀର ଏକ ରୋମହର୍ଷକ ବର୍ଣ୍ଣନା ମିଳିଛି ଜଣେ ନାବିକର ଲେଖାରେ । ସାରା ନଦୀ କାଠଗଣ୍ଡି ସଦୃଶ ମୃତ ଦେହରେ ଠେସା । ତା’ ଭିତର ଦେଇ ନୌକା ଚଳେଇବା ପ୍ରାୟ ଅସମ୍ଭବ । ମରିସନ କେବଳ ବିଲଭେଜ୍ ଉପନ୍ୟାସରେ ନୁହେଁ, ସମକାଳୀନ ଅନ୍ୟାନ୍ୟ ଉପନ୍ୟାସରେବି ନିଗ୍ରୋ ଜୀବନର ମୂଳ ସମସ୍ୟାର ଗ୍ରନ୍ଥିରେ ପହଞ୍ଚିବାର ଚେଷ୍ଟାହିଁ କରିଛନ୍ତି ଅକ୍ଲାନ୍ତ ଭାବରେ । ଏହି ସମାଜର ଦାରିଦ୍ର୍ୟ, ବେକାରୀ, ଅଶିକ୍ଷା, ଅନ୍ତଃକଳହ ଏବଂ ଅନ୍ଧଅନୁକରଣ ଲିପ୍‍ସାରୁ ଯେଉଁ ବିଚିତ୍ର ଅବସ୍ଥାର ସୃଷ୍ଟି ହୋଇଛି, ଆମେରିକାର ସାମାଜିକ ଚୌହଦୀ ମଧ୍ୟରେ ଯେଉଁ ବେଦନାଦାୟକ ଅସାମଞ୍ଜସ୍ୟତାର ଅକପଟ କଥାଚିତ୍ର ସେ ତୋଳି ଧରିବାର ପ୍ରୟାସ ପାଇଛନ୍ତି । ତାଙ୍କର ‘ଟାରବୟ’ ଉପନ୍ୟାସରେ ଦୁଇ ସମାଜର ସଂଘାତମୟ ସଂଘର୍ଷର କଥା, ଜାତିଗତ, ଶ୍ରେଣୀଗତ ଓ ଯୌନସଂପର୍କଗତ ଅସମୀଭବନର କଥା ନାନାଚରିତ୍ର ମଧ୍ୟ ଦେଇ ବିଚ୍ଛୁରିତ ହୋଇଛି । ଆମେରିକାନ ଜୀବନର ଶ୍ରେଣୀଦ୍ୱନ୍ଦର ମଧ୍ୟରେ କଳାମଣିଷଗୁଡ଼ିକୁ ବଫର ଭଳି ବ୍ୟବହାର କରାହେଇଛି । ମରିସନ କହିବାକୁ ଚାହିଁଛନ୍ତି ସେ ଦେଶରେ ଯଦି ଇନ୍‍ଭିଜିବଲ୍ - ମ୍ୟାନରେ ପରିଣତ ଏହି କଳାଲୋକେ ନଥାନ୍ତେ ତାହାହେଲେ ତା’ର ଇତିହାସ ଅନ୍ୟରକମ ହୋଇଥାନ୍ତା । ଇଉରୋପରୁ ଆଗତ ଏହି ଔପନିବେଶିକ ମଣିଷମାନେ ସେତେବେଳେ ପରସ୍ପରର ତଣ୍ଟି କାଟିବାରେ ବ୍ୟସ୍ତ । ପ୍ରକୃତରେ ସବୁଠାରୁ ବେଦନାଦାୟକ କଥା, ଆମେରିକାରେ ଏକତ୍ର ହୋଇଥିବା ଏହି ମଣିଷମାନଙ୍କ ମଧ୍ୟରେ ଚମଡ଼ାର ରଙ୍ଗ ବ୍ୟତୀତ ଆଉ କୌଣସି ଐକ୍ୟ ସୂତ୍ର ନଥିଲା । ଗୋଟାଏ ଜାଗାରେ ଏକ କୃଷ୍ଣକାୟ ଯୁବକ ମୁହଁରେ ସେ କହିଛନ୍ତି - ‘ବର୍ତ୍ତମାନ ଆମେ ବୁଝିପାରିଛୁ ଏକା ସଂଗରେ କଳା ହେବା ଏବଂ ମଣିଷ ହୋଇ ଉଠିବାର ପରସ୍ପର ବିରୁଦ୍ଧ କର୍ମଟି କେତେ କଠିଣ ।’ ଅଥଚ ଦେଖାଯାଉଛି ଏଇ ହତାଶାଜନକ ପରିସ୍ଥିତିରେ କୃଷ୍ଣାଙ୍ଗ ତରୁଣମାନେ ନିଜର ଦାୟିତ୍ୱ ଏଡ଼େଇ ଚଟକଦାର ପୁରୁଷ ହେବା ଆଡ଼କୁ ଝୁଂକି ପଡ଼ିଛନ୍ତି । ଏ ସମ୍ପର୍କରେ ମୋରିସନ କହନ୍ତି - ସହରରେ ଯେଉଁଠି ଶତକଡ଼ା ଷାଠିଏ ଭାଗ କିଶୋର ବେକାରୀର ଶିକାର ସେଠି ସେମାନଙ୍କର ଦାୟଦାୟିତ୍ୱ ନେବାର ସୁଯୋଗ କେହି ସାମ୍ନାରେ ରଖୁଛନ୍ତି କି ? ଏହା କି ଧରଣର ବିଚାର ? ତାଙ୍କର ଏହି ଅସାମାନ୍ୟ ସାକ୍ଷାତକାରରେ ପ୍ରଚଣ୍ଡ କ୍ଷୋଭ ସେ ପରିଷ୍କାର ଭାବରେ ହିଁ ଜଣେଇଛନ୍ତି ଆଫ୍ରିକାରୁ ଆମେରିକାକୁ ଚାଲାନ୍ ହୋଇ ଆସିଥିଲେ ନିଗ୍ରୋଗଣ ଆଉ ଉନ୍ନାସିକମାନଙ୍କ ଅଭିଧାନରୁ ଗେଲାଇ ହୋଇ ସେମାନଙ୍କର ପଶ୍ଚାତ୍‍ଧାବନ କରିଥିଲା ନିଗାର ଶବ୍ଦଟା । ଏହି ପତିତ ମଣିଷଙ୍କୁ ଜମି ଆବାଦର କାମରେ ଲଗା ହୋଇଥିଲା ସୁନା ଫଳେଇବାକୁ ତା’ପରେ ଯେତେବେଳେ ଉତ୍ତରରେ କଳକାରଖାନା କୃଷିକ୍ଷେତର ରସ ଶୋଷି ମୁଣ୍ଡଟେକି ଠିଆହୋଇରହିଲା ଗୋଟିକ ପରେ ଗୋଟିଏ । ଅସଲ ପ୍ରହସନର ଆରମ୍ଭ ହିଁ ସେହିଠାରୁ । ଉତ୍ତର ଦକ୍ଷିଣରେ ଲାଗିଗଲା ଚୋରା ଲଢ଼େଇ, ଅର୍ଥନୈତିକ ପେଂଚପାଂଚ କୃଷି ଏବଂ ଶିଳ୍ପର ବିରୁଦ୍ଧରେ । ଶ୍ଵେତାଙ୍ଗ ମଣିଷମାନଙ୍କର ଗୋଟାଏ ଦଳ ନିଗ୍ରୋଦରଦୀ ହୋଇଉଠିଲେ ରାତାରାତି । ଏହାର ନୀଟ୍ ଲାଭ କ୍ରୀତଦାସ ପ୍ରଥାର ବିଲୋପ । କାଗଜ କଲମରେ ସିଭିଲ ରାଇଟ ଅର୍ଜନ । ଇତିହାସଖ୍ୟାତ କିଛି ଶ୍ଵେତାଙ୍ଗ ବ୍ୟକ୍ତିତ୍ୱ ନିଗ୍ରୋମାନଙ୍କର ଆପାତ ସ୍ୱାଧୀନତା ପାଇଁ ଲଢ଼େଇବି କରିଛନ୍ତି । ରାଷ୍ଟ୍ରନୀତିରେ ଏବଂ ସାହିତ୍ୟରେ ସେମାନଙ୍କର ଦରଦୀ ଆତ୍ମପ୍ରକାଶ ଆମ୍ଭମାନଙ୍କୁ ଚମତ୍କୃତ କଲେବି ତାରି ନୈପଥ୍ୟରେ ଯେ ଅନ୍ୟତର ଉଦ୍ଦେଶ୍ୟ ଆଦୌ ନଥିଲା ଏମିତି କୁହା ଯାଇନପାରେ-। ସତ କହିବାକୁ ଗଲେ ନିଗ୍ରୋମାନଙ୍କ ପାଇଁ ସ୍ଵାର୍ଥଶୂନ୍ୟ ଭାବରେ କେହିହିଁ କିଛି କରିନାହାନ୍ତି । କଳା ଆମେରିକାକୁ ହ୍ୱାଇଟ୍ ୱାଶ କରିବା ଚେଷ୍ଟା ବ୍ୟତୀତ ଶେଷରେ ଆଉ କି ଲାଭ ହୋଇଛି ଆଜି ପର୍ଯ୍ୟନ୍ତ । ଆଉଥରେ ୧୯୮୯ରେ କ୍ଲିଡିୟା ଟେଟ୍‍ଙ୍କୁ ମରିସନ କହିଥିଲେ – ‘‘ମୁଁ ଯେତେବେଳେ ଜଗତ ଆଡ଼କୁ ଦେଖେ ଓ ଲେଖେଁ ସେତେବେଳେ ମୋତେ କେବଳ ଦୃଷ୍ଟିଗୋଚର ହୁଏ କୃଷ୍ଣକାୟମାନଙ୍କ ଜଗତ ।” ଏହାର ଅର୍ଥ ନୁହେଁ ଯେ ଗୋରା ଲୋକଙ୍କ ପାଇଁ ଲେଖିବି ନାହିଁ । ମୁଁ ଜାଣେ ଯେଉଁ ସବୁ ବିଷୟକୁ ନେଇ ମୋର ଉପନ୍ୟାସ ରଚନା କରିବାକୁ ଯାଉଛି, ଯେଉଁ ବର୍ଣ୍ଣନା କରିବାକୁ ଯାଉଛି । ସେ ସବୁ ଯେଉଁ ଚରିତ୍ରମାନଙ୍କରେ ସର୍ବୋତ୍ତମ ପ୍ରତିଫଳିତ ହୋଇପାରିବ ସେମାନେ ହେଉଛନ୍ତି କଳାଲୋକ ।

 

ମୋରିସନ୍‍ଙ୍କ ସର୍ବଶେଷ ଉପନ୍ୟାସ ଜାଜକୁ ମିଶେଇ କେବଳ ମାତ୍ର ଛଅ ଖଣ୍ଡ ଉପନ୍ୟାସ ଲେଖିଥିଲେ ହେଁ ସେ ସବୁ ପାଇଁ କଳାତ୍ମକ ଦିଗ ତଥା ଆଦର୍ଶବାଦୀ ପ୍ରଚାର ବିଶ୍ୱର ଶ୍ରେଷ୍ଠମାନ୍ୟତା ପ୍ରାପ୍ତ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି ସୁଇଡିସ୍ ଏକାଡେମୀ ପକ୍ଷରୁ । ଏକାଡେମୀର ସ୍ଥାୟୀ ସେକ୍ରେଟେରୀ ଷ୍ଟିଅର ଆଲେନ କହନ୍ତି – ‘‘ଜଣେ ଲେଖକ ଏଭଳି ଉଚ୍ଚମାନର ଛଅ ଖଣ୍ଡ ଉପନ୍ୟାସ ଲେଖିବା ଏକ ବିରଳ ଦୃଷ୍ଟାନ୍ତ ।”

 

ଏହି ଅଶ୍ୱେତ ମାର୍କନ ମହିଳା ଲେଖକଙ୍କ ଉପନ୍ୟାସଗୁଡ଼ିକ କାବ୍ୟାତ୍ମକ ଚାତୁରୀରେ ଏପରି ଋଦ୍ଧିମନ୍ତ ଯେ ତାହାହିଁ ତାଙ୍କର ବିଶେଷତ୍ଵ ବୋଲି ଧରି ନିଆଯାଏ । ସୁଇଡିସ୍ ଏକାଡେମୀ କହନ୍ତି ତାଙ୍କ ଉପନ୍ୟାସରେ ରହିଛି କବିତାର ଔଜଲ୍ୟ । ତେବେ ଏକଥା ସତ୍ୟ ଯେ, ତାଙ୍କ ରଚନାରେ ରୋମାନୀୟ ତରଳତା ଅଥବା ଉଚ୍ଛ୍ୱାସ ନାହିଁ, କିନ୍ତୁ ସେଥିରେ ଜୀବନ ସଂଘର୍ଷ ଓ ଆମେରିକାର ବର୍ଣ୍ଣ ବୈଷମ୍ୟର ଯଥାର୍ଥ ପରିପ୍ରକାଶ ଘଟିଛି ଏବଂ ସେସବୁ ସାଙ୍ଗୀତିକ ଧାରାରେ ପରିବେଷଣ କରାଯାଇଛି । ଏହି ସାଙ୍ଗୀତିକତା ବ୍ୟତୀତ ପାରମ୍ପରିକ ସମାଜର ଅବିକଳ ଚିତ୍ର ଦେଖୁବାକୁ ମିଳେ ତାଙ୍କ ଲେଖାରେ, ଯାହା ମରିସନ୍‍ଙ୍କ ଆଉ ଏକ ବିଶେଷତ୍ଵ । ସେ ଏକଥା ସ୍ୱୀକାର କରି ଏକ ସାକ୍ଷାତକାରରେ କହନ୍ତି- “ମୁଁ ଗ୍ରାମ୍ୟ ସାହିତ୍ୟହିଁ ଲେଖେ । ଅର୍ଥାତ୍ ନିଜ ଗାଁ ତଥା ପାରମ୍ପାରିକ ସମାଜର ସାଧାରଣ ଲୋକଙ୍କ ପାଇଁ ଲେଖେ । ପୁରାତନ ସମାଜର ଯେଉଁ ସବୁ ଚିତ୍ର ଓ ଚରିତ୍ର ଆଜି ବିସ୍କୃତି ଗର୍ଭରେ ଲୀନ ହେବାକୁ ବସିଲାଣି ମୁଁ ମୋ ଉପନ୍ୟାସରେ ସେସବୁକୁ ଜାଗରୂକ ରଖିବାର ପ୍ରଯତ୍ନ କରିଛି ଯାହା ଅଧୁନା ସମାଜରେ କିଛିଟା ଉପଯୋଗିତା ରହିଛି ଆଉ କିଛି ଅବଶ୍ୟ ନିରର୍ଥକ ହୋଇ ଗଲାଣି ।

 

କିନ୍ତୁ କୃଷକଟିଏ ଏଇଥିପାଇଁ ଉପନ୍ୟାସ ଲେଖେନାହିଁ କାରଣ ତା’ର କୌଣସି ଆବଶ୍ୟକତା ନାହିଁ, ଜନ୍‍ବର୍ଜରଙ୍କ ଏହିମତ ସହ ମରିସନ୍ ଏକମତ । ତାଙ୍କ ମତରେ କୃଷକ, କାହାଣୀ, ସଂଗୀତ, ଗପସପ, ଉତ୍ସବ ଅନୁଷ୍ଠାନରେ ନିଜକୁ ଏତେମାତ୍ରାରେ ଅଭିବ୍ୟକ୍ତ କରେଯେ ତାହାହିଁ ତା’ପାଇଁ ପର୍ଯ୍ୟାପ୍ତ ହୋଇଯାଏ । ତେବେ ଉପନ୍ୟାସ ରଚନାର ଆବଶ୍ୟକତା ସଂପର୍କରେ ମରିସନ୍ କହନ୍ତି, ଶିଳ୍ପ ବିପ୍ଳବ ପରେ ମଧ୍ୟମ ଶ୍ରେଣୀର ମାନସିକତାରେ ଯଥେଷ୍ଟ ପରିବର୍ତ୍ତନ ଘଟିବା ଫଳରେ ସେମାନେ ନିଜକୁ ନୂଆ ଭାବରେ ଦେଖିବାକୁ ଚାହିଁଲେ, ତା’ସହିତ ସେମାନଙ୍କ ଜୀବନଧାରା ମଧ୍ୟ ବଦଳିଗଲା । ଉପନ୍ୟାସରେ ଏହି ନୂତନଚିତ୍ରମାନ ତେଣୁ ବହୁଳ ଭାବରେ ଦେଖିବାକୁ ମିଳିଲା ଯାହା ଆଜିବି ବଳବତ୍ତର ରହିଛି । କିନ୍ତୁ ଅଧୁନା ସହର ଓ ମହାନଗରୀଗୁଡ଼ିକୁ ଗ୍ରାମ୍ୟ କୃଷକ ଏବଂ ଆଦିମ ଅଧିବାସୀମାନେ ଚାଲିଆସିବା, ଫଳରେ ନବ୍ୟ ନଗରୀ ସଭ୍ୟତା ଓ ପୁରାତନ ଗ୍ରାମୀଣ ମୂଲ୍ୟବୋଧ ମଧ୍ୟରେ ସଂଘର୍ଷ ଅବ୍ୟାହତ ରହିଛି ଏବଂ ଏଥିରୁ ଯେଉଁ ଭ୍ରମ ସୃଷ୍ଟି ହେଉଛି ତାହା ଗ୍ରାମ୍ୟ ଲୋକଙ୍କୁ ସାହିତ୍ୟ ମାଧ୍ୟମରେ ହେଜାଇ ଦେବାର ଆବଶ୍ୟକତା ପଡ଼ୁଛି ।

 

ମରିସନ୍‌ଙ୍କ ଲେଖନୀର ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଗୁଣ ହେଉଛି ତାଙ୍କର ଭାଷା । ତାଙ୍କ ମତରେ ସାହିତ୍ୟରେ ଭାଷା ପ୍ରୟୋଗ କ୍ଷେତ୍ରରେ ସାବଧାନତା ଅବଲମ୍ବନ ସହିତ ତାହା ଯେପରି ସହଜ ଓ ବୋଧଗମ୍ୟ ହୋଇପାରିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ହେବ । ଏହା ସାଙ୍କେତିକ ଏବଂ ଚିତ୍ତ ଆଲୋଡ଼ନକାରୀ ହେବା ବିଧେୟ । ଲେଖକର ଭାଷା ଉପଦେଶାତ୍ମକ ହେବା ପ୍ରୟୋଜନ, ଯେପରି ତାହା ପାଠକର ମନକୁ ଛୁଇଁ ସେମାନଙ୍କୁ ଆତ୍ମବିସ୍ମୃତ କରିପାରୁଥିବ । ଏଭଳି ଭାଷାହିଁ ପାଠକର ଚିତ୍ତ ଓ ଅନ୍ତରକୁ ଆନ୍ଦୋଳିତ କରେ । ସେଥିପାଇଁ ମରିସନ୍ କମେଡ଼ି ଅପେକ୍ଷା ଟ୍ରାଜେଡ଼ିକୁ ହିଁ ପସନ୍ଦ କରନ୍ତି ସମାଧିକ ।

 

ସାହିତ୍ୟ ସାମାଲୋଚନାକୁ ମଧ୍ୟ ମରିସନ୍ ଗୁରୁତ୍ୱ ଦିଅନ୍ତି ବିଶେଷ ଭାବରେ । ତାଙ୍କ ମତରେ ସମାଲୋଚନା ଉଚ୍ଚକୋଟୀର ହେଲେ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି ସମ୍ଭବ । ଆଗେ ଲେଖକମାନେ ସମାଲୋଚନା କ୍ଷେତ୍ରରେ ସିଂହଭାଗ ସ୍ଥାନ ଅଧିକାର କରିଥିଲେ ଅଥଚ ଆଜି ତାହା ଆଉ ବିଶେଷ ପରିଲକ୍ଷିତ ହେଉନାହିଁ । ଆଜିର ସମାଲୋଚକମାନେ ନିଜ ସଂପର୍କରେ ଓ ନିଜର ସମାଲୋଚନା ସମ୍ପର୍କରେ ଯେତେ ଆଲୋଚନା କରିଛନ୍ତି ସାହିତ୍ୟ ସଂପର୍କରେ କିନ୍ତୁ ସେତେ କରୁନାହାନ୍ତି, ତାହାହିଁ ବିଧିର ବିଡ଼ମ୍ବନା ।

 

ତାଙ୍କ ଲିଖନର ଧାରା ବା ପ୍ରକ୍ରିୟା ସମ୍ବନ୍ଧରେ ଟେଟ୍‍ଙ୍କୁ କହିଛନ୍ତି, ବହି ଲେଖବା ପୂର୍ବରୁ ମୁଁ କାହାଣୀଟି ଜାଣି ସାରିଥାଏ । ତାହା କଷ୍ଟକର ନୁହେଁ ଯେକେହି କାହାଣୀଟିଏ ଫାନ୍ଦି ଦେଇପାରେ । କିନ୍ତୁ ତା’ ଭିତରେ ଚରିତ୍ରମାନଙ୍କୁ ଜୀବନ୍ୟାସ ଦେବା ଅସଲକଥା । ସେମାନଙ୍କୁ ଯୋଗ୍ୟ ପରିବେଶ ମଧ୍ୟରେ ମନଲାଖି ଢଙ୍ଗରେ ଗଢ଼ିବା ଏକାନ୍ତ ପ୍ରୟୋଜନ । ଏସବୁ ହେଲା ସବୁଠାରୁ କାଠିକର ପାଠ-। ମୋ ହାତରେ ଅଛି କେବଳ ମାତ୍ର ଛବିଶଟି ଅକ୍ଷରର ବର୍ଣ୍ଣମାଳା । ମୋର ନା ଅଛି ସ୍ଵର, ଛନ୍ଦ, ଲୟ, ନା ଅଛି ତୁଳୀ ଓ ରଂଗ ! କଳା କୌଶଳ ଦେଇ ଏହି ଅକ୍ଷରମାନଙ୍କୁ କାମରେ ଲଗେଇ ମୋତେ ମୋର ପାଠକମାନଙ୍କୁ ଦେଖେଇବାକୁ ହେବ ବର୍ଣ୍ଣର ବୈଚିତ୍ର୍ୟ, ସ୍ଵରର ମାଧୁର୍ଯ୍ୟ ।

 

ମୋର କାହାଣୀସବୁ ଆସନ୍ତି ଦେହଘଷା କଥାଭଳି । ଘଷରା କଥା ଘଷରାହିଁ ହୋଇଥାଏ; କାରଣ ତାହାହିଁ ତାତ୍କାଳିକ ଓ ଚିରନ୍ତନ ତାତ୍ପର୍ଯ୍ୟମଣ୍ଡିତ । ତାହା ହୋଇନଥିଲେ ଲୋକେ କେଉଁ କାଳରୁ ତାକୁ ପାସୋରି ସାରନ୍ତେଣି । ଯେଉଁ କଥା ଯେତେ ଘଷରା ତା’ ପାଇଁ ସେତେ ବ୍ୟାଖ୍ୟା ପ୍ରୟୋଜନ । ଘଷରା ହୋଇବି ସେ ସବୁଦିନ ରହିଥାଏ ରହସ୍ୟଚ୍ଛନ୍ନ । ସୁନ୍ଦର ଓ ଅସୁନ୍ଦରର ଧାରଣା ମୋ ପାଖରେ ସେହିଭଳି ରହସ୍ୟମୟ । ବହୁ ଲେଖକ ସେ ସମ୍ବନ୍ଧରେ ବହୁକଥା ଲେଖିଛନ୍ତି । ମୁଁ ତା’ ଉପରେ ଆଖି ବୁଲେଇବା ବେଳେ ତା’ ଭିତରକୁ ଯିବାକୁ ଚେଷ୍ଟା କରେ, ଜାଣିବାକୁ ଚାହେଁ ସେ ସବୁର ଅର୍ଥ ଏବଂ ଲୋକଙ୍କର କ୍ରିୟାକଳାପ ଉପରେ ତା’ର ପ୍ରଭାବ ।

 

ଲେଖିକା ହିସାବରେ ମୋର ସମସ୍ୟାଟି ହେଲା ମୋର କାହାଣୀଟିକୁ ଅର୍ଥବହ କରିବା । ଆପଣ ବେଶ୍ ସୁନ୍ଦର ଉପନ୍ୟାସଟିଏ ଲେଖିଦେଇ ପାରିବେ; ତାକୁ ବେଶ୍ ଆକର୍ଷଣୀୟ ବି କରିପାରିବେ, କିନ୍ତୁ ତହିଁରେ ହୁଏତ କିଛି ସାର କଥା ନଥିବ । ଲେଖିବାବେଳେ ମୋର ଅକ୍ଷମତା ନାନା ରୂପରେ, ନାନା ଭାବରେ ଆସିପାରେ, କିନ୍ତୁ ମୋର ଲକ୍ଷ୍ୟ ହେଲା, ମୁଁ ଯାହାକୁ ଗୁରୁତ୍ୱପୂର୍ଣ୍ଣ ମନେକରେ, ମୋ ରଚନା ତା’ ଉପରେହିଁ ଆଧାରିତ ହେଉ, ଆଉ ଯେଉଁ ବିଷୟ ସବୁ ଗୁରୁତ୍ୱପୂର୍ଣ୍ଣ ମନେହେଉଛି ପୃଥିବୀ ପାଇଁ, ତାହା ଚିରକାଳ ଥିଲେ ଓ ରହିବେ ।’’

 

ମରିସନ୍ ନିଜକୁ ଜଣେ ‘ସଂଖ୍ୟାଲଘୁ ଲେଖିକା’ ହିସାବରେ ଦେଖିଛନ୍ତି ଏବଂ ଏହି ଅଭିଜ୍ଞତାକୁ ନିଜ ଲେଖନୀର ଶକ୍ତି ଓ ଉତ୍ସ ରୂପେ କାମରେ ଲଗେଇଛନ୍ତି । ଏହି ଲେଖକୀୟ ଭୂମିକା ସଂପର୍କରେ ମରିସନ୍‍ଙ୍କ ଉକ୍ତି ଉଦ୍ଧାର କରି କାରୋଲିନ ବନାର୍ଡ ଲେଖିଛନ୍ତି, “ଜଣେ ସଂଖ୍ୟାଲଘୁ ଲେଖକ ଚାରିଟି ପର୍ଯ୍ୟାୟ ଦେଇ ଯିବାକୁ ବାଧ୍ୟ; ଏକ କ୍ଷୋଭକାଳ, ଏକ ଆତ୍ମ ଆବିଷ୍କାର କାଳ, ସଂସ୍କୃତି ପ୍ରତି ସମ୍ଭ୍ରମ ଜ୍ଞାପନର କାଳ ଏବଂ ସର୍ବଶେଷରେ ଯାଇ ପହଞ୍ଚିବ ନିଜର ଜାତିଗତ ଅଭିଜ୍ଞତାରୁ ଜାତ ଏକ ଅବବୋଧରେ ।

 

ମରିସନ୍ ଛ’ଟି ଉପନ୍ୟାସ, ଗୋଟିଏ କ୍ଷୁଦ୍ରଗଳ୍ପ ସଂକଳନ, ଗୋଟିଏ ନାଟକ ଓ ବହୁ ସମାଲୋଚନା ପ୍ରବନ୍ଧର ସ୍ରଷ୍ଟା । ୧୯୯୩ର ପ୍ରଖ୍ୟାତ ‘‘ବ୍ଲାକ୍ ଓମେନ୍ ଇନ୍ ଆମେରିକା ଆନ୍ ହିଷ୍ଟ୍ରିକ୍ୟାଲ ଏନ୍‍ସାଇକ୍ଳୋପେଡିଆ”ରେ ତାଙ୍କର ଜୀବନୀକାର କାରୋଲିନ୍ ଡେନାର୍ଡ ମରିସଙ୍କୁ ଏ ଯୁଗର ଜଣେ ସାର୍ଥକ ରଚୟିତା ବୋଲି ସ୍ୱୀକାର କରିଛନ୍ତି ।

 

 

ଗୋବିନ୍ଦତୋଳା,

ସଂବଲପୁର

 

***

 

Unknown

ଶବ୍ଦ ଓ ବାସ୍ତବତା : ସୂଜନ ପ୍ରକ୍ରିୟାର କେଇଟି ଦିଗ

ସୀତାକାନ୍ତ ମହାପାତ୍ର

 

କବି ଅନ୍ତରର କାବ୍ୟପୁରଷ ସହିତ ବସ୍ତୁ, ଚିତ୍ରକଳ୍ପ ଓ ଶବ୍ଦଙ୍କର ଅନ୍ତଃନିହିତ ଜଟିଳ ସମ୍ପର୍କକୁ ଉନ୍ମୋଚିତ ତଥା ସୁସଂହତ କରିବାର ଯେଉଁ ପ୍ରକ୍ରିୟା, ତା’ରି ନାଁ ସୃଜନଶୀଳତା । ଏହା ଏକ ସ୍ପର୍ଶକାତର ଦୁରୂହ ପ୍ରକ୍ରିୟା । ବସ୍ତୁ, ଚିତ୍ରକଳ୍ପ ଏବଂ ଶବ୍ଦ ଏହି ତ୍ରୟୀଙ୍କର କାବ୍ୟପୁରୁଷ ସହ ସମ୍ପର୍କ ବିରୋଧାଭାସ ଭିତରେ ସହାବସ୍ଥାନର ସମ୍ପର୍କ । ଏ ସମ୍ପର୍କରୁ ବସ୍ତୁ ତା’ର ଯଥାର୍ଥ ଚିତ୍ରକଳ୍ପକୁ ଲାଭ କରେ, ଚିତ୍ରକଳ୍ପ ବସ୍ତୁକୁ ପର୍ଯ୍ୟାପ୍ତ ଓ ନିଖୁଣଭାବରେ ବ୍ୟକ୍ତ କରେ ଏବଂ ଉଭୟ ବସ୍ତୁ ଓ ଚିତ୍ରକଳ୍ପ ସେମାନଙ୍କର ବାଚନିକ ପରିପ୍ରକାଶ ପାଇଥାଆନ୍ତି । ସେହିପରି ପରିପ୍ରକାଶ, ଯାହା ଏକାଧାରରେ ଭାବସାନ୍ଦ୍ର, ସ୍ଵଚ୍ଛ ତଥା ହୃଦୟଗ୍ରାହୀ । ଏ ତ୍ରୟୀଙ୍କ ମଧ୍ୟରୁ ଦୁଇଟିର ଅବସ୍ଥିତି କାବ୍ୟପୁରୁଷର ବାହାରେ, ତୃତୀୟଟି ତା’ର ଅନ୍ତଃସ୍ଥଳରେ । ସୃଜନଶୀଳତା ତିନିଙ୍କର ନିଭୃତତମ ପ୍ରଦେଶକୁ ପ୍ରବେଶକରି ତିନିଙ୍କର ଗୋପନତମ ଅଭିଳାଷକୁ ପୂର୍ଣ୍ଣମାତ୍ରାରେ ଚରିତାର୍ଥ କରିବାକୁ ପ୍ରୟାସୀ ହୁଏ । କାଳର ଚଳମାନ ପ୍ରବାହରେ ନିଜକୁ ଅସଂପୃକ୍ତରଖି ବସ୍ତୁ, ଚିତ୍ରକଳ୍ପ ଓ ଶବ୍ଦ ପ୍ରତ୍ୟେକର ବାହାରେ ଏକ ପ୍ରକାର ନିରାସକ୍ତ ସ୍ଥିତିରେ ନିଜକୁ ଅବସ୍ଥାପିତ କରେ । ସ୍ଵୟଂସିଦ୍ଧ ଏକ ନାନ୍ଦନିକ ଦୂରତା ମାଧ୍ୟମରେ ସେ ଯାହାନୈର୍ବ୍ୟକ୍ତିକ ତାକୁ ବ୍ୟକ୍ତିନିଷ୍ଠ କରାଇବାକୁ ପ୍ରୟାସ କରେ । ତଦନନ୍ତର ଏହା ଚିତ୍ରକଳ୍ପଦ୍ୱାରା ଉଦ୍‌ଭାସିତ ବସ୍ତୁ ଓ ଘଟଣାମାନଙ୍କ ପ୍ରତି ସମ୍ପୂର୍ଣ୍ଣ ସଦ୍ୟ, ଆବେଗିକ ଓ ଗଭୀର ଦୃଷ୍ଟିରେ ଦୃକ୍‍ପାତ କରିବାକୁ ସାମର୍ଥ୍ୟ ଲୋଡ଼େ । ପରିଶେଷରେ ଚିତ୍ରକଳ୍ପ ଜରିଆରେ ବସ୍ତକୁ ବ୍ୟକ୍ତ କରିବାକୁ ଯାଇ ଶବ୍ଦମାନଙ୍କଠାରେ ସେ ଏମିତି ଅର୍ଥସବୁ ଭରିଦିଏ, ଯାହାକି ଶବ୍ଦମାନେ ପୂର୍ବରୁ କେବେ ବି ବହନ କରିନଥିଲେ, କେବେ ବି ପ୍ରକଟ କରିନଥିଲେ । ସୃଜନଶୀଳତା ଏହିପରି ମୂଳତଃ ଏକ ଅନ୍ଵେଷା - ବସ୍ତୁ ଓ ଘଟଣାମାନଙ୍କର କବିସତ୍ତା ମଧ୍ୟକୁ ପଶି ଆସୁଥିବା ସମୁଚିତ ଚିତ୍ରକଳ୍ପ ପାଇଁ ଅନ୍ୱେଷା । କାବ୍ୟପୁରୁଷ ସ୍ୱୟଂ ସୀମା ଓ ଅକୁଳାଣ ସମ୍ବଳ ସମ୍ବନ୍ଧରେ ଅବହିତ ରହି ଏହି ନିରବଚ୍ଛିନ୍ନ ଆହ୍ୱାନର ମୁକାବିଲା କରୁଥାଏ । ବେଳେବେଳେ ସେ ଶବ୍ଦମାନେ ଉପୁଜାଉଥିବା ପ୍ରତିବନ୍ଧକକୁ ଏଡ଼ାଇଯାଇ ସିଧାସଳଖ ବସ୍ତୁକୁ ସ୍ପର୍ଶ କରେ । ସେତେବେଳେ ସେ ଅନୁଭବ କରେ ଯେ ସେ ବସ୍ତୁଙ୍କୁ ଉପଲବ୍ଧ କରିପାରିଛି, ସେମାନଙ୍କର ବର୍ଣ୍ଣ, ଗନ୍ଧ, ଆକାର ଓ ଆତ୍ମାକୁ ଉପଲବ୍ଧି କରିବାରେ ସମର୍ଥ ହୋଇଛି ।

 

ବାସ୍ତବତାର ଏହି ପ୍ରତ୍ୟକ୍ଷ ଓ ଅନ୍ତରଙ୍ଗ ସମ୍ପର୍କକୁ ସମାହିତ ରଖି ଚିତ୍ତାକର୍ଷକ, ପ୍ରଭାବଶାଳୀ ରୂପକଳ୍ପଟିଏ ପାଇଯିବାର ସୌଭାଗ୍ୟ ମଧ୍ୟ ବେଳେବେଳେ ତା’ର ହୋଇଥାଏ । ମାତ୍ର ପରକ୍ଷଣରେ ତା’ର ହୃଦୟଙ୍ଗମ ହୁଏ ଯେ ଇତିହାସ, କାଳ, ବ୍ୟବହାରିକତା ଓ ଭାଷାଭେଦରେ ବସ୍ତୁଙ୍କର ସଂଜ୍ଞାବଦ୍ଧ ନାମସବୁ ରହିଅଛି ଏବଂ ଅର୍ଥପୂର୍ଣ୍ଣ ଅଭିବ୍ୟକ୍ତି ପାଇଁ ଚିତ୍ରକଳ୍ପ ଦେଇ ବାସ୍ତବତାର ରହସ୍ୟ ଉନ୍ମୋଚନ ପାଇଁ ତାକୁ ସଠିକ୍ ଶବ୍ଦମାନଙ୍କୁ ତିଆରିବାକୁ ହେବ । ଯିଏ ବସ୍ତୁ ଓ ଚିତ୍ରକଳ୍ପକୁ ସମ୍ପର୍କିତ କରୁଥିବେ ସେ ବସ୍ତୁ ଓ ଚିତ୍ରକଳ୍ପ ସମ୍ବନ୍ଧରେ ତା’ର ଉପଲବ୍ଧିକୁ ପ୍ରକଟ କରୁଥିବେ, ଅଥଚ ଯିଏ ଏପରି ଶବ୍ଦ ଯାହା ବାସ୍ତବତାର ଆତ୍ମା ଏବଂ ଚିତ୍ରକଳ୍ପର ମର୍ମକୁ ଆହରଣ କରି ଧାରଣ କରୁଥିବେ, ଯିଏ ତାର ବାଞ୍ଛିତ ବକ୍ତବ୍ୟକୁ ଅତ୍ୟନ୍ତ ବିଶ୍ୱସ୍ତତାର ସହିତ ବିନା ବିକୃତି, ବିନା ଅତିଶୟୋକ୍ତିରେ ଅବିକଳ ପାଠକ ନିକଟକୁ ଘେନି ଯାଉଥବେ ଏବଂ ଖୋଦ୍ କବିପ୍ରାଣରୁ । ଆବେଗ ସିଧାସିଧା ପାଠକ ପାଖକୁ ଘେନି ଆସି ନୀରବରେ ଭେଟି ଦେଉଥିବେ ।

 

ଏପରି ଏକ ବ୍ୟାପାରରେ ଲିପ୍ତରହି ସେ ଉପଲବ୍ଧି କରେ ଯେ ସତ୍ ସୃଜନଶୀଳତା ହେଉଛି ଅନୁଭୁତିର ସୀମାରେଖାର ହିଁ ପ୍ରସାରଣ । ଏହା ପ୍ରେମ ଓ ଆତ୍ମୀୟତାର ସର୍ବୋଚ୍ଚ ସ୍ତର ମାଧ୍ୟମରେ ଏକ ବିଜୟ । ଏହା ତା’ର କବିସତ୍ତା ତଥା ଆପଣାତ୍ୱର ହିଁ ପରିବର୍ଦ୍ଧନ । ବସ୍ତୁତଃ ସୃଜନଶୀଳତା ହେଉଛି ଏତାଦୃଶ ପରିବ୍ୟାପ୍ତିର ଅନ୍ୟ ଏକ ନାମ । ସେ ତାର ଚେରସମୂହକୁ ଅଧିକରୁ ଅଧିକ ଗଭୀରକୁ ତଥା ସମାନ୍ତରଭାବେ ଅଧିକରୁ ଅଧିକ ଦୂରକୁ ବିସ୍ତାରିଦେବାକୁ ଉଦ୍ୟମ କରେ । ଏହି ବିସ୍ତାରଣ ତିନିଟି ସ୍ତରରେ ଘଟିଥାଏ । ପ୍ରଥମରେ ତା’ର ବହୁଧା ବ୍ୟକ୍ତିତ୍ଵରେ, ବ୍ୟକ୍ତିତ୍ଵର ବହୁବିଧ ଆସ୍ତରଣରେ, ତା’ର ସମୁଦାୟ ଜଗତରେ ଯାହାକୁ ଆମ ନନ୍ଦନତତ୍ତ୍ୱରେ ଏକୀଭୂତ ଅନ୍ନମୟ, ପ୍ରାଣମୟ, ଜ୍ଞାନମୟ, ବିଜ୍ଞାନମୟ ଏବଂ ଆନନ୍ଦମୟ ସତ୍ତାର କ୍ରମବର୍ଦ୍ଧିଷ୍ଣୁସ୍ତରଭାବରେ ବର୍ଣ୍ଣନା କରାଯାଇଅଛି । କ୍ଷୁଦ୍ର ଶିଶୁଟିଏ ପାଇଁ ମା’ର କ୍ଷୀରଠାରୁ ଆପଣା ବୃଦ୍ଧାଙ୍ଗୁଳି ପର୍ଯ୍ୟନ୍ତ ସାରା ପୃଥିବୀ ହେଉଛି ଖାଦ୍ୟ, ଖାଇବାର ସାମଗ୍ରୀ ଏବଂ ଅନ୍ନମୟ । ତା’ପରେ ଯାଇ ହୃଦୟ, ଆବେଗ, ଅନୁଭବ, ଓ ଅନ୍ତର୍ଭାବ କଥା । ତା’ପରେ ମନର ବିବିଧ ପର୍ଯ୍ୟାୟ, ଅବବୋଧ, ଜ୍ଞାନ, ଉଚ୍ଚତର ଚେତନା ଏବଂ ବୃହତ୍ତମ ସଚେତନତାର କଥା ସବୁକୁ ଟପି ଓ ଆଚ୍ଛାଦନକରି ଥାଏ ଆନନ୍ଦମୟ ସତ୍ତା, ଯିଏ ତନ୍ମୟତା ଭିତରେ ଆପେ ଆପଣାର ପରିଚୟ ପାଏ ଅବା ଆପେ ଆପଣାକୁ ଉପଲବ୍ଧି କରେ, ଆପେ ଆପଣାର ସ୍ୱରୂପସହ ମିଳିତ ହୁଏ । ଫଳତଃ ଅବବୋଧ, ଅନୁଭବ, ସୁଖାନୁଭୂତି ଓ ଦୁଃଖାନୁଭୂତିର ଊର୍ଦ୍ଧ୍ୱରେ ରହେ । କବିର ବାଞ୍ଛା ଯେ ସେ ସେଇ ପରମ ସଂବିତ୍ରେ ଯାଇ ଉଭାହେବ ଅଥଚ ପୂର୍ବ ପର୍ଯ୍ୟାୟମାନଙ୍କ ସ୍ମୃତିକୁ ବହନ କରିଥିବ । ବସ୍ତୁତଃ, ସମସ୍ତ ପର୍ଯ୍ୟାୟକୁ ତାହା ଏକୀଭୂତ କରୁଥିବ ଯାହାଦ୍ୱାରା ସଂବିତ ଇନ୍ଦ୍ରିୟାନୁଭୂତିରୁ ବିଯୁକ୍ତ ହେଉ ନଥିବ ଅବବୋଧର ଆବେଗ, ଅନୁଭବରୁ ଅନ୍ତରିତ ହେଉନଥିବ ଏବଂ ସାଧାରଣ ସ୍ତରର ଜ୍ଞାନ ଉଚ୍ଚସ୍ତରର ଅନ୍ତର୍ଜ୍ଞାନ ଦ୍ଵାରା, ଫଳବତୀ ହେଉଥିବ । ଏହି ବିସ୍ତାର ଓ ସଂହତି ଯେତେବେଳେ ଘଟେ କାବ୍ୟପୁରୁଷ ତା’ର ରକ୍ତର ପ୍ରବାହଦେଇ କଳ୍ପଲୋକରେ ବିଚରଣ କରେ, ତା’ର ମେଦ ଓ ମାଂସଦେଇ ସ୍ଵପ୍ନ ଦେଖେ ଓ ଇନ୍ଦ୍ରିୟଦେଇ ପରମ ଆନନ୍ଦର ଧ୍ୟାନ କରେ । ସୀମାରେଖାର ଏହି ପ୍ରଥମ ସ୍ତରର ପ୍ରସାରଣ ପୂରାପୂରି ତା’ର ନିଜଭିତରେ, ଆପଣାର ଜଟିଳ ବ୍ୟକ୍ତିସତ୍ତା ମଧ୍ୟରେ ଘଟିଥାଏ । ଯେଉଁଥିପାଇଁ ତ୍ରୟୋଦଶ ଶତାବ୍ଦୀର ସୁଫି କବି ରୁମିଙ୍କ କଣ୍ଠରେ ଏଇ ଧାଡ଼ିତକ :

 

ଆତ୍ମା ମୋର

ଜୀବନର ପ୍ରେମରେ ବିଭୋର,

ଆବେଗ ମୋ

ଚିର ଯାଯାବର,

ପ୍ରତି ଦିବା

ନୂତନ ନିବାସ,

ପ୍ରତି ନିଶି

ନୂଆ ତାରା, ନୂତନ ଆକାଶ ।

 

ଦ୍ୱିତୀୟ ସ୍ତରରେ ସୀମାରେଖାର ସମ୍ପ୍ରସାରଣ ଘଟିଥାଏ ବହିଃଜଗତକୁ ବାସ୍ତବତା ମଧ୍ୟକୁ । କିର୍କେଗାର୍ଡ଼୍ ଉଲ୍ଲେଖ କରିଥିବା ତାତ୍ପର୍ଯ୍ୟପୂର୍ଣ୍ଣ ‘ଅନ୍ୟଜଣକୁ’, ସାରା ଇତିହାସ ଓ ଯାବତୀୟ ପରମ୍ପରାକୁ, ସଂକ୍ଷେପରେ ସମୟକୁ । ସମ୍ପ୍ରସାରଣ ଘଟିଥାଏ ସମୟର ପ୍ରବହମାନତାକୁ ଯାହା ସର୍ବୋପରି ମଣିଷ ଓ ତା’ର ସଂସାରକୁ ।

 

ତୃତୀୟ ସ୍ତରରେ ସୀମାରେଖାର ଏ ବ୍ୟାପ୍ତିର ବାସ୍ତବରେ ଅର୍ଥ ହୁଏ ସ୍ତ୍ରୀୟ ଅସଂଲଗ୍ନ ଅନୁଭୂତିମାନଙ୍କୁ ଏକୀକରଣ କରିବା, କାଳକ୍ରମେ ଘଟି ଲାଗିଥିବା ଅସଂଖ୍ୟ ଏକକ ଅନୁଭୂତିଙ୍କୁ ଏକତ୍ରକରି ତହିଁରୁ ବୃହତ୍ତରରୁ ବୃହତ୍ତର ଏକକ ବା ସାମଗ୍ରିକ ରୂପ ଗଠନ କରିବା । ବସ୍ତୁତଃ ସକଳ ସୃଜନଶୀଳତା ହେଉଛି ଏମିତି ଏକ ବ୍ୟାପ୍ତି, ଯହିଁରେ ପ୍ରତି ଅନୁଭୂତି ଅସଂଖ୍ୟ ଗମ୍ଭୀର ପ୍ରତିଧ୍ୱନିରେ ଧ୍ୱନିତ ହୋଇଉଠେ, ଅସଂଖ୍ୟ ସଂଯୋଗରେ/ସଂଯୋଜିତ ହୋଇଯାଏ /ସେତେବେଳେ ଅସଂଖ୍ୟ ପ୍ରତିଧ୍ୱନି, ଅସଂଖ୍ୟ ସଂଯୋଗ ଆପଣାର ଏକୀଭୂତିତା ଓ ଜଟିଳତାରୁ ଉଦ୍ଭୁତ ଦୋଳନରେ ଚଳଚଞ୍ଚଳ ଭାବେ ଦୋଳାୟିତ ହେଉଥାନ୍ତି ।

 

ଯେତେବେଳେ ସେ ଏକ ନିର୍ଦ୍ଦିଷ୍ଟ ସୂର୍ଯ୍ୟାସ୍ତକୁ ଅବଲୋକନ କରେ, ସେଇ ବିଶେଷ, ସୀମିତ ଅନୁଭୂତିଟି ସ୍ମୃତିରେ ସଞ୍ଚିତ ଅନ୍ୟାନ୍ୟ ବହୁବିଧ ସୂର୍ଯ୍ୟାସ୍ତ ସହିତ ଯୋଡ଼ି ହୋଇଯାଏ, କେବେ ବଂଧୁଟିଏ ସହ ମିଶି ଅବଲୋକନ କରିଥିବା ନିବିଡ଼ ସୁଖର ସୂର୍ଯ୍ୟାସ୍ତଟିଏ ସହ ଓ ଆଉ କେବେ ପ୍ରିୟା ବିରହରେ ପ୍ରିୟାଭାବନାରେ ମଗ୍ନ ନିଃସଙ୍ଗ ପ୍ରତିକ୍ଷାର ସୂର୍ଯ୍ୟାସ୍ତଟିଏ ସହ, କେବେ ଜେଜେମା’ଙ୍କ ଦେହାନ୍ତରେ ଘରେ ଆସି ସକ୍ଷାତ୍ ଉଭା ହୋଇପଡ଼ିଥିବା ମୃତ୍ୟୁସାମ୍ନାର ସୂର୍ଯ୍ୟାସ୍ତଟିଏ ସହିତ ଓ କେବେ ଦୂର ବିଦେଶକୁ ବିଦାୟ ବେଳାରେ ଜନନୀର ଅଶ୍ରୁକଣାର ଚିକ୍‌ଚିକ୍ କରୁଥିବା ଅସ୍ତସୂର୍ଯ୍ୟର କିରଣ ସହିତ ।

 

ସୀମାରେଖାର ଏହି ତିନିଶ୍ରେଣୀ ବା ତିନି ସ୍ତରର ପ୍ରସାରଣ ଏକ ପ୍ରକାର ନିମଗ୍ନତା ତଥା ନିଷ୍କ୍ରମଣର ଅପେକ୍ଷା ରଖନ୍ତି ।

 

ସତ କହିବାକୁ ଗଲେ, ଆମେ ଆମ ବାଟରେ ତାକୁ ଯେତିକି ବୁଝୁ, ଏହାହିଁ ହେଉଛି ସେଇ ସ୍ଥିର ବିନ୍ଦୁ । ପରିପୂରକ ଯୁଗ୍ମ ପ୍ରକ୍ରିୟା ମଧ୍ୟରୁ ଏହା ଜାତ ହୁଏ, ବାସ୍ତବତା ମଧ୍ୟରେ ବିବାକ୍ ଡୁବିଯାଏ ଏବଂ ପରେ ପରେ ଇଚ୍ଛା କରି ଉଠିଆସେ ଏପରି ନିମଗ୍ନ ବ୍ୟବସ୍ଥାକୁ ମନଯୋଗଦେଇ ଅନୁଧ୍ୟାନ କରେ ଓ ସବାଶେଷରେ ନିମଗ୍ନ ହେବାର ଅର୍ଥକୁ ଅବବୋଧ କରେ । ଇଚ୍ଛାକୁ ମାନସିକ ପ୍ରସ୍ତୁତି ଓ ଅଭ୍ୟାସ ଉପରେ ଏହା ନିର୍ଭରଶୀଳ ହେଲେ ହେଁ ସୁଦୀର୍ଘ ଅଭ୍ୟାସ ପରେ ଏହା ସତ୍ ଓ ସ୍ୱଛନ୍ଦ କବିଟିଏର ଦ୍ୱିତୀୟ ପ୍ରକୃତି ବି ହୋଇଯାଇପାରେ । ବାସ୍ତବରେ ସୃଜନଶୀଳତାକୁ କ୍ରିୟାଶୀଳ କରି ବାସ୍ତବତାକୁ ଅବବୋଧ କରିବାର ତଥା ସଠିକ୍ ଶବ୍ଦ ସଂଗଠନ ଓ ଚିତ୍ରକଳ୍ପକୁ ପ୍ରାପ୍ତହେବାର ସାମର୍ଥ୍ୟ ହଁ କବିର ସଫଳତାର ପରିମାପ । ଏହା ଆବଶ୍ୟକ କରେ ଉଭୟ ନିସ୍ପୃହା ଓ ପ୍ରତିବଦ୍ଧତାର ନିଷ୍କ୍ରମଣ ଓ ଆବେଗଭାବ ଓ ଅନୁରକ୍ତ ଆତ୍ମୀୟତାର ବିଚିତ୍ର ସମୀକରଣ । ଥରେ ଏହା ମିଳିଗଲେ, ତେଣିକି ବାସ୍ତବଭାବର ସକଳ ଦୃଶ୍ୟ ରାଜପୁତ୍ର ଗୌତମଙ୍କର ଜରାବ୍ୟାଧିମରଣର ସନ୍ଦର୍ଶନ, ସେ ସନ୍ଦର୍ଶନରୁ ତା’ର ତାତ୍ପର୍ଯ୍ୟ ଓ କାରଣ ଅନ୍ୱେଷଣ ଓ ପରିଣାମରେ ଦିବ୍ୟଜ୍ଞାନ ପ୍ରାପ୍ତି, ଏତାଦୃଶ ସକଳ ଉପଲବ୍ଧି ସମାନ୍ତର ହୋଇଯାଆନ୍ତି । ବ୍ୟବଧାନ ମାତ୍ର ଏତିକି ଯେ କାବ୍ୟପୁରୁଷ ସେ ଦୁଇଜଗତକୁ ଏକତ୍ର ଦର୍ଶନକରେ, କାହାରିକୁ ବିରୋଧ ବା ଅସ୍ୱୀକାର କରେ ନାହିଁ, ବରଞ୍ଚ ସେଇ ଏକକ ଓ ସ୍ୱୟଂସଂପୂର୍ଣ୍ଣ ବାସ୍ତବତାର ଅନୁପମ ଦୁଇ ଜଟିଳ, ଦୁର୍ବୋଧ୍ୟ ଓ ମନୋରମ ପାର୍ଶ୍ଵଭାବରେ ଗ୍ରହଣ କରିନିଏ ।

 

ସୀମାରେଖାର ଏଇ ସମ୍ପ୍ରସାରଣ ଦେଇ କାବ୍ୟ ପୁରୁଷ ତା’ର ପରସ୍ପରବିରୋଧୀ ସତ୍ତା ଓ ବାସ୍ତବତାର ବହୁବିଧ ବିଭାବ ମଧ୍ୟରେ ସଂହତି ଆଣେ ଏବଂ ସେଇ ସଂହତି ସ୍ଥାପିତ ହୁଏ ଗୋଟିଏ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ । ସମୟର ଗୋଟିଏ ବିନ୍ଦୁରେ ହିଁ ତା’ର ସମଗ୍ର ଅନୁଭୂତି ତା’ ଉପରେ ଅଜାଡ଼ି ହୋଇପଡ଼େ । ଏଇଥିପାଇଁ ହିଁ ପ୍ରତ୍ୟେକ ସତ୍ କବି ଜାଣେ ଯେ ତା’ ପକ୍ଷରେ ସେ କେବଳ ‘‘ସେ’’ ହୋଇ ରହିବା, ଏକମାତ୍ର ବ୍ୟକ୍ତିହୋଇ ରହିବା/ କେଡ଼େ ଦୁରୂହ ! ! ସେ ଘୋଷଣା କରେ ‘‘ମୁଁ ବହୁ ଲୋକଙ୍କର ଗହଳ ।” ଅନେକ ସମୟରେ ସେମାନେ ତାଙ୍କର ଇଚ୍ଛାମତେ ତାର ଆତ୍ମାରେ ଆତଯାତ ହୁଅନ୍ତି ଏବଂ ସେମାନଙ୍କ ଅବସ୍ଥାନର ଅମଳିନ ସ୍ମୃତିମାନ ଛାଡ଼ି ଯାଆନ୍ତି । ସୃଜନଶୀଳତା ଦେଇ ସତ୍ତା ସମସ୍ତ ବହିଃ ବାସ୍ତବତାର ସ୍ୱରୂପ, ବସ୍ତୁର ତଥା ଚିତ୍ରକଳ୍ପ ଓ ଶବ୍ଦର ହୃଦୟରେ ଆପଣାକୁ ଅବସ୍ଥାପିତ କରେ, ଅଥଚ ପ୍ରତ୍ୟେକର ବାହାରେ ସେ ଛିଡ଼ା ହୋଇଥାଏ । ଇନ୍ଦ୍ରିୟାନୁଭୂତି, ଅନ୍ତର୍ଜ୍ଞାନ ଓ ବିଦ୍ୟାଦେଇ ଶେଷରେ ଆନନ୍ଦାଲୋକକୁ ଏହା କଳ୍ପନାର ବିଚରଣ ବୋଲି କୁହାଯାଇପାରେ ।

 

ସୁତରାଂ ସୃଜନଶୀଳତା ହେଉଛି ଅଜ୍ଞାତ ଗର୍ଭକୁ ଲମ୍ପ ଦେବାର ସେଇ ସାମର୍ଥ୍ୟ, ଯାହା ବ୍ୟତିରେକ କୌଣସି କଳାର କିଛିମାନେ ଇ ହୁଏ ନାହିଁ । ଏହା ଇନ୍ଦ୍ରିୟମାନଙ୍କୁ ଅବିନ୍ୟସ୍ତ କରିବାକୁ ଲୋଡ଼େ ନାହିଁ, ବରଂ ଲିଖିତ ଶବ୍ଦର ସମସ୍ତ ପୁରାତନୀ ଶକ୍ତିକୁ ଦୃଢ଼ୀଭୂତ କରି ସକଳ ବିଚ୍ୟୁତି ଓ ବିଧ୍ୱଂସ ସଙ୍ଗେ ସାନ୍ତ୍ୱନା ଓ ଆଶ୍ୱସ୍ତି ଆଣିଥାଏ । ତା’ର ହୃଦୟକନ୍ଦରରେ ମୁତ୍ୟୁଭିତରେ ଜୀବନକୁ ନିବିଡ଼ ଭଲପାଇବା ଲୁଚି ରହିଥାଏ । ଆମ ସ୍ଥିତିର ଅର୍ଥ ଓ ତାତ୍ପର୍ଯ୍ୟକୁ ବୁଝିବାକୁ ବାସ୍ତବତା ସହିତ ନିରନ୍ତର ଯୋଗସୂତ୍ର ରଖିଥାଏ । ଏହା ଆତ୍ମାର ଅଧିକରୁ ଅଧିକ ଗଭୀରକୁ ଭେଦିଯାଏ ଏବଂ ଲୌକିକୁ ଜ୍ଞାନ ଓ ବ୍ୟାବହାରିକ ଭାଷାକୁ ଆପ୍ରାପ୍ୟ ଶକ୍ତିର ବହୁବହୁ ରୂପର ପୁରାତନୀ ଉତ୍ସସହିତ ଏକାଠି ଯୋଡ଼େ । ଏଲିଅଟଙ୍କର କହିବା ଅନୁଯାୟୀ ଏହା ସବୁଠାରୁ ପ୍ରାଚୀନ ତଥା ସବୁଠାରୁ ଅଧୁନାତନ ମାନସିକତାର ସମ୍ମିଶ୍ରଣ । ଆମ ପ୍ରକୃତି ଓ ଆମକୁ ବେଢ଼ି ରହିଥିବା ବାସ୍ତବତା ମଧ୍ୟରେ ଯୋଗାଯୋଗର ଅବରୁଦ୍ଧ ଓ ଅବ୍ୟବହୃତ ପଥସବୁକୁ ତାହା ଅକ୍ଳେଶରେ ଖୋଲି ଦେଇଥାଏ ।

 

[ଦିଲ୍ଲୀର ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଆର୍ଟସରେ ଅନୁଷ୍ଠିତ ଆନ୍ତର୍ଜାତିକ ସମ୍ମିଳନୀର ଲେଖକଙ୍କର Parampara and Poetry ଶୀର୍ଷକ ପ୍ରବନ୍ଧ ଅନୁବାଦ କରିଛନ୍ତି ଶ୍ରୀ ପ୍ରଭାତ ମହାପାତ୍ର ।]

 

୨୧, ସତ୍ୟନଗର, ଭୁବନେଶ୍ଵର

***

 

ପୁସ୍ତକ ସମୀକ୍ଷା

ତରୁଣକାନ୍ତି ମିଶ୍ରଙ୍କ ଗଳ୍ପରେ ଜୀବନ ଓ ଜୀବନୋତ୍ତର

ଚେତନାର ଭାବସତ୍ତା

ରମାକାନ୍ତ ରାଉତ

 

ଗାଳ୍ପିକ ତରୁଣକାନ୍ତି ମିଶ୍ର ତାଙ୍କର ‘ଆକାଶସେତୁ’ ପୁସ୍ତକ ପାଇଁ ସମ୍ମାନ ଜନକ ସାରଳା ପୁରସ୍କାର -୨୦୦୧ ଦ୍ୱାରା ସମ୍ମାନିତ ହୋଇଛନ୍ତି । ଇତିପୂର୍ବେ ସେ ଆଠଗୋଟି ଗଳ୍ପଗ୍ରନ୍ଥ ୧୯୬୮ରୁ ୧୯୯୯ ମଧ୍ୟରେ ପ୍ରକାଶ କରିଛନ୍ତି । ସେଗୁଡ଼ିକ ହେଲା : ‘ଆବର୍ତ୍ତର ସ୍ୱର’ ‘କୋମଳ ଗାନ୍ଧାର’ ‘ନିଃସଙ୍ଗତାର ସ୍ଵର’, ‘ବହୁବ୍ରୀହି’, ‘ପାରାଡ଼ାଇଜ ପକ୍ଷୀ’, ‘ଜଣେ ନିରସ୍ତ୍ର ଆତତାୟୀ’, ‘ପ୍ରଜାପତିର ଡେଣା ନାହିଁ”, ଓ “ବୀତଂସ’’ । ଶ୍ରୀ ମିଶ୍ର ଖୁବ୍‍ବେଶୀ ଗଳ୍ପ ଲେଖନ୍ତି ନାହିଁ । ସ୍ଵାଭାବିକ ଭାବେ ଗତିଶୀଳ ତାଙ୍କ ଲେଖନୀ । ପ୍ରକାଶଭଙ୍ଗୀ ବେଶ୍ ସଂଯତ । ଯେତିକି ଆବଶ୍ୟକ ତାଠୁଁ ବେଶୀ ଉଦ୍‌ଗୀରଣ କରିବା ତାଙ୍କର ଅଭ୍ୟାସ ନୁହେଁ । ଆଗ୍ନେୟଗିରିପରି ଉତ୍ତତ୍ପଲାର୍ଭା ତହିଁରୁ ହୁଏନାହିଁ । କିନ୍ତୁ ଭିତରେ ଭିତରେ ଏକ ଗୁମ୍‍ସୁମ ଉତ୍ତାପର ଧାସ ଦେହ ମୁଣ୍ଡ ଥରେଇଦିଏ । ପରିଣତିରେ ସେ ସବୁକିଛି ଖୋଲି କହନ୍ତି ନାହିଁ । କିଛିଟା ପ୍ରତୀକ, କିଛି ରହସ୍ୟ ଏବଂ ଆଉକିଛି ଶ୍ଳେଷ ତହିଁରେ ଆତ୍ମଗୋପନ କରିଥାଏ । ଶୈଳୀରେ ଜଟିଳତା ନଥାଏ କି କଥାବସ୍ତୁ ସଂରଚନାରେ ଗୋଲକଧନ୍ଦା ସୃଷ୍ଟି କରିବା ତାଙ୍କର ସ୍ୱଭାବ ନୁହେଁ । ଖୁବ୍ ସରଳ ତଥା ସାବଲୀଳ ଭାବେ ତାଙ୍କ ଗଳ୍ପ ବିକାଶ ଲାଭକରିଥାଏ । ଏହା ଗାଳ୍ପିକ ଶ୍ରୀ ମିଶ୍ରଙ୍କ ଲେଖାର ବୈଶିଷ୍ଟ୍ୟ ।

 

‘ଆକାଶ ସେତୁ’ରେ ଦଶଗୋଟି ଗଳ୍ପ ସନ୍ନିବିଷ୍ଟ ହୋଇଛି ଓ ତୃତୀୟ ଗଳ୍ପକୁ ଆଧାର କରି ପୁସ୍ତକର ନାମାଙ୍କନ କରାଯାଇଛି । କହିବା ବାହୁଲ୍ୟ ଯେ ‘ଆକାଶ ସେତୁ’ ଏକ ପ୍ରତୀକଧର୍ମୀ ଶୀର୍ଷକ । ସେତୁ ସାଧାରଣତଃ ଦୁଇଟି ବସ୍ତୁ, ସ୍ଥାନ ବା ଜଗତକୁ ସଂଯୋଗ କରିଥାଏ । ଆକାଶସେତୁ – ଏକ ବିଚିତ୍ର ସେତୁ, ଯାହା ପୃଥିବୀ ଓ ସ୍ୱର୍ଗକୁ ସଂଯୋଗ କରିପାରିଥାଏ । ଆରମ୍ଭରୁ ଗଳ୍ପ ସ୍ୱାଭାବିକ ଭାବେ ଗତି କରିଥିଲେହେଁ ପରିଣତି ଖୁବ୍ ବିଷାଦମୟ ଓ ଉଦାସ ବାତାବରଣ ସୃଷ୍ଟି କରିଛି । ଖୁବ୍ ହାଲୁକା ପରିବେଶରୁ ତାହା ଅଗତ୍ୟା ଯେପରି ଗୁରୁଗମ୍ଭୀର ହୋଇଯାଇଛି । ଗଳ୍ପଟି ବିକାଶ ଲାଭ କରିଛି କୌଣସି ଏକ ସହର ରାସ୍ତାଧାରରେ ଜୀବିକାର୍ଜନ ଲାଗି ବସିଥିବା ଜଣେ ଜ୍ୟୋତିଷ ଓ ନୂଆ ଚାକିରି କରିଥିବା ଯୁବକ ସୁଦୀପ୍ତଙ୍କ ମଧ୍ୟରେ । ପ୍ରଥମ ଦେଖାରେ ଜ୍ୟୋତିଷ ଜଣକ ସୁଦୀପ୍ତ ହାତକୁ ଟାଣିଧରି ଆଯାଚିତଭାବେ ଯାହା ଭବିଷ୍ୟବାଣୀ କରିଥିଲେ ତାହା ଆପାତତଃ ସତହେଲା । ଦ୍ୱିତୀୟ ଥର ବି ଜ୍ୟୋତିଷଙ୍କ ଗଣନାର ସତ୍ୟତା ପ୍ରମାଣିତ ହେଲା । ତା’ପରେ ସୁଦୀପ୍ତଙ୍କ ପ୍ରେମ ବ୍ୟାପାରରେ ଯାହା କୁହାଯାଇଥିଲା ତା’ର କିଛିଟା ଝଲକ ବି ସୁଦୀପ୍ତ ଅନୁଭବ କଲେ । ତା’ ସତ୍ତ୍ୱେ ସେ ସବୁବେଳେ ଜ୍ୟୋତିଷଙ୍କୁ ଏଡ଼େଇ ଯିବାକୁ ଚେଷ୍ଟା କରନ୍ତି । ହୁଏତ ସେଥିପାଇଁ ତାଙ୍କର ସମୟ ଆଗ୍ରହ ବା ମାନସିକ ପ୍ରସ୍ତୁତି ନଥାଏ; ଅଥବା ଏକ ଗତାନୁଗତିକ କୁସଂସ୍କାରାଚ୍ଛନ୍ନ ମାନସିକତା ତାଙ୍କୁ ଏଥିପାଇଁ ନିବର୍ତ୍ତାଇ ପାରିଥାଏ ।

 

ଶେଷଥର ଜ୍ୟୋତିଷଙ୍କ ଟିପ୍ପଣୀ :‘‘ଈସ୍ କି ଭାଗ୍ୟବାନ୍ ଆପଣ ! ହଁ ସାତଟା ମାସ ଭିତରେ ହିଁ ଅନେକ କଥା ଘଟିଯିବ ଆପଣଙ୍କ ଜୀବନରେ ।’’ ଚରମ ବିରକ୍ତିରେ ହାତଟା ଟାଣିନେଇ ସୁଦୀପ୍ତ ବିଦ୍ରୁପମିଶା ସ୍ଵରରେ ପଚାରିଥିଲା : ‘‘ତୁମେ ତୁମ ନିଜ କର, କୋଷ୍ଠୀ, କପାଳ, ତଲାସ କରି ଦେଖି ସାରିଚତ ଆଗକୁ ତୁମର କ’ଣ ଅଛି ?” ଏହା ଏକ ଖୁବ ନିର୍ଦ୍ଦୟ ଓ ଚରମ ତଥା ଅପ୍ରିୟ ପ୍ରଶ୍ନ । ଏପରି ପ୍ରଶ୍ନ ଜ୍ୟୋତିଷଙ୍କ ପାଇଁ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା । ଗଚ୍ଛ କ୍ଲାଇମେକ୍ସ ବା ଚରମ ପର୍ଯ୍ୟାୟକୁ ଯେପରି ଉତ୍ତୀର୍ଣ୍ଣ ହୋଇଯାଇଛି । ଏ ବାକ୍ୟବାଣରେ ନିଜକୁ ପ୍ରସ୍ତୁତ କରିନେଇ ଜ୍ୟୋତିଷ ଉତ୍ତର ଦେଲେ ମାସ ପରେ ‘ମୋର ଆଉ ଦୁଃଖ ବୋଲି କିଛିନଥିବ’ । ତଥାପି ତାଙ୍କୁ ବୁଝିନପାର ବିଦ୍ରୂପରୁ ବିରତ ହେଲେ ନାହିଁ, ଯାହାର ଜବାବରେ ଜ୍ୟୋତିଷ କହିଲେ ରୋକଠୋକ ଭାବେ : ‘ମୁଁ ଆଉ ନଥିବି’ । ତା’ପରେ ସେ ଗୁଣୁଗୁଣୁ ହେଉଥିଲେ : ‘‘ମୁଁ ଜାଣେ ମୁଁ’ ଜାଣେ ।’’ କେବଳ ସେତିକି ନୁହେଁ, ନିଜ ମୃତ୍ୟୁର ଦିନ, ବାର, ତିଥ ଓ ମାସ ମଧ୍ୟ ସେ ନିରୁପଣ କରିସାରିଥିଲେ । ତାହାଥିଲା, ‘‘ମିଥୁନ ମାସ ହରିଶୟନ ଏକାଦଶୀ ଆଗରୁ ଦିନେ ମୋର ପରୁଆନା ଆସିଯିବ । ସେ ରାତିଟି ଯୁବ କୃଷ୍ଣପକ୍ଷର ଗୋଟେ ବେଯୋଡ଼ ତିଥି, ଭୀଷଣ ବର୍ଷା ହେଉଥିବ ରାତି ସାରା । କେହିନଥିବେ ମୋ ପାଖରେ । ସେତିକିବେଳେ ମୋର ସବୁ ଦୁଃଖ ଚାଲିଯିବ, ସବୁ ଦୁଃଖ ଧୋଇହୋଇ ଯିବ ସେ ରାତିରେ ।’’ ଏହାଥିଲା ତାଙ୍କର ଶେଷ ସଂଳାପ, ନିଜ ସଂପର୍କରେ ଶେଷ ଗଣନା । ସାତ ଏକ ସୂଚନାତ୍ମକ ସଂଖ୍ୟା, ଯାହା ହୁଏତ ସପ୍ତମ ବା ଅନ୍ତିମ ଋତୁ, ଜୀବନର ଅନ୍ତିମ ପର୍ଯ୍ୟାୟ ମୃତ୍ୟୁକୁ ହିଁ ବୁଝାଏ ।

 

‘ଅବରୋହ” ଗଛରେ ଏକ ମନସ୍ତତ୍ତ୍ୱ ଅଛି । ନାୟିକା ସୁମତି ଶୁଣିଲେ ଜଣେ ଲୋକ ମୁହଁରୁ ଟ୍ରେନତଳେ କଟିଯାଇଥିବା ଲୋକଟି ପଚିଶି ତିରିଶବର୍ଷର ଯୁବକଟିଏ, ପିନ୍ଧିଛି ଧଳାରଙ୍ଗର ହାଓ୍ୱାଇନ୍ ଓ ବାଦାମି ରଙ୍ଗର ଫୁଲପ୍ୟାଣ୍ଟ ହାତରେ ସେ ଧରିଥିବା ସିଗାରେଟର ନିଆଁ ଏଯାଏ ଲିଭିନାହିଁ । ଏହା ଶୁଣିବା ପରେ ସୁମତିଙ୍କ ସାମ୍ନାରେ ଉଭାହେଲା ସ୍ୱାମୀ ବିରୂପାକ୍ଷଙ୍କ ଛବି । ସେଇ ଚେହେରା, ସେଇ ବୟସ, ସେଇ ପୋଷାକ ଆଉ ହାତରେ ସିଗାରେଟ ଧରିଥିବା କଥାଟା ବି, ଠିକ୍-। କିନ୍ତୁ ଜଣେ ବିୟୋଗାନ୍ତକ ନାୟିକା ପରି ସେ ଘଟଣାସ୍ଥଳକୁ ଦୌଡ଼ିଯାଇ କାନ୍ଦିକାନ୍ଦି ଆର୍ତ୍ତଚିତ୍କାରରେ ଦିଗ ଫଟେଇ ଦେଲେ ନାହିଁ । ତା’ର ପ୍ରତିକ୍ରିୟା ସଂପର୍କରେ ଲେଖକ କହନ୍ତି : ‘‘କିନ୍ତୁ ଆଶ୍ଚର୍ଯ୍ୟ ସୁମତିର ଛାତି ଭିତରର ସ୍ପନ୍ଦନ ଏତେଟିକିଏ ବି ବଢ଼ିଲା ନାହିଁ, ଆଖି ଦୁଇଟା ଥିଲା ସ୍ଥିର, ଅବିଚଳ, ଭାବଶୂନ୍ୟ । ଓଠ ଦୁଇଟି ନିଶ୍ଚୁପ୍, ଯେମିତି କୋଉଠି କିଛି ଘଟିନାହିଁ ।” ତଥାପି ସେ ମନକୁମନ ଭାବିଥିଲା ତା’ ଭବିଷ୍ୟତକୁ, ଆଙ୍କୁଥିଲା ନିଃସଙ୍ଗ ଜୀବନର ଏକନକ୍‍ସା । ହଠାତ୍ ତହିଁରେ ବ୍ୟାଘାତ ସୃଷ୍ଟି କରି ବିରୂପାକ୍ଷ ଆସି ପହଞ୍ଚି ଘଟଣାର ସତ୍ୟ-ସତ୍ୟ ବଖାଣିଲେ ‘‘ସେଇ ଭିକାରି ପିଲାଟା ଯିଏ ଆସି ତୁମକୁ ପଇସା ମାଗି ବିରକ୍ତ କରୁଥିଲା, ସେଇଟା ବିବାକ ଅନ୍ଧ । ଟ୍ରେନ୍ ଚାଲିଲାଣି, ତଥାପି କିଛି ନଭାବି ନଚିନ୍ତି ସେ ଡେଇଁପଡ଼ିଲା ତଳକୁ । ପ୍ଲାଟଫର୍ମତ ନଥିଲା, ମୁହଁ ମାଡ଼ି ପଡ଼ିଗଲା ଚକତଳେ । ଇସ୍ କି ବୀଭତ୍ସ ମରଣ ଥିଲା ତା’ କପାଳରେ..... ।” ତା’ପାଇଁ ଏହାଥିଲା ଅନ୍ତିମ ଅବରୋହ, ଏ ଜୀବନର ପରିସମାପ୍ତି ଯୋଉଥିପାଇଁ ଦିନ, ବାର, ମୁହୁର୍ତ୍ତ ପୂର୍ବ ନିର୍ଦ୍ଧାରିତ ।

 

ଅନ୍ଧମାନଙ୍କର ଷଷ୍ଠଇନ୍ଦ୍ରିୟ ତୀବ୍ରଭାବେ କାମକରେ । ସେମାନେ ଯେକୌଣସି ଚକ୍ଷୁସ୍କାନଠାରୁ ଅନାୟାସରେ ଚଳନ୍ତା ଗାଡ଼ିରେ ଚଳପ୍ରଚଳ, ଆରୋହ ଅବରୋହ କରିଥାନ୍ତି । ଟ୍ରେନ ମଧ୍ୟରେ ଅକ୍ଳେଶରେ ଯା’ ଆସ କରିଥାନ୍ତି । କିନ୍ତୁ ସେଦିନ ସେ ଅନ୍ଧ ପାଇଁଥିଲା ଘୋର ଦୁର୍ଦ୍ଦିନ । ଅଭ୍ୟାସ ସତ୍ତ୍ୱେ ସେ ଦୁଇଥର ଧକ୍କାଖାଇଛି ଓ ଝୁଣ୍ଟିଛି ଏବଂ । ଶେଷ ଅବରୋହହିଁ, ଜୀବନର ଅନ୍ତିମ ପରିଣତି । ତେବେ ତା’ର ମୃତ୍ୟୁର ଧକ୍କା ଏପରି ସୁମତିକି କାହିଁକି ଦଂଶିଲା, ? ତା’ ସ୍ଥାନରେ ବିରୂପାକ୍ଷ ମରିଥିବା ଜନରବ ମୁହୂର୍ତ୍ତକ ପାଇଁ ହେଲେ ବି କାହିଁକି ତା’ ଚେତନାକୁ ଥରେଇ ଦେଇଥିଲା ? ଏହା ଏକ ଗୁରୁତର ପ୍ରଶ୍ନ । ଅନ୍ଧଟି ସୁମତିଙ୍କି ମାଆ ସମ୍ବୋଧନ କରନ୍ତେ ତାଙ୍କର ଧାରଣାହେଲା, ଭିକାରିଟି ଅନ୍ଧନୁହେଁ, କରୁଣା ଲାଭ ନିମନ୍ତେ ଏକ ଫିସାଦ । ସେ ତାକୁ ସିଧାସିଧା ଏହା କହନ୍ତେ ଅନ୍ଧଟି ନର୍ବିକାର ଭାବରେ ଉତ୍ତର ଦେଇଥିଲା “ବାଃ ମଣିଷ ଦିହର କ’ଣ ବାସନା ନାହିଁ ? ମହିଳାଙ୍କ ଦେହରେ ଗୋଟେ ଅଲଗା ବାସ୍ନା ଥାଏ । ବୋଧହୁଏ ଏହି ଗନ୍ଧରୁହିଁ ସେମାନେ ନାରୀ ପୁରୁଷ ଚିହ୍ନଟ କରିଥାନ୍ତି । ସୁମତିକି କଥାଟା ଗଭୀରଭାବେ ଚିନ୍ତାକରିବାରେ ଖୋରାକ ଯୋଗାଇଥିଲା । ସେ ଏକ ଦ୍ୱନ୍ଦରେ ପଡ଼ିଥିଲେ । ସେ ତର୍ଜମା କରିଥିଲେ ଏକୋଇଶଟି ରାତିର ତାଙ୍କ ବୈବାହିକ ଜୀବନକୁ । ନାରୀର ସେ ରୂପଗନ୍ଧର ମହକ କାହିଁକି ବିରୁପାକ୍ଷମାନଙ୍କ ଠିଁ କାମ କରେନା, ସେ ଗନ୍ଧରେ ସେମାନେ କାହିଁକି ଆକର୍ଷିତ ହୁଅନ୍ତି ନାହିଁ । ଦାମ୍ପତ୍ୟ ଜୀବନର ସ୍ୱାଦ ଆଦୌ ଚାଖିନଥିବା ଏବଂ ପତି ପ୍ରେମର କାଣିଚାଏ ଲାଭ କରିନଥିବା ସୁମତି ହୁଏତ ବିରୂପାକ୍ଷଙ୍କ ବର୍ତ୍ତମାନ ଓ ଅବମାନ ଏବଂ ତାଙ୍କ ଅନୂଢ଼କିଶୋରୀ ଜୀବନ ତଥା ବର୍ତ୍ତମାନର ବୈବାହିକ ଜୀବନର କିଛି-ତଫାତ୍ ଦେଖିପାରୁନଥିଲେ । ଏହା ପ୍ରକାଶ କରିଛନ୍ତି ଲେଖକ ତାଙ୍କର ସ୍ୱଭାବସୁଲଭ ଶୈଳୀରେ ଏକ ରହସ୍ୟ ବ୍ୟଞ୍ଜକ ଭାଷାରେ । ହୁଏତ ଏ ଅନ୍ତିମ ଅବରୋହ, ଅନ୍ଧବାଳକର ମୃତ୍ୟୁ ସେମାନଙ୍କ ବୈବାହିକ ଜୀବନ ସେତୁକୁ ସୁଦୃଢ଼ କରିପାରିଥାଏ । ‘ଆକାଶ ସେତୁ’ର କୁକୁର ପରି ‘ଅବରୋହ’ର ଜଳନ୍ତା ସିଗାରେଟଟି ବେଶ ସୂଚନାତ୍ମକ ।

 

ଶେଷ ଗଳ୍ପ ‘ସଞ୍ଚାର ପଥ’ରେ ସେହି ଚରମ ନିଃସଙ୍ଗତାର ପ୍ରତିଧ୍ୱନି । ମୃତ୍ୟୁ ସଙ୍ଗେ ସଂଗ୍ରାମ କରୁଥିବା ଶଯ୍ୟାଶାୟୀ ଜଣେ ବୃଦ୍ଧ ତଥାପି ଆଶାବାଦୀ ଆଶୁ ଆରୋଗ୍ୟ ନିମନ୍ତେ । ତାଙ୍କର ଏକମାତ୍ର ଆତ୍ମୀୟ ନାତୁଣୀ ସାହସିକତାର ସହ ଏ ଦୁର୍ବିପାକକୁ ମୁକାବିଲା କରିଛି । ନିଜର ଅସ୍ଥାୟୀ ଚାକିରି ଓ ଯୁବକ ବନ୍ଧୁଟି ଉପରେ ତା’ର ଯଥେଷ୍ଟ ଭରସା, ବହୁ ଆସ୍ଥା, ଓ ପ୍ରତ୍ୟୟ । କିନ୍ତୁ ଯେତେବେଳେ ସେ ଶୁଣାଇ ଦେଲା ତା’ର ଶେଷ ନିଷ୍ପତ୍ତି : “ମୁଁ କାଲି ଆସିବି ନାହିଁ । କେବେ ପୁଣି ଆସିବି କହିବି ପାରିବି ନାହିଁ । ଏହାପରେ ସବୁ ଓଲଟ ପାଲଟ ହୋଇଯାଇଛି । ତା’ ପାଇଁ ଏବେ ସବୁ ଅନ୍ଧାର’ ।

 

‘ଧୂଳିଘର’ ଗଳ୍ପରେ ବି ଜୀବନର ସେହି କରୁଣ ଓ ଶ୍ଲେଷର ପୁନରାବୃତ୍ତି, ପ୍ରହେଳିକା ଓ ବାସ୍ତବତାର ଧୂପଛାୟା ଖେଳ । ‘ଅବରୋହ ଗପରେ ଅନ୍ଧ ଭିକାରିଟି ବି ସନ୍ଦେହ କଲା ଭଳି ‘ଧୂଳିଘର’ର ନାୟକ ଭିକ୍ଷୁଣୀ ଝିଅ ଟିକି ସନ୍ଦେହ କରି ତା’ଘରକୁ ଯାଇଛନ୍ତି । ତା’ ବାୟାଣୀ ମାଆକୁ ବି ଦେଖିଛନ୍ତି । ଝିଅଟି ହାତରେ ସ୍ଵାମୀ ଓ ପୁଅ ପାଖକୁ ପଠାଯାଉଥିବା ତିନିଟି ପୁରୁଣା ଆଲୁମିନିୟମ ଡବା ତଲାସ କରି ଦେଖିଛନ୍ତି ତାହା ଧୂଳି ଭର୍ତ୍ତି । ଝିଅଟି ସଫେଇ ଦେଇଛି ତା’ବାପା ଭାଇଙ୍କ ସ୍ଥିତି ସଂପର୍କରେ କେବଳ ନିରୀହ ଓ ବିକଳ ଚାହାଣିରେ । ‘‘ସେ ଚାହିଁଲା ଆକାଶ ଆଡ଼କୁ, କିଛିପ୍ରଶ୍ନର ନିର୍ଭୁଲ ଉତ୍ତର ଖୋଜିହେଲା ପରି ।” ବାଲିତକ ତଳେ ଢାଳିଦେଇ ସେ କହିଥିଲା ‘ଭାଇ ମରିଗଲା ଦିନଠୁଁ ମା’ ମୁଣ୍ଡ ଖରାପ ହୋଇଯାଇଛି ।’ କିନ୍ତୁ କାନ୍ଦିବା ପାଇଁ ତା’ ଆଖିରେ ଆଉ ଲୁହ ନଥିଲା । ତା’ର ଅବଶ୍ୟ କଣ ବି ସେ ଅନୁଭବ କରୁନଥିଲା । ଏମିତି ଚରମ ଦାରିଦ୍ର୍ୟ ଓ ଦୁର୍ବିସହର ଦୁର୍ଦ୍ଦିନରେ ସେ ଏହା ଅନୁଭବ କରିଥିଲା; ‘‘ସମ୍ଭବତଃ ସେ ଜାଣିଥିଲା ସେ ଏବେ ବାସ କରୁଛି ଏମିତି ଏକ ପୃଥିବୀରେ ଯେଉଁଠି ଏ ସବୁ ତୁଚ୍ଛ ଅସାର ଜିନିଷର କିଛି ପ୍ରାସଙ୍ଗିକତା ହିଁ ନାହିଁ ।” ଏ ଦୁନିଆ ଏକ ଭିନ୍ନ ଦୁନିଆ, ଯେଉଁଠି ଦୟା, କରୁଣା, ସମ୍ବେଦନା, ସହାନୁଭୂତି ଉଭେଇ ଯାଇଛି । ମଣିଷ କିପରି ଏକ ନିର୍ଦ୍ଦୟ, ନିର୍ଲିପ୍ତ, ଆତ୍ମସର୍ବସ୍ୱ ହୋଇପଡ଼ିଛି ।

 

‘ଅରଣ୍ୟ ଆଦିମ’ରେ ସେହି ଅସହାୟତାର ଚିତ୍ରଥିବା ବେଳେ ଗଳ୍ପ ନାୟିକା “ଧୂଳିଘର’ର ଝିଅଟି ପରି ଦୁନିଆକୁ ବେଶ୍ ପରଖି ନେବାପରେ ନିଜକୁ ଆଉ ଅସହାୟ ମଣୁନାହିଁ । ଅନ୍ଧାର ରାତିରେ ଦଣ୍ଡପଣି କନେଷ୍ଟବଳ ସାଥୀରେ ଏକା ଏକା ଚାଲିଛି । ନିଜେ ଧର୍ଷିତା ହେବାପରେ ଏବଂ ଏକମାତ୍ର ଭାଇ ସୁଶାନ୍ତର ମୃତ୍ୟୁପରେ ଆଉ ତା’ର କି ନିରାପତ୍ତା, କି ମାନ ଇଜ୍ଜତ ଲୋଡ଼ା ଯେ ଯେଉଥିପାଇଁ ତାକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ? ଆରତି ଦିନେ ଭାଇ ସୁଶାନ୍ତକୁ ବୁଝେଇ ଥିଲା : ‘‘ଯିଏ ଭଲ ତା’ ପାଇଁ ସୁଖ ଦୁଃଖ ଦୁଇଟା ଏକାକଥା, ନିନ୍ଦା ପ୍ରଶଂସା ତା’ପାଇଁ ଏକାକଥା । ଆଜି ତାହାହିଁ ତା’ର ସମ୍ବଳ । ସେ ନିର୍ଭୟ ।

 

‘କେହି ଜଣେ ଆତତାୟୀ’ର ସେଇ ସମାଜ ବ୍ୟବସ୍ଥାର ଚିତ୍ର ଭିନ୍ନଢଙ୍ଗରେ ଉପସ୍ଥାପିତ ହୋଇଛି । ସ୍ନାତକ ଅନର୍ସ ଛାତ୍ର ଶମିତ ଜଟିଳ ଗଣିତର ଜଟିଳ ପ୍ରଶ୍ନ ସମାଧାନ କରୁଛି ପରୀକ୍ଷା ପାଇଁ । କିନ୍ତୁ ଜୀବନ ପରୀକ୍ଷାରେ ସେ ବିଫଳ । ଅର୍ଦ୍ଧରାତ୍ରିରେ ଜଣେ ନାରୀର ପ୍ରାଣାନ୍ତକ ଆର୍ତ୍ତଚିତ୍କାରକୁ ଏଡ଼େଇ ଦେଇଛି ସହଜ ଭାବେ । ତା’ ପରଦିନ ସେଇ ହତ୍ୟାର ବିବରଣୀ ଜାଣି ସେ ସ୍ଥିର ହୋଇ ପାରିନାହିଁ । ଦାୟୀ କରିଛି ନିଜକୁ । ପରୀକ୍ଷା ହଲ ଛାଡ଼ି ସିଧାଯାଇଛି ଥାନାକୁ ଏବଂ ତା’ର ସ୍ୱୀକାରୋକ୍ତି -“ହଁ, ଏଇ । ଏଇ ସ୍ତ୍ରୀଲୋକଟିକୁ ମୁଁ ମର୍ଡ଼ର କରିଚି କାଲି ରାତିରେ । ସାଂପ୍ରତିକ ସମୟ ଓ ସମାଜରେ ଆମେ ସମସ୍ତେ ଜଣେ ଜଣେ ଆତତାୟୀ, ପ୍ରତି ନିୟତି ଏମିତି ଜଘନ୍ୟ ହତ୍ୟାମାନ ଘଟାଇଚାଲିଛୁ । ଶମିତ ଅନୁଭବ ଓ ଉପଲବ୍ଧି ଏବଂ ନିଜ ଦାୟିତ୍ୱହୀନତା ପ୍ରତି ସଚେତନତା ହିଁ ଏକ ଶୁଭସଙ୍କେତ ଚାରିତ୍ରିକ ଉତ୍ତରଣର ମୃଦୁ ପଦଧ୍ୱନି ।

 

‘ଦୂର ଅନ୍ତରୀପ’ ଓ ‘ଏକା ଏକା ଆପଣାର’ । ଗତାନୁଗତିକ ପ୍ରେମଗଳ୍ପ । ପ୍ରଥମଟି ବିୟୋଗାନ୍ତକ ଓ ଦ୍ୱିତୀୟଟି ମିଳନାନ୍ତକ । ‘ଦୂରଅନ୍ତରୀପ’ ଗଳ୍ପର ବିଫଳ ନାୟକ ଅବିନାଶ କର୍କଟ ରୋଗଗ୍ରସ୍ତ, ଆୟୁଷ ମାତ୍ର ଛଅ ମାସ । ନାୟିକା ଅର୍ପିତା ସଙ୍ଗେ ହଠାତ୍ ଦିଲ୍ଲୀର କନଟପ୍ଲେସରେ ସାକ୍ଷାତ । ସେତେବେଳକୁ ସେ ଅନ୍ୟଜଣଙ୍କର ପତ୍ନୀ । ଆପାତତଃ ସୁଖୀବୋଲି ଅଙ୍ଗୀକାର କଲେହେଁ ଅବିନାଶର ରୋକଠୋକ୍ ପ୍ରଶ୍ନ, “ତୁମେ ଯଦି ପ୍ରକୃତରେ ସୁଖୀ, ଅମିତା, ତେବେ ସତକୁହ କାହିଁକି ତୁମେ ବିଷଖାଇ ଆତ୍ମହତ୍ୟା କରିବାକୁ ଯାଉଥିଲ ’’।

 

ଭାରତୀୟ ବଂଶ ପରମ୍ପରାରେ ଏ ତ୍ୟାଗଦୀପ୍ତ, ଚିରନ୍ତନ ଦିଆନିଆର ଏ ଅବାରିତ ଶାଶ୍ଵତ ଧାରା ଏକ ମୂଲ୍ୟବୋଧ, ଏକ ବିଶ୍ଵାସବାଦ, ଏକ ସାଂସ୍କୃତିକ ପରମ୍ପରା ଉପରେ ପ୍ରତିଷ୍ଠିତ । ପିତା ପୁତ୍ରକୁ ସର୍ବସ୍ୱ ଦାନ କରିବା ଭାରତୀୟ ସଂସ୍କୃତିର ମୂଳମନ୍ତ୍ର । ବିନିମୟରେ ସେ ଆଶା ପୋଷଣ କରିଥାନ୍ତି ଏକ ସାତ୍ତ୍ୱିକ ଭାବନା, ଏ ନର୍କରୁ ଉଦ୍ଧାର ନିମନ୍ତେ ଏକ ମାଧ୍ୟମ, ଏକ ସଂଯୋଗ ସେତୁ, ଯାହା ପ୍ରସରିଯାଏ ମାଟିରୁ ଆକାଶ ଓ ଆକାଶରୁ କେଉଁ ଏକ କଳ୍ପଲୋକ ପର୍ଯ୍ୟନ୍ତ । ତହିଁର ଉପଚାର ପୁତ୍ରର ଶକ୍ତ କାନ୍ଧରେ ସ୍ୱର୍ଗଦ୍ୱାର, ତା ପରେ ମୁଖାଗ୍ନି, ପିଣ୍ଡଦାନ, ଅସ୍ଥିତର୍ପଣ ଓ ଶ୍ରାଦ୍ଧୋପଚାର ଇତ୍ୟାଦି..... । ସେ ସଂଯୋଗ ସେତୁ ନିର୍ମିତ ହୁଏ ଏହି ଶାଶ୍ୱତ ପରମ୍ପରାରୁ, ଏହି ଚିରନ୍ତନ ବିଶ୍ଵବୋଧରୁ ଏ ଅବାରିତ ଜୀବନ ପ୍ରକ୍ରିୟାରୁ । ‘ଆକାଶ ସେତୁ’ ସେଇ ମହାନ୍ ପରମ୍ପରା ଓ ସେଇ ଜନ୍ମ ମୃତ୍ୟୁ, ସେଇ ସ୍ୱେଦ, ମେଦ, ରକ୍ତ, ବୀର୍ଯ୍ୟର ବିକ୍ଷେପ ବିସ୍ତାରରୁ, ଏବଂ ସେଇ ଚିରନ୍ତନ ଚକ୍ରକେଳିରୁ ଉଭୁତ; ତା’ର ସାର୍ଥକ ପ୍ରତୀକ । ଏଠାରେ ଖରା,ବର୍ଷା, ଶୀତ, ଗ୍ରୀଷ୍ମ, ଆନନ୍ଦ, ନିରାନନ୍ଦ ଏକା କଥା । ସେଠି ପୁରୁଷ ସ୍ଵୟଂ ଜ୍ୟୋତି ହୋଇଯାଏ ଏବଂ ବିଭିନ୍ନ ରୂପ ସଂଦର୍ଶନରେ ସକ୍ଷମ ହୁଏ । ‘ଆକାଶ ସେତୁ’ ଏପରି ଏକ ଚେତନାର ଚୈତ୍ରରଥ, ଯେଉଁଠିକି ଦୁଃସ୍ଥ ଜ୍ୟୋତିଷଙ୍କ ଠୁଁ ଆରମ୍ଭ କରି ‘ଅନ୍ୱୟ’ ଗଳ୍ପର ଶତାୟୁ ବୃଦ୍ଧ, ଜୀବନର ସ୍ଵରୂପ ଦେଖିନଥିବା ଅରଣ୍ୟ ଆଦିମର ସୁଶାନ୍ତ ଅଥବା ସଞ୍ଚାର ପଥ’ର ଆଶାବାଦୀ ବୃଦ୍ଧ-। ସମସ୍ତେ ସେହି ‘ଆକାଶ ସେତୁ' ଲାଗି ଉଦ୍‍ଗ୍ରୀବ; ତାହା ସେମାନଙ୍କୁ ଇହ ଲୋକରୁ ପରଲୋକର ମାର୍ଗ ଦର୍ଶନ କରାଇବ ସେମାନଙ୍କୁ ଉର୍ଦ୍ଧ୍ୱମୁଖୀ ଓ ଉର୍ଦ୍ଧ୍ୱଚେତା କରାଇବ । ‘ଆକାଶ ସେତୁ' ଜୀବନରୁ ଜୀବନୋତ୍ତର, ପୃଥିବୀରୁ ଅପାର୍ଥିବ-। ଏବଂ ଇହଲୋକରୁ ପରଲୋକ କୁ ତୁରନ୍ତ ଯାତ୍ରାର ଏକ ସଞ୍ଚାର ପଥ, ଏକ ସଂଯୋଗ ରଜ୍ଜୁ ଓ ଏକ ଉଜ୍ଜଳବଳୟର ପ୍ରତୀକ ।

 

 

ଘରନଂ ୩ଆର ୮/୪ଫ୍ଲାଟ, କଳ୍ପନାଞ୍ଚଳ,

ଭୁବନେଶ୍ଵର

 

***

 

ସାହିତ୍ୟ ସମାଚାର

ଏକାଡେମୀ ସମାଚାର

 

ମାୟାଧର ମାନସିଂହ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ମାନସିଂହ ପାଠାଗାରଙ୍କ ମିଳିତ ସହଯୋଗରେ କବି ମାୟାଧର ମାନସିଂହଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଏକାଡେମୀ ସାଧାରଣ ପରିଷଦର ସଦସ୍ୟା ଡକ୍ଟର ମନୋରମା ବିଶ୍ଵାଳ (ମହାପାତ୍ର)ଙ୍କ ପୌରୋହିତ୍ୟରେ ଗତ ତା ୧୩.୧୧.୨୦୦୧ରିଖ ଅପରାହ୍ନ ୩ ଘଣ୍ଟା ସମୟରେ କବିଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲାସ୍ଥ ନନ୍ଦଳାଠାରେ ଅନୁଷ୍ଠିତ ହୋଇଯାଇଛି ।

 

ଉକ୍ତ ଜୟନ୍ତୀ ସଭାରେ ସାହିତ୍ୟିକ ତଥା ରାଜନୀତିଜ୍ଞ ଡକ୍‌ଟର ଦେବେନ୍ଦ୍ର କୁମାର ମାନସିଂହ ମୁଖ୍ୟ ଅତିଥି, କବି ଶ୍ରୀ ତପନ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି, ବିଶିଷ୍ଟ ବାମପନ୍ଥା ଚିନ୍ତାଧାରାର ଅନ୍ୟତମ ଉପାସକ ଶ୍ରୀ ନବୀନ ସୁନ୍ଦର ସୁବୁଦ୍ଧି ମୁଖ୍ୟବକ୍ତା ଭାବରେ ଯୋଗଦାନ କରି କବି ମାନସିଂହଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ମାନସିଂହ ପାଠାଗାରର ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ-

 

 

ଜାତୀୟ କବି ବୀରକିଶୋର ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜାତୀୟ କବି ବୀରକିଶୋର ସ୍ମୃତିସଂସଦଙ୍କ ମିଳିତ ଆନୁକୂଲ୍ୟରେ ଜାତୀୟକବି ବୀରକିଶୋର ଜୟନ୍ତୀ ପାଳନ ଅବସରରେ ଜଗତସିଂହ ପୁର ଜିଲ୍ଲା ଅନ୍ତର୍ଗତ ପୁନଙ୍ଗସ୍ଥ ଜାତୀୟକବି ବୀରକିଶୋର ସ୍ମୃତି ଉଦ୍ୟାନଠାରେ ଗତ ତା ୨୩.୧୧.୨୦୦୧ ରିଖ ସଂଧ୍ୟା ୫.୩୦ ସମୟରେ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ତଥା ସାହିତ୍ୟିକ ଡକ୍ଟର ଅଜୟ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଏକ ସାରସ୍ୱତ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

 

ଉକ୍ତ ସାରସ୍ୱତ ଉତ୍ସବରେ ସ୍ୱାଧୀନତା ସଂଗ୍ରାମୀ ତଥା ରାଜନୀତିଜ୍ଞ ଶ୍ରୀଯୁକ୍ତ ଦୋଳଗୋବିନ୍ଦ ପ୍ରଧାନ ମୁଖ୍ୟ ଅତିଥି ଓ ବରିଷ୍ଠ ସାହିତ୍ୟିକ ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ଭୋଳାନାଥ ରାଉତ ମୁଖ୍ୟବକ୍ତା ତଥା କବି ଶ୍ରୀ ହୁସେନ୍ ରବିଗାନ୍ଧୀ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ଜାତୀୟକବିଙ୍କ ବହୁମୁଖି ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଜାତୀୟ କବି ସ୍ମୃତି ସଂସଦ ସଂପାଦକରୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ପଣ୍ଡିତ ବଳଦେବ ବିଦ୍ୟାଭୂଷଣ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ରେମୁଣା ସାହିତ୍ୟ ସଂସଦଙ୍କ ମିଳିତ ଆନୁକୂଲ୍ୟରେ ଶ୍ରୀପାଦ ବଳଦେବ ବିଦ୍ୟାଭୂଷଣ ଜୟନ୍ତୀ ଗତ ତା ୨୪.୧୧.୨୦୦୧ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ବାଲେଶ୍ୱର ଜିଲ୍ଲାସ୍ଥିତ ରେମୁଣା ଉଚ୍ଚ ବିଦ୍ୟାଳୟଠାରେ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ଡକ୍ଟର ଅରବିନ୍ଦ ଗିରିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଉକ୍ତ ସାରସ୍ଵତ ସ୍ମୃତିସଭାରେ ଶିକ୍ଷାବିତ୍ ଡକ୍ଟର ଅଲେଖ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଏବଂ ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ପଣ୍ଡିତ ବିଦ୍ୟାଭୂଷଣଙ୍କ ସଂସ୍କୃତ ସାହିତ୍ୟକୁ ଅବଦାନ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପରିଶେଷରେ ରେମୁଣା ସାହିତ୍ୟ ସଂସଦର ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

 

ସର୍ବ ଭାରତୀୟ କବି ସମ୍ମେଳନ

ଓଡ଼ିଶା ସାହିତ୍ୟ ଏକାଡେମୀ, ଜାତୀୟ ପୁସ୍ତକ ନ୍ୟାସ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ ତଥା ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଗତ ତା ୨୮.୧୧.୨୦୦୧ରିଖ କୋଣାର୍କସ୍ଥ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଏକ ସର୍ବ ଭାରତୀୟ କବି ସମ୍ମେଳନ ବିଶିଷ୍ଟ କବି ଶ୍ରୀଯୁକ୍ତ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ତଥା ବିଶିଷ୍ଟ କବି ଶ୍ରୀଯୁକ୍ତ ରମାକାନ୍ତ ରଥ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ସଂସ୍କୃତି ବିଭାଗ ଶାସନ ସଚିବ ତଥା ତାମିଲ ସାହିତ୍ୟର ଅନ୍ୟତମ କବି ଶ୍ରୀଯୁକ୍ତ ଆର୍. ବାଲକ୍ରିଷ୍ଣନ୍ ଓ ପର୍ଯ୍ୟଟନ ନିର୍ଦ୍ଦେଶକ ତଥା ବରିଷ୍ଠ ପ୍ରଶାସକ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରାରମ୍ଭରେ ଏକାଡେମୀର ସଂପାଦକ ଅଶ୍ୱିନୀ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଜାତୀୟ ପୁସ୍ତକନ୍ୟାସ ପକ୍ଷରୁ ଶ୍ରୀଯୁକ୍ତ ମାନସରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

ଏକାଡେମୀର ଉପସଭାପତି ତଥା ବରିଷ୍ଠ କବି ଶ୍ରୀଯୁକ୍ତ ଉମାଶଙ୍କର ପଣ୍ଡାଙ୍କ ପୌରୋହିତ୍ୟରେ ସର୍ବଭାରତୀୟ କବି ସମ୍ମେଳନର କବିତା ପାଠୋତ୍ସବରେ ଅନୁପମ କୁମାର ସମୀର ତନ୍ତୀ (ଆସାମ) କାଜଲ ଚକ୍ରବର୍ତ୍ତୀ (ବଂଗଳା), ଶିବ କେ. କୁମାର ଓ ଜୟନ୍ତ ମହାପାତ୍ର (ଇଂରାଜୀ), ଚନ୍ଦ୍ରକାନ୍ତ ଦେଓତାଲେ, ପ୍ରଭାତ ତ୍ରିପାଠୀ, କ୍ଷମା କାଉଲ (ହିନ୍ଦୀ), ଏ. ଜୟପ୍ରଭା, ନିଖିଳେଶ୍ୱର (ତେଲଗୁ), ପଦ୍ମା ସଚ୍ଚଦେବ (ଡୋଗରୀ), ବଳରାମ କୋମଲ (ଉର୍ଦ୍ଦୁ), ୱାଇ. ଇବୋମ୍‍ଚା (ମଣିପୁରୀ), ନିରଞ୍ଜନ ଉଜାଗରେ (ମରାଠା) ଟି. ପାଲାମଲାଇ (ତାମିଲ), ତଥା ଆମ ଭାଷାର ବିଶିଷ୍ଟ କବି ଯଥାକ୍ରମେ ରମାକାଂତ ରଥ, ରାଜେନ୍ଦ୍ର କିଶୋର ପଣ୍ଡା, ସୌଭାଗ୍ୟ କୁମାର ମିଶ୍ର, ରବି ସିଂ, ପ୍ରତିଭା ଶତପଥୀ, ଉମାଶଙ୍କର ପଣ୍ଡା, ଦିଲୀପ ଦାସ, ପ୍ରସନ୍ନ କୁମାର ମିଶ୍ର, ବଂଶୀଧର ଷଡ଼ଙ୍ଗୀ, ଆଶୁତୋଷ ପରିଡ଼ା, ପ୍ରମୁଖ କବିମାନେ କୋଣାର୍କ ସଂପର୍କିତ ତାଙ୍କର ସ୍ଵରଚନାରୁ କବିତାଗୁଡ଼ିକ ଆବୃତ୍ତି କରିଥିଲେ । ଶୁଭେନ୍ଦୁ ମୁଣ୍ଡ, ରୋହିଣୀକାନ୍ତ ମୁଖାର୍ଜୀ ଓ ରବୀନ୍ଦ୍ର କୁମାର ସ୍ୱାଇଁ ଉକ୍ତ କବିତା ପାଠୋତ୍ସବର ସଂଯୋଜନା କରିଥିଲେ ।

 

ଓଡ଼ିଆ ନାଟ୍ୟ ସାହିତ୍ୟରେ ଯାତ୍ରାର ପ୍ରଭାବ ଶୀର୍ଷକ ଆଲୋଚନାଚକ୍ର

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାଙ୍କ ମିଳିତ ଆୟୋଜନରେ ଓଡ଼ିଆ ନାଟ୍ୟ ସାହିତ୍ୟରେ ଯାତ୍ରାର ପ୍ରଭାବ ଶୀର୍ଷକ ଏକ ଦିନିକିଆ ଆଲୋଚନାଚକ୍ର ଗତ ତା ୯.୧୨.୨୦୦୧ ରିଖ ଦିନ ସ୍ଵାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ସଭାଗୃହ, ଜଗତସିଂହପୁରଠାରେ ଏକାଡେମୀର ସଭାପତି ଶ୍ରୀଯୁକ୍ତ ପଠାଣି ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଉକ୍ତ ଆଲୋଚନାଚକ୍ରରେ ଯାତ୍ରା ସଂପର୍କୀୟ ବିଭିନ୍ନ ବିଭାବ ଉପରେ ଡକ୍ଟର ନାରାୟଣ ସାହୁ, ଡକ୍ଟର ଅଜୟ ମିଶ୍ର, ଶ୍ରୀ କୁଞ୍ଜ ରାୟ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ପଠିତ ପ୍ରବନ୍ଧଗୁଡ଼ିକ ଉପରେ କେତେ ନା ଛାଡ଼ି ଯାଇଛନ୍ତି ଡକ୍ଟର ବିଜୟ କୁମାର ଶତପଥୀ ଶ୍ରୀ ଘନଶ୍ୟାମ ସ୍ୱାଇଁ, ଡକ୍ଟର ପଦ୍ମଲୋଚନ ମହାକୁଡ଼ ଓ ଶ୍ରୀ ଅରବିନ୍ଦ ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

କାନ୍ତକବି ଲକ୍ଷ୍ମୀକାନ୍ତ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାହିତ୍ୟ ସଂସ୍କୃତି ପରିଷଦ, ଭଦ୍ରକଙ୍କ ମିଳିତ ଆନୁକୂଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଗତ ତା ୯.୧୨.୨୦୦୧ରିଖ ଅପରାହ୍ନ ୫ ଘଣ୍ଟା ସମୟରେ ଭଦ୍ରକସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଏକ ସାରସ୍ୱତ ସ୍ମୃତିସଭା ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ସନାତନ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଉକ୍ତ ଜୟନ୍ତୀ ସଭାରେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ମହାନ୍ତି ମୁଖ୍ୟଅତିଥି, ବରିଷ୍ଠ କବି ଶ୍ରୀଯୁକ୍ତ ରବି ସିଂହ ସମ୍ମାନିତ ଅତିଥି, ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଶ୍ୟାମସୁନ୍ଦର ମିଶ୍ର ମୁଖ୍ୟବକ୍ତା ଓ କବି ଶ୍ରୀଯୁକ୍ତ ଅପୂର୍ବ ରଂଜନ ରାୟ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି କାନ୍ତକବିଙ୍କ ସାରସ୍ୱତ ପ୍ରତିଭା, ଦେଶସେବା ସଂପର୍କରେ ବିଶଦ୍‌ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଶ୍ରୀ ବସନ୍ତ ଦାସ ମଞ୍ଚାସୀନ ବିଶିଷ୍ଟ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସଂଗେ ସଂଗେ ସ୍ୱାଗତ ଭାଷଣ ଦେଇଥିଲେ । ପରିଶେଷରେ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

 

ଯଶୋବନ୍ତ ଦାସ ଶ୍ରାଦ୍ଧୋତ୍ସବ

ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଯଶୋବନ୍ତ ସାହିତ୍ୟ ଓ ସଂସ୍କୃତି ସଂସଦଙ୍କ ମିଳିତ ଆନୁକୁଲ୍ୟରେ ସିଦ୍ଧସାଧକ ଯଶୋବନ୍ତ ଦାସଙ୍କ ଶ୍ରାଦ୍ଧୋତ୍ସବ ଗତ ତା ୨୧.୧୨.୨୦୦୧ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ମହାପୁରୁଷଙ୍କ ଜନ୍ମପୀଠ ନାଇଲୋ ଅଢ଼ଙ୍ଗଗାଦିଠାରେ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ତଥା ବିଧାୟକ ଶ୍ରୀଯୁକ୍ତ ପଞ୍ଚାନନ କାନୁନ୍‍ଗୋଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଏହି ଶ୍ରାଦ୍ଧୋତ୍ସବରେ ପଞ୍ଚସଖା ସାହିତ୍ୟର ବିଶିଷ୍ଟ ପ୍ରବକ୍ତା ତଥା ବରିଷ୍ଠ ସାହିତ୍ୟିକ ଡକ୍ଟର ରତ୍ନାକର ଚଇନି ମୁଖ୍ୟବକ୍ତା ଓ ବରିଷ୍ଠ ଅଧ୍ୟାପକ ଡକ୍ଟର ଅଜୟ କୁମାର ମିଶ୍ର ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ଯଶୋବନ୍ତଙ୍କ ସାହିତ୍ୟିକ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ-। ପରିଶେଷରେ ଯଶୋବନ୍ତ ସାହିତ୍ୟ ଓ ସଂସ୍କୃତି । ସଂସଦର ସଂପାଦକ ଶ୍ରୀ କିଶୋର ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

 

ପଲ୍ଲୀକବି ନନ୍ଦକିଶୋର ଜୟନ୍ତୀ ।

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପଲ୍ଲୀକବି ନନ୍ଦକିଶୋର ଜୟନ୍ତୀ କମିଟିଙ୍କ ମିଳିତ ଆନୁକୂଲ୍ୟରେ ଗତ ତା ୨୨.୧୨.୨୦୦୧ରିଖ ଅପରାହ୍ନ ୪ ଘଣ୍ଟା ସମୟରେ କୁସୁପୁରସ୍ଥିତ ନନ୍ଦକିଶୋର ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ପଲ୍ଲୀକବିଙ୍କ ଜୟନ୍ତୀ ଏକାଡେମୀର ଉପସଭାପତି ତଥା ବରିଷ୍ଠ କବି ଶ୍ରୀଯୁକ୍ତ ଉମାଶଙ୍କର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ୱତ ଉତ୍ସବରେ ବରିଷ୍ଠ ସାରସ୍ୱତ ସାଧକ ତଥା ଓଡ଼ିଶାର ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ଶରତ କୁମାର କର ମୁଖ୍ୟ ଅତିଥି, ସାହିତ୍ୟିକା ଡକ୍ଟର ବିଦ୍ୟୁତ୍‍ପ୍ରଭା ନାୟକ ଓ ପ୍ରାବନ୍ଧିକ ଡକ୍ଟର ନିରଞ୍ଜନ ସାହୁ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ପଲ୍ଲୀକବିଙ୍କ ସାରସ୍ୱତକୃତି ସଂପର୍କରେ ଆଲୋଚନା କରିଥିଲେ । ପରିଶେଷରେ ପଲ୍ଲୀକବି ନନ୍ଦକିଶୋର ଜୟନ୍ତୀ କମିଟି ପକ୍ଷରୁ ସାମ୍ବାଦିକ ସୁମନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

 

ସିଦ୍ଧସାଧକ ଶିଶୁ ଅନନ୍ତଦାସ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶିଶୁ ଅନନ୍ତ ସ୍ମୃତି ସଂସଦଙ୍କ ମିଳିତ ଆନୁକୂଲ୍ୟରେ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସଖା ସିଦ୍ଧସାଧକ ମହାପୁରୁଷ ଶିଶୁଅନନ୍ତଙ୍କ ଜୟନ୍ତୀ ସମାରୋହ କବିଙ୍କର ଜନ୍ମପୀଠ ବାଲିପାଟଣାସ୍ଥ ଶିଶୁମଠ ଠାରେ ଗତ ତା ୨୯.୧୨.୨୦୦୧ରିଖ ଦିନ ଅପରାହ୍ନ ୫ ଘଣ୍ଟା ସମୟରେ ଶିଶୁ ଅନନ୍ତ ସ୍ମୃତି ସଂସଦର ସଭାପତି ଶ୍ରୀଯୁକ୍ତ କ୍ଷୀରୋଦଚନ୍ଦ୍ର ରାୟ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଏହି ଜୟନ୍ତୀ ସଭାରେ ଓଡ଼ିଶାର ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ଶରତ କୁମାର କର ମୁଖ୍ୟଅତିଥି, ସଂସ୍କୃତ ବିଭାଗର ନିର୍ଦ୍ଦେଶକ ଶ୍ରୀ ନଳିନୀ ମୋହନ ମହାନ୍ତି, ସମ୍ମାନିତ ଅତିଥି ବାଲିପାଟଣା ବିଧାୟକ ଶ୍ରୀଯୁକ୍ତ ରାଘବ ଚନ୍ଦ୍ର ସେଠୀ ଓ ପ୍ରାଧ୍ୟାପକ ସତ୍ୟାନନ୍ଦ ସ୍ୱାଇଁ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ମହାପୁରୁଷ ଶିଶୁ ଅନନ୍ତଙ୍କ ସାରସ୍ଵତ ପ୍ରତିଭା ଓ ସୃଷ୍ଟି ସଂପର୍କରେ ଆଲୋକପାତ କରିଥିଲେ । ପରିଶେଷରେ ଶିଶୁ ଅନନ୍ତ ସ୍ମୃତି ସଂସଦର ସଂପାଦିକା ଶ୍ରୀମତୀ ତନୟା ଦାସ ଗୋସ୍ଵାମୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଶଶିଭୂଷଣ ରଥ ଜୟନ୍ତୀ

ବରେଣ୍ୟ ସାରସ୍ୱତ ସାଧକ, ପ୍ରବୀଣ ସାମ୍ବାଦିକ ତଥା ନିଷ୍ଠାପର ସମାଜସେବୀ ଶଶି ଭୂଷଣ ରଥଙ୍କ ଜୟନ୍ତୀ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶଶିଭୂଷଣ ସାହିତ୍ୟ ସଂସଦ, ସୋରଡ଼ାଙ୍କ ମିଳିତ ଆନୁକୂଲ୍ୟରେ ଗଂଜାମ ଜିଲ୍ଲାସ୍ଥ ସୋରଡ଼ାଠାରେ ଗତ ତା ୧.୧.୨୦୦୨ ରିଖ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଏକାଡେମୀର ସାଧାରଣ ପରିଷଦର ସଦସ୍ୟ ଡକ୍ଟର ବିବେକାନନ୍ଦ ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଏହି ଜୟନ୍ତୀ ସଭାରେ ବିଶିଷ୍ଟ କବି ଶ୍ରୀମତୀ ଅମୀୟବାଳା ପଟ୍ଟନାୟକ ସମ୍ମାନିତ ଅତିଥି ଶ୍ରୀମତୀ ବିଧୁପ୍ରଭା ରଥ ମୁଖ୍ୟବକ୍ତା ଓ ଶ୍ରୀ ସୁଦର୍ଶନ ଶତପଥୀ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ଶଶିଭୂଷଣଙ୍କ ବହୁମୁଖି ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ । ପରିଶେଷରେ ଶଶିଭୂଷଣ ସାହିତ୍ୟ ସଂସଦ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

 

ପୁସ୍ତକ ଉନ୍ମୋଚନ ଉତ୍ସବ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗତ ତା ୪.୧.୨୦୦୨ରିଖ ସଂଧ୍ୟା ୫ ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥ ପାନ୍ଥନିବାସ ସଭାକକ୍ଷରେ ଏକାଡେମୀର ସଭାପତି ଶ୍ରୀଯୁକ୍ତ ପଠାଣି ପଟ୍ଟନାୟକଙ୍କ ପୌରୋହିତ୍ୟରେ ଏକାଡେମୀର ସଦ୍ୟ ପ୍ରକାଶିତ ସଂସ୍କୃତ କାବ୍ୟ “ମାତୃମୁକ୍ତିମୁକ୍ତାବଳୀ’’, ଇଂରାଜୀ ଗଳ୍ପ ସଂକଳନ Quiet flows the Mahanadi” ଇଂରାଜୀ ଗଳ୍ପ ସଂକଳନ ସଚ୍ଚିରାଉତରାୟ ଗ୍ରନ୍ଥାବଳୀ” ଲୋକାର୍ପଣ ସଂଧା ଅନୁଷ୍ଠିତ ହୋଇଯାଇଛି-

 

ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଉଦ୍‌ଘାଟକ ରୂପେ ଯୋଗଦେଇ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ରାଜନୀତିଜ୍ଞ ଶ୍ରୀଯୁକ୍ତ ରାମକୃଷ୍ଣ ପଟ୍ଟନାୟକ ନିଜସ୍ୱ ମତବ୍ୟକ୍ତ କରି କହିଲେ ଯେ, ସାହିତ୍ୟ ପ୍ରୟୋଗାତ୍ମକ ହେବା ଉଚିତ । ଏକାଡେମୀ କେବଳ ନିଜର ଭୂମିକାକୁ ପ୍ରକାଶକ ଭାବରେ ସୀମିତ ନରଖି ନବାଗତ ତଥା ପ୍ରତିଷ୍ଠିତ ସାହିତ୍ୟିକମାନଙ୍କ ପରାମର୍ଶଦାତା ତଥା ନିର୍ଦ୍ଦେଶକର ଦାୟିତ୍ୱ ମଧ୍ୟ ତୁଲାଇବା ଉଚିତ । ମୁଖ୍ୟଅତିଥି ଭାବେ ମାନ୍ୟବର ରାଜସ୍ୱ, ଆଇନ, ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ଲେଖକ ସାହିତ୍ୟକମାନଙ୍କର ଆର୍ଥିକ ଉନ୍ନତି ଉପରେ ଗୁରୁତ୍ଵଆରୋପ କରିଥିଲେ । ସେ କହିଲେ ଯେ ସାହିତ୍ୟିକମାନଙ୍କ ସମ୍ମାନ ସୁରକ୍ଷିତ ରହିଲେ ରାଜ୍ୟର ସଂସ୍କୃତି ଓ ପରମ୍ପରା ସୁରକ୍ଷିତ ହୋଇରହିବ । ସାହିତ୍ୟ ଓ ସଂସ୍କୃତିକୁ ପଛରେ ପକାଇ କୌଣସି ଜାତି କେବେ ଆଗକୁ ଯାଇପାରିବ ନାହିଁ ବୋଲି ସେ ଦୃଢ଼ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଜ୍ଞାନପୀଠ ପୁରସ୍କାର ବିଜେତା ବରିଷ୍ଠ କବି ଶ୍ରୀଯୁକ୍ତ ସଚ୍ଚି ରାଉତରାୟ ଉତ୍ସବରେ ଅନ୍ୟତମ ସମ୍ମାନିତ ବକ୍ତା ଭାବରେ ଯୋଗଦେଇ କହିଲେ ଯେ ସାହିତ୍ୟ ଏକ ଅମୂଲ୍ୟ ରତ୍ନ । ଏହା ପ୍ରଚାରମୂଳକ ହେଲେ ତାହାର ପ୍ରକୃତ ରସ ଆସ୍ୱାଦନ କରିହୁଏ ନାହିଁ ବରଂ କାଳଜୟୀ ସାହିତ୍ୟ ସ୍ୱତଃସ୍ପୃର୍ତ୍ତ ଭାବରେ ଲୋକପ୍ରିୟତା ହାସଲ କରିଥାଏ । ପୂର୍ବତନ ମୁଖ୍ୟଶାସନ ସଚିବ ଶ୍ରୀ ରମାକାନ୍ତ ମିଶ୍ର ସଂସ୍କୃତ କବି ଜୟକୃଷ୍ଣ ମିଶ୍ରଙ୍କ କାବ୍ୟ ପ୍ରତିଭା ଉପରେ ଆଲୋଚନା କରିଥିଲେ । ଏକାଡେମୀ କାର୍ଯ୍ୟକାରୀ କମିଟିର ସଦସ୍ୟ କବି ହୁସେନ୍ ରବିଗାନ୍ଧୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

ସାମନ୍ତ ଚନ୍ଦ୍ରଶେଖର ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ତଥା ପଠାଣି ସାମନ୍ତ ମେମୋରିଆଲ୍ ପରିଷଦର ମିଳିତ ସହଯୋଗରେ ଗତ ତା ୬.୧.୨୦୦୨ ରିଖ ଅପରାହ୍ନ ୩ଟାରେ ପ୍ରଖ୍ୟାତ ଜ୍ୟୋର୍ତିବିତ୍ ସାମନ୍ତ ଚନ୍ଦ୍ରଶେଖରଙ୍କ ଜୟନ୍ତୀ ଉତ୍ସବ ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଏହି ଜୟନ୍ତୀ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ କବି ଶ୍ରୀଯୁକ୍ତ ହରିହର ମିଶ୍ର, ଡକ୍ଟର ସୁରେଶ ଚନ୍ଦ୍ର ପାଠୀ, ଆଡଭୋକେଟ୍ ଗିରିଜାଶଙ୍କର ତରାସିଆ, ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ଦାଶ, ରମାକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସାମନ୍ତଙ୍କ ବହୁବିଧ ଗୁଣାବଳୀ ସଂପର୍କରେ ଆଲୋଚନା କରିଥିଲେ । ପଠାଣିଙ୍କୁ ବିଶ୍ୱର ବିସ୍ମୟ ପୁରୁଷ ଭାବେ ବକ୍ତାମାନେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

 

କବି ଯଦୁମଣି ଜୟନ୍ତୀ

ହାସ୍ୟରସ ବିଶାରଦ ତଥା ଉତ୍କଳଘଣ୍ଟ କବି ଯଦୁମଣିଙ୍କ ଜୟନ୍ତୀ ଉତ୍ସବ କବିଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲା ଇଟାମାଟିଠାରେ ଗତ ତା ୮.୧.୨୦୦୨ରିଖ ସଂଧ୍ୟା ୭ ଘଣ୍ଟାରେ ଇଟାମାଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଓଡ଼ିଶା ସାହିତ୍ୟ ଏକାଡ଼େମୀ ଏବଂ ଯଦୁମଣି କ୍ଲବଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହକୁ ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀଯୁକ୍ତ ଶରତକୁମାର କର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କବି ଯଦୁମଣିଙ୍କ କବି ପ୍ରତିଭାର ଅବତାରଣା କରିଥିଲେ । ତତ୍‌କାଳୀନ ସାହିତ୍ୟଜଗତ ପ୍ରତି ପ୍ରଗାଢ଼ ଅବଦାନ ଯୋଗୁଁ ଯୁଗେ ଯୁଗେ ଓଡ଼ିଶାରେ ସେ ଅମର ସନ୍ତାନ ହୋଇ ରହିବେ ବୋଲି ମତ ଦେଇଥିଲେ ! ନୟାଗଡ଼ ଉପଜିଲ୍ଲାପାଳ ଶ୍ରୀ ନିରଂଜନ ସାହୁ ଓ ଆରକ୍ଷୀ ଅଧୀକ୍ଷକ କବି ରାଜକିଶୋର ଦାସ ନିଜ ନିଜର ମତ ସଭାରେ ଉପସ୍ଥାପିତ କରିଥିଲେ । ଏକାଡେମୀର ସଂପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ଉତ୍ସବରେ ଯୋଗଦେଇ ପ୍ରତିଭା ପୂଜାର ଦାୟିତ୍ଵ ଏକାଡେମୀର ପରମ କର୍ତ୍ତବ୍ୟ ବୋଲି ଅଭିହିତ କରିଥିଲେ । ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଅଜୟ କୁମାର ମିଶ୍ର ଯୋଗଦେଇ କବି ଯଦୁମଣିଙ୍କ ସାରସ୍ୱତ ସୃଷ୍ଟି ସଂପର୍କରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରି କବିଙ୍କ ଅନାଲୋଚିତ କାବ୍ୟଗ୍ରନ୍ଥମାନଙ୍କ ଉପରେ ଅଧିକରୁ ଅଧିକ ଗବେଷଣା ନିମନ୍ତେ ତଥା ‘‘ନିକିତି ତଉଲ ସାନ ବଡ଼କୁ’’ ନ୍ୟାୟରେ କବିଙ୍କ ପ୍ରତିଭାର ଓଜସ୍ୱିନୀ ଓ ଅପେକ୍ଷାକୃତ ଦିଗ ତାଙ୍କ ସୃଷ୍ଟି ରୀତିଯୁଗୀୟ କବିତାରେ ପୁରି ରହିଥିଲା ବୋଲି ସେ ମତବ୍ୟକ୍ତି କରିଥିଲେ ।

 

ବ୍ୟାସକବି ଫକୀରମୋହନ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଫକୀରମୋହନ ସାହିତ୍ୟ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ଗଦ୍ୟ ସାହିତ୍ୟର ଯୁଗସ୍ରଷ୍ଟା ସାଧକ ବ୍ୟାସକବି ଫକୀରମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ଗତ ତା ୧୪.୧. ୨୦୦୨ରିଖ ସଂଧ୍ୟା ୫.୩୦ ସମୟରେ ବ୍ୟାସକବିଙ୍କ ସ୍ମୃତିପୀଠ ବାଲେଶ୍ୱରସ୍ଥ ଶାନ୍ତିକାନନଠାରେ ଏକାଡେମୀର ସଦସ୍ୟ ତଥା ବର୍ଷିଆନ କବି ଶ୍ରୀଯୁକ୍ତ ବ୍ରଜନାଥ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଏହି ଜୟନ୍ତୀ ସଭାରେ ବରିଷ୍ଠ ସାହିତ୍ୟିକ ଡ. ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ସାହିତ୍ୟିକ ଓ ଇଂରାଜୀ ଭାଷାର ପ୍ରାଧ୍ୟାପକ ଶ୍ରୀଯୁକ୍ତ ବିଜୟ କୁମାର ନନ୍ଦ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଫକୀରମୋହନଙ୍କ ସାହିତ୍ୟ ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଶ୍ରୀ ପଂଚାନନ ଦାସ ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

***